ହୋମ / କୃଷି / ଜଳସେଚନ / ତୃଣକ ଓ ତୃଣକ ଦମନ(ତୃଣକର ବିକ୍ଷେପଣ )
ସେଆର କରନ୍ତୁ

ତୃଣକ ଓ ତୃଣକ ଦମନ(ତୃଣକର ବିକ୍ଷେପଣ )

ତୃଣକର ବିକ୍ଷେପଣ ର ସୂଚନା

ତୃଣକର ବିକ୍ଷେପଣ

ପ୍ରାକୃତିକ ଉପାୟରେ ତୃଣକର ପରିପକ୍ଵ ବୀଜ ଓ ଜୀବିତ ଅଂଶର ବିକ୍ଷେପଣ ହୋଇଥାଏ । ନଚେତ୍ ତୃଣକ ଆଦି ସର୍ବବ୍ୟାପୀ ହୋଇ ନଥାନ୍ତା କିମ୍ବା ତେଜରେ ବଢୁ ନଥାନ୍ତା ।

  1. ଫଳ ଓ ମଞ୍ଜି ବିକ୍ଷେପଣ
  2. ତୃଣକ ପରିପକ୍ଵ ହେଲେ କିଛି ଫଳ ଓ ମଞ୍ଜି ମା’ ଗଛ ନିକଟରେ ପଡେ , କିଛି ଫସଲ କାଟିବା ବେଳେ ଫସଲ ସହିତ ମିଶି ସ୍ଥାନାନ୍ତରିତ ହୁଏ ଏବଂ ଆଉ କିଛି ମା’ ଗଛଠାରୁ ଅଳ୍ପ ବା ବହୁ ଦୂରକୁ ବାୟୁ, ଜଳ, ଜୀବଜନ୍ତୁ, ମନୁଷ୍ୟ ଓ ଖତସାର ଦ୍ଵାରା ବିକ୍ଷେପିତ ହୁଏ ।

    ବାୟୁଦ୍ଵାରା ବିପେକ୍ଷିତ ହେଉଥିବା ତୃଣକର ଫଳ ଏବଂ ମଞ୍ଜିରେ କେତେକ ସ୍ଵତନ୍ତ୍ର ଅଙ୍ଗ ଥାଏ ଯାହାକି ଫଳ ଓ ମଞ୍ଜିକୁ ଉଡାଇ ରଖେ । ବଣ କୁସୁମୀର ବିକ୍ଷେପଣ ବାୟୁ ଦ୍ଵାରା ହୋଇଥାଏ ।

    ପାଣିଘାସ ମୁଖ୍ୟତଃ ଜଳଦ୍ଵାରା ବିକ୍ଷେପିତ ହୋଇଥାଏ । ସ୍ଥଳ ଘାସର ମଞ୍ଜି ମଧ୍ୟ ଅନେକ ସମୟରେ ଜଳସେଚନ ଓ ନିଷ୍କାସନ ନାଳୀରେ ଜଳଦ୍ଵାରା ବାହିତ ହୋଇ ବିପେକ୍ଷିତ ହୋଇଥାଏ ।

    କେତେକ ତୃଣକର ଫସଲକୁ ପ୍ରାଣୀମାନେ ଖାଆନ୍ତି ଏବଂ ଏହାର କିଛି ଅଂଶ ମଳରେ ତ୍ୟାଗ କରନ୍ତି । କେତେକ ତୃଣକର ଫଳ ଓ ମଞ୍ଜି ପକ୍ଷୀମାନଙ୍କର ଥଣ୍ଟ, ଡେଣା ଓ ଗୋଡରେ ଲାଗି ଅନ୍ୟସ୍ଥାନରେ ଯାଇ ପଡେ । ଗୃହପାଳିତ ପଶୁ ସେମାନଙ୍କ ଚର୍ମ, ଲୋମ ଓ ଖୁରାରେ ତୃଣକର ଫଳ ଓ ମଞ୍ଜିକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବୋହି ନିଅନ୍ତି । ଏପରିକି ପିମ୍ପୁଡି ମଧ୍ୟ ବିପୁଳ ପରିମାଣ ଲୋଭନୀୟ ମଞ୍ଜିକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବୋହି ନେଇଥାଏ ।

    ମନୁଷ୍ୟ ନିଜର ଅସାବଧାନତା ହେତୁ ମଧ୍ୟ ଅନେକ ତୃଣକର ବିକ୍ଷେପଣ କରିଥାଏ । କୃଷି ଯନ୍ତ୍ରପାତିକୁ ସଫା ନ କରି ବ୍ୟବହାର କରିବା ଦ୍ଵାରା ଅନେକ ତୃଣକ ମଞ୍ଜିକୁ ଗୋଟିଏ ବିଲରୁ ଆଉ ଗୋଟିଏ ବିଲକୁ ନାଯାଇଥାଏ । କେତେକ ତୃଣକର ଫଳ ଓ ମଞ୍ଜି ଉତ୍ପନ୍ନ ଦ୍ରବ୍ୟ ସହିତ ମିଶି ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଯାଇଥାଏ । ବିଶେଷ କରି ଯେଉଁସବୁ ତୃଣକ ଫସଲ ସହିତ ଏକ ସମୟରେ ପରିପକ୍ଵ ହୁଏ, ଫସଲ ଗଛ ସହିତ ସମାନ ଉଚ୍ଚ ହୋଇ ବଢେ ଏବଂ ଫଳ ଓ ମଞ୍ଜୀର ଆକାର ଓ ପରିମାଣରେ ଫସଲ ସହିତ ମେଳ ଖାଉଥାଏ । ସେ ପ୍ରକାର ତୃଣକରେ ଉପରୋକ୍ତମତେ ବୀଜ ବିକ୍ଷେପଣ ହୋଇଥାଏ । ରାହାଡି ବାଳୁଙ୍ଗା , ସ୍ଵର୍ଣ୍ଣଲତା , ଜଙ୍ଗଲ ଓଟର ବୀଜ ବିକ୍ଷେପଣ ଫସଲ ମଞ୍ଜି ସହିତ ମିଶିକରି ହୋଇଥାଏ ।

    ତୃଣକ ବ୍ୟାପିବାରେ ଖତ ମଧ୍ୟ ଏକ ପ୍ରଧାନ ଉତ୍ସ । କାରଣ ଗୃହପାଳିତ ପଶୁର ଅନେକ ତୃଣକ ମଞ୍ଜି ଅଙ୍କୁରଣ କ୍ଷମ ଅବସ୍ଥାରେ ଥାଏ । ତା’ଛଡା ତୃଣକର ପରିପକ୍ଵ ଗଛକୁ ସିଧାସଳଖ ଖତ ଗଦାରେ ମଧ୍ୟ ପକାଯାଇଥାଏ । ଖଣି ପକା ଘାସ ଏବଂ ଶୁଷ୍କ ଘାସରେ ମଧ୍ୟ ଅନେକ ପରିମାଣର ଅଙ୍କୁରଣକ୍ଷମ ତୃଣକ ବୀଜ ଥାଏ ।

  3. ଅଙ୍ଗୀୟ ବିସ୍ତାର
  4. ତୃଣକର ଅଙ୍ଗୀୟ ବିସ୍ତାର ପାଇଁ ଅସାବଧାନ ଚାଷ ହିଁ ମୁଖ୍ୟତଃ ଦାୟୀ । କର୍ଷଣ , କଳକାଣ୍ଡ ଓ ଟିଉବର ଆଦି ତୃଣକର ଭୂମିମ୍ନ ଅଂଶକୁ ମୂଳ ଗଛଠାରୁ ପୃଥକ କରି ଅଣଉପଦ୍ରୁତ ଅଞ୍ଚଳକୁ ନେଇଯାଇଥାଏ ଯେଉଁଠି ତୃଣକ ତାର ଉପନିବେଶ ଷ୍ଠାମନ କରିଥାଏ । ତଳିଦ୍ୱାରା ଅନେକ ସମୟରେ ତୃଣକର କଳକାଣ୍ଡ ଓ ମଞ୍ଜି ବିସ୍ତାରିତ ହୋଇଥାଏ । ସୁଆଁର ଧାନ ଗଛ ସହିତ ସାମଞ୍ଜସ୍ୟ ଥାଏ ଯେ ଅନେକ ସମୟରେ ଧାନତଳି ସହିତ ସୁଆଁ ବି’ ବହୁତ ପରିମାଣରେ ଜମିରେ ରୁଆଯାଇଥାଏ । ଜଳସ୍ରୋତ , ନୌକା ଓ ଜାହାଜ ଦ୍ଵାରା ପାଣି ଘାସ ବିସ୍ତାରିତ ହୋଇଥାଏ । ମନୁଷ୍ୟ କେତେକ ଗଛକୁ ଘରର ସୌନ୍ଦର୍ଯ୍ୟବର୍ଦ୍ଧନ ପାଇଁ ଲଗାଇଥାଏ । ଶେଷରେ ସେହି ଗଛ ତୃଣକ ହୋଇ ସମସ୍ୟା ସୃଷ୍ଟି କରେ । ବିଲାତିଦଳ ଓ ନାଗୁଆରୀ ଏହିପରି ଦୁଇଟି ତୃଣକର ଉଦାହରଣ ।

    ତୃଣକର ସ୍ଥାୟିତ୍ଵ

    ଫସଲ ଚାଷ କରିବା ପୂର୍ବରୁ ତୃଣକ ଥିଲା ଏବଂ ଏବେବି ତୃଣକ, ବୋଧହୁଏ ଅଧିକ ସଂଖ୍ୟାରେ ଏବଂ ଅଧିକ ଶକ୍ତି ସମ୍ପନ୍ନ ହୋଇ ରହିଛି । ଏଥିରୁ ସୂଚନା ମିଳେ ଯେ ପ୍ରକୃତିରେ ତୃଣକର ସ୍ଥାୟିତ୍ଵ ଅଧିକ । ଯଦି ତୃଣକ ଓ ଫସଲକୁ ମିଶାମିଶି ହୋଇ ଛାଡି ଦିଆଯିବ, ଅଚିରେ ସବୁଆଡେ ତୃଣକ ଭରିଯିବ ଏବଂ ଫସଲର ନାମଗନ୍ଧ ରହିବ ନାହିଁ । ତୃଣକର ସ୍ଥାୟିତ୍ଵ ଅଧିକ ହେବାର ଅନେକ କାରଣ ରହିଛି ।

    1. ବିପୁଳ ପରିମାଣ ବୀଜ ଉତ୍ପାଦନ
    2. ଅନେକ ତୃଣକ ବିପୁଳ ପରିମାଣ ବୀଜ ଉତ୍ପନ୍ନ କରନ୍ତି । ଉଦାହରଣସ୍ୱରୂପ ଗୋଟିଏ ସ୍ଵର୍ଣ୍ଣଲତା, ବଣୁଆ ଏବଂ ଖଡା ଶାଗ ଗଛ ର ବୀଜ ଉତ୍ପାଦନ କ୍ଷମତା ଯଥାକ୍ରମେ ୧୬,୦୦୦, ୭୨,୦୦୦ ଓ ୧,୯୬,୦୦୦ ଅଟେ ।

      ଏଣୁ ଯେ କୌଣସି ନିୟନ୍ତ୍ରଣ ପଦ୍ଧତି ଅବଲମ୍ବନ କଲେ ବି’ ଜମିରେ ଯଦି କେତୋଟି ତୃଣକ ଗଛ ବଞ୍ଚିଯାଏ ବର୍ଷ ବର୍ଷ ଧରି ବଂଶ ବଞ୍ଚେଇ ରଖିବା ପାଇଁ ସେମାନେ ଯଥେଷ୍ଟ ବୀଜ ଉତ୍ପାଦନ କରନ୍ତି । ତା’ଛଡା ସମ୍ପୂର୍ଣ୍ଣ ପରିପକ୍ଵ ହେବା ପୂର୍ବରୁ କାଟି ନେଲେ ବି ତୃଣକ ଅଙ୍କୁରଣକ୍ଷମ ବୀଜ ଉତ୍ପନ୍ନ କରେ ଏବଂ ପ୍ରତିକୂଳ ପରିସ୍ଥିତିରେ ତୃଣକ ଆଗୁଆ ଫୁଲଧରି ବୀଜ ସୃଷ୍ଟି କରିଥାଏ । ଅର୍ଥାତ୍ ଯେକୌଣସି ପ୍ରାକୃତିକ ବିପତ୍ତି ପଡିଲେ ମରିବା ପୂର୍ବରୁ ତୃଣକ ନିଶ୍ଚୟ କିଛି ବୀଜ ଉତ୍ପନ୍ନ କରିବ ।

    3. ନିଷ୍କ୍ରିୟତା
    4. ଅନେକ ବୀଜ ଓ ଆଖିର ଜୀବନ ଥିଲେ ବି ଅନୁକୂଳ ପରିବେଶରେ ଅଙ୍କୁରିତ ହୁଅନ୍ତି ନାହିଁ । ବୀଜ ଓ ଆଖିର ଏହି ଅବସ୍ଥାକ ନିଷ୍କ୍ରିୟତା କୁହାଯାଏ । ନିଷ୍କ୍ରିୟତା ହେତୁ ମାଟି ଭିତରେ ପୋତି ହୋଇଥିବା ଅନେକ ପ୍ରକାର ତୃଣକର ମଞ୍ଜି ବହୁବର୍ଷ ବଞ୍ଚି ରହନ୍ତି ଏବଂ ଫସଲ କ୍ଷେତରେ ତୃଣକର ଏକ ନିରନ୍ତର ଉତ୍ସ ହୁଅନ୍ତି । ଯଦି ସବୁତକ ତୃଣକ ମଞ୍ଜି ଏକ ସମୟରେ ଅଙ୍କୁରିତ ହୁଅନ୍ତା ତେବେ ତୃଣକକୁ, ସହଜରେ ନିୟନ୍ତ୍ରଣ କରାଯାଇପାରନ୍ତା ଏବଂ ତୃଣକର ବଂଶକୁ ଲୋପ କରି ହୁଅନ୍ତା । କିନ୍ତୁ ନିଷ୍କ୍ରିୟତା ହେତୁ ନିୟୁତ ନିୟୁତ ତୃଣକ ବୀଜ ମାଟିରେ ଗଚ୍ଛିତ ହୋଇ ରହେ ଏବଂ ବର୍ଷ ପରେ ବର୍ଷ ଥର ଥର ହୋଇଉଠେ । ସେଥିପାଇଁ କୁହାଯାଇଥାଏ । “ ଏକ ବର୍ଷର ମଞ୍ଜି ଝଡା, ସାତ ବର୍ଷର, ଘାସ ବଛା” ।

    5. ଅଙ୍ଗୀୟ ଜନନ
    6. ବହୁବର୍ଷ ଜୀବି ତୃଣକର କଳକାଣ୍ଡ ଆଦି ମାଟିର ୧ ମିଟର ତଳେ ବି ରହିଥାଏ । ମାଟି ଉପର ଅଂଶକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଲେ ବି ଏହି କଳକାଣ୍ଡ ବର୍ଷ ବର୍ଷ ଧରି ତୃଣକରି ବଞ୍ଚାଇ ରଖେ ।

    7. ବିକ୍ଷେପଣ
    8. ବିକ୍ଷେପଣ ତୃଣକ ସ୍ଥାୟିତ୍ଵର ଏକ ପ୍ରଧାନ ଉପାୟ । ବିକ୍ଷେପଣ ଦ୍ଵାରା ତୃଣକ ବୀଜ ବିଭିନ୍ନ ପରିବେଶରେ ପଡିଥାଏ ଏବଂ ନିଜପାଇଁ ଅଧିକ ଅନୁକୂଳ ପରିବେଶ ବାଛି ନେଇଥାଏ ।

    9. ଅନ୍ତର୍ନିହିତ କଠିନତା
    10. ପ୍ରକୃତିର ବିଭିନ୍ନତା ଯଥା ଅତ୍ୟଧିକ ଉତ୍ତାପ ବା ଥଣ୍ଡା, ମରୁଡି, ଜୈବଚାପ ଓ ଅସ୍ଵାଭାବିକ ମୃତ୍ତିକା ସତ୍ତ୍ୱେ ବଞ୍ଚି ରହିବା ପାଇଁ ତୃଣକର ଅନ୍ତର୍ନିହିତ ଶକ୍ତି ରହିଛି । ଅତ୍ୟଧିକ ତୁଷାରପାତ ହେଲେ ତୃଣକ ପୋଡିଯାଏ ନାହିଁ କିମ୍ବା ପୋକ ରୋଗ ଯୋଗୁ ଧ୍ଵଂସ ପାଏନାହିଁ । ମୃତ୍ତିକାର ଖଣିଜ ଉପାଦାନ ପରିମାଣ ଅସ୍ଵାଭାବିକ ଥିଲେ ବି ତୃଣକ ଉଦ୍ଭିଦ ପୋଷାକର ଅଭାବ ବା ଆଧିକ୍ୟଜନିତ ଲକ୍ଷଣ ପ୍ରକାଶ କରେ ନାହିଁ । ନିମ୍ନମାନର ଜଳ ଯାହା ଫସଲ ପାଇଁ ଅନୁପଯୁକ୍ତ ତାହା ତୃଣକର କିଛି କ୍ଷତି କରେନାହିଁ । ବାସ୍ତବିକ ମାଟି ଓ ଜଳର ଅସ୍ଵାଭାବିକ ଅବସ୍ଥା ଯୋଗୁଁ ଫସଲ ବଢି ନପାରି ମରିଗଲେ ତୃଣକ ଅଧିକ ତେଜରେ ବଢି ଫାଙ୍କା ଜାଗାକୁ ଦାଖଲ କରିନିଏ ।

    11. ଧ୍ଵଂସ ଏଡେଇବା
    12. ଅନେକ ତୃଣକ କଣ୍ଟାଯୁକ୍ତ , ପିତା, ଅରୁଚିକର ଗନ୍ଧ ବିଶିଷ୍ଟ ହୋଇଥିବାରୁ ଏବଂ ଫସଲ ଗଛ ପରି ଦେଖାଯାଉଥିବାରୁ ପ୍ରାଣୀ ଓ ମନୁଷ୍ୟ ଦ୍ଵାରା ଧ୍ଵଂସ ପାଇବାରୁ ରକ୍ଷା ପାଆନ୍ତି ।

    13. ସ୍ଵ - ପୁନର୍ଜନନ
    14. ତୃଣକ ସ୍ଵ - ବୁଣା ଗଛ ଅଟେ । ଏହାର ଅଙ୍କୁରଣ ପାଇଁ ଭଲଭାବେ ପ୍ରସ୍ତୁତ ହୋଇଥିବା କୃତ୍ରିମ ତଳିଘରାର ଆବଶ୍ୟକତା ନାହିଁ । ମା ଗଛରୁ ବିଚ୍ୟୁତ ତୃଣକ ବୀଜ ଅନୁକୂଳ ପରିବେଶ ପାଇଲେ ଚାଷ ହୋଇନଥିବା ଜମିରେ ବି ଘଞ୍ଚ ହୋଇ ଉଠେ ।

    15. ତୃଣକ ସଂଖ୍ୟାର ପ୍ରଭାବ
    16. ପୃଥିବୀ ପୃଷ୍ଠରେ ୩୦,୦୦୦ ର ଅଧିକ ଜାତିର ତୃଣକ ରହିଛି । ଏହିସବୁ ତୃଣକର ଅନୁକୂଳତମ ମୃତ୍ତିକା ଓ ଜଳବାଯୁ ଆବଶ୍ୟକତାରେ ପାର୍ଥକ୍ୟ ରହିଛି । ଏଣୁ ସ୍ଥଳ ଓ ଜଳଭାଗର ଯେ କୌଣସି ପରିବେଶକୁ ଗୋଟିଏ ବା ଅଧିକ ଜାତିର ତୃଣକ ଦକ୍ଷତାର ସହିତ ବିନିଯୋଗ କରିପାରିବ ।

    17. କୃଷି – ପାରିସ୍ଥିତିକ ତୃଣକ ପ୍ରକାର
    18. ସର୍ବଦା ଏକ ପ୍ରକାର କୃଷି ପଦ୍ଧତି ଅବଲମ୍ବନ କରିବା ଦ୍ଵାରା ପାରିସ୍ଥିତିକ ତୃଣକ ପ୍ରକାର ସୃଷ୍ଟି ହୋଇଛି ଯାହାକୁ ନିୟନ୍ତ୍ରଣ କରିବା କଠିନ ହୋଇପଡୁଛି ।

    ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
3.03448275862
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top