ହୋମ / କୃଷି / କୃଷି କ୍ଷେତ୍ର ରେ ସଫଳ ବ୍ୟକ୍ତି / ପରିଶ୍ରମ ଦ୍ଵାରା ଚାଷ ଦେଇଛି ସଫଳତା
ସେଆର କରନ୍ତୁ

ପରିଶ୍ରମ ଦ୍ଵାରା ଚାଷ ଦେଇଛି ସଫଳତା

ସଫଳ ଚାଷୀ ଅମିୟ ଓ ପୂର୍ଣ୍ଣଚନ୍ଦ୍ର ବରଙ୍କ ସମ୍ବନ୍ଧରେ ସୂଚନା ।

ଶ୍ରୀପଦ୍ଧତି ଚାଷ ଦେଇଛି ଅମିୟଙ୍କୁ ସଫଳତା

‘ଶ୍ରୀପଦ୍ଧତି' ଧାନ ଚାଷ ଅମିୟ । ଶ୍ରୀଚନ୍ଦନଙ୍କୁ ଦେଇଛି ନୂତନ  ପରିଚୟ । ଚାଷକୁ ବୃତ୍ତି ଭାବରେ ଗ୍ରହଣ କରି ପରିବାର ଚଳାଇବା ସହ ସ୍ଥାନୀୟ ଅଞ୍ଚଳରେ ଆଦର୍ଶ କୃଷକର ମାନ୍ୟତା ପାଇଛନ୍ତି ସେ ।  ଯୁବକମାନେ ଚାଷ ପ୍ରତି ବିମୁଖ ହେଉଥିବାବେଳେ ଅମିୟ ଏଥିରୁ ବେଶ୍ ଆନନ୍ଦ ପାଇବା ସହିତ ଲାଭବାନ ହୋଇଛନ୍ତି । ପତ୍ନୀ, ପୁଅ ଓ ଝିଅକୁ ନେଇ ଅମିୟଙ୍କ ସୁଖୀ ସଂସାର । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଗ୍ରାମପଞ୍ଚାୟତ ଅଧୀନସ୍ଥ ବାଲିଗାଡ଼ିଆ ଗ୍ରାମର ସ୍ଥାୟୀ ବାସିନ୍ଦା ହେଉଛନ୍ତି ଅମିୟ । ନିଜର ପୈତୃକ ଜମି ୧୦ ଏକର ସହ ଘର ପାଖରେ ରହିଛି ଏକ ବାରି ।

ଚାଷ ଜମିରେ ଧାନ ଚାଷ କରିବା ସହିତ ଘର ବାରିରେ ବାଇଗଣ, ଟମାଟୋ, ଲଙ୍କା, ଝୁଡ଼ୁଙ୍ଗ, କାକୁଡ଼ି, କଲରା, ପିଆଜ ସମେତ ବିଭିନ୍ନ ପ୍ରକାର ଶାଗ ଓ ଫୁଲ ଚାଷ କରିଛନ୍ତି । ଏହା ସହିତ ଆମ୍ବ, ଲେମ୍ବୁ, ପିଜୁଳୀ, ନଡ଼ିଆ, ଅମୃତଭଣ୍ଡା ଭଳି ଫଳ ଗଛ ଲଗାଇଛନ୍ତି । ଜମିରେ ଗୋଟିଏ କୁଆ ସହିତ ନଳକୂପଟିଏ ରହିଛି । ବର୍ଷା ଜଳକୁ ବି ସଂଗ୍ରହ କରି ସେ ଚାଷରେ ନିୟୋଜିତ କରନ୍ତି । ଏହାପରେ ବି ପାଣିର ଆବଶ୍ୟକତା ବହୁତ ରହିଛି । ସରକାରଙ୍କ ତରଫରୁ ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରାଗଲେ ବହୁତ ଭଲ ହେବ ବୋଲି ସେ କହିଛନ୍ତି । ସରକାରଙ୍କ ସହଯୋଗରେ ବୃକ୍‌ରୁ ହିରା ବିହନ ଆଣି ଗୋଟିଏ ଋତୁରେ ଅମିୟ ଦୁଇ ଥର ଅମଳ କରନ୍ତି ।

ଗତ ୨୦୧୧ ମସିହାରେ ରାଜ୍ୟ ସରକାରଙ୍କ ତରଫରୁ ଆୟୋଜନ ହୋଇଥିବା ରାଜ୍ୟସ୍ତରୀୟ କୃଷି ମହୋତ୍ସବରେ ଅମିୟଙ୍କୁ ସମ୍ମାନିତ କରାଯାଇଥିଲା । ଅମିୟଙ୍କ କହିବା ଅନୁସାରେ ଚାଷ କାର୍ଯ୍ୟକୁ ସମସ୍ତ କୃଷକ ବନ୍ଧୁ ସରକାରଙ୍କ ନୀତି ନିୟମ ସାଙ୍ଗକୁ ଆଧୁନିକ ବୈଜ୍ଞାନିକ ପ୍ରଣାଳୀକୁ ଆପଣେଇବା ଜରୁରି । ଏହା ହେଲେ ସମସ୍ତେ ସଫଳତା ପାଇପାରିବେ ।

ସଫଳ ଚାଷୀ ପୂର୍ଣ୍ଣଚନ୍ଦ୍ର ବରାଡ

କଲେଜ ପଢା ପରେ ଚାକିରି ପଛରେ ନ ଧାଇଁ କିପରି ସ୍ଵାବଲମ୍ବୀ ହୋଇପାରିବେ ସେହି ଚିନ୍ତା ତାଙ୍କୁ ଘାରିଲା । ସ୍କୁଲରେ ପଢିବାବେଳେ ସେ ବାପାଙ୍କ ସହିତ ଚାଷଜମିକୁ ଯାଉଥିଲେ, ତେଣୁ କୃଷି ପ୍ରତି ତାଙ୍କର ଆଗ୍ରହ ଥିଲା । ତାହାହିଁ ପରବର୍ତ୍ତୀ ସମୟରେ ତାଙ୍କୁ କୃଷିକୁ ନେଇ ସ୍ଵାବଲମ୍ବୀ ହେବା ଲାଗି ପ୍ରେରଣା ଯୋଗାଇଥିଲା । ଆଉ ଏବେ ସେ ଆସିକା ଅଞ୍ଚଳର ଜଣେ ସଫଳ ଚାଷୀ ଭାବେ ପରିଚିତ । ସେ ହେଲେ ପୁର୍ଣ୍ଣଚନ୍ଦ୍ର ବରାଡ। ମା' ମାଳତି ଓ ପିତାଙ୍କ ନାମ ସହଦେବ ବରାଡ । ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିଡ଼ାପଦର ଗ୍ରାମପଞ୍ଚାୟତର ମଣ୍ଟାପଡା ଗାଁରେ ତାଙ୍କର ଘର । ୨୦୦୧ରେ +୩ କଳାରେ ସ୍ନାତକ ଡିଗ୍ରୀ ହାସଲ କଲେ ପୁର୍ଣ୍ଣଚନ୍ଦ୍ର । କିନ୍ତୁ ଚାକିରି କରିବା ଅପେକ୍ଷା ନିଜେ ଉଦ୍ୟମ କରି କିପରି ରୋଜଗାର କ୍ଷମ ହୋଇପାରିବେ ସେହି ଚିନ୍ତା କଲେ । ଶେଷରେ ସ୍ଵାବଲମ୍ବୀ ହେବାଲାଗି ଚାଷ କାର୍ଯ୍ୟକୁ ଆପଣେଇନେଲେ । ଏବେ ପ୍ରାୟ ୧୫ ଏକର ଜମିରେ ଆଖୁ, ଧାନ ସମେତ ପୋଟଳ, ବାଇଗଣ, ବିନସ ଆଦି ପନିପରିବା ଚାଷ କରୁଛନ୍ତି । ଚାଷ କାର୍ଯ୍ୟ ଲାଗି ସେ ପାଖରେ ରଖିଛନ୍ତି ଗୋଟିଏ ଟ୍ରାକ୍ଟର, ଗୋଟିଏ ପାୱାର ଟିଲର, ଧାନ ଅମଳ ଯନ୍ତ, ଜଳସେଚନ ବ୍ୟବସ୍ଥା ଲାଗି ସ୍ପିଙ୍କଲର ଓ ପାଣିଉଠା ପମ୍ପ । ଆଖପାଖ ଗ୍ରାମର କେତେଜଣ ଲୋକ ଏହି କାର୍ଯ୍ୟରେ ନିୟୋଜିତ ହୋଇ ରୋଜଗାର କ୍ଷମ ହୋଇପାରୁଛନ୍ତି ।

କୃଷିପ୍ରତି ବିଶେଷ ଆଗ୍ରହ ରଖିଥିବା ପୂର୍ଣ୍ଣଚନ୍ଦ୍ର ସ୍ନାତକ ଶିକ୍ଷା ପରେ ଭୁବନେଶ୍ଵରସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ରେ ଛତୁ। ଚାଷ ଓ ଛତୁ ବିହନ ଉତ୍ପାଦନ ଉପରେ ଏକ ଦୁଇମାସିଆ ପ୍ରଶିକ୍ଷଣ ନେଇଥିଲେ । ଉନ୍ନତ ଆଖୁଚାଷ ଉପରେ ଆସିକା ଚିନିଶିକୁ ପକ୍ଷରୁ ତାମିଲନାଡୁର କୋଏମ୍ବାଟୁରରେ ଆୟୋଜିତ ଏକ ୧୨ ଦିନିଆ ତାଲିମ ଶିବିରରେ ଅଂଶଗ୍ରହଣ କରିଥିଲେ । ସେହିଭଳି ୨୦୧୦ରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ସ୍ଥିତ ରଙ୍ଗାରେଡ଼୍ ବିଶ୍ଵବିଦ୍ୟାଳୟରେ ଅଧିକ ସର୍କରାଂଶ ଥିବା ଆଖୁବିହନ ଉପରେ ତାଲିମ ନେଇଥିଲେ । ତେବେ ବର୍ଷକୁ ଜମିରେ ଫସଲ ଲଗାଇବାଠାରୁ ଅମଳ ଯାଏଁ ବିହନ, ସାର, ଜଳସେଚନ ଆଦି ଖର୍ଜ ପ୍ରାୟ ୩ ଲକ୍ଷ ଟଙ୍କା ହେଉଥିବା ବେଳେ ଏଥିରୁ ପ୍ରାୟ ୫ ଲକ୍ଷ ଟଙ୍କା ମିଳିଥାଏ ବୋଲି କୁହନ୍ତି ପୂର୍ଣ୍ଣଚନ୍ଦ୍ରା ଦିନକୁ ଦିନ କୃଷି କାର୍ଯ୍ୟ ଲାଗି ଆବଶ୍ୟକ ବିହନ, ସାର ଓ ମଜୁରି ବଢୁଥିବା ବେଳେ ଫସଲର ଦର ସେହି ଅନୁଯାୟୀ ବଢିପାରୁନାହିଁ । ପନିପରିବା ସଂରକ୍ଷଣ ଲାଗି ତାଙ୍କ ଅଞ୍ଚଳରେ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି ବୋଲି ସେ କୁହନ୍ତି । ଚାଷ କାର୍ଯ୍ୟ କରି ଜଣେ ସ୍ଵାବଲମ୍ବୀ ହେବା ସହ ଆଉ କେତେଜଣଙ୍କୁ ମଧ୍ୟ ରୋଜଗାରର ବାଟ ଦେଖାଇପାରିବ । ଏହା ମୋର ଅଙ୍ଗେ ନିଭା କଥା । ତେବେ ଚାକିରି ଅପେକ୍ଷା ସ୍ଵାବଲମ୍ବୀ ହେବାରେ ରହିଛି ଭିନ୍ନ ଆନନ୍ଦ । ଅବଶ୍ୟ ଏଥିଲାଗି ପରିଶ୍ରମକୁ ଆପଣେଇ ପାରିଲେ ହେଲା ।

ସଂଗୃହିତ -

  1. ଦାଶରଥି ଶ୍ରୀଚନ୍ଦନ ଜଙ୍କିଆ, ଖୋର୍ଦ୍ଧା
  2. ସୁରେନ୍ଦ୍ର ନାଥ ସାହୁ
3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top