ପରିଶ୍ରମ କଲେ ମରୁଭୂମିକୁ ମଧ୍ୟ ଶସ୍ୟଶାମଳା କରାଯାଇପାରେ । ଆଉ ଡଙ୍ଗର ଜମିରେ ବି ଫୁଲ ଫୁଟିପାରେ । ଏଥିପାଇଁ ପରିଶ୍ରମ ଓ କିଛି କରିବାର ଇଛାଶକ୍ତି ହିଁ ଲୋଡା । ଏହା କେବଳ କୌଣସି ନାଟକର ସଂଳାପ ନୁହେଁ । ଓଡିଶାର ଜଣେ ନିପଟ ମଫସଲ ଓ ପାହାଡି ଅଂଚଳର ଚାଷୀ ଏହା କରି ଦେଖାଇଛନ୍ତି । ଏଇଥିପାଇଁ ସେ ଏବେ ସାରା ଅଂଚଳ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ।
କୋରାପୁଟ ଜିଲ୍ଲା ବୈପାରୀଗୁଡାର ଚାଷୀ କାନ୍ଦୁରୁ ହରିଜନଙ୍କ କଥା । ଦଣ୍ଡାବାଡି ପଂଚାୟତର ପଣସପୁଟ ଗାଁର କାନ୍ଦୁରୁ ଡଙ୍ଗର ଜମିରେ ଏମିତି ଫସଲ କରିବାରେ ସଫଳ ହୋଇଛନ୍ତି, ଯାହା ଦେଖିଲେ କୃଷି ବୈଜ୍ଞାନିକମାନେ ବି ଚକିତ ହୋଇ ଉଠିବେ । ତାହା ପୁଣି ବିନା କୌଣସି ସରକାରୀ ସାହାଯ୍ୟରେ । ଡଙ୍ଗର ଜମିରେ ଫସଲ ହେଉନଥିବାରୁ ତାହା ବର୍ଷ ସାରା ପଡିଆ ପଡୁଥିବା ବେଳେ କାନ୍ଦୁରଙ୍କ ଜମି କିନ୍ତୁ ଏବେ ବି ସବୁଜ । ସେ ପାରମ୍ପରିକ ଚାଷରୁ ହଟିଯାଇ ନିଜ ବିଲରେ ତୁଳସୀ ଓ ପାତାଳଗରୁଡ ଭଳି ଔଷଧୀୟ ବୃକ୍ଷ ଆଦି ଚାଷ କରିଛନ୍ତି । ଏଥିରେ ତାଙ୍କୁ ବେଶ୍ ସଫଳତା ମିଳିଥିବା ବେଳେ ସେ ବର୍ଷ ସାରା ଆୟ ପାଇ ପାରୁଛନ୍ତି ।
କାନ୍ଦୁରୁ ପ୍ରଥମେ ଅନ୍ୟମାନଙ୍କ ପରି ପାରମ୍ପରିକ ଫସଲ କରୁଥିଲେ । କିନ୍ତୁ ତାହା ବର୍ଷକ ଖର୍ଚ୍ଚ ପୂରଣ କରିପାରୁନଥିଲା । ତେଣୁ ସେ କିଛି ନୂଆ ଚାଷ କରିବାକୁ ଚିନ୍ତା କଲେ । ବହୁତ ଚିନ୍ତା କରିବା ପରେ ସେ ଔଷଧୀୟ ବୃକ୍ଷ ଚାଷ କରିବା ପାଇଁ ସ୍ଥିର କଲେ ।
କାନ୍ଦୁରୁ କହନ୍ତି,“ମୋ ପାଖରେ ଯେତିକି ଜମି ସେଥିରୁ ହେଉଥିବା ଧାନ ଆମ ତିନିପ୍ରାଣୀ କୁଟୁମ୍ବର ଚଳାଇବା କଷ୍ଟକର ହୁଏ । କାରଣ ଏହା ଦ୍ୱାରା ଛଅ ମାସର ଖର୍ଚ୍ଚ ହିଁ ଉଠିଥାଏ । ନିଜ ପାଖରେ ୬ ଏକର ଡଙ୍ଗର ଜମିରୁ ସେ ମାଣ୍ଡିଆ, ଅଳସୀ, ସୁଆଁ ଚାଷ କରି କିଛି ରୋଜଗାର କରୁଥିଲି । କିନ୍ତୁ ତଥାପି ଅଭାବ ମେଣ୍ଟୁନଥିଲା । ତେଣୁ ଅନ୍ୟ କିଛି ଚାଷ କରିବାକୁ ଭାବିବାକୁ ଲାଗିଲି ।”
ଡଙ୍ଗର ଜମିରେ ଔଷଧୀୟ ଚାଷ କରିବାକୁ ନିଷ୍ପତ୍ତି ନ ନେଇଗଲେ, ହେଲେ ଏହା ଥିଲା ତାଙ୍କ ପାଇଁ ବଡ ଚ୍ୟାଲେଂଜ୍ । କାରଣ ତୁଳସୀ ଆଦି ଚାଷ କରିବା ଲାଗି ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ପାଣି ବ୍ୟବସ୍ଥା ନକଲେ ଏହି ଚାଷ ସଫଳ ହେବ ନାହିଁ । ତେଣୁ ସେ ଜମିର ଖାଲୁଆ ସ୍ଥାନରେ ଏକ ପୋଖରୀ ଖୋଳିଲେ । ଯେଉଁଠାରୁ ଜମିକୁ ଯେତେବେଳେ ଇଛା, ସେତେବେଳେ ପାଣି ଯୋଗାଇହେବ । କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ ।
ଏହି ଚାଷ ଆରମ୍ଭ କଥା ମନେ ପକାଇ କାନ୍ଦୁରୁ କହନ୍ତି,“ଏହି ଚାଷ ମୋ ପାଇଁ ନୂଆ ଥିଲା । କାଳେ କ୍ଷତି ହୋଇଯିବ ଭାବି ପ୍ରଥମ ଏକର ଜମିରେ ତୁଳସୀ ମଂଜି ବୁଣିଲି । ଠିକ୍ ଠାକ୍ ଚାଷ କଲାପରେ । ଧୀରେ ଧୀରେ ଚାଷ ବଢାଇଲି । ଏବେ ଚାରି ଏକର ଜମିରେ ତୁଳସୀ ଚାଷ କରିଛି ।”
ସେ ଦୁଇ ଏକର ଚାଷ ଜମିରେ ପାତାଳଗରୁଡ ବୃକ୍ଷ ମଧ୍ୟ ଚାଷ କରିଛନ୍ତି । ଏଥିସହିତ ଚାଷ ଜମି ଓ ପୋଖରୀ ହୁଡାରେ ଅମୃତଭଣ୍ଡା ଗଛ ଲଗାଇଛନ୍ତି । ଔଷଧୀୟ ବୃକ୍ଷ ଚାଷ ଆରମ୍ଭ କରିବା ସମୟରେ ଗାଁର ଲୋକେ କାନ୍ଦୁରୁଙ୍କୁ ଅନେକ କଥା କହିଥିଲେ । ଡଙ୍ଗର ଜମିରେ ଏହି ଚାଷ ହୋଇପାରିବ ନାହିଁ ବୋଲି ରୋକଠୋକ୍ କହିଥିଲେ ।
ଏହି କଥାକୁ ମନେ ପକାଇ ସେ କହନ୍ତି – “ଏଠାରେ କେହି କେବେ ଏହି ଚାଷ କରୁନଥିବାରୁ ଗାଁ ଲୋକେ ମୋତେ ମନା କରିଥିଲେ। କେତେ କିଏ କହିଥିଲେ ତୁ ଏଥିରେ କାହିଁକି ମାତିଛୁ । ଆମର ମାଣ୍ଡିଆ, ଅଳସୀ ଭଲ ତ ଆମେ ଭଲ । କାହିଁକି ତୁ ପରୀକ୍ଷା ନିରୀକ୍ଷା କରୁଛୁ । ଏତେ ସବୁ ପରେ ବି ମୁଁ ନୂଆ ଚାଷ କରିଥିଲି ।”
ଔଷଧୀୟ ବୃକ୍ଷକୁ ବିକ୍ରି କରିବା ଥିଲା ସବୁଠୁ ବଡ ସମସ୍ୟା । ଏହାର ବଜାର ଚାହିଦା କଥା ମଧ୍ୟ ନିପଟ ମଫସଲରେ ରହୁଥିବା କାନ୍ଦୁରୁଙ୍କୁ ଜଣା ନଥିଲା । ତୁଳସୀ, ପାତାଳଗରୁଡ ବୃକ୍ଷ ଆଦିକୁ କେଉଁଠି ବିକ୍ରି କରାଯିବ, ସେ ନେଇ ସେ ଅନୁସନ୍ଧାନ କଲେ । ଗାଁ ଠାରୁ ୬୦ କିଲୋମିଟର ଦୂର ଜୟପୁର ସହରକୁ ଆସି ବିଭିନ୍ନ ଆୟୁର୍ବେଦିକ ଦୋକାନୀମାନଙ୍କ ସହ ଯୋଗାଯୋଗ କଲେ । ସେମାନଙ୍କୁ ନିୟମିତ ଭାବେ ଏସବୁ ଯୋଗାଇଲେ । ଏଥିରୁ ତାଙ୍କୁ ଭଲ ଆୟ ମିଳିବାକୁ ଲାଗିଲା । ପୁଣି ଅମୃତଭଣ୍ଡା ଓ ପୋଖରୀ ମାଛ ବିକ୍ରି କରି ମଧ୍ୟ କିଛି ଅର୍ଥ ଉପାର୍ଜନ କରିପାରୁଛନ୍ତି । ଓଡିଶାରେ କିଛି ଦିନ ହେଲା ଧାନ ଫସଲ ନଷ୍ଟ ଯୋଗୁଁ ଚାଷୀ ପ୍ରାଣ ହରାଉଥିବା ବେଳେ କାନ୍ଦୁରୁ ଚାଷୀମାନଙ୍କ ପାଇଁ ଏବେ ଆଦର୍ଶ ପାଲଟିଛନ୍ତି ।
ସେ କହନ୍ତି, “ପରିଶ୍ରମ କଲେ ଫଳ ନିଶ୍ଚୟ ମିଳିବ । ଆମକୁ ଧୈର୍ଯ୍ୟ ରଖିବାକୁ ପଡିବ । ଶୋଇବା ସମୟକୁ ବାଦ୍ ଦେଲେ ପୂରା ସମୟ ମୋର ଏହି ଚାଷ ଜମିରେ କଟେ । ଏଇଟା ତ ମୋର ଦ୍ୱିତୀୟ ପରିବାର ପାଲଟି ଯାଇଛି ।”
ନିଜେ ଅପାଠୁଆ । ୧୦ ବର୍ଷର ଗୋଟିଏ ପୁଅ ପ୍ରଶାନ୍ତ ଏବେ ପଂଚମ ଶ୍ରେଣୀରେ ପଢାଉଛନ୍ତି । ତାକୁ ପାଠ ପଢାଇ ବଡ ମଣିଷ କରିବେ ବୋଲି କହନ୍ତି କାନ୍ଦୁରୁ । ଯେତେ ବାଧା ବିଘ୍ନ ଆସିଲେ ବି ପୁଅକୁ ସେ କେବେ କାମ କରିବାକୁ ଡାକନ୍ତି ନାହିଁ । ତେବେ ତାଙ୍କ ଧର୍ମପତ୍ନୀ ତାଙ୍କୁ ଏହି କାମରେ ସାହାଯ୍ୟ କରନ୍ତି ।
ସବୁଠୁ ବଡ କଥା ହେଲା କାନ୍ଦୁରୁ ଜଣେ ସଫଳ ଚାଷୀ ହେବା ପଛରେ ଆଉ କାହାର ସହଯୋଗ ନାହିଁ । ନିଜ ଗୋଡରେ ସେ ଛିଡା ହୋଇଛନ୍ତି । ତେବେ ଏହି ଚାଷ ପାଇଁ ସରକାରୀ ସାହାଯ୍ୟ ମିଳିଲେ, ସେ ଆହୁରି ଉନ୍ନତ ଧରଣର ଔଷଧୀୟ ବୃକ୍ଷଲତା ଆଦିର ଚାଷ କରିପାରନ୍ତେ ।
ଆଧାର - Akhand social worker, freelance journalist
Last Modified : 12/29/2019