অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚାଷ ଦେଇଛି ଜୀବନର ରାହା

ସ୍ୱାବଲମ୍ବୀ ହେବା

ବିବାହର ବର୍ଷଟିଏ ହେଉ ହେଉ ଏକ ରାସ୍ତା ଦୁର୍ଘଟଣାରେ ତାଙ୍କ ସ୍ଵାମୀଙ୍କର ମୃତ୍ୟୁ ଘଟିଲା । ପୁଣି ୬ମାସ ପରେ ଏକମାତ୍ର ଶିଶୁପୁତ୍ର ବି ସେହି ପଥର ଯାତ୍ରୀ ସାଜିଲା । ଏଭଳି ଦାରୁଣ ଦୁଃଖରେ କିଛିଦିନ ବିତିଗଲା । ତାପରେ ନିଜେ କିପରି ଜୀବନ ଅତିବାହିତ କରିବେ ସେଇ ଚିନ୍ତା କରି ବାପ ଘରକୁ ଚାଲିଆସିଲେ । ରୋଜଗାର ପାଇଁ ଉପାୟ ପାଞ୍ଚି ଶେଷରେ ଚାଷ କାର୍ଯ୍ୟକୁ ଆପଣେଇଲେ । ଆରମ୍ଭ ହେଲା ଉଦ୍ୟମ । ଏଥିରେ ଦିନରାତି ଏକ କରିଦେଲେ । ପ୍ରଥମେ ଧାନଚାଷ, ତାପରେ ମକାଚାଷ । ଅନେକ ସଂଘର୍ଷ ପରେ ସ ଜଣେ ସଫଳ ଚାଷୀଭାବେ ନିଜକୁ ପ୍ରତିପାଦିତ କରାଇବାରେ ସକ୍ଷମ ହୋଇଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ଆଉ ୧୦ଜଣଙ୍କୁ ରୋଜଗାର ଯୋଗାଇବାରେ ହୋଇଛନ୍ତି ସମର୍ଥ । ସେ ହେଲେ ସୋନାଲି ସୋରେନ । ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ଅନ୍ତର୍ଗତ ବେତନା ଗ୍ରାମପଞ୍ଚାୟତର ରାଇକାନଝରନ ଗ୍ରାମରେ । ପିତା ମହା ସୋରେନ ଓ ମାଙ୍କ ନାମ ମାଲହୋ ସୋରେନ ।

ଆତ୍ମନିର୍ଭରଶୀଳ ହେବାର ମାର୍ଗ

ସୋନାଲିଙ୍କ ପ୍ରାଥମିକ ପାଠପଢା ଆରମ୍ଭ ହୋଇଥିଲା ରାଞ୍ଚିରେ । ପରବର୍ତ୍ତୀ ସମୟରେ ବାରିପଦାର ମହାରାଣୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଯାଏ ପଢିଥିଲେ । ତାପରେ ତାଙ୍କର ବିବାହ ହୋଇଗଲା ବିବାହର ବର୍ଷକ ପରେ ସାଂସାରିକ ଜୀବନରେ କଳାମେଘ ଘୋଟିଗଲା । ଏଭଳି ଅବସ୍ଥାରେ ବାପଘରକୁ ଚାଲିଆସିଲେ । ତାଙ୍କ ବାପା ଥିଲେ ଜଣେ ଚାଷୀ । ତେଣୁ ଆତ୍ମନିର୍ଭରଶୀଳ ହେବାର ମାର୍ଗ ଭାବି ଚାଷକାର୍ଯ୍ୟକୁ ଆପଣେଇନେଲେ ସେ । ପ୍ରଥମେ ଧାନଚାଷ କଲେ । ପ୍ରାଥମିକ ଭାବେ କିଛି ସଫଳତା ମିଳିଲା । ତାପରେ ସେ ମକାଚାଷ ପାଇଁ ଅଣ୍ଟା ଭିଡିଲେ । ଗାଁ ନିକଟସ୍ଥ ପ୍ରାୟ ୫୦ଏକର ଜମିରେ ମକାଚାଷ କଲେ । ଏଥିରେ ମୂଳଧନ ଭାବେ ୭୫ହଜାର ଟଙ୍କା ଖର୍ଚ୍ଚ କରି ପ୍ରାୟ ଦେଢ ଲକ୍ଷ ଟଙ୍କା ଲାଭବାନ ହୋଇଥିଲେ । ବାଡିରେ ଫାର୍ମକରି ପ୍ରାୟ ୫୦ଟି ଦେଶୀକୁକୁଡା ପାଳନ କରୁଛନ୍ତି । ପଡିଆଜାଗାରେ ୪ବର୍ଷତଳେ ୧୮୦ଟି ହାଇବ୍ରୀଡ ଆମ୍ବଗଛ ଲଗାଇଥିଲେ । ଗତବର୍ଷ ସେଥିମଧ୍ୟରୁ ଅଧିକାଂଶ ଗଛରେ ଆମ୍ବ ଫଳିଥିଲା । ପୁଣି ୨୫୦ଟି ଅମ୍ବୃତଭଣ୍ଡା ଗଛ ଲଗାଇଥିଲାବେଳେ ଅନେକ ଗଛରୁ ଅମୃତଭଣ୍ଡା ସଂଗ୍ରହକରି ବିକ୍ରି କରୁଛନ୍ତି । ଗତବର୍ଷ ଅଧାଏକର ଜମିରେ ଗେଣ୍ଡୁଫୁଲ ଚାଷ କରିଥିଲେ । ଏଥିସହିତ ୪୦ଟି ଧିଙ୍ଗିରିଛତୁ ବେଡ଼ କରିଛନ୍ତି । ୩ଏକର ଜମିରେ ବାଇଗଣ ଚାଷ କରିଛନ୍ତି । ଶୀତରୁତୁରେ ବିଲାତି ବାଇଗଣ ଚାଷ କରିଥାନ୍ତି । ବାଡିରେ ଥିବା ୧୦ଟି ସଜନାଗଛରୁ ଛୁଇଁ ବିକ୍ରିକରିଥାନ୍ତି । ସୂଚନାଯୋଗ୍ୟ ତାଙ୍କର ଏହି ଚାଷକାର୍ଯ୍ୟରେ ସ୍ଥାନୀୟ ୧୦ଜଣ ଲୋକ ନିୟୋଜିତ ହୋଇ ସେମାନଙ୍କ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ତାଙ୍କ ଚାଷଜମିରୁ ଅମଳହେଉଥିବା ଫସଲକୁ ବେପାରୀମାନେ ଆସି ନେଇଯାନ୍ତି । ଉନ୍ନତ ଚାଷ ପାଇଁ ସେ ତାଲିମନେଇ ଅଭିଜ୍ଞତା ହାସଲ କରିଛନ୍ତି । ନିଜର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ନିକଟରେ ଓୟୁଏଟି ପକ୍ଷରୁ ମିଳିଛି ସଫଳ ଚାଷୀ ସମ୍ମାନ । ସୋନାଲି କୁହନ୍ତି ଚାଷ କାର୍ଯ୍ୟ କରି ଜଣେ କାହିଁକି ସ୍ୱାବଲମ୍ବୀ ହୋଇପାରିବ ନାହିଁ । ଅବଶ୍ୟ ଏଥିପାଇଁ ଦୃଢ ମନୋବଳ ସହ ପରିଶ୍ରମକୁ ଆପଣାଇବାକୁ ପଡିବ । ପୁଣି ଚାଷକୁ କିପରି ଲାଭଜନକ କରାଇବାକୁ ହେବ ସେ ବିଷୟରେ ଜାଣିବାକୁ ହେବ । ମୋଟାମୋଟି ଆଗ୍ରହର ସହ କାର୍ଯ୍ୟ କଲେ ସଫଳତା ଯେପରି ହେଲେ ହାତମୁଠାକୁ ଆସିବ ।

ଆଧାର: ରବିନାରାୟଣ ଚାଲାଣ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate