ହୋମ / କୃଷି / ଜଳସେଚନ / ଜଳସେଚନ ପ୍ରଣାଳୀ
ସେଆର କରନ୍ତୁ

ଜଳସେଚନ ପ୍ରଣାଳୀ

ଜଳସେଚନ ପ୍ରଣାଳୀ ର ସୂଚନା

ଫସଲ  ପାଇଁ   ସାଧାରଣତଃ  ୩ଟି   ପ୍ରଣାଳୀରେ  ମଡାଯାଇଥାଏ   । ଯଥା – (୧) ଭୁପୃଷ୍ଠ  ଜଳସେଚନ  (୨)  ଛିଞ୍ଚା   ଜଳସେଚନ  ଓ (୩) ବୁନ୍ଦା   ଜଳସେଚନ   ।

ଭୁପୃଷ୍ଠ   ଜଳସେଚନ

ଏହି  ପ୍ରଣାଳୀରେ  ପାଣି  ନାଳ  ମୁହଁରୁ  କିଆରୀ  ଭିତରକୁ  ବୋହି   ଯାଇଥାଏ   । ଏହି  ପ୍ରଣାଳୀ  ଅଳ୍ପ   ବ୍ୟୟସାପେକ୍ଷ , ନିର୍ଭରଶୀଳ  ଓ  ସହଜ   ହୋଇଥିବାରୁ  ପୃଥିବୀର  ସବୁଆଡେ   ବିଶେଷ  ଆଦୃତ   । ପୃଷ୍ଠ  ଜଳସେଚନ  ପ୍ରଣାଳୀରେ  ସମୁଦାୟ   ବିଲ   କିମ୍ବା  ଏହାର   କିଛି  ଅଂଶ  ସେଚିତ  ହୋଇଥାଏ   । ଏହି  ଅନୁସାରେ  ସେଚନ  ପ୍ରଣାଳୀର  ନାମ  ଭିନ୍ନ  ହୋଇଥାଏ   । ଯଥା – (୧) ବୁଡା  ଜଳସେଚନ  ପ୍ରଣାଳୀ , (୨) ପଟି  ଜଳସେଚନ  ପ୍ରଣାଳୀ, (୩) ପଟାଳି  ଜଳସେଚନ  ପ୍ରଣାଳୀ , (୪) ସିଆର  ଜଳସେଚନ  ପ୍ରଣାଳୀ  ଓ  (୫)  ମାନ୍ଦା  ଜଳସେଚନ   ପ୍ରଣାଳୀ   ।

  1. ବୁଡା  ଜଳସେଚନ   ପ୍ରଣାଳୀ
  2. ଏହି  ପ୍ରଣାଳୀରେ  କ୍ଷେତରେ   ଗୋଟିଏ  ମୁଣ୍ଡରୁ   ଅନ୍ୟ  ମୁଣ୍ଡକୁ   ଜଳ  ଛଡ଼ାଯାଏ   । ଜମି   ସମତଳ  ହୋଇଥିଲେ  ଓ  ପାଣିରେ  ଅଭାବ  ନଥିଲେ  ଏ  ପ୍ରଣାଳୀରେ   ମଡାଯାଇଥାଏ   । ଧାନ, ଗହମ, ମୁଗ, ବିରି  ଆଦି   ଛଟା   ବା  ବୁଣା   ଫସଲରେ   ଏହି  ପ୍ରଣାଳୀରେ  ପାଣି   ମଡାଯାଏ  । ବିଲରେ  ଠିଆପାଣି   ଦରକାର  କରୁଥିବା   ଫସଲ  ପାଇଁ   ଏହି  ପ୍ରଣାଳୀ   ଉପଯୁକ୍ତ   । ଏହି   ପ୍ରଣାଳୀରେ  ବହୁତ   ପାଣି   ନଷ୍ଟ  ହୁଏ, କିଆରି  ଭଲଭାବେ   ସମତୁଲ  ନ ଥିଲେ   ସ୍ଥାନେ  ସ୍ଥାନେ   ଅଧିକ  ପାଣି   ଜମା  ହୋଇ   ରହେ   । କିଆରି  ଶୀଘ୍ର   ପାଗେ   ନାହିଁ   । ଏହି  ପ୍ରଣାଳୀରେ   ଦରକାର  ତୁଳନାରେ   ଅଧିକ  ପାଣି  ଖର୍ଚ୍ଚ   ହୁଏ   ।

  3. ପଟି  ଜଳସେଚନ  ପ୍ରଣାଳୀ
  4. ଏହି   ପ୍ରଣାଳୀରେ   ପାଣି  ମଡାଇବା   ପାଇଁ   ଜମିକୁ   ଅଣଓସାରିଆ, ଲମ୍ବ ପଟିରେ   ଭାଗ  ଭାଗ  କରିବାକୁ  ପଡେ   । ଦୁଇପଟି  ମଝିରେ  ଅଳ୍ପ  ଉଚ୍ଚ  ହିଡ   ଦିଆଯାଏ   । ଯେଉଁ   ଦିଗକୁ   ପାଣି  ମାଡିବା   ସେହି  ଦିଗକୁ   ପଟିଗୁଡିକ  ସାମାନ୍ଯ   ଗଡାଣିଆ   ରହେ  ଏବଂ  ପଟିର   ଉପରିଭାଗକୁ  ସମତଳ   କରାଯାଏ   । ସାଧାରଣତଃ  ୧୦୦ ମିଟର   ଲମ୍ବ  ପଟିରେ  ୨୦ରୁ  ୪୦ ସେ.ମି. ଢାଲୁ   ରଖାଯାଏ   ।  ପଟିଗୁଡିକର  ଓସାର  ୧୦ରୁ  ୨୦ ମିଟର  ଓ  ଲମ୍ବ  ୧୦୦ ରୁ  ୪୦୦ ମିଟର  ହୋଇଥାଏ   । ବାଲିଆ   ମାଟିରେ   ପଟିର  ଓସାର  ୫ରୁ ୧୦ ମିଟର  ଓ  ଲମ୍ବ  ୪୦ରୁ  ୬୦ ମିଟର  ରଖିବା  ଉଚିତ   । ନଳୀ  ମୁହଁ  କାଟି   ପ୍ରତ୍ୟକ  ପଟିକୁ   ସ୍ଵତନ୍ତ୍ରଭାବେ   ଜଳ  ଯୋଗାଇ   ଦିଆଯାଏ   । ପଟିର   ଗୋଟିଏ   ମୁଣ୍ଡରୁ   ଜଳ   ଭେଦି   ଭେଦି  ଶେଷ  ମୁଣ୍ଡକୁ   ବୋହିଯାଏ   । ପାଣି  ପଟିର  ଶେଷ  ମୁଣ୍ଡରେ   ପହଞ୍ଚିବା  ପୂର୍ବରୁ  ସେଚନାଳୀରେ   ମୁହଁ   ବନ୍ଦ   କରି  ଦିଆଯାଏ   । ଏହା  ଫଳରେ   ତଳ  ମୁଣ୍ଡରେ  ପାଣି   ଜମା   ହୋଇ   ରହେ  ନାହିଁ   । ବୟନ  ଭେଦରେ  ବିଭିନ୍ନ  ପ୍ରକାର  ମାଟିରେ   ପଟି   ପ୍ରଣାଳୀରେ   ଜଳସେଚନ   କରାଯାଇପାରିବ   । କମ୍  ବ୍ୟବଧାନରେ   ଲଗାଯାଉଥିବା  ସମସ୍ତ   ପ୍ରକାର   ଫସଲ  ଯଥା – ଗହମ, ବାର୍ଲି, ମୁଗ, ବିରି, ସୋରିଷ,  ଧନିଆ  ଏବଂ  ଗୋଖାଦ୍ୟ  ଫସଲକୁ  ପଟି   ପ୍ରଣାଳୀରେ   ଜଳସେଚନ   କରାଯାଏ   । ଠିଆ  ପାଣି   ଆବଶ୍ୟକ   କରୁଥିବା   ଧାନ   ଫସଲ  ପାଇଁ   ପଟି  ପ୍ରଣାଳୀ   ଉପଯୁକ୍ତ  ନୁହେଁ   । ଏହି  ପ୍ରଣାଳୀରେ   ଜମି  ପ୍ରସ୍ତୁତ   ପାଇଁ   ଅପେକ୍ଷାକୃତ   ଅଧିକ   ଖର୍ଚ୍ଚ   ଲାଗେ   କମ୍  ଜଳ   ଆବଶ୍ୟକ   ହୁଏ, ଜଳସେଚନ  ଦକ୍ଷତା  ଅଧିକ  ହୁଏ ଏବଂ   ଜଳସେଚନ   ପାଇଁ   ପଟାଳି   ପ୍ରଣାଳୀ   ତୁଳନାରେ   କମ୍  ଲୋକ   ଲାଗେ   ।

  5. ପଟାଳି  ଜଳସେଚନ  ପ୍ରଣାଳୀ
  6. ଏହି  ପ୍ରଣାଳୀରେ  ଜମିକୁ  ଛୋଟ  ଛୋଟ   କିଆରୀ  ବା  ପଟାଳିରେ   ବିଭକ୍ତ   କରିଦିଆଯାଏ   । ପ୍ରତି  ପଟାଳିର   ଚାରିପଟେ  ଛୋଟ   ହୁଡା   ଦିଆଯାଏ  ଏବଂ  ପ୍ରତ୍ୟକ   ପଟାଳିକୁ   ସମତୁଲ   କରାଯାଏ   । ଦୁଇ   ପଟାଳି  ମଧ୍ୟରେ  ନାଳ   ରଖାଯାଏ   । ପ୍ରତ୍ୟକ  ପଟାଳିକୁ   ଅଲଗା  ଅଲଗା   ପାଣି   ମଡାଯାଏ   । ବାଲିଆ   ମାଟିରେ   ପଟାଳିଗୁଡିକର   ଆକାର   ୫୦ – ୧୦୦  ବର୍ଗମିଟର   ଓ  ମଟାଳ   ମାଟିରେ   ୮୦ – ୫୦୦  ବର୍ଗମିଟର   ହୋଇପାରେ   । ନାଳ  ମୁହଁ  କାଟିବାର  ଅଳ୍ପ  ସମୟ   ଭିତରେ   ସମତଳ   ପଟାଳିର   ଚାରିଆଡେ   ପାଣି   ମାଡିଯାଉ  ଥିବାରୁ   ପଟାଳିରେ   ବେଶି   ଜଳ   ରଖିବାକୁ   ପଡେନାହିଁ   । ଏହି  ପ୍ରଣାଳୀରେ  ଯୋଗାଣ   ନାଳରୁ   ବାଟରେ   ନଷ୍ଟ  ହେଉଥିବା   ଜଳ  ପରିମାଣ   ହ୍ରାସ   ପାଏ   । ପଟାଳି  ପ୍ରଣାଳୀ ମଟାଳ   ମାଟି  ପାଇଁ  ମଧ୍ୟ  ଉପଯୁକ୍ତ   । ମଟାଳ   ମାଟିରେ  ଧୀରେ  ଧୀରେ   ଭେଦୁଥିବାରୁ, ପଟାଳିରେ   ଜଳ  କିଛି   ସମୟ  ଠିଆ   କରି  ରଖିବାକୁ   ପଡେ   । ଧାନ,  ଗହମ,  ମୁଗ,  ବିରି, ସୋରିଷ   ଫେସି  ଆଦି   ଫସଲକୁ   ଏହି ପ୍ରଣାଳୀରେ   ଜଳସେଚନ   କରାଯାଇପାରେ    । ଏହି  ପ୍ରଣାଳୀରେ  ଜଳସେଚନ   ଦକ୍ଷତା  ବୁଡା  ଜଳସେଚନ   ପ୍ରଣାଳୀ   ଦକ୍ଷତାଠାରୁ  ଅଧିକ   ।

  7. ସିଆର  ଜଳସେଚନ   ପ୍ରଣାଳୀ
  8. ଏହି   ପ୍ରଣାଳୀରେ   ଜମିର   ସବୁ  ଅଂଶ  ସେଚନ   ପଡେ  ନାହିଁ    । ଅର୍ଦ୍ଧେକରୁ   ଏକ – ପଞ୍ଚମାଂଶ ସେଚନ  କରିବାକୁ   ପଡିଥାଏ   । ଏହାଦ୍ଵାରା   ବହିଯାଉଥିବା   ବାଷ୍ପୀଭବନ   ଯୋଗୁଁ   ଜମିରୁ   ନଷ୍ଟ   ହେଉଥିବା   ଜଳ   ପରିମାଣ   ହ୍ରାସପାଏ   । ଏହି  ପ୍ରଣାଳୀ   ଦ୍ଵାରା  ଜଳସେଚନ  କଲେ  ଜମି   ଶୀଘ୍ର   ପାଗେ   ।  ଉଭୟ   ସମତଳ  ଓ  ଢାଲୁ  ଜମିରେ   ସିଆର   ପ୍ରଣାଳୀ   ଦ୍ଵାରା   ଜଳସେଚନ   କରାଯାଇପାରେ   ।  ମାଟିର  ଗୁଣ, ପତ୍ତନ  ଓ  ଫସଲ   ଅନୁସାରେ  ସିଆରର   ଲମ୍ବ   ୨୫ରୁ  ୫୦୦ ମିଟର   ହୋଇଥାଏ   । କିନ୍ତୁ  ସାଧାରଣତଃ   ସିଆରର   ଲମ୍ବ  ୭୦ – ୧୫୦ ମିଟର   ହୋଇଥାଏ   । ବାଲିଆ   ମାଟିରେ   ସିଆରର   ଓସାର  ଓ  ଲମ୍ବ  ମଟାଳ   ମାଟି   ଅପେକ୍ଷା   କମ୍  । ଧାଡିରେ  ଲଗାଯାଉଥିବା  ସମସ୍ତ  ପ୍ରକାର  ଫସଲ  ଓ  ପନିପରିବାକୁ  ଏହି  ପ୍ରଣାଳୀରେ  ଜଳସେଚନ  କରାଯାଏ  । ସିଆରଗୁଡିକର   ବ୍ୟବଧାନ  ଫସଲର   ଧାଡି  ଧାଡି  ମଧ୍ୟରେ   ବ୍ୟବଧାନ   ଅନୁସାରେ  ନିର୍ଦ୍ଧାରଣ  କରାଯାଏ  ।   ସିଆରଗୁଡିକର  ଗଭୀରତା  ୧୦ରୁ  ୧୫ ସେ. ମି. କରାଯାଏ   । ସାଧାରଣତଃ  ଛୋଟ  ଗଛ  ଛୋଟ  ସିଆର   ଆବଶ୍ୟକ   କରେ  ଏବଂ   ବଡ  ଗଛ  ପାଇଁ  ଗଭୀର  ସିଆର  ଆବଶ୍ୟକ  ହୁଏ  । ପିଆଜ  ଓ  ରସୁଣ   ଭଳି   ଫସଲରେ   ସିଆରରେ  ଗଭୀରତା   ମକା   କିମ୍ବା   ଆଖୁ   ଫସଲର  ସିଆରର  ଓସାର ଓ  ଗଭୀରତାଠାରୁ   କମ୍  ହୋଇଥାଏ   । ନାଳ   ମୁହଁ   କାଟି   ସିଆର  ଭିତରକୁ  ଜଳ   ଛଡାଯାଏ   । ଏହି ପ୍ରଣାଳୀରେ   ଅଳ୍ପ  ଜଳ  ଖର୍ଚ୍ଚ  ହୁଏ  ଏବଂ   ଜଳସେଚନ   ଦକ୍ଷତା   ବଢେ    ।

  9. ମନ୍ଦା  ଜଳସେଚନ   ପ୍ରଣାଳୀ

ଏହି  ପ୍ରଣାଳୀ   ଦ୍ଵାରା   ସାଧାରଣତଃ   ପିଜୁଳି, କମଳା, ଲେମ୍ବୁ,  ଲିଚୁ,  ଆମ୍ବ, ପଣସ,  ସପେଟା  ଇତ୍ୟାଦି   ଫଳଗଛ  ଓ  କାକୁଡି , କଲରା, କଖାରୁ  ଇତ୍ୟାଦି   ପନିପରିବାରେ  ଜଳସେଚନ   କରାଯାଇଥାଏ   । ଗଛ  ମୂଳରୁ  କିଛି  ଜାଗା   ଛାଡି   ବୃତ୍ତାକାର   ମନ୍ଦା   କରାଯାଇଥାଏ   । ଦୁଇଧାଡି   ଗଛ  ମଧ୍ୟରେ  ଗୋଟିଏ   ନାଳ  ଖୋଳାଯାଇ  ନାଳରୁ  ପ୍ରତ୍ୟକ   ମନ୍ଦାକୁ   ଜଳ   ଯୋଗାଇ   ଦିଆଯାଏ   । ମନ୍ଦାଗୁଡିକର  ଆକାର   ଗଛର  ଆକାର   ଉପରେ   ନିର୍ଭର  କରେ   । ଗଛ   ଛୋଟ  ଥିଲାବେଳେ   ଛୋଟ  ମନ୍ଦା   କରାଯାଏ  ଏବଂ   ଗଛ  ବଡ   ହେଲେ   ଗଛ   ମୂଳରୁ   ବେଶି   ଜାଗା  ଛାଡି   ମନ୍ଦା   କରାଯାଏ  ଓ  ମନ୍ଦାର   ଆକାର  ବଡ   କରାଯାଏ   । ଏହି ପ୍ରଣାଳୀରେ   ଜଳସେଚନ   କଲେ   ବଗିଚାର   ସବୁ  ଅଂଶ   ସେଚନ  କରିବାକୁ  ପଡେ  ନାହିଁ    । ଏଣୁ  ସେଚନ  ପାଇଁ   ଅଳ୍ପ   ଜଳ  ଦରକାର  ହୁଏ   ଏବଂ   ଜଳସେଚନ  ଦକ୍ଷତା   ଅଧିକ  ହୁଏ   ।

ଛିଞ୍ଚା   ଜଳସେଚନ  ପ୍ରଣାଳୀ

ଛିଞ୍ଚା  ଜଳସେଚନ  ପ୍ରଣାଳୀ  ଏକ  ସ୍ଵତନ୍ତ୍ର   ଧରଣର  ଭୂପୃଷ୍ଠ  ଜଳସେଚନ   ପ୍ରଣାଳୀ   । ଏହି  ପ୍ରଣାଳୀରେ  ଜଳ   କୃତିମ   ବର୍ଷା  ରୂପେ   ଫସଲକୁ  ଯୋଗାଇ  ଦିଆଯାଏ   । ମାଟି  ବାଲିଆ  ହୋଇଥିଲେ, ମୃତ୍ତିକା  ସ୍ତର  ଅତି  ଅଗଭୀର  ହେତୁ  ଜମିକୁ   ସମତଳ   କରିବା   ସମ୍ଭବ  ହେଉନଥିଲେ   ଏବଂ  ଜମି  ଅତି  ଖାଲଢିପ  ହୋଇଥିଲେ   ଛିଞ୍ଚା  ଜଳସେଚନ  ପ୍ରଣାଳୀ   ଦ୍ଵାରା  ଜଳସେଚନ   କରିବା  ଭଲ   । ଏହି  ପ୍ରଣାଳୀରେ   ଜମିକୁ   ସମତଳ   କରିବା   ଆବଶ୍ୟକ  ହୁଏ  ନାହିଁ   । ବନ୍ଧ  ଓ  ନାଳ   ଯୋଗୁଁ   ଜମି  ନଷ୍ଟ  ହୁଏ  ନାହିଁ   । ଅଳ୍ପ   ଜଳ   ମିଳୁଥିଲେ  ଏହି  ପ୍ରଣାଳୀରେ  ସମାନଭାବେ   ସେଚନ   କରାଯାଇପାରେ   । ସେଚନ   ହେତୁ   ବିଭିନ୍ନ   ଦିଗକୁ  ବହିଯାଇ  ଜଳ   ନଷ୍ଟ  ହୁଏନାହିଁ   । ଫସଲର  ଦରକାର   ମୁତାବକ  ଜଳ   ଯୋଗାଇ   ଦିଆଯାଇପାରେ  ଓ  ସେଚିତ   ଜଳର   ଉପଯୋଗ   ଦକ୍ଷତା   ବୃଦ୍ଧିପାଏ   । ପାଣିରେ  ମିଳାଇ   ଯାଉଥିବା   ସାରକୁ   ମଧ୍ୟ  ପାଣିରେ   ଗୋଳାଇ   ଫସଲରେ  ପ୍ରୟୋଗ   କରାଯାଇପାରେ   ।

ଠିଆ  ପାଣି   ଆବଶ୍ୟକ  କରୁନଥିବା   ଯେକୌଣସି   ଫସଲକୁ   ଏହି  ପ୍ରଣାଳୀ   ଦ୍ଵାରା  ସେଚନ  କରାଯାଇପାରେ    । କିନ୍ତୁ   ଅନ୍ୟାନ୍ୟ   ଜଳସେଚନ   ପ୍ରଣାଳୀ  ତୁଳନାରେ   ଛିଞ୍ଚା  ଜଳସେଚନ   ପ୍ରଣାଳୀ   ଅଧିକ  ବ୍ୟୟସାପେକ୍ଷ    । ସେଚନ  ପାଇଁ   ଯଥେଷ୍ଟ   ପରିମାଣରେ  ଜଳ  ମିଳୁନଥିବା  ଅଞ୍ଚଳରେ  ଏବଂ  ଅର୍ଥକାରୀ   ଫସଲ  ଯଥା – ଚା, କଫି, ଅଳେଇଚ  ଓ  ଫଳ   ବଗିଚା  ପାଇଁ   ଏହି  ପ୍ରଣାଳୀର  ଆଦର   ବଢିବାରେ  ଲାଗିଛି   ।

ବୁନ୍ଦା  ଜଳସେଚନ  ପ୍ରଣାଳୀ

ବୁନ୍ଦା   ଜଳସେଚନ  ପ୍ରଣାଳୀ   ଏକ   ଆଧୁନିକ ଜଳସେଚନ   ପ୍ରଣାଳୀ   । ଜଳ  ଅଭାବ  ଏବଂ  ଲବଣତା   ସମସ୍ୟା   ଥିବା   ଅଞ୍ଚଳରେ   ଏହି   ପ୍ରଣାଳୀର   ଆଦର   ବଢିବାରେ   ଲାଗିଛି   । ଏହି  ପ୍ରଣାଳୀରେ   ଗଛକୁ  ଆବଶ୍ୟକ  ଅନୁସାରେ   ଜଳ  ଯୋଗାଇ   ଦିଆଯାଏ   ଏବଂ  ଜଳର  ପରିମାଣ  ଗଛର   ବ୍ୟବହାରିକ   ଜଳ   ସଙ୍ଗେ  ପ୍ରାୟ   ସମାନ   ହୁଏ   । ଏହାଦ୍ଵାରା   ବାଷ୍ପୀଭବନ  ଓ  ବହିଯାଇ  ନଷ୍ଟ  ହେଉଥିବା  ଜଳର   ପରିମାଣକୁ  ଯଥେଷ୍ଟ  କମ୍  କରାଯାଇପାରେ   । ଏହି  ପ୍ରଣାଳୀରେ  ସରୁ  ପ୍ଲାଷ୍ଟିକ   ପାଇପ   ସାହାଯ୍ୟରେ  ଆବଶ୍ୟକ  ବ୍ୟବଧାନରେ  ଗଛ   ମୂଳରେ   ଜଳ  ବୁନ୍ଦା  ବୁନ୍ଦା  କରି   ପ୍ରୟୋଗ   କରାଯାଏ    । ଜଳକୁ   ଆସ୍ତେ  ଆସ୍ତେ  ପ୍ରୟୋଗ   କରାଯାଇ   ମାଟିର   ଆର୍ଦ୍ରତା   ସୁଲଭ  ଜଳ  ପରିସର   ମଧ୍ୟରେ   ରଖାଯାଏ   ।

ଅଙ୍ଗୁର, ଆଖୁ, ଅମୃତଭଣ୍ଡା,  ନଡିଆ,  କମଳା,  ଲେମ୍ବୁ,  କଦଳୀ,  ପିଜୁଳି  ଆଦି  ବିଭିନ   ପ୍ରକାର  ଫାଳ  ଏବଂ   ମନ୍ଦା   ମନ୍ଦା  ହୋଇ   ଲଗାଯାଇଥିବା   ପନିପରିବାରେ   ଦୁଇ   ପ୍ରଣାଳୀ   ଦ୍ଵାରା   ଜଳସେଚନ  କରାଯାଇଥାଏ    । ଏହି ପ୍ରଣାଳୀ  ଦ୍ଵାରା   ଜଳ  ଖର୍ଚ୍ଚ   ବହୁତ   କମ   ହୁଏ  କାରଣ  କେବଳ  ଗଛ  ମୂଳକୁ  ଆର୍ଦ୍ର   କରାଯାଏ  ଏବଂ   ଫଳଗଛ   ମଧ୍ୟରେ   ଥିବା   ସବୁଜାଗାକୁ  ଆର୍ଦ୍ର    କରିବାର   ଆବଶ୍ୟକତା   ପଡେ  ନାହିଁ   । ଏହି  ପ୍ରଣାଳୀରେ  ଜଳସେଚନ  କଲେ   ଅଧିକ  ଆଦାୟ  ମିଳେ   । ଗଛ  ମୂଳରେ   ଲବଣତା   କମିବାରେ   ଏହି   ପ୍ରଣାଳୀ   ସାହାଯ୍ୟ  କରେ   ଏବଂ  ଛିଞ୍ଚା  ଜଳସେଚନ   ପ୍ରଣାଳୀ   ପରି  ଜଳସେଚନ   ସହିତ  ସାରା  ପ୍ରୟୋଗ   କରି  ହୁଏ   । ମହାରାଷ୍ଟ୍ର, ଗୁଜୁରାଟ,  ତାମିଲନାଡୁ  ରାଜ୍ୟରେ   ବୁନ୍ଦା   ଜଳସେଚନ   ହେତୁ   ଫଳଚାଷର   ବହୁତ  ପ୍ରସାର   ହୋଇପାରିଛି   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.13157894737
Gadadhar sahoo Oct 29, 2018 02:53 PM

ବିଭିନ୍ନ ପ୍ରକାରା ଜଳସେଚନ ବିଷୟରେ ଅଵଗତହେଲି I ଏହାକୁ ଉପଯୋଗ କରି ମୁଁ ଜଳ ସଞ୍ଚୟ କରିପାରିବି ଓ ଅଧିକ ଫସଲ ଫଳେଇପାରିବି I

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top