ହୋମ / କୃଷି / ଜଳସେଚନ / ବିଭିନ୍ନ ଫସଲ ପାଇଁ ଜଳସେଚନ
ସେଆର କରନ୍ତୁ

ବିଭିନ୍ନ ଫସଲ ପାଇଁ ଜଳସେଚନ

ବିଭିନ୍ନ ଫସଲ ପାଇଁ ଜଳସେଚନ ର ସୂଚନା

ଉପକ୍ରମ

(କ) ଉଚ୍ଚମାନର   ଫସଲ  ଓ  ଅଧିକ  ଉତ୍ପାଦନ

(ଖ)  ଜଳ  ବ୍ୟବହାର   ଦକ୍ଷତା  ବୃଦ୍ଧି

(ଗ) ମୃତ୍ତିକାର   ଉତ୍ପାଦିକତା  ସୁରକ୍ଷା

(ଘ)  ସେଚନ   ବାବଦ  ଖର୍ଚ୍ଚ  ହ୍ରାସ   କରିବା  ଜଳସେଚନର   ଲକ୍ଷ୍ୟ   ।

ଫସଲ  ପାଇଁ   ଉପଯୁକ୍ତ  ସମୟରେ   ଉଚିତ   ପରିମାଣ   ଜଳସେଚନ   କଲେ   ଏହି  ଲକ୍ଷ୍ୟ   ପୂରଣ   କରାଯାଇପାରିବ   । ଆବଶ୍ୟକତାଠାରୁ  ଅଧିକ  ବା   କମ୍ ଜଳସେଚନ  କଲେ  ଆଶାନୁରୂପ  ଉତ୍ପାଦନ  ମିଳିବ   ନାହିଁ   ।

ଜଳ  ଯୋଗାଣ   ଦୃଷ୍ଟିରୁ   ସାଧାରଣତଃ   ଦୁଇଟି  ଅବସ୍ଥାର  ସମ୍ମୁଖୀନ  ହେବାକୁ   ପଡିଥାଏ   । ଯଥା – (କ) ଆବଶ୍ୟକ  ମତେ   ଯଥେଷ୍ଟ  ଜଳ  ମିଳୁଥିବା   ଅବସ୍ଥା  ଓ  (ଖ) ସୀମିତ  ପରିମାଣ  ଜଳ  ମିଳୁଥିବା   ଅବସ୍ଥା   । ପ୍ରଥମ  ଅବସ୍ଥାରେ  ଜଳ  ଅପଚୟ   ନ ଘଟାଇ   ଗୋଟିଏ  ଜମିରୁ  ସର୍ବାଧିକ   ଆଦାୟ  ପାଇବା  ପାଇଁ  ଲକ୍ଷ୍ୟ  ରଖିବାକୁ   ହେବ  । ଏଣୁ  ଫସଲକୁ  କେତେବେଳେ   ଜଳସେଚନ   କରିବା   ଦରକାର  ଏବଂ   ପ୍ରତିଥର   କେତେ   ଜଳ  ପ୍ରୟୋଗ   କରିବା  ଦରକାର  ନିର୍ଣ୍ଣୟ   କରିବା  ଆବଶ୍ୟକ   ।  ଦ୍ଵିତୀୟ  ଅବସ୍ଥାରେ   ଫସଲର  ଅପେକ୍ଷାକୃତ  ଅଧିକ  ସଂକଟ   ଅବସ୍ଥାରେ   ଜଳ  ବଣ୍ଟନ   କରି   ବ୍ୟବହୃତ   ଜଳରୁ   ସର୍ବାଧିକ  ଆଦାୟ   ପାଇବା   ପାଇଁ   ଲକ୍ଷ୍ୟ  ରଖିବା  ଆବଶ୍ୟକ   ।

ବାଷ୍ପୀଭବନ  ପାଇଁ  ବାୟୁମଣ୍ଡଳର  ବାଷ୍ପୀକରଣ   ଶକ୍ତି  ମୃତ୍ତିକାରେ  ଚେରର  ଗଭୀରତା  ଓ  ସୁଲଭ୍ୟ   ଜଳପରିମାଣ  ଉପରେ  ଜଳସେଚନ  ଆବଶ୍ୟକତା   ନିର୍ଭର   କରେ   । ଉଦ୍ଭିଦ  ଓ  ବାୟୁମଣ୍ଡଳ   ସୂଚକ   ଫସଲ  ପାଇଁ   ଜଳସେଚନ   ଆବଶ୍ୟକତା  ନିର୍ଣ୍ଣୟ   କରାଯାଏ   । ମୃତ୍ତିକା  ଜଳ  ଧରି  ରଖେ, ଗଛ   ଏହାକୁ  ଶୋଷି  ବାୟୁମଣ୍ଡଳକୁ  ଛାଡିଦିଏ   । ଏହି  ତିନୋଟି   ମାଧ୍ୟମର  ଆବଶ୍ୟକତା  ପାଇଁ   ସମନ୍ଵୟ   ରକ୍ଷାକରି  ଜଳ   ସେଚନ  କରିବା  ଆବଶ୍ୟକ    ।

ମୃତ୍ତିକା  ଚେର  ସ୍ତରର   ସୁଲଭ୍ୟ   ଜଳ  କେତେ  ହ୍ରାସ   ହେଲେ   ଉତ୍ପାଦନ  ବାଧାପ୍ରାପ୍ତ   ହେବ  ନାହିଁ  ତାହାକୁ   ସାଧାରଣତଃ   ଜଳସେଚନ   ସୂଚକ  ଭାବେ  ଗ୍ରହଣ  କରାଯାଇଥାଏ   । ମୃତ୍ତିକାର  କ୍ଷେତ୍ର   ଧାରଣ  ଓ  ଝାଉଂଳା   ଶତାଂଶର  ଜଳ   ପରିମାଣକୁ   ଯଥାକ୍ରମେ  ୧୦୦ ଓ  ଶୁନ ଧରାଯାଇ  ସୁଲଭ୍ୟ  ଜଳ  ପରିମାଣ  କେତେ  କମିଲେ   ଜଳସେଚନ  କରିବା  ଆବଶ୍ୟକ   ନିର୍ଣ୍ଣୟ   କରାଯାଏ   । ମୃତ୍ତିକା  ଜଳ  ଘନକୁ   ମଧ୍ୟ   ସୂଚକ   ରୂପେ   ନିଆଯାଇ   ଫସଲ   ପାଇଁ  ଜଳସେଚନ   ଆବଶ୍ୟକତା   ନିର୍ଣ୍ଣୟ   କରାଯାଏ  । କିନ୍ତୁ   ମୃତ୍ତିକା  ଚେର   ସ୍ତରର   ଜଳୀୟ  ଅଂଶ  ଓ  ଦୁଇଟି   ଜଳସେଚନ  ମଧ୍ୟରେ  ବ୍ୟବଧାନକୁ   ମାନଦଣ୍ଡ  କରି   ଫସଲ  ପାଇଁ   ଜଳସେଚନ   ଆବଶ୍ୟକତା  ନିର୍ଣ୍ଣୟ   କରିହେବ   ନାହିଁ   । କାରଣ  ଚେର   ସ୍ତରର  ଜଳୀୟ  ଅଂଶ  କେତେକ  କମିଗଲେ   ଉତ୍ପାଦନ   ବାଧାପ୍ରାପ୍ତ   ହେବ   ତାହା  ମୃତ୍ତିକାର  ବୟନ   ଭେଦରେ   ପୃଥକ୍  ହୋଇଥାଏ   । ସେହିପରି   ଦୁଇଟି  ଜଳସେଚନ  ମଧ୍ୟରେ   ବ୍ୟବଧାନ   କେତେଦିନ  ରହିବା  ଆବଶ୍ୟକ   ତାହା  ମଧ୍ୟ  ମୃତ୍ତିକାର  ବୟନ   ଉପରେ   ନିର୍ଭର  କରେ   ।

ମୃତ୍ତିକାରେ  ଯଥେଷ୍ଟ  ପରିମାଣ  ଜଳ   ଥିଲେ   କୌଣସି   ଫସଲର   ବାଷ୍ପ   ପ୍ରସ୍ଵେଦନ   ପରିମାଣ   ମୁଖ୍ୟତଃ   ବାୟୁମଣ୍ଡଳର  ବାଷ୍ପୀଭବନ  ଶକ୍ତି   ଉପରେ  ନିର୍ଭର  କରେ   । ବାଷ୍ପୀଭବନ  ପରିମାଣ  ବାୟୁମଣ୍ଡଳର  ତାପମାନ, ଆର୍ଦ୍ରତା, ପବନବେଗ , ଉଜ୍ଜ୍ଵଳ  ଦିବାଲୋକ  ପରିମାଣ  ଓ  ସଘନତା   ଉପରେ  ନିର୍ଭର  କରେ   । ନିର୍ଦ୍ଧିଷ୍ଟ   ପରିମାଣ  ସେଚଜଳ  ଓ  ବାଷ୍ପୀଭବନ  ମାପି   କୁଣ୍ଡରୁ   ମୋଟ   ବାଷ୍ପୀଭବନର  ଅନୁପାତ   ଅନୁସାରେ   ବିଭିନ୍ନ  ଫସଲ  ପାଇଁ  ଜଳସେଚନ   ସମୟ  ନିର୍ଣ୍ଣୟ   ମଧ୍ୟ   କରାଯାଇଥାଏ   ।

ଗଛ  ଝାଉଁଳିବା, ଉଦ୍ଭିଦର  ସମ୍ବେଦନଶୀଳ  ଅଙ୍ଗର  ବୃଦ୍ଧିପ୍ରାପ୍ତ   ହେବା  ଆଦି  ଲକ୍ଷଣକୁ  ଜଳସେଚନ  ଆବଶ୍ୟକତା   ଜାଣିବା  ପାଇଁ   ସୂଚକ   ରୂପେ   ବ୍ୟବହାର   କରି  ହେବ   । କେତେକ  ମୁଖ୍ୟ   ଫସଲ   ପାଇଁ   କିପରି   ଜଳସେଚନ   କରିବାକୁ   ହେବ   ନିମ୍ନରେ   ବର୍ଣ୍ଣନା   କରାଯାଇଅଛି   ।

ଧାନ

ଏହା   ମୁଖ୍ୟତଃ   ଖରିଫ୍  ଋତୁରେ  ଚାଷ   କରାଯାଇଥାଏ  । ଜଳସେଚନ   ସୁବିଧା   ଥିବା  ଅଞ୍ଚଳରେ   ଡାଳୁଅ   ଋତୁରେ   ମଧ୍ୟ  ଧାନଚାଷ   କରାଯାଏ   । ଢିପ, ମଝିଆଳି  ଏବଂ   ଖାଲ   କିସମ  ଜମିରେ   ଧାନଚାଷ   କରାଯାଏ   । ଢିପ  ଜମିରେ   ଠିଆପାଣି  ରହେ   ନାହିଁ   । ମଝିଆଳି   ଏବଂ  ଖାଲ  ଜମିରେ  ବର୍ଷା  ଋତୁରେ   ଠିଆପାଣି   ରହେ   । ବିଭିନ୍ନ   ପଦ୍ଧତିରେ   ଏବଂ   ବିଭିନ୍ନ  ଋତୁରେ   ଧାନ  ଚାଷ   ଆରାଯାଉଥିବାରୁ   ଜଳସେଚନ  ଓ ଦରକାରୀ   ଜଳ   ପରିମାଣ   ଭିନ୍ନ   ହୋଇଥାଏ   ।

ବର୍ଷା  ଋତୁରେ  ଢିପ  ଜମି   ଧାନ  ସାଧାରଣତଃ   ବିନା   ଜଳସେଚନରେ   ଚାଷ   କରାଯାଇଥାଏ   । କିନ୍ତୁ  ଅଧିକ  ଦିନ  ବର୍ଷା   ଛାଡିଗଲେ  ଏବଂ ମୃତ୍ତିକା  ଚେର  ସ୍ତରର  ସୁଲଭ୍ୟ   ଜଳ  ୨୫ ପ୍ରତିଶତ   ହ୍ରାସ  ହେଲେ  ଧାନ  ଫସଲକୁ   ଜଳସେଚନ   କରିବା  ଆବଶ୍ୟକ   ।

ମଝିଆଳି  ଏବଂ  ଖାଲ  ଜମିରେ   ଧାନ   ରୋଇବାର   ଏକ  ସପ୍ତାହ  ପର୍ଯ୍ୟନ୍ତ   ଠିଆ  ପାଣିର   ଆବଶ୍ୟକତା  ନାହିଁ   । ଜମି  କେବଳ  ପରିପୃକ୍ତ   ଅବସ୍ଥାରେ   ରହିବା   ଉଚିତ   । ଏକ  ସପ୍ତାହ ପରଠାରୁ   ରୋଇବାର  ୨୫ – ୩୦ ଦିନ   ପର୍ଯ୍ୟନ୍ତ   ପରିପୃକ୍ତ  ଅବସ୍ଥାରୁ   ୩ ସେ.ମି.  ପର୍ଯ୍ୟନ୍ତ   ଠିଆପାଣି   ରହିବା  ଆବଶ୍ୟକ   । ଏହି  ଅବସ୍ଥାରେ  ଜମିରେ  ଅଧିକ  ଜଳ  ରହିଲେ  ଗଛର  ପିଲ   ଦେବା  ଶକ୍ତି  ହ୍ରାସ   ପାଏ   । ଗଛ  ଡେଙ୍ଗା   ହୁଏ  ଓ  ଚେର  ଦୁର୍ବଳ  ହୁଏ   । ରୋଇବାର  ୨୦ – ୩୦ ଦିନ  ପରଠାରୁ   ଧାନ  କ୍ଷୀର   ଢୋକିବାର  ୧୫ ଦିନ  ପର୍ଯ୍ୟନ୍ତ   ଜମିରେ  ୩ -୫ ସେ.ମି.  ଠିଆପାଣି   ରଖିବା  ଆବଶ୍ୟକ   । ଫସଲର   କୌଣସି  ଅବସ୍ଥାରେ  ଜମିରେ   ଅଧିକ  ଠିଆପାଣି   ରଖିବା  ଅନାବଶ୍ୟକ   । ଅଧିକ   ଠିଆ  ପାଣି  ରଖିଲେ   ପାଣି   ଝରିଯାଇ  ଓ  ବୋହିଯାଇ   ନଷ୍ଟ  ହୁଏ  । ଏହା  ସହିତ  ଅଧିକ  ସାର   ମଧ୍ୟ  ନଷ୍ଟ  ହୁଏ   ।

ବନ୍ୟା  ପ୍ଲାବିତ  ଅଞ୍ଚଳରେ  ଅନେକ  ସମୟରେ   ଜମିରେ  ୨୦ରୁ  ୧୦୦ ସେ.ମି.  ଠିଆ  ପାଣି   ରହେ   । ପରୀକ୍ଷା  କରି  ଦେଖାଯାଇଛି   ଫସଲର  କୌଣସି  ଅବସ୍ଥାରେ   ଯଦି  ଗଛ  ଉଚ୍ଚତାର  ୨୫ ପ୍ରତିଶତ  ପାଣିରେ   ବୁଡି  ରହେ  ତେବେ   ଫସଲର  ବିଶେଷ  କ୍ଷତି  ହୁଏ   ନାହିଁ   । କିନ୍ତୁ  ଧାନ  ଗଛ  ଉଚ୍ଚତାର  ୫୦ ପ୍ରତିଶତ  ଯଦି  ପାଣିରେ   ବୁଡି   ରହେ   ତେବେ  ଆଦାୟ   ଯଥେଷ୍ଟ   ହ୍ରାସପାଏ   ।

ଜଳସେଚନ  ଦୃଷ୍ଟିରୁ   ତଳି  ଅବସ୍ଥା , ସର୍ବାଧିକ   ପିଲଦେବା   ଅବସ୍ଥା   କେଣ୍ଡା  ସଞ୍ଚାର   ଅବସ୍ଥା,  ଫୁଲ  ଧରିବା  ଅବସ୍ଥା, କ୍ଷୀର   ହେବା  ଓ  ଦାନା  ପାକଲା  ହେବା  ଅବସ୍ଥା   ସଂକଟକାଳ   ଅଟେ   । ଏହି  ସମୟରେ  ଜଳାଭାବ   ଘଟିଲେ  ଫସଲ   ଆଦାୟ  ଅଧିକ  ବାଧାପ୍ରାପ୍ତ   ହୁଏ   ।

ଗହମ

ଗହମ  ଶୀତ  ଋତୁରେ   ଚାଷ   କରାଯାଏ   । ଏହି  ଫସଲର  କ୍ଷେତ୍ରଫଳରୁ  ପ୍ରାୟ  ୬୫  ଭାଗ  ଜଳସେଚନ   କରାଯାଏ   । ଉପର  ୨୦ – ୩୦  ସେ.ମି. ମୃତ୍ତିକାର  ସୁଲଭ୍ୟ   ଜଳ  ପରିମାଣ  ୫୦ ପ୍ରତିଶତ  ହ୍ରାସ   ପାଇଲେ   ଗହମ   ଫସଲକୁ   ଜଳସେଚନ   କରିବା   ଆବଶ୍ୟକ   । ଭଲ  ଅମଳ  ଓ  ଜଳ   ମିତବ୍ୟୟିତା   ଦୃଷ୍ଟିରୁ   ସେଚଜଳ ପରିମାଣ  ଓ  ବାଷ୍ପୀଭବନ  ମାପି   ସାମୂହିକ  ବାଷ୍ପୀଭବନର  ଅନୁପାତ ୧.୦ ହେଲେ   ଗହମ   ଫସଲକୁ   ସେଚନ   କରିବା   ଉଚିତ   । ସ୍ଥଳ  ବିଶେଷରେ  ଏହି  ଅନୁପାତ  ୦.୭୫  ହୋଇପାରେ   । ଜଳସେଚନ   ଦୃଷ୍ଟିରୁ  ଗହମ  ଫସଲର  ୬ଟି  ସଂକଟକାଳ   ଚିହ୍ନଟ  କରାଯାଇଅଛି   । (୧) ମୁକୁଟ  ଚେର  ବାହାରିବା  ସମୟ  (୨)  ପିଲ  ମାରିବା  ସମୟ  (୩) ଗଣ୍ଠି  ଛାଡିବା  ସମୟ (୪) ଫୁଲ  ଧରିବା  ସମୟ   (୫) ଦାନାରେ   କ୍ଷୀର   ହେବା  ସମୟ  ଏବଂ  (୬) ଦାନା  ପାକଲା  ହେବା  ସମୟ  ଗହମ   ଫସଲର  ସଙ୍କଟ   କାଳ   । ଏହି  ସମୟରେ  ଜଳସେଚନ  ନ କଲେ  ଆଦାୟ  ବହୁତ   ହ୍ରାସପାଏ   । ଏହି  ୬ଟି  ସଙ୍କଟ  କାଳକୁ  ଖାପ  ଖୁଆଇ  ୬ ଥର   ଜଳସେଚନ  କରିବାକୁ   ପଡିଥାଏ   । ସ୍ଥଳ   ବିଶେଷରେ  ୪ – ୫ଟି  ଜଳସେଚନ   ଆବଶ୍ୟକ   ହୋଇଥାଏ   । ଉପରୋକ୍ତ  ଅବସ୍ଥାମାନଙ୍କ  ମଧ୍ୟରୁ   ମୁକୁଟ  ଚେର, ଫୁଲ  ଧରିବା   ଏବଂ  କ୍ଷୀର   ଖାଇବା   ଅବସ୍ଥା   ସବୁଠାରୁ   ଅଧିକ  ଗୁରୁତ୍ଵପୂର୍ଣ୍ଣ    । ମୁକୁଟ  ଚେର   ସାଧାରଣତଃ  ଉପର  ୨ ସେ.ମି.  ମାଟି  ଭିତରେ   ବାହାରେ   । ମାଟିର   ଏହି  ସ୍ତରରେ   ଆବଶ୍ୟକ  ପରିମାଣ  ଜଳୀୟଅଂଶ   ଥିଲେ  ମୁକୁଟ   ଚେର   ସୁବିଧାରେ   ବାହାରେ   ଏବଂ   ଜଳସେଚନ  ଆବଶ୍ୟକ   ହୁଏ  ନାହିଁ   ।  କିନ୍ତୁ  ସାଧାରଣତଃ ଏହି   ଅବସ୍ଥା  ଆସିବା   ବେଳକୁ  ଉପର  ୫ – ୬ ସେ.ମି. ମାଟି   ଶୁଖିଯାଇଥାଏ   । ମାଟି  ଶୁଖିଗଲେ   ମୁକୁଟ  ଚେର   ବାହାରେ   ନାହିଁ , ପିଲ   ସଂଖ୍ୟା   କମ୍  ହୁଏ   ଏବଂ  ଆଦାୟ   କମିଯାଏ   ।

ମକା

ମକା  ମୁଖ୍ୟତଃ  ଏକ  ଖରିଫ୍  ଋତୁ  ଫସଲ   । ଜଳସେଚନ   ସୁବିଧା  ଥିଲେ   ଶୀତ  ଓ  ଗ୍ରୀଷ୍ମଋତୁରେ   ମଧ୍ୟ  ଚାଷ  କରାଯାଇଥାଏ   । ଉଭୟ  ଶସ୍ୟ  ଓ  ଗୋ – ଖାଦ୍ୟ ପାଇଁ  ମକାଚାଷ  କରାଯାଏ   । ବର୍ଷାଦିନେ   ମକାଚାଷ   ପାଇଁ   ସାଧାରଣତଃ  ଜଳସେଚନ   ଦରକାର  ହୁଏ  ନାହିଁ   । କିନ୍ତୁ  ବର୍ଷା   ଅଭାବରେ   ୧ – ୨ ଥର   ଜଳସେଚନ  କରିବାକୁ   ପଡିଥାଏ   । ଶୀତ  ଓ  ଗ୍ରୀଷ୍ମକାଳୀନ  ମକାରୁ  ଅଧିକ  ଆଦାୟ  ପାଇବା   ପାଇଁ   ଆବଶ୍ୟକ   ମତେ   ଜଳସେଚନ   ଦରକାର   । ମୃତ୍ତିକାର  ଉପର  ୦.୩୦ ସେ.ମି.  ସ୍ତରର   ସୁଲଭ୍ୟ   ଜଳ   ଶତକଡା   ୫୦ ଭାଗ   ହ୍ରାସ   ହେଲେ   ମକା   ଫସଲକୁ   ଜଳସେଚନ   କରିବା   ଉଚିତ   । ବାଲିଆ   ମାଟିରେ  ଅଧିକ  ଥର   ଜଳସେଚନ   କରିବାକୁ  ଆବଶ୍ୟକ   ହୁଏ   ।

ଜଳସେଚନ   ଦୃଷ୍ଟିରୁ  ଚାରା  ଅବସ୍ଥା, ଚଅଁର  ଧରିବା   ଅବସ୍ଥା   କେଶର   ଧରିବା  ଅବସ୍ଥା  ଓ  ଦାନା   ପାକଲା  ହେବା  ଅବସ୍ଥା   ମକା   ଫସଲର  ସଂକଟ   କାଳ   । ଏହି  ଅବସ୍ଥାରେ   ଜଳସେଚନ   କରିବା   ଏକାନ୍ତ  ଆବଶ୍ୟକ   ।

ମକା  ଫସଲ  ଜଳାଧିକ୍ୟ  ସହ୍ୟ   କରିପାରେ   ନାହିଁ   । ଫସଲର  ପ୍ରଥମାବସ୍ଥାରେ   ଜଳାଧିକ୍ୟ  ଅଧିକ  କ୍ଷତିକାରକ   । ଏଣୁ  ବର୍ଷା   ଅଧିକ  ହେଲେ   ଜଳ  ନିଷ୍କାସନ   ବ୍ୟବସ୍ଥା  କରିବା   ଉଚିତ୍   । ଶୀତ ଓ ଖରାଦିନେ   ମକା  ଫସଲ  ୫୦ – ୬୫  ସେ.ମି.  ଜଳ  ଆବଶ୍ୟକ   କରିଥାଏ   ।

ମାଣ୍ଡିଆ

ମକାଭଳି   ମାଣ୍ଡିଆ   ମଧ୍ୟ  ବର୍ଷର   ସବୁ  ସମୟରେ   ଚାଷ   କରାଯାଇପାରେ   । ବର୍ଷାଦିନିଆ   ଫସଲ   ପାଇଁ  ଜଳସେଚନ  ଆବଶ୍ୟକ  ହୁଏନାହିଁ   । ଠିଆପାଣି   ଫସଲ  ପାଇଁ  କ୍ଷତିକାରକ  ପିଲଦେବା , ଫୁଲଧରିବା  ଓ  ଦାନା  ପାକଳ  ହେବା   ଅବସ୍ଥା   ମାଣ୍ଡିଆ  ଫସଲର   ସଂକଟ   କାଳ   । ଏହି  ସମୟରେ   ନୃତ୍ତିକାର  ସୁଲଭ୍ୟ   ଜଳ  ପରିମାଣ  ୨୫ – ୫୦ ପ୍ରତିଶତ  ରହିବା  ଦରକାର   । ଏହି  ଫସଲ  ୩୦ – ୪୦  ସେ.ମି.  ଜଳ  ଆବଶ୍ୟକ  କରେ   ।

କପା

ଏହି  ଫସଲ  ଜ୍ୟଷ୍ଠ  ମାସରୁ   ମାର୍ଗଶିର  ମାସ  ଓ  ମାଘ  ମାସରୁ   ବୈଶାଖ   ମାସ   ମଧ୍ୟରେ  ଚାଷ  କରାଯାଇପାରେ   । ଫସଲର ପ୍ରଥମ  ଓ  ଶେଷ  ଅବସ୍ଥାରେ   ଜଳ  ଆବଶ୍ୟକତା  କମ୍  ହୋଇଥାଏ   । କାରଣ   ପ୍ରଥମାବସ୍ଥାରେ  ଫସଲ   ଆଚ୍ଛାଦନ   କମ୍  ହୋଇଥାଏ  ବା   ଗଛରେ  ଡାଳପତ୍ର   କମ୍  ହୋଇଥାଏ   । ଏବଂ  ବକରା  ଫାଟିବା   ବେଳେ   ଫସଲ  ଶୁଖିଲା  ପାଗ   ଆବଶ୍ୟକ  କରିଥାଏ   । ମୃତ୍ତିକାର  ସୁଲଭ୍ୟ  ଜଳ   ପରିମାଣ  ୫୦ – ୬୦ ପ୍ରତିଶତ   ହ୍ରାସ   ପାଇଲେ   କପା   ଫସଲକୁ   ଜଳସେଚନ   କରିବା  ଆବଶ୍ୟକ  । ସେଚଜଳ   ପରିମାଣ  ଓ  ବାଷ୍ପୀଭବନ   ମାପି   କୁଣ୍ଡର   ସାମୁହିକ   ବାଷ୍ପୀଭବନ  ଅନୁପାତ  ୦.୬ରୁ  ୦.୯  ହେଲେ   କପାକୁ   ଜଳସେଚନ   କରିବା  ଆବଶ୍ୟକ   । ଏହି  ଫସଲ   ପାଇଁ   ସେଚଜଳ  ପରିମାଣ  ପ୍ରତ୍ୟକ  ଥର  ୬ ସେ.ମି.  ରଖାଯାଇଥାଏ   । ଜଳସେଚନ  ଦୃଷ୍ଟିରୁ  ଫୁଲ  ଧରିବାର  ପୂର୍ବାବସ୍ଥା , ଫୁଲ  ଫୁଟିବା   ଅବସ୍ଥା  ଏବଂ   ଫଳ  ଧରିବା  ଅବଶା  କପା  ଫସଲର   ସଂକଟକାଳ   । ଏହି  ସମୟରେ  ଜଳସେଚନ  କଲେ   ଭଲ   ଫଳ   ମିଳେ   । କପା  ଫସଲ  ପାଇଁ  ୭୦ – ୭୫  ସେ.ମି. ଜଳ  ଆବଶ୍ୟକ

ଆଖୁ

ଆଖୁ  ଫସଲର  ଜୀବନ  କାଳକୁ  ମୁଖ୍ୟତଃ  ୩ ଭାଗରେ   ବିଭକ୍ତ  କରାଯାଇଅଛି   । (୧) ସୃଜନୀ ଅବସ୍ଥା, (୨) ବର୍ଦ୍ଧନାବସ୍ଥା  ଓ  (୩) ପରିପକ୍ଵ   ଅବସ୍ଥା   । ଗଣ୍ଠିରୁ  ଗଜା  ବାହାରି  ପିଲ  ଦେବା   ଅବସ୍ଥାକୁ  ସୃଜନୀ  ଅବସ୍ଥା  କୁହାଯାଏ  ।  ଏହି  ଅବସ୍ଥା  ଗଛ  ଉଠିବାଠାରୁ  ୩.୫ ମାସ  ପର୍ଯ୍ୟନ୍ତ  ରହେ   । ଏହି  ଅବସ୍ଥାରେ   ମୃତ୍ତିକାରେ  ସୁଲଭ୍ୟ  ଜଳ  ୫୦ ପ୍ରତିଶତ   ହ୍ରାସ   ପାଇଲେ   ଜଳସେଚନ  କରିବା  ଆବଶ୍ୟକ   । ଘନ ଘନ  ଜଳସେଚନ   କଲେ  ପିଲ   ସଂଖ୍ୟା  କମ୍  ହୁଏ   ।

ବଢୁଥିବା  ଅବସ୍ଥାରେ  ପବ  ଲମ୍ବ  ହୁଏ  ଏବଂ  ଗଛ  ଡେଙ୍ଗାରେ  ବଢେ   । ନୂଆ  ପିଲ ବେଶି   ବାହାରେ  ନାହିଁ   । ଏହି  ସମୟରେ  ଦରକାରୀ  ଜଳ  ପରିମାଣ  ସାଧାରଣତଃ  ବୃଷ୍ଟିପାତରୁ  ମିଳିଥାଏ   । ଜଳସେଚନ  ଆବଶ୍ୟକ  ହୁଏ  ନାହିଁ   ।

ପରିପକ୍ଵ  ଅବସ୍ଥାରେ   ଆଖୁ   ପାକଳ  ହୁଏ   । ଆଖୁର  ଶର୍କରା  ପରିମାଣ  ବୃଦ୍ଧି   ପାଏ   । ଜଳାଭାବ  ହେତୁ  ସୁକ୍ରୋଜ   ପରିମାଣ  ହ୍ରାସପାଏ   ଏବଂ  ଆଖୁ  ଟାଣ   ହୁଏ   । ବେଶି   ଜଳସେଚନ   ହେତୁ   ମଧ୍ୟ  ସୁକ୍ରୋଜ   ପରିମାଣ  କମ୍  ହୁଏ   । ଏବଂ  ଗ୍ଲୁକୋଜ  ପରିମାଣ  ବୃଦ୍ଧିପାଏ   ।

ଗ୍ରୀଷ୍ମଋତୁରେ   ଆଖୁ  ଫସଲକୁ   ସେଚଜଳ  ପରିମାଣ  ଓ  ବାଷ୍ପୀଭବନ   ମାପି   କୁଣ୍ଡର   ବାଷ୍ପୀଭବନ   ପରିମାଣ  ଅନୁପାତ ୧.୨  ହେଲେ   ଜଳସେଚନ   କରିବା   ଉଚିତ   । ଏହି  ଫସଲ  ପାଇଁ  ୧୨ -୧୩ଟା   ଜଳସେଚନ   ଆବଶ୍ୟକ   ।  ମୋଟ   ଆବଶ୍ୟକ   ଜଳ   ପରିମାଣ  ୧୭୦ ସେ.ମି.   । ମାର୍ଗଶିର   ମାସରେ  ଲଗାଯାଇଥିବା  ଆଖୁ   ପାଇଁ  ମାର୍ଗଶିରରେ – ୧, ପୌଷରେ -୨, ମାଘରେ – ୨, ଚୈତ୍ରରେ – ୩, ବୈଶାଖରେ – ୩  ଜ୍ୟଷ୍ଠରେ – ୨ ଜଳସେଚନ   ଆବଶ୍ୟକ   । ମୌସୁମୀ  ଋତୁରେ  ଓ  ପରେ   ଜଳସେଚନ  ଆବଶ୍ୟକ  ନାହିଁ   ।

ଚିନାବାଦାମ

ଚିନାବାଦାମ  ଆମ  ରାଜ୍ୟର  ଗୋଟିଏ   ପ୍ରଧାନ  ଅର୍ଥକାରୀ   ଫସଲ   । ବର୍ଷା  ଋତୁରେ   ସାଧାରଣତଃ   ଚିନାବାଦାମ   ବିନା   ଜଳସେଚନରେ  ଚାଷ  କରାଯାଏ   । କିନ୍ତୁ   ବର୍ଷାର   ଅନିୟମିତ  ବଣ୍ଟନ   ହେତୁ  ବର୍ଷାଦିନିଆ   ଚିନାବାଦାମକୁ   ମଧ୍ୟ  ଆବଶ୍ୟକ   ସ୍ଥଳେ  ଜଳସେଚନ   କରିବାକୁ  ପଡିଥାଏ  । ଶୀତ   ଏବଂ  ଗ୍ରୀଷ୍ମ  ଋତୁରେ   ଚିନାବାଦାମକୁ   ଜଳସେଚନ  ଦ୍ୱାରସ୍ଥ   ଚାଷ   କରାଯାଏ   ।

ମୃତ୍ତିକାର  ସୁଲଭ୍ୟ   ଜଳ  ୫୦ ପ୍ରତିଶତ   ହ୍ରାସ  ପାଇଲେ   ଚିନାବାଦାମ   ଫସଲକୁ   ଜଳସେଚନ  କରିବା  ଉଚିତ   । ସେଚଜଳ  ପରିମାଣ  ଓ  ବାଷ୍ପୀଭବନ   ମାପି   କୁଣ୍ଡର   ସାମୁହିକ   ବାଷ୍ପୀଭବନ   ଅନୁପାତ   ୦.୬  ହେଲେ   ବର୍ଷାଦିନିଆ   ଚିନାବାଦାମକୁ   ଏବଂ  ୧.୨  ହେଲେ  ଶୀତ  ଓ  ଖରାଦିନିଆ   ଚିନାବାଦାମକୁ   ଜଳସେଚନ  କରିବା  ଉଚିତ   । ଘଞ୍ଚ  ଫୁଲ ଧରିବା , ଓହଳ   ସୃଷ୍ଟି   ହୋଇ   ମାଟି   ଭିତରେ   ପ୍ରବେଶ  କରିବା  ଏବଂ  ଫଳ  ବଢିବା   ଏହି  ତିନୋଟି   ଅବସ୍ଥା   ଚିନାବାଦାମର  ସଂକଟକାଳ   । ଏହି ଅବସ୍ଥାରେ  ଜଳ ଭାବ   ଫସଲର   ବିଶେଷ  କ୍ଷତିକରେ   । ରବି  ଓ  ଗ୍ରୀଷ୍ମ  ଋତୁରେ   ଚିନାବାଦାମ  ଯଥାକ୍ରମେ   ୪୦ ଏବଂ  ୬୦  ସେ.ମି.  ଜଳ  ଆବଶ୍ୟକ   କରିଥାଏ   ।

ସୋରିଷ

ସୋରିଷ  ଗୋଟିଏ  ଶୀତଦିନିଆ  ଫସଲ   । ମୁଖ୍ୟତଃ  ବିନା   ଜଳସେଚନରେ  ଏହା   ଚାଷ  କରାଯାଇଥାଏ  । କିନ୍ତୁ  ଅଧିକ  ଦିନରେ  ଅମଳ  ହେଉଥିବା  କିସମ   ସୋରିଷ  ପାଇଁ   ଜଳସେଚନ   ଆବଶ୍ୟକ  ହୋଇଥାଏ   । ମୃତ୍ତିକାର   ସୁଲଭ୍ୟ  ଜଳ  ଫୁଲ   ଧରିବା   ପର୍ଯ୍ୟନ୍ତ ୬୦ ପ୍ରତିଶତ  ହ୍ରାସ   ହେଲେ   ଏବଂ   ପରେ   ଫଳ  ପାକଳ   ହେବା  ପର୍ଯ୍ୟନ୍ତ  ୫୦ ପ୍ରତିଶତ  ହ୍ରାସ   ହେଲେ  ଜଳସେଚନ   ଆବଶ୍ୟକ   ଅଥବା   ସେଚଜଳ  ଓ  ବାଷ୍ପୀଭବନ  ଅନୁପାତ   ୦.୭୫ରୁ  ୦.୯୦  ହେଲେ   ସୋରିଷ   ଫସଲକୁ   ଜଳସେଚନ   କରିବା  ଉଚିତ୍  । ଫୁଲ  ଧରିବା  ଓ  ଛୁଇଁ   ପାକଳ   ହେବା   ଅବସ୍ଥା   ସୋରିଷ   ଫସଲର  ସଂକଟକାଳ   । ଏହି   ସମୟରେ   ଜଳାଭାବ   ଘଟିଲେ   ଫୁଲ  ସଂଖ୍ୟା   ହ୍ରାସପାଏ   ଏବଂ   ସୋରିଷ   ଦାନା  ଛୋଟ  ଛୋଟ   ହୁଏ   । ସୋରିଷ  ଫସଲ  ୪୦ – ୫୦ ସେ.ମି.  ଜଳ   ଆବଶ୍ୟକ   କରେ   ।

ଡାଲି  ଜାତୀୟ   ଫସଲ

ମୁଗ, ବିରି, କୋଳଥ, ହରଡ   ଆଦି  ଡାଲି  ଜାତୀୟ  ଫସଲ  ସାଧାରଣତଃ  ବିନା   ଜଳସେଚନରେ  ଚାଷ   କରାଯାଏ   । କିନ୍ତୁ   ଶୀତଦିନିଆ   ଫସଲକୁ   ଜଳସେଚନ   କଲେ  ଅଧିକ  ଆଦାୟ   ମିଳେ   ।  ମୃତ୍ତିକାର   ସୁଲଭ୍ୟ   ଜଳ  ପରିମାଣ  ୦.୧୫  ପ୍ରତିଶତ  ହ୍ରାସ  ପାଇଲେ  ଡାଲିଜାତୀୟ   ଫସଲକୁ  ଜଳସେଚନ   କରିବା  ଆବଶ୍ୟକ   । ସେଚଜଳ  ଓ  ବାଷ୍ପୀଭବନ   ମାପି  କୁଣ୍ଡର  ସାମୂହିକ  ବାଷ୍ପୀଭବନ  ଅନୁପାତ  ୦.୮ ହେଲେ  ଡାଲିଜାତୀୟ  ଫସଲକୁ  ମଧ୍ୟ  ଜଳସେଚନ  କରାଯାଇପାରିବ   । ଡାଲିଜାତୀୟ  ଫସଲର  ପ୍ରାଥମିକ  ଅବସ୍ଥା   ଏବଂ   ଛୁଇଁ  ପାକଳ  ଅବସ୍ଥା   ଜଳସେଚନ   ଦୃଷ୍ଟିରୁ  ସଂକଟକାଳ   । ଏହି  ସମୟରେ  ଜଳାଭାବ  ଫସଲର  ବିଶେଷ   କ୍ଷତି   କରେ   ।  ଏହି  ସମୟରେ   ଥରେ   କିମ୍ବା  ଶାଖା   ଦେବାବେଳେ   ଥରେ  ଏବଂ  ଛୁଇଁ   ବଢିବାବେଳେ   ଆଉ  ତଳେ   ଜଳସେଚନ   କଲେ   ବୁଟ   ଫସଲରୁ  ସର୍ବାଧିକ   ଆଦାୟ   ମିଳେ   ।

ଆଳୁ

ଆଳୁ  ଗୋଟିଏ  ପ୍ରଧାନ  ପାରିବା   ଜାତୀୟ  ଫସଲ   । ଏହା  ଶୀତ   ଋତୁରେ   ଚାଷ   କରାଯାଏ   । ମଞ୍ଜି   ଲଗାଇ   ସୋଡୁଅରେ   ପାଣି   ଦେଇ   ଗଜା  କରାଇବା   ଆବଶ୍ୟକ   ବୁଡା   ପାଣି  ଦେଲେ  ଆଳୁ  ସଢିଯାଏ  ଏବଂ  ଗଛ  ହୁଏନାହିଁ   । ଆଳୁ  ଲଗାଇବାର  ୨୦ ଦିନ  ପରେ , ଆଳୁ  ସଞ୍ଚାର   ହେବାବେଳେ  ଓ  ଆଳୁ  ଫଳି  ମୋଟା   ହେବାବେଳେ   ଜଳସେଚନ   କରିବା  ଏକାନ୍ତ  ଆବଶ୍ୟକ   । ଏହି  ଫସଲକୁ   ବାରମ୍ବାର  ଜଳସେଚନ   କରିବା  ଆବଶ୍ୟକ   । ଏହାଦ୍ଵାରା  ମୃତ୍ତିକା  ଆର୍ଦ୍ର  ରହୁଥିଲେ   ଫସଲକୁ   ଯଥେଷ୍ଟ  ଜଳ   ମିଳେ  ଏବଂ  ମୃତ୍ତିକା   ନରମ  ରହିବା   ଫଳରେ  ଆଳୁ  ଭଲ  ବଢେ    । ଉପର  ୧୫ ସେ.ମି.  ମୃତ୍ତିକା  ସ୍ତରର  ଆର୍ଦ୍ରତା  ତାନ  ୦.୩ – ୦.୪  ଆଟମସ୍ପିଅରରେ  ଜଳସେଚନ  କଲେ  ଆଳୁ  ଫସଲରୁ  ଭଲ  ଅମଳ  ମିଳେ   । ଏହି  ଫସଲ  ୮-୧୦ଟି   ଜଳସେଚନ   ଆବଶ୍ୟକ  କରେ  ।  ଆଳୁ  କିଆରୀରେ ହୁଡାର  ୪ ଭାଗକୁ   ଏକ  ଭାଗ   ବୁଡିବା   ପର୍ଯ୍ୟନ୍ତ   ଜଳସେଚନ  କରିବା   ଉଚିତ   । ଏଥିପାଇଁ   ପ୍ରତ୍ୟକଥର  ଅଳ୍ପ  ଜଳ  ବହୁତ  ଥର  ଜଳସେଚନ  ଆବଶ୍ୟକ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

2.89473684211
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top