অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଫଳ କୃଷକ ରାମବାଈ

ରାମବାଈଙ୍କ ପରିଚୟ

ଦେଖାଯାଉଥିବା ୩୭ ବର୍ଷୀୟା ରାମବାଈଦାସ ଏବେ ବହୁଚର୍ଚ୍ଚିତ ନାଁଟିଏ । ବରଗଡ଼ ସହରଠାରୁ ପ୍ରାୟ ୮କିମି ଦୂର ଜମୁର୍ଡା ଗାଁ ମୁଣ୍ଡ ରାସ୍ତା ପାର୍ଶ୍ଵରେ ତାଙ୍କର ଘର । ବୃଦ୍ଧା ମା’ ଉମାବତୀ ଓ ଝିଅ ପୁଷ୍ପାଞ୍ଜଳିଙ୍କୁ ନେଇ ତାଙ୍କ ପରିବାର । ନିହାତି ଗରିବ ପରିବାରର ରାମବାଈଙ୍କର ୪ଡିସିମିଲ ଘରଡ଼ିହ ଛଡା ଅନ୍ୟ ଜମିବାଡି ନାହିଁ ।

ତଥାପି ନିଜର ଉଦ୍ୟମ, ଅଧ୍ୟବସାୟ ଓ ପରିଶ୍ରମ ବଳରେ ଆଜି ସେ ରାଜ୍ୟରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।  ଆଉ ଜଣେ ଅଗ୍ରଣୀ ମହିଳା ଚାଷୀଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ।

ମହିଳା ଚାଷୀ ରାମବାଈଙ୍କ ଯାତ୍ରା

ବରଗଡ଼ ଜିଲା ଉପାନ୍ତ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପିକ୍ରିଝରନ ଗ୍ରାମର ମୂଳବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ବ୍ଲକ ଅନ୍ତର୍ଗତ ଜମୁର୍ଡା ଗ୍ରାମର ଉମାବତୀ ଦାଶଙ୍କ ଏକମାତ୍ର କନ୍ୟା ରାମବାଈ । ଗାଁ  ସ୍କୁଲରେ ସେ ଦ୍ଵିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ । ହେଲେ ପଢିବାର ଇଚ୍ଛା ଥିବାରୁ ସେ ଘରକୁ ପଞ୍ଚମ, ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକ ଆଣି ପଢିଥିଲେ । ବିବାହ ବୟସରେ ଉପନୀତ ହେବା ପରେ ମା, ବାପା ତାଙ୍କୁ ପିକ୍ରିଝରନ ଗ୍ରାମର ଦୟାନିଧି ଦାସଙ୍କ ସହ (୧୬ ବର୍ଷ ବୟସରେ)ବିବାହ କରାଇଥିଲେ । ଗରିବ ହୋଇଥିଲେ ହେଁ ଏକମାତ୍ର ଝିଅ ହୋଇଥିବାରୁ ଧୁମ୍ ଧାମ୍ ରେ ପରିବାର ଲୋକେ ରାମବାଈଙ୍କ ବିବାହ କରାଇଥିଲେ । ପରେ ସେ ଏକ କନ୍ୟା ସନ୍ତାନର ଜନନୀ ହେଲେ । କିନ୍ତୁ ଝିଅ ଜନ୍ମ କାରିଥିବାରୁ ତାଙ୍କୁ ଶଶୁର ଘର ଲୋକେ ନିର୍ଯାତନା ଦେଲେ । ଏପରିକି ଘରୁ ତାଙ୍କୁ ତଡି ଦେଲେ । ଶେଷରେ ସେ ବାପଘରେ ଆଶ୍ରୟ ନେଲେ । ଘଟଣାଟି କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । କୋର୍ଟରେ ରାମବାଈଙ୍କ ସପକ୍ଷରେ ବିଚାରପତିଙ୍କ ରାୟ ଯାଇଥିଲା ଏବଂ ରାମବାଈଙ୍କ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ତାଙ୍କ ସ୍ଵାମୀଙ୍କୁ ଆଦେଶ ହୋଇଥିଲା । ଏହାପରେ ତାଙ୍କ ସ୍ଵାମୀଙ୍କ ମନରେ କିଛିଟା ପରିବର୍ତ୍ତନ ଆସିଥିଲା ଏବଂ ସେ ଜମୁର୍ଡା ଗ୍ରାମକୁ ଆସି ରାମବାଈ ଓ ଶିଶୁକନ୍ୟା ଯାଜ୍ଞସେନୀଙ୍କ ସହିତ ରହିଥିଲେ । ତେବେ କିଛିଦିନ ଏଠାରେ ରହିବ ପରେ ସେ ପୁଣି ନିଜ ଗାଁ ପିକ୍ରିଝରନ୍କୁ ଚାଲି ଗଲେ । ଗଲେ ଯେ ଆଉ ଫେରିଲେନି । ଇତିମଧ୍ୟରେ ରାମବାଈଙ୍କ  ଦ୍ଵିତୀୟ କନ୍ୟା ସନ୍ତାନ ପୁଷ୍ପାଞ୍ଜଳିଙ୍କ ଜନ୍ମ ହେଲା । ଅନ୍ୟପଟେ ପିକ୍ରିଝରନ୍ ରେ ଥିବାବେଳେ ରାମବାଈଙ୍କ ସ୍ଵାମୀଙ୍କ ପରଲୋକ ହେଲା । ସ୍ଵାମୀଙ୍କ ମୃତ୍ୟୁର ୫ଦିନ  ପରେ ରାମବାଈଙ୍କୁ ଖବର ଦିଆଯାଇଥିଲା । ଫଳରେ ସେ ସ୍ଵାମୀଙ୍କ ଅନ୍ତିମ ଦର୍ଶନ ମଧ୍ୟ କରି ପାରି ନ ଥିଲେ । ସ୍ଵାମୀଙ୍କ ମୃତ୍ୟୁର ମାତ୍ର ୧୬ଦିନ ପରେ ରାମବାଈ ତାଙ୍କ ପ୍ରଥମ କନ୍ୟା ସନ୍ତାନ ଯାଜ୍ଞସେନୀଙ୍କୁ ହରାଇଥିଲେ । ସେତେବେଳେ ସାନଝିଅ ପୁଷ୍ପାଞ୍ଜଳିଙ୍କୁ ୪ବର୍ଷ ହୋଇଥିଲା ।

ଅନେକ ଦୁଃଖ ସତ୍ତ୍ୱେ କୁନି ଝିଅ ପୁଷ୍ପାଞ୍ଜଳିର ମୁହଁ ଚାହିଁ ସେ ଆଗକୁ ବଢିବାକୁ ଚେଷ୍ଟା କଲେ । ଅଣ୍ଟା ଭିଡିଲେ ନିଜେ ଚାଷ କରି ଦୁଇ ପେଟ ପୋଷିବେ । ତେଣୁ ଗ୍ରାମର ଜଣେ ସହୃଦୟ ବ୍ୟକ୍ତିଙ୍କଠାରୁ ଅଢେଇରୁ ୩ଏକର ଜମି ଭାଗ ଚାଷରେ ନେଲେ । ପ୍ରଥମେ ତ ସେ ବ୍ୟକ୍ତି ଜଣଙ୍କ ଭାଗ ଦେବାକୁ ରାଜି ହେଉ ନ ଥିଲେ । କିନ୍ତୁ ତାଙ୍କୁ ସେ ବୁଝେଇ ଭାଗ ଧରିଲେ । ଆଉ ପୁରୁଷଙ୍କ ଭଳି କୋଡି, କୋଦାଳ, ଧରି ଜମି ପ୍ରସ୍ତୁତ କଲେ । ପ୍ରଥମେ ସେ ୨୫ ଡିସିମିଲ ଜମିରେ ଫୁଲ କୋବି ଚାଷ କଲେ । ଆଉ ପ୍ରଥମ ବର୍ଷ ୧୦ହଜାର ଟଙ୍କା ଲାଭ ପାଇଲେ । ଗୋଟେ ଏକର ଜମିରେ ଆଳୁ ଚାଷ କରି ୨୫୦୦୦ଟଙ୍କା ଲାଭ ପାଇଲେ । ପରେ ଋତୁ ଅନୁଯାୟୀ, ଆଳୁ, ପୋଟଳ,ସିମ୍ବ, ଲଙ୍କା, କୋବି ଆଦି ପନିପରିବା ଚାଷ କଲେ । ଆଉ ଉପାର୍ଜିତ ଟଙ୍କାରେ ସେ ପରିବାର  ପ୍ରତିପୋଷଣ କଲେ । ତା’ସହ ଆଗରୁ ସରକାରୀ ଜମିରେ କୁଡିଆ କରି ରହୁଥିବା ରାମବାଈ ନିଜର ମେହେନତରୁ ସଞ୍ଚିତ ଟଙ୍କାରେ ୪ ଡିସିମିଲ ଜମି କିଣି ସେଠାରେ ଘରଟିଏ ମଧ୍ୟ ନିର୍ମାଣ କଲେ । ଏକ ପାୱାର ୱିଡର ନୂଆ ମୋଟର ପମ୍ପ ଓ ସ୍ପ୍ରେଇଂ ମେଶିନ୍କୁ ନିଜେ ଚଳେଇଲେ । ଉତ୍ପାଦିତ ପନିପରିବାକୁ ସେ ନିକଟସ୍ଥ ବଜାରରେ ନିଜେ ସାଇକେଲରେ ବୋହି ଅଥବା ଅଟୋ ରିକ୍ସା କରି ନେଇ ବିକ୍ରି କଲେ । ସେହିପରି ପରିବା ଚାଷ ସମେତ ଗୋପାଳନ ଓ ଦୁଗ୍ଧ ଉତ୍ପାଦନକୁ ଗତବର୍ଷରୁ ସେ ଆଉ ଏକ ଜୀବିକା ରୂପେ ଆଦରି  ନେଇଛନ୍ତି । ନିଜ ଉପାର୍ଜିତ ଟଙ୍କାରେ ଗାଈଟିଏ କିଣି ସେ ଏହି ଜୀବିକା ଆରମ୍ଭ କଲେ । ଏମିତିକି ନିଜେ ସାଇକେଲ ଚଳାଇ ଘର ଘର ବୁଲି କ୍ଷୀର ବିକ୍ରି କରୁଛନ୍ତି । ତେବେ ପରିବା ଚାଷରେ ପୂର୍ବରୁ ବାର୍ଷିକ ପ୍ରାୟ ୧ଲକ୍ଷ ଟଙ୍କା ଆଦାୟ ହେଉଥିଲା ଏବଂ ସେଥିରୁ ପ୍ରାୟ ୪୦/୫୦ ହଜାର ଟଙ୍କା ନିଜ ପରିଶ୍ରମର ଫଳଭାବେ ମିଳେ ବୋଲି କହନ୍ତି ରାମବାଈ । କେବଳ ସେତିକି ନୁହେଁ ନିଜେ ସ୍ଵାବଲମ୍ବୀ ହେବା ସହିତ ଝିଅ ପୁଷ୍ପାଞ୍ଜଳିଙ୍କୁ ଉଚ୍ଚଶିକ୍ଷା ଦେବାରେ ସେ ସକ୍ଷମ ହୋଇଛନ୍ତି । ପୁଷ୍ପାଞ୍ଜଳି ଏବେ ବରଗଡ ଟ୍ରଷ୍ଟଫଣ୍ଡ୍ କଲେଜରେ ଯୁକ୍ତଦୁଇ ପଢୁଛନ୍ତି ।

ଶେଷକଥା

ରାମବାଈ କହନ୍ତି,’ ନାରୀଙ୍କୁ ବେସାହାରା ଭାବିବା ଠିକ୍ ନୁହେଁ । ସେମାନେ ଚାହିଁଲେ ଆକାଶକୁ ବି ଛୁଇଁ ପାରିବେ । ଆଉ ଅସମ୍ଭବକୁ ସମ୍ଭବ କରିପାରିବେ। ‘ ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିକଟରେ ସମ୍ବର୍ଦ୍ଧିତ କରିଛନ୍ତି ।

ଯେବେ ଯେବେ ନାରୀ ଘରର ଏରୁଣ୍ଡି ଡେଇଁଛି ସଫଳତା ତା’ ପାଦ ଛୁଇଁଛି । ଆଉ ପ୍ରମାଣିତ କରିଦେଇଛି ସେ ନୁହେଁ ଦୂର୍ବଳା।

ଆଧାର – ଶିବାନୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate