ହୋମ / କୃଷି / କୃଷି ନିର୍ଦେଶିକା / ଅମଳ-ପରବର୍ତ୍ତୀ ପରିଚାଳନା ଏବଂ ବଜାର ସଲଗ୍ନତା ଟୁଲ୍
ସେଆର କରନ୍ତୁ

ଅମଳ-ପରବର୍ତ୍ତୀ ପରିଚାଳନା ଏବଂ ବଜାର ସଲଗ୍ନତା ଟୁଲ୍

ଆବହମାନ କାଳରୁ କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଭାବରେ ରହିଅଛି I କୃଷି-ଭିତ୍ତିକ ଅର୍ଥନୀତିର ତିନୋଟି ମୁଖ୍ୟ ସ୍ତମ୍ଭ ହେଉଛି, “ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବିପଣନ” I

ଉପକ୍ରମଣିକା

ଆବହମାନ କାଳରୁ କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଭାବରେ ରହିଅଛି I କୃଷି-ଭିତ୍ତିକ ଅର୍ଥନୀତିର ତିନୋଟି ମୁଖ୍ୟ ସ୍ତମ୍ଭ ହେଉଛି, “ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବିପଣନ” I ଭାରତରେ ଅଧିକାଂଶ କୃଷି ଉତ୍ପାଦ ଚାଷୀମାନଙ୍କ ଦ୍ୱାରା ଘରୋଇ ଉଦ୍ୟୋଗ, ମହାଜନ କିମ୍ବା ଗାଁ ବ୍ୟାପାରୀ ମାନଙ୍କୁ ବିକ୍ରି କରାଯାଇଥାଏ I କୃଷିଜାତ ଦ୍ରବ୍ୟର କ୍ରୟ ଓ ବିକ୍ରୟକୁ କୃଷି ବିପଣନ କୁହାଯାଏ I ପୁର୍ବରୁ ଯେତେବେଳେ ଗ୍ରାମ୍ୟ ଅର୍ଥନୀତି ପ୍ରାୟ ଆତ୍ମନିର୍ଭରଶୀଳ ଥିଲା କୃଷିଜାତ ଦ୍ରବ୍ୟର ବିପଣନରେ କୌଣସି ଅସୁବିଧା ହେଉ ନ ଥିଲା କାରଣ ଚାଷୀମାନେ ଉତ୍ପାଦକକୁ ଗ୍ରାମରେ ହିଁ ନଗଦ ରାଶି କିମ୍ବା ବସ୍ତୁ ବିନିମୟ ଆକାରରେ ବିକ୍ରୟ କରିପାରୁଥିଲେ I କିନ୍ତୁ ଆଜିକାଲି ଏହା ବହୁତ ଜଟିଳ ହୋଇ ଯାଇଛି ଏବଂ ଉତ୍ପାଦ ଗ୍ରାହକ ପାଖରେ ପହଞ୍ଚିବା ପୁର୍ବରୁ ଅନେକ ହାତଦେଇ ଗତିକରିଥାଏ I

ବର୍ତ୍ତମାନ କୃଷିଜାତ ଦ୍ରବ୍ୟ ବିଭିନ୍ନ ମାଧ୍ୟମରେ ବିକ୍ରି କରା ଯାଉଅଛି I ଉଦାହରଣ ସ୍ୱରୁପ, ଏହାକୁ ଚାଷୀର ଗ୍ରାମରେ ଥିବା ସାପ୍ତାହିକ ହାଟରେ କିମ୍ବା ପଡୋଶୀ ଗ୍ରାମରେ ବିକ୍ରୟ କରାଯାଇପାରିବ I ଏମିତି କୌଣସି ସୁବିଧା ନ ଥିଲେ, ଉତ୍ପାଦକୁ ପାଖରେ ଥିବା ଗ୍ରାମ କିମ୍ବା ସହରରେ ଅନିୟମିତ ଭାବେ ବସୁଥିବା ହାଟ ଅଥବା ମଣ୍ଡିରେ ବିକ୍ରି କରାଯାଇପାରିବ I ଚାଷୀମାନେ ସେମାନଙ୍କ ଉତ୍ପାଦ ପାଇଁ ଉଚିତ ମୂଲ୍ୟ ନ ପାଇବାର କାରଣ ହେଉଛି ଗ୍ରାମାଞ୍ଚଳରେ ଭଲ ଭିତ୍ତିଭୂମୀ ଯଥା ରାସ୍ତା, ପରିବହନର ସାଧନ, ମହଜୁଦ ରଖିବା ପାଇଁ ଗୋଦାମର ଅଭାବ I ଉପରନ୍ତୁ, କମ ପରିମାଣର ଉତ୍ପାଦନ ଭଲ ଦାମ ପାଇବାରେ ସହାୟକ ହୋଇ ନ ଥାଏ, କାରଣ ବ୍ୟାପାରୀମାନେ ଥୋକ ଆକାରରେ କିଣିବାକୁ ପସନ୍ଦ କରିଥାଆନ୍ତି I ନିୟନ୍ତ୍ରିତ ବଜାରର ଅବସ୍ଥିତି ବହୁତ କମ୍ I ପ୍ରାୟତଃ, ଗ୍ରାମ୍ୟ ବଜାରସବୁ ଅନିୟନ୍ତ୍ରିତ ଭାବେ କାର୍ଯ୍ୟକରିଥାଏ ଯାହାର ଅନେକ ଗୁଡିଏ ତ୍ରୁଟି ରହିଅଛି ଏବଂ ଏହା ଗରୀବ ଚାଷୀମାନଙ୍କ ପାଇଁ ସହାୟକ ନୁହେଁ I ଏହି ସବୁ ଅସୁବିଧା ଭିତରେ ତରାଜୁ ନ ଥିବା, ମଧ୍ୟସ୍ଥିମାନଙ୍କ ଦ୍ୱାରା ଅଧିକ କମିଶନ, କାରବାରରେ ସ୍ୱଚ୍ଛତାର ଅଭାବ ଇତ୍ୟାଦି ଅନ୍ତର୍ଭୁକ୍ତ I ଆଉ ଏକ ମୁଖ୍ୟ ଅସୁବିଧା ହେଉଛି ନଷ୍ଟଶୀଳ (ପେରିଶେବୁଲ୍) ପଦାର୍ଥ ଯଥା ଦୁଧ, ପରିବା, ଫଳ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଗ୍ରାହକ ପାଖରେ ଯଥା ଶୀଘ୍ର ପହଞ୍ଚିବା ଦରକାର, ଅନ୍ୟଥା ଗ୍ରାହକମାନେ ଏହି ସବୁ ଜିନିଷକୁ ଆଗ୍ରାହ୍ୟ କରିଦିଅନ୍ତି I

ଉତ୍ପାଦକ ପାଖରେ ବିଭିନ୍ନ ବଜାର ସୂଚନା ସଂଗ୍ରହ କରି ପ୍ରତିଯୋଗୀତାମୂଳକ ଦର ପାଇବା ପାଇଁ ସୁବିଧା ନ ଥିବାରୁ ନିଜ ଗ୍ରାମରେ ମିଳୁଥିବା ଯେ କୌଣସି ଦାମରେ ଜିନିଷକୁ ବିକ୍ରୟ କରିବା ବ୍ୟତୀତ ତାହା ପାଖରେ ଆଉ କୌଣସି ପନ୍ଥା ନ ଥାଏ I ଏହି ପରିପ୍ରେକ୍ଷିରେ ପାଥୱେଜ୍ ପ୍ରକଳ୍ପ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନେକ କାର୍ଯ୍ୟାବଳୀ ଭିତରେ ମହିଳା ଚାଷୀମାନେ ଉତ୍ପାଦନ କରୁଥିବା ସାମଗ୍ରୀ ପାଇଁ 'ଅଗ୍ରଗାମୀ ଓ ଅଧୋଗାମୀ ସଲଗ୍ନତା' (forward and backward linkages) ନିଶ୍ଚିତ କରିବା ଏକ ପ୍ରମୁଖ ହସ୍ତକ୍ଷେପ I

ପ୍ରଶିକ୍ଷଣ ଉପକରଣ

ଏହି ଭାଗଟି ଲକ୍ଷ୍ୟଧାର୍ଯ୍ୟ ଗ୍ରାମର ଚାଷୀମାନଙ୍କୁ କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ପଦ୍ଧତିରେ ପ୍ରଶିକ୍ଷଣପାଇଁ ଉଦ୍ଦିଷ୍ଟ ମଡ୍ୟୂଲ୍ ସମ୍ପର୍କରେ କେନ୍ଦ୍ରୀଭୂତ ଅଛି I ଚାଷୀମାନଙ୍କଦ୍ୱାରା ଅମଳ ପରବର୍ତ୍ତୀ କାର୍ଯ୍ୟକ୍ରମ ଏବଂ କୃଷିଜାତ ଦ୍ରବ୍ୟର ବିପଣନ ପାଇଁ ପ୍ରତ୍ୟେକ ଅଧିବେଶନରେ ଆଲୋଚନା କରାଯିବ I ଫସଲ ବିକାଶ ଚରଣର ଅମଳ ଓ ଅମଳ-ପରବର୍ତ୍ତୀ ଅଭ୍ୟାସ ବିଷୟରେ ମହିଳା ଚାଷୀମାନଙ୍କୁ ଶିକ୍ଷାଦାନ କରିବା ପାଇଁ ପାଞ୍ଚଟି ମଡ୍ୟୂଲ୍ ପ୍ରସ୍ତୁତ କରାଯାଇଛି I ସେଗୁଡିକ ହେଲା:

  • ମଡ୍ୟୂଲ୍ ୧: ଧାନର ଅମଳ ପରବର୍ତ୍ତୀ ପରିଚାଳନା
  • ମଡ୍ୟୂଲ୍ ୨: ମକାର ଅମଳ ପରବର୍ତ୍ତୀ ପରିଚାଳନା
  • ମଡ୍ୟୂଲ୍ ୩: ବିରିର ଅମଳ ପରବର୍ତ୍ତୀ ପରିଚାଳନା
  • ମଡ୍ୟୂଲ୍ ୪: ଉତ୍ପାଦ ଜମା-ସଂଗ୍ରହ ପ୍ରକ୍ରିୟା ଓ ଯୋଜନା
  • ମଡ୍ୟୂଲ୍ ୫: ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ

ଅଧିବେଶନର ସଂରଚନା

ଏହି ଟୁଲ୍ କିଟ୍ ରେ ବ୍ୟବହାର କରାଯାଇଥିବା ସଂରଚନା ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନକୁ କିପରି ପ୍ରଦାନ କରିବେ ତାହାର ବର୍ଣ୍ଣନା ନିମ୍ନରେ ପ୍ରଦତ୍ତ ହୋଇଛି I ଏହା ଅଧିବେଶନର ସଂରଚନା ବିଷୟରେ ସିଆରପିମାନଙ୍କୁ ଏକ ବୋଧତା ଦେବା ସହ ଅଂଶଗ୍ରହଣକାରୀଙ୍କୁ ଏହା ପ୍ରଦାନ କରାଯିବା ପାଇଁ କିପରି ବ୍ୟବହାର କରାଯିବ, ସେ ବିଷୟରେ ସୁଚନା ଦେବ I

ପ୍ରତ୍ୟେକ ଅଧିବେଶନର ସଂରଚନା

ବ୍ୟାଖ୍ୟାତ୍ମକ ଟିପ୍ପଣୀ

ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଦିଆଯାଇଥିବା ନିମ୍ନ ପ୍ରଦତ୍ତ ବିବରଣ ସିଆରପିମାନଙ୍କୁ ଅଂଶଗ୍ରହଣକାରୀଙ୍କସହ ସଭା ଆୟୋଜନ କରିବା ପାଇଁ ପ୍ରାରମ୍ଭିକ ଆୟୋଜନ କରିବାରେ ସାହାଯ୍ୟ କରିବ (ଯଥା ତାରିଖ ସ୍ଥିରୀକରଣ, ଦରକାରୀ ସରଞ୍ଜାମ ପ୍ରବନ୍ଧକରିବା ଇତ୍ୟାଦି) I

ମଡ୍ୟୂଲ

ଫସଲ ବିକାଶ ଅବସ୍ଥା I

ଅଧିବେଶନର ଶୀର୍ଷକ

ଚାଷୀଙ୍କ ଦିଗଦର୍ଶନ ପାଇଁ କରିବାକୁ ଥିବା କାର୍ଯ୍ୟକଳାପ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି I (ଯଥା, ଖରା ଦିନିଆ ହଳ କରିବା, ଜୈବିକ ଖତର ପ୍ରୟୋଗ, ମାଟି ପରୀକ୍ଷା ଇତ୍ୟାଦି)

ଉଦ୍ଦେଶ୍ୟ

ଏହି ଉଦ୍ଦେଶ୍ୟ ଅଧିବେଶନ ପରିଚାଳନା କରିବାର ଅନ୍ତିମ ଲକ୍ଷ୍ୟକୁ ବାଖ୍ୟା କରିଥାଏ, ଯଥା ସମୁହ (ଦଳ)ର ସୁବିଧା ପାଇଁ କ'ଣ ସବୁ କାର୍ଯ୍ୟକ୍ରମ କରାଯାଇଛି I

ପଦ୍ଧତି

କାର୍ଯ୍ୟପଦ୍ଧତି ସିଆରପିମାନଙ୍କ ଦ୍ୱାରା ଅଧିବେଶନ ପରିଚାଳିତ କରିବାର ଧାରାକୁ ବ୍ୟାଖ୍ୟା କରିଥାଏ I ସାମାନ୍ୟତଃ, ଏହା ଦୁଇଟି ଭାଗକୁ ନେଇ ଗଠିତ, ଅର୍ଥାତ୍ ପ୍ରଦର୍ଶନ ସହିତ ବ୍ୟାଖ୍ୟାନ I କାର୍ଯ୍ୟର ସୈଦ୍ଧାନ୍ତିକ ଭାଗ ବ୍ୟାଖ୍ୟାନ ଦ୍ୱାରା ସମାହିତ ହୁଏ ଆଉ ପ୍ରକୃତ କାର୍ଯ୍ୟଟି କ୍ଷେତ୍ର ପ୍ରଦର୍ଶନ ସମୟରେ ନିର୍ବାହ କରାଯାଏ I

ଅଂଶଗ୍ରହଣକାରୀ

କାହାପାଇଁ ଏହି ଅଧିବେଶନଟି ପ୍ରଯୁଜ୍ୟ, ଏହା ସୂଚିତ କରେ I ଏହା ସର୍ବଦା ସ୍ଵୟଂ ସହାଯକ ଦଳ ଓ ସମୂହର ମହିଳା ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ I ଅଧିବେଶନର ଶୀର୍ଷକକୁ ନେଇ ଏଥିରେ ପରିବାର ଏବଂ ଗ୍ରାମର ଅନ୍ୟ ପୁରୁଷ ଚାଷୀମାନେ ମଧ୍ୟ ଅନ୍ତର୍ଭୁକ୍ତ ହୋଇ ପାରନ୍ତି I

ସଭା ସ୍ଥାନ

ଅଧିବେଶନ ଆୟୋଜନ କରାଯାଉଥିବା ସ୍ଥାନକୁ ଏଠାରେ ଉଲ୍ଲେଖ କରାଯାଇଛି I ଏହା ଗ୍ରାମର ମଧ୍ୟସ୍ଥ କୌଣସି ଜାଗା ହେବା ଦରକାର ଯେପରିକି କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ସ୍ଥଳ କିମ୍ବା ପଞ୍ଚାୟତ ଭବନ I

ଦରକାରୀ ସରଞ୍ଚାମ

ଅଧିବେଶନ ସଞ୍ଚାଳନ ପାଇଁ ସିଆରପିମାନଙ୍କ ଦ୍ୱାରା ଆବଶ୍ୟକ ହେଉଥିବା ସାମଗ୍ରୀ ସବୁକୁ ଏଠାରେ ଦିଆଯାଇଛି I ଏହା ଭିତରେ ପୋଷ୍ଟର, ଖେଳ କାର୍ଡ଼, ଚାର୍ଟ୍ କାଗଜ, କଲମ, ମଞ୍ଜି, ମୃତ୍ତିକା, ସାର ପ୍ୟାକେଟ୍ ଇତ୍ୟାଦି ଅନ୍ତର୍ଭୁକ୍ତ I ଯଦି କୌଣସି ଅଧିବେଶନରେ ବ୍ୟଖ୍ୟାନ ପରେ ପ୍ରଦର୍ଶନକୁ ଅନ୍ତର୍ଭୁକ୍ତ କରାଯାଇଛି, ତେବେ ସିଆରପିମାନେ ଆଗରୁ ନିଷ୍ପତ୍ତି ନେବା ଦରକାର ବ୍ୟଖ୍ୟାନ ଅଧିବେଶନ ପରେ ଚାଷୀମାନେ କେଉଁ ଜାଗାରେ ଏକତ୍ରିତ ହେବେ I

ସମୟ ସୀମା

ପ୍ରତ୍ୟେକ ଅଧିବେଶନ ସଞ୍ଚାଳନ କରିବା ପାଇଁ ଦରକାର ହେଉଥିବା ଆନୁମାନିକ ସମୟ ଏଠାରେ ଉଲ୍ଲେଖ କରାଯାଇଛି I ପୁଣି ଏହା ଦୁଇ ଭାଗରେ ବିଭକ୍ତ, ଯଥା “ଶ୍ରେଣୀ ଗୃହ ଅଧିବେଶନ” ପାଇଁ ଦରକାର ହେଉଥିବା ସମୟ ଏବଂ କ୍ଷେତ୍ର "ପରିଦର୍ଶନ" ପାଇଁ ଦରକାର ହେଉଥିବା ସମୟ I

ଅଧିବେଶନ ପ୍ରବାହ

. ପୃଷ୍ଠଭୁମି

ସିଆରପିମାନଙ୍କ ସୁବିଧା ପାଇଁ ଅଧିବେଶନରେ ହେବାକୁ ଥିବା କାର୍ଯ୍ୟାବଳୀର ସବିଶେଷ ତଥ୍ୟ ଉଲ୍ଲେଖ କରାଯାଇଛି I ବଦଳରେ ସେମାନେ ଏହାକୁ ଆଗକୁ ନେଇ ପ୍ରସ୍ତୁତିକରଣ ଅଧିବେଶନକୁ (ପ୍ରାରମ୍ଭିକ କାର୍ଯ୍ୟକ୍ରମ ମାଧ୍ୟମରେ) ବିଭିନ୍ନ ପଥ ପ୍ରଦର୍ଶକ ପ୍ରଶ୍ନ ପଚାରି ବିଷୟ ବସ୍ତୁ ଉପରେ ପରସ୍ପର ଭିତରେ ଆଲୋଚନା କରି ପରିଚାଳିତ କରିବେ I ଏଥି ସହିତ, ଆଲୋଚ୍ୟ ବିଷୟବସ୍ତୁର "ଉତ୍କର୍ଷତା ଓ ତ୍ରୁଟି", "ସୁବିଧା ଓ ଅସୁବିଧା" ଏବଂ "କରନ୍ତୁ ଓ କରନ୍ତୁ ନାହିଁ" ଇତ୍ୟାଦି ବିଷୟରେ ଆଲୋଚନା କରନ୍ତୁ, ଯାହାସବୁ ପ୍ରଯୁଜ୍ୟ ହେବ I ତେଣୁ, ଏହି ପୃଷ୍ଠଭୂମି ତଥ୍ୟ ଚାଷୀମାନଙ୍କୁ କାର୍ଯ୍ୟାବଳୀର ମହତ୍ୱ ବିଷୟରେ ଶିକ୍ଷା ଦେବ I

. ଉତ୍ତୋରତ୍ତର କାର୍ଯ୍ୟାବଳୀ

ଅଧିବେଶନ ସଞ୍ଚାଳନ କଲାବେଳେ ସିଆରପିମାନେ ପ୍ରଶିକ୍ଷଣ ଉପକରଣର ଏହି ଭାଗରେ ଦିଆଯାଇଥିବା ବିଭିନ୍ନ ସୋପାନକୁ ଅନୁକରଣ କରିବେ I

  • ପ୍ରଥମ ଚରଣରେ ସିଆରପି ପୁର୍ବ ସଭାରେ ନିଆଯାଇଥିବା ଆପାତତଃ କାର୍ଯ୍ୟକ୍ରମର ନିଷ୍ପତ୍ତି ଅନୁସାରେ ଅଂଶଗ୍ରହଣକାରୀଙ୍କୁ ଏକ ସାର୍ବଜନିକ ସ୍ଥାନରେ ଏକତ୍ରିତ କରିବେ I
  • କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ପ୍ରାରମ୍ଭିକ ଅଭ୍ୟାସ କରାଯିବ ଯେଉଁଥିରେ କି ଅଂଶଗ୍ରହଣକାରୀମାନେ ସିଆରପିଙ୍କ ସହ ଖୋଲା ବିଚାର ସହ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବେ I ଏହା ଚାଷୀମାନଙ୍କୁ ଅଧିବେଶନର ବିଷୟବସ୍ତୁ ସମ୍ବନ୍ଧରେ ସେମାନଙ୍କର ପୂର୍ବବର୍ତ୍ତୀ କାର୍ଯ୍ୟକ୍ରମର ଅନୁଭୁତି ବାଣ୍ଟିବାରେ ସୁଯୋଗ ଦେବI
  • ପରବର୍ତ୍ତୀ ପଦକ୍ଷେପ ହେଉଛି ସିଆରପି ଚାଷୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଚାଷ ପ୍ରଣାଳୀ ଆଦୃତ କରିବାର ଉତ୍କର୍ଷତା ବିଷୟରେ ଅଂଶଗ୍ରହଣକାରୀଙ୍କୁ ବୁଝାଇବେ I ଏହା ପରେ ପୋଷ୍ଟର୍ ମାଧ୍ୟମରେ ସିଆରପି ଏହି କାର୍ଯ୍ୟକ୍ରମଟି କିପରି କରାଯିବ ବର୍ଣ୍ଣନା କରିବେ I
  • ତାପରେ ଚାଷୀମାନଙ୍କୁ ଏକ ନିକଟବର୍ତ୍ତୀ ଜମି ବା କୌଣସି ଏକ ଚାଷୀର ବିଲକୁ ନେଇ କାର୍ଯ୍ୟକ୍ରମଟିକୁ ସିଆରପି ପ୍ରଦର୍ଶିତ କରିବେ I ସିଆରପି କିଛି ଚାଷୀଙ୍କୁ ଏହି ଚାଷ ପଦ୍ଧତି ଆଦୃତ କରିବାକୁ କରିବାକୁ କହିବେ ଯାହା ଫଳରେ ସେମାନେ ନିଜ ଜମିରେ ନୁଆ ପ୍ରଣାଳୀ ଗ୍ରହଣ କରିବାକୁ ଆତ୍ମବିଶ୍ୱାସ ପାଇବେ I

. ଉପସଂହାର

  • ସିଆରପିଙ୍କ ସମାପନ ସମ୍ଭାଷଣ ଦ୍ୱାରା ଅଧିବେଶନର ସମାପ୍ତି ବିଷୟରେ ଏହି ଭାଗରେ ଅଲୋଚନା କରାଯାଇଛି I ସେ ପରୀକ୍ଷା କରିବେ କି ଅଂଶଗ୍ରହଣକାରୀମାନେ ଅଧିବେଶନର କାର୍ଯ୍ୟବାହୀକୁ ବୁଝିଛନ୍ତି ନା ନାହିଁ ଏବଂ ଯଦି ସେମାନଙ୍କ ମନରେ କିଛି ସଂଦେହ ଥାଏ ତେବେ ତାହାକୁ ଦୂର କରିବେ ଓ ଶେଷରେ ସେମାନଙ୍କୁ ଏହି ଚାଷ ଋତୁରେ ନିଜ ଜମିରେ ନୁଆ ପଦ୍ଧତିରେ ଚାଷ କରିବା ପାଇଁ ପ୍ରବର୍ତ୍ତାଇବେ I
  • ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମକୁ ଠିକ ଭାବରେ ପୁନର୍ଗ୍ରହଣ କରିପାରୁଛନ୍ତି ନା ନାହିଁ ଜାଣିବା ପାଇଁ ସିଆରପିମାନେ କାର୍ଯ୍ୟକ୍ରମ ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚାରି ଏକ ତ୍ଵରିତ ଆକଳନ କରିବେ I ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଜଣକୁ ପଚରାଯାଇ ପାରିବ କି ସେ ଅଧିବେଶନ ବିଷୟରେ କ'ଣ ବୁଝିଲେ I
  • ଦଳରୁ ଏହା ମଧ୍ୟ ଆକଳନ କରିହେବ କି ସେମାନଙ୍କ ମଧ୍ୟରୁ କେହି ଏହି ଅଧିବେଶନରେ ଶିଖିଥିବା ଚାଷ ପଦ୍ଧତିକୁ ସାଙ୍ଗେ ସାଙ୍ଗେ ଆଦୃତ କରିବାକୁ ଯୋଜନା କରିଛନ୍ତି କି ଏବଂ ସେମାନେ ତାଙ୍କର ସ୍ୱାମୀଙ୍କ ସହ ଏହି ବିଷୟରେ ଅଲୋଚନା କରିଛନ୍ତି କି ?

ଅଧିବେଶନ କାର୍ଯ୍ୟବାହୀର ଲିପିବଦ୍ଧ

ଅଧିବେଶନକୁ ପରିସମାପ୍ତି କଲାବେଳେ ସିଆରପିମାନେ ଅଧିବେଶନ କାର୍ଯ୍ୟବାହୀକୁ ନିମ୍ନ ପ୍ରଦତ୍ତ ଫର୍ମାଟରେ ଲିପିବଦ୍ଧ କରିବେ I ଦିଆଯାଇଥିବା ପ୍ରଶିକ୍ଷଣ ବିଷୟରେ ଚାଷୀମାନେ ଦେଇଥିବା ଉତ୍ତରକୁ ମାର୍ଗକରଣ କରିବା ପାଇଁ ଏହା ପ୍ରକଳ୍ପ ଅଧିକାରୀଙ୍କୁ ସାହାଯ୍ୟ କରିବା ସହ ପରବର୍ତ୍ତୀ ଅଧିବେଶନର ପ୍ରସ୍ତୁତି ପାଇଁ ମଧ୍ୟ ସାହାଯ୍ୟ କରିବ I

"ଅଧିବେଶନ କାର୍ଯ୍ୟବାହୀ-ତଥା-ମତାମତ ଫର୍ମ"

ଉପସଂହାର

ସିଆରପିମାନେ ଚାଷୀମାନଙ୍କୁ ସେମାନଙ୍କ କୃଷିଜାତ ଦ୍ରବ୍ୟକୁ ଉତ୍ତମ ଦରରେ ବିକ୍ରି କରିବାପାଇଁ ପଥ ପ୍ରଦର୍ଶନ କରିବା ସାମର୍ଥ୍ୟ ଥିବା ଉଚିତ I ପାଥୱେଜ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସବୁ ଚାଷୀଙ୍କୁ ଏକ ସାଙ୍ଗରେ ଆଣି ସମୁଦାୟ ଗଠନ କରିବା ଏବଂ କୃଷିଜାତ ଦ୍ରବ୍ୟକୁ ଏକାଠି କରି ଥୋକ ଆକାରରେ ବ୍ୟାପାରୀଙ୍କୁ ବିକ୍ରୟ କରି ଅଧିକ ଲାଭ ଉପାର୍ଜନ କରିବା I ଏହି ପ୍ରକ୍ରିୟାର ସୁବିଧା ହେଉଛି ଯେ ପରିବହନ ଖର୍ଚ୍ଚ ସମସ୍ତଙ୍କ ଭିତରେ ବଣ୍ଟନ ହେବା ସହ ଏହା ଲାଭଦାୟକ ବଜାରରେ ଅଧିକ ମୁଲଚାଲ କରିବା ପାଇଁ ଚାଷୀମାନଙ୍କୁ କ୍ଷମତା ଦେଇଥାଏ I ଏହି ପ୍ରକ୍ରିୟାରେ ଚାଷୀମାନେ କାରବାରର ସର୍ତ୍ତାବଳୀ ଉପରେ କର୍ତ୍ତୁତ୍ୱ ଜାହିରକରି ଉତ୍ପାଦର ନଗଦ ଭୁକ୍ତାନ ପାଇଁ ଦାବି କରି ପାରିବେ I ଚାଷୀମାନଙ୍କ ମଧ୍ୟରେ ଏହି ମାନସିକତା ଆଣିବା ପାଇଁ ଏହି ବିଭାଗରେ ପ୍ରସ୍ତୁତ କରାଯାଇଥିବା ମଡ୍ୟୂଲସବୁ ଧାର୍ଯ୍ୟ ଦଳଗୁଡିକୁ ଦିଗ୍ ଦର୍ଶନ ଦେବ I ଏହି ବିଷୟରେ ପଥପ୍ରଦର୍ଶନକରାଇ କୃଷକ ଉତ୍ପାଦ କମ୍ପାନୀ ଢାଞ୍ଚାରେ ଗ୍ରାମ୍ୟ-ସ୍ତର ଅନୁଷ୍ଠାନ ଗଢିବା କାର୍ଯ୍ୟକୁ ସିଆରପିମାନେ ତ୍ୱରାନ୍ନିତ କରିବା ଉଚିତ I

ଆଧାର – ପୋର୍ଟାଲ ଟିମ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top