ହୋମ / କୃଷି / ଜଳସେଚନ / ତୃଣକ ଓ ତୃଣକ ଦମନ(ତୃଣକ ନିବାରଣ ଉପାୟ)
ସେଆର କରନ୍ତୁ

ତୃଣକ ଓ ତୃଣକ ଦମନ(ତୃଣକ ନିବାରଣ ଉପାୟ)

ତୃଣକ ନିବାରଣ ଉପାୟ ର ସୂଚନା

ଅଳ୍ପ ଖର୍ଚ୍ଚରେ ଏବଂ ଦକ୍ଷତାର ସହିତ ତୃଣକକୁ ନିୟନ୍ତ୍ରଣ କରିବା ପାଇଁ ତୃଣକ ନିବାରଣ ଏକ ପରିପୂରକ ପନ୍ଥୀ ଅଟେ । ତୃଣକ ପ୍ରବେଶ ଓ ବିସ୍ତାରକୁ ବାଧା ଦେଉଥିବା ବା ବଳ କରୁଥିବା ସମସ୍ତ ଉପାୟକୁ ତୃଣକ ନିବାରଣ ପନ୍ଥା କୁହାଯାଏ । ତୃଣକ ଉପଦ୍ରବକୁ ରୋକିବା ପାଇଁ ଯଦି ଯଥେଷ୍ଟ ପରିମାଣରେ ନିବାରଣ ଉପାୟ ଗ୍ରହଣ କରାନଯାଏ ତେବେ କୌଣସି ତୃଣକ ନିୟନ୍ତ୍ରଣ ପନ୍ଥା ସଫଳ ହୋଇପାରିବ ନାହିଁ । ତା’ଛଡା ସର୍ବାଧିକ ଆଦାୟ ପାଇବା ପାଇଁ ଠିକ୍ ସମୟରେ ତୃଣକ ନିବାରଣ ପନ୍ଥା ଅବଲମ୍ବନ କରିବା ଆବଶ୍ୟକ । ବିଶେଷକରି ମାରାତ୍ମକ ଉପଦ୍ରବକୁ ନିବାରଣ କରିବା ଏକାନ୍ତ ଆବଶ୍ୟକ । କାରଣ ଏ ପ୍ରକାର ତୃଣକ ଥରେ ଦୃଢ ହୋଇଗଲେ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡେ । କେତେକ ମୁଖ୍ୟ ତୃଣକ ନିବାରଣ ପନ୍ଥା ନିମ୍ନରେ ବର୍ଣ୍ଣନା କରାଯାଇଅଛି ।

ତୃଣକ ମଞ୍ଜି ମିଶି ନଥିବା ବିହନ ବ୍ୟବହାର

କେତେକ ତୃଣକ ମଞ୍ଜି ଫସଲ ସହିତ ମିଶି ବିସ୍ତାର ଲାଭ କରିଥାଏ । ଏପ୍ରକାର ମିଶ୍ରଣ ଅମଳ ସମୟରେ ଘଟିଥାଏ । କେତେକ ତୃଣକର ଅବଧି ଫସଲ ଅବଧି ସହିତ ସମାନ । କେତେକ ତୃଣକ ମଞ୍ଜିର ଆକାର ଓ ପରିମାଣ ଫସଲ ମଞ୍ଜି ସଦୃଶ ହୋଇଥାଏ । ଏଣୁ ଫସଲ ମଞ୍ଜି ସହିତ ତୃଣକ ମଞ୍ଜିର ମିଶ୍ରଣ ଘଟିଥାଏ । ଜଙ୍ଗଲୀ ଓଟ ମଞ୍ଜି କ୍ଷୁଦ୍ର ଶସ୍ୟ ସହିତ ଅନେକ ସମୟରେ ମିଶି ରହିଥାଏ । ଲୁସର୍ଣ୍ଣ , ବରସିମ୍ ଓ ଅନ୍ୟାନ୍ୟ କ୍ଷୁଦ୍ର ମଞ୍ଜି ବିଶିଷ୍ଟ ଛୁଇଁ ଓ ଘାସଜାତୀୟ ଗୋ – ଖାଦ୍ୟ ମଞ୍ଜି ସର୍ବଦା ସମାନ ଆକାର ଓ ପରିମାଣ ବିଶିଷ୍ଟ କେତେକ ନିର୍ଦ୍ଧିଷ୍ଟ ତୃଣକ ସହିତ ମିଶିଥାଏ । କିନ୍ତୁ ମକା, ସୋୟାବିନ ଆଦି ବଡ ମଞ୍ଜି ସହିତ ସାଧାରଣତଃ ତୃଣକ ମଞ୍ଜି ମିଶି ରହିବାର ସମ୍ଭାବନା କମ୍ । ଫସଲ ମଞ୍ଜି ସହିତ ମିଶି ବିସ୍ତାର ଲାଭ କରୁଥିବା ତୃଣକକୁ ନିବାରଣ କରିବା ପାଇଁ (କ) ତୃଣକ ମଞ୍ଜି ମିଶି ନଥିବା ବିହନ ଉତ୍ପାଦନ କରିବା ଆବଶ୍ୟକ ଓ (ଖ) ସାଇତିବା ପୂର୍ବରୁ ଏବଂ ବୁଣିବା ପୂର୍ବରୁ ଚାଲୁଣିରେ ଚଲାଇ, ଲୁଣ ଦ୍ରବଣରେ ବୁଡାଇ ଏବଂ ଅନ୍ୟାନ୍ୟ ଉପାୟ ଅବଲମ୍ବନ କରି ତୃଣକ ମଞ୍ଜିକୁ ଫସଲ ମଞ୍ଜିଠାରୁ ପୃଥକ୍ କରିବା ଆବଶ୍ୟକ ।

  1. ଖତଗଦା ଦୂଷିତୀକରଣ ପରିହାର
  2. ପରିପକ୍ଵ, ଏପରିକି ଫୁଲ ଅବସ୍ଥାରେ ଥିବା ତୃଣକ ଏବଂ ଏହାର ଅଙ୍ଗଜ ବଂଶ ବିସ୍ତାର କରୁଥିବା ଅଂଶକୁ ଖତଗଦାରେ ପକାଇବା ଅନୁଚିତ । ଅଧିକାଂଶ ସ୍ଥଳରେ ତୃଣକ ମଞ୍ଜି ଖତଗଦାରେ ତାର ଅଙ୍କୁରଣ କ୍ଷମତା ହରାଇ ନଥାଏ ଫଳରେ ଖତ ଚାଷଜମି ପାଇଁ ତୃଣକର ଏକ କୁଖ୍ୟାତ ଉତ୍ସ ହୁଏ ।

  3. ଗୃହପାଳିତ ପଶୁ, କୃଷି ଯନ୍ତ୍ରପାତି ଆଦି ଦ୍ଵାରା ତୃଣକ – ପରିବହନକୁ ନିବାରଣ କରିବା
  4. ଗୃହପାଳିତ ପଶୁଙ୍କୁ ତୃଣକ – ଉପଦୃତ ଜମିରୁ ଅଣ ଉପଦୃତ ଜମିକୁ ପ୍ରତ୍ୟକ୍ଷ ଭାବେ ଯିବାକୁ ଦିଅନ୍ତୁ ନାହିଁ । କାରଣ ସେମାନଙ୍କ ଦେହରେ ସଂଯୁକ୍ତ ହୋଇ ଏବଂ ମଳରେ ତୃଣକ ଆକ୍ରାନ୍ତ ଜମିରୁ ଭଲ ଜମିକୁ ଯାଇଥାଏ । କୃଷି ଯନ୍ତ୍ରପାତିକୁ ପରିଷ୍କାର କରି ଗୋଟିଏ ଜମିରୁ ଆଉ ଗୋଟିଏ ଜମିକୁ ନେବା ଉଚିତ । ତଳିଘେରାକୁ ତୃଣକ ମୁକ୍ତ ରଖିବା ଉଚିତ ଏବଂ ତାଳି, ଚାରା, ବାଲି ମାଟି ଆଦି ଗୋଟିଏ ଜମିରୁ ଅନ୍ୟ ଜମିକୁ ନେଲାବେଳେ ସତର୍କତା ଅବଲମ୍ବନ କରିବା ଉଚିତ ।

  5. ଫସଲ ଚାଷ କରାଯାଉ ନଥିବା କ୍ଷେତ୍ରକୁ ପରିଷ୍କାର ରଖିବା
  6. ଜଳସେଚନ ଓ ନିଷ୍କାସନ ନାଳୀ, ବାଡ, ଫାର୍ମ ଚୌହଦି ଓ ଅନ୍ଯାନ୍ଯ ଫସଲ ଚାଷ କରାଯାଉନଥିବା କ୍ଷେତ୍ର ସାଧାରଣତଃ କୃଷକ ଦ୍ଵାରା ଉପେକ୍ଷିତ ହୋଇଥାଏ । ଏହିସବୁ ସ୍ଥାନ ଜମି ପାଇଁ ତୃଣକର ଶାଶ୍ଵତ ଉତ୍ସ ହୋଇଥାଏ । ଏଣୁ ଫସଲ ଚାଷ କରାଯାଉନଥିବା କ୍ଷେତରୁ ତୃଣକ ନିୟନ୍ତ୍ରଣ କରିବା ଆବଶ୍ୟକ ।

  7. ସତର୍କତା ଅବଲମ୍ବନ କରିବା
  8. ରାସାୟନିକ କିମ୍ବା ଯାନ୍ତ୍ରିକ ପଦ୍ଧତିରେ ତୃଣକ ନିୟନ୍ତ୍ରଣ କରୁଥିଲେ ବି କୃଷକ ମଝିରେ ମଝିରେ କୃଷିକ୍ଷେତ୍ର ନିରୀକ୍ଷଣ କରିବା ଆବଶ୍ୟକ । ଯଦି କୌଣସି ନୂଆ ପ୍ରକାରର ତୃଣକ ଦେଖାଯାଏ ତାର ଛେରା ଯାଇଥିବା ପର୍ଯ୍ୟନ୍ତ ମାଟିରୁ ଖୋଳି ପୋଡି ଦେବା ଉଚିତ ।

  9. ଆଇନଗତ ପନ୍ଥା
  10. ଦେଶ ଦେଶ ମଧ୍ୟରେ ଏବଂ ରାଜ୍ୟ ରାଜ୍ୟ ମଧ୍ୟରେ ମାରାତ୍ମକ ତୃଣକର ଗତିକୁ ରୋକିବା ପାଇଁ ଆଇନଗତ ପନ୍ଥାର ଆଶ୍ରୟ ନେବା ଆବଶ୍ୟକ । ନିରୋଧୀ ନିୟମ ଅଭାବରୁ ଭାରତ ତଥା ଅନ୍ୟାନ୍ୟ ଦେଶର ଗହମ କ୍ଷେତରେ ଫାଲାରିସ୍ ମାଇନର ଦ୍ରୁତ ଗତିରେ ପ୍ରସାର ଲାଭ କରୁଛି । ବିଲାତି ଦଳ ଆମ ଦେଶକୁ ଗୋଟିଏ ଶୋଭାବର୍ଦ୍ଧନକାରୀ ଉଦ୍ଭିଦ ଭାବେ ଅଣାଯାଇଥିବା ଏବେ ସେ ଏକ ଅନିଷ୍ଟକାରୀ ତୃଣକରେ ପରିଣତ ହୋଇଛି ।

ତୃଣକ ନିୟନ୍ତ୍ରଣ ପଦ୍ଧତି

ତୃଣକ ନିୟନ୍ତ୍ରଣ ହେଉଛି ତୃଣକ ଉପଦ୍ରବକୁ ସୀମିତ ରଖିବା ପ୍ରକ୍ରିୟା ଯଦ୍ୱାରା ଫସଲକୁ ଲାଭଜନକ ଭାବେ ଚାଷ କରିହୁଏ ଏବଂ ଅନ୍ୟାନ୍ୟ କ୍ରିୟା ଦକ୍ଷତାର ସହିତ କରିହୁଏ । ଏହି ପ୍ରକ୍ରିୟାରେ ତୃଣକର ମୂଳୋତ୍ପାଟନ ପାଇଁ ଚେଷ୍ଟା ନକରି ଅନାବଶ୍ୟକ ବୃଦ୍ଧିକୁ ସୀମିତ ରଖିବାକୁ ଚେଷ୍ଟା କରାଯାଏ । କୌଣସି କ୍ଷେତ୍ରରୁ ତୃଣକର ଜୀବିତ ଅଂଶକୁ ସଂପୂର୍ଣ୍ଣ ଅପସାରଣ କରିବାକୁ ତୃଣକ ମୂଳୋତ୍ପାଟନ କୁହାଯାଏ । ଏହା ଏକ ବ୍ୟୟବହୁଳ ପନ୍ଥା । ତା’ ଛଡା ଫସଲ କ୍ଷେତରୁ ତୃଣକକୁ ସଂପୂର୍ଣ୍ଣ ଧ୍ଵଂସ କରିବା ଅବାଞ୍ଛନୀୟ ବୋଲି ବିଚାର କରାଯାଏ । ଅବଶ୍ୟ କେତେକ ମାରାତ୍ମକ ତୃଣକ ଯଥା ଷ୍ଟ୍ରଇଗା , ସ୍ଵର୍ଣ୍ଣଲତା ଏବଂ ନାଗଅଇରୀରୁ ମୂଳୋତ୍ପାଟନ କରିବାର ଆବଶ୍ୟକତା ରହିଛି । ସାଧାରଣ ତୃଣକ ପାଇଁ କେବଳ ନିୟନ୍ତ୍ରଣ ଉପାୟ ଅବଲମ୍ବନ କରାଯାଏ । ତୃଣକକୁ ନିୟନ୍ତ୍ରଣ କରିବା ପାଇଁ ଅବଲମ୍ବନ କରାଯାଉଥିବା ପନ୍ଥାଗୁଡିକୁ ଚାରିଶ୍ରେଣୀରେ ଭାଗ କରାଯାଇଅଛି , ଯଥା (୧) ଉତ୍ତମ ଫସଲ ଉତ୍ପାଦନ ପଦ୍ଧତି, (୨) ଯାନ୍ତ୍ରିକ ନିୟନ୍ତ୍ରଣ, (୩) ଜୈବ ନିୟନ୍ତ୍ରଣ ଓ (୪) ରାସାୟନିକ ନିୟନ୍ତ୍ରଣ ।

ଉତ୍ତମ ଫସଲ ଉତ୍ପାଦନ ପଦ୍ଧତି

ଫସଲ କ୍ଷେତ୍ରରୁ ତୃଣକ ନିୟନ୍ତ୍ରଣ କରିବା ପାଇଁ ଉତ୍ତମ ଫସଲ ଉତ୍ପାଦନ ପଦ୍ଧତିର ବିକଳ୍ପ ପନ୍ଥା କିଛି ନାହିଁ । ଉତ୍ତମ ଉତ୍ପାଦନ ପଦ୍ଧତି ଅବଲମ୍ବନ କରିବା ଦ୍ଵାରା ପରିବେଶ ତୃଣକ ପାଇଁ କ୍ଷତିକାରକ ହୁଏ । ଫସଲ ତେଜରେ ବଢେ ଏବଂ ପ୍ରତିଯୋଗିତା କରି ତୃଣକକୁ ଦୁର୍ବଳ କରିଦିଏ ଯଦ୍ୱାରା ଅନ୍ୟାନ୍ୟ ପଦ୍ଧତି ଦ୍ଵାରା ଅଧିକ ଦକ୍ଷତାର ସହିତ ତୃଣକକୁ ନିୟନ୍ତ୍ରଣ କରାଯାଇପାରେ ।

  1. ଆବଶ୍ୟକ ଗଛ ସଂଖ୍ୟା ଏବଂ ସତେଜ ଚାରା
  2. ଜମିର ସବୁଆଡେ ଆବଶ୍ୟକ ଗଛ ସଂଖ୍ୟା ରହିଲେ ଏବଂ ଚାରା ହୃଷ୍ଟପୁଷ୍ଟ ହୋଇ ବଢିଲେ ତୃଣକ ପାଇଁ ଯଥେଷ୍ଟ ଜାଗା ମିଳେ ନାହିଁ । ଅପରପକ୍ଷରେ ଗଛ ସଂଖ୍ୟା କମ୍ ରହିଲେ ଏବଂ ଚାରା ଦୁର୍ବଳ ହେଲେ ତୃଣକ ଘଞ୍ଚରେ ବଢି ଫସଲର ବିଶେଷ କ୍ଷତି କରେ । ଉପଯୁକ୍ତ ଫସଲ ଓ କିସମ ବ୍ୟବହାର , ଯଥେଷ୍ଟ ପରିମାଣର ଅଙ୍କୁରଣକ୍ଷମା ବିହନ ବ୍ୟବହାର , ବିହନ ବିଶୋଧନ, ଉପଯୁକ୍ତ ସମୟ ପଦ୍ଧତି ଏବଂ ଗଭୀରତାରେ ବୁଣା ଆଦି ଉପାୟ ଅବଲମ୍ବନ କରି ଜମିରେ ଆବଶ୍ୟକ ଗଛ ସଂଖ୍ୟା ରଖାଯାଇପାରିବ । ଅଧିକ ଗଭୀରତାରେ ବୁଣିଲେ ଡେରିରେ ଗଛ ଉଠେ ଏବଂ ଚାରା ଦୁର୍ବଳ ହୁଏ ।

  3. ଫସଲ ଉଦ୍ଦୀପକ ବ୍ୟବହାର
  4. ତୃଣକ – ଫସଲ ପ୍ରତିଯୋଗିତାରେ, ଫସଲ ତୃଣକର ଯେତିକି କ୍ଷତି କରେ, ତୃଣକ ଫସଲର ତା’ ଠାରୁ ଅଧିକ କ୍ଷତି କରେ । ପ୍ରକୃତିର ଏହି ଅସମତୁଳନକୁ ଫସଲ ସପକ୍ଷରେ ପରିବର୍ତ୍ତନ କରାଯାଇପାରିବ । ଚୂନ ପ୍ରୟୋଗ ଦ୍ଵାରା ମୃତ୍ତିକାର ଅମ୍ଳତ୍ଵ ଦୂର କରିବା, ଖତ ପ୍ରୟୋଗ କରି ବାଲିଆ ମାଟିର ବିନ୍ୟାସରେ ଉନ୍ନତି ଘଟାଇବା, ସୁଷମ ସାର ଯଥେଷ୍ଟ ପରିମାଣରେ ପ୍ରୟୋଗ କରିବା ଆଦି କେତେକ ବଛା ବଛା ପନ୍ଥା ଅବଲମ୍ବନ କଲେ ଫସଲ ତେଜରେ ବଢେ ଏବଂ ତୃଣକ ସହିତ ସୁଦକ୍ଷ ପ୍ରତିଯୋଗିତା କରିପାରେ ।

  5. ଉପଯୁକ୍ତ ବୁଣିବା ପଦ୍ଧତି
  6. ବିହନ ବୁଣିବାବେଳେ ମୃତ୍ତିକାର ଉପରିଭାଗ ଆବଡା ଖାବଡା ଏବଂ ଶୁଷ୍କ ରହିଲେ ଅନାବନା ଗଛ ଡେରିରେ ଉଠେ । ଜମିରେ ପାଣି ମଡାଇ ପାଗ ଆସିବା ପରେ ଗହମ ବୁଣିଲେ, ବୁଣିବା ବେଳକୁ ଉପର 3 ରୁ ୫ ସେ.ମି ମାଟି ଶୁଖି ଯାଇଥାଏ । ଫଳରେ ଗହମ ଗଛ ଆଗ ଉଠେ, ଅନାବନା ଗଛ ଡେରିରେ ଉଠେ ଏବଂ ଗହମ ଅନାବନା ଗଛ ସହିତ ସଫଳ ପ୍ରତିଯୋଗିତା କରିପାରେ । ଗହମ ବୁଣି ସାରି ପାଣି ମଡାଇଲେ ବିହନ ଏବଂ ତୃଣକ ମଞ୍ଜି ଏକ ସମୟରେ ଅଙ୍କୁରିତ ହୁଏ ଏବଂ ତୃଣକ ଫସଲର ବିଶେଷ କ୍ଷତି କରେ । ବର୍ଷା ଋତୁରେ ଫସଲ ମଞ୍ଜି ଓ ତୃଣକ ମଞ୍ଜି ଏକ ସମୟରେ ଅଙ୍କୁରିତ ହେଉଥିବାରୁ ତୃଣକ ଫସଲର ବିଶେଷ କ୍ଷତି କରିଥାଏ । କାଦୁଅ କରି ତଳି ରୋଇଲେ, ଗ୍ରୀଷ୍ମ ଋତୁରେ ସିଆରରେ ବୁଣି ସିଆରରେ ପାଣି ମଡାଇଲେ ଫସଲ ତୃଣକଠାରୁ ସୁବିଧାଜନକ ପରିସ୍ଥିତିରେ ବଢେ ।

  7. ଉପଯୁକ୍ତ ସମୟରେ ବୁଣିବା
  8. ପ୍ରତ୍ୟକ କୃଷିଭିତ୍ତିକ ଜଳବାୟୁ ମଣ୍ଡଳରେ ଏକ ନିର୍ଦ୍ଧିଷ୍ଟ ସମୟରେ ଋତୁକାଳୀନ ତୃଣକ ସର୍ବାଧିକ ଅଙ୍କୁରିତ ହୋଇଥାଏ । ଫସଲକୁ ଆଗୁଆ ବା ପଛୁଆ ବୁଣି ତୃଣକ ସହିତ ପ୍ରବଳ ପ୍ରତିଯୋଗିତାରୁ ରକ୍ଷା କରାଯାଇପାରିବ । ମୌସୁମୀ ବର୍ଷା ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ପାଣି ମଡାଇ ବୁଣିଲେ , ଅନାବନା ଗଛ ନଥିବା ବେଳେ ମକା ମଞ୍ଜି ଅଙ୍କୁରିତ ହୁଏ ଏବଂ ବର୍ଷା ପାଇ ତୃଣକ ଉଠିବା ବେଳେକୁ ମକାଗଛ ବଡ ହୋଇଯାଇଥାଏ ।

  9. ଫସଲ ପର୍ଯ୍ୟାୟ
  10. ପ୍ରତ୍ୟକ ଫସଲ ସହିତ କେତେକ ନିର୍ଦ୍ଧିଷ୍ଟ ପ୍ରକାରର ତୃଣକ ଦେଖା ଯାଇଥାଏ । ଅନ୍ୟ ଫସଲ ପାଇଁ ଏହା ବିଶେଷ କ୍ଷତିକାରକ ହୁଏ ନାହିଁ । ଫସଲ ପର୍ଯ୍ୟାୟ ଦ୍ଵାରା ଏ ପ୍ରକାର ତୃଣକକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ । ଫସଲ ସଂଯୁକ୍ତ ତୃଣକ ବଣଓଟ ଓ ପରଜୀବୀ ତୃଣକ ସ୍ଵର୍ଣ୍ଣଲତାକୁ ଫସଲ ପର୍ଯ୍ୟାୟ ଦ୍ଵାରା ସହଜରେ ନିୟନ୍ତ୍ରଣ କରିହୁଏ । ତୃଣକର ଜୀବନ ଚକ୍ରକୁ ବିଚାର କରି ଫସଲ ପର୍ଯ୍ୟାୟ ପାଇଁ ଯୋଜନା କରିବା ଆବଶ୍ୟକ । ଡେଙ୍ଗା ଫସଲ ଓ ଗେଡା ଫସଲ । ସହଳ ଫସଲ ଓ ଡେରି ଫସଲକୁ ପର୍ଯ୍ୟାୟ କ୍ରମେ ଚାଷକରି କେତେକ ତୃଣକକୁ ସହଜରେ ନିୟନ୍ତ୍ରଣ କରିହେବ ।

  11. ପାଗ ଭାଙ୍ଗିବା
  12. ଜମି ପ୍ରସ୍ତୁତି ପରେ ଏବଂ ଫସଲ ବୁଣିବା ପୂର୍ବରୁ ମୁଥେ ବା ଦୁଇମୁଥ ତୃଣକକୁ ନଷ୍ଟ କରି ଦେବାକୁ ପାଗ ଭାଙ୍ଗିବା କୁହାଯାଏ । ଅଧିକାଂଶ ତୃଣକ ଉପର ୪ – ୫ ସେ.ମି. ମାଟିରେ ଥିବା ମଞ୍ଜିରୁ ଉଠିଥାଏ । ଜମି ପ୍ରସ୍ତୁତି ପରେ ବୁଣିବା କିଛିଦିନ ଗଡାଇ ଦେଲେ ଗୋଟିଏ ମୁଥ ତୃଣକ ଉଠିଯାଏ ଯାହାକୁ ସ୍ପର୍ଶ ତୃଣକମାରୀ ପ୍ରୟୋଗ କରିବା ଅଗଭୀର ଚାଷ କରି ନଷ୍ଟ କରାଯାଇପାରେ । ସମୟ ଥିଲେ ଦୁଇ ମୁଥ ତୃଣକକୁ ଏପରି ନଷ୍ଟ କରାଯାଇ ପାରିବ । ଏହାଦ୍ଵାରା ବିହନ ଅଙ୍କୁରିତ ହେବା ବେଳକୁ ଜମିରେ ତୃଣକ ନଥାଏ ଏବଂ ପରବର୍ତ୍ତୀ ତୃଣକ ଆସିବା ପୂର୍ବରୁ ଫସଲ ଡାଳପତ୍ର ମେଲି ଜମିକୁ ଘୋଡାଇ ଦେଇଥାଏ ।

  13. ଆଚ୍ଛାଦି ଫସଲ ଚାଷ
  14. ପ୍ରତିଯୋଗୀ ବା ଆଚ୍ଛାଦି ଫସଲ ଶୀଘ୍ର ଅଙ୍କୁରିତ ହୁଏ, ମୃତ୍ତିକାର ଅଧିକ ଖାଦ୍ୟସାର ଗ୍ରହଣ କରି ଶୀଘ୍ର ବଢେ ଏବଂ ଡାଳପତ୍ର ମେଲି ମୃତ୍ତିକାକୁ ଘୋଡାଇ ଦିଏ । ଏକ ପ୍ରକାର ଫସଲ ଚାଷ କଲେ ଆଲୋକ ଓ ଖାଦ୍ୟସାର ଅଭାବରୁ ତୃଣକ ବଢିପାରେ ନାହିଁ । ବରଗୁଡି, ଲୁସର୍ଣ୍ଣ, ବରସିମ୍, ମକା, ଜୁଆର, ବାଜରା ଆଦି ଆଚ୍ଛାଦି ଫସଲ ଅଟେ ।

  15. ଗ୍ରୀଷ୍ମକାଳ – ପଡିଆ
  16. ତୃଣକ ଏବଂ ଅନିଷ୍ଟକାରୀ କୀଟକୁ ନଷ୍ଟ କରିବା ପାଇଁ ଗ୍ରୀଷ୍ମ ଋତୁରେ ଜମିକୁ ପଡିଆ ରଖିବା ଏକ ସାଧାରଣ କଥା । ଖରାଟିଆ ଚାଷ କଲେ ଦୁବ, ମୁଥା ଆଦି ବହୁ ବର୍ଷୀ ତୃଣକର ଚେର, କନ୍ଦା ଓ କନ୍ଦକାଣ୍ଡ ମାଟି ଉପରକୁ ଆସି ଖରାଖାଇ ଶୁଖିଯାଏ । ଅପରପକ୍ଷରେ ସଘନ ଚାଷକରି ବର୍ଷକୁ ୩ – ୪ ଫସଲ ଉତ୍ପାଦନ କଲେ ବହୁବର୍ଷୀ ତୃଣକ ସମସ୍ୟା ବୃଦ୍ଧିପାଏ ।

  17. ସ୍ୱଳ୍ପ ଚାଷ
  18. ଗଭୀର ଏବଂ ବାରମ୍ବାର ଚାଷ କେତେକ କାରଣ ଯୋଗୁଁ ଆବଶ୍ୟକ ହୋଇପାରେ କିନ୍ତୁ ଏହା ତୃଣକର ନିଷ୍କ୍ରିୟ ମଞ୍ଜି ଓ କନ୍ଦକାଣ୍ଡକୁ ମୃତ୍ତିକା ଉପରକୁ ନେଇ ଆସେ ଏବଂ ନୂଆ ମଞ୍ଜିକୁ ଭବିଷ୍ୟତ ପାଇଁ ମାଟି ତଳେ ସାଇତି ରଖେ । ସ୍ୱଳ୍ପ ଚାଷ କରି ତୃଣକ ମଞ୍ଜିକୁ ମାଟି ପତ୍ତନ ନିକଟରେ ରଖିବା ଆବଶ୍ୟକ ଯେପରି ଏକ ସମୟରେ ବହୁତ ମଞ୍ଜି ଅଙ୍କୁରିତ ହେବ ଏବଂ ଥରକରେ ଏସବୁ ତୃଣକକୁ ନଷ୍ଟ କରିହେବ ।

ଯାନ୍ତ୍ରିକ ତୃଣକ ନିୟନ୍ତ୍ରଣ

ମନୁଷ୍ୟ ଫସଲ ଚାଷ ଆରମ୍ଭ କଲା ଦିନଠାରୁ ତୃଣକ ନିୟନ୍ତ୍ରଣ ପାଇଁ ଯାନ୍ତ୍ରିକ ପଦ୍ଧତି ଅବଲମ୍ବନ କରିଆସୁଅଛି । କର୍ଷଣ କରିବା, ହାତରେ ଉପାଡିବା, ଦାଆ ଓ ମୋବରରେ କାଟିବା, ପୋଡିବା , ପ୍ଲାବନ କରିବା ଓ ଆଚ୍ଛାଦି କରଣ କରିବା ଆଦି ଯାନ୍ତ୍ରିକ ତୃଣକ ନିୟନ୍ତ୍ରଣ ପଦ୍ଧତି ଅନ୍ତର୍ଗତ ।

  1. କର୍ଷଣ
  2. ଯେ କୌଣସି କର୍ଷଣର ପ୍ରାଥମିକ କାର୍ଯ୍ୟ ହେଲା ତୃଣକକୁ ନିୟନ୍ତ୍ରଣ କରିବା ଯଦିଓ ଖତସାରକୁ ମାଟିରେ ମିଶାଇବା , ମୃତ୍ତିକାର କଠିନ ସ୍ତର ଭାଙ୍ଗିବା, ହୁଡା ତିଆରି କରିବା ଆଦି ଅନ୍ୟାନ୍ୟ ଉଦ୍ଦେଶ୍ୟ ମଧ୍ୟ କର୍ଷଣ ଦ୍ଵାରା ସାଧିତ ହୋଇଥାଏ । କର୍ଷଣ ତିନି ପ୍ରକାରର । ଫସଲ ଲଗାଇବା ପୂର୍ବରୁ ପ୍ରାରମ୍ଭିକ ଓ ମାଧ୍ୟମିକ କର୍ଷଣ ଏବଂ ଫସଲ ଲଗାଇବା ପରେ ଅନ୍ତଃ କର୍ଷଣ ବା ଅନ୍ତଃ ଚାଷ କରାଯାଏ । ପ୍ରାରମ୍ଭିକ କର୍ଷଣ ମାଟି ପାଲଟା ଲଙ୍ଗଳ ଦ୍ଵାରା ଓ ମାଧ୍ୟମିକ କର୍ଷଣ କଲଟିଭେଟର , ହାରୋ ଆଦି ହାଲୁକା ଯନ୍ତ୍ରପାତି ଦ୍ଵାରା କରାଯାଏ । ପ୍ରାରମ୍ଭିକ କର୍ଷଣ ଜମିରେ ଥିବା ତୃଣକକୁ ପୋତି ପକାଏ, ମାଟିରେ ଭିତରେ ଥିବା ତୃଣକ ମଞ୍ଜିକୁ ମାଟି ଉପରକୁ ନେଇ ଆସେ । ଯାହା ଅଙ୍କୁରିତ ହୋଇ ମାଧ୍ୟମିକ କର୍ଷଣ ଦ୍ଵାରା ନଷ୍ଟ ହୁଏ । ଲଗାଇବା ପୂର୍ବରୁ ପ୍ରୟୋଗ କରାଯାଉଥିବା ତୃଣକମାରୀକୁ ମାଟି ସହିତ ମିଶାଇ ଦିଏ ଏବଂ ବହୁ ବାର୍ଷିକୀ ତୃଣକ ସ୍ଥଳରେ ଲଗାଇବା ପରବର୍ତ୍ତୀ କର୍ଷଣ ଆବଶ୍ୟକତାକୁ ଦୂର କରେ ବା ନିବାରଣ କରେ ।

    ମାଧ୍ୟମିକ କର୍ଷଣ ମୁଖ୍ୟତଃ ଅଙ୍କୁରିତ ତୃଣକକୁ ନଷ୍ଟ କରେ ।

    କର୍ଷଣର ତୃଣକ ନିୟନ୍ତ୍ରଣ ଦକ୍ଷତା ମୁଖ୍ୟତଃ ତୃଣକ ପ୍ରକାର ଉପରେ ନିର୍ଭର କରେ । ଏକବର୍ଷୀ ଓ ଦ୍ଵିବର୍ଷୀ ତୃଣକର ପ୍ରଧାନ ଚେର ଭଲଭାବେ ବଢିବା ପୂର୍ବରୁ ଏବଂ ବହୁବର୍ଷୀ ତୃଣକର ଚାରା ଅବସ୍ଥାରେ ଥିବାବେଳେ କର୍ଷଣ ଦ୍ଵାରା ନିୟନ୍ତ୍ରଣ କରିବା ସହଜ । ଥରେ ଭଲଭାବେ ଚେର ମାରି ଜମିକୁ ଆଚ୍ଛାଦନ କରିଦେଲେ କର୍ଷଣ ଦ୍ଵାରା ତୃଣକ ନିୟନ୍ତ୍ରଣ ସହଜ ହୁଏ ନାହିଁ ।

    କର୍ଷଣ ବାରମ୍ବାର କରିବା ଦ୍ଵାରା ବହୁବାର୍ଷିକୀ ତୃଣକର ମାଟି ତଳେ ଥିବା ଗଚ୍ଛିତ ଖାଦ୍ୟ ଶେଷ ହୋଇଯାଏ ଏବଂ ଶେଷରେ ତୃଣକ ମରିଯାଏ । ତେବେ ଯାନ୍ତ୍ରିକ ଉପାୟରେ ବହୁ ବାର୍ଷିକୀ ତୃଣକକୁ ସଫଳତାର ସହିତ ନିୟନ୍ତ୍ରଣ କରିବା ପାଇଁ କେତେକ ସତର୍କତା ଅବଲମ୍ବନ କିଛିଦିନ ପର୍ଯ୍ୟନ୍ତ ମାଟି ତଳେ ଥିବା ଗଚ୍ଛିତ ଖାଦ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଏ ଏବଂ ପ୍ରଥମାବସ୍ଥାରେ ପ୍ରଚୁର ପରିମାଣରେ ଖାଦ୍ୟଗ୍ରହଣ କରିଥାଏ । ଏଣୁ ମାଟି ତଳେ ଥିବା ଗଚ୍ଛିତ ଖାଦ୍ୟ ଶୀଘ୍ର ଶୀଘ୍ର ସରିଯାଏ । ପତ୍ରରେ ସକ୍ରିୟ ଭାଶ୍ଲେଷଣ ଆରମ୍ଭ ହୋଇଗଲେ ଭୂପୃଷ୍ଟ କାଣ୍ଡ ଓ ପତ୍ର ମାଟିତଳୁ ଆଉ ଖାଦ୍ୟ ଗ୍ରହଣ ନକରି ମାଟି ତଳେ ଥିବା ସଞ୍ଚୟୀ ଅଙ୍ଗକୁ ଖାଦ୍ୟ ପ୍ରେରଣ କରିଥାନ୍ତି । ଏଣୁ ପତ୍ରରେ ସକ୍ରିୟ ଭାଶ୍ଲେଷଣ ଆରମ୍ଭ ହେବା [ପୂର୍ବରୁ କର୍ଷଣ ଦ୍ଵାରା ବହୁବାର୍ଷିକୀ ତୃଣକକୁ ନଷ୍ଟ କରିଦେବା ଆବଶ୍ୟକ । ମାଟି ଉପରକୁ କାଣ୍ଡ ଆସିବା ସଙ୍ଗେ ସଙ୍ଗେ ନଷ୍ଟ କଲେ ଏପ୍ରକାର ତୃଣକକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଅଧିକ ସମୟ ଲାଗିବ । ମାଟି ଉପରକୁ ଆସିବାର ୧୮ – ୨୦ ଦିନ ପରେ ମୁଥାକୁ ନଷ୍ଟ କରିବା ଭଲ । ଆଉ ଗୋଟିଏ ସତର୍କତା ହେଲା ଅଧିକ ଗଭୀରତାକୁ ଚେର ଯାଉଥିବା ମୁଥା ଜାତୀୟ ବହୁବାର୍ଷିକୀ ତୃଣକକୁ ନଷ୍ଟ କରିବା ପାଇଁ ଗଭୀର ଚାଷ କଲେ ମାଟି ଉପରକୁ କାଣ୍ଡ ଆଉ ଥରେ ଆସିବା ପାଇଁ ଅଧିକ ସମୟ ଲାଗିବ ଏବଂ ତୃଣକର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସମୟସାପେକ୍ଷ ହେବ ।

    ଅପରପକ୍ଷରେ ଅଗଭୀର ଚେରଥିବା ଦୁବ, ଆଦି ବହୁ ବାର୍ଷିକୀ ତୃଣକକୁ ନଷ୍ଟ କରିବା ପାଇଁ ମାଟି ପାଲଟା ଲଙ୍ଗଳରେ ଗଭୀର ଚାଷ କରିବା ଉଚିତ ଯଦ୍ୱାରା ଚେର ଓ କନ୍ଦକାଣ୍ଡ ଖରାଖାଇ ଶୁଖିଯିବ । ଚକ୍ରବିଦା ଚଳାଇ ଏ ଜାତୀୟ ତୃଣକର ଭୁନିମ୍ନ ଅଂଶକୁ ଟିକି ଟିକି କରିଦେଲେ ସବୁ ଟିକି ଟିକି ଅଂଶ ଏକ ସମୟରେ ମାଟି ଉପରକୁ ଆସେ ଏବଂ ପରେ କର୍ଷଣ ଦ୍ଵାରା ଏହାକୁ ସହଜରେ ନଷ୍ଟ କରିହୁଏ । ତେବେ ବହୁବାର୍ଷିକୀ ତୃଣକକୁ କର୍ଷଣ ଦ୍ଵାରା ନିୟନ୍ତ୍ରଣ କରିବା ପାଇଁ ବିଶେଷ ଯତ୍ନ ଆବଶ୍ୟକ । ନଚେତ ତୃଣକ ସମସ୍ୟା ନୂଆ ଅଞ୍ଚଳକୁ ବ୍ୟାପିବା ।

    ଅନ୍ତଃ କର୍ଷଣର ମୁଖ୍ୟ ଉପକାର ହେଲା ତୃଣକ ନିୟନ୍ତ୍ରଣ । ମୃତ୍ତିକାର ଜଳ ସଂରକ୍ଷଣ, ବାୟୁ ଚଳାଚଳ ବୃଦ୍ଧି ଏବଂ ମୃତ୍ତିକା ସହି ଖତ ସରକୁ ମିଶାଇବା ଆଦି ଅନ୍ୟାନ୍ୟ ଉପକାର ନିର୍ଦ୍ଧିଷ୍ଟ ଅବସ୍ଥାରେ ଅନ୍ତଃକର୍ଷଣରୁ ମିଳିଥାଏ । କଲଟିଭେଟର , ହାରୋ, ଚକ୍ରବିଦା, ରେକ୍ ଉଇଡ଼ର , ରୋଟାରୀ ଉଇଡ଼ର, ଖୁସାଣି ଓ କୋଦାଳି ଦ୍ଵାରା ଅନ୍ତଃ କର୍ଷଣ କରାଯାଏ । ଏକବର୍ଷୀ ଓ ଦ୍ଵିବର୍ଷୀ ତୃଣକକୁ ଖୁସାଇ ସହଜରେ ନିୟନ୍ତ୍ରଣ କରାଯାଇପାରେ କିନ୍ତୁ ବହୁବର୍ଷୀ ତୃଣକର କନ୍ଦା ବା କନ୍ଦକାଣ୍ଡ ମୃତ୍ତିକାର ବହୁତଳେ ରହୁଥିବାରୁ ମୃତ୍ତିକାକୁ ଖୋଳି ଏ ପ୍ରକାର ତୃଣକକୁ ନିୟନ୍ତ୍ରଣ କରାଯାଇପାରେ ।

  3. ହାତରେ ଉପାଡିବା
  4. ହାତରେ ଉପାଡି ତୃଣକ ନିୟନ୍ତ୍ରଣ କରିବା ଏକ ଅତି ପୁରାତନ ପନ୍ଥା ଏବେ ବି ଏହା ଏକ ଉତ୍କୃଷ୍ଟ ପନ୍ଥା ରୂପେ ବିବେଚିତ ହୁଏ । ଏକବର୍ଷୀ ଓ ଦ୍ଵିବର୍ଷୀ ତୃଣକ ପାଇଁ ହାତ ଉପୁଡା ବିଶେଷ ଫଳପ୍ରଦ କାରଣ ମାଟି ଭିତରେ ଛିଣ୍ଡି ରହିଯାଇଥିବା ଚେରରୁ ଏ ପ୍ରକାର ତୃଣକର ପୁନର୍ଜନନ ହୁଏ ନାହିଁ । ବହୁବର୍ଷୀ ତୃଣକକୁ ହାତରେ ଉପାଡିଲେ ଚେର ଏବଂ ବଂଶ ବିସ୍ତାର କରୁଥିବା ଅଙ୍ଗର କିଛି ଅଂଶ ମାଟି ଭିତରେ ରହିଯାଇ ପୁଣି ବଢେ । ଫଳରେ ତୃଣକକୁ ବାରମ୍ବାର ଉପାଡିବାର ଆବଶ୍ୟକତା ପଡେ ।

    ଯେଉଁ କ୍ଷେତରେ ତୃଣକ ଏପରି ବିକ୍ଷିପ୍ତ ହୋଇଥାଏ ଯେ ତୃଣକମାରି ପ୍ରୟୋଗ ଲାଭଜନକ ହୁଏ ନାହିଁ , ଯେଉଁ ଜାତୀୟ ତୃଣକକୁ ତୃଣକମାରି ଦକ୍ଷତାର ସହିତ ମାରିପାରେ ନାହିଁ ଏବଂ ଯେଉଁ ଫସଲ ପାଇଁ ତୃଣକମାରି ବିଷାକ୍ତ ଅଟେ ସେପରି ସ୍ଥଳେ ହାତ ଉପୁଡାର ଉପଯୋଗିତା ଅଧିକ ।

  5. ଦାଆ ଓ ମୋବାରରେ କାଟିବା
  6. ମଞ୍ଜି ଧରିବା ପୂର୍ବରୁ ତୃଣକକୁ ମାଟି ଉପରୁ ଦାଆରେ କାଟି ନିୟନ୍ତ୍ରଣ କରାଯାଇପାରେ । ସାଧାରଣତଃ ଗଡାଣିଆ ଜମିରେ ଏ ପଦ୍ଧତିରେ ତୃଣକ ନିୟନ୍ତ୍ରଣ କରାଯାଏ । ଯଦ୍ୱାରା ଚେର ଓ ମୂଳୀ ମୃତ୍ତିକାକ୍ଷୟ ନିରୋଧ କରିବାରେ ସାହାଯ୍ୟ କରେ । ଏହାଛଡା କେତେକ ସ୍ଥଳରେ ତୃଣକ ଅତ୍ୟଧିକ ବଢିଥିଲେ ନିର୍ଦ୍ଧିଷ୍ଟ ଉଚ୍ଚତାରୁ କାଟି ଦେଇ ତୃଣକମାରୀ ପ୍ରୟୋଗ କରାଯାଇଥାଏ । ଏହାଦ୍ଵାରା ଅଳ୍ପ ପରିମାଣ ତୃଣକମାରୀ ପ୍ରୟୋଗ କରି ତୃଣକକୁ ନିୟନ୍ତ୍ରଣ କରାଯାଇପାରେ । ସଫଳ ନିୟନ୍ତ୍ରଣ ପାଇଁ ଭୂମିମ୍ନ ଚେରରେ ସଞ୍ଚିତା ଖାଦ୍ୟ କମ ଥିବାବେଳେ ବହୁବର୍ଷୀ ତୃଣକକୁ ଏବଂ ଫୁଲ ଧରିବା ପୂର୍ବରୁ ଅନ୍ୟାନ୍ୟ ତୃଣକକୁ କାଟିବା ଉଚିତ ।

    ଦାଆପରି ଲନ୍ ଏବଂ ରାସ୍ତାକଡାରେ ଉଠିଥିବା ତୃଣକକୁ ମୋବରରେ କାଟି ନିୟନ୍ତ୍ରଣ କରାଯାଏ । ମୃତ୍ତିକା କ୍ଷୟ ରୋକିବା ପାଇଁ ଯେଉଁଠି ଚେରକୁ ନଷ୍ଟ ନକରି ତୃଣକ ନିୟନ୍ତ୍ରଣ କରିବା ଆବଶ୍ୟକ ହୁଏ , ସେଠି ମୋବର ବ୍ୟବହାର କରିବା ବାଞ୍ଛନୀୟ । ମୋବର ଭୂଶାୟୀ ତଥା ଛୋଟ ଛୋଟ ତୃଣକକୁ ସଫଳତାର ସହିତ ନିୟନ୍ତ୍ରଣ କରିପାରେ ନାହିଁ ।

  7. ନିଆଁରେ ପୋଡିବା
  8. ଅନେକ ସମୟରେ ନିଆଁରେ ପୋଡି ତୃଣକକୁ ନିୟନ୍ତ୍ରଣ କରାଯାଏ । ବିଶେଷକରି (କ) ଜମିରହିଥିବା ଶାକାଳି କୁ ନଷ୍ଟ କରିବା ପାଇଁ (ଖ) ପରିପକ୍ଵ ତୃଣକର ଶୁଷ୍କ ଉପରିଭାଗକୁ ନଷ୍ଟ କରିବା ପାଇଁ, (ଗ) ଚାଷ ଏବଂ ଅନ୍ୟାନ୍ୟ ସାଧାରଣ ପଦ୍ଧତି ଦ୍ଵାରା ନିୟନ୍ତ୍ରଣ କରିବା ଅସମ୍ଭବ ହେଉଥିବା ସବୁଜ ତୃଣକକୁ ମାରିବା ପାଇଁ ଏବଂ (ଘ) ମାଟିରେ ପୋତି ହୋଇଥିବା ତୃଣକ ମଞ୍ଜି ଓ ଅନ୍ୟାନ୍ୟ ବଂଶ ବିସ୍ତାର ଅଙ୍ଗକୁ ନଷ୍ଟ କରିବା ପାଇଁ ନିଆଁକୁ ବ୍ୟବହାର କରାଯାଇଥାଏ ।

  9. ପ୍ଲାବନ କରିବା
  10. ପ୍ଲାବନ କରିବା ଦ୍ଵାରା ଅମ୍ଳଜାନ ଅଭାବରୁ ତୃଣକ ମରିଯାଏ । ଏହି ପଦ୍ଧତି ଦ୍ଵାରା ସମୟ ସମୟରେ ଧାନ କ୍ଷେତରୁ ତୃଣକ ନିୟନ୍ତ୍ରଣ କରାଯାଇଥାଏ । ପ୍ଲାବନ ଦ୍ଵାରା କେତେକ ତୃଣକକୁ ଧାନକ୍ଷେତରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରେ । ଏହି ପଦ୍ଧତିରେ ଅନାବନା ଗଛ ବୁଡିଗଲା ପରି ଜମିରେ ୧୫ ରୁ ୩୦ ସେ.ମି. ପାଣି ୩ରୁ ୮ ସପ୍ତାହ ପର୍ଯ୍ୟନ୍ତ ବାନ୍ଧି ରଖାଯାଏ ।

  11. ଛାଦିକରଣ କରିବା
  12. ଛାଦିକରଣ କରିବା ଦ୍ଵାରା ଆଲୋକ ଅଭାବରୁ ଭାଶ୍ଲେଷଣ ହୁଏ ନାହିଁ ଏବଂ ତୃଣକ ବଢିପାରେ ନାହିଁ । ଏକବର୍ଷୀ ତୃଣକ ଓ ଦୁବ , ଜନସନ୍ ଘାସ ଆଦି କେତେକ ବହୁବର୍ଷୀ ତୃଣକକୁ ଛାଦିକରଣ ଦ୍ଵାରା ଦକ୍ଷତାର ସହିତ ନିୟନ୍ତ୍ରଣ କରାଯାଇପାରେ । ଶୁଖିଲା ବା କଞ୍ଚା ନଡା, କରତଗୁଣ୍ଡ ତଥା ଫସଲର ଅନ୍ୟାନ୍ୟ ଅବଶିଷ୍ଟଶକୁ ଛାଦିକରଣ ପାଇଁ ବିନିଯୋଗ କରାଯାଏ । କାଗଜ, ପ୍ଲାଷ୍ଟିକ ଚାଦର ଏବଂ ପଲିଥିନ ଫଇଲମ୍ କୁ ମଧ୍ୟ ଛାଦିକରଣ ପାଇଁ ବିନିଯୋଗ କରାଯାଏ । ସଫଳ ନିୟନ୍ତ୍ରଣ ପାଇଁ ଛାଦି ସ୍ତର ୧୦ରୁ ୧୫ ସେ.ମି. ବହଳା କରିବା ଆବଶ୍ୟକ ଯେପରିକି ଆଲୋକ ସଞ୍ଚାରଣ ଏବଂ ଭାଶ୍ଲେଷଣ ହୋଇପାରିବ ନାହିଁ । ଛାଦିକରଣ ପାଇଁ ଉଦ୍ଭିଦର ଅବଶିଷ୍ଟାଶ ବିନିଯୋଗ କଲେ କଲିକତରା ଉଈ ଆଦି ମୃତ୍ତିକା ଜନିତ ଅନିଷ୍ଟକାରୀ କୀଟ ସମସ୍ୟା ଅଧିକ ହୁଏ । ତା’ଛଡା ଛାଦିକରଣ ଏକ ବ୍ୟୟ ବହୁଳ ବ୍ୟବସ୍ଥା । ଏଣୁ ଚା’, କଫି ଆଦି ଲାଭଜନକ ଫସଲରେ କେବଳ ଏହା ବ୍ୟବହୃତ ହୋଇଥାଏ ।

  13. ଫଙ୍କାଦି
  14. ଫଙ୍କାଦି – ଉଦ୍ଧାରକ ଯନ୍ତ୍ର ଓ ଚେନ ଦ୍ଵାରା ତୃଣକ ନିୟନ୍ତ୍ରଣ କରିବା ପାଇଁ ବିନିଯୋଗ କରାଯାଏ । ଫଙ୍କାଦି - ଉଦ୍ଧାରକ ଯନ୍ତ୍ରଦ୍ଵାରା ପାଣି ଘାସକୁ ଅଗଭୀର ଚେର ଓ କନ୍ଦକାଣ୍ଡ ସହିତ ଉପାଡି ଦିଆଯାଏ । ସେହିପରି ଖାତର ନିମ୍ନଭାଗ ଉପରେ ଗୋଟିଏ ଓଜନିଆ ଚେନକୁ ଘୋଷାଡ଼ି ତୃଣକକୁ ଟୁକୁଡା କରି ନିୟନ୍ତ୍ରଣ ମଧ୍ୟ କରାଯାଏ ।

ଜୈବ ନିୟନ୍ତ୍ରଣ

ଏହି ପ୍ରଣାଳୀରେ କୀଟ ଓ ରୋଗ ସୃଷ୍ଟିକାରୀ ଜୀବାଣୁ ଆଦି ଉଦ୍ଭିଦର ପ୍ରାକୃତିକ ପ୍ରାକୃତିକ ଶତ୍ରୁକୁ ବିନିଯୋଗ କରି ତୃଣକ ନିୟନ୍ତ୍ରଣ କରାଯାଏ । କୌଣସି ସମୟରେ ଏକ ମୁଖ୍ୟ ତୃଣକକୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦ୍ଧତି ଅନୁସୃତ ହୁଏ । ଜୈବ ପଦ୍ଧତିରେ ତୃଣକ ନିୟନ୍ତ୍ରଣ ସମୟସାପେକ୍ଷ ଏଣୁ ଏବେ ସାଧାରଣତଃ ଫସଲ ନଥିବା କ୍ଷେତରେ ଏହି ପଦ୍ଧତି ଅନୁସୃତ ହେଉଅଛି ।

  1. ଜୈବ ତୃଣକମାରୀ
  2. ରାସାୟନିକ ତୃଣକମାରୀ ପରି ରୋଗ ସୃଷ୍ଟିକାରୀ ଜୀବାଣୁକୁ ନିର୍ଦ୍ଧିଷ୍ଟ ତୃଣକ ଉପରେ ସ୍ପ୍ରେ କରି ନିୟନ୍ତ୍ରଣ କରାଯାଇପାରିବ । ଏପରି ବ୍ୟବହୃତ ହେଉଥିବା ରୋଗ ସୃଷ୍ଟିକାରୀ ଜୀବାଣୁକୁ ଜୈବ ତୃଣକମାରୀ କୁହାଯାଏ । ଦୁଇଟି ସଫଳ ଜୈବ ତୃଣକମାରୀର ଉଦାହରଣ ହେଲା ଫାଇଟୋପଥୋରା, ପାମି ଭୋରା ଓ କଲେଟୋଟ୍ରିକମ ଗୋସୋରଏଡସ୍ କବକ । ପ୍ରଥମତି ଲେମ୍ବୁ ବଗିଚାରୁ ମୋରେନିଆ ଓଡୋରାଟ ଦ୍ଵିତୀୟଟି ଧାନ କ୍ଷେତରୁ ଏଇଶ୍ଚିନୋମେନା ଭିର୍ଜିନିକା ନିୟନ୍ତ୍ରଣ ପାଇଁ ବ୍ୟବହୃତ ହୁଏ ।

  3. ଜୈବ ନିୟନ୍ତ୍ରକ
  4. ତୃଣକ ନିୟନ୍ତ୍ରଣ ପାଇଁ ଛଅ ପ୍ରକାର ଜୈବ ନିୟନ୍ତ୍ରକ ବିନିଯୋଗ କରାଯାଏ ଯଥା – କୀଟ, ତୃଣଭୋଜି ମାଛ, ଗେଣ୍ଡା, ଅଷ୍ଟପଦି , କବକ ଓ ପ୍ରତିଯୋଗୀ ଉଦ୍ଭିଦ ।

    ଜୈବ ତୃଣକ ନିୟନ୍ତ୍ରଣ ପାଇଁ ସର୍ବଦା ଅନ୍ୟ ପ୍ରାଣୀଠାରୁ କୀଟକୁ ଅଧିକ ବିନିଯୋଗ କରାଯାଏ । ପ୍ରଥମେ ୧୯୦୨ ମସିହାରେ ହାୱାଇ ଦ୍ଵୀପରେ କ୍ରସିଡୋସେମା ଲାଣ୍ଟାନା ନାମକ ପ୍ରଜାପତିକୁ ବିନିଯୋଗ କରି ନାଗଅଇରି କୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରାଯାଇଥିଲା ତା’ ପରଠାରୁ ବିଭିନ୍ନ ବଂଶର କୀଟକୁ କେତେକ ମାରାତ୍ମକ ତୃଣକ ନିୟନ୍ତ୍ରଣ ପାଇଁ ବିନିଯୋଗ କରାଯାଉଅଛି ।

    କେତେକ ମଧୁର ଜଳ କାର୍ପ – ମାଛ ବହୁ ପରିମାଣ ଜଳ – ଘାସ ଖାଇ ଜଳାଶୟକୁ ଘାସମୁକ୍ତ ରଖନ୍ତି । କମନ କାର୍ପ ଓ ଚାଇନିଜ ଗ୍ରାସ କାର୍ପ ଅତି ଦକ୍ଷତାର ସହିତ ଜଳାଶୟର ଘାସ ନିୟନ୍ତ୍ରଣ କରନ୍ତି । ଚାଇନିଜ ଗ୍ରାସ କାର୍ପ ପ୍ରତିଦିନ ନିଜ ଓଜନରୁ ଅଧିକ ଓଜନର ଘାସ ଖାଏ ।

    ମୋରିସା କର୍ଣ୍ଣାରିଟିସ୍ ଓ ଅନ୍ୟାନ୍ୟ କେତେକ ମଧୁର ଜଳ ଗେଣ୍ଡା ପେଟୁପରି ବିଭିନ୍ନ ତୃଣକକୁ ଖାଇଯାନ୍ତି । ମୋରିସା , ବିଲାତି ଦଳ , ବୋରଝାଞ୍ଜି ର ଚେର ଓ ସାଲଭିନିଆ ର ପତ୍ରକୁ ଖାଇଯାଏ ।

    ପ୍ରଥମେ ୧୯୨୨ – ୨୩ ମସିହାରେ ଟେଟ୍ରୋନିକସ ଡେସେଟୋରମ ନାମକ ଅଷ୍ଟପଦୀ ସିଜୁକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଦକ୍ଷ କୀଟ ଆବିଷ୍କୃତ ହେଲାଣି ।

    ଅନେକ ପ୍ରକାର କବକ ନିର୍ଦ୍ଧିଷ୍ଟ ତୃଣକକୁ ଆକ୍ରମଣ କରନ୍ତି । କିନ୍ତୁ କବକକୁ ବିନିଯୋଗ କରି ତୃଣକ ନିୟନ୍ତ୍ରଣ କରିବାର ଉଦାହରଣ କମ୍ । ସେଫାଲୋ ସ୍ପୋରିୟମ ଜାତୀୟ କବକର ରେଣୁକୁ ପ୍ରୟୋଗ କରି ଆକାସିଆ ଗ୍ଲାଉକାକୁ ସଫଳତାର ସହିତ ନିୟନ୍ତ୍ରଣ କରାଯାଇପାରିବ । କବକକୁ ବିନିଯୋଗ କରି ଲେମ୍ବୁ ବଗିଚାରୁ ମୋରେନିଆ ଓଡୋରାଟି ଓ ଧାନ କ୍ଷେତରୁ ଏଇଶ୍ଚି ନେମୋନା ଭିର୍ଜିନିକା କରିବା ଉଦାହରଣ ଆଗରୁ ଦିଆଯାଇଛି ।

    କେତେକ ଜଙ୍ଗଲି ଗଛ କମ୍ କ୍ଷତିକାରକ ଏବଂ ସମସ୍ୟା ସୃଷ୍ଟି କରୁଥିବା ତୃଣକ ସହିତ ସଦକ୍ଷ ପ୍ରତିଯୋଗୀତା କରନ୍ତି । ଏଲୋ ଚାରିସ ଆସିକୁଲାରିସ ଏହିପରି ଉଦ୍ଭିଦ । ଏହା କମ୍ ଉଚ୍ଚ ଏବଂ ଜଳ ଭିତରେ ଖୁବ୍ ଶୀଘ୍ର ବଢୁଥିବା ଏକ ଉଦ୍ଭିଦ ଯାହାକି ଅଳ୍ପ ସମୟ ଭିତରେ କେନାଲର ତଳିଭାଗକୁ ଆଚ୍ଛାଦନ କରି ଅନ୍ୟାନ୍ୟ ଡେଙ୍ଗା ଜଳଘାସ କୁ ବଢିବାକୁ ଦିଏନାହିଁ ।

  5. ଜୈବ ନିୟନ୍ତ୍ରକର ଲକ୍ଷଣ
  6. ସଫଳ ଜୈବ ନିୟନ୍ତ୍ରକର ଲକ୍ଷଣଗୁଡିକ ହେଲା ନିର୍ଦ୍ଧିଷ୍ଟ ପୋଷକ ଗଛ ନିର୍ଭରଶୀଳ ହୋଇଥିବ, ନୂଆ ପରିବେଶରେ ବଢିପାରିବ, ଲକ୍ଷ ତୃଣକକୁ ଶୀଘ୍ର ନଷ୍ଟ କରିପାରିବ ଏବଂ ଶୀଘ୍ର ବଂଶ ବିସ୍ତାର କରିପାରିବ ।

  7. ଜୈବ ତୃଣକ ନିୟନ୍ତ୍ରକର କେତେକ ବିଶିଷ୍ଟ ଉଦାହରଣ
  8. ହାୱାଇ ଦ୍ଵୀପପୁଞ୍ଜରେ ପ୍ରଥମେ ୧୯୦୨ ମସିହାରେ କ୍ରସିଡୋସେମା ଲାଣ୍ଟାନା ନାମକ ପ୍ରଜାପତି ଦ୍ଵାରା ନାଗୁଆରୀ କୁ ନିୟନ୍ତ୍ରଣ କରାଯାଇଥିଲା ଏହି ପ୍ରଜାପତି ନାଗୁଆରୀର ଫୁଲ ଓ ଫଳକୁ ନଷ୍ଟ କରିଦିଏ ଫଳରେ ବିକ୍ଷେପଣ ବାଧାପ୍ରାପ୍ତ ହୁଏ । ଏବେ ହାଇପେନା ଜୁସାଲିଦ୍ ନାମକ କୀଟ ଆବିଷ୍କୃତ ହୋଇଛି ଯାହା ଖୁବ୍ ଶୀଘ୍ର ନାଗୁଆରୀ ଗଛର ପତ୍ରକୁ ଖାଇ ଲଣ୍ଡା କରିଦିଏ । ହାୱାଇ ଦ୍ଵୀପପୁଞ୍ଜରେ ନାଗୁଆରୀ ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ । ଅଷ୍ଟ୍ରେଲିଆରେ ତିନିଟି କୀଟ ଆବିଷ୍କୃତ ହୋଇଅଛି ଯାହା ଅତି ସଫଳତାର ସହିତ ନାଗୁଆରୀକୁ ନିୟନ୍ତ୍ରଣ କରିପାରୁଛି ।

    ଅଷ୍ଟ୍ରେଲିଆରେ କାକ୍ଟୋ ବ୍ଲାଷ୍ଟିସ୍ କାକ୍ଟୋରମ ନାମକ କୀଟକୁ ବିନିଯୋଗ କରି ସିଜୁକୁ ନିୟନ୍ତ୍ରଣ କରାଯାଇପାରିଛି । ଭାରତରେ ୪୦,୦୦୦ ହେକ୍ଟର ଜମି ସିଜୁ ଦ୍ଵାରା ଆକ୍ରାନ୍ତ ହୋଇଥିଲା । ଜୈବ ନିୟନ୍ତ୍ରକ ଡାକ୍ଟିଲୋପିଅସ ଟୋମେଣ୍ଟାସସ୍ କୁ ବିନିଯୋଗ କରି ଏସବୁ ଜମିକୁ ତୃଣକ ମୁକ୍ତ କରାଯାଇପାରିଛି ।

ରାସାୟନିକ ତୃଣକ ନିୟନ୍ତ୍ରଣ

ବିଭିନ୍ନ ରାସାୟନିକ ପଦାର୍ଥ ବିନିଯୋଗ କରି ଏବେ ତୃଣକ ନିୟନ୍ତ୍ରଣ କରାଯାଉଅଛି । ଏହି ରାସାୟନିକ ପଦାର୍ଥଗୁଡିକୁ ତୃଣକମାରୀ କୁହାଯାଏ ।

୧୮୯୬ ମସିହାରେ ପ୍ରଥମେ ଫ୍ରାନ୍ସରେ ଜଣାପଡିଲାଣି ବୋର୍ଡୋ ମିଶ୍ରଣ, ଯାହାକି ଏକ କବକମାରୀ, ଫସଲ କ୍ଷେତରୁ କେତେକ ତୃଣକ ନିୟନ୍ତ୍ରଣ କରିବାକୁ ସକ୍ଷମ । ପରେ ପରେ ଜଣାପଡିଲା ବୋର୍ଡୋ ମିଶ୍ରଣରେ ଥିବା ତୁତିଆ ତୃଣକ ନିୟନ୍ତ୍ରଣ କରିବା ପାଇଁ ଦାୟୀ । ୧୮୯୬ ରୁ ୧୯୧୦ ମସିହା ରାସାୟନିକ ତୃଣକ ନିୟନ୍ତ୍ରଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ ସଲଫ୍ୟୁରିକ ଅମ୍ଳ ଓ ଅନେକ ଅଜୈବିକ ଲବଣ ତୃଣକ ନିୟନ୍ତ୍ରଣ ପାଇଁ ଆବିଷ୍କୃତ ହେଲା ୧୯୪୫ ମସିହାରେ ଫସଲ କ୍ଷେତରୁ ବରଣାତ୍ମକ ତୃଣକ ନିୟନ୍ତ୍ରଣ କରିବାରେ ବୈପ୍ଲବିକ ପରିବର୍ତ୍ତନ ଅଣାଗଲା ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଓ ଇଂଲଣ୍ଡରେ ଏକ ସମୟରେ, ୨,୪ – ଡି ଓ ଏସ. ସି.ପି.ଏ ଆବିଷ୍କାର ଘୋଷଣା କରାଗଲା । ଦୁଇଟିଯାକ ତୃଣକମାରୀ ଶସ୍ୟ ଜାତୀୟଫସଲରୁ ବିସ୍ତୀର୍ଣ୍ଣପତ୍ରୀ ତୃଣକକୁ ଅତି ଦକ୍ଷତାର ସହିତ ନିୟନ୍ତ୍ରଣ କରି ପାରିଲେ । ଏହା ପରେ ପରେ ଅନେକ ଗୁଡିଏ ତୃଣକମାରୀ ଆବିଷ୍କୃତ ହେଲାଣି । ଏବେ ପୃଥିବୀରେ ୩୦୦ରୁ ଅଧିକ ପ୍ରକାରର ତୃଣକମାରୀ ଉତ୍ପାଦନ କରାଯାଉଛି ଯଦିଓ ସେ ମଧ୍ୟରୁ ଅଳ୍ପ କେତେକ ମୁଖ୍ୟତଃ ବ୍ୟବହାର କରାଯାଉଛି ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

2.97435897436
Gadadhar sahoo Oct 29, 2018 02:53 PM

ଫସଲରୁ କିଭଳି ଅନାବନା ଘାସ ସହଜରେ ଦମନ କରାଯାଏ ସେବିଷୟରେ ଜାଣିଲି I ବର୍ତମାନ ଏହାକୁ ଉପଯୋଗ କରି ଘାସ ଦମନକାରୀ ଅଧିକ ଫସଲ ଅମଳ କରିପାରିବି I

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top