ଆମ ରାଜ୍ୟରେ ଜଳବାୟୁ ଓ ମାଟି ହଳଦୀ ଚାଷ ପାଇଁ ବେଶ୍ ଉପଯୁକ୍ତ । ଏହାକୁ ସମୁଦ୍ର ପତ୍ତନ ଠାରୁ ୧୨୦୦ ମିଟର ପର୍ଯ୍ୟନ୍ତ ଉଚ୍ଚ ସ୍ଥାନ ରେ ଚାଷ କରାଯାଇପାରିବ ।
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରତି ବର୍ଷ ହଳଦୀ ଚାଷ କରାଯାଇଥାଏ । ଉଭୟ ଜଳସେଚିତ ଓ ଅଣଜଳସେଚିତ ଜମିରେ ହଳଦୀକୁ ଚାଷ କରାଯାଇପାରିବ ।
ଅଦାପରି ମଟାଳ ତଥା ଦୋରସା ମାଟିରେ ଏହା ଭଲ ହୁଏ । ମାତ୍ର ନିଗିଡ଼ା ମାଟି ଏହି ଫସଲ ପାଇଁ ଦରକାର ।
ପହିଲି ବର୍ଷା ପରେ ପରେ ଜମିକୁ ୪ ରୁ ୫ ଓଡ଼ ଚାଷ କରି ମାଟି ଗୁଣ୍ଡ କରାଯାଏ । ଏହାପରେ ତିନିଫୁଟ ଓ ସାର, ଛଅ ଇଞ୍ଚ ଉଚ୍ଚତା ଓ ସୁବିଧା ଅନୁସାରେ ଲମ୍ବା ରଖି ପଟାଳିମାନ କରାଯାଏ । ଦୁଇ ପଟାଳି ମଧ୍ୟରେ ଏକ ଫୁଟ ଦୂରତା ରଖାଯାଏ ।
ଏହି ପଟାଳିରେ ଧାଡ଼ି ଧାଡ଼ି କରି ଏକ ଫୁଟ ଓ ଗଛକୁ ଗଛ ଆଠରୁ ଦଶ ଇଞ୍ଚ ଦୂରତା ରଖି ଦୁଇ ଇଞ୍ଚ ଭୀରରେ ହଳଦୀ ପୋତାଯାଏ । ମୁଣ୍ଡା ପୁଆ ଓ ଏଥିରୁ ବାହାରିଥିବା ପ୍ରଥମ ପୁଆ ଲଗାଇଲେ ଭଲ ଅମଳ ମିଳିଥାଏ ।
ଏକ ଏକର ଜମି ପାଇଁ ୮ ରୁ ୧୦ କୁଇଣ୍ଟାଲ ଖଣ୍ଡହଳଦୀ ଦରକାର ହୁଏ । ଏହି ଖଣ୍ଡ ଗୁଡ଼ିକୁ ଶତକଡ଼ା ୦.୨୫ ସେରେସନ୍ ସେଚିତ ଦ୍ରବଣରେ ବିଶୋଧନ କରାଯାଇ ଛାଇରେ ଶୁଖାଯାଏ ଓ ପରେ ଲଗାଯାଏ ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ପଟାଙ୍ଗୀଠାରେ ଥିବା ଗବେଷଣା କେନ୍ଦ୍ରରୁ ରୋମା, ସୁରମା, ରଙ୍ଗ, ରଶ୍ମୀ କିସମର ହଳଦୀ ବାହାର କରାଯାଇଛି । ଏହି କିସମ ଗୁଡ଼ିକୁ ଚାଷ କଲେ ଅଧିକ ଅମଳ ମିଳିପାରୁଛି ।
ଶେଷ ଓଡ଼ ଚାଷ ବେଳେ ଏକର ପିଛା ପ୍ରାୟ ୧୦ ଗାଡ଼ି ଖତ ଦିଆଯାଏ । ହଳଦୀ ଖଣ୍ଡ ଲଗାଇଲା ବେଳେ ଏକର ପିଛା ୧୨ କି.ଗ୍ରା. ଫସ୍ଫରସ୍, ୧୮ କି.ଗ୍ରା. ପଟାସ୍ ଜାତୀୟ ସାର ଦିଆଯାଏ । ଲଗାଇବାର ୪୫ ଦିନ ପରେ ଏକର ପିଛା ୧୨ କି.ଗ୍ରା. ଯବକ୍ଷାରଜାନ ଦେବାକୁ ହେବ । ଲଗାଇବାର ୯୦ ଦିନ ପରେ ଏକର ପ୍ରତି ୧୨ କି.ଗ୍ରା. ପଟାସ ସାର ଦେଇ ହୁଡ଼ା ଟେକାଯାଏ । ଲଗାଇବା ପରଠାରୁ ମାଟିକୁ ତାଳପତ୍ର ବା ଘାସ ଦେଇ ଘୋଡ଼ାଯାଏ ।
ଆମ୍ବ, ପଣସ, ନଡ଼ିଆ, ପିଜୁଳି ଇତ୍ୟାଦି ବଗିଚାର ମଝି ଜାଗାରେ ମଧ୍ୟ ହଳଦୀ ସହଜରେ ଲଗାଯାଇପାରିବ ।
ହଳଦୀ ଫସଲରେ କାଣ୍ଡିବନ୍ଧା ପେକା, ପତ୍ରଦାଗ ରୋଗ ଓ ହଳଦୀ ସଢ଼ା ରୋଗ ଲାଗି ଅନେକ ସମୟରେ ଫସଲର ବିଶେଷ କ୍ଷତି କରନ୍ତି । କାଣ୍ଡବିନ୍ଧା ପୋକପାଇଁ ଶତକଡ଼ା ୦.୦୫ ଭାଗ ଡାଇମେଥୋଏଟ ବା ଫସ୍ଫୋମିଡନ୍ ସ୍ପ୍ରେ କଲେ ପୋକ ଦମନ ହୁଏ ।
ପତ୍ରଦାଗ ରୋଗ ପାଇଁ ଶତକଡ଼ା ୧ ଭାଗ ବୋର୍ଡୋମିଷ୍ଟର ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ପ୍ରତି ୧୫ ଦିନ ଅନ୍ତରରେ ସ୍ପ୍ରେ କରିବା ଦରକାର ।
ହଳଦୀର ସଢ଼ାରୋଗ ଏକ ଫିମ୍ପି ଜନିତ ରୋଗ । ଲଗାଇବା ବା ସାଇତି ରଖିବା ପୂର୍ବରୁ ୦.୨ ଶତକଡ଼ା ସେରେସନ୍ ସେଚିତ ଦ୍ରବଣରେ ହଳଦୀ ଖଣ୍ଡ ଗୁଡ଼ିକୁ ବୁଡ଼ାଇ ଦେଲେ ବା ପଟାଳିରେ ଲଗାଇବାପରେ ସ୍ପ୍ରେ କଲେ ଏହି ରୋଗ ହୋଇ ନଥାଏ ।
ଲଗାଇବାର ୭ ରୁ ୧୦ ମାସ ମଧ୍ୟରେ ହଳଦୀ ଖୋଳିବା ପାଇଁ ଉପଯୁକ୍ତ ହୋଇଯାଏ । ଏକର ପିଛା ୮୦ ରୁ ୧୦୦ କୁଇଣ୍ଟାଲ କଞ୍ଚା ହଳଦୀ ଅମଳ ହୁଏ ।
କଞ୍ଚା ହଳଦୀକୁ ପାଗ କରିବାକୁ ହେଲେ ମାଟି ହାଣ୍ଡିରେ କିଛି କଞ୍ଚା ହଳଦୀ ପତ୍ର ଓ ପାଣି ଦେଇ ସିଝାଯାଏ । ଏହାପରେ ହଳଦୀ ଶୁଖାଯାଏ ଓ ପରେ ଘଷାଯାଏ । ହଳଦୀ ପ୍ରକ୍ରିୟାକରଣ ପାଇଁ ଆଜିକାଲି ସ୍ଵତନ୍ତ୍ର ଡ୍ରମ ବାହାରିଲାଣି । ସାଧାରଣତଃ କଞ୍ଚା ହଳଦୀକୁ ଶତକଡ଼ା ୧୫ ରୁ ୩୦ ଭାଗ ଶୁଖିଲା ହଳଦୀ ମିଳେ ଅର୍ଥାତ୍ ୧ କୁଇଣ୍ଟାଲ କଞ୍ଚା ହଳଦୀରୁ ୧୫ ରୁ ୩୦ କେଜି ଶୁଖିଲା ହଳଦୀ ମିଳିଥାଏ । ଏକ ଏକର ଜମିରୁ ପ୍ରାୟ ୨୦ କୁଇଣ୍ଟାଲ ଶୁଖିଲା ହଳଦୀ ମିଳିଥାଏ ।
ମନେରଖନ୍ତୁ
ଆଧାର - "ଓୟୁଏଟି"
Last Modified : 2/10/2020