ହୋମ / କୃଷି / ଜଳସେଚନ / ଜଳାନୁବେଧନତାର କାରଣ, ପ୍ରଭାବ ଓ ନିବାରଣ ଉପାୟ
ସେଆର କରନ୍ତୁ

ଜଳାନୁବେଧନତାର କାରଣ, ପ୍ରଭାବ ଓ ନିବାରଣ ଉପାୟ

ଜଳାନୁବେଧନତାର କାରଣ, ପ୍ରଭାବ ଓ ନିବାରଣ ଉପାୟ ସମ୍ବନ୍ଧରେ ସୂଚନା ।

ଜଳାନୁବେଧନତା ସୃଷ୍ଟିର କାରଣ

ମୃତ୍ତିକାର ଜଳଧାରଣ କ୍ଷମତା ଠାରୁ ଅଧିକ ଜଳ ରହିଲେ ମୃତ୍ତିକା ସନ୍ତସନ୍ତିଆ ରହେ । ପାଣି ଅଧିକ ହେଲେ କିଆରୀରେ ପାଣି ଠିଆ ହୋଇରହେ । ଏପରି ଅବସ୍ଥାକୁ   ଜଳାନୁବେଧନତା କୁହାଯାଏ । ଜଳାନୁବେଧନତା ପ୍ରାକୃତିକ ବା କୃତ୍ରିମ କାରଣରୁ ସୃଷ୍ଟି ହୋଇଥାଏ ।

ଅବସ୍ଥା ଦୃଷ୍ଟିରୁ ଏହା ମୁଖ୍ୟ ବା ଗୌଣ କାରଣ ରୂପେ ଦେଖା ଦେଇଥାଏ । ଉଭୟ କାରଣର ସଂଯୋଗରେ ଜଳାନୁବେଧନତା ସୃଷ୍ଟି ହୋଇଥାଏ । ସ୍ଥାନର ଭୌଗଳିକ ଓ ପ୍ରାକୃତିକ ଅବସ୍ଥିତି, ଢାଲୁ, ମୃତ୍ତିକାର ଜଳ ପ୍ରବାହ ଗୁଣ, ସେଚ ଜମିର ଆକାର, ବୃଷ୍ଟିପାତ ହାର ଓ ପରିମାଣ ପ୍ରାକୃତିକ କାରଣ ଅନ୍ତର୍ଗତ । ଜଳଭଣ୍ଡାର ଓ କେନାଲରୁ ଝରିଆସୁଥିବା ଜଳ, ଫସଲର ଆବଶ୍ୟକତା ଠାରୁ ଅଧିକ ଜଳସେଚନ, ନିଷ୍କାସନ ଲାଗି ନାଳର ଅଭାବ କୃତ୍ରିମ କାରଣ ଅନ୍ତର୍ଗତ । ଉପରୋକ୍ତ  କାରଣ ଯୋଗୁଁ  ଭୂମିମ୍ନ ଜଳସ୍ତର ଉପରକୁ ଉଠି  ଆସେ ଏବଂ ଜଳାନୁବେଧନତା ସୃଷ୍ଟି ହୁଏ ।

ଶୁଷ୍କ ଜଳବାୟୁ ଅଞ୍ଚଳରେ ଜଳାନୁବେଧନତା ସମସ୍ୟା କମ୍ ଆର୍ଦ୍ର ଜଳବାୟୁରେ ଅତ୍ୟଧିକ ବର୍ଷା ଯୋଗୁ ଜଳାନୁବେଧନତା ସୃଷ୍ଟି ହୁଏ । ନଦୀ ଉପକୂଳସ୍ଥ ସମତଳ ଭୂମି ମାନଙ୍କରେ ପଟୁ ଓ କର୍ଦ୍ଦମାକ୍ତ ମୃତ୍ତିକାର ଜଳଧାରଣ ଶକ୍ତି ଅଧିକ ଓ ଜଳ ପରିବାହିତା କମ୍ ହୋଇଥିବାରୁ ବୃଷ୍ଟିଜଳ ଶୀଘ୍ର ନିଷ୍କାସିତ ହୋଇପାରେ ନାହିଁ । ଏଣୁ ଜଳାନୁବେଧନତା ସୃଷ୍ଟି ହୁଏ । କେତେକ ସ୍ଥାନରେ ଉପକୂଳ ଅଞ୍ଚଳ ସମତଳ ଭୂମିର ମୃତ୍ତିକା ବାଲିଆ ହୋଇଥିଲେ ସୁଦ୍ଧା ସମୁଦ୍ର କୂଳିଆ ହୋଇଥିବାରୁ ଭୂମିମ୍ନ ଜଳସ୍ତର  ଉପରକୁ ଉଠି ଜଳାନୁବେଧନତା ସୃଷ୍ଟି  ହୁଏ । ଦାକ୍ଷିଣାତ୍ୟ ମାଳଭୂମିରେ କୃଷ୍ଣ ମୃତ୍ତିକାର ଜଳ ପରିବାହିତା କମ ଓ ଜଳଧାରଣ ଶକ୍ତି ଅଧିକ ହୋଇଥିବାରୁ ଅଳ୍ପ ବୃଷ୍ଟି ସତ୍ତ୍ୱେ ଜଳାନୁବେଧନତା ସୃଷ୍ଟି ହୋଇଥାଏ ।  କେତେକ ଅଞ୍ଚଳରେ ଉଷ୍ମପ୍ରସବଣ ଓ ଉତ୍ସକୂପ ହେତୁ ଜଳାନୁବେଧନତା ମଧ୍ୟ ସୃଷ୍ଟି ହୋଇଥାଏ । ଜଳସେଚିତ ଅଞ୍ଚଳରେ ଜଳ ସୁଲଭତା ହେତୁ ଓ ଭବିଷ୍ୟତରେ ଜଳ ନମିଳିବା   ଭୟରୁ ରକ୍ଷା ପାଇବା ପାଇଁ ଅଧିକ ଜଳସେଚନ କରାଯାଇଥାଏ । ଏଣୁ ଜଳାନୁବେଧନତା ସୃଷ୍ଟି ହୁଏ । ଓଡିଶାର ହୀରାକୁଦ ସେଚ ଅଞ୍ଚଳର ଜମି ଉଭୟ ପାର୍ଶ୍ଵରୁ ମଧ୍ୟ ଭାଗକୁ   କ୍ରମେ ଢାଲୁ ହୋଇଥିବାରୁ ଓ କେନାଲ ଗୁଡିକ ଜମିର ଉପର ମୁଣ୍ଡରେ ପ୍ରବାହିତ ହେଉଥିବାରୁ କେନାଲରୁ ଜଳ ଝରି ଆସି ବାହାର ଜମିରେ ଜଳାନୁବେଧନତା ସୃଷ୍ଟି ହୋଇଛି । ଓଡିଶାର ଉପତ୍ୟକା ଅଞ୍ଚଳ ଅତ୍ୟନ୍ତ ସମତଳ ହୋଇଥିବାରୁ ଜଳାନୁବେଧନତା ଏଠାରେ ଏକ ସାଦାରଣ ସମସ୍ୟା ।

ଜଳାନୁବେଧନତାର ପ୍ରଭାବ

ଜଳାନୁବେଧନତା ମୃତ୍ତିକାର ଭୌତିକ, ରାସାୟନିକ ଓ ଜୈବିକ ଗୁଣ ଉପରେ ପ୍ରତିକୂଳ ପ୍ରଭାବ ପକାଏ । ଫଳରେ ଫସଲ ଭଲ ବଢିପାରେ ନାହିଁ ଏବଂ ଆଦାୟ କମ୍ ମିଳେ ।

ମୃତ୍ତିକାର ଭୌତିକ ଅବସ୍ଥା ଉପରେ ପ୍ରଭାବ

ଜଳାନୁବେଧନତା ହେତୁ ମୃତ୍ତିକାରେ ବାୟୁ ଚଳାଚଳ ବାଧାପ୍ରାପ୍ତ ହୁଏ । ଜଳୀୟ ଅଂଶ ବେଶି ହେଲେ ଅମ୍ଳଜାନ ପରିମାଣ ହ୍ରାସପାଏ ଏବଂ ଅଙ୍ଗାରକାମ୍ଳ ପରିମାଣ   ବୃଦ୍ଧିପାଏ । ଅମ୍ଳଜାନ ପରିମାଣ ହ୍ରାସ ପାଇଲେ ଚେରର ନିଶ୍ଵାସ ପ୍ରଶ୍ଵାସରେ ବାଧା ଜନ୍ମେ, ଚେରର ଖାଦ୍ୟ ଶୋଷଣ ଓ ପରିବହନ ଶକ୍ତି ହ୍ରାସ ପାଏ ଅଥବା ବନ୍ଦ   ହୋଇଯାଏ । ଚେର ବଢେ ନାହିଁ ଓ ଖାଦ୍ୟ ସଂଶ୍ଳେଷଣ ଦକ୍ଷତା ହ୍ରାସ ପାଏ ।

ମୃତ୍ତିକାର ତାପମାନ ଜଳୀୟଅଂଶ ଉପରେ ନିର୍ଭର କରେ । ନିଗିଡା ଜମି ସନ୍ତସନ୍ତିଆ ଜମି ତୁଳନାରେ ଶୀଘ୍ର ଉତ୍ତପ୍ତ ହୁଏ । ଜଳୀୟଅଂଶ ଅଧିକ ହେଲେ ତାପମାନ ଶୀଘ୍ର ବଢେ ନାହିଁ । ତାପମାନ ଅଙ୍କୁରୋଦଗମ ଫସଲର ବୃଦ୍ଧି ଓ ବିକାଶ ଉପରେ ପ୍ରଭାବ ପକାଇଥାଏ । ସନ୍ତସନ୍ତିଆ ଜମିରେ ଚେର ଶୀଘ୍ର ବଢେ ନାହିଁ । ଚେରର   ଶାଖା ପ୍ରଶାଖା ବାହାରେ ନାହିଁ । ଚେରର ଖାଦ୍ୟସାର ଶୋଷଣ, ଜୈବିକ ପଦାର୍ଥ ସଂଶ୍ଳେଷଣ ଓ ପରିବହନ ବାଧାପ୍ରାପ୍ତ ହୁଏ । ଗଛ ଶୀଘ୍ର ହଳଦିଆ ପଡିଯାଏ ଏବଂ  କ୍ରମେ ମରିଯାଏ ।

ଜମିରେ ଜଳ ପରିମାଣ ଅଧିକ ହେଲେ ମୃତ୍ତିକାର ଜୀବାଣୁ ସଂଖ୍ୟା କମେ ଏବଂ ସେମାନଙ୍କର କ୍ରିୟା କ୍ରମେ ହ୍ରାସପାଏ । ଏଣୁ ମୃତ୍ତିକା ସଂରଚନାରେ ଅବନତି ଘଟେ । ବେଶି ଆର୍ଦ୍ରଥିବା ସମୟରେ କମଣ କଲାପରେ ମୃତ୍ତିକା ଗଠନ ନଷ୍ଟ ହୁଏ । ବାଷ୍ପୀଭବନ ଅଧିକ ହେଉଥିଲେ ଲବଣାଂଶ ଉପରକୁ ଉଠି ଆସେ ଏବଂ ମୃତ୍ତିକା କ୍ଷାରୀ ହୁଏ । ସୋଡିୟମ ପରିମାଣ ବୃଦ୍ଧି ପାଇଲେ ମାଟି ଗୋଳି ହୋଇଯାଏ । ମୃତ୍ତିକାର ଗଠନ ନଷ୍ଟ ହୁଏ ଏବଂ ନିଷ୍କାସନ କଷ୍ଟକର ହୁଏ ।

ମୃତ୍ତିକାର ରାସାୟନିକ ଧର୍ମ ଉପରେ ପ୍ରଭାବ

ଜଳାଧିକ୍ୟ ହେତୁ ଅମ୍ଳଜାନ ଅଭାବ ଘଟି ଜୀବାଣୁ ମାନଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଉଥିବାରୁ ଯାଇବା ପଦାର୍ଥର ଜାରଣ କ୍ରିୟା ହ୍ରାସପାଏ । ପତନ ଅଭାବରୁ ଜୈବ   ପଦାର୍ଥରୁ ଯବକ୍ଷାରଜାନ କ୍ଷରଣ ହ୍ରାସପାଏ ଏବଂ ଫସଲରେ ଯବକ୍ଷାରଜାନର ଅଭାବ ଲକ୍ଷଣ ଦେଖାଯାଏ । ଦ୍ରବୀଭୂତ ଯବକ୍ଷାରଜାନ ତଳକୁ ଝରି ନଷ୍ଟ ହୁଏ ଏବଂ ବିଜାରଣ ହେତୁ କେତେକ ପରମାଣରେ ବାଷ୍ପ ଆକାରରେ ନଷ୍ଟ ହୁଏ । ମୃତ୍ତିକାରେ ବିଭିନ୍ନ ପ୍ରକାର ଅମ୍ଳ ପରିମାଣ ବୃଦ୍ଧିପାଏ । କାଲସିୟମ, ମାଗ୍ନେସିୟମ, ଲୌହ, ମାଙ୍ଗାନିଜ ଓ ଆଲୁମିନିୟମ ଆଦି ଧାତୁ ବେଶି ଦ୍ରବୀଭୂତ ହୋଇ ଫସଲ ଲାଗି ବିଷାକ୍ତ ପରିବେଶ ସୃଷ୍ଟି କରେ ।

ମୃତ୍ତିକାର ଜୈବଗୁଣ ଉପରେ ପ୍ରଭାବ

ଜଳାଧିକ୍ୟ ହେତୁ ବାତଜୀବୀୟ ଜୀବାଣୁ ସଂଖ୍ୟା ହ୍ରାସପାଏ ଏବଂ ଅବାତଜୀବୀ ଜୀବାଣୁ ସଂଖ୍ୟା ବୃଦ୍ଧିପାଏ । ତେଣୁ ଫସଲରେ ବିଭିନ୍ନ ପ୍ରକାର ରୋଗ ଦେଖାଦିଏ । ଅମ୍ଳଜାନ ଅଭାବରୁ ଧାନ ଓ ଆଖୁ ଫସଲରେ ଚେର ଶଢା ରୋଗ ଦେଖାଦିଏ । ଧାନ ଫସଲରେ ଲୌହଧିକ୍ୟ ହେତୁ ପତ୍ର ତମ୍ବାଳିଆ ଦେଖାଯାଏ । ଏହି ରୋଗକୁ   ବ୍ରୋନଜିଂ କହନ୍ତି ।

ଜଳ ନିଷ୍କାସନ ଦ୍ଵାରା ଏସବୁ ଅସୁବିଧା ଦୂର ହୁଏ ଏବଂ ସହଳ ଚାଷ କରି ଫସଲ କରାଯାଇପାରେ । ଜମିରେ ବର୍ଷସାରା ଫସଲ ଚାଷ କରାଯାଇପାରେ । ଗଛର   ଚେର ବହୁତ ଗଭୀରକୁ ଯାଏ । ତଳୁ ଅଧିକ ଜଳ ଓ ଖାଦ୍ୟସାର ସଂଗ୍ରହ କରି ଫସଲକୁ ଯୋଗାଇଥାଏ ।

ଜଳାନୁବେଧନତା ନିରାକରଣ ଉପାୟ

ଜଳଭଣ୍ଡାରରୁ ଜଳ କେନାଲ ବାଟ ଦେଇ ଜମିରେ ପହଞ୍ଚିବା ସମୟ ଭିତରେ ଶତକଡା ପ୍ରାୟ ୪୦ ଭାଗ ଏଣେତେଣେ ବୋହିଯାଇ ନଷ୍ଟ ହୋଇଥାଏ । ଏହି ଜଳ ଭୂ – ନିମ୍ନ   ଜଳସ୍ତର ସହିତ ମିଶି ଜଳାନୁବେଧନତା ସୃଷ୍ଟି କରେ । ଏପରି ନଷ୍ଟ ହେଉଥିବା ଜଳ ପରିମାଣ ହ୍ରାସ କରିବା ପାଇଁ କେନାଲ ଓ ନାଳର ପାର୍ଶ୍ଵ ଓ ତଳକୁ ବିଭିନ୍ନ ପ୍ରକାର ଆସ୍ତରଣ   ଦ୍ଵାରା ଅଭେଦ୍ୟ କରିବା ଆବଶ୍ୟକ । କେନାଳର ଦୁଇପଟ ଓ ତଳକୁ ଇଟା ସିମେଣ୍ଟ ବାଲିରେ ପ୍ଲାଷ୍ଟର କରି କିମ୍ବା ଦୁଇ ପଟେ ଘାସ ଲଗାଇବା ପ୍ଲାଷ୍ଟିକ ଚ୍ଛାଦନ ଦେଇ ବିଭିନ୍ନ  ଦଗକୁ ବହିଯାଉଥିବା ଜଳ ପରିମାଣ ହ୍ରାସ କରାଯାଇପାରେ । ଦୁଇ କଡରେ କାଦୁଅ ଲେସି ଦେଲେ ମଧ୍ୟ ଦୁଇ ପଟକୁ ବହିଯାଉଥିବା ଜଳ ପରିମାଣ ହ୍ରାସ ପାଇଥାଏ ।

ମୃତ୍ତିକାର ଉଦ୍ ବୃତ୍ତ ଜଳକୁ ନାଳ ଖୋଳି ନିଷ୍କାସନ କରାଯାଇପାରିବ । ନାଳର ବିସ୍ତାର, ଗଭୀରତା ଏବଂ ଦୁଇ ନାଳ ମଧ୍ୟରେ ବ୍ୟବଧାନ ମୃତ୍ତିକାର ଜଳପରିବାହୀ, ବୃଷ୍ଟିପାତ ଓ  ନିଷ୍କାସନ ଯୋଗ୍ୟ ଜଳ ପରିମାଣ ଉପରେ ନିର୍ଭର କରିଥାଏ । ବାଲିଆ ଜମିରେ ଦୁଇନାଳ ମଧ୍ୟରେ ଦୂରତା ମଟାଳ ଜମି ତୁଳନାରେ ଅଧିକ ହୋଇଥାଏ, କିନ୍ତୁ ନାଳର ଗଭୀରତା ମଟାଳ ମାଟି ତୁଳନାରେ କମ୍ ହୋଇଥାଏ । ଦୁଇନାଳ ମଧ୍ୟରେ ଦୂରତା ବାଲିଆ ଜମିରେ ୨୫୦ – ୩୦୦ ମିଟର ଓ କାଦୁଅ ଜମିରେ ୧୦୦ – ୧୨୦ ମିଟର ହୋଇଥାଏ । ନାଳର ଗଭୀରତା ବାଲିଆ ମାଟିରେ ୧.୫ – ୨ ମିଟର ଓ କାଦୁଅ ମାଟିରେ ୨.୫ – ୩ ମିଟର ହୋଇଥାଏ । ନାଳ ଦୁଇ ପ୍ରକାର ଯଥା  (୧) ଖୋଲା ନାଳ ଏବଂ (୨) ମୁଦା ନାଳ ।

ଖୋଲାନାଳ

ଖୋଲାନାଳ ଖୋଳିବା ସହଜ ଖୋଳିବା ଲାଗି ଅଳ୍ପ ଖର୍ଚ୍ଚ ଲାଗେ ଏବଂ ବହୁତ ଜଳ ଅଳ୍ପ ସମୟରେ ସହଜରେ ନିଷ୍କାସିତ ହୋଇପାରେ ।  ଖୋଲା ନାଳ ଦ୍ଵାରା ଜମିରୁ ଜଳ ସହଜରେ ନିଷ୍କାସିତ ହୋଇଥାଏ । ଅଧିକ ବୃଷ୍ଟିଯୁକ୍ତ ଅଞ୍ଚଳରେ ସାଧାରଣତଃ ଖୋଲା ନାଳ ଦ୍ଵାରା ନିଷ୍କାସନ କରାଯାଇଥାଏ । ଏହି ପ୍ରକାର ନାଳଦ୍ଵାରା ଭୂମିମନା ଜଳପତ୍ତନ ସହଜରେ ଓ ଅଳ୍ପ ସମୟ ଭିତରେ ନିର୍ଦ୍ଧିଷ୍ଟ ପତନକୁ ନିଆଯାଇପାରେ ।

ଖୋଲାନାଳ ହେତୁ ଅନେକ ଜମି ନଷ୍ଟ ହୁଏ । ନାଳରେ ଜଳ ଓ ଅନାବନା ଘାସ ବାଢୁଥିବାରୁ ଶୀଘ୍ର ପାଣି ଖଲାସ ହୁଏ ନାହିଁ । ଏହି ନାଳ ଗୁଡିକ ବାରମ୍ବାର ସଫା ଓ  ମରାମତି କରିବାକୁ ପଡେ । ନାଳ ଡେଇଁ ହଲ, ଟ୍ରାକ୍ଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ନେବା ଆଣିବା କରିବା ପାଇଁ ବାଧା ସୃଷ୍ଟି ହେଉଥିବାରୁ ସ୍ଥାନେ ସ୍ଥାନେ ପୋଲ ବା ଚାର କରିବାକୁ ପଡିଥାଏ । ଏଣୁ ଖୋଲା ନାଳର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ । ଏସବୁ ଅସୁବିଧା ସତ୍ତ୍ୱେ ଜମିରୁ ଶୀଘ୍ର ପାଣି ଖଲାସ୍ କରିବା ପାଇଁ ଖୋଲା ନାଳ ଉପଯୁକ୍ତ।

ମୁଦାନାଳ

ଏ ପ୍ରକାର ନାଳ ଜମି ତଳେ ତିଆରି କରାଯାଇଥାଏ । ଏହାକୁ ମାଟି ତଳ ନାଳ ମଧ୍ୟ କୁହାଯାଏ । ମୁଦାନାଳ ଯୋଗୁଁ ଖୋଲା ନାଳ ଭଳି ଜମି ନଷ୍ଟ ହୁଏ ନାହିଁ । ନାଳ  ଉପରେ ମଧ୍ୟ ଚାଷ କରାଯାଏ । ଏପରି ନାଳ ଖୋଳି ବସାଇବାକୁ ପ୍ରଥମେ ବହୁତ ଖର୍ଚ୍ଚ ଲାଗେ କିନ୍ତୁ ପରେ ଖର୍ଚ୍ଚ ଖୁବ୍ କମ୍ ହୋଇଥାଏ । ମୁଦାନାଳରେ ଅସୁବିଧା ସୃଷ୍ଟି ହେଲେ ଅସୁବିଧାର ସ୍ଥାନ ସହଜରେ ଚିହ୍ନଟ କରାଯାଇପାରେ ନାହିଁ । ଏଥିଲାଗି ବେଳେବେଳେ ସମୁଦାୟ ନାଳଟିକୁ ଖୋଳିବାକୁ ପଡିଥାଏ । ଏହା ମାଟିତଳ ନାଳର ମୁଖ୍ୟ ଅସୁବିଧା । ମୁଦାନାଳ ବିଭିନ୍ନ ପ୍ରକାରର ସେ ମଧ୍ୟରୁ ନାଳ ବା ଟାଇଲ ନାଳ ପ୍ରଧାନ । ନଳା ପ୍ଲାଷ୍ଟିକ, ସିମେଣ୍ଟ, କଂକ୍ରିଟ  ବା  ପଲିଥିନ ପାଇପ୍ ରେ  ତିଆରି ହୋଇଥାଏ । ୧୦ ସେ.ମି. ରୁ ୩୦ ସେ.ମି. ଗୋଳେଇ ଓ ଲମ୍ବ ୩୦ – ୪୦ ସେ.ମି. । ଲମ୍ବ ନଳା ଗୁଡିକ ପରସ୍ପର ସହିତ ଲମ୍ବ ଭାବରେ ମୁହଁକୁ ମୁହଁ  ଯୋଡାଯାଏ । ଯୋଡେଇ ମୁହଁରେ ନଳା ଭିତରକୁ ଜଳ ପ୍ରବେଶ କରେ । ପ୍ଲାଷ୍ଟିକ ଓ ପଲିଥିନ ନଳାରେ ସ୍ଥାନେ ସ୍ଥାନେ ଛିଦ୍ର କରାଯାଇଥାଏ । ଏହି ଛିଦ୍ର ମଧ୍ୟ ଦେଇ  ଜଳ ପ୍ରବେଶ କରେ ।

ନାଳରୁ ଜଳ ନିଷ୍କାସନ ଲାଗି ନଳା ଓ ନାଳ ଗୁଡିକର ଯତ୍ନ ନେବା ଆବଶ୍ୟକ । ନିଷ୍କାସନ ପଥ ଠିକ୍ ଭାବରେ ସଫା କରାଯାଉନଥିଲେ ନଳା ବନ୍ଦ ହୋଇଯାଏ । ନାଳ ଭିତରକୁ ଗୋଳିଆ ପାଣି ଛାଣି ହୋଇ ଆସିବାକୁ ସ୍ଥାନେ ସ୍ଥାନେ ସଫେଇ ବାଟ ରଖାଯିବା ଉଚିତ । ସଫେଇ ବାଟ ନିୟମିତ ଭାବେ ସଫା ହେବା ଦରକାର ନିୟମିତ ଭାବେ ନାଳରୁ ଘାସ ସଫା କରିବା ଉଚିତ୍ । ମୂଷା ଓ ଗଧ ନାଳୀ ଭିତରେ ପଶି ନାଳ ଖୋଳି ପକାନ୍ତି ଓ ନଳା ଭୁସୁଡି ପଡେ । ଏଣୁ ନଳା ମୁହଁରେ ତାର ଜାଲି ଦେବା ଦରକାର।

ଆଧାର  - ଶିକ୍ଷକ  ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top