ହୋମ / କୃଷି / ଜଳସେଚନ / ଫସଲ ପାଇଁ ଜଳସେଚନ
ସେଆର କରନ୍ତୁ

ଫସଲ ପାଇଁ ଜଳସେଚନ

ବିଭିନ୍ନ ଫସଲ ପାଇଁ ଜଳ ସେଚନ ବିଷୟରେ ସୂଚନା ।

ଫସଲରେ ଜଳସେଚନ ଓ ଅଧିକ ଉତ୍ପାଦନ

  • ଉଚ୍ଚମାନର ଫସଲ ଓ ଅଧିକ ଉତ୍ପାଦନ
  • ଜଳ ବ୍ୟବହାର ଦକ୍ଷତା ବୃଦ୍ଧି
  • ମୃତ୍ତିକାର ଉତ୍ପାଦିକତା ସୁରକ୍ଷା
  • ସେଚନ ବାବଦ ଖର୍ଚ୍ଚ ହ୍ରାସ କରିବା ଜଳସେଚନର ଲକ୍ଷ୍ୟ ।

ଫସଲ ପାଇଁ ଉପଯୁକ୍ତ ସମୟରେ ଉଚିତ ପରିମାଣ ଜଳସେଚନ କଲେ ଏହି ଲକ୍ଷ୍ୟ ପୂରଣ କରାଯାଇପାରିବ । ଆବଶ୍ୟକତା ଠାରୁ ଅଧିକ ବା କମ୍ ଜଳସେଚନ କଲେ ଆଶାନୁରୂପ ଉତ୍ପାଦନ ମିଳିବ ନାହିଁ ।

ଜଳ ଯୋଗାଣ ଦୃଷ୍ଟିରୁ ସାଧାରଣତଃ ଦୁଇଟି ଅବସ୍ଥାର ସମ୍ମୁଖୀନ ହେବାକୁ ପଡିଥାଏ । ଯଥା –

  • ଆବଶ୍ୟକ ମତେ ଯଥେଷ୍ଟ ଜଳ ମିଳୁଥିବା ଅବସ୍ଥା ଓ
  • ସୀମିତ ପରିମାଣ ଜଳ ମିଳୁଥିବା ଅବସ୍ଥା ।

ପ୍ରଥମ ଅବସ୍ଥାରେ ଜଳ ଅପଚୟ ନଘଟାଇ ଗୋଟିଏ ଜମିରୁ ସର୍ବାଧିକ ଆଦାୟ ପାଇବା ପାଇଁ ଲକ୍ଷ୍ୟ ରଖିବାକୁ ହେବ । ଏଣୁ ଫସଲକୁ  କେତେବେଳେ ଜଳସେଚନ କରିବା ଦରକାର ଏବଂ ପ୍ରତିଥର କେତେ ଜଳ ପ୍ରୟୋଗ କରିବା ଦରକାର ନିର୍ଣ୍ଣୟ କରିବା ଆବଶ୍ୟକ ।  ଦ୍ଵିତୀୟ ଅବସ୍ଥାରେ ଫସଲର ଅପେକ୍ଷାକୃତ ଅଧିକ ସଂକଟ ଅବସ୍ଥାରେ ଜଳ ବଣ୍ଟନ କରି ବ୍ୟବହୃତ ଜଳରୁ ସର୍ବାଧିକ ଆଦାୟ ପାଇବା ପାଇଁ ଲକ୍ଷ୍ୟ ରଖିବା ଆବଶ୍ୟକ ।

ବାଷ୍ପୀଭବନ ପାଇଁ ବାୟୁ ମଣ୍ଡଳର ବାଷ୍ପୀକରଣ ଶକ୍ତି ମୃତ୍ତିକାରେ ଚେରର ଗଭୀରତା ଓ ସୁଲଭ୍ୟ ଜଳ ପରିମାଣ ଉପରେ ଜଳସେଚନ  ଆବଶ୍ୟକତା ନିର୍ଭର କରେ । ଉଦ୍ଭିଦ ଓ ବାୟୁମଣ୍ଡଳ ସୂଚକ ଫସଲ ପାଇଁ ଜଳସେଚନ ଆବଶ୍ୟକତା ନିର୍ଣ୍ଣୟ କରାଯାଏ । ମୃତ୍ତିକା ଜଳ  ଧରି ରଖେ, ଗଛ ଏହାକୁ ଶୋଷି ବାୟୁ ମଣ୍ଡଳକୁ ଛାଡିଦିଏ । ଏହି ତିନୋଟି ମାଧ୍ୟମର ଆବଶ୍ୟକତା ପାଇଁ ସମନ୍ଵୟ ରକ୍ଷା କରି ଜଳସେଚନ କରିବା ଆବଶ୍ୟକ ।

ମୃତ୍ତିକା ଚେର ସ୍ତରର ସୁଲଭ୍ୟ ଜଳ କେତେ ହ୍ରାସ ହେଲେ ଉତ୍ପାଦନ ବାଧା ପ୍ରାପ୍ତ ହେବ ନାହିଁ ତାହାକୁ ସାଧାରଣତଃ ଜଳସେଚନ ସୂଚକ  ଭାବେ ଗ୍ରହଣ କରାଯାଇଥାଏ । ମୃତ୍ତିକାର କ୍ଷେତ୍ର ଧାରଣ ଓ ଝାଉଁଳା ଶତାଂଶର ଜଳ ପରିମାଣକୁ ଯଥା କ୍ରମେ ୧୦୦ ଓ ଶୁନ ଧରାଯାଇ ସୁଲଭ୍ୟ ଜଳ ପରିମାଣ କେତେ କମିଲେ ଜଳସେଚନ କରିବା ଆବଶ୍ୟକ ନିର୍ଣ୍ଣୟ କରାଯାଏ । ମୃତ୍ତିକା ଜଳ ଘନକୁ ମଧ୍ୟ ସୂଚକ ରୂପେ   ନିଆଯାଇ ଫସଲ ପାଇଁ ଜଳସେଚନ ଆବଶ୍ୟକତା ନିର୍ଣ୍ଣୟ କରାଯାଏ। କିନ୍ତୁ ମୃତ୍ତିକା ଚେର ସ୍ତରର ଜଳୀୟ ଅଂଶ ଓ ଦୁଇଟି ଜଳସେଚନ  ମଧ୍ୟରେ ବ୍ୟବଧାନକୁ ମାନଦଣ୍ଡ କରି ଫସଲ ପାଇଁ ଜଳସେଚନ ଆବଶ୍ୟକତା ନିର୍ଣ୍ଣୟ କରିହେବ ନାହିଁ । କାରଣ ଚେର ସ୍ତରର ଜଳୀୟ  ଅଂଶ କେତେକ କମିଗଲେ ଉତ୍ପାଦନ ବାଧାପ୍ରାପ୍ତ ହେବ ତାହା ମୃତ୍ତିକାର ବୟନ ଭେଦରେ ପୃଥକ୍ ହୋଇଥାଏ । ସେହିପରି ଦୁଇଟି  ଜଳସେଚନ ମଧ୍ୟରେ ବ୍ୟବଧାନ କେତେ ଦିନ ରହିବା ଆବଶ୍ୟକ ତାହା ମଧ୍ୟ ମୃତ୍ତିକାର ବୟନ ଉପରେ ନିର୍ଭର କରେ ।

ମୃତ୍ତିକାରେ ଯଥେଷ୍ଟ ପରିମାଣ ଜଳ ଥିଲେ କୌଣସି ଫସଲର ବାଷ୍ପ ପ୍ରସ୍ଵେଦନ ପରିମାଣ ମୁଖ୍ୟତଃ ବାୟୁ ମଣ୍ଡଳର ବାଷ୍ପୀଭବନ ଶକ୍ତି ଉପରେ ନିର୍ଭର କରେ । ବାଷ୍ପୀ ଭବନ ପରିମାଣ ବାୟୁ ମଣ୍ଡଳର  ତାପମାନ, ଆର୍ଦ୍ରତା, ପବନବେଗ, ଉଜ୍ଜ୍ଵଳ ଦିବାଲୋକ ପରିମାଣ ଓ ସଘନତା ଉପରେ ନିର୍ଭର କରେ । ନିର୍ଦ୍ଧିଷ୍ଟ ପରିମାଣ ଜଳସେଚନ ଓ ବାଷ୍ପୀ ଭବନ ମାପି କୁଣ୍ଡରୁ ମୋଟ ବାଷ୍ପୀ ଭବନର ଅନୁପାତ ଅନୁସାରେ ବିଭିନ୍ନ ଫସଲ ପାଇଁ ଜଳସେଚନ ସମୟ ନିର୍ଣ୍ଣୟ ମଧ୍ୟ କରାଯାଇଥାଏ ।

ଗଛ ଝାଉଁଳିବା, ଉଦ୍ଭିଦର ସମ୍ବେଦନଶୀଳ ଅଙ୍ଗର ବୃଦ୍ଧି ପ୍ରାପ୍ତ ହେବା ଆଦି ଲକ୍ଷଣକୁ ଜଳସେଚନ  ଆବଶ୍ୟକତା ଜାଣିବା ପାଇଁ ସୂଚକ ରୂପେ ବ୍ୟବହାର କରି ହେବ । କେତେକ ମୁଖ୍ୟ ଫସଲ ପାଇଁ   କିପରି ଜଳସେଚନ କରିବାକୁ ହେବ ନିମ୍ନରେ ବର୍ଣ୍ଣନା କରାଯାଇଅଛି ।

ଧାନ

ଏହା ମୁଖ୍ୟତଃ ଖରିଫ୍ ଋତୁରେ ଚାଷ କରାଯାଇଥାଏ । ଜଳସେଚନ ସୁବିଧା ଥିବା ଅଞ୍ଚଳରେ ଡାଳୁଆ ଋତୁରେ ମଧ୍ୟ ଧାନ ଚାଷ କରାଯାଏ । ଢିପ, ମଝିଆଳି ଏବଂ ଖାଲ କିସମ ଜମିରେ ଧାନ ଚାଷ କରାଯାଏ । ଢିପ ଜମିରେ ଠିଆ ପାଣି ରହେ ନାହିଁ । ମଝିଆଳି ଏବଂ ଖାଲ ଜମିରେ ବର୍ଷା ଋତୁରେ ଠିଆ ପାଣି ରହେ । ବିଭିନ୍ନ ପଦ୍ଧତିରେ ଏବଂ ବିଭିନ୍ନ ଋତୁରେ ଧାନ ଚାଷ କରାଯାଉଥିବାରୁ ଜଳସେଚନ ଓ ଦରକାରୀ ଜଳ ପରିମାଣ ଭିନ୍ନ ହୋଇଥାଏ ।

ବର୍ଷା ଋତୁରେ ଢିପ ଜମି ଧାନ ସାଧାରଣତଃ ବିନା ଜଳସେଚନରେ ଚାଷ କରାଯାଇଥାଏ । କିନ୍ତୁ ଅଧିକ ଦିନ ବର୍ଷା ଛାଡି ଗଲେ ଏବଂ ମୃତ୍ତିକା ଚେର ସ୍ତରର ସୁଲଭ୍ୟ ଜଳ ୨୫ ପ୍ରତିଶତ ହ୍ରାସ ହେଲେ ଧାନ ଫସଲକୁ ଜଳସେଚନ କରିବା ଆବଶ୍ୟକ ।

ମଝିଆଳି ଏବଂ ଖାଲ ଜମିରେ ଧାନ ରୋଇବାର ଏକ ସପ୍ତାହ ପର୍ଯ୍ୟନ୍ତ ଠିଆ ପାଣିର ଆବଶ୍ୟକତା  ନାହିଁ । ଜମି କେବଳ ପରିପୃକ୍ତ ଅବସ୍ଥାରେ ରହିବା ଉଚିତ । ଏକ ସପ୍ତାହ ପର ଠାରୁ ରୋଇବାର ୨୫ – ୩୦ ଦିନ ପର୍ଯ୍ୟନ୍ତ ପରିପୃକ୍ତ ଅବସ୍ଥାରୁ ୩ ସେ.ମି.  ପର୍ଯ୍ୟନ୍ତ ଠିଆପାଣି ରହିବା ଆବଶ୍ୟକ । ଏହି  ଅବସ୍ଥାରେ ଜମିରେ ଅଧିକ ଜଳ ରହିଲେ ଗଛର ପିଲ ଦେବା ଶକ୍ତି ହ୍ରାସ ପାଏ । ଗଛ ଡେଙ୍ଗା ହୁଏ ଓ  ଚେର ଦୁର୍ବଳ ହୁଏ । ରୋଇବାର ୨୦ – ୩୦ ଦିନ ପର ଠାରୁ ଧାନ କ୍ଷୀର ଢୋକିବାର ୧୫ ଦିନ  ପର୍ଯ୍ୟନ୍ତ ଜମିରେ ୩ - ୫ ସେ.ମି. ଠିଆପାଣି ରଖିବା ଆବଶ୍ୟକ । ଫସଲର କୌଣସି ଅବସ୍ଥାରେ  ଜମିରେ ଅଧିକ ଠିଆପାଣି ରଖିବା ଅନାବଶ୍ୟକ । ଅଧିକ ଠିଆ ପାଣି ରଖିଲେ ପାଣି ଝରିଯାଇ ଓ ବୋହିଯାଇ ନଷ୍ଟ ହୁଏ । ଏହା ସହିତ ଅଧିକ ସାର ମଧ୍ୟ ନଷ୍ଟ ହୁଏ ।

ବନ୍ୟା ପ୍ଲାବିତ ଅଞ୍ଚଳରେ ଅନେକ ସମୟରେ ଜମିରେ ୨୦ ରୁ ୧୦୦ ସେ.ମି. ଠିଆ ପାଣି ରହେ । ପରୀକ୍ଷା କରି ଦେଖାଯାଇଛି ଫସଲର କୌଣସି ଅବସ୍ଥାରେ ଯଦି ଗଛ ଉଚ୍ଚତାର ୨୫ ପ୍ରତିଶତ  ପାଣିରେ ବୁଡି ରହେ ତେବେ ଫସଲର ବିଶେଷ କ୍ଷତି ହୁଏ ନାହିଁ । କିନ୍ତୁ ଧାନ ଗଛ ଉଚ୍ଚତାର ୫୦ ପ୍ରତିଶତ ଯଦି ପାଣିରେ ବୁଡି ରହେ ତେବେ ଆଦାୟ ଯଥେଷ୍ଟ ହ୍ରାସ ପାଏ ।

ଜଳସେଚନ ଦୃଷ୍ଟିରୁ ତଳି ଅବସ୍ଥା, ସର୍ବାଧିକ ପିଲଦେବା ଅବସ୍ଥା କେଣ୍ଡା ସଞ୍ଚାର ଅବସ୍ଥା, ଫୁଲ ଧରିବା  ଅବସ୍ଥା, କ୍ଷୀର ହେବା ଓ ଦାନା ପାକଲା ହେବା ଅବସ୍ଥା ସଂକଟକାଳ ଅଟେ । ଏହି ସମୟରେ ଜଳାଭାବ ଘଟିଲେ ଫସଲ ଆଦାୟ ଅଧିକ ବାଧା ପ୍ରାପ୍ତ ହୁଏ ।

ଗହମ

ଗହମ ଶୀତ ଋତୁରେ ଚାଷ କରାଯାଏ । ଏହି ଫସଲର କ୍ଷେତ୍ରଫଳରୁ ପ୍ରାୟ ୬୫ ଭାଗ ଜଳସେଚନ କରାଯାଏ । ଉପର ୨୦ – ୩୦ ସେ.ମି. ମୃତ୍ତିକାର ସୁଲଭ୍ୟ ଜଳ ପରିମାଣ ୫୦ ପ୍ରତିଶତ ହ୍ରାସ ପାଇଲେ ଗହମ ଫସଲକୁ ଜଳସେଚନ କରିବା ଆବଶ୍ୟକ । ଭଲ ଅମଳ ଓ ଜଳ ମିତବ୍ୟୟିତା ଦୃଷ୍ଟିରୁ  ସେଚଜଳ ପରିମାଣ ଓ ବାଷ୍ପୀଭବନ ମାପି ସାମୂହିକ ବାଷ୍ପୀଭବନର ଅନୁପାତ ୧.୦ ହେଲେ ଗହମ ଫସଲକୁ ସେଚନ କରିବା ଉଚିତ । ସ୍ଥଳ ବିଶେଷରେ ଏହି ଅନୁପାତ ୦.୭୫ ହୋଇପାରେ । ଜଳସେଚନ ଦୃଷ୍ଟିରୁ ଗହମ ଫସଲର ୬ଟି ସଂକଟକାଳ ଚିହ୍ନଟ କରାଯାଇଅଛି ।

  • ମୁକୁଟ ଚେର ବାହାରିବା ସମୟ
  • ପିଲ ମାରିବା ସମୟ
  • ଗଣ୍ଠି ଛାଡିବା ସମୟ
  • ଫୁଲ ଧରିବା ସମୟ
  • ଦାନାରେ କ୍ଷୀର ହେବା ସମୟ ଏବଂ
  • ଦାନା ପାକଲା ହେବା ସମୟ

ଗହମ ଫସଲର ସଙ୍କଟ କାଳ । ଏହି ସମୟରେ ଜଳସେଚନ ନକଲେ ଆଦାୟ ବହୁତ ହ୍ରାସ ପାଏ । ଏହି ୬ଟି ସଙ୍କଟ କାଳକୁ ଖାପ ଖୁଆଇ ୬ ଥର ଜଳସେଚନ କରିବାକୁ ପଡିଥାଏ । ସ୍ଥଳ ବିଶେଷରେ ୪ – ୫ଟି ଜଳସେଚନ ଆବଶ୍ୟକ ହୋଇଥାଏ । ଉପରୋକ୍ତ ଅବସ୍ଥା ମାନଙ୍କ ମଧ୍ୟରୁ ମୁକୁଟ ଚେର, ଫୁଲ  ଧରିବା ଏବଂ କ୍ଷୀର ଖାଇବା ଅବସ୍ଥା ସବୁ ଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ । ମୁକୁଟ ଚେର ସାଧାରଣତଃ ଉପର ୨ ସେ.ମି. ମାଟି ଭିତରେ ବାହାରେ । ମାଟିର ଏହି ସ୍ତରରେ ଆବଶ୍ୟକ ପରିମାଣ ଜଳୀୟଅଂଶ ଥିଲେ ମୁକୁଟ ଚେର ସୁବିଧାରେ ବାହାରେ ଏବଂ ଜଳସେଚନ ଆବଶ୍ୟକ ହୁଏ ନାହିଁ ।  କିନ୍ତୁ ସାଧାରଣତଃ ଏହି  ଅବସ୍ଥା ଆସିବା ବେଳକୁ ଉପର ୫ – ୬ ସେ.ମି. ମାଟି ଶୁଖିଯାଇଥାଏ । ମାଟି ଶୁଖିଗଲେ ମୁକୁଟ ଚେର ବାହାରେ ନାହିଁ, ପିଲ ସଂଖ୍ୟା କମ୍ ହୁଏ ଏବଂ ଆଦାୟ କମିଯାଏ ।

ମକା

ମକା ମୁଖ୍ୟତଃ ଏକ ଖରିଫ୍ ଋତୁ ଫସଲ । ଜଳସେଚନ ସୁବିଧା ଥିଲେ ଶୀତ ଓ ଗ୍ରୀଷ୍ମ ଋତୁରେ ମଧ୍ୟ  ଚାଷ କରାଯାଇଥାଏ । ଉଭୟ ଶସ୍ୟ ଓ ଗୋ – ଖାଦ୍ୟ ପାଇଁ ମକା ଚାଷ କରାଯାଏ । ବର୍ଷା ଦିନେ ମକା ଚାଷ ପାଇଁ ସାଧାରଣତଃ ଜଳସେଚନ ଦରକାର ହୁଏ ନାହିଁ । କିନ୍ତୁ ବର୍ଷା ଅଭାବରେ ୧ – ୨ ଥର  ଜଳସେଚନ କରିବାକୁ ପଡିଥାଏ । ଶୀତ ଓ ଗ୍ରୀଷ୍ମକାଳୀନ ମକାରୁ ଅଧିକ ଆଦାୟ ପାଇବା ପାଇଁ ଆବଶ୍ୟକ ମତେ ଜଳସେଚନ ଦରକାର । ମୃତ୍ତିକାର ଉପର ୦.୩୦ ସେ.ମି. ସ୍ତରର ସୁଲଭ୍ୟ ଜଳ ଶତକଡା ୫୦ ଭାଗ ହ୍ରାସ ହେଲେ ମକା ଫସଲକୁ ଜଳସେଚନ କରିବା ଉଚିତ । ବାଲିଆ ମାଟିରେ ଅଧିକ ଥର ଜଳସେଚନ କରିବାକୁ ଆବଶ୍ୟକ ହୁଏ ।

ଜଳସେଚନ ଦୃଷ୍ଟିରୁ ଚାରା ଅବସ୍ଥା, ଚଅଁର ଧରିବା ଅବସ୍ଥା କେଶର ଧରିବା ଅବସ୍ଥା ଓ ଦାନା ପାକଲା ହେବା ଅବସ୍ଥା ମକା ଫସଲର ସଂକଟ କାଳ । ଏହି ଅବସ୍ଥାରେ ଜଳସେଚନ କରିବା ଏକାନ୍ତ ଆବଶ୍ୟକ ।

ମକା ଫସଲ ଜଳାଧିକ୍ୟ ସହ୍ୟ କରିପାରେ ନାହିଁ । ଫସଲର ପ୍ରଥମାବସ୍ଥାରେ ଜଳାଧିକ୍ୟ ଅଧିକ କ୍ଷତିକାରକ । ଏଣୁ ବର୍ଷା ଅଧିକ ହେଲେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ଉଚିତ୍ । ଶୀତ ଓ ଖରାଦିନେ   ମକା ଫସଲ ୫୦ – ୬୫ ସେ.ମି.  ଜଳ ଆବଶ୍ୟକ କରିଥାଏ ।

ମାଣ୍ଡିଆ

ମକାଭଳି ମାଣ୍ଡିଆ ମଧ୍ୟ ବର୍ଷର ସବୁ ସମୟରେ ଚାଷ କରାଯାଇପାରେ । ବର୍ଷାଦିନିଆ ଫସଲ ପାଇଁ  ଜଳସେଚନ ଆବଶ୍ୟକ ହୁଏ ନାହିଁ । ଠିଆ ପାଣି ଫସଲ ପାଇଁ କ୍ଷତିକାରକ ପିଲଦେବା, ଫୁଲ ଧରିବା ଓ  ଦାନା ପାକଳ ହେବା ଅବସ୍ଥା ମାଣ୍ଡିଆ ଫସଲର ସଂକଟ କାଳ । ଏହି ସମୟରେ ମୃତ୍ତିକାର ସୁଲଭ୍ୟ ଜଳ ପରିମାଣ ୨୫ – ୫୦ ପ୍ରତିଶତ ରହିବା ଦରକାର । ଏହି ଫସଲ ୩୦ – ୪୦ ସେ.ମି. ଜଳ ଆବଶ୍ୟକ କରେ ।

କପା

ଏହି ଫସଲ ଜ୍ୟଷ୍ଠ ମାସରୁ ମାର୍ଗଶିର ମାସ ଓ ମାଘ ମାସରୁ ବୈଶାଖ ମାସ ମଧ୍ୟରେ ଚାଷ  କରାଯାଇପାରେ । ଫସଲର ପ୍ରଥମ ଓ ଶେଷ ଅବସ୍ଥାରେ ଜଳ ଆବଶ୍ୟକତା କମ୍ ହୋଇଥାଏ। କାରଣ ପ୍ରଥମାବସ୍ଥାରେ ଫସଲ ଆଚ୍ଛାଦନ କମ୍ ହୋଇଥାଏ ବା ଗଛରେ ଡାଳପତ୍ର କମ୍ ହୋଇଥାଏ । ଏବଂ  ବକରା ଫାଟିବା ବେଳେ ଫସଲ ଶୁଖିଲା ପାଗ ଆବଶ୍ୟକ କରିଥାଏ । ମୃତ୍ତିକାର ସୁଲଭ୍ୟ ଜଳ ପରିମାଣ ୫୦ – ୬୦ ପ୍ରତିଶତ ହ୍ରାସ ପାଇଲେ କପା ଫସଲକୁ ଜଳସେଚନ କରିବା ଆବଶ୍ୟକ । ସେଚଜଳ ପରିମାଣ ଓ ବାଷ୍ପୀଭବନ ମାପି କୁଣ୍ଡର ସାମୁହିକ ବାଷ୍ପୀଭବନ ଅନୁପାତ ୦.୬ ରୁ ୦.୯  ହେଲେ କପାକୁ ଜଳସେଚନ କରିବା ଆବଶ୍ୟକ । ଏହି ଫସଲ ପାଇଁ ସେଚଜଳ ପରିମାଣ ପ୍ରତ୍ୟକ ଥର ୬ ସେ.ମି. ରଖାଯାଇଥାଏ । ଜଳସେଚନ ଦୃଷ୍ଟିରୁ ଫୁଲ ଧରିବାର ପୂର୍ବାବସ୍ଥା, ଫୁଲ ଫୁଟିବା ଅବସ୍ଥା  ଏବଂ ଫଳ ଧରିବା ଅବଶା କପା ଫସଲର ସଂକଟକାଳ । ଏହି ସମୟରେ ଜଳସେଚନ କଲେ ଭଲ   ଫଳ ମିଳେ । କପା ଫସଲ ପାଇଁ ୭୦ – ୭୫ ସେ.ମି. ଜଳ ଆବଶ୍ୟକ ।

ଆଖୁ

ଆଖୁ ଫସଲର ଜୀବନ କାଳକୁ ମୁଖ୍ୟତଃ ୩ ଭାଗରେ ବିଭକ୍ତ  କରାଯାଇଅଛି  ।  (୧) ସୃଜନୀ ଅବସ୍ଥା, (୨) ବର୍ଦ୍ଧନାବସ୍ଥା  ଓ  (୩) ପରିପକ୍ଵ ଅବସ୍ଥା । ଗଣ୍ଠିରୁ ଗଜା ବାହାରି ପିଲ  ଦେବା ଅବସ୍ଥାକୁ ସୃଜନୀ ଅବସ୍ଥା କୁହାଯାଏ । ଏହି ଅବସ୍ଥା ଗଛ ଉଠିବା ଠାରୁ ୩.୫ ମାସ ପର୍ଯ୍ୟନ୍ତ ରହେ । ଏହି ଅବସ୍ଥାରେ ମୃତ୍ତିକାରେ ସୁଲଭ୍ୟ ଜଳ ୫୦ ପ୍ରତିଶତ ହ୍ରାସ ପାଇଲେ ଜଳସେଚନ କରିବା ଆବଶ୍ୟକ । ଘନ ଘନ ଜଳସେଚନ କଲେ ପିଲ ସଂଖ୍ୟା କମ୍ ହୁଏ ।

ବଢୁଥିବା ଅବସ୍ଥାରେ ପବ ଲମ୍ବ ହୁଏ ଏବଂ ଗଛ ଡେଙ୍ଗାରେ ବଢେ । ନୂଆ ପିଲ ବେଶି ବାହାରେ ନାହିଁ । ଏହି ସମୟରେ ଦରକାରୀ ଜଳ ପରିମାଣ ସାଧାରଣତଃ ବୃଷ୍ଟିପାତରୁ  ମିଳିଥାଏ । ଜଳସେଚନ ଆବଶ୍ୟକ ହୁଏ ନାହିଁ ।

ପରିପକ୍ଵ ଅବସ୍ଥାରେ ଆଖୁ ପାକଳ ହୁଏ । ଆଖୁର ଶର୍କରା ପରିମାଣ ବୃଦ୍ଧି ପାଏ । ଜଳାଭାବ ହେତୁ ସୁକ୍ରୋଜ ପରିମାଣ ହ୍ରାସପାଏ ଏବଂ ଆଖୁ ଟାଣ ହୁଏ । ବେଶି ଜଳସେଚନ   ହେତୁ ମଧ୍ୟ ସୁକ୍ରୋଜ ପରିମାଣ କମ୍ ହୁଏ । ଏବଂ ଗ୍ଲୁକୋଜ ପରିମାଣ ବୃଦ୍ଧିପାଏ ।

ଗ୍ରୀଷ୍ମଋତୁରେ ଆଖୁ ଫସଲକୁ ସେଚଜଳ ପରିମାଣ ଓ ବାଷ୍ପୀଭବନ ମାପି କୁଣ୍ଡର ବାଷ୍ପୀଭବନ ପରିମାଣ ଅନୁପାତ ୧.୨ ହେଲେ ଜଳସେଚନ କରିବା ଉଚିତ । ଏହି ଫସଲ ପାଇଁ  ୧୨ -୧୩ଟା  ଜଳସେଚନ ଆବଶ୍ୟକ ।  ମୋଟ ଆବଶ୍ୟକ ଜଳ ପରିମାଣ ୧୭୦ ସେ.ମି. । ମାର୍ଗଶିର ମାସରେ ଲଗାଯାଇଥିବା ଆଖୁ ପାଇଁ ମାର୍ଗଶିରରେ – ୧, ପୌଷରେ -୨, ମାଘରେ – ୨, ଚୈତ୍ରରେ – ୩, ବୈଶାଖରେ – ୩ ଜ୍ୟଷ୍ଠରେ – ୨ ଜଳସେଚନ ଆବଶ୍ୟକ । ମୌସୁମୀ ଋତୁରେ ଓ ପରେ ଜଳସେଚନ ଆବଶ୍ୟକ ନାହିଁ ।

ଚିନାବାଦାମ

ଚିନାବାଦାମ ଆମ ରାଜ୍ୟର ଗୋଟିଏ ପ୍ରଧାନ ଅର୍ଥକାରୀ ଫସଲ । ବର୍ଷା ଋତୁରେ ସାଧାରଣତଃ ଚିନାବାଦାମ ବିନା ଜଳସେଚନରେ ଚାଷ କରାଯାଏ । କିନ୍ତୁ ବର୍ଷାର ଅନିୟମିତ  ବଣ୍ଟନ ହେତୁ ବର୍ଷାଦିନିଆ ଚିନାବାଦାମକୁ ମଧ୍ୟ ଆବଶ୍ୟକ ସ୍ଥଳେ ଜଳସେଚନ କରିବାକୁ ପଡିଥାଏ । ଶୀତ  ଏବଂ ଗ୍ରୀଷ୍ମ ଋତୁରେ ଚିନାବାଦାମକୁ ଜଳସେଚନ ଦ୍ୱାରସ୍ଥ ଚାଷ କରାଯାଏ ।

ମୃତ୍ତିକାର ସୁଲଭ୍ୟ ଜଳ ୫୦ ପ୍ରତିଶତ ହ୍ରାସ ପାଇଲେ ଚିନାବାଦାମ ଫସଲକୁ ଜଳସେଚନ କରିବା ଉଚିତ । ସେଚଜଳ ପରିମାଣ ଓ ବାଷ୍ପୀଭବନ ମାପି କୁଣ୍ଡର ସାମୁହିକ   ବାଷ୍ପୀଭବନ ଅନୁପାତ ୦.୬ ହେଲେ ବର୍ଷାଦିନିଆ ଚିନାବାଦାମକୁ ଏବଂ ୧.୨ ହେଲେ ଶୀତ ଓ ଖରାଦିନିଆ ଚିନାବାଦାମକୁ ଜଳସେଚନ କରିବା ଉଚିତ । ଘଞ୍ଚ ଫୁଲ ଧରିବା, ଓହଳ   ସୃଷ୍ଟି ହୋଇ ମାଟି ଭିତରେ ପ୍ରବେଶ କରିବା ଏବଂ ଫଳ ବଢିବା ଏହି ତିନୋଟି ଅବସ୍ଥା ଚିନାବାଦାମର ସଂକଟକାଳ । ଏହି ଅବସ୍ଥାରେ ଜଳ ଭାବ ଫସଲର ବିଶେଷ କ୍ଷତିକରେ । ରବି  ଓ ଗ୍ରୀଷ୍ମ ଋତୁରେ ଚିନାବାଦାମ ଯଥାକ୍ରମେ ୪୦ ଏବଂ ୬୦ ସେ.ମି. ଜଳ ଆବଶ୍ୟକ କରିଥାଏ ।

ସୋରିଷ

ସୋରିଷ ଗୋଟିଏ ଶୀତଦିନିଆ ଫସଲ । ମୁଖ୍ୟତଃ ବିନା ଜଳସେଚନରେ ଏହା ଚାଷ କରାଯାଇଥାଏ । କିନ୍ତୁ ଅଧିକ ଦିନରେ ଅମଳ ହେଉଥିବା କିସମ ସୋରିଷ ପାଇଁ ଜଳସେଚନ ଆବଶ୍ୟକ ହୋଇଥାଏ । ମୃତ୍ତିକାର ସୁଲଭ୍ୟ ଜଳ ଫୁଲ ଧରିବା ପର୍ଯ୍ୟନ୍ତ ୬୦ ପ୍ରତିଶତ ହ୍ରାସ ହେଲେ ଏବଂ ପରେ ଫଳ ପାକଳ ହେବା ପର୍ଯ୍ୟନ୍ତ ୫୦ ପ୍ରତିଶତ ହ୍ରାସ ହେଲେ  ଜଳସେଚନ  ଆବଶ୍ୟକ ଅଥବା ସେଚଜଳ ଓ ବାଷ୍ପୀଭବନ ଅନୁପାତ ୦.୭୫ ରୁ ୦.୯୦ ହେଲେ ସୋରିଷ ଫସଲକୁ ଜଳସେଚନ କରିବା ଉଚିତ୍ । ଫୁଲ ଧରିବା ଓ ଛୁଇଁ ପାକଳ   ହେବା ଅବସ୍ଥା ସୋରିଷ ଫସଲର ସଂକଟକାଳ । ଏହି ସମୟରେ ଜଳାଭାବ ଘଟିଲେ ଫୁଲ ସଂଖ୍ୟା ହ୍ରାସ ପାଏ ଏବଂ ସୋରିଷ ଦାନା ଛୋଟ ଛୋଟ ହୁଏ । ସୋରିଷ ଫସଲ ୪୦ – ୫୦ ସେ.ମି.  ଜଳ ଆବଶ୍ୟକ କରେ ।

ଡାଲି ଜାତୀୟ ଫସଲ

ମୁଗ, ବିରି, କୋଳଥ, ହରଡ ଆଦି ଡାଲି ଜାତୀୟ ଫସଲ ସାଧାରଣତଃ ବିନା ଜଳସେଚନରେ ଚାଷ କରାଯାଏ । କିନ୍ତୁ ଶୀତଦିନିଆ ଫସଲକୁ ଜଳସେଚନ କଲେ ଅଧିକ ଆଦାୟ ମିଳେ । ମୃତ୍ତିକାର ସୁଲଭ୍ୟ ଜଳ ପରିମାଣ ୦.୧୫ ପ୍ରତିଶତ ହ୍ରାସ ପାଇଲେ ଡାଲିଜାତୀୟ ଫସଲକୁ ଜଳସେଚନ କରିବା ଆବଶ୍ୟକ । ସେଚଜଳ ଓ ବାଷ୍ପୀଭବନ ମାପି କୁଣ୍ଡର  ସାମୂହିକ ବାଷ୍ପୀଭବନ ଅନୁପାତ ୦.୮ ହେଲେ ଡାଲିଜାତୀୟ ଫସଲକୁ ମଧ୍ୟ ଜଳସେଚନ କରାଯାଇପାରିବ । ଡାଲିଜାତୀୟ ଫସଲର ପ୍ରାଥମିକ ଅବସ୍ଥା ଏବଂ ଛୁଇଁ ପାକଳ ଅବସ୍ଥା  ଜଳସେଚନ ଦୃଷ୍ଟିରୁ ସଂକଟକାଳ । ଏହି ସମୟରେ ଜଳାଭାବ ଫସଲର ବିଶେଷ କ୍ଷତି କରେ । ଏହି ସମୟରେ ଥରେ କିମ୍ବା ଶାଖା ଦେବାବେଳେ ଥରେ ଏବଂ ଛୁଇଁ ବଢିବା ବେଳେ   ଆଉ ତଳେ ଜଳସେଚନ କଲେ ବୁଟ ଫସଲରୁ ସର୍ବାଧିକ ଆଦାୟ ମିଳେ ।

ଆଳୁ

ଆଳୁ ଗୋଟିଏ ପ୍ରଧାନ ପାରିବା ଜାତୀୟ ଫସଲ । ଏହା ଶୀତ ଋତୁରେ ଚାଷ କରାଯାଏ । ମଞ୍ଜି ଲଗାଇ ସୋଡୁଅରେ ପାଣି ଦେଇ ଗଜା କରାଇବା ଆବଶ୍ୟକ ବୁଡା ପାଣି ଦେଲେ ଆଳୁ ସଢିଯାଏ ଏବଂ ଗଛ ହୁଏନାହିଁ । ଆଳୁ ଲଗାଇବାର ୨୦ ଦିନ ପରେ, ଆଳୁ ସଞ୍ଚାର ହେବାବେଳେ ଓ ଆଳୁ ଫଳି ମୋଟା ହେବାବେଳେ ଜଳସେଚନ କରିବା ଏକାନ୍ତ ଆବଶ୍ୟକ । ଏହି ଫସଲକୁ ବାରମ୍ବାର ଜଳସେଚନ କରିବା ଆବଶ୍ୟକ । ଏହାଦ୍ଵାରା ମୃତ୍ତିକା ଆର୍ଦ୍ର ରହୁଥିଲେ ଫସଲକୁ ଯଥେଷ୍ଟ ଜଳ ମିଳେ ଏବଂ ମୃତ୍ତିକା ନରମ ରହିବା ଫଳରେ  ଆଳୁ ଭଲ ବଢେ । ଉପର ୧୫ ସେ.ମି. ମୃତ୍ତିକା ସ୍ତରର ଆର୍ଦ୍ରତା ତାନ ୦.୩ – ୦.୪ ଆଟମସ୍ପିଅରରେ ଜଳସେଚନ କଲେ ଆଳୁ ଫସଲରୁ ଭଲ ଅମଳ ମିଳେ । ଏହି ଫସଲ  ୮-୧୦ଟି ଜଳସେଚନ ଆବଶ୍ୟକ କରେ ।  ଆଳୁ କିଆରୀରେ ହୁଡାର ୪ ଭାଗକୁ ଏକ ଭାଗ ବୁଡିବା ପର୍ଯ୍ୟନ୍ତ ଜଳସେଚନ କରିବା ଉଚିତ । ଏଥିପାଇଁ ପ୍ରତ୍ୟକଥର ଅଳ୍ପ ଜଳ ବହୁତ  ଥର ଜଳସେଚନ ଆବଶ୍ୟକ ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top