ହୋମ / କୃଷି / ଜଳସେଚନ / ଜଳ ନିଷ୍କାସନ
ସେଆର କରନ୍ତୁ

ଜଳ ନିଷ୍କାସନ

ଜଳ ନିଷ୍କାସନ କରିବା ସମ୍ବନ୍ଧରେ ସୂଚନା ।

ମାଟି ଉପରୁ ବା ଭିତରୁ ଅଧିକା ଜଳକୁ କୌଣସି କୃତ୍ରିମ ଉପାୟରେ ବାହାର କରିନେବା ପ୍ରଣାଳୀକୁ ଜଳ ନିଷ୍କାସନ କୁହାଯାଏ । ଜଳ ମୃତ୍ତିକାର  ଉପରିଭାଗରୁ ତଳକୁ ବହିଯାଇ ଭୂମିନିମ୍ନ ଜଳସ୍ତର ସହିତ ମିଶେ । ଭୂମିମ୍ନ ଜଳପତନ ଗଭୀର ହୋଇଥିଲେ ଫସଲ ଏହି ଜଳକୁ ବ୍ୟବହାର ବହିଯାଉଥିବା   ପାଣି ମଧ୍ୟ ନିଷ୍କାସିତ ପାଣି । ଏଣୁ ନିଷ୍କାସିତ ଜଳ, ନିଷ୍କାସନ ସଂଜ୍ଞା ସ୍ଥାନ ଓ ଉଦ୍ଦେଶ୍ୟ ଅନୁସାରେ ଭିନ୍ନ ହୋଇଥାଏ । କୃଷି କ୍ଷେତ୍ରରେ ଫସଲର ବୃଦ୍ଧି ଓ ବିକାଶ  ପାଇଁ ଆବଶ୍ୟକ ପରିମାଣରୁ ଅଧିକା ଜଳକୁ କୃତ୍ରିମ ଉପାୟରେ ବାହାର କରିନେବା ପ୍ରଣାଳୀକୁ ଜଳ ନିଷ୍କାସନ କୁହାଯାଏ ।

ଜଳାନୁବେଧନତା ସୃଷ୍ଟିର କାରଣ

ମୃତ୍ତିକାର ଜଳଧାରଣ କ୍ଷମତା ଠାରୁ ଅଧିକ ଜଳ ରହିଲେ ମୃତ୍ତିକା ସନ୍ତସନ୍ତିଆ ରହେ । ପାଣି ଅଧିକ ହେଲେ କିଆରୀରେ ପାଣି ଠିଆ ହୋଇ ରହେ । ଏପରି  ଅବସ୍ଥାକୁ ଜଳାନୁବେଧନତା କୁହାଯାଏ । ଜଳାନୁବେଧନତା ପ୍ରାକୃତିକ ବା କୃତ୍ରିମ କାରଣରୁ ସୃଷ୍ଟି ହୋଇଥାଏ ।

ଅବସ୍ଥା ଦୃଷ୍ଟିରୁ ଏହା ମୁଖ୍ୟ ବା ଗୌଣ କାରଣ ରୂପେ ଦେଖା ଦେଇଥାଏ । ଉଭୟ କାରଣର ସଂଯୋଗରେ ଜଳାନୁବେଧନତା ସୃଷ୍ଟି ହୋଇଥାଏ । ସ୍ଥାନର   ଭୌଗଳିକ ଓ ପ୍ରାକୃତିକ ଅବସ୍ଥିତି, ଢାଲୁ , ମୃତ୍ତିକାର ଜଳ ପ୍ରବାହ ଗୁଣ, ସେଚ ଜମିର ଆକାର, ବୃଷ୍ଟିପାତ ହାର ଓ ପରିମାଣ ପ୍ରାକୃତିକ କାରଣ ଅନ୍ତର୍ଗତ । ଜଳଭଣ୍ଡାର ଓ  କେନାଲରୁ ଝରି ଆସୁଥିବା ଜଳ, ଫସଲର ଆବଶ୍ୟକତା ଠାରୁ ଅଧିକ ଜଳସେଚନ, ନିଷ୍କାସନ ଲାଗି ନାଳର ଅଭାବ କୃତ୍ରିମ କାରଣ  ଅନ୍ତର୍ଗତ । ଉପରୋକ୍ତ କାରଣ ଯୋଗୁଁ  ଭୂମିମ୍ନ ଜଳସ୍ତର ଉପରକୁ ଉଠି ଆସେ ଏବଂ ଜଳାନୁବେଧନତା ସୃଷ୍ଟି ହୁଏ ।

ଶୁଷ୍କ ଜଳବାୟୁ ଅଞ୍ଚଳରେ ଜଳାନୁବେଧନତା ସମସ୍ୟା କମ୍ ଆର୍ଦ୍ର ଜଳବାୟୁରେ ଅତ୍ୟଧିକ ବର୍ଷା ଯୋଗୁ ଜଳାନୁବେଧନତା ସୃଷ୍ଟି ହୁଏ । ନଦୀ ଉପକୂଳସ୍ଥ  ସମତଳ ଭୂମି ମାନଙ୍କରେ ପଟୁ ଓ କର୍ଦ୍ଦମାକ୍ତ ମୃତ୍ତିକାର ଜଳଧାରଣ ଶକ୍ତି ଅଧିକ ଓ ଜଳ ପରିବାହିତା କମ୍ ହୋଇଥିବାରୁ ବୃଷ୍ଟିଜଳ ଶୀଘ୍ର ନିଷ୍କାସିତ   ହୋଇପାରେ ନାହିଁ । ଏଣୁ ଜଳାନୁବେଧନତା ସୃଷ୍ଟି ହୁଏ । କେତେକ ସ୍ଥାନରେ ଉପକୂଳ ଅଞ୍ଚଳ ସମତଳ ଭୂମିର ମୃତ୍ତିକା ବାଲିଆ ହୋଇଥିଲେ ସୁଦ୍ଧା ସମୁଦ୍ର  କୂଳିଆ ହୋଇଥିବାରୁ ଭୂମିମ୍ନ ଜଳସ୍ତର ଉପରକୁ ଉଠି ଜଳାନୁବେଧନତା ସୃଷ୍ଟି ହୁଏ । ଦାକ୍ଷିଣାତ୍ୟ ମାଳଭୂମିରେ କୃଷ୍ଣ ମୃତ୍ତିକାର ଜଳପରିବାହିତା କମ ଓ  ଜଳଧାରଣ ଶକ୍ତି ଅଧିକ ହୋଇଥିବାରୁ ଅଳ୍ପ ବୃଷ୍ଟି ସତ୍ତ୍ୱେ ଜଳାନୁବେଧନତା ସୃଷ୍ଟି ହୋଇଥାଏ ।  କେତେକ ଅଞ୍ଚଳରେ ଉଷ୍ମପ୍ରସବଣ ଓ ଉତ୍ସକୂପ ହେତୁ   ଜଳାନୁବେଧନତା ମଧ୍ୟ ସୃଷ୍ଟି ହୋଇଥାଏ । ଜଳସେଚିତ ଅଞ୍ଚଳରେ ଜଳ ସୁଲଭତା ହେତୁ ଓ ଭବିଷ୍ୟତରେ ଜଳ ନମିଳିବା ଭୟରୁ ରକ୍ଷା ପାଇବା ପାଇଁ   ଅଧିକ ଜଳସେଚନ କରାଯାଇଥାଏ । ଏଣୁ ଜଳାନୁବେଧନତା ସୃଷ୍ଟି ହୁଏ । ଓଡିଶାର ହୀରାକୁଦ ସେଚଅଞ୍ଚଳର ଜମି ଉଭୟ ପାର୍ଶ୍ଵରୁ ମଧ୍ୟ ଭାଗକୁ କ୍ରମେ   ଢାଲୁ ହୋଇଥିବାରୁ ଓ କେନାଲ ଗୁଡିକ ଜମିର ଉପର ମୁଣ୍ଡରେ ପ୍ରବାହିତ ହେଉଥିବାରୁ କେନାଲରୁ ଜଳ ଝରି ଆସି ବାହାର ଜମିରେ ଜଳାନୁବେଧନତା  ସୃଷ୍ଟି ହୋଇଛି । ଓଡିଶାର ଉପତ୍ୟକା ଅଞ୍ଚଳ ଅତ୍ୟନ୍ତ ସମତଳ ହୋଇଥିବାରୁ ଜଳାନୁବେଧନତା ଏଠାରେ ଏକ ସାଦାରଣ ସମସ୍ୟା ।

ଜଳାନୁବେଧନତାର ପ୍ରଭାବ

ଜଳାନୁବେଧନତା ମୃତ୍ତିକାର ଭୌତିକ, ରାସାୟନିକ ଓ ଜୈବିକ ଗୁଣ ଉପରେ ପ୍ରତିକୂଳ ପ୍ରଭାବ ପକାଏ । ଫଳରେ ଫସଲ ଭଲ ବଢିପାରେ ନାହିଁ ଏବଂ ଆଦାୟ କମ୍ ମିଳେ ।

ଜଳାନୁବେଧନତା ନିରାକରଣ ଉପାୟ

ଜଳଭଣ୍ଡାରରୁ ଜଳ କେନାଲ ବାଟ ଦେଇ ଜମିରେ ପହଞ୍ଚିବା ସମୟ ଭିତରେ ଶତକଡା ପ୍ରାୟ ୪୦ ଭାଗ ଏଣେତେଣେ ବୋହିଯାଇ ନଷ୍ଟ ହୋଇଥାଏ । ଏହି  ଜଳ ଭୂ – ନିମ୍ନ ଜଳସ୍ତର ସହିତ ମିଶି ଜଳାନୁବେଧନତା ସୃଷ୍ଟି କରେ । ଏପରି ନଷ୍ଟ ହେଉଥିବା ଜଳ ପରିମାଣ ହ୍ରାସ କରିବା ପାଇଁ କେନାଲ ଓ ନାଳର ପାର୍ଶ୍ଵ ଓ ତଳକୁ ବିଭିନ୍ନ ପ୍ରକାର ଆସ୍ତରଣ ଦ୍ଵାରା ଅଭେଦ୍ୟ କରିବା ଆବଶ୍ୟକ । କେନାଳର ଦୁଇପଟ ଓ ତଳକୁ ଇଟା ସିମେଣ୍ଟ ବାଲିରେ ପ୍ଲାଷ୍ଟର କରି କିମ୍ବା ଦୁଇ  ପଟେ ଘାସ ଲଗାଇବା ପ୍ଲାଷ୍ଟିକ ଚ୍ଛାଦନ ଦେଇ ବିଭିନ୍ନ ଦଗକୁ ବହିଯାଉଥିବା ଜଳ ପରିମାଣ ହ୍ରାସ କରାଯାଇପାରେ । ଦୁଇ କଡରେ କାଦୁଅ ଲେସି ଦେଲେ ମଧ୍ୟ ଦୁଇପଟକୁ ବହିଯାଉଥିବା ଜଳ ପରିମାଣ ହ୍ରାସ ପାଇଥାଏ ।

ମୃତ୍ତିକାର ଉଦ୍ ବୃତ୍ତ ଜଳକୁ ନାଳ ଖୋଳି ନିଷ୍କାସନ କରାଯାଇପାରିବ ।  ନାଳର ବିସ୍ତାର, ଗଭୀରତା ଏବଂ ଦୁଇନାଳ ମଧ୍ୟରେ ବ୍ୟବଧାନ ମୃତ୍ତିକାର  ଜଳପରିବାହୀ, ବୃଷ୍ଟିପାତ ଓ ନିଷ୍କାସନ ଯୋଗ୍ୟ ଜଳ ପରିମାଣ ଉପରେ ନିର୍ଭର କରିଥାଏ । ବାଲିଆ ଜମିରେ ଦୁଇନାଳ ମଧ୍ୟରେ ଦୂରତା ମଟାଳ ଜମି   ତୁଳନାରେ ଅଧିକ ହୋଇଥାଏ, କିନ୍ତୁ ନାଳର ଗଭୀରତା ମଟାଳ ମାଟି ତୁଳନାରେ କମ୍ ହୋଇଥାଏ ।  ଦୁଇନାଳ ମଧ୍ୟରେ ଦୂରତା ବାଲିଆ ଜମିରେ ୨୫୦ – ୩୦୦ ମିଟର ଓ କାଦୁଅ ଜମିରେ ୧୦୦ – ୧୨୦ ମିଟର ହୋଇଥାଏ । ନାଳର ଗଭୀରତା ବାଲିଆ ମାଟିରେ ୧.୫ – ୨  ମିଟର ଓ କାଦୁଅ ମାଟିରେ   ୨.୫ – ୩ ମିଟର ହୋଇଥାଏ । ନାଳ ଦୁଇ ପ୍ରକାର ଯଥା : -

  1. ଖୋଲା ନାଳ ଏବଂ
  2. ମୁଦା ନାଳ ।

ଖୋଲାନାଳ

ଖୋଲାନାଳ ଖୋଳିବା ସହଜ ଖୋଳିବା ଲାଗି ଅଳ୍ପ ଖର୍ଚ୍ଚ ଲାଗେ ଏବଂ ବହୁତ ଜଳ ଅଳ୍ପ ସମୟରେ ସହଜରେ ନିଷ୍କାସିତ ହୋଇପାରେ । ଖୋଲା ନାଳ  ଦ୍ଵାରା ଜମିରୁ ଜଳ ସହଜରେ ନିଷ୍କାସିତ ହୋଇଥାଏ । ଅଧିକ ବୃଷ୍ଟିଯୁକ୍ତ ଅଞ୍ଚଳରେ ସାଧାରଣତଃ ଖୋଲା ନାଳ ଦ୍ଵାରା ନିଷ୍କାସନ କରାଯାଇଥାଏ । ଏହି ପ୍ରକାର ନାଳ ଦ୍ଵାରା ଭୂମିମନା ଜଳପତ୍ତନ ସହଜରେ ଓ ଅଳ୍ପ ସମୟ ଭିତରେ ନିର୍ଦ୍ଧିଷ୍ଟ ପତନକୁ ନିଆଯାଇପାରେ ।

ଖୋଲାନାଳ ହେତୁ ଅନେକ ଜମି ନଷ୍ଟ ହୁଏ । ନାଳରେ ଜଳ ଓ ଅନାବନା ଘାସ ବାଢୁଥିବାରୁ ଶୀଘ୍ର ପାଣି ଖଲାସ ହୁଏ ନାହିଁ । ଏହି ନାଳ ଗୁଡିକ ବାରମ୍ବାର  ସଫା ଓ ମରାମତି କରିବାକୁ ପଡେ । ନାଳ ଡେଇଁ ହଲ, ଟ୍ରାକ୍ଟର ଓ ଅନ୍ୟାନ୍ୟ  ଯନ୍ତ୍ରପାତି ନେବା ଆଣିବା କରିବା ପାଇଁ ବାଧା ସୃଷ୍ଟି ହେଉଥିବାରୁ ସ୍ଥାନେ  ସ୍ଥାନେ ପୋଲ ବା ଚାର କରିବାକୁ ପଡିଥାଏ । ଏଣୁ ଖୋଲା ନାଳର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ । ଏସବୁ ଅସୁବିଧା ସତ୍ତ୍ୱେ ଜମିରୁ ଶୀଘ୍ର ପାଣି ଖଲାସ୍  କରିବା ପାଇଁ ଖୋଲା ନାଳ ଉପଯୁକ୍ତ ।

ମୁଦାନାଳ

ଏ ପ୍ରକାର ନାଳ ଜମି ତଳେ ତିଆରି କରାଯାଇଥାଏ । ଏହାକୁ ମାଟି ତଳ ନାଳ ମଧ୍ୟ କୁହାଯାଏ । ମୁଦାନାଳ ଯୋଗୁଁ ଖୋଲା ନାଳ ଭଳି ଜମି ନଷ୍ଟ ହୁଏ   ନାହିଁ । ନାଳ ଉପରେ ମଧ୍ୟ ଚାଷ କରାଯାଏ । ଏପରି ନାଳ ଖୋଳି ବସାଇବାକୁ ପ୍ରଥମେ ବହୁତ ଖର୍ଚ୍ଚ ଲାଗେ କିନ୍ତୁ ପରେ ଖର୍ଚ୍ଚ ଖୁବ୍ କମ୍ ହୋଇଥାଏ । ମୁଦାନାଳରେ ଅସୁବିଧା ସୃଷ୍ଟି ହେଲେ ଅସୁବିଧାର ସ୍ଥାନ ସହଜରେ ଚିହ୍ନଟ କରାଯାଇପାରେ ନାହିଁ  । ଏଥିଲାଗି ବେଳେବେଳେ ସମୁଦାୟ ନାଳଟିକୁ   ଖୋଳିବାକୁ ପଡିଥାଏ । ଏହା ମାଟିତଳ ନାଳର ମୁଖ୍ୟ ଅସୁବିଧା । ମୁଦାନାଳ ବିଭିନ୍ନ ପ୍ରକାରର ସେ ମଧ୍ୟରୁ ନାଳ ବା ଟାଇଲ ନାଳ ପ୍ରଧାନ । ନଳା ପ୍ଲାଷ୍ଟିକ, ସିମେଣ୍ଟ, କଂକ୍ରିଟ ବା ପଲିଥିନ ପାଇପ୍ ରେ ତିଆରି ହୋଇଥାଏ । ୧୦ ସେ.ମି. ରୁ ୩୦ ସେ.ମି.  ଗୋଳେଇ ଓ  ଲମ୍ବ  ୩୦ – ୪୦ ସେ.ମି. । ଲମ୍ବ ନଳା ଗୁଡିକ ପରସ୍ପର ସହିତ ଲମ୍ବ ଭାବରେ ମୁହଁକୁ ମୁହଁ ଯୋଡାଯାଏ । ଯୋଡେଇ ମୁହଁରେ ନଳା ଭିତରକୁ ଜଳ ପ୍ରବେଶ କରେ । ପ୍ଲାଷ୍ଟିକ ଓ ପଲିଥିନ ନଳାରେ ସ୍ଥାନେ ସ୍ଥାନେ ଛିଦ୍ର କରାଯାଇଥାଏ । ଏହି ଛିଦ୍ର ମଧ୍ୟ ଦେଇ ଜଳ ପ୍ରବେଶ କରେ ।

ନାଳରୁ ଜଳ ନିଷ୍କାସନ ଲାଗି ନଳା ଓ ନାଳ ଗୁଡିକର ଯତ୍ନ ନେବା ଆବଶ୍ୟକ । ନିଷ୍କାସନ ପଥ ଠିକ୍ ଭାବରେ ସଫା କରାଯାଉ ନଥିଲେ ନଳା ବନ୍ଦ   ହୋଇଯାଏ ନାଳ  ଭିତରକୁ  ଗୋଳିଆ ପାଣି ଛାଣି ହୋଇ ଆସିବାକୁ ସ୍ଥାନେ ସ୍ଥାନେ ସଫେଇ ବାଟ ରଖାଯିବା ଉଚିତ । ସଫେଇ ବାଟ ନିୟମିତ  ଭାବେ   ସଫା ହେବା ଦରକାର ନିୟମିତ ଭାବେ ନାଳରୁ ଘାସ ସଫା କରିବା ଉଚିତ୍ ।  ମୂଷା ଓ ଗଧ ନାଳୀ ଭିତରେ ପଶି ନାଳ ଖୋଳି ପକାନ୍ତି  ଓ ନଳା ଭୁସୁଡି  ପଡେ । ଏଣୁ ନଳା ମୁହଁରେ ତାର ଜାଲି ଦେବା ଦରକାର ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top