ହୋମ / କୃଷି / କୃଷି ନିର୍ଦେଶିକା / ଧାନର ଅମଳ-ପରବର୍ତ୍ତୀ ପରିଚାଳନା (କ୍ଷତି ଓ ଏହାକୁ କିପରି କମ କରିହେବ)
ସେଆର କରନ୍ତୁ

ଧାନର ଅମଳ-ପରବର୍ତ୍ତୀ ପରିଚାଳନା (କ୍ଷତି ଓ ଏହାକୁ କିପରି କମ କରିହେବ)

ଧାନରେ ହେଉଥିବା ଅମଳ-ପରବର୍ତ୍ତୀ କ୍ଷତି ବିଷୟରେ ଧାରଣା ଦେବା ସହ ଏହି କ୍ଷତିକୁ କମ କରିବା ପାଇଁ ଚାଷୀମାନଙ୍କୁ ସଚେତନ କରିବା I

ଲକ୍ଷ୍ୟ

ଅଧିବେଶନର ଅନ୍ତିମ ପର୍ଯ୍ୟାୟ ଆଡକୁ ଅଂଶଗ୍ରହଣକାରୀମାନେ ଧାନରେ ହେଉଥିବା ଅମଳ-ଜନିତ କ୍ଷତିକୁ କମ କରିବା, ଧାନ ଶସ୍ୟରେ ଜରୁରୀ ମାନକୁ ବଜାୟ ରଖିବା ଏବଂ ଉତ୍ତମ ବଜାର ସଲଗ୍ନତା ଇତ୍ୟାଦି ବିଷୟରେ ପରିଚିତ ହୋଇଥିବା ଦରକାର I

ଶିକ୍ଷଣ ଉଦ୍ଦେଶ୍ୟ

  • ଧାନରେ ହେଉଥିବା ଅମଳ-ପରବର୍ତ୍ତୀ କ୍ଷତି ବିଷୟରେ ଧାରଣା ଦେବା ସହ ଏହି କ୍ଷତିକୁ କମ କରିବା ପାଇଁ ଚାଷୀମାନଙ୍କୁ ସଚେତନ କରିବା I
  • ଧାନର ଉତ୍ପାଦକ ମାନ ଓ ଗୁଣବତ୍ତା ବିଷୟରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା I
  • କ୍ଷୁଦ୍ରଚାଷୀମାନଙ୍କୁ ସଶକ୍ତିକରଣ କରିବା ସହ ଲାଭକାରୀ ବଜାରରେ ଧାନକୁ ବିକ୍ରୟ କରି ଆୟକୁ ବଢାଇବା I

ପ୍ରୟୋଜନ

ଅମଳଠାରୁ ଆରମ୍ଭ କରି ଖାଇବା/ବଜାର ସଲଗ୍ନତା ମଧ୍ୟରେ ଚାଷୀମାନେ ସାଧାରଣତଃ ଉଭୟ ପରିମାଣ ଓ ଗୁଣବତ୍ତାରେ କ୍ଷତି ସହିଥଆନ୍ତି I ଅମଳ, ପରିବହନ, ପ୍ରକ୍ରିୟାକରଣ ଓ ମହଜୁଦ ରଖିବା ସମୟରେ ହେଉଥିବା କ୍ଷତି ଚାଷୀମାନଙ୍କ ଆୟ ତଥା ଖାଦ୍ୟ ଉପଲବ୍ଧତା ଉପରେ ପ୍ରତିକୁଳ ପ୍ରଭାବ ପକାଇଥାଏ I ତେଣୁ ଏହି କ୍ଷତି କମିଗଲେ ଚାଷୀମାନଙ୍କର ଖାଦ୍ୟ ଉପଲବ୍ଧତା ତଥା ଆୟ ବଢିଯିବ I ଚାଷୀମାନଙ୍କୁ ଏହି ସବୁ କ୍ଷତି କମ କରିବାର ବିଭିନ୍ନ କୌଶଳ ବିଷୟରେ ଶିଖିବା ପାଇଁ ଏହି ପ୍ରଶିକ୍ଷଣ ମଡ୍ୟୂଲ୍ ସାହାଯ୍ୟ କରିବ I ଏହାସହ ଉଚିତ ଦାମ ପାଇବା ପାଇଁ ଏହା ଧାନ ଶସ୍ୟର କିଛି ନିର୍ଦ୍ଧିଷ୍ଟ ମାନନିର୍ଦ୍ଧାରକ ଯଥା, ଶସ୍ୟର ପ୍ରକାର, ଗୋଟାଳିଆତା, ରୂପ ଓ ଆକାର, ରଙ୍ଗ, ବାହ୍ୟ ବସ୍ତୁର ଉପସ୍ଥିତି, ନଷ୍ଟ ହୋଇଯାଇଥିବା ଦାନା, ଭଙ୍ଗା ଦାନା, ନିମ୍ନ ମାନର ଶସ୍ୟର ଅପମିଶ୍ରଣ, ଆର୍ଦ୍ରତା, ସଂଦୂଷିତ ପଦାର୍ଥ ଇତ୍ୟାଦିର ସଠିକ ପରିଚାଳନା ବିଷୟରେ ଚାଷୀମାନଙ୍କୁ ସଚେତନ କରାଇବ I

ଧାନର ଅମଳ-ପରବର୍ତ୍ତୀ କ୍ଷତି ଓ ଏହାକୁ କିପରି କମ କରିହେବ

ଅଧିବେଶନ ୧.୧

ଧାନର ଅମଳ-ପରବର୍ତ୍ତୀ କ୍ଷତି ଓ ଏହାକୁ କିପରି କମ କରିହେବ I

ଉଦ୍ଦେଶ୍ୟ

ଅମଳ-ପରବର୍ତ୍ତୀ କ୍ଷତି ବିଷୟରେ ଚାଷୀମାନଙ୍କୁ ସଚେତନ କରାଇ ତାକୁ କମ କରିବାର ବିଭିନ୍ନ ଉପାୟ I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଅମଳ-ପରବର୍ତ୍ତୀ କ୍ଷତି ଓ ଏହାକୁ କମ କରିବାର ବିଭିନ୍ନ ଉପାୟ ସବୁକୁ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ଧାନ ଚାଷ କରୁଥିବା ମହିଳା ଚାଷୀ ଓ ସେମାନଙ୍କ ପରିବାରର ପୁରୁଷମାନେ କିମ୍ବା ଯେଉଁମାନେ ଧାନ ଚାଷ କରିବାକୁ ଇଛୁକ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର ଓ ଫିଲ୍ମ ପ୍ରୋଜେକ୍ଟର ।

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ – ୫୦ ମିନିଟ୍ |

ପୃଷ୍ଠଭୁମୀ

ଅମଳଠାରୁ ଆରମ୍ଭ କରି ଖାଇବା/ବଜାର ସଲଗ୍ନତା ମଧ୍ୟରେ ଚାଷୀମାନେ ସାଧାରଣତଃ ଉଭୟ ପରିମାଣ ଓ ଗୁଣବତ୍ତାରେ କ୍ଷତି ସହିଥଆନ୍ତି I ଅମଳ, ପରିବହନ, ପ୍ରକ୍ରିୟାକରଣ ଓ ମହଜୁଦ ରଖିବା ସମୟରେ ହେଉଥିବା କ୍ଷତି ଚାଷୀମାନଙ୍କ ଆୟ ତଥା ଖାଦ୍ୟ ଉପଲବ୍ଧତା ଉପରେ ପ୍ରତିକୁଳ ପ୍ରଭାବ ପକାଇଥାଏ I ତେଣୁ ଏହି କ୍ଷତି କମିଗଲେ ଚାଷୀମାନଙ୍କର ଖାଦ୍ୟ ଉପଲବ୍ଧତା ତଥା ଆୟ ବଢିଯିବ I ଚାଷୀମାନଙ୍କୁ ଏହି ସବୁ କ୍ଷତି କମ କରିବାର ବିଭିନ୍ନ କୌଶଳ ବିଷୟରେ ଶିଖିବା ପାଇଁ ଏହି ପ୍ରଶିକ୍ଷଣ ମଡ୍ୟୂଲ୍ ସାହାଯ୍ୟ କରିବI

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ :

ସୋପାନ - ୧ : ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ସେମାନେ ଧାନର ଅମଳ, ଅମଳ-ପରବର୍ତ୍ତୀ ପର୍ଯ୍ୟାୟ, ପ୍ରକ୍ରିୟାକରଣ, ମହଜୁଦ ରଖିବା ଓ ପରିବହନ କରିବା ସମୟରେ ହେଉଥିବା ଶସ୍ୟ କ୍ଷତି ସମ୍ପର୍କରେ ସଚେତନ ଅଛନ୍ତି କି I ଏହା ମଧ୍ୟ ପଚାରନ୍ତୁ କି ସାମାନ୍ୟତଃ ଏହି ପ୍ରକାର କ୍ଷତିକୁ କମ କରିବା ପାଇଁ ସେମାନେ କ'ଣ ସବୁ ଉପାୟ କରିଥାଆନ୍ତିI

ସୋପାନ - ୨: ଅମଳ-ପରବର୍ତ୍ତୀ କ୍ଷତିକୁ କେମିତି କମ କରାଯାଏ : ଅମଳ-ପରବର୍ତ୍ତୀ କ୍ଷତିକୁ କମ କରିବା ପାଇଁ ତଳେ ବିଭିନ୍ନ ଉପାୟ ଦିଆ ଯାଇଛି I ଏହି ସବୁ ବିଷୟ ଚାଷୀମାନଙ୍କୁ ବୁଝାନ୍ତୁ I:

  1. ଅମଳ ପୁର୍ବବର୍ତ୍ତୀ ଓ ଅମଳ-ପରବର୍ତ୍ତୀ ଉନ୍ନତ ଅଭ୍ୟାସଗୁଡିକୁ ଆଦୃତ କରି
    • ଧାନର ଅମଳ-ପରବର୍ତ୍ତୀ କ୍ଷତିକୁ କମ କରିବା ପାଇଁ, ଅମଳ ପୁର୍ବରୁ ଠିଆ ହୋଇଥିବା ଧାନ ଫସଲକୁ ତଳେ ପଡିଯିବାରୁ ରକ୍ଷା କରିବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ I ପାଖରେ ଠିଆ ହୋଇଥିବା ଧାନ ଫସଲକୁ ଏକା ସାଙ୍ଗରେ ବାନ୍ଧି ଫସଲକୁ ତଳେ ପଡିଯିବାରୁ ରକ୍ଷାକରାଯାଇ ପାରିବ I ଯଦି ଫସଲ ପଡିଯାଏ, ତେବେ ଶସ୍ୟ କ୍ଷତି ହେବାର ଅଧିକ ସମ୍ଭାବନା ରହିଛି I
    • ଶତକଡା ୮୦ ଭାଗ ଶସ୍ୟର ରଙ୍ଗ ସବୁଜରୁ ପାଳ ରଙ୍ଗରେ ପରିବର୍ତ୍ତିତ ହେଲେ ଏବଂ ଜଳୀୟ ଅଂଶ ମାତ୍ରା ୨୧ ରୁ ୨୪ ପ୍ରତିଶତ ଥାଇ ଧାନ ଫସଲକୁ ଅମଳ କରିବା ଉଚିତ I
    • ଅନୁକୁଳ ପାଗ ଦେଖି ଅମଳ କରିବା ଉଚିତ I
    • ଯଦି ଧାନକୁ ହାତରେ ପିଟି ଅମଳ କରାଯାଉଥାଏ, ସବୁତକ ଶସ୍ୟ ବାହାରି ନ ଥାଏ ଏବଂ ଏଥିପାଇଁ ପୁନର୍ବାର ଧାନକୁ ପିଟିବା ଦରକାର ହୋଇଥାଏ I ଏହାସହ, ଠିକ ପିଟିବା ଆଗରୁ ଯେତେବେଳେ ଧାନ ବିଡାକୁ ଉଠାଯାଇଥାଏ, ଶସ୍ୟସବୁ ଖେଳାଇ ହୋଇ ପଡିଯାଏ I ଶସ୍ୟସବୁ ଖଳାର କାଦୁଆ ଚଟାଣରେ ଲାଖି ରହିଯାଇପାରେ ଏବଂ ଅମଳ ଧାନ ପିଟିଲା ବେଳେ କୁକୁଡା ଓ ପକ୍ଷୀମାନେ ଶସ୍ୟକୁ ଖାଇଦେଇ ପାରନ୍ତି I ଏଥିପାଇଁ, ଖଳା ପାଇଁ ଏକ ସଫା ଓ ଶକ୍ତ ଚଟାଣ ବ୍ୟବହାର କରିବା ସହ ଶସ୍ୟକୁ ଘୋଡାଇବା ପାଇଁ ପଲିଥିନ୍ ଜରି ବ୍ୟବହାର କରନ୍ତୁI
    • ଶସ୍ୟର ମାନକୁ ବଜାୟ ରଖିବା ପାଇଁ ଅମଳ ହେବାପରେ ଯଥାଶୀଘ୍ର ଧାନ ପିଟିବା ଆରମ୍ଭ କରିଦେବା ଉଚିତ I
    • ଶସ୍ୟକୁ ଅଧିକ ଶୁଖାଇବା ଉଚିତ ନୁହେଁ, କାରଣ ଏହା ଶସ୍ୟର ମାନଉପରେ ପ୍ରତିକୁଳ ପ୍ରଭାବ ପକାଇବ I
    • ଧାନକୁ ଗଦାକରି ବେଶୀଦିନ ରଖିବାକୁ ପରିବର୍ଜନ କରିବା ଉଚିତ କାରଣ ଅଧିକ ଜଳୀୟ ଅଂଶ ମାତ୍ରାଥିବା ଶସ୍ୟ ଗଦାରେ ରହିଲେ ହଳଦିଆ ପଡିଯାଏ ନତୁବା ବେରଙ୍ଗ ହୋଇଯାଏ I
  2. ଧାନକୁ ସଠିକ ଶୁଖାଇବା, ସଫାକରିବା ଓ ବର୍ଗୀକରଣ କରିବା
    • ଅତ୍ୟଧିକ ଶୁଷ୍କତାରୁ ବଞ୍ଚିବା ପାଇଁ, ଶସ୍ୟକୁ ବାଉଁଶ ପଟି, ପଲିଥିନ୍ ଚାଦର କିମ୍ବା ଶକ୍ତ ଚଟାଣ ଉପରେ ଶୁଖାଇବା ଉଚିତ I
    • ଶସ୍ୟ ଉପରେ ଉପଯୁକ୍ତ ପବନ ଚଳାଚଳ ହେଉଥିବା ଦରକାର I
    • ଶସ୍ୟକୁ ଅଦରକାରୀ ପଦାର୍ଥ ଯଥା, ଘାସ ମଞ୍ଜି, ପାଳ, ଚଷୁ, ଶାଖାୟିତ ସ୍ତବକ, ଫମ୍ପା ଶସ୍ୟ, ନଷ୍ଟ ହୋଇଯାଇଥିବା ଶସ୍ୟ, ବାଲି, ଗୋଡି, ଧୂଳି ଓ ଅନ୍ୟାନ୍ୟ କଣିକାରୁ ଅଲଗା କରିବା ମହତ୍ୱପୂର୍ଣ୍ଣ କାରଣ ବାହ୍ୟ କଣିକାଦ୍ୱାରା ଶସ୍ୟ ଦୂଷିତ ହେଲେ ଏହା ପୋକଯୋକଙ୍କୁ ଅଧିକ ଆକର୍ଷଣ କରିଥାଏ ଏବଂ ଏହାଦ୍ୱାରା ଜଳୀୟ ଅଂଶ ମାତ୍ରା ଅଧିକ ହୋଇଯିବାରୁ ଏହା ଫିମ୍ପି ମାରି ଶସ୍ୟକୁ ଅଧିକ ନଷ୍ଟ କରିଥାଏ I
    • ଶସ୍ୟକୁ ଯେତେବେଳେ ଶୁଖାଇବା ପାଇଁ ରଖାଯାଏ, ଶସ୍ୟରୁ ଜଳୀୟ ଅଂଶ ବାହାରି ପ୍ଲାଷ୍ଟିକ ଚାଦର ଉପରେ ଜମା ହୋଇଯାଏ I ତେଣୁ ଦୁଇ ଘଣ୍ଟା ଶୁଖିବା ପରେ ଶସ୍ୟସବୁକୁ ପ୍ଲାଷ୍ଟିକ ଚାଦରର ଗୋଟିଏ ପାଖକୁ ଠେଲିଦେବା ଦରକାର I ପ୍ଲାଷ୍ଟିକ ଚଦରର ଖୋଲାଥିବା ଅଂଶକୁ ପାଞ୍ଚ ରୁ ଦଶ ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଛାଡିଦିଅନ୍ତୁ I କିଛି ସମୟ ପରେ ପ୍ଲାଷ୍ଟିକ ଚଦରର ଶୁଖିଯାଇଥିବା ଅଂଶ ଆଡକୁ ପୁଣିଥରେ ଶସ୍ୟକୁ ଠେଲି ଦେଇ ଶୁଖାନ୍ତୁ I ଏହି କାର୍ଯ୍ୟକୁ ପ୍ଲାଷ୍ଟିକ ଚଦରର ଅପର ପାର୍ଶ୍ୱରେ ପୁନରାବୃତ୍ତି କରନ୍ତୁ I ଏହିପରି ଭାବରେ ପ୍ଲାଷ୍ଟିକ ଚଦରଟି ପ୍ରତି ଦୁଇ ଘଣ୍ଟାରେ ଥରେ ପବନରେ ଶୁଖାଯିବା ଉଚିତ I
    • ପଶୁ ପକ୍ଷୀଙ୍କ ମଳରୁ ହେଉଥିବା ଦୂଷଣ ତଥା ବର୍ଷାରୁ ଶସ୍ୟକୁ ରକ୍ଷା କରିବା ପାଇଁ ଶୁଖାଇବା ସମୟରେ ଏହା ଉପରେ ଦୃଷ୍ଟି ରଖିବା ଉଚିତ I
    • ରାତି ସମୟରେ ଏବଂ ବର୍ଷା ହେଉଥିଲେ ଶସ୍ୟକୁ ଆଶ୍ରୟ ତଳେ ରଖିବା ଆବଶ୍ୟକ I
    • ଗୋଟିଏ କ୍ଷେପ/ଗଦାରେ ବିଭିନ୍ନ ରଙ୍ଗର ଓ ବିଭିନ୍ନ ପ୍ରକାରର ଧାନକୁ ମିଶ୍ରଣ କରନ୍ତୁ ନାହିଁ I
  3. ବିଛୁଡି ହୋଇ ପଡୁଥିବା ତଥା ପରିବହନ ସମୟରେ ହେଉଥିବା କ୍ଷତିକୁ କମାଇବା ପାଇଁ ଉପାୟ I
    • ବିଛୁରଣରୁ ଧାନ ଶସ୍ୟକୁ ଯତ୍ନ ସହକାରେ ସମ୍ଭାଳିବା ଦରକାର କାରଣ ଏହାଦ୍ୱାରା ଧାନର ଉଭୟ ପରିମାଣ ଓ ମାନରେ କ୍ଷତି ହୋଇଥାଏ I
    • ଧାନକୁ ବିଲରୁ ଖଳାକୁ ନେବାବେଳେ ବହୁତ ଅଧିକ ଶସ୍ୟ ହାନୀ ହୋଇଥାଏ କାରଣ ଏହି କାମ ମଣିଷ କିମ୍ବା ପଶୁମାନଙ୍କଦ୍ୱାରା ସମ୍ପାଦିତ ହୋଇଥାଏ I ଏହାସହ ଫସଲ କାଟିବା, ପାଛୁଡିବା, ଖରାରେ ଶୁଖାଇବା, ସଂଗ୍ରହକରି ବିଡା ବାନ୍ଧିବା ସମୟରେ ମଧ୍ୟ ଶସ୍ୟ ହାନୀ ହୋଇଥାଏ I ସାମାନ୍ୟତଃ, ବିଡା ବନ୍ଧା ଧାନକୁ ଚାଷୀମାନେ ମୁଣ୍ଡରେ କିମ୍ବା ପିଠିରେ ବୋହି ଘରକୁ ଆଣିଥାଆନ୍ତି, ଫଳରେ ଶସ୍ୟ ବିଛୁରିତ ହୋଇ ନଷ୍ଟ ହୋଇଥାଏ I ତେଣୁ ଏହି କ୍ଷତିକୁ କମାଇବା ପାଇଁ ଶସ୍ୟକୁ ବସ୍ତା କିମ୍ବା ଢାଙ୍କୁଣୀ ଲଗା ପାତ୍ରରେ ରଖି ପରିବହନ କରନ୍ତୁ I
    • ବିଛୁରଣ ଓ ଦୂଷଣକୁ କମ କରିବା ପାଇଁ ଧାନକୁ ପିଟିବା, ଶୁଖାଇବା ଓ ସଫାକରିବା ପାଇଁ ପଲିଥିନ୍ ପଟି ବ୍ୟବହାର କରିବା ଉଚିତ I ଏହାସହ ବିଛୁରଣକୁ କମ କରିବା ପାଇଁ ପୁରୁଣା ଏବଂ ଛିଣ୍ଡି ଯାଇଥିବା ଅଖା ବସ୍ତାକୁ ବ୍ୟବହାର କରନ୍ତୁ ନାହିଁ I
  4. ଧାନର ଉପଯୁକ୍ତ ସଂରକ୍ଷଣ
    • ଶସ୍ୟର ପରିମାଣ ଏବଂ ମାନକୁ ନଷ୍ଟହେବାରୁ ରକ୍ଷା କରିବା ପାଇଁ ଉପଯୁକ୍ତ ସଂରକ୍ଷଣ ପ୍ରଣାଳୀ ବ୍ୟବହାର କରିବା ଉଚିତ I
    • ଏକ ଉତ୍ତମ ଶସ୍ୟାଧାର କୀଟପତଙ୍ଗ, ପୋକଯୋକ, ମୂଷା, ଫିମ୍ପି, ପକ୍ଷୀ ଓ ମନୁଷ୍ୟମାନଙ୍କ ଠାରୁ ସଂରକ୍ଷଣ ଦେଇଥାଏI
    • ଧାନକୁ ଶସ୍ୟଧାରରେ ମହଜୁଦ ରଖିବା ପୁର୍ବରୁ ଏହାକୁ ଅନେକ ଥର ଖରାରେ ଶୁଖାଇ ସଫା କରିବା ଦରକାର I
    • ଧାତୁ ନିର୍ମିତ ଶସ୍ୟାଧାର ମଧ୍ୟ ବ୍ୟବହାର କରିହେବ I ବିକଳ୍ପଭାବେ, ଚାଷୀମାନେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା କଞ୍ଚାମାଲକୁ ବ୍ୟବହାର କରି ସରଳ ଓ ସ୍ଵଳ୍ପମୁଲ୍ୟର ଶସ୍ୟାଧାର ନିର୍ମାଣ କରିପାରିବେ ଯାହାକୁ ସହଜରେ ସଫା କରିହେବ I
    • ଶସ୍ୟକୁ ସଂରକ୍ଷଣ କରିବା ଆଗରୁ କାନ୍ଥ ଓ ଚଟାଣରେ ଥିବା ସବୁ ଫାଟ ଓ କଣା ସବୁକୁ ବନ୍ଦ କରିଦିଅନ୍ତୁ I ଏହା ସହ ଅଖା ବସ୍ତା ଓ ଶସ୍ୟରଖିବା ଡବା ସବୁକୁ ସଫାକରି ଖରାରେ ଶୁଖାନ୍ତୁ I
    • ସଂରକ୍ଷଣ କରିବା ପୁର୍ବରୁ ନିଶ୍ଚିତ କରନ୍ତୁ କି ଶସ୍ୟର ଜଳୀୟ ଅଂଶ ମାତ୍ରା ୧୩ ରୁ ୧୪ ପ୍ରତିଶତ ଭିତରେ ରହିଥିବା ଉଚିତ I
    • ସଂରକ୍ଷଣ କରିବା ପୁର୍ବରୁ ଶସ୍ୟ ବସ୍ତା ଗୁଡିକ ଓଜନ କରନ୍ତୁ I ଶସ୍ୟ ମହଜୁଦ କୋଠାରୀଟି ଶୀତଳ ଓ ଶୁଷ୍କ ହୋଇଥିବା ଉଚିତ I ଥଣ୍ଡା ଅବସ୍ଥାରୁ ଧାନ ବସ୍ତାଗୁଡିକୁ ଦୁରେଇ ରଖିବା ପାଇଁ ଚଟାଣ ଉପରେ ପଥର ବିଛାଇଦେଇ ବସ୍ତା ଗୁଡିକୁ ତାହା ଉପରେ ରଖିବା ଉଚିତ କାରଣ ଥଣ୍ଡାରେ ଶସ୍ୟ ଫିମ୍ପି ଲାଗିବାର ଅଧିକ ଆଶଙ୍କା ଥାଏ I
    • ଶସ୍ୟକୁ ମୂଷା ଓ କୀଟ ପତଙ୍ଗ ଠାରୁ ରକ୍ଷା କରିବା ପାଇଁ ନିମ୍ବ ପତ୍ର ଓ ଅନ୍ୟାନ୍ୟ ପ୍ରାକୃତିକ ପଦାର୍ଥ ବ୍ୟବହାର କରନ୍ତୁ I
    • ସଂରକ୍ଷଣ କରିବା ପୁର୍ବରୁ ଶସ୍ୟକୁ ସଫାକରି ଶୁଖାଇବା ନିଶ୍ଚିତ କରନ୍ତୁ I

ଉପସଂହାର

ଅଧିବେଶନର ଶେଷ ଆଡକୁ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ଏହି ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟକୁ ବର୍ଣ୍ଣନା କରିବାକୁ କୁହନ୍ତୁ ଏବଂ ପଚାରନ୍ତୁ କି ଅମଳ ପୁର୍ବରୁ, ଅମଳ ପରେ, ପ୍ରକ୍ରିୟାକରଣ ସମୟରେ, ପରିବହନ ଓ ସଂରକ୍ଷଣ ସମୟରେ କିପରି ଶସ୍ୟହାନୀ ହୁଏ ଏବଂ ଏହି କ୍ଷତିକୁ କମାଇବା ପାଇଁ କ'ଣ ସବୁ ଉପାୟ କରିବା ଆବଶ୍ୟକ I

ଆଧାର – ପୋର୍ଟାଲ ଟିମ

2.96296296296
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top