অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମକାର ଅମଳ-ପରବର୍ତ୍ତୀ ପରିଚାଳନା (କ୍ଷତି ଓ ଏହାକୁ କିପରି କମ କରିହେବ)

ଲକ୍ଷ୍ୟ

ଅଧିବେଶନର ଅନ୍ତିମ ପର୍ଯ୍ୟାୟ ଆଡକୁ ଅଂଶଗ୍ରହଣକାରୀମାନେ ମକାରେ ହେଉଥିବା ଅମଳ-ଜନିତ କ୍ଷତିକୁ କମ କରିବା, ପ୍ରକଳ୍ପ ଗ୍ରାମ ଗୁଡିକରେ ଉତ୍ପାଦର ଏକସମାନ ମାନକୁ ବଜାୟ ରଖିବା ଏବଂ ଉତ୍ତମ ବଜାର କାରବାର ଅନୁସରଣ କରିବା ବିଷୟରେ ପରିଚିତ ହୋଇଥିବା ଦରକାର I

ଶିକ୍ଷଣ ଉଦ୍ଦେଶ୍ୟ

  • ମକାରେ ହେଉଥିବା ଅମଳ-ପରବର୍ତ୍ତୀ କ୍ଷତି ବିଷୟରେ ଧାରଣା ଦେବା ସହ ଏହି କ୍ଷତିକୁ କମ କରିବା ପାଇଁ ଚାଷୀମାନଙ୍କୁ ସଚେତନ କରିବା I
  • ମକାର ଏଫ୍.ଏ.କ୍ୟୁ. ମାନ ବିଷୟରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା I
  • କ୍ଷୁଦ୍ରଚାଷୀମାନଙ୍କୁ ସଶକ୍ତିକରଣ କରିବା ସହ ମକା ଓ ଡାଲି-ଜାତୀୟ ଫସଲର ମାନରେ ଉନ୍ନତି ଆଣିବା ଓ ଲାଭକାରୀ ବଜାରରେ ଏହାକୁ ବିକ୍ରୟ କରି ଆୟକୁ ବଢାଇବା I

ପ୍ରୟୋଜନ

ଅମଳଠାରୁ ଆରମ୍ଭ କରି ଖାଇବା/ବଜାର ସଲଗ୍ନତା ମଧ୍ୟରେ ଚାଷୀମାନେ ସାଧାରଣତଃ ଉଭୟ ପରିମାଣ ଓ ଗୁଣବତ୍ତାରେ କ୍ଷତି ସହିଥାଆନ୍ତି I ଅମଳ, ପରିବହନ, ପ୍ରକ୍ରିୟାକରଣ ଓ ମହଜୁଦ ରଖିବା ସମୟରେ ହେଉଥିବା କ୍ଷତି ଚାଷୀମାନଙ୍କ ଆୟ ତଥା ଖାଦ୍ୟ ଉପଲବ୍ଧତା ଉପରେ ପ୍ରତିକୁଳ ପ୍ରଭାବ ପକାଇଥାଏ I ତେଣୁ ଏହି କ୍ଷତି କମିଗଲେ ଚାଷୀମାନଙ୍କର ଖାଦ୍ୟ ଉପଲବ୍ଧତା ତଥା ଆୟ ବଢିଯିବ I ଚାଷୀମାନଙ୍କୁ ଏହି ସବୁ କ୍ଷତି କମ କରିବାର ବିଭିନ୍ନ କୌଶଳ ବିଷୟରେ ଶିଖିବା ପାଇଁ ଏହି ପ୍ରଶିକ୍ଷଣ ମଡ୍ୟୂଲ୍ ସାହାଯ୍ୟ କରିବ I ଏହାସହ ଉଚିତ ଦାମ ପାଇବା ପାଇଁ ଏହା ମକାର କିଛି ନିର୍ଦ୍ଧିଷ୍ଟ ମାନନିର୍ଦ୍ଧାରକ ଯଥା, ଶସ୍ୟର ପ୍ରକାର, ଗୋଟାଳିଆତା, ରୂପ ଓ ଆକାର, ରଙ୍ଗ, ବାହ୍ୟ ବସ୍ତୁର ଉପସ୍ଥିତି, ନଷ୍ଟ ହୋଇଯାଇଥିବା ଦାନା, ଭଙ୍ଗା ଦାନା, ନିମ୍ନ ମାନର ଶସ୍ୟର ଅପମିଶ୍ରଣ, ଆର୍ଦ୍ରତା, ସଂଦୂଷିତ ପଦାର୍ଥ ଇତ୍ୟାଦିର ସଠିକ ପରିଚାଳନା ବିଷୟରେ ଚାଷୀମାନଙ୍କୁ ସଚେତନ କରାଇବ I ଦଳଗତ ବିପଣନ ପ୍ରକ୍ରିୟା ସମ୍ବଦ୍ଧରେ ବୁଝିବା ପାଇଁ ଏହି ପ୍ରଶିକ୍ଷଣ ଟୁଲଟି ଚାଷୀମାନଙ୍କୁ ସାହାଯ୍ୟ କରିବାସହ ଦଳଗତ ଭାବେ ଉତ୍ପାଦକୁ ବିକ୍ରୟକରି ବୃଦ୍ଧୀୟ ଦର ପାଇବାରେ ଏହା ସେମାନଙ୍କ ପଇଁ ସହାୟକ ହେବ I

ମକାରେ ହେଉଥିବା ଅମଳ-ପରବର୍ତ୍ତୀ କ୍ଷତି ଓ ଏହାକୁ କିପରି କମ କରିହେବ

ଅଧିବେଶନ ୨.୧

ମକାରେ ହେଉଥିବା ଅମଳ-ପରବର୍ତ୍ତୀ କ୍ଷତି ଓ ଏହାକୁ କିପରି କମ କରିହେବ I

ଉଦ୍ଦେଶ୍ୟ

ମକାରେ ହେଉଥିବା ଅମଳ-ପରବର୍ତ୍ତୀ କ୍ଷତି ବିଷୟରେ ଚାଷୀମାନଙ୍କୁ ସଚେତନ କରାଇ ତାକୁ କମ କରିବାର ବିଭିନ୍ନ ଉପାୟ I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଅମଳ-ପରବର୍ତ୍ତୀ କ୍ଷତି ଓ ଏହାକୁ କମ କରିବାର ବିଭିନ୍ନ ଉପାୟ ସବୁକୁ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ମକା ଚାଷ କରୁଥିବା ମହିଳା ଚାଷୀ ଓ ସେମାନଙ୍କ ପରିବାରର ପୁରୁଷମାନେ କିମ୍ବା ଯେଉଁମାନେ ମକା ଚାଷ କରିବାକୁ ଇଛୁକ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନI

ଦରକାରୀ ସାମଗ୍ରୀ

ପୋଷ୍ଟର ଓ ଫିଲ୍ମ ପ୍ରୋଜେକ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ– ୫୦ ମିନିଟ୍ |

ପୃଷ୍ଠଭୁମୀ

ଅମଳଠାରୁ ଆରମ୍ଭ କରି ଖାଇବା/ବଜାର ସଲଗ୍ନତା ମଧ୍ୟରେ ଚାଷୀମାନେ ସାଧାରଣତଃ ଉଭୟ ପରିମାଣ ଓ ଗୁଣବତ୍ତାରେ କ୍ଷତି ସହିଥଆନ୍ତି I ଅମଳ, ପରିବହନ, ପ୍ରକ୍ରିୟାକରଣ ଓ ମହଜୁଦ ରଖିବା ସମୟରେ ହେଉଥିବା କ୍ଷତି ଚାଷୀମାନଙ୍କ ଆୟ ତଥା ଖାଦ୍ୟ ଉପଲବ୍ଧତା ଉପରେ ପ୍ରତିକୁଳ ପ୍ରଭାବ ପକାଇଥାଏ I ତେଣୁ ଏହି କ୍ଷତି କମିଗଲେ ଚାଷୀମାନଙ୍କର ଖାଦ୍ୟ ଉପଲବ୍ଧତା ତଥା ଆୟ ବଢିଯିବ I ଚାଷୀମାନଙ୍କୁ ଏହି ସବୁ କ୍ଷତି କମ କରିବାର ବିଭିନ୍ନ କୌଶଳ ବିଷୟରେ ଶିଖିବା ପାଇଁ ଏହି ପ୍ରଶିକ୍ଷଣ ମଡ୍ୟୂଲ୍ ସାହାଯ୍ୟ କରିବ I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ମକାର ଅମଳ, ଅମଳ-ପରବର୍ତ୍ତୀ ପର୍ଯ୍ୟାୟ, ପ୍ରକ୍ରିୟାକରଣ, ମହଜୁଦ ରଖିବା ଓ ପରିବହନ କରିବା ସମୟରେ ହେଉଥିବା ଶସ୍ୟ କ୍ଷତି ସମ୍ପର୍କରେ ସଚେତନ ଅଛନ୍ତି କି I ଏହା ମଧ୍ୟ ପଚାରନ୍ତୁ କି ସାମାନ୍ୟତଃ ଏହି ପ୍ରକାର କ୍ଷତିକୁ କମ କରିବା ପାଇଁ ସେମାନେ କ'ଣ ସବୁ ଉପାୟ କରିଥାଆନ୍ତିI

ସୋପାନ -୨: ଅମଳ-ପରବର୍ତ୍ତୀ କ୍ଷତିକୁ କେମିତି କମ କରାଯାଏ : ଅମଳ ଏବଂ ଅମଳ-ପରବର୍ତ୍ତୀ ସମୟରେ ସମୟରେ ଶସ୍ୟ ବିଛୁଡି ହୋଇ ନଷ୍ଟ ହୋଇ ଯାଇଥିବା ଏହି ପୋଷ୍ଟରକୁ ଚାଷୀମାନଙ୍କୁ ଦେଖାନ୍ତୁ ଏବଂ ବୁଝାନ୍ତୁ ଏହାକୁ କିପରି କମ କରିହେବ:

  1. ଅମଳ ପୁର୍ବବର୍ତ୍ତୀ ଓ ଅମଳ-ପରବର୍ତ୍ତୀ ଉନ୍ନତ ଅଭ୍ୟାସଗୁଡିକୁ ଆଦୃତ କରି:
    • ମକାର ଅମଳ-ପରବର୍ତ୍ତୀ କ୍ଷତିକୁ କମ କରିବା ପାଇଁ, ଅମଳ ପୁର୍ବରୁ ଠିଆ ହୋଇଥିବା ମକା ଫସଲକୁ ତଳେ ପଡିଯିବାରୁ ରକ୍ଷା କରିବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ I ପାଖରେ ଠିଆ ହୋଇଥିବା ଦୁଇ ତିନୋଟି ମକା ଗଛକୁ ଏକା ସାଙ୍ଗରେ ବାନ୍ଧି ଫସଲକୁ ତଳେ ପଡିଯିବାରୁ ରକ୍ଷାକରାଯାଇ ପାରିବ I ଯଦି ଗଛ ତଳେ ପଡିଯାଏ, ତେବେ ଉଇ ଆକ୍ରମଣ ଓ ଦୂଷିତ ହେବାର ଅଧିକ ଆଶଙ୍କା ଥାଏ I
    • ମକା ଶୁଖିବା ସାଙ୍ଗେ ସାଙ୍ଗେ ଅମଳ କରିବା ଦରକାର I ପାକଳ ହୋଇଥିବା ଫସଲକୁ ଜମିରେ ବେଶୀଦିନ ରଖିବା ଉଚିତ ନୁହେଁ କାରଣ ଅଧିକ ଦିନ ଜମିରେ ରହିଲେ ଏହା ବମାପୋକର ଆକ୍ରମଣର ଶୀକାର ହେବା ସହ ଗଛ ତଳେ ପଡିଯିବାର ଅଧିକ ଆଶଙ୍କା ଥାଏ I
    • ଗଛର କାଣ୍ଡ ଶୁଖିଗଲା ପରେ ଏବଂ ଶସ୍ୟର ଜଳୀୟ ଅଂଶ ମାତ୍ରା ଶତକଡା ୨୨ ରୁ ୨୬ ପ୍ରତିଶତ ମଧ୍ୟରେ ଥିଲେ ଏହା ମକା ଅମଳର ପ୍ରକୃଷ୍ଟ ସମୟ ହୋଇଥାଏ I
    • ଅମଳ ପୁର୍ବରୁ ଶୁଖାଇବା ଜାଗା ଓ ଉପକରଣସବୁ ସୂର୍ଯ୍ୟାଲୋକରେ ଶୁଖାଇ ପରିଷ୍କାର ତଥା ବିସଂକ୍ରମିତ କରନ୍ତୁ I
    • ନୁଆ ଶସ୍ୟକୁ ପୋକଯୋକ ଏବଂ ତାଙ୍କର ଅଣ୍ଡାରୁ ରକ୍ଷା କରିବା ପାଇଁ ଗୋଦାମ/ଖଳାରୁ ପୁରୁଣା ଶସ୍ୟ ଓ ମଇଳା ସବୁକୁ ବାହାର କରିଦିଅନ୍ତୁ I
    • ଅମଳ ସମୟରେ ସଂକ୍ରମଣକୁ କମ କରିବା ପାଇଁ ସଂକ୍ରମିତ ମକା ଭଣ୍ଡାଗୁଡିକୁ ଅନ୍ୟ ମକାଠାରୁ ଅଲଗା କରନ୍ତୁ I
  2. ମକା ଭଣ୍ଡା ଓ ଦାନାକୁ ସଠିକ ଶୁଖାଇବା, ସଫାକରିବା ଓ ବର୍ଗୀକରଣ କରିବା
    • ଅମଳ ସମୟରେ ସଂକ୍ରମଣକୁ କମ କରିବା ପାଇଁ ସଂକ୍ରମିତ ମକା ଭଣ୍ଡା ଗୁଡିକୁ ଅନ୍ୟ ମକାଠାରୁ ଅଲଗା କରନ୍ତୁ I
    • ଅମଳ ପରେ ମକା ଭଣ୍ଡା ସବୁକୁ କାଠ, ବାଉଁଶ ଇତ୍ୟାଦି ସ୍ଥାନୀୟ ଦ୍ରବ୍ୟକୁ ବ୍ୟବହାର କରି ଅସ୍ଥାୟୀ ସଂରକ୍ଷଣ ପାତ୍ର ନିର୍ମାଣକରି ସେଥିରେ ଶୁଖାଇବା ସହ ମହଜୁଦ ରଖିବା ଉଚିତ I
    • ମକା ଭଣ୍ଡାଗୁଡିକୁ ମାଟି ଚଟାଣ ଉପରେ ରଖିବା ଉଚିତ ନୁହେଁ I ଦାନାସବୁ ମାଟି ଉପରେ ରହଲେ ଏହା ମାଟିରୁ ଆର୍ଦ୍ରତା ଶୋଷଣ କରିଥାଏ ଏବଂ ଏଥିରେ ମଇଳା ଲାଗିବା ସହ ପୋକଯୋକ ଦ୍ୱାରା ସଂକ୍ରମିତ ହୋଇଥାଏ I
    • ମକା ଭଣ୍ଡାସବୁକୁ ସବୁବେଳେ ପଟି, ପ୍ଲାଷ୍ଟିକ ଚାଦର କିମ୍ବା ଶକ୍ତ ଚଟାଣ ଉପରେ ଶୁଖାଇବା ଉଚିତ I
    • ଦାନାରେ ଜଳୀୟ ଅଂଶ ମାତ୍ରାକୁ କମାଇ ଶତକଡା ୧୮ ରୁ ୧୯ ପ୍ରତିଶତ ପର୍ଯ୍ୟନ୍ତ ଆଣିବା ପାଇଁ ମକା ଭଣ୍ଡାସବୁକୁ ଦୁଇ ରୁ ତିନି ସପ୍ତାହ ପର୍ଯ୍ୟନ୍ତ ଶୁଖାନ୍ତୁ I
    • ଯଦି ଉତ୍ପାଦ ଅଧିକ ଥାଏ, ମକାଦାନା ଛଡାଇବା ଯନ୍ତ୍ର ବ୍ୟବହାର କରିବା ଉଚିତ ଯଦ୍ୱାରା ଶ୍ରମ ଖର୍ଚ୍ଚ କମ ହେବା ସହ ଦାନାର ମାନକୁ ବଜାୟ ରଖିହେବI
    • ଶସ୍ୟକୁ ଯେତେବେଳେ ଶୁଖାଇବା ପାଇଁ ରଖାଯାଏ, ଶସ୍ୟରୁ ଜଳୀୟ ଅଂଶ ବାହାରି ପ୍ଲାଷ୍ଟିକ ଚାଦର ଉପରେ ଜମା ହୋଇଯାଏ I ତେଣୁ ଦୁଇ ଘଣ୍ଟା ଶୁଖିବା ପରେ ଶସ୍ୟସବୁକୁ ପ୍ଲାଷ୍ଟିକ ଚାଦରର ଗୋଟିଏ ପାଖକୁ ଠେଲିଦେବା ଦରକାର I ପ୍ଲାଷ୍ଟିକ ଚଦରର ଖୋଲାଥିବା ଅଂଶକୁ ପାଞ୍ଚ ରୁ ଦଶ ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଛାଡିଦିଅନ୍ତୁ I କିଛି ସମୟ ପରେ ପ୍ଲାଷ୍ଟିକ ଚଦରର ଶୁଖିଯାଇଥିବା ଅଂଶ ଆଡକୁ ପୁଣିଥରେ ଶସ୍ୟକୁ ଠେଲି ଦେଇ ଶୁଖାନ୍ତୁ I ଏହି କାର୍ଯ୍ୟକୁ ପ୍ଲାଷ୍ଟିକ ଚଦରର ଅପର ପାର୍ଶ୍ୱରେ ପୁନରାବୃତ୍ତି କରନ୍ତୁ I ଏହିପରି ଭାବରେ ପ୍ଲାଷ୍ଟିକ ଚଦରଟି ପ୍ରତି ଦୁଇ ଘଣ୍ଟାରେ ଥରେ ପବନରେ ଶୁଖାଯିବା ଉଚିତ I
    • ପଶୁ ପକ୍ଷୀଙ୍କ ମଳରୁ ହେଉଥିବା ଦୂଷଣ ତଥା ବର୍ଷାରୁ ଶସ୍ୟକୁ ରକ୍ଷା କରିବା ପାଇଁ ଶୁଖାଇବା ସମୟରେ ଏହା ଉପରେ ଦୃଷ୍ଟି ରଖିବା ଉଚିତ I
    • ରାତି ସମୟରେ ଏବଂ ବର୍ଷା ହେଉଥିଲେ ଶସ୍ୟକୁ ଆଶ୍ରୟ ତଳେ ରଖିବା ଆବଶ୍ୟକ I
    • ଗୋଟିଏ କ୍ଷେପ/ଗଦାରେ ବିଭିନ୍ନ ରଙ୍ଗର ଓ ବିଭିନ୍ନ ପ୍ରକାରର ମକାକୁ ମିଶ୍ରଣ କରନ୍ତୁ ନାହିଁ I
    • ଯେତେଦୂର ସମ୍ଭବ ଦାନାସବୁକୁ ପରିଷ୍କାର କରି ରଖିବା ଉଚିତ I ମକା ଦାନାକୁ ସଂରକ୍ଷଣ ବା ବିକ୍ରୟ କରିବା ଆଗରୁ ଏହାକୁ ସଫାକରି ଚାଲୁଣୀରେ ଚଳାଇ ସେଥିରୁ ଭଙ୍ଗା ଦାନା, ବାହ୍ୟ ବସ୍ତୁସବୁକୁ ବାହାର କରି ଦିଅନ୍ତୁ କାରଣ ଏହା କୀଟପତଙ୍ଗ ଓ ଆର୍ଦ୍ରତାକୁ ଆମନ୍ତ୍ରଣ କରିବା ସହ ଫିମ୍ପିମାରି ଦାନକୁ ନଷ୍ଟ କରିଦେଇଥାଏ ।
  3. ବିଛୁରଣ ତଥା ପରିବହନ ସମୟରେ ହେଉଥିବା କ୍ଷତିକୁ କମାଇବା ପାଇଁ ଉପାୟ ।
    • ବିଛୁରଣ ମକାଭଣ୍ଡା ଗୁଡିକୁ ଯତ୍ନ ସହକାରେ ସମ୍ଭାଳିବା ଦରକାର କାରଣ ଏହାଦ୍ୱାରା ମକାର ଉଭୟ ପରିମାଣ ଓ ମାନରେ କ୍ଷତି ହୋଇଥାଏI
    • ବିଛୁରଣ ଦ୍ୱାରା ଦାନାର ମାନ ମଧ୍ୟ ଖରାପ ହୋଇଥାଏ କାରଣ ସଂକ୍ରମିତ ମକା ଭଣ୍ଡା ବା ଦାନା ସଫା ଦାନା ସହ ମିଶି ଯାଇଥାଏ I ସଂକ୍ରମଣ ଫଳରେ ଫିମ୍ପି ସୃଷ୍ଟି ହୋଇ ଥାଏ I ଯଦି ବିଛୁରିତ ଦାନା ଆର୍ଦ୍ରତା ସଂସ୍ପର୍ଶରେ ଅସିଥାଏ ତେବେ ଏହା ଅଧିକ ଖରାପ ହୋଇଯିବ I
    • ମକାରୁ ମଞ୍ଜି ଛଡାଇବା ବେଳେ, ପରିବହନ ସମୟରେ, ଅଖାରେ ଭର୍ତ୍ତିକରିବା ସମୟରେ ଦାନା ସବୁ ବିଛୁରିତ ହୋଇଥାଏ I
    • ମକା ଭଣ୍ଡା ସବୁ ପରିବହନ କରିବା ସମୟରେ ସବୁବେଳେ ବାଉଁଶରେ ପ୍ରସ୍ତୁତ ଢାଙ୍କୁଣୀଲଗା ଡବା ବ୍ୟବହାର କରିବା ନିଶ୍ଚିତ କରନ୍ତୁ I
    • ମକାରୁ ମଞ୍ଜି ଛଡାଇବା ସମୟରେ, ବିଛୁରଣ ଓ ଦୂଷଣକୁ କମ କରିବା ପାଇଁ ପଲିଥିନ ପଟି ସାମ୍ନାରେ ରଖନ୍ତୁ I
    • ଏହାସହ ବିଛୁରଣ କମ କରିବା ପାଇଁ ପୁରୁଣା ଏବଂ ଛିଣ୍ଡି ଯାଇଥିବା ଅଖା ବସ୍ତାକୁ ବ୍ୟବହାର କରନ୍ତୁ ନାହିଁ I
  4. ମକା ଭଣ୍ଡା ଓ ଦାନାର ସଠିକ ସଂରକ୍ଷଣ
    • ଦାନାର ପରିମାଣ ଏବଂ ମାନକୁ ନଷ୍ଟହେବାରୁ ରକ୍ଷା କରିବା ପାଇଁ ଉପଯୁକ୍ତ ସଂରକ୍ଷଣ ପ୍ରଣାଳୀ ବ୍ୟବହାର କରିବା ଉଚିତ I
    • ଏକ ଉତ୍ତମ ଶସ୍ୟାଧାର କୀଟପତଙ୍ଗ, ପୋକଯୋକ, ମୂଷା, ଫିମ୍ପି, ପକ୍ଷୀ ଓ ମନୁଷ୍ୟମାନଙ୍କ ଠାରୁ ସଂରକ୍ଷଣ ଦେଇଥାଏ I
    • ଦାନାକୁ ଶସ୍ୟଧାରରେ ମହଜୁଦ ରଖିବା ପୁର୍ବରୁ ଏହାକୁ ଅନେକ ଥର ଖରାରେ ଶୁଖାଇ ସଫା କରିବା ଦରକାର I
    • ଧାତୁ ନିର୍ମିତ ଶସ୍ୟାଧାର ମଧ୍ୟ ବ୍ୟବହାର କରିହେବ I ବିକଳ୍ପଭାବେ, ଚାଷୀମାନେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା କଞ୍ଚାମାଲକୁ ବ୍ୟବହାର କରି ସରଳ ଓ ସ୍ଵଳ୍ପମୁଲ୍ୟର ଶସ୍ୟାଧାର ନିର୍ମାଣ କରିପାରିବେ ଯାହାକୁ ସହଜରେ ସଫା ଓ ମରାମତି କରିହେବ I
    • ଶସ୍ୟକୁ ସଂରକ୍ଷଣ କରିବା ଆଗରୁ କାନ୍ଥ ଓ ଚଟାଣରେ ଥିବା ସବୁ ଫାଟ ଓ କଣ ସବୁକୁ ବନ୍ଦ କରିଦିଅନ୍ତୁ I ଏହା ସହ ଅଖା ବସ୍ତା ଓ ଶସ୍ୟରଖିବା ଡବା ସବୁକୁ ସଫାକରି ଖରାରେ ଶୁଖାନ୍ତୁ I
    • ଅସ୍ଥାୟୀ ଭାବେ ସଂରକ୍ଷଣ କରିବା ପାଇଁ ଦାନାକୁ ପ୍ରାକୃତିକ ତନ୍ତୁରୁ ପ୍ରସ୍ତୁତ ବ୍ୟାଗରେ ଭର୍ତ୍ତିକରି ଓଜନ କରନ୍ତୁ I ସଂରକ୍ଷଣ କରିବା ପୁର୍ବରୁ ନିଶ୍ଚିତ କରନ୍ତୁ କି ମକା ଦାନା କିମ୍ବା ମକା ଭଣ୍ଡାର ଜଳୀୟ ଅଂଶ ମାତ୍ରା ଶତକଡା ୧୩ ରୁ ୧୪ ପ୍ରତିଶତ ଭିତରେ ରହିଥିବା ଉଚିତ I
    • ସଂରକ୍ଷଣ କରିବା ପୁର୍ବରୁ ଶସ୍ୟ ବସ୍ତା ଗୁଡିକ ଓଜନ କରନ୍ତୁ I ଶସ୍ୟ ମହଜୁଦ କୋଠାରୀଟି ଶୀତଳ ଓ ଶୁଷ୍କ ହୋଇଥିବା ଉଚିତ I ଥଣ୍ଡା ଅବସ୍ଥାରୁ ମକା ବସ୍ତାଗୁଡିକୁ ଦୁରେଇ ରଖିବା ପାଇଁ ଚଟାଣ ଉପରେ ପଥର ବିଛାଇଦେଇ ବସ୍ତା ଗୁଡିକୁ ତାହା ଉପରେ ରଖିବା ଉଚିତ କାରଣ ଥଣ୍ଡାରେ ଶସ୍ୟ ଫିମ୍ପି ଲାଗିବାର ଅଧିକ ଆଶଙ୍କା ଥାଏ I
    • ଶସ୍ୟକୁ ମୂଷା ଓ କୀଟ ପତଙ୍ଗ ଠାରୁ ରକ୍ଷା କରିବା ପାଇଁ ନିମ୍ବ ପତ୍ର ଓ ଅନ୍ୟାନ୍ୟ ପ୍ରାକୃତିକ ପଦାର୍ଥ ବ୍ୟବହାର କରନ୍ତୁI
    • ସଂରକ୍ଷଣ କରିବା ପୁର୍ବରୁ ଶସ୍ୟକୁ ସଫାକରି ଶୁଖାଇବା ନିଶ୍ଚିତ କରନ୍ତୁ I ସାଧାରଣତଃ ଚାଷୀମାନେ ଅମଳ ପରେ ସାଙ୍ଗେ ସାଙ୍ଗେ ସେମାନଙ୍କର ଉତ୍ପାଦକୁ ବିକ୍ରୀ କରିଦିଅନ୍ତି କାରଣ ସେମାନେ ସଂରକ୍ଷଣ ସମୟରେ ଶସ୍ୟହାନୀର ପୂର୍ବାନୁମାନ କରିଥାଆନ୍ତି I କିନ୍ତୁ, ଅନୁକୂଳ ଦର ମିଳିଲା ପର୍ଯ୍ୟନ୍ତ ଉତ୍ପାଦକୁ ଉପଯୁକ୍ତ ସଂରକ୍ଷଣ ପ୍ରବନ୍ଧନ ସହ ମହଜୁଦ କରି ରଖିବା ସମ୍ଭବ ହୋଇ ପାରିବ I

ଉପସଂହାର

ଅଧିବେଶନର ଶେଷ ଆଡକୁ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ଏହି ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟକୁ ବର୍ଣ୍ଣନା କରିବାକୁ କୁହନ୍ତୁ ଏବଂ ପଚାରନ୍ତୁ କି ଅମଳ ପୁର୍ବରୁ, ଅମଳ ପରେ, ପ୍ରକ୍ରିୟାକରଣ ସମୟରେ, ପରିବହନ ଓ ସଂରକ୍ଷଣ ସମୟରେ କିପରି ଶସ୍ୟହାନୀ ହୋଇଥାଏ ଏବଂ ଏହି କ୍ଷତିକୁ କମାଇବା ପାଇଁ କ'ଣ ସବୁ ଉପାୟ କରିବା ଆବଶ୍ୟକ I ଏହାସହ ଅଂଶଗ୍ରହଣକାରୀ କୌଣସି ସନ୍ଦେହ ଥିଲେ ତାହାକୁ ଦୂର କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 4/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate