অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାଟ ଦେଖାଇଛି ମହୁଚାଷ

ଉପକ୍ରମ

ଧାନ, ପାନ, ମୀନ ଲାଗି ବେସ ପରିଚିତ ବାଲେଶ୍ଵର ଜିଲ୍ଲା । ମାତ୍ର ଏହି ଜିଲ୍ଲାରେ ଜଣେ ବ୍ୟକ୍ତି ମହୁଚାଷ କରି ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ବିନା ସରକାରୀ କିମ୍ବା ବ୍ୟାଙ୍କ ସହଯୋଗରେ ଏହ ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଆଉ କେତେଜଣଙ୍କୁ ରୋଜଗାରର ବାଟ ଦେଖାଇବାରେ ସହାୟକ ହୋଇଛନ୍ତି । ସେ ହେଲେ ସର୍ବେଶ୍ଵର ପତି ।

ମହୁ ସଂଗ୍ରହ ପ୍ରଣାଳୀ

ତାଙ୍କ ଘର ବାଲେଶ୍ଵର ଜିଲ୍ଲାର ରେମୁଣା ବ୍ଲକରବଡପାଳ ପଞ୍ଚାୟତ ଅନ୍ତର୍ଗତ ମୟୂରଗାଁରେ । ପିତା ରତ୍ନାକର ପତି ଓ ମାଙ୍କ ନାମ ସୁବାସିନୀ ପତି । ୧୯୮୦ ମସିହାରେ ବୁଲା ମହୁଚାଷୀଙ୍କ ମହୁ ସଂଗ୍ରହ ପ୍ରଣାଳୀ ଦେଖି ମହୁଚାଷ ପାଇଁ ତାଙ୍କର ଆଗ୍ରହ ବଢିଥିଲା । ଏହାପରେ ରାଜ୍ୟ ଖଦି ବୋର୍ଡ ପକ୍ଷରୁ ଏକ ୭ଦିନିଆ ଟ୍ରେନିଂ ନେଲେ । ଏହାପାରେ ମହୁଚାଷ ପାଇଁ ଆରମ୍ଭ ହେଲା ରୀତିମତ ଉଦ୍ୟମ । ଡିସେମ୍ବରରୁ ଜୁନ ମାସ ମଧ୍ୟରେ ଅଧିକ ମହୁ ଅମଳ ହୋଇଥାଏ । ଏଥିପାଇଁ ଅଧିକ ଫୁଲ ଫୁଟୁଥିବା ଜଙ୍ଗଲରେ ମହୁବାସ୍କ ବସାଇବାକୁ ହୁଏ । ଏହି କ୍ରମରେ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ଜଙ୍ଗଲରେ ଆମ୍ବ, ଅର୍ଜୁନ, କରଞ୍ଜ, ହିଣ୍ଡଳ, ପଟାସ, ସୋରିଷ, ଧନିଆ ଆଦି ବହୁଳ ଗଛ ଥିବା ସ୍ଥାନରେ ସେ ମହୁବାକ୍ସ ବସାଇଥାନ୍ତି ।

ଉତ୍ପାଦିତ ମହୁର ଚାହିଦା

ଉତ୍ପାଦିତ ମହୁକୁ କେଜିପିଛା ବଜାରରେ ୨୫୦ଟଙ୍କାରେ ବିକ୍ରି କରୁଥିବା ବେଳେ ଖଦିବୋର୍ଡ ଅଧୀନରେ ଥିବା ବାଲେଶ୍ଵର ମହୁ ସୋସାଇଟି ମାଧ୍ୟମରେ ମାତ୍ର ୧୫୦ଟଙ୍କାରେ ବିକ୍ରି କରିଥାନ୍ତି । ରାଣୀ ମହୁମାଛି ସଂଗ୍ରହ କରି ମହୁବାକ୍ସ ପିଛା ୬ଶହ ଟଙ୍କାରେ ମଧ୍ୟ ବିକ୍ରି କରିଥାନ୍ତି ସେ । ୭୦ଟି ମହୁବାକ୍ସରହିଲେ ଜଣେ ଚାଷୀ ଅନ୍ୟୁନ ୧ଲକ୍ଷ ୪୦ହଜାର ଟଙ୍କା ସର୍ବନିମ୍ନ ରୋଜଗାର କରିପାରିବ ବୋଲି କୁହନ୍ତି ଏହି ଚାଷରୁ ୧୨ପ୍ରାଣୀ କୁଟୁମ୍ବ ଚଳାଉଥିବା ସର୍ବେଶ୍ଵର । ଏଥିସହ  ‘ଗୋଟିଏ ରାଣୀ ମହୁମାଛି ୩ବର୍ଷ ମଧ୍ୟରେ ୪୦କୋଟି ଡିମ୍ବ ପ୍ରଦାନ କରିଥାଏ । ଯେଉଁ ଡିମ୍ବ ୧୭ଦିନରେ ଫୁଟିଥାଏ ତାହା ରାଣୀ ମହୁମାଛି, ୨୪ଦିନରେ ଡିମ୍ବ ଫୁଟିଲେ ପୁରୁଷ ମହୁମାଛି ଓ ୨୧ଦିନରେ ଫୁଟିଲେ ତାହା ଶ୍ରମିକ ମହୁମାଛିରେ ପରିଣତ ହୋଇଥାଏ । ରାଣୀ ମହୁମାଛିଙ୍କ ଆଚାର ବ୍ୟବହାରକୁ ଉପଯୁକ୍ତ ଅନୁଧ୍ୟାନ କଲେ ଜଣେ ଭଲ ମହୁଚାଷୀ ହୋଇପାରିବ ବୋଲି ଦୃଢୋକ୍ତି ବ୍ୟକ୍ତ କରନ୍ତି ସେ । ତେବେ ଖୋଲା ବଜାରରେ ବିଭିନ୍ନ ବ୍ରାଣ୍ଡର ମହୁ କେଜିପିଛା ୫୫୦ରୁ ଆରମ୍ଭ କରି ୭ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ମହୁ ସୋସାଇଟି ସେମାନଙ୍କ ନିକଟରୁ ମାତ୍ର ୧୫୦ଟଙ୍କାରେ ସଂଗ୍ରହ କରୁଛି । ରାଜ୍ୟ ଖଦି ବୋର୍ଡ ଏହି ଦର ନିର୍ଣ୍ଣୟ କରିଥିବା ବେଳେ ଉକ୍ତ ଦର ବୃଦ୍ଧି କରାଗଲେ ଜିଲ୍ଲାରେ ବହୁ ଯୁବକ ମହୁଚାଷ ପ୍ରତି ଆକୃଷ୍ଟ ହେବେ ବୋଲି କୁହନ୍ତି ସର୍ବେଶ୍ଵର । ତାଙ୍କ ମହୁଚାଷ ଦେଖି ତାଙ୍କ ଗ୍ରାମର ସର୍ବେଶ୍ଵର ମାଝି ଓ ଜୟନ୍ତ ପଣ୍ଡା ଏହି ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି । ବାଲେଶ୍ଵର ମହୁଚାଷ ଶିଳ୍ପ ସମବାୟ ଅଧ୍ୟକ୍ଷ ସମରେନ୍ଦ୍ର ନାୟକ କୁହନ୍ତି ଯେ ଜିଲ୍ଲାରେ ୪୪୦ ପଞ୍ଜୀକୃତ ମହୁଚାଷୀ ଥିବାବେଳେ ୭୫୦ ଅଣପଞ୍ଜୀକୃତ ମହୁଚାଷୀ ରହିଛନ୍ତି । ବର୍ଷକୁ ୫କ୍ଵିଣ୍ଟାଲ ମହୁ ଉତ୍ପାଦନ କରି ଅନ୍ୟ ଚାଷୀଙ୍କ ଉଦାହରଣ ପାଲଟିଥିବା ସର୍ବେଶ୍ଵରଙ୍କୁ ଭାରତ ସରକାରଙ୍କ ଦ୍ଵାରା ପୁଣେଠାରେ ହେଉଥିବା ମହୁଚାଷ ସମ୍ପର୍କିତ କାର୍ମଶାଳାକୁ ନିମନ୍ତ୍ରିତ କରାଯାଇଛି ।

ଆଧାର: ହରେକୃଷ୍ଣ ଦାସ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate