ହୋମ / କୃଷି / ଜଳସେଚନ / ତୃଣକ ଓ ତୃଣକ ଦମନ(ତୃଣକ ଓ ଫସଲ ମଧ୍ୟରେ ପ୍ରତିଯୋଗୀତା )
ସେଆର କରନ୍ତୁ

ତୃଣକ ଓ ତୃଣକ ଦମନ(ତୃଣକ ଓ ଫସଲ ମଧ୍ୟରେ ପ୍ରତିଯୋଗୀତା )

ତୃଣକ ଓ ଫସଲ ମଧ୍ୟରେ ପ୍ରତିଯୋଗୀତା ର ସୂଚନା

ତୃଣକ ଓ ଫସଲ ମଧ୍ୟରେ ପ୍ରତିଯୋଗୀତା

ଉଦ୍ଭିଦ ଜଗତରେ ପ୍ରତ୍ୟକ ଉଦ୍ଭିଦ ବଢିବାର ବିଭିନ୍ନ ଆବଶ୍ୟକତା ପାଇଁ ପାର୍ଶ୍ଵ ଉଦଭିଆ ସହିତ ଅହରହ ସଂଗ୍ରାମରତ । ତୃଣକ ଓ ଫସଲ ମଧ୍ୟରେ ସର୍ବଦା ପୋଷକ ପଦାର୍ଥ ଜଳ ଓ ଆଲୋକ ପାଇଁ ପ୍ରତିଯୋଗୀତା ଲାଗିରହିଛି । କୌଣସି ପରିବେଶ ପାଇଁ ତୃଣକ ଫସଲ ଗଛଠାରୁ ଅଧିକ ପ୍ରତିଯୋଜ୍ୟ । ମନୁଷ୍ୟର ହସ୍ତକ୍ଷେପ ବିନା ତୃଣକ ଫସଲ ଗଛକୁ ସହଜରେ ମୂଳପୋଛ କରି ଦେଇ ପାରିବ ।

  1. ପୋଷକ ଉପାଦାନ ପାଇଁ ପ୍ରାୟଯୋଗିତା
  2. ତୃଣକ ସାଧାରଣତଃ ଅଧିକାଂଶ ଫସଲଠାରୁ ପୋଷକ ଉପାଦାନ ଶୀଘ୍ର ଆବଶୋଷଣ କରେ ଏବଂ ନିଜ ଶରୀର ମଧ୍ୟରେ ଅଧିକ ପରିମାଣରେ ଗଚ୍ଛିତ କରି ରଖେ । ଉଦାହରଣସ୍ୱରୂପ ବନଖଡାର ଶୁଷ୍କ ପଦାର୍ଥରେ ଶତକଡା ୩.୧୬ ଭାଗ ଯବକ୍ଷାରଜାନ , କଙ୍କଡା ଘାସ ର ଶୁଷ୍କ ପଦାର୍ଥରେ ଶତକଡା ୩.୩୬ ଭାଗ ଫସଫେଟ୍ ଓ ଲହଙ୍ଗୀର ଶୁଷ୍କ ପଦାର୍ଥରେ ଶତକଡା ୫.୮୧ ଭାଗ ପଟାସ୍ ଥାଏ ଅଥଚ ଧାନର ଶୁଷ୍କ ପଦାର୍ଥରେ ଶତକଡା ୧.୧୩ ଭାଗ ଯବକ୍ଷାରଜାନ, ୦.୩୪ ଭାଗ ଫସଫେଟ୍ ଓ ୧.୧୦ ଭାଗ ପଟାସ୍ ଏବଂ ଗହମର ଶୁଷ୍କ ପଦାର୍ଥରେ ଶତକଡା ୧.୩୩ ଭାଗ ଯବକ୍ଷାରଜାନ, ୦.୫୯ ଭାଗ ଫସଫେଟ୍ ଓ ୧.୪୪ ଭାଗ ପଟାସ ଥାଏ । ପୋଷକ ଉପାଦାନ ଅବଶୋଷଣ ଓ ଗଚ୍ଛିତ କରିବାରେ ଅଧିକ ଦକ୍ଷତା ସହିତ ତୃଣକ ଅଧିକ ପରିମାଣରେ ଶୁଷ୍କ ପଦାର୍ଥ ଉତ୍ପାଦନ କରିବାରେ ମଧ୍ୟ ସମର୍ଥ । ଫଳରେ ପ୍ରତି ଚାଷ ଋତୁରେ ତୃଣକ ବହୁଳ ପରିମାଣରେ ପୋଷକ ଉପାଦାନ ଅପସାରଣ କରିଥାଏ । ସମୟ ସମୟରେ ତୃଣକ ଦ୍ଵାରା ଅପସାରିତ ପୋଷକ ଉପାଦାନ ପରିମାଣ ଫସଲ ଦ୍ଵାରା ଅପସାରିତ ପରିମାଣର ଦୁଇଗୁଣ ହୋଇଥାଏ । ପରୀକ୍ଷାକରି ଦେଖାଯାଇଛି ଯେ, ଗୋଟିଏ ଘାସ ଅବଚ୍ଛା ଆଖୁ କ୍ଷେତରୁ ହେକ୍ଟର ପ୍ରତି ୧୬୨କି.ଗ୍ରା. ଯବକ୍ଷାରଜାନ, ୨୪ କି.ଗ୍ରା. ଫସଫେଟ୍ ଓ ୨୦୩ କି.ଗ୍ରା. ପଟାସ୍ ତୃଣକ ଦ୍ଵାରା ଅପସାରିତ ହୋଇଥାଏ ଅଥଚ ଫସଲ ଦ୍ଵାରା ୨୮ କି.ଗ୍ରା. ଯବକ୍ଷାରଜାନ ୧୭ କି.ଗ୍ରା. ଫସଫେଟ୍ ଓ ୬୨ କି.ଗ୍ରା. ପୋଟାସ୍ ଅପସାରିତ ହୋଇଥାଏ । ଅନାବନା ଗଛ ନିୟନ୍ତ୍ରଣ କଲେ ଆଖୁ ଅଧିକ ପରିମାଣରେ ପୋଷକ ଉପାଦାନ ଅପସାରଣ କରେ ।

  3. ଜଳ ପାଇଁ ପ୍ରତିଯୋଗିତା
  4. ଅନ୍ୟାନ୍ୟ ପ୍ରତିଯୋଗିତା ସହିତ ତୃଣକ ଓ ଫସଲ ମଧ୍ୟରେ ଜଳ ପାଇଁ ମଧ୍ୟ ପ୍ରତିଯୋଗିତା ହୋଇଥାଏ । ମାଟିର ଜଳୀୟ ଅଂଶ କମିଗଲେ ଏହି ପ୍ରତିଯୋଗିତା ଅଧିକ ସଂକଟାପନ୍ନ ହୋଇଥାଏ । ସମପରିମାଣ ଶୁଷ୍କ ପଦାର୍ଥ ଉତ୍ପାଦନ ପାଇଁ ତୃଣକ ସାଧାରଣତଃ ଅଧିକାଂଶ ଫସଲଠାରୁ ଅଧିକ ଜଳ ଉତ୍ ସ୍ଵେଦନ କରିଥାଏ । ଉଦାହରଣସ୍ୱରୂପ ବଣଖଡା, ଡୁବ, ସୁଆଁ ଘରପୋଡିଆ ଓ ବିଶଲ୍ୟକରଣୀର ପ୍ରସ୍ଵେଦନାନୁପାତ ଯଥାକ୍ରମେ ୩୩୬,୮୧୩, ୬୭୪, ୧୧୦୮ ଓ ୧୪୦୨ ଅଟେ । ଅଥଚ ମକା ଓ ଜୁଆରର ପ୍ରସ୍ଵେଦନାନୁପାତ ମାତ୍ରା ଯଥାକ୍ରମେ ୩୫୨ ଓ ୪୩୦ ଅଟେ । କେତେକ ତୃଣକର ବ୍ୟବହାରିକ ଜଳ ପରିମାଣ ମଧ୍ୟ ଫସଲର ବ୍ୟବହାରିକ ଜଳ ପରିମାଣ ଠାରୁ ଅଧିକ ଅଟେ । ତୃଣକ ମଧ୍ୟ ଅଧିକ ଗଭୀରତାକୁ ଜଳ ଆହରଣ କରିଥାଏ । ତେଣୁ ଘାସୁଆ ଫସଲ କ୍ଷେତରୁ ଘାସମୁକ୍ତ ଫସଲ କ୍ଷେତଠାରୁ ବାଷ୍ପ – ପ୍ରସ୍ଵେଦନ ଅଧିକ ହୁଏ ଏବଂ ଘାସୁଆ କ୍ଷେତ ଶୀଘ୍ର ଶୁଖିଯାଏ ।

  5. ଆଲୋକ ପାଇଁ ପ୍ରତିଯୋଗିତା
  6. ତୃଣକ ଓ ଫସଲ ମଧ୍ୟରେ ଆଲୋକ ପାଇଁ ପ୍ରତିଯୋଗିତା ହୋଇଥାଏ । ଏହି ପ୍ରତିଯୋଗିତା ଅଧିକ ଗୁରୁତ୍ୱପୂର୍ଣ୍ଣ ହୁଏ ଯେତେବେଳେ ମୃତ୍ତିକାରେ ଜଳ ଓ ପୋଷକ ଉପାଦାନ ଯଥେଷ୍ଟ ପରିମାଣରେ ଥାଏ । ବିଲ ଅବଚ୍ଛା ରହିଲେ କେତେକ ତୃଣକ ଫସଲଠାରୁ ଉଚ୍ଚତାରେ ଅଧିକ ବଢନ୍ତି । ଫଳରେ ଫସଲକୁ ଯଥେଷ୍ଟ ପରିମାଣରେ ସୂର୍ଯ୍ୟାଲୋକ ମିଳିପାରେ ବଢି ପିଲ ଅବସ୍ଥାରୁ ଯଦି ଫସଲକୁ ଘୋଡାଇ ଦିଏ ତେବେ ଆଲୋକ ପାଇଁ ପ୍ରତିଯୋଗିତା ପ୍ରଥମରୁ ହିଁ ଆରମ୍ଭ ହୋଇଥାଏ ।

  7. ଆଲିଲୋପାଥି
  8. କେତେକ ତୃଣକ ଯଥା ମୁଥା, ଜଙ୍ଗଲୀ ଓଟ ଓ ଛପର ଘାସ ବିଷାକ୍ତ ପଦାର୍ଥ ଉତ୍ପନ୍ନ କରି ନିକଟବର୍ତ୍ତୀ ଫସଲର ଅଙ୍କୁରୋଦଗମ ଓ ବୃଦ୍ଧିକୁ ନିରୋଧ କରନ୍ତି । ଏହି ପ୍ରକ୍ରିୟାକୁ ଆଲିଲୋପାଥି କୁହାଯାଏ । ବିଷାକ୍ତ ପଦାର୍ଥ ଗଛରୁ ବାଷ୍ପ ଆକାରରେ ନିର୍ଗତ ହୋଇଥାଏ । ପତ୍ରରୁ ଝରିଥାଏ , ଚେରରୁ ନିର୍ଗତ ହୋଇଥାଏ କିମ୍ବା ମଲାଗଛର ଅପଘଟନରୁ ନିର୍ଗତ ହୋଇଥାଏ ।

ତୃଣକ – ଫସଲ ପ୍ରତିଯୋଗିତାରେ ସଂକଟ କାଳ

ଫସଲର ବୃଦ୍ଧି ଓ ବିକାଶବେଳେ ଯେଉଁ ନ୍ୟୁନତମ ସମୟକୁ ଘାସମୁକ୍ତ କରି ରଖିଲେ ସର୍ବାଧିକ ଲାଭ ମିଳେ ସେହି ସମଯରୁ ତୃଣକ ପାଇଁ ସଂକଟକାଳ କୁହାଯାଏ । ଫସଲକୁ ମୂଳରୁ ଶେଷଯାଏ ଘାସମୁକ୍ତ ପ୍ରାୟ ସେତିକି ଆଦାୟ ମିଳେ ବା ଆଦାୟ ବିଶେଷ କମେ ନାହିଁ ଏଣୁ ଅଧିକ ଆଦାୟ ପାଇବା ପାଇଁ ଘାସ ବାଛିବା ଯେପରି ଗୁରୁତ୍ଵପୂର୍ଣ୍ଣ ଠିକ୍ ସମୟରେ ଘାସ ବାଛିବା ସେହିପରି ଗୁରୁତ୍ଵପୂର୍ଣ୍ଣ । ଯେ କୌଣସି ସମୟରେ ଘାସବାଛି ତୃଣକ ପ୍ରତିଯୋଗିତାରୁ ଫସଲକୁ ରକ୍ଷା କରାଯାଇପାରେ ନାହିଁ । ବୁଣାଧାନରେ ଗଛ ଉଠିବାର ୧୦ – ୨୦ ଦିନ, ରୁଆଧାନରେ ୪ – ୬ ସପ୍ତାହ ଏବଂ ଆଉ ଥରେ ୧୦ ସପ୍ତାହ ବେଳ ସଂକଟ କାଳ । ମକାଗଛ ଉଠିବାର ପ୍ରଥମ ଦୁଇ ସପ୍ତାହ ଓ ଚିନାବାଦାମ ଗଛ ଉଠିବା ପରଠାରୁ ୬-୮ ସପ୍ତାହ ପର୍ଯ୍ୟନ୍ତ ସଂକଟ କାଳ ।

ତୃଣକର ପ୍ରଜନନ, ବଂଶ ବିସ୍ତାର ଓ ବିକ୍ଷେପଣ

ତୃଣକକୁ ସଫଳତାର ସହିତ ନିବାରଣ ଓ ନିୟନ୍ତ୍ରଣ କରିବା ପାଇଁ ଏହାର ପ୍ରଜନନ, ବଂଶ ବିସ୍ତାର ଓ ବିକ୍ଷେପ ପ୍ରଣାଳୀ ଜାଣିବା ଆବଶ୍ୟକ । ତୃଣକର ବଂଶ ବିସ୍ତାର (୧) ଲିଙ୍ଗୀ ଓ ଅଲିଙ୍ଗୀଜଣାଣ ଏବଂ (୨) ଅଙ୍ଗଜ ପ୍ରଣାଳୀରେ ହୋଇଥାଏ ।

  1. ଲିଙ୍ଗୀ ଓ ଅଲିଙ୍ଗୀ ଜନନ
  2. ଅଧିକାଂଶ ତୃଣକ ବୀଜ ଉତ୍ପାଦନ କରି ବଂଶ ବିସ୍ତାର କରନ୍ତି । କେତେକ ତୃଣକ ବିଶେଷ ଏକବର୍ଷୀ ତୃଣକ ବିପୁଳ ପରିମାଣର ବୀଜ ଉତ୍ପାଦନ କରନ୍ତି । ଉଦାହରଣସ୍ୱରୂପ ଗୋଟିଏ ଖଡାଗଛ ୧,୯୬,୦୦୦ ଗୋଟିଏ ବାଲୁ ବାଲୁକା ୧,୧୩,୦୦୦ ଓ ଗୋଟିଏ ମାଣ୍ଡିଆ ଘାସ ୪୧,୨୦୦ ମଞ୍ଜି ଉତ୍ପାଦନ କରନ୍ତି । ଏଣୁ ତୃଣକର ବଂଶ ବିସ୍ତାର ଦୃତ ଗତିରେ ବଢିଚାଲେ । ଏହାଛଡା ତୃଣକ ବୀଜର ଅଙ୍କୁରଣ କ୍ଷମତା ଅନେକ ବର୍ଷ ପର୍ଯ୍ୟନ୍ତ ରହେ ଏବଂ ପ୍ରତ୍ୟକ ତୃଣକର ବୀଜ ବିକ୍ଷେପ ପାଇଁ କୌଣସି ନା କୌଣସି ବ୍ୟବସ୍ଥା ରହିଛି ।

    କେତେକ ତୃଣକର ଯୁଗ୍ମକ ସଂଯୁଗ୍ମକ ହୋଇ ଅଥବା ଜନନ କୋଷ ମୂଳଗଛଠାରୁ ପୃଥକ ହୋଇ ରେଣୁ ଗଠନ କରି ବଂଶ ବିସ୍ତାର କରନ୍ତି । ଏ ପ୍ରକାର ତୃଣକର ଉଦାହରଣ ହେଲା ଶୈବାଳ, ଘୋଡାଲାଞ୍ଜି ଓ ଫର୍ଣ୍ଣ ।

  3. ଅଙ୍ଗୀୟ ଜନନ
  4. ଅଙ୍ଗଜ ପ୍ରଣାଳୀରେ ମା ଗଛର କିଛି ଅଂଶ ପୃଥକ ହୋଇ ନୂଆ ଗଛ ସୃଷ୍ଟି କରେ । ଏହି ପ୍ରକାର ବଂଶ ବିସ୍ତାର ମୁଖ୍ୟତଃ କନ୍ଦକାଣ୍ଡ ଦ୍ଵାରା ହୋଇଥାଏ । ବହୁବର୍ଷୀ ଘାସ, ମୁଥା ଜାତୀୟ ତୃଣକ, ସନ୍ତରା । କେତେକ ଓସାରିଆ ପତ୍ରୀ ତୃଣକ ଓ ଫର୍ଣ୍ଣର ବଂଶ ବିସ୍ତାର କନ୍ଦକାଣ୍ଡ ଦ୍ଵାରା ହୁଏ । କନ୍ଦକାଣ୍ଡ ଛଡା ଆଖି ଟିଉବର ବା କଳା , ପୁଆ ବଲ୍ ବ ଏବଂ ଚେର ଦ୍ଵାରା ମଧ୍ୟ ତୃଣକର ଅଙ୍ଗଜ ବିସ୍ତାର ହୁଏ । ଅଙ୍ଗଜ ବଂଶ ବିସ୍ତାର ପ୍ରଣାଳୀ ଗୋଟିଏ ତୃଣକକୁ ସାଂଘାତିକ ଅନିଷ୍ଟକର କରିଥାଏ । କାରଣ ମା ଗଛରୁ ପୃଥକ ହୋଇଥିବା ଅଂଶ ନୂଆଗଛ ସୃଷ୍ଟି କରିଥାଏ । କର୍ଷଣ ଦ୍ଵାରା ଏହି ପ୍ରକାର ତୃଣକର ବିକ୍ଷେପ ହୋଇଥାଏ ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
2.97058823529
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top