ହୋମ / କୃଷି / ଜଳସେଚନ / ଜଳସେଚନ କ’ଣ ଏବଂ ପ୍ରଣାଳୀ
ସେଆର କରନ୍ତୁ

ଜଳସେଚନ କ’ଣ ଏବଂ ପ୍ରଣାଳୀ

ଜଳସେଚନ କ’ଣ ଏବଂ ପ୍ରଣାଳୀ ବିଷୟରେ ସୂଚନା ।

ଉଦ୍ଭିଦ ପାଇଁ ଜଳର ଆବଶ୍ୟକତା

ଜଳ ଏକ ଅମୂଲ୍ୟ ସମ୍ପଦ। ଉଦ୍ଭିଦର ବୃଦ୍ଧି ଓ ବିକାଶ ପାଇଁ ଜଳ ଅପରିହାର୍ଯ୍ୟ । ଉଦ୍ଭିଦ ପାଇଁ ଜଳର ଭୂମିକା ନିମ୍ନରେ ବର୍ଣ୍ଣନା କରାଯାଇପାରେ  -

  1. ଉଦ୍ଭିଦର ବର୍ଦ୍ଧିଷ୍ଣୁ ଅଙ୍ଗର ଶତକଡା 85 ରୁ 90 ଭାଗ ଜଳ। ଏଣୁ ଜଳ ଉଦ୍ଭିଦ   ଗଠନର ଏକ ବିଶିଷ୍ଟ ଉପାଦାନ ।
  2. ଜଳ ଉଦ୍ଭିଦର ଅଙ୍ଗାର  ଆତ୍ମିକରଣ  ପାଇଁ  ଦରକାରୀ  ଅମ୍ଳଜାନ  ଯୋଗାଇଥାଏ ।
  3. ଜଳ ଏକ ସାର୍ବଜନୀନ ଦ୍ରାବକ । ଏହା ମାଟିରେ ଥିବା ସବୁ ଉପାଦାନକୁ ଦ୍ରବୀଭୂତ କରେ।
  4. ଦ୍ରବୀଭୂତ ଉପାଦାନ ମାଧ୍ୟମରେ ଚେର ବାଟେ ଗଛକୁ  ପ୍ରବେଶ କରେ ଏବଂ ବିଭିନ୍ନ   ତନ୍ତୁ  ମଧ୍ୟରେ ଗତି  କରେ । ମୃତ୍ତିକାରେ ଜଳ ଅଭାବ  ହେଲେ  ଉପାଦାନ ଗଛକୁ  ପ୍ରବେଶ   କରିପାରିବ ନାହିଁ ।
  5. ଜଳ ଉଦ୍ଭିଦ ମଧ୍ୟରେ ଦ୍ରବଣ ଓ  ଆନୟନ ଘଟାଇ  ବିଭିନ୍ନ ଯୌଗିକ  ପଦାର୍ଥର  ରାସାୟନିକ  ପ୍ରକ୍ରିୟା  ବୃଦ୍ଧି  କରାଏ  ।
  6. ଉଦ୍ଭିଦର କୋଷକୁ  ସ୍ଫୀତ  ରଖିବା ପାଇଁ ଜଳ  ଅପରିହାର୍ଯ୍ୟ । ସ୍ଫୀତ  ନରହିଲେ  ଉଦ୍ଭିଦ  କ୍ରିୟାଶୀଳ  ହୋଇପାରିବ ନାହିଁ ।
  7. ଜଳ  ଉଦ୍ଭିଦ ଓ  ପରିବେଶ ମଧ୍ୟରେ  ତାପମାନ  ନିୟନ୍ତ୍ରଣ  କରେ । ବାୟୁମଣ୍ଡଳରେ  ତାପମାନ  ବଢିଲେ  ଉସ୍ଵେଦନ  ବୃଦ୍ଧିପାଏ । ଉସ୍ଵେଦନ  ହେତୁ ଅଧିକ  ଜଳ  ବାଷ୍ପିଭୂତ  ହୁଏ  ଏବଂ ଉଦ୍ଭିଦ ଅଙ୍ଗ ପ୍ରତ୍ୟଙ୍ଗର  ତାପକ୍ରମ  ବୃଦ୍ଧିପାଏ   ନାହିଁ ।

ଆଦି ଅସ୍ତିତ୍ଵ ପାଇଁ ମଧ୍ୟ ଜଳ  ଆବଶ୍ୟକ । ଜଳ ଭାଗ ଶତକଡା ୧୦କୁ  କମିଗଲେ ଖୁବ୍  କମ୍ ଜୀବନ ବଞ୍ଚି  ରହିପାରନ୍ତି । ଫସଲ ତାର ବୃଦ୍ଧି ଓ ବିକାଶ ପାଇଁ ଜୀବନ କାଳ ମଧ୍ୟରେ ବହୁତ ପରିମାଣ ଜଳ ଆବଶ୍ୟକ କରିଥାଏ । ଆବଶ୍ୟକ ଜଳର ଅଧିକାଂଶ ବୃଷ୍ଟିପାତରୁ ମିଳିଥାଏ । ଫସଲର  ଦରକାରୀ ଜଳ ଚାହିଦା  ମେଣ୍ଟାଇବା ପାଇଁ ବର୍ଷା ଭିନ୍ନ ଅନ୍ୟାନ୍ୟ ସୂତ୍ରରୁ କୃତ୍ରିମ ଉପାୟରେ ଜଳଯୋଗାଇବା ପ୍ରଣାଳୀକୁ ଜଳସେଚନ କୁହାଯାଏ ।

ଜଳସେଚନ ଏକ ପୁରାତନ ବ୍ୟବସ୍ଥା ହେଲେବି ବିଜ୍ଞାନଭିତ୍ତିକ ଜଳସେଚନ ଆଧୁନିକ ଯୁଗର ଏକ ନୂତନ ପଦକ୍ଷେପ । କ୍ରମବର୍ଦ୍ଧିଷ୍ଣୁ ଜଣସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ  ଏବେ ସାରା ବିଶ୍ଵରେ ଜଳସେଚନର ଦ୍ରୁତ ପ୍ରସାର ଘଟିଛି ।

ପୃଥିବୀର  ସର୍ବତ୍ର ବୃଷ୍ଟିପାତ ସମାନ  ନୁହେଁ । ବୃଷ୍ଟିପାତର  ତାରତମ୍ୟ  ହେତୁ ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳରେ  ଫସଲ ଉତ୍ପାଦନ ପାଇଁ ଜଳସେଚନର ଆବଶ୍ୟକତା  ରହିଛି । ଫସଲ  ଉତ୍ପାଦନ ପାଇଁ ଶୀତ  ଦିନିଆ ବର୍ଷା  ପାଉଥିବା ଶୁଷ୍କାଞ୍ଚଳରେ  ଅତିକମ୍ ରେ  ୨୫୦ – ୩୫୦ କି.ମି. ଏବଂ  ଖରାଦିନିଆ  ବର୍ଷା ପାଉଥିବା  ଶୁଷ୍କାଞ୍ଚଳରେ ଅତିକମ୍ ରେ ୫୦୦ ମି.ମି. ବର୍ଷା ବର୍ଷକୁ ହେବା  ଆବଶ୍ୟକ  ବୋଲି  ହିସାବ କରାଯାଇଛି । ବାର୍ଷିକ  ହାରାହାରି ବୃଷ୍ଟିପାତ ଦୃଷ୍ଟିରୁ ପୃଥିବୀକୁ  ନିମ୍ନଲିଖିତ ବୃଷ୍ଟିପାତ  ଅଞ୍ଚଳରେ  ବିଭକ୍ତ  କରାଯାଇଛି ।

ହାରାହାରି ବାର୍ଷିକ ବୃଷ୍ଟିପାତ ଅଞ୍ଚଳ ଓ ଭୂଭାଗର ଶତକଡା ଭାଗ

ବାର୍ଷିକ  ବୃଷ୍ଟିପାତ (ସେ.ମି.)

ବୃଷ୍ଟିପାତ  ଅଞ୍ଚଳ

ଭୂଭାଗର  ଶତାଂଶ

୨୫ରୁ କମ୍

ଶୁଷ୍କ

୨୫

୨୫ – ୫୦

ଅର୍ଦ୍ଧାଶୁଷ୍କ

୩୦

୫୦ – ୧୦୦

ଉପଆର୍ଦ୍ର

୨୦

୧୦୦ – ୧୫୦

ଆର୍ଦ୍ର

୧୧

୧୫୦ – ୨୦୦

ସିକ୍ତ

୨୦୦ ରୁ  ଅଧିକ

ଅତି  ସିକ୍ତ

ବୃଷ୍ଟିପାତର ସମୟ, ବଣ୍ଟନ ଓ କୃଷିପଦ୍ଧତି  ଉପରେ ଜଳସେଚନ ଆବଶ୍ୟକତା ନିର୍ଭର କରିଥାଏ । ପୃଥିବୀର କେତେକ  ଅଞ୍ଚଳରେ ବର୍ଷା  ମୁଖ୍ୟତଃ  ଗ୍ରୀଷ୍ମ  ଋତୁରେ ଏବଂ ଆଉ  କେତେକ ଅଞ୍ଚଳରେ  ଶୀତ ଋତୁରେ  ହୋଇଥାଏ । ଏଣୁ  ବର୍ଷା  ନହେଉଥିବା ଋତୁରେ ଫସଲ  ଉତ୍ପାଦନ ପାଇଁ  ଜଳସେଚନ  ଉପରେ ନିର୍ଭର କରିବାକୁ ପଡି । ଓଡିଶାରେ  ବର୍ଷକୁ ପ୍ରାୟ ୧୫୦୦ ମି.ମି. ବର୍ଷା ହୁଏ । ତହିଁ  ମଧ୍ୟରୁ   ଶତକଡା  ୮୦ ଭାଗ  ଆଷାଢ – ଶ୍ରାବଣ ଭାଦ୍ରବ – ଆଶ୍ଵିନ  ଏହି  ଚାରିମାସ ମଧ୍ୟରେ ହୁଏ । ଏଣୁ ଶୀତ ଓ ଗ୍ରୀଷ୍ମ  ଋତୁରେ ଫସଲ ଉତ୍ପାଦନ ପାଇଁ  ଜଳସେଚନର ଆଶ୍ରୟ ନେବାକୁ ପଡେ ।

ବୃଷ୍ଟିପାତରେ ଅନିୟମିତ ବଣ୍ଟନ ହେତୁ ବୃଷ୍ଟିବହୁଳ  ଅଞ୍ଚଳ ତଥା ବର୍ଷା ଋତୁରେ ମଧ୍ୟ ଜଳାଭାବ  ସମୟରେ ଫସଲ ଉତ୍ପାଦନ ପାଇଁ ଜଳସେଚନ  ଉପରେ ନିର୍ଭର କରିବାକୁ  ପଡେ।

ଜଳସେଚନ ପରିମାଣ

ଜଳସେଚନ ପରିମାଣ ଓ ସଂଖ୍ୟା ଫସଲର ଜାତି, ଏହାର ବୃଦ୍ଧି ଓ ବିକାଶ, ଚାଷ ଋତୁ ଓ ମୃତ୍ତିକାର ଗୁଣ ଉପରେ ନିର୍ଭର କରେ । ସାଧାରଣତଃ ଧାନ ଜାତୀୟ ଫସଲ ଡାଲି ଜାତୀୟ ଫସଲ ଠାରୁ ଅଧିକ ଜଳ ଆବଶ୍ୟକ କରୁଥିବାରୁ ଅଧିକ ଜଳସେଚନ ଆବଶ୍ୟକ କରେ । ଧାନ ଓ ମାଣ୍ଡିଆ ଏକ ବର୍ଗୀୟ ଫସଲ ହେଲେ ହେଁ ମାଣ୍ଡିଆ ଅଧିକ ଖରା ସହିପାରେ ଓ କିଆରୀରେ ଠିଆପାଣି ଆବଶ୍ୟକ କରେ ନାହିଁ । ତେଣୁ  ମାଣ୍ଡିଆ ଧାନ ଅପେକ୍ଷା କମ୍ ଜଳ ଓ ଜଳସେଚନ ଆବଶ୍ୟକ କରେ । ପିଆଜ ଓ ରସୁଣ ଫସଲର   ଚେର ମାଟିର ଉପର ୧୦ ସେ.ମି. ଭିତରେ ରହୁଥିବାରୁ  ମାଟିର ଏହି ଅଂଶକୁ  ସର୍ବଦା ଓଦା ରଖିବାକୁ ପଡେ । ଏଣୁ  ବାରମ୍ବାର ଜଳସେଚନ କରିବାକୁ ପଡିଥାଏ  କିନ୍ତୁ  ପ୍ରତିଥର କମ୍ ଜଳସେଚନ କରାଯାଏ ।

ଫସଲ ଆରମ୍ଭ  ଅବସ୍ଥାରେ ଗଛ ଗୁଡିକ ଛୋଟ  ହୋଇଥିବାରୁ କମ୍ ଜଳ ଦରକାର କରନ୍ତି । ଗଛ ବଡ ହେଲେ  ଆବଶ୍ୟକ ପରିମାଣ ସବୁ ଠାରୁ ବେଶି ହୋଇଥାଏ ।

ବାଲିଆ ମାଟିରେ ଛିଦ୍ରର ଆକାର ବଡ ଓ ମଟାଳ ମାଟିରେ ଛିଦ୍ରର  ଆକାର ସାନ । ସମାନ ଘନଫଳ ବିଶିଷ୍ଟ  ବାଲିଆ ମାଟିର ଛିଦ୍ର ସଂଖ୍ୟା ମଟାଳ ମାଟିର ଛିଦ୍ର ସଂଖ୍ୟା ଠାରୁ   କମ୍ । ଏଣୁ ବାଲିଆ ମାଇର ଜଳଧାରଣ କ୍ଷମତା ମଟାଳ ମାଟି ଠାରୁ କମ୍ । ବାଲିଆ  ମାଟିରେ ତଳକୁ ବହିଯାଇ ବେଶି ଜଳ ନଷ୍ଟ ହୋଇଥାଏ । ଏଣୁ ବାଲିଆ ମାଟିରେ ମଟାଳ  ମାଟି  ତୁଳନାରେ ବେଶି ଥର,  କିନ୍ତୁ ପ୍ରତିଥର କମ୍ କମ୍ ଜଳସେଚନ କରିବାକୁ  ପଡେ ।

କେନାଲ ମୁହଁରୁ ଜଳ ନାଳୀ ଭିତର ଦେଇ ପ୍ରବାହିତ ହୋଇଟ କିଆରୀରେ ପହଞ୍ଚିବା ପୂର୍ବରୁ ବାଟରେ ମାଟି ତଳକୁ  ଓ ଅନ୍ୟାନ୍ୟ ଦିଗକୁ ବହିଯିବା ଦ୍ଵାରା ଓ ବାଷ୍ପୀଭବନ ଦ୍ଵାରା   କିଛି ପରିମାଣ ଜଳ ନଷ୍ଟ ହୋଇଯାଏ । ତେଣୁ କିଆରୀରେ ଦରକାର  ହେଉଥିବା ଜଳ ପରିମାଣ ଯୋଗାଇବା ପାଇଁ କେନାଲ ମୁହଁରୁ ଅଧିକ ଜଳ ଛାଡିବାକୁ ପଡିଥାଏ । କେନାଲ ମୁହଁରୁ ଛଡା ଯାଇଥିବା ପାଣିର ଯେତେ ଶତାଂଶ ଫସଲ ବ୍ୟବହାର ପାଇଁ କିଆରୀକୁ  ମିଳେ  ତାହାକୁ  ଜଳସେହନ ଦକ୍ଷତା ଭାବେ   ପ୍ରକାଶ କରାଯାଏ ।

ଜଳସେଚନ ଦକ୍ଷତା  = ଜଳସେଚନ ଦକ୍ଷତା  ମୃତ୍ତିକାର ପ୍ରକୃତି , କେନାଲ ଠାରୁ  କିଆରୀର ଦୂରତା  ଓ  ଏହାର ପ୍ରକାର ଉପରେ ନିର୍ଭର କରେ । ବାଲିଆ ମାଟିରେ ମଟାଳ  ମାଟି ତୁଳନାରେ  ବେଶି ଜଳ ବହିଯାଉଥିବାରୁ  ବାଲିଆ  ମାଟିରେ  ଜଳସେଚନ ଦକ୍ଷତା ମଟାଳ ମାଟି ଠାରୁ କମ୍ ।

ଜଳସେଚନ ପ୍ରଣାଳୀ

ଫସଲ ପାଇଁ ସାଧାରଣତଃ  ୩ଟି ପ୍ରଣାଳୀରେ ମଡାଯାଇଥାଏ । ଯଥା –

  1. ଭୁପୃଷ୍ଠ ଜଳସେଚନ
  2. ଛିଞ୍ଚା ଜଳସେଚନ ଓ
  3. ବୁନ୍ଦା ଜଳସେଚନ ।

ଭୁପୃଷ୍ଠ ଜଳସେଚନ

ଏହି ପ୍ରଣାଳୀରେ ପାଣି ନାଳ ମୁହଁରୁ କିଆରୀ ଭିତରକୁ ବୋହି ଯାଇଥାଏ । ଏହି ପ୍ରଣାଳୀ ଅଳ୍ପ ବ୍ୟୟସାପେକ୍ଷ, ନିର୍ଭରଶୀଳ ଓ ସହଜ ହୋଇଥିବାରୁ ପୃଥିବୀର ସବୁ ଆଡେ   ବିଶେଷ ଆଦୃତ । ପୃଷ୍ଠ ଜଳସେଚନ ପ୍ରଣାଳୀରେ ସମୁଦାୟ ବିଲ କିମ୍ବା ଏହାର କିଛି ଅଂଶ ସେଚିତ ହୋଇଥାଏ । ଏହି  ଅନୁସାରେ ସେଚନ ପ୍ରଣାଳୀର ନାମ ଭିନ୍ନ ହୋଇଥାଏ । ଯଥା –

  • ବୁଡା ଜଳସେଚନ ପ୍ରଣାଳୀ ,
  • ପଟି ଜଳସେଚନ ପ୍ରଣାଳୀ,
  • ପଟାଳି ଜଳସେଚନ ପ୍ରଣାଳୀ ,
  • ସିଆର ଜଳସେଚନ ପ୍ରଣାଳୀ ଓ
  • ମାନ୍ଦା ଜଳସେଚନ ପ୍ରଣାଳୀ ।
  1. ବୁଡା ଜଳସେଚନ ପ୍ରଣାଳୀ
  2. ଏହି ପ୍ରଣାଳୀରେ କ୍ଷେତରେ ଗୋଟିଏ ମୁଣ୍ଡରୁ  ଅନ୍ୟ ମୁଣ୍ଡକୁ ଜଳ ଛଡ଼ାଯାଏ । ଜମି ସମତଳ ହୋଇଥିଲେ ଓ ପାଣିରେ  ଅଭାବ ନଥିଲେ ଏ ପ୍ରଣାଳୀରେ   ମଡାଯାଇଥାଏ । ଧାନ, ଗହମ, ମୁଗ, ବିରି  ଆଦି ଛଟା ବା ବୁଣା ଫସଲରେ ଏହି ପ୍ରଣାଳୀରେ ପାଣି ମଡାଯାଏ। ବିଲରେ ଠିଆପାଣି ଦରକାର କରୁଥିବା ଫସଲ ପାଇଁ ଏହି ପ୍ରଣାଳୀ ଉପଯୁକ୍ତ । ଏହି ପ୍ରଣାଳୀରେ ବହୁତ ପାଣି ନଷ୍ଟ ହୁଏ, କିଆରି ଭଲଭାବେ ସମତୁଲ  ନଥିଲେ ସ୍ଥାନେ ସ୍ଥାନେ ଅଧିକ ପାଣି ଜମା ହୋଇରହେ । କିଆରି  ଶୀଘ୍ର ପାଗେ ନାହିଁ । ଏହି  ପ୍ରଣାଳୀରେ ଦରକାର  ତୁଳନାରେ ଅଧିକ ପାଣି ଖର୍ଚ୍ଚ ହୁଏ ।

  3. ପଟି ଜଳସେଚନ ପ୍ରଣାଳୀ
  4. ଏହି ପ୍ରଣାଳୀରେ ପାଣି ମଡାଇବା ପାଇଁ ଜମିକୁ ଅଣଓସାରିଆ, ଲମ୍ବ ପଟିରେ ଭାଗ ଭାଗ କରିବାକୁ ପଡେ । ଦୁଇପଟି ମଝିରେ ଅଳ୍ପ ଉଚ୍ଚ ହିଡ ଦିଆଯାଏ । ଯେଉଁ   ଦିଗକୁ ପାଣି ମାଡିବା ସେହି  ଦିଗକୁ ପଟି ଗୁଡିକ ସାମାନ୍ଯ ଗଡାଣିଆ ରହେ ଏବଂ ପଟିର ଉପରିଭାଗକୁ ସମତଳ କରାଯାଏ । ସାଧାରଣତଃ  ୧୦୦ ମିଟର ଲମ୍ବ  ପଟିରେ ୨୦ ରୁ  ୪୦ ସେ.ମି. ଢାଲୁ ରଖାଯାଏ ।  ପଟି ଗୁଡିକର ଓସାର ୧୦ରୁ  ୨୦ ମିଟର ଓ ଲମ୍ବ  ୧୦୦ ରୁ  ୪୦୦ ମିଟର  ହୋଇଥାଏ । ବାଲିଆ ମାଟିରେ ପଟିର  ଓସାର  ୫ରୁ ୧୦ ମିଟର  ଓ  ଲମ୍ବ  ୪୦ରୁ ୬୦ ମିଟର  ରଖିବା ଉଚିତ । ନଳୀ  ମୁହଁ  କାଟି  ପ୍ରତ୍ୟକ  ପଟିକୁ  ସ୍ଵତନ୍ତ୍ର ଭାବେ ଜଳ  ଯୋଗାଇ ଦିଆଯାଏ। ପଟିର  ଗୋଟିଏ  ମୁଣ୍ଡରୁ ଜଳ ଭେଦି ଭେଦି ଶେଷ ମୁଣ୍ଡକୁ ବୋହିଯାଏ । ପାଣି ପଟିର ଶେଷ  ମୁଣ୍ଡରେ ପହଞ୍ଚିବା ପୂର୍ବରୁ ସେଚନାଳୀରେ ମୁହଁ ବନ୍ଦ କରି ଦିଆଯାଏ । ଏହା  ଫଳରେ ତଳ ମୁଣ୍ଡରେ ପାଣି ଜମା ହୋଇରହେ  ନାହିଁ । ବୟନ ଭେଦରେ ବିଭିନ୍ନ ପ୍ରକାର ମାଟିରେ ପଟି ପ୍ରଣାଳୀରେ ଜଳସେଚନ କରାଯାଇପାରିବ । କମ୍  ବ୍ୟବଧାନରେ  ଲଗାଯାଉଥିବା ସମସ୍ତ ପ୍ରକାର ଫସଲ  ଯଥା – ଗହମ, ବାର୍ଲି, ମୁଗ, ବିରି, ସୋରିଷ,  ଧନିଆ  ଏବଂ ଗୋଖାଦ୍ୟ ଫସଲକୁ ପଟି ପ୍ରଣାଳୀରେ   ଜଳସେଚନ କରାଯାଏ । ଠିଆ ପାଣି ଆବଶ୍ୟକ କରୁଥିବା ଧାନ ଫସଲ ପାଇଁ ପଟି ପ୍ରଣାଳୀ ଉପଯୁକ୍ତ ନୁହେଁ । ଏହି  ପ୍ରଣାଳୀରେ ଜମି  ପ୍ରସ୍ତୁତ ପାଇଁ ଅପେକ୍ଷାକୃତ   ଅଧିକ  ଖର୍ଚ୍ଚ ଲାଗେ କମ୍ ଜଳ ଆବଶ୍ୟକ ହୁଏ, ଜଳସେଚନ ଦକ୍ଷତା ଅଧିକ ହୁଏ ଏବଂ  ଜଳସେଚନ ପାଇଁ  ପଟାଳି ପ୍ରଣାଳୀ ତୁଳନାରେ କମ୍ ଲୋକ ଲାଗେ ।

  5. ପଟାଳି ଜଳସେଚନ ପ୍ରଣାଳୀ
  6. ଏହି ପ୍ରଣାଳୀରେ ଜମିକୁ ଛୋଟ ଛୋଟ କିଆରୀ ବା ପଟାଳିରେ ବିଭକ୍ତ  କରିଦିଆଯାଏ । ପ୍ରତି ପଟାଳିର ଚାରିପଟେ ଛୋଟ  ହୁଡା ଦିଆଯାଏ ଏବଂ ପ୍ରତ୍ୟକ   ପଟାଳିକୁ  ସମତୁଲ  କରାଯାଏ । ଦୁଇ ପଟାଳି ମଧ୍ୟରେ ନାଳ ରଖାଯାଏ । ପ୍ରତ୍ୟକ ପଟାଳିକୁ  ଅଲଗା ଅଲଗା ପାଣି ମଡାଯାଏ । ବାଲିଆ ମାଟିରେ ପଟାଳି ଗୁଡିକର   ଆକାର  ୫୦ – ୧୦୦ ବର୍ଗମିଟର  ଓ ମଟାଳ ମାଟିରେ ୮୦ – ୫୦୦ ବର୍ଗମିଟର ହୋଇପାରେ । ନାଳ ମୁହଁ କାଟିବାର ଅଳ୍ପ ସମୟ ଭିତରେ ସମତଳ ପଟାଳିର   ଚାରିଆଡେ ପାଣି ମାଡି ଯାଉଥିବାରୁ ପଟାଳିରେ ବେଶି ଜଳ ରଖିବାକୁ ପଡେନାହିଁ । ଏହି ପ୍ରଣାଳୀରେ ଯୋଗାଣ ନାଳରୁ ବାଟରେ ନଷ୍ଟ ହେଉଥିବା ଜଳ ପରିମାଣ   ହ୍ରାସ ପାଏ । ପଟାଳି ପ୍ରଣାଳୀ ମଟାଳ ମାଟି ପାଇଁ ମଧ୍ୟ ଉପଯୁକ୍ତ । ମଟାଳ ମାଟିରେ ଧୀରେ ଧୀରେ ଭେଦୁ ଥିବାରୁ, ପଟାଳିରେ ଜଳ କିଛି ସମୟ ଠିଆ କରି ରଖିବାକୁ ପଡେ । ଧାନ, ଗହମ, ମୁଗ, ବିରି, ସୋରିଷ  ଫେସି  ଆଦି ଫସଲକୁ ଏହି ପ୍ରଣାଳୀରେ ଜଳସେଚନ କରାଯାଇପାରେ । ଏହି ପ୍ରଣାଳୀରେ ଜଳସେଚନ ଦକ୍ଷତା ବୁଡା  ଜଳସେଚନ ପ୍ରଣାଳୀ ଦକ୍ଷତା ଠାରୁ ଅଧିକ ।

  7. ସିଆର ଜଳସେଚନ ପ୍ରଣାଳୀ
  8. ଏହି  ପ୍ରଣାଳୀରେ ଜମିର  ସବୁ ଅଂଶ ସେଚନ ପଡେ ନାହିଁ । ଅର୍ଦ୍ଧେକରୁ ଏକ – ପଞ୍ଚମାଂଶ ସେଚନ କରିବାକୁ ପଡିଥାଏ । ଏହାଦ୍ଵାରା ବହିଯାଉଥିବା ବାଷ୍ପୀଭବନ   ଯୋଗୁଁ  ଜମିରୁ ନଷ୍ଟ ହେଉଥିବା ଜଳ ପରିମାଣ ହ୍ରାସପାଏ । ଏହି ପ୍ରଣାଳୀ ଦ୍ଵାରା ଜଳସେଚନ କଲେ ଜମି  ଶୀଘ୍ର ପାଗେ ।  ଉଭୟ ସମତଳ ଓ ଢାଲୁ ଜମିରେ   ସିଆର ପ୍ରଣାଳୀ ଦ୍ଵାରା  ଜଳସେଚନ କରାଯାଇପାରେ ।  ମାଟିର ଗୁଣ, ପତ୍ତନ ଓ ଫସଲ ଅନୁସାରେ ସିଆରର ଲମ୍ବ ୨୫ରୁ  ୫୦୦ ମିଟର ହୋଇଥାଏ । କିନ୍ତୁ  ସାଧାରଣତଃ  ସିଆରର  ଲମ୍ବ  ୭୦ – ୧୫୦ ମିଟର  ହୋଇଥାଏ । ବାଲିଆ ମାଟିରେ ସିଆରର ଓସାର ଓ ଲମ୍ବ ମଟାଳ ମାଟି  ଅପେକ୍ଷା କମ୍ । ଧାଡିରେ  ଲଗାଯାଉଥିବା ସମସ୍ତ ପ୍ରକାର ଫସଲ ଓ ପନିପରିବାକୁ ଏହି  ପ୍ରଣାଳୀରେ ଜଳସେଚନ କରାଯାଏ । ସିଆର ଗୁଡିକର ବ୍ୟବଧାନ ଫସଲର ଧାଡି ଧାଡି ମଧ୍ୟରେ   ବ୍ୟବଧାନ ଅନୁସାରେ ନିର୍ଦ୍ଧାରଣ କରାଯାଏ ।  ସିଆର ଗୁଡିକର ଗଭୀରତା ୧୦ରୁ  ୧୫ ସେ. ମି. କରାଯାଏ । ସାଧାରଣତଃ ଛୋଟ ଗଛ ଛୋଟ ସିଆର ଆବଶ୍ୟକ  କରେ ଏବଂ ବଡ ଗଛ  ପାଇଁ ଗଭୀର ସିଆର ଆବଶ୍ୟକ ହୁଏ। ପିଆଜ ଓ ରସୁଣ ଭଳି ଫସଲରେ ସିଆରରେ ଗଭୀରତା ମକା କିମ୍ବା ଆଖୁ ଫସଲର ସିଆରର  ଓସାର ଓ  ଗଭୀରତା ଠାରୁ କମ୍ ହୋଇଥାଏ । ନାଳ ମୁହଁ କାଟି ସିଆର ଭିତରକୁ ଜଳ ଛଡାଯାଏ । ଏହି ପ୍ରଣାଳୀରେ ଅଳ୍ପ ଜଳ ଖର୍ଚ୍ଚ ହୁଏ ଏବଂ ଜଳସେଚନ ଦକ୍ଷତା ବଢେ ।

  9. ମନ୍ଦା ଜଳସେଚନ ପ୍ରଣାଳୀ
  10. ଏହି ପ୍ରଣାଳୀ ଦ୍ଵାରା ସାଧାରଣତଃ ପିଜୁଳି, କମଳା, ଲେମ୍ବୁ, ଲିଚୁ, ଆମ୍ବ, ପଣସ, ସେପେଟା ଇତ୍ୟାଦି ଫଳଗଛ ଓ କାକୁଡି, କଲରା, କଖାରୁ ଇତ୍ୟାଦି ପନିପରିବାରେ  ଜଳସେଚନ କରାଯାଇଥାଏ । ଗଛ ମୂଳରୁ କିଛି ଜାଗା ଛାଡି ବୃତ୍ତାକାର ମନ୍ଦା କରାଯାଇଥାଏ । ଦୁଇଧାଡି ଗଛ ମଧ୍ୟରେ ଗୋଟିଏ ନାଳ ଖୋଳାଯାଇ ନାଳରୁ ପ୍ରତ୍ୟକ   ମନ୍ଦାକୁ ଜଳ ଯୋଗାଇ ଦିଆଯାଏ । ମନ୍ଦା ଗୁଡିକର ଆକାର ଗଛର ଆକାର ଉପରେ ନିର୍ଭର କରେ । ଗଛ ଛୋଟ ଥିଲା ବେଳେ ଛୋଟ ମନ୍ଦା କରାଯାଏ ଏବଂ ଗଛ  ବଡ ହେଲେ ଗଛ ମୂଳରୁ ବେଶି ଜାଗା ଛାଡି ମନ୍ଦା କରାଯାଏ ଓ ମନ୍ଦାର ଆକାର ବଡ କରାଯାଏ । ଏହି ପ୍ରଣାଳୀରେ ଜଳସେଚନ କଲେ ବଗିଚାର ସବୁ ଅଂଶ   ସେଚନ କରିବାକୁ ପଡେ  ନାହିଁ । ଏଣୁ ସେଚନ ପାଇଁ ଅଳ୍ପ ଜଳ ଦରକାର ହୁଏ ଏବଂ ଜଳସେଚନ ଦକ୍ଷତା ଅଧିକ ହୁଏ ।

ଛିଞ୍ଚା ଜଳସେଚନ ପ୍ରଣାଳୀ

ଛିଞ୍ଚା ଜଳସେଚନ ପ୍ରଣାଳୀ ଏକ ସ୍ଵତନ୍ତ୍ର ଧରଣର ଭୂପୃଷ୍ଠ ଜଳସେଚନ ପ୍ରଣାଳୀ । ଏହି ପ୍ରଣାଳୀରେ ଜଳ କୃତିମ ବର୍ଷା ରୂପେ ଫସଲକୁ ଯୋଗାଇ ଦିଆଯାଏ । ମାଟି ବାଲିଆ  ହୋଇଥିଲେ, ମୃତ୍ତିକା ସ୍ତର ଅତି ଅଗଭୀର ହେତୁ ଜମିକୁ ସମତଳ କରିବା ସମ୍ଭବ ହେଉନଥିଲେ ଏବଂ ଜମି ଅତି ଖାଲଢିପ ହୋଇଥିଲେ ଛିଞ୍ଚା ଜଳସେଚନ ପ୍ରଣାଳୀ ଦ୍ଵାରା  ଜଳସେଚନ କରିବା ଭଲ । ଏହି ପ୍ରଣାଳୀରେ ଜମିକୁ ସମତଳ କରିବା ଆବଶ୍ୟକ ହୁଏ ନାହିଁ । ବନ୍ଧ ଓ ନାଳ ଯୋଗୁଁ ଜମି ନଷ୍ଟ ହୁଏ ନାହିଁ। ଅଳ୍ପ ଜଳ ମିଳୁଥିଲେ ଏହି ପ୍ରଣାଳୀରେ ସମାନ ଭାବେ ସେଚନ କରାଯାଇପାରେ । ସେଚନ ହେତୁ  ବିଭିନ୍ନ ଦିଗକୁ ବହିଯାଇ ଜଳ ନଷ୍ଟ  ହୁଏନାହିଁ । ଫସଲର ଦରକାର ମୁତାବକ ଜଳ ଯୋଗାଇ   ଦିଆଯାଇପାରେ ଓ ସେଚିତ ଜଳର ଉପଯୋଗ ଦକ୍ଷତା ବୃଦ୍ଧିପାଏ । ପାଣିରେ ମିଳାଇ ଯାଉଥିବା ସାରକୁ ମଧ୍ୟ ପାଣିରେ ଗୋଳାଇ ଫସଲରେ ପ୍ରୟୋଗ କରାଯାଇପାରେ ।

ଠିଆ ପାଣି ଆବଶ୍ୟକ କରୁନଥିବା ଯେକୌଣସି ଫସଲକୁ ଏହି ପ୍ରଣାଳୀ ଦ୍ଵାରା ସେଚନ କରାଯାଇପାରେ । କିନ୍ତୁ  ଅନ୍ୟାନ୍ୟ ଜଳସେଚନ ପ୍ରଣାଳୀ ତୁଳନାରେ ଛିଞ୍ଚା ଜଳସେଚନ  ପ୍ରଣାଳୀ ଅଧିକ ବ୍ୟୟସାପେକ୍ଷ । ସେଚନ ପାଇଁ ଯଥେଷ୍ଟ ପରିମାଣରେ ଜଳ ମିଳୁନଥିବା ଅଞ୍ଚଳରେ ଏବଂ ଅର୍ଥକାରୀ ଫସଲ ଯଥା – ଚା, କଫି, ଅଳେଇଚ ଓ ଫଳ ବଗିଚା ପାଇଁ ଏହି ପ୍ରଣାଳୀର ଆଦର ବଢିବାରେ ଲାଗିଛି ।

ବୁନ୍ଦା ଜଳସେଚନ ପ୍ରଣାଳୀ

ବୁନ୍ଦା ଜଳସେଚନ ପ୍ରଣାଳୀ ଏକ ଆଧୁନିକ ଜଳସେଚନ ପ୍ରଣାଳୀ । ଜଳ ଅଭାବ ଏବଂ ଲବଣତା ସମସ୍ୟା ଥିବା ଅଞ୍ଚଳରେ ଏହି ପ୍ରଣାଳୀର ଆଦିର ବଢିବାରେ ଲାଗିଛି । ଏହି  ପ୍ରଣାଳୀରେ ଗଛକୁ ଆବଶ୍ୟକ ଅନୁସାରେ ଜଳ ଯୋଗାଇ ଦିଆଯାଏ ଏବଂ ଜଳର ପରିମାଣ ଗଛର ବ୍ୟବହାରିକ ଜଳସଙ୍ଗେ ପ୍ରାୟ ସମାନ ହୁଏ । ଏହା ଦ୍ଵାରା ବାଷ୍ପୀଭବନ ଓ  ବହିଯାଇ ନଷ୍ଟ ହେଉଥିବା ଜଳର ପରିମାଣକୁ ଯଥେଷ୍ଟ କମ୍ କରାଯାଇପାରେ । ଏହି  ପ୍ରଣାଳୀରେ ସରୁ ପ୍ଲାଷ୍ଟିକ ପାଇପ ସାହାଯ୍ୟରେ ଆବଶ୍ୟକ ବ୍ୟବଧାନରେ ଗଛ ମୂଳରେ   ଜଳ ବୁନ୍ଦା ବୁନ୍ଦା କରି ପ୍ରୟୋଗ କରାଯାଏ । ଜଳକୁ  ଆସ୍ତେ ଆସ୍ତେ ପ୍ରୟୋଗ କରାଯାଇ ମାଟିର ଆର୍ଦ୍ରତା ସୁଲଭ ଜଳ ପରିସର ମଧ୍ୟରେ ରଖାଯାଏ ।

ଅଙ୍ଗୁର, ଆଖୁ, ଅମୃତଭଣ୍ଡା, ନଡିଆ, କମଳା, ଲେମ୍ବୁ, କଦଳୀ, ପିଜୁଳି  ଆଦି ବିଭିନ ପ୍ରକାର ଫଳ ଏବଂ ମନ୍ଦା ମନ୍ଦା ହୋଇ ଲଗାଯାଇଥିବା ପନିପରିବାରେ ଦୁଇ ପ୍ରଣାଳୀ ଦ୍ଵାରା ଜଳସେଚନ କରାଯାଇଥାଏ । ଏହି ପ୍ରଣାଳୀ ଦ୍ଵାରା ଜଳ ଖର୍ଚ୍ଚ ବହୁତ କମ ହୁଏ କାରଣ କେବଳ ଗଛ ମୂଳକୁ ଆର୍ଦ୍ର କରାଯାଏ ଏବଂ ଫଳ ଗଛ ମଧ୍ୟରେ ଥିବା ସବୁ ଜାଗାକୁ ଆର୍ଦ୍ର  କରିବାର ଆବଶ୍ୟକତା ପଡେ ନାହିଁ । ଏହି ପ୍ରଣାଳୀରେ ଜଳସେଚନ କଲେ ଅଧିକ ଆଦାୟ ମିଳେ । ଗଛ ମୂଳରେ ଲବଣତା କମିବାରେ ଏହି ପ୍ରଣାଳୀ ସାହାଯ୍ୟ କରେ ଏବଂ  ଛିଞ୍ଚା ଜଳସେଚନ ପ୍ରଣାଳୀ ପରି ଜଳସେଚନ ସହିତ ସାରା ପ୍ରୟୋଗ କରି ହୁଏ । ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ ରାଜ୍ୟରେ ବୁନ୍ଦା ଜଳସେଚନ ହେତୁ ଫଳ ଚାଷର ବହୁତ  ପ୍ରସାର ହୋଇପାରିଛି ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top