ହୋମ / କୃଷି / ଜଳସେଚନ / ଡାଳୁଅ ଧାନରେ ଜଳ ପରିଚାଳନା
ସେଆର କରନ୍ତୁ

ଡାଳୁଅ ଧାନରେ ଜଳ ପରିଚାଳନା

ଡାଳୁଅ ଧାନରେ ଜଳ ପରିଚାଳନା ର ସୂଚନା

ଉପକ୍ରମ

ଜଳର ସୁପରିଚାଳନା ଗୁଣାତ୍ମକ ଫସଲ ଉତ୍ପାଦନ ଓ କୃଷି ବିକାଶର ପ୍ରମୁଖ ଆଧାର  । ଏଣୁ କୃଷି କ୍ଷେତ୍ରରେ ଜଳର ସୁବିନିଯୋଗ ଓ ଉପଯୋଗିତା ଏକ ଜରୁରୀ ପଦକ୍ଷେପ  । କିନ୍ତୁ ପରିତାପର ବିଷୟ ଯେ, ଆବଶ୍ୟକ ନ ଥାଇ ମଧ୍ୟ କୃଷି କ୍ଷେତ୍ରରେ ଅଯଥା ଜଳର ଅପଚୟ ଘଟି ପରବର୍ତ୍ତୀ ସମୟରେ ଫସଲରେ ଜଳସଙ୍କଟ ଓ ରୋଗପୋକର ବିଭିନ୍ନ ସମସ୍ୟା ସୃଷ୍ଟି ହୋଇ ଉତ୍ପାଦନ ହ୍ରାସ ପାଇ ପ୍ରଭୃତ କ୍ଷତି ହୋଇଥାଏ  । ଅପରପକ୍ଷେ ଜଳର ସୁବିନିଯୋଗ ଓ ପରିଚାଳନା ହୋଇପାରିଲେ କୃଷି ବିନିଯୋଗ ଖର୍ଚ୍ଚ ହ୍ରାସ ପାଇବା ସହ ପରିବେଶ ସୁରକ୍ଷା ଓ ମାତ୍ରାଧିକ ଅମଳ ହୋଇ ଲାଭ ମଧ୍ୟ ଅଧିକ ହୋଇଥାଏ  । ଏଣୁ ଏହି ପରିପ୍ରେକ୍ଷୀରେ ଡାଳୁଅ ଧାନ ଫସଲକୁ କିପରି ଜଳ ପରିଚାଳନା କରି ଆଶାନୁରୂପକ ଅମଳ ମିଳିପାରିବ ସେ ସମ୍ପର୍କରେ ନିମ୍ନରେ ପ୍ରଦତ୍ତ କରାଯାଉଛି  ।

ଜମି ପ୍ରସ୍ତୁତ


ସାଧାରଣତଃ ଚାଷୀଭାଇଙ୍କ ମନରେ ଏଭଳି ଏକ ଧାରଣା ରହିଛି ଯେ, ଅଧିକ ଅମଳ ପାଇଁ ଅଧିକ ଜଳ ଆବଶ୍ୟକ ହୋଇଥାଏ  । ଏପରି କି ଧାନ ଫସଲ ଅଧିକ ଜଳ ଆବଶ୍ୟକ କରୁଥିବାରୁ ଡାଳୁଅ ଫସଲରେ ଅଧିକ ଜଳର ଆବଶ୍ୟକତା ରହିଛି  । କିନ୍ତୁ ସ୍ଥଳ ବିଶେଷରେ ଅଧିକ ଜଳ ନୁହେଁ ବରଂ ବିହନ କିସମ, ଅବଧି, ତଳିଘରା ପ୍ରସ୍ତୁତି ତଥା ମୁଖ୍ୟ ଜମି ପ୍ରସ୍ତୁତି ଓ ଲଗାଇବା ସମୟ ତଥା ପଦ୍ଧତି ଏହାର ଜଳ ପରିଚାଳନା ଓ ଅମଳ ନିର୍ଦ୍ଧାରଣ କରିଥାଏ  । ଅତଏବ ଜଳସେଚନ ସୁବିଧା ସ୍ଥାନରେ ତଳିଘରା ପ୍ରସ୍ତୁତି କରିବା ଜରୁରୀ  । ଏଥିପାଇଁ ଜମିକୁ ଗୁଣ୍ଡହଳ କରି ସମାନ ଭାବେ ଜଳ ରହିବା ଲାଗି ସମତୁଲ ଓ ସାମାନ୍ୟ ଉଚ୍ଚ କରାଯିବା ଆବଶ୍ୟକ  । ବିହନକୁ ବୁଣିବା ପୂର୍ବରୁ ୫-୬ ଘଣ୍ଟା ପାଣିରେ ବତୁରାଇ ବିହନ କିଗ୍ରା ପ୍ରତି ୨ ଗ୍ରାମ୍ କାର୍ବୋକ୍ଲିନ କିମ୍ବା କାର୍ବେଣ୍ଡାଜିମ୍ ରେ ବିଶୋଧନ କରି ବୁଣନ୍ତୁ  । ଏହାପରେ ମୁଖ୍ୟ ଜମି ପ୍ରସ୍ତୁତି ସମୟରେ କାଦୁଅ କରି ସମତୁଲ କରିଦିଅନ୍ତୁ  । ଏହାକୁ ୧୦-୧୨ ଘଣ୍ଟା ଛାଡି ଜୈବିକ ଖତ ଓ ସବୁଜ ସାର ପ୍ରୟୋଗ କରି ରାସାୟନିକ ସାର ହିସାବରେ ସମସ୍ତ ଫସଫରସ (୫୦-୭୫ କିଗ୍ରା), ସୁପର ଓ ୨୫ ଶତାଂଶ (ଏକ ଚତୁର୍ଥାଂଶ) ଯବକ୍ଷାରଜାନ ସାର (୧୨ କିଗ୍ରା) ୟୁରିଆ ପ୍ରୟୋଗ କରନ୍ତୁ  । ଅବଶିଷ୍ଟ ୫୦ ଶତାଂଶ ଯବକ୍ଷାରଜାନ ସାର (୨୪କିଗ୍ରା) ୟୁରିଆ ଓ ଜିଙ୍କ ସଲଫେଟ ୧୦ କିଗ୍ରା ପିଲ ଦେବା ବେଳେ ଏବଂ ଅବଶିଷ୍ଟ ୨୫ ଶତାଂଶ ଯବକ୍ଷାରଜାନ ସାର ୟୁରିଆ (୧୨ କିଗ୍ରା) ୫୦ ଭାଗରୁ ଅଧିକ ଥୋଡ ଆସିବା ସମୟରେ ପ୍ରୟୋଗ ଜରୁରୀ  । ସେହିପରି ପଟାସ ସାରକୁ ପିଲ ସମୟରେ ୧୫ କିଗ୍ରା ଓ ଗଣ୍ଠି ଛାଡିବା ସମୟରେ ୧୦ କିଗ୍ରା ପ୍ରୟୋଗ କରନ୍ତୁ  । ଏପରିକି ମିଶ୍ରିତ ଅଣୁସାର ଏକର ପ୍ରତି ୬-୮ କିଗ୍ରା ପ୍ରୟୋଗ କରାଯାଇପାରିଲେ ଅଧିକ ସୁଫଳ ମିଳିଥାଏ  । ଆଉ ମାଟିରେ ଉର୍ବରତା ବୃଦ୍ଧି ସହିତ ଅଧିକ ପାଣି ରହିଲେ ବିହନ ଗଯା ବିଳମ୍ବ ହେବା ସହିତ ତଳିଗୁଡିକ ରୋଗାକ୍ରାନ୍ତ ଓ ଦୁର୍ବଳ ହୋଇ ବଢିପାରେ ନାହିଁ, ଏପରି କି ଶୁଖିଲା ରହିଲେ ଖାଦ୍ୟସାର ଠିକ୍ ଭାବେ  ପରିଚାଳନା ହୋଇପାରେ ନାହିଁ  । ଏଣୁ ଆବଶ୍ୟକ ଅନୁସାରେ ଜଳ ପରିଚାଳନା କରିବା ନିତାନ୍ତ ଜରୁରୀ  । ଏପରି କି ଜଳ ନିୟନ୍ତ୍ରଣ ଦ୍ଵାରା ଜମିରେ ଅନାବନା ଘାସ, ରୋଗପୋକ ନିୟନ୍ତ୍ରିତ ହୋଇ ଫସଲ ସ୍ଵାଭାବିକ ଭାବେ ଅଭିବୃଦ୍ଧି ହୋଇ ଅଧିକ ଅମଳକ୍ଷମ ହୋଇଥାଏ  । ଏଣୁ ଧାନ ଫସଲରେ ରୁଆ ଠାରୁ ପିଲଦେବା ପର୍ଯ୍ୟନ୍ତ ଅଳ୍ପ ପାଣି ରଖନ୍ତୁ  । ପିଲସାର ପ୍ରୟୋଗ ପରେ ପରେ ଜମିରେ ପାଣି କାଟି ଏକର ପ୍ରତି ୨ କିଗ୍ରା ଆଜୋଟୋ ବ୍ୟାକ୍ଟର ୫୦-୬୦ କିଗ୍ରା ଗୋବର ଖତ ସହ ମିଶାଇ ପ୍ରୟୋଗ କରନ୍ତୁ  । ଏହିପରି ପ୍ରାକୃତିକ ଉପାୟରେ ଯବକ୍ଷାରଜାନ ବିକଶିତ ହୋଇ ଫସଲକୁ ମିଳିବା ସହ ସନ୍ତୁଳିତ ଖାଦ୍ୟସାର ଫସଲକୁ ମିଳି ଗୁଣାତ୍ମକ ଉତ୍ପାଦନ ମିଳିଥାଏ  । ଏପରି କି ଶୁଖିଲା ଜମିରେ ପଟାସ ଓ ମିଶ୍ରିତ ଅଣୁସାର ମାତ୍ରା ବଢାଇବା ଦ୍ଵାରା ଫସଲ ସଙ୍କଟ କାଳୀନ ଜଳସେଚନରୁ ମଧ୍ୟ କିଛି ମାତ୍ରାରେ ସୁରକ୍ଷା ମିଳିଥାଏ  । ଏଣୁ ଫସଲର ଗର୍ଭାବସ୍ଥା, ଫୁଲ ଉଡାଇବା ଓ କ୍ଷୀର ଢୋକିବା ସମୟରେ ଜମିରେ ପାଣି ରହିବା ସହିତ ପଟାସ ଓ ମିଶ୍ରିତ ଅଣୁସାର ଏକର ପ୍ରତି ଯଥାକ୍ରମେ ୧୫ କିଗ୍ରା ଓ ୬ରୁ ୮ କିଗ୍ରା ପ୍ରୟୋଗ କରନ୍ତୁ  । ଆଉ ଯଥାସମ୍ଭବ ଘାସମରା ଔଷଧ ପ୍ରୟୋଗରୁ ନିବୃତ୍ତ ରୁହନ୍ତୁ  ।

ଅତଏବ ଡାଳୁଅ ଫସଲର ଅମଳ ନିର୍ଦ୍ଧାରଣ ଏହାର ସମନ୍ଵିତ ଖାଦ୍ୟସାର ଓ ଜଳପରିଚାଳନା ଉପରେ ନିର୍ଭର କରିଥାଏ  । ଏଣୁ ଉପରବର୍ଣ୍ଣିତ  ପଦକ୍ଷେପଗୁଡିକୁ ଠିକ୍ ସମୟରେ କାର୍ଯ୍ୟକାରୀ କରାଯାଇପାରିଲେ ଗୁଣାତ୍ମକ ଉତ୍ପାଦନ ସହିତ ମାଟିର ଉର୍ବରତା ଓ ପରିବେଶ ସୁରକ୍ଷା କରିହୁଏ  ।

ସଂଗୃହୀତ – ଅଶୋକ ବରଣ ଦାସ

 

2.975
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top