ସେଆର କରନ୍ତୁ

ଚାଷ ଓ ପଶୁପାଳନରୁ ସଫଳ

ଚାଷ ଓ ପଶୁପାଳନ ଦେଇଛି ସଫଳତା ।

ରାସ୍ତା ଦେଖାଇଲେ ବାପା

ସତ୍ୟାନନ୍ଦଙ୍କ ପରିଚୟ

୨୦ ବର୍ଷ ବୟସରେ ମା' ଅମ୍ବିକା ସୁବୁଦ୍ଧି ଆରପାରିକୁ ଚାଲିଗଲେ । ପରିବାରରେ ବାପା ସୋମନାଥ ସୁବୁଦ୍ଧି ଏକା । ଘରେ ଏକର ଏକର ଜମିବାଡ଼ି । ତେଣୁ ଏକାବେଳେ ଚାଷ ଓ ଘର କଥା ବୁଝିବା ବାପାଙ୍କ ପକ୍ଷେ କଷ୍ଟକର ବ୍ୟାପାର ଥିଲା । ସେଥିପାଇଁ ଚାଷରେ ବାପାଙ୍କ ସହଯୋଗ କରିବାକୁ ଆଗେଇ ଆସିଲି । ଏମିତି କହିଛନ୍ତି ଖୋର୍ଦ୍ଧା ବ୍ଲକ୍ କୁରାଡ଼ମଲ୍ଲ ଗ୍ରାମ ପଞ୍ଚାୟତ ଦଲେଇପୁଟ ଗ୍ରାମର ସଫଳ ଚାଷୀ ସତ୍ୟାନନ୍ଦ ସୁବୁଦ୍ଧି ।

ଚାଷକାମରେ ମନବୃତ୍ତି

ଉଚ୍ଚଶିକ୍ଷିତ ସତ୍ତ୍ୱେ ଚାକିରୀ ପଛରେ ନ ଗୋଡ଼ାଇ ଚାଷରେ ମାତିଲେ । ଚାଷବାସ କରି ଯାହା ଅର୍ଥ ସଞ୍ଚୟ କରନ୍ତି; ସେଥିରେ ପରିବାର ଚଳେ । ଦୁଇ ଝିଅର  ଜଞ୍ଜାଳ ସାରିଦେଇଛନ୍ତି । ଏବେ ପରିବାର ବୃଦ୍ଧବାପା,ପତ୍ନୀ, ପୁଅ । ସବୁଠାରୁ ବଡ଼କଥା ହେଲା ବହୁ କଷ୍ଟରେ ପରିବାର ଚଳାଉଥିଲେ ବି ଚାଷ ପାଇଁ କେବେ ଋଣ କରିନାହାନ୍ତି । ଚାଷ କାର୍ଯ୍ୟରେ ନିଜ ଦକ୍ଷତା ଲାଗି ୬ ବର୍ଷ ତଳେ ଜିଲ୍ଲା କୃଷି ବିଭାଗ ତରଫରୁ ପୁରସ୍କୃତ ହୋଇଥିଲେ । ସତ୍ୟାନନ୍ଦ କୁହନ୍ତି, ପ୍ରାୟ ସାଢେ ୬ ଲକ୍ଷ ଟଙ୍କା ବାର୍ଷିକ ଚାଷବାସରୁ ରୋଜଗାର କରୁଛନ୍ତି । ଧାନ, ମାଛ ଚାଷକୁ ମୁଖ୍ୟତଃ ଗୁରୁତ୍ଵ ଦେଉଥିବା ସତ୍ୟାନନ୍ଦ ପ୍ରତିବର୍ଷ ନିୟମିତ ପନିପରିବା, ପଶୁପାଳନ, କୁକୁଡ଼ା ଚାଷ, ଡ଼ାଲିଜାତୀୟ, ଫୁଲ ଚାଷ କରି ଆସୁଛନ୍ତି । ଆଧୁନିକ ପ୍ରଣାଳୀରେ ଶଙ୍କର କିସମ ବିହନ ବ୍ୟବହାର କରି , ଧାଡ଼ିରୁଆ ପଦ୍ଧତିରେ ଧାନ ଚାଷ କରିଥାନ୍ତି । ବସୁମତୀ ଚାଉଳ ସମେତ ଅନ୍ୟାନ କିସମ ଚାଉଳ ଅମଳ କରୁଛନ୍ତି । ପ୍ରତି ବର୍ଷ ଧାନରୁ ପ୍ରାୟ ଦେଢଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଦୁଇ ଗୋଟି ପୋଖରୀରେ ମାଛ ଚାଷ କରି ବାର୍ଷିକ ୫୦ ହଜାର ଟଙ୍କା ରୋଜଗାର କରିଥାନ୍ତି । ସେହିପରି ଢ଼ାଲିଜାତୀୟ ଫସଲ, ଗୋପାଳନ, କୁକୁଡ଼ାଚାଷ, ପୋଖରୀ ହୁଡ଼ାରେ ନଡ଼ିଆ ଗଛରୁ ମଧ୍ୟ ରୋଜଗାର ହୋଇଥାଏ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଛତୁଚାଷ କରିବାକୁ ଯୋଜନା କରିଛନ୍ତି । ଜୈବିକ ସାର, ଗୋବରଖତ, କୋମ୍ପାଷ୍ଟକୁ ଚାଷରେ ବ୍ୟବହାର କରିଥାନ୍ତି । ସମୁଦାୟ ୭ ଏକର ଜମିରେ ଧାନଚାଷ କରିଥିବା ବେଳେ ଅବଶିଷ୍ଟ ଜମିରେ ଅନ୍ୟ ଫସଲ କରନ୍ତି । କୃଷି ବିଭାଗ ତରଫରୁ ରିହାତି ମୂଲ୍ୟରେ ଗୋଟିଏ ଟ୍ରାକ୍ଟର, ଲଙ୍ଗଳ, ପାଣିପମ୍ପ, ରୋଟାଭେଟର ମିଳିଛି । ଜିଲ୍ଲା କୃଷି ବିଭାଗ ପକ୍ଷରୁ ତାଲିମ୍ ପ୍ରଦାନ କରାଯିବା ଯୋଗୁ ଉତ୍ପାଦନ ପ୍ରତି ବର୍ଷ ବୃଦ୍ଧି ପାଉଥିବା ସେ କହିଛନ୍ତି । ୯୧ ବର୍ଷିୟ ବାପା ସୋମନାଥ ତାଙ୍କୁ ଏବେ ବି ଚାଷରେ ସହଯୋଗ କରୁଛନ୍ତି ।

କୁକୁଡ଼ା ପାଳନରୁ କୋଟିପତି

ଶିକ୍ଷାରେ ବିଶେଷ ସଫଳତା ଅର୍ଜନ କରିଥିଲେ ବି ସେମାନେ ଚାଷକୁ ଆଦରି ନେଇଛନ୍ତି । ଆଉ ସେହି ଚାଷ ସେମାନଙ୍କୁ ପ୍ରେରଣା ଦେଇଛି ସୁଖଦ, ସଂସାର ଗଢ଼ିବାରେ । ସେମାନେ ପାଇଥିବା ପ୍ରେରଣାକୁ ନିଜେ କାମରେ ଲଗାଇବା ସହ ଅନ୍ୟକୁ ବାଣ୍ଟିଛନ୍ତି । କୁକୁଡ଼ା ଓ ଛେଳି ପାଳନ କରି ଆଜି ସେମାନେ ୩ କୋଟି ଟଙ୍କାର ମାଲିକା । ଏହିଭଳି ସଫଳତା ହାତେଇପାରିଥିବା ଚାଷୀ ଦମ୍ପତି ହେଲେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ମାଳି ସାହି ପଞ୍ଚାୟତ ପାଣିପାଇଲାର ପ୍ରସନ୍ନ କୁମାର ମହାପାତ୍ର ଏବଂ ଝୁନୁବାଳା ମହାପାତ୍ର । ପ୍ରସନ୍ନଙ୍କ ବାପା ଫୁଲବାଣୀ ଜିଲ୍ଲାରେ ଶିକ୍ଷକ ରହିଥିବା ସମୟରେ ପ୍ରସନ୍ନ ବାପାଙ୍କ ପାଖରେ ରହୁଥିଲେ । ସେଠାର ଘରେ କିଛି କୁକୁଡ଼ା ରହିଥିଲେ । ସେବେ ଠାରୁ ପ୍ରସନ୍ନଙ୍କ କୁକୁଡ଼ା ପାଳନ ପ୍ରତି ଆଗ୍ରହ ଆସିଯାଇଥିଲା । ପରେ ପ୍ରସନ୍ନ ଫୁଲବାଣୀରୁ ନିଜ ଗ୍ରାମ ନୟାଗଡ଼ ଜିଲ୍ଲା, ରଣପୁର ଥାନା ନାଟିମିକୁ ପଳାଇ ଆସିଥିଲେ । ରଣପୁର କଲେଜରେ ଯୁକ୍ତ ତିନି ପାଠ ପଢିବା ପରେ; ଚାକିରି ନ କରି ଫାର୍ମ / କରିବାକୁ ନିଜର ପ୍ରୟାସ ଆରମ୍ଭ କରିଥିଲେ । ୧୯୯୨ ମସିହାରେ ନିଜ ଗ୍ରାମ ନାଟିମିରେ ମାତ୍ର ୧୦୫ ଟି କୁକୁଡ଼ା ଛୁଆଙ୍କୁ ନେଇ ନିଜର ବ୍ୟବସାୟ ଆରମ୍ଭ କଲେ । ୨୦୦୩ ମସିହାରେ ଦଶପଲ୍ଲା ବୃକ୍ ଡିହ ଗାଁ ଗ୍ରାମର ଝୁନୁବାଳା ମହାପାତ୍ରଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ଝୁନୁ ଦଶପଲ୍ଲା କଲେଜରୁ ଯୁକ୍ତ ତିନି ପାଠ ପଢି ଭଲ ନମ୍ବର ରଖିଥିଲେ ବି ଚାକିରି ନକରି ସ୍ଵାମୀଙ୍କ ଆଶାକୁ ପୁରଣ କରିବାକୁ ଚିନ୍ତା କଲେ । ଉଭୟ ସ୍ଵାମୀ ଏବଂ ସ୍ତ୍ରୀ ୨୦୦୬ରେ ନୂଆଗାଁ ବ୍ଲକ୍ ମାଳି ସାହି ପଞ୍ଚାୟତ ପାଣି ପଇଲାକୁ ଆସିଥିଲେ । ବାଲୁଗାଁ ପୁରୀ ଗ୍ରାମ ବ୍ୟାଙ୍କରୁ  ମାତ୍ର ଦେଢ ଲକ୍ଷ ଟଙ୍କା ଲୋନ୍ ଆଣି ପାଣିପଇଲା ଠାରେ ଏକ କୁକୁଡ଼ା ଫାର୍ମ ଆରମ୍ଭ କଲେ । ଧୀରେ ଧୀରେ ଏହି ବ୍ୟବସାୟରୁ ସେମାନଙ୍କୁ ପ୍ରଚୁର ଅର୍ଥ ମିଳିଲା । ସେହି ଫାର୍ମକୁ ବୃଦ୍ଧି କରି ବର୍ତ୍ତମାନ ୪୦ ହଜାର କୁକୁଡ଼ା ରହିଲା ଭଳି ଫାର୍ମ କରିଛନ୍ତି । କୁକୁଡା ଫାର୍ମ ସହିତ, ଛେଳି ଚାଷ ବି କରୁଛନ୍ତି । ୨୦୧୩ ମସିହାରେ ପ୍ରଥମେ ୧୦ଟି ଛେଳିକୁ ନେଇ ଛେଳି ଫାର୍ମ ଆରମ୍ଭ କଲେ । ୧ ଏକର ୬ ଡିସିମିଲି ଜାଗାକୁ କିଣି ଛେଳିଫର୍ମ କଲେ । ବର୍ତ୍ତମାନ ୫୦୦ ରୁ ଉର୍ଦ୍ଧ ଛେଳି ଅଛନ୍ତି । ଏହି ଦୁଇଟି ଫାର୍ମରେ ମାସିକ ଅଜେଇ ଲକ୍ଷ ଟଙ୍କା ବେପାର ହେଉଛି । ମାସକୁ ୫୦ ହଜାର ଟଙ୍କା ଲାଭ ମିଳୁଛି। ଖୁନୁବାଳା ଫାର୍ମ କଥା ବୁଝୁଥିବାବେଳେ ପ୍ରସନ୍ନ ମାର୍କେଟିଂ କଥା ବୁଝୁଛନ୍ତି । କୁକୁଡ଼ା ଓ ଛେଳି, ଫାର୍ମ ସହିତ ୨ଟି ଗାଈ, ରଖିଛନ୍ତି । ଗାଈଠୁ କ୍ଷୀର ଏବଂ ଗୋବର ଖତ ପାଉଛନ୍ତି । ଏହାସହ ଫାର୍ମରେ ବିଭିନ୍ନ ଫଳ ଗଛ ଲଗାଇ ସେଥିରୁ ମଧ୍ୟ ଲାଭ ପାଉଛନ୍ତି । ଫାର୍ମ ଭିତରେ ନଡ଼ିଆ ଗଛ, ଲେମ୍ବୁ, କଲମୀ ଆମ୍ବ, କଦଳୀ ଗଛ ଲଗାଇଛନ୍ତି । ତାଙ୍କର ଉଦ୍ୟମ ପାଇଁ ସେମାନେ ସରକାରଙ୍କଠୁ ଅନେକ ଥର ପୁରସ୍କୃତ ହୋଇଛନ୍ତି । ନିକଟରେ ଭୁବନେଶ୍ଵରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷି ମେଳାରେ କୃଷି ମନ୍ତ୍ରୀଙ୍କ ଦ୍ଵାରା ସଫଳ କୃଷକ ଭାବେ ପୁରସ୍କୃତ ହୋଇଛନ୍ତି । ଏମାନେ ନିଜେ ଖଟିବା ସହ ଆଉ ୫ ଜଣ ଲୋକଙ୍କୁ କର୍ମ ନିଯୁକ୍ତିର ସୁଯୋଗ ଦେଇଛନ୍ତି । ଏବେ ଏକ ଦାନା ତିଆରି କମ୍ପାନୀ ନିର୍ମାଣ କରୁଛନ୍ତି । ସେମାନଙ୍କ ‘ଫର୍ମ ପାଇଁ ଦାନା ନିର୍ମାଣ କରାଯିବା ସହିତ ବାହାରକୁ ମଧ୍ୟ ଏଠାରୁ ଦାନା ରତ୍ପାନୀ କରାଯିବ ।

ସଂଗୃହିତ –

  1. ନିରଞ୍ଜନ ଦୋରା
  2. ପୁରୁଷୋତ୍ତମ ମହାପାତ୍ର, ନୟାଗଡ଼
3.125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top