ହୋମ / କୃଷି / କୃଷି ଉଦ୍ୟୋଗ / ସ୍ଵଚ୍ଛ ଦୁଗ୍ଧ ଉତ୍ପାଦନ କରିବା ପାଇଁ କେତେକ ପଦକ୍ଷେପ
ସେଆର କରନ୍ତୁ

ସ୍ଵଚ୍ଛ ଦୁଗ୍ଧ ଉତ୍ପାଦନ କରିବା ପାଇଁ କେତେକ ପଦକ୍ଷେପ

ସ୍ଵଚ୍ଛ ଦୁଗ୍ଧ ଉତ୍ପାଦନ କରିବା ପାଇଁ କେତେକ ପଦକ୍ଷେପ ର ସୂଚନା

ସ୍ଵଚ୍ଛ ଦୁଗ୍ଧ କଣ

ଦୁଗ୍ଧ ଏକ ସୁଷମା ଖାଦ୍ୟ  । ଏହାର ଗୁଣାତ୍ମକ ମାନ ପାଇଁ ଅମୃତ ସହ ତୁଳନା କରାଯାଇଥାଏ  । ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଦ୍ରବ୍ୟର ଚାହିଦା ଆମ ଭାରତ ବର୍ଷରେ ଖୁବ୍ ଅଧିକ  । ଏହା ସମସ୍ତ ମନୁଷ୍ୟ ଯଥା ଶିଶୁ ବୃଦ୍ଧ ବ୍ୟକ୍ତିମାନଙ୍କ ନିମନ୍ତେ ଏକ ଉତ୍ତମ ଓ ପୁଷ୍ଟିକର ଖାଦ୍ୟ ଭାବରେ ବିବେଚନା କରାଯାଏ  । ସୁସ୍ଥ ଗାଈ ବା ମଇଁଷି ଠାରୁ ଉତ୍ପାଦିତ ଦୁଗ୍ଧ ସାଧାରଣତଃ ନିର୍ମଲା, ସ୍ଵଚ୍ଛ ଓ ଓ ରୋଗ ଜୀବାଣୁ ବିହୀନ ହୋଇଥାଏ, ଏଣୁକରି ଆମ ଚାଷୀଭାଇମାନେ ସ୍ଵଚ୍ଛ ଦୁଗ୍ଧ ଉତ୍ପାଦନ ନିମନ୍ତେ ବିଶେଷଧ୍ୟାନ ଦେବା ଦରକାର  । ଗାଈର ଶରୀରରେ ଦୁଗ୍ଧର ସୃଷ୍ଟି ଠାରୁ ଦୁଗ୍ଧ ପିଇବା ପର୍ଯ୍ୟନ୍ତ ସମସ୍ତ ସ୍ତରରେ ସତର୍କତା ଅବଲମ୍ବନ କଲେ ବିଶୁଦ୍ଧ କ୍ଷୀର ମିଳିପାରିଥାଏ  । ଓଡିଶାରେ ୨୦୧୪-୧୫ରେ ସମୁଦାୟ ୧୯,୦୩୦୦୦ ଟନ୍  ଦୁଗ୍ଧ ଉତ୍ପାଦନ ହୋଇଥିଲା ଯାହା ପ୍ରତି ଲୋକ ପିଛାଦୈନିକ ୧୨୮ ଗ୍ରାମ୍ ଅଟୋ ଏଥିମଧ୍ୟରୁ ପ୍ରାୟ ଶତକଡା ୭୨ ଭାଗ ଦୁଗ୍ଧ ଛୋଟ ଚାଷୀ ପାଖରେ ଉତ୍ପାଦିତ ହୋଇଥାଏ  । ତେଣୁ ଗୋପାଳକ ଭାଇ ଭଉଣୀମାନେ ଦୁଗ୍ଧର ଦୁହିଁବା ପ୍ରଣାଳୀ, ପରିବେଶ ତଥା ଦୁହିଁବା ପୂର୍ବ ପରର ସାବଧାନତା ଅବଲମ୍ବନ କଲେ ଆମେ ପରିଷ୍କାର ତଥା ସ୍ଵଚ୍ଛ ଦୁଗ୍ଧ ପାଇପାରିବା  ।

ସ୍ଵଚ୍ଛ ଦୁଗ୍ଧ କହିଲେ ମଇଳା, ଗୁଣ୍ଡ ବା କାଠିକୁଟାର ଅଂଶ ନଥିବା, କୌଣସି ପ୍ରକାର ଦୁର୍ଗନ୍ଧ ବିହୀନ, ରୋଗ ଜୀବାଣୁ କମ୍ ଥିବା ବା ନଥିବା ଓ ସାଧାରଣ ଭାବରେ ସବୁ ପ୍ରକାର ଖାଦ୍ୟ ଗୁଣଯୁକ୍ତ ହୋଇଥିବା ଦରକାର ଅଟେ  ।

  • ଏହା ପରିଷ୍କାର ଓ ସୁସ୍ଥ ଗାଈ/ମଇଁଷିଠାରୁ ମିଳିଥାଏ  ।
  • ଏହା ପରିଷ୍କାର ପରିଚ୍ଛନ୍ନ ବାତାବରଣରେ ସଂଗ୍ରହ ଓ ସଂରକ୍ଷଣ ହୋଇଥାଏ  ।
  • ଏଥିରେ ଆଖିକୁ ଦେଖାଯାଉଥିବା ମଇଳା ଅଥବା କିଛି ଦୁର୍ଗନ୍ଧ ନ ଥାଏ  ।
  • ଏହି ଦୁଗ୍ଧରେ ଖୁବ୍ କମ୍ ଜୀବାଣୁ ଥାନ୍ତି କିନ୍ତୁ ସଂକ୍ରାମକ ଜୀବାଣୁ ନ ଥାନ୍ତି  ।

ସ୍ଵଚ୍ଛ ଦୁଗ୍ଧର ଆବଶ୍ୟକତା

  • ଅପରିଷ୍କାର ଦୁଗ୍ଧରେ ଜୀବାଣୁମାନେ ଦ୍ରୁତ ଗତିରେ ବଢି କ୍ଷୀରକୁ ବହୁତ କମ୍ ସମୟରେ ନଷ୍ଟ କରିଥାନ୍ତି  । ସ୍ଵଚ୍ଛ ଦୁଗ୍ଧ ବହୁଆ ସମୟ ପର୍ଯ୍ୟନ୍ତ ନଷ୍ଟ ନ ହୋଇ ରହିଥାଏ, ଫଳରେ ବଜାର ଚାହିଦା ଅଧିକ ହେବା ସହ ମନୁଷ୍ୟ ବ୍ୟବହାର ପାଇଁ ନିରାପଦ ଅଟେ  ।
  • ଦୁଗ୍ଧରେ ପ୍ରାୟ ସମସ୍ତ ଖାଦ୍ୟସାର ଆମମାନଙ୍କର ଦରକାରି ଅନୁପାତରେ ଥିବାରୁ ଆବାଳ ବୃଦ୍ଧବନିତା ତଥା ରୋଗୀମାନେ ଆନନ୍ଦରେ ଗ୍ରହଣ କରିଥାନ୍ତି  ।
  • ଭଲ ତଥା ଖାଣ୍ଟି କ୍ଷୀର ପାଇଁ ବହୁତ ଲୋକ ଅଧିକ ଟଙ୍କା ଦେବାକୁ ପଛାଇ ନ ଥାନ୍ତି  ।
  • ସରକାରୀ ସ୍ତରରେ ଦୁଗ୍ଧର ଗୁଣାତ୍ମକ ମାନ ପରୀକ୍ଷା କରାଯାଏ, ଯେପରିକି ବଜାରରେ ବିକ୍ରି ହେଉଥିବା କ୍ଷୀରର ମାନ ଠିକ  ରହିବ ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟରେ ଆଞ୍ଚ ଆସିବ ନାହିଁ  ।
  • ଦୁଗ୍ଧର ଗୁଣାତ୍ମକମାନ ପାଇଁ ମନୁଷ୍ୟମାନଙ୍କୁ ଏହା ବିଭିନ୍ନ ରୋଗରୁ ରକ୍ଷା କରିଥାଏ; ଯଥା – ଟାଇଫଏଡ, ତରଳଝାଡା ଇତ୍ୟାଦି  । କାରଣ ଏହି ରୋଗ ଗୁଡିକ କ୍ଷୀର ଦ୍ଵାରା ସମ୍ଭାବନା କମ୍ ଥାଏ  ।
  • ସ୍ଵଚ୍ଛ ଦୁଗ୍ଧରୁ ପ୍ରସ୍ତୁତ ଦ୍ରବ୍ୟ ସ୍ୱାସ୍ଥ୍ୟକର ଅଟେ ଏବଂ ବହୁତ ସମୟ ବ୍ୟବହାର ଉପଯୋଗୀ ହୋଇ ରହିଥାଏ, ତେଣୁ ଏହାଦୂରଦୂରାନ୍ତକୁ ପରିବହନ ହେଲେ ମଧ୍ୟ ନଷ୍ଟ ହେବାର ସମ୍ଭାବନା କମ୍ ଥାଏ  ।

ସ୍ଵଚ୍ଛକ୍ଷୀର ପାଇବା କିପରି

  • ପରିଷ୍କାର ବା ସ୍ଵଚ୍ଛ ଦୁଗ୍ଧ ପାଇବା ପାଇଁ ମୁଖ୍ୟତଃ ନିମ୍ନଲିଖିତ ବିଷୟପ୍ରତି ଧ୍ୟାନ ଦେବା ଆବଶ୍ୟକ  ।

ଗୁହାଳ ଓ ପରିପାର୍ଶ୍ଵର ପ୍ରଭାବ

  • ଗୁହାଳ ଓ ତାର ଆଖପାଖ ସବୁବେଳେ ସଫା ଓ ଶୁଖିଲା ରଖନ୍ତୁ  । ଗୋବର ସଦାସର୍ବଦା ଗୁହାଳଠାରୁ ଅତିକମ୍ ରେ ୧୦୦ ମିଟର ଦୂରରେ ପକାଇବା ଉଚିତ୍  । ଏହା ପରିପାର୍ଶ୍ଵର ପ୍ରଭାବ ମାଛି ମଶା, ମୂଷା, ଅସରପା ଓ ଜୀବାଣୁସଂଖ୍ୟା କମ୍ କରିବାରେ ସାହାଯ୍ୟ କରିଥାଏ  ।
  • ଗୁହାଳ ଉଚ୍ଚ ସ୍ଥାନରେ ଥିବା ସହିତ ଗୁହାଳ ମଧ୍ୟ ଦେଇ ପବନ ଚଳାଚଳ କରୁଥିବା ଦରକାର  । ଗାଈଗୁହାଳରେ ଉପଯୁକ୍ତ ବାୟୁଚଳାଚଳ ହେଉଥିଲେ ପଶୁଟି ଶ୍ଵାସଜନିତ ରୋଗରୁ ମୁକ୍ତି ପାଇଥାଏ  ।
  • ଗୁହାଳର ଦୈର୍ଘ୍ୟ ଉତ୍ତର- ଦକ୍ଷିଣ ଦିଗରେ ରହିଲେ ସୂର୍ଯ୍ୟକିରଣ ସକାଳେ ଓ ସନ୍ଧ୍ୟା ସମୟରେ ଘର ଭିତରେ ପଡିଲେ ଗୁହାଳ ବିଶୋଧିତ ହୋଇଥାଏ  ।
  • ଗୁହାଳର ଚଟାଣ ଜଳ ନିରୋଧି ହେବା ଦରକାର ଯାହା ଗୁହାଳର ଅପରିଷ୍କାର ପାଣିକୁ ନାଳ ଦେଇ ବାହାରକୁ ଛାଡିବାର ବ୍ୟବସ୍ଥା ରହିବା ଦରକାର  ।
  • ଗୁହାଳର ଛାତ ମସୃଣ ଓ ବୁଢିଆଣୀ ଜାଲ, ଧୂଳି ବା ଅଳିଆରୁ ମୁକ୍ତ ହେବା ଆବଶ୍ୟକ  ।
  • ବର୍ଷକୁ ଥରେ ଗୁହାଳ କାନ୍ଥରେ ଚୂନ ଲେପିବା ଦରକାର ଅଟେ  ।
  • ଦୁଗ୍ଧ ଦୁହିଁବା ପୂର୍ବରୁ ଗୁହାଳ ଚଟାଣରେ ହାଲକା ପାଣି ଛାଟିବା ଦରକାର ଫଳରେ ଗୁହାଳରେ ଉଡୁଥିବା ଧୂଳି ବସିଯିବ  ।
  • ଦୁଗ୍ଧ ଦୁହିଁବା ସ୍ଥାନଟିକୁ ସନ୍ତସନ୍ତିଆ ନ ରଖିବା ଉଚିତ୍
  • ଗୋମହିଷାଦୀମାନଙ୍କୁ ଟିଙ୍କ, ଉକୁଣୀ, ମଶା ଓ ମାଛି ଦାଉରୁ ରକ୍ଷା କରିବା ପାଇଁ ନିୟମିତ ରାସାୟନିକ ଔଷଧ ସିଂଚନ କରିବା ଉଚିତ୍  ।

ଦୁଧିଆଳୀ ଗାଈ ପ୍ରତି ସାବଧାନତା

  • ଦୁଧିଆଳୀ ଗାଈ ଆମ ପାଇଁ ଉପାର୍ଜନର ଏକ ଉତ୍ସ  । ସେ ସୁସ୍ଥ ଓ ନିରୋଗ ହେଲେ ଦୁଗ୍ଧର ପରିମାଣ ତଥା ଗୁଣାତ୍ମକ ମାନ ଠିକ୍ ରହିଥାଏ  । ରୋଗୀଣା ଦୁଧିଆଳୀ ଗାଈଠାରୁ ଯକ୍ଷ୍ମା, ବୃସେଲାସିସ୍ ତଥା ଥନହରା ରୋଗ ଆମ ଦେହକୁ ଆସିଥାଏ, କିନ୍ତୁ ତାଙ୍କର ପ୍ରକୋପ କମ୍ ଥାଏ  । ଚିରରେ ଖଣ୍ଡିଆ ହେଲେ କିମ୍ବା ଗାଈଠାରେ କିଛି ଅନିୟମିତତା ଦେଖାଦେଲେ ପଶୁ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ  ।
  • ଥନହରା ରୋଗ ପ୍ରତି ସଚେତନତା ରହିବା ବିଧେୟ  । ଏହା ଦ୍ଵାରା ଗାଈର ପହ୍ନା ଫୁଲିଯାଏ, କ୍ଷୀର ଛିଣ୍ଡିଯାଏ ଓ ସମୟ ସମୟରେ କ୍ଷୀରରେ ରକ୍ତ ଓ ପୂଜ ପଡିଥାଏ  । ପ୍ରାୟତଃ ସମସ୍ତ ଫାର୍ମରେ ଏହି ଥନହରା ରୋଗ ଦେଖାଯାଇଥାଏ  । କେତେଗୁଡିଏ ପରିଚାଳନା ଗତ ପଦକ୍ଷେପ ଗ୍ରହଣ କରିଲେ  ଏହି ରୋଗ ଦାଉରୁ ଗାଈକୁ ରକ୍ଷା କରିହେବ  । ଥନହରା ରୋଗରେ ଗୋରୁଗାଈର ଦୁଗ୍ଧ ଉତ୍ପାଦନ କ୍ଷମତା କମିବା ସହ ଦୁଗ୍ଧ ଅପରିଷ୍କାର ଓ ଖାଦ୍ୟ ଅନୁପଯୋଗୀ ହୋଇଥାଏ  ।
  • ଆମ ପରିବେଶରେ ଚିର ଓ ପହ୍ନାର ଭଲ ପାଇଁ ବାଛୁରୀର ଜନ୍ମହେବା ପୂର୍ବରୁ ଭିଟାମିନ୍ ଋ ଓ ସେଲନିୟମ ର ଇଞ୍ଜେକ୍ସନ ଦେଲେ ତଥା ଭିଟାମିନ୍ ଇ, ତଥା ଧାତୁସାରର ମିଶ୍ରଣ ଖାଇବାକୁ ଦେଲେ ଥନହରା ରୋଗ ହେବାର ସମ୍ଭାବନା କମ୍ ହୋଇଥାଏ  ।
  • ଦୁହିଁବାର ଅଧଘଣ୍ଟା ପୂର୍ବରୁ ଗାଈଦେହରେ ଲାଗିଥିବା ଲୋମ, ଧୂଳି, ମାଟି, ଗୋବର ତଥା ଅନ୍ୟାନ୍ୟ ଅଳିଆ ବ୍ରସ ଓ ପାଣି ଦ୍ଵାରା ସଫା କରନ୍ତୁ  ।
  • ପାଣି ଛାଟି ଗାଈର ପହ୍ନା, ଚିର, ତଳିପେଟ ଓ ପଛଭାଗ ଧୋଇ ପରିଷ୍କାର କରନ୍ତୁ  । ପହ୍ନା ଓ ଚିରକୁ ସଫାକନାରେ ପୋଛିଲା ପରେ ନଖ ଉଷୁମ ପାଣିରେ ପୁଣିଥରେ ସଫାକରି ଓଦା ଚିପୁଡା କନାରେ ପୋଛି ଦିଅନ୍ତୁ  ।
  • ଦୁହିଁବା ସମୟରେ ଗାଈକୁ ଠିକ୍ ଭାବେ ବାନ୍ଧନ୍ତୁ ଯେପରିକି ତାକୁ ଆଘାତ ଲାଗିବ ନାହିଁ  ।
  • ପାଣିରେ ପୋଟାସିୟମ ପରମାଙ୍ଗାନେଟ୍ ବ୍ୟବହାର କଲେ ପହ୍ନା ଓ ଚିର ଅଧିକ ଜୀବାଣୁମୁକ୍ତ ହୋଇଥାଏ  ।
  • ଗୋମହିଷାଦୀ ପ୍ରାଣୀମାନଙ୍କର ନିୟମିତ ବ୍ୟବଧାନ ଭିତରେ ଟୀକାକରଣ, କୃମି ଔଷଧ ସେବନ ତଥା ବିଭିନ୍ନ ରୋଗର ନିବାକରଣ ପାଇଁ ଯତ୍ନବାନ ହେବା ଦରକାର  ।
  • ନିୟମିତ ବ୍ୟବଧାନରେ ଦୁଗ୍ଧ ନିକଟସ୍ଥ ପରୀକ୍ଷାଗାରରେ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶକ୍ରମେ ପରୀକ୍ଷାକରି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍  ।
  • ସୁଷମ ଓ ଗୁଣାତ୍ମକ ଖାଦ୍ୟ ସାଙ୍ଗକୁ ଯଥେଷ୍ଟ  ପାଣି ପିଇବା ପାଇଁ ଦେଲେ ଆମେ ପରିଷ୍କାର ଦୁଗ୍ଧ ଉତ୍ପାଦନ କରିପାରିବା  । ଗୋରୁମାନଙ୍କ ପାଇଁ ବ୍ୟବହୃତ ପାଣି ସଫା ଏବଂ ରୋଗଜୀବାଣୁ ବିହୀନ ହୋଇଥିବା ଦରକାର  ।

ଦୁଗ୍ଧପାତ୍ର ଓ ବାସନ ପାଇଁ ସାବଧାନତା

  • ଦୁଗ୍ଧ ଦୁହିଁବା ପାଇଁ ଅଣଓସାରିଆ ମୁହଁଥିବା ପାତ୍ରର ବ୍ୟବହାର କଲେ ଗାଈରପହ୍ନା, ଚିର ଓ ତଳିପେଟରୁ ଲୋମ ଓ ଅଳିଆ ଆବର୍ଜନା କ୍ଷୀରରେ ପଡିବାର ସମ୍ଭାବନା କମ୍ ଥାଏ  ।
  • ବାସନକୁ ପ୍ରଥମେ ଗରମ ପାଣିରେ ଧୋଇଲେ ଘିଅ ଓ ତେଲ ଅଂଶ ତରଳି ଯାଇଥାଏ  । ତା ପରେ ଗରମ ପାଣିରେ ଡିଟରଜେଣ୍ଟ ଦେଇ ବ୍ରସ ମାରନ୍ତୁ, ଯେପରିକି ବାସନରେ ମଇଳା ରହିବ ନାହିଁ  । ଯଥେଷ୍ଟ ପାଣି ବ୍ୟବହାର କରି ଡିଟରଜେଣ୍ଟକୁ ପୁରା ବାହାର କରନ୍ତୁ  । ବାସନକୁ ସା ସ୍ଥାନରେ/ ଷ୍ଟାଣ୍ଡରେ ଓଲଟାଇ ରଖନ୍ତୁ, ଯେପରିକି ଜଳୀୟ ଅଂଶ ପୁରା ବାହାରି ଯିବ  । ବାସନକୁ ସୂର୍ଯ୍ୟକିରଣରେ / ଖରାରେ ରଖିଲେ ମଧ୍ୟ କେତେକାଂଶରେ ବିଶୋଧିତ ହୋଇଥାଏ  ।
  • ଗାଈ ଫାର୍ମରେ ପରିଚ୍ଛନ୍ନତା ଯଥା ଦୁଗ୍ଧ ଦୁହିଁବା ପାତ୍ର, ସାଇତି ରଖିବା ପାତ୍ର ଓ ଦୁଗ୍ଧ ଦୁହିଁବା ଯନ୍ତ୍ର ଆଦି ନିୟମିତ ବ୍ୟବଧାନରେ ପରିଷ୍କାର କରିବା ଉଚିତ୍  । ଦୁଗ୍ଧ ଦୁହିଁବା ଯନ୍ତ୍ର ଏବଂ କ୍ଷୀର ରଖିବା ପାତ୍ର ପରିଷ୍କାର ହେବା ଦରକାର  ।
  • ଦୁଗ୍ଧ ଦୁହିଁବା ପରେ ପରେ ଏହାକୁ 4 ଡିଗ୍ରୀ ସେ, ତାପମାତ୍ରା ଠାରୁ କମ୍ ରେ ସାଇତି ରଖିବା ଦରକାର  ।

କ୍ଷୀର ଦୁହାଁଳୀ ପାଇଁ ଆବଶ୍ୟକ ସାବଧାନତା  ।

  • କ୍ଷୀର ଦୁହିଁବା ବ୍ୟକ୍ତି ସୁସ୍ଥ ଓ ନୀରୋଗ ହେବା ସହିତ ନିୟମିତ ବ୍ୟବଧାନରେ ନଖ କଟା କାଟୁଥିବା ଦରକାର  ।
  • ସେ ଦୁହିଁବା ସମୟରେ ସଫା ପୋଷାକ ପିନ୍ଧିଥିବ ତଥା ହାତ ଓ ବାହୁକୁ ଧୋଇ ପରିଷ୍କାର କରିଥିବ  । ଦୁହୁଁଥିବା ବ୍ୟକ୍ତି ନିଜର ହାତକୁ ଭଲଭାବରେ ସାବୁନ୍ ବା ପଟାସ୍ ପାଣିରେ ଧୋଇ ସଫା କପଡାରେ ପୋଛିବା ପରେ ଗାଈ ଦୁହିଁବା ଉଚିତ୍
  • ବାରମ୍ବାର ଦୁହାଁଳୀ ବଦଳାଇଲେ ଗାଈ ଭୟଭୀତ ହୋଇ କ୍ଷୀର ଦେବା କମାଇଥାଏ  ।
  • ଦୁହିଁବା ବେଳେ ବିଡି, ସିଗାରେଟ୍ ବା ତମାଖୁ ବ୍ୟବହାର ନ କରିବା ଭଲ  । ଯକ୍ଷ୍ମା, ଶ୍ଵାସରୋଗୀ ତଥା କାଛୁ କୁଣ୍ଡିଆ ଆଦି ସଂକ୍ରାମକ ରୋଗଧାଡ଼ି ବ୍ୟକ୍ତି ଗାଈ ଦୁହିଁବା ଅନୁଚିତ୍  ।
  • ଦୁହିଁବା ସମୟରେ ଟୋପି ବା ଠେକା ପିନ୍ଧିବା ସହ କାଶିବା, ଛିଙ୍କିବା ଓ ଛେପ ପକାଇବା ଆଦି ନ କରିବା ଦରକାର  ।

କ୍ଷୀର ଦୁହିଁବା ସମୟର ଯତ୍ନ

  • ଥରେ ଆରମ୍ଭ କଲେ 7-8 ମିନିଟ ମଧ୍ୟରେ ଦୁହିଁବା ଶେଷ କରନ୍ତୁ  । କାରଣ ଗାଈର ହାଇପୋଥାଲାମସରୁ ନିର୍ଗତ ହେଉଥିବା ଅକ୍ସିଟୋସିନ ହରମୋନ୍ ରକ୍ତରେ 8 ମିନିଟ୍ ପର୍ଯ୍ୟନ୍ତ ରହି କ୍ଷୀରକୁ ଚିରରୁ ପୂରାପୂରି ବାହାରିବା ପାଇଁ ସାହାଯ୍ୟ କରିଥାଏ  । ଦୁହିଁବାରେ ଅଧିକ ସମୟ ନେଲେ କ୍ଷୀର ଚିରରୁ ପୁରା ବାହାରି ନ ଥାଏ ଓ ଜୀବାଣୁମାନେ ଖାଦ୍ୟର ଭଣ୍ଡାର ପାଖରେ ପାଇ ଦ୍ରୁତ ଗତିରେ ବଢିଥାନ୍ତି  ।
  • ଅକ୍ସିଟୋସିନ ଇଞ୍ଜେକ୍ସନ ଦେଇ କ୍ଷୀର ବାହାର କଲେ ଗାଈର ସ୍ୱାସ୍ଥ୍ୟ ଓ ଉତ୍ପାଦକତା ଉପରେ ପ୍ରଭାବ ପଡିଥାଏ  । ଗାଈର ସ୍ୱାସ୍ଥ୍ୟ ତଥା କ୍ଷୀର ଉତ୍ପାଦନ କ୍ଷମତା ନଷ୍ଟ ହେବାର ସମ୍ଭାବନା ଥାଏ  ।
  • କ୍ଷୀର ଦୁହିଁଲାବେଳେ ପୂରା ମୁଠା ବା ହାତରେ ଦୁହଁନ୍ତୁ, ଆଙ୍ଗୁଳିରେ ଦୁହିଁଲେ ଚିର ଆଘାତ ପାଇଥାଏ  ।
  • ଦୁହିଁଲାବେଳେ ସର୍ବଶେଷରେ ରୋଗୀଣା ଗାଈ ତଥା ଆକ୍ରାନ୍ତ ଚିରକୁ ଦୁହଁନ୍ତୁ  । ଗାଈକୁ ଯଥେଷ୍ଟ ପରିମାଣର ସୁଷମ ଖାଦ୍ୟ ଓ ସ୍ଵଚ୍ଛ ପାଣି ଦିଅନ୍ତୁ  ।
  • ଦୁହିଁବା ପରେ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଚିରର ଅଗ୍ରଭାଗ ଖୋଲାଥାଏ, ତେଣୁ ଦୁହିଁଲା ପରେ ଗାଈ ଯେପରି ବସି ନଯାଏ, ସେଥିପାଇଁ ଘାସ ବା ନଡା ଖାଇବାକୁ ଦିଅନ୍ତୁ  । ନ ହେଲେ ଚିର ଦେଇ ଜୀବାଣୁମାନେ ଚିରକୁ ନଷ୍ଟ କରିଥାନ୍ତି  ।
  • କ୍ଷୀର ଦୁହିଁବା ପରେ କଣ ପଦକ୍ଷେପ ନେବା ?
  • ଦୁହିଁ ସାରିବା ପରେ ଚିର ଓ ପହ୍ନାକୁ ପାଣିରେ ଧୋଇ ସଫାକନାରେ ପୋଛି ଦିଅନ୍ତୁ  । ଯଦି ସମ୍ଭବ ଆୟୋଡିନ ଦ୍ରବଣରେ ଚିରକୁ ବୁଡାନ୍ତୁ  ।
  • ଦୁଗ୍ଧ ସଂଗ୍ରହ କଲେ ଅଳିଆ ଛାଣି ଯାଇଥାଏ  । ସଂଗ୍ରହ ପାତ୍ରଗୁଡିକୁ ଘୋଡାଇ ରଖନ୍ତୁ  ।
  • କ୍ଷୀରରେ ବହୁତ ଶୀଘ୍ର ଜୀବାଣୁମାନେ ବଂଶବୃଦ୍ଧି କରିଥାନ୍ତି, ତେଣୁ ଯଥାଶୀଘ୍ର ଦୁଗ୍ଧର ଗୁଣାତ୍ମକ ମାନ ଭଲ ରହେ  । ଦୁଗ୍ଧ ସଂରକ୍ଷଣ କେନ୍ଦ୍ର ସଫାସୁତୁରା ଥିବା ଦରକାର  ।

ପରିଷ୍କାର ଦୁଗ୍ଧ ପାଇବା ପାଇଁ ଚାଷୀ ଭାଇ ଭଉଣୀମାନେ ନିଜର ତଥା ଗାଈର ସ୍ଵାସ୍ଥ, ଗୁହାଳ ଓ ପାରିପାର୍ଶ୍ଵିକ ସ୍ଵଚ୍ଛତା ତଥା ଦୁଗ୍ଧର ଦୁହିଁବା ପ୍ରଣାଳୀ, ଦୁହିଁବା ପୂର୍ବ  ଓ ପରର ସାବଧାନତା ଅବଲମ୍ବନ କରିବା ଆବାଧ୍ୟକ  । ଏଥିରେ ଚାଷୀ ଓ ଗ୍ରାହକ ଉଭୟଙ୍କୁ ଲାଭ ମିଳିଥାଏ  ।

ସଂଗୃହୀତ – ଡା.ରଞ୍ଜନ କୁମାର ମହାନ୍ତ, ଡା.ସାରଦା ପ୍ରସନ୍ନ ସାହୁ

3.02222222222
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top