অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାଣି ପଞ୍ଚାୟତ

ଜଳସେଚନ ପ୍ରକଳ୍ପ

ସ୍ୱାଧୀନତା ଲାଭର ପରବର୍ତ୍ତୀ ସମୟରେ ଭାରତ ବର୍ଷର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଉପଲବ୍ଧି କରି ଅଧିକ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ଜରୁରୀ ବୋଲି ଅନୁଭବ କରାଗଲା । ଏଣୁ ଅଧିକରୁ ଅଧିକ ଜମିକୁ କିପରି ଜଳସେଚିତ କରି କୃଷିର ବିକାଶ କରାଯିବ ସେଥିପାଇଁ ଜଳସେଚନ ପ୍ରକଳ୍ପମନ ନିର୍ମାଣ କରାଗଲା । କିନ୍ତୁ କାଳକ୍ରମେ ଲକ୍ଷ୍ୟ କରାଗଲା ଯେ ଜଳସେଚନ ପ୍ରକଳ୍ପ ଗୁଡିକର ଉପରମୁଣ୍ଡରେ ଜଳର ଅପଚୟ ଏବଂ ଆବଶ୍ୟକୀୟ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ସେଚ ଜଳର ସୁବିନିଯୋଗ ହୋଇପାରୁନାହିଁ ।  କେବଳ ସରକାରୀ ବ୍ୟବସ୍ଥା ଦ୍ଵାରା କିମ୍ବା ଚାଷୀମାନଙ୍କର ବ୍ୟକ୍ତିଗତ ଉଦ୍ୟମ ଦ୍ଵାରା ଜଳସେଚନ ପ୍ରଣାଳୀର ଉତ୍ତମ ରକ୍ଷଣାବେକ୍ଷଣ ଓ ସୁପରିଚାଳନ ଅସମ୍ଭବ । ଏଣୁ ଏହାର ସମାଧାନ ନିମନ୍ତେ ବୁଦ୍ଧିଜୀବୀମାନେ ଜଳସେଚନ ପ୍ରକ୍ରିୟାରେ ଚାଷୀମାନଙ୍କର ପ୍ରତ୍ୟକ୍ଷ ଯୋଗଦାନ ଓ ସହଭାଗୀ ଜଳସେଚନ ପରିଚାଳନା ମାଧ୍ୟମରେ ଉପଲବ୍ଧ ସେଚ ଜଳର ସୁପରିଚାଳନା , ସୁଷମ ବଣ୍ଟନ  ଓ ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ଅନୁଭବ କଲେ ।

ଆମ ରାଜ୍ୟର ଅଧିକାଂଶ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାରୁ ଜଳର ଉପଯୁକ୍ତ ପରିଚାଳନା ଓ ନିଜ ନିଜ ମଧ୍ୟରେ ସମନ୍ୱୟତା ରଖିବା ପାଇଁ ସେମାନଙ୍କର ସଙ୍ଘବଦ୍ଧତା ମନୋଭାବ ଅବଶ୍ୟମ୍ଭାବୀ ହୋଇପଡିଲା । ପ୍ରାରମ୍ଭିକ ସମୟରେ ଗଠିତହୋଇଥିବା ପାଣିପଞ୍ଚାଯତ ଗୁଡିକର ସଫଳତା ଲକ୍ଷକରି ଓଡିଶା ସରକାର କୃଷିର ବିକାଶ ଓ ଉତ୍ପାଦନ ବୃଦ୍ଧି ପାଇଁ  ସେଚଜଳ କିପରି ଠିକ ସମୟରେ ଚାଷୀଙ୍କ ପାଖରେ ପହଞ୍ଚିପାରିବ ଓ ଏହାର ସଠିକ ବଣ୍ଟନ ହୋଇପାରିବ, ସେଥିପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପ ମାନଙ୍କରେ ପାଣି ପଞ୍ଚାୟତମାନ ଗଠନ କରିବାକୁ ନିଷ୍ପତି ନେଲେ ଏବଂ ୨୦୦୨-୦୩ ମସିହାରେ ପାଣି ପଞ୍ଚାୟତ ଆଇନ ଓ ନିୟମ ପ୍ରଣୟନ କରି ତାହାକୁ ଲୋକାଭିମୁଖୀ କରାଇବାର ବ୍ୟବସ୍ଥା କରିଛନ୍ତି ।

ପାଣିପଞ୍ଚାୟତର ମୁଖ୍ୟ ଉଦ୍ଦ୍ୟେଶ୍ୟ

ପାଣିପଞ୍ଚାୟତର ମୁଖ୍ୟ ଉଦ୍ଦ୍ୟେଶ୍ୟଗୁଡିକ ହେଉଛି:

  1. ଏକ ସ୍ଥିର, ପର୍ଯ୍ୟାପ୍ତ ଓ ନିର୍ଭରଶୀଳ ଜଳଯୋଗାଣ ସୁନିଶ୍ଚିତ କରିବା ।
  2. ୫-୮ ଏକର ବିଶିଷ୍ଟ ଚକରେ ଏକ ନ୍ୟାୟସଙ୍ଗତ ଜଳବଣ୍ଟନ ପ୍ରଣାଳୀ ସୁନିଶ୍ଚିତ କରିବା ।
  3. ଏହି ପ୍ରଣାଳୀ ଦ୍ଵାରା ଜଳସେଚନର କ୍ଷମତା ଉତ୍କୃଷ୍ଟ କରାଯାଇପାରିବ
  4. ଅଧିକାଂଶ ଚାଷୀମାନଙ୍କ ଦ୍ଵାରା ଏହା ଆଦୃତ ହୋଇପାରିବ ଯାଦ୍ୱାରା ସେମାନେ ଏହାକୁ ନିଜ ପ୍ରକଳ୍ପବୋଲି ଚିନ୍ତା କରିବେ ।

ଏହାର ଆବଶ୍ୟକତା

ନିମ୍ନଲିଖିତ ବିଷୟଗୁଡିକ ପାଇଁ ପାଣି ପଞ୍ଚାୟତ ଗଠନର ଆବଶ୍ୟକତା ରହିଛି ।

  • ଚାଷୀମାନଙ୍କ ମଧ୍ୟରେ ଏକତାର ମନୋଭାବ ସୃଷ୍ଟି କରିବା ।
  • କେନାଲ ଓ ଏହାର ଶାଖା କେନାଲ ଯେ କେବଳ ସରକାରଙ୍କର ନୁହେଁ ବରଂ ସେମାନଙ୍କର ନିଜସ୍ଵ ସମ୍ପତି , ଏହି ଧାରଣା ମନରେ ସୃଷ୍ଟି କରିବା ।
  • ଜଳସଂରକ୍ଷଣ କରି ଜଳସେଚନ ପଦ୍ଧତିକୁ ସଠିକ ଭାବେ ବିନିଯୋଗ କରିବା ଓ ଜଳର ଅପଚୟ/ଅପବ୍ୟବହାର ରୋକିବା ।
  • ମୃତ୍ତିକା ଓ ଜଳବାୟୁର ଅନୂକୁଳ ନାନାବିଧ ଫସଲ ଖସଡା ପ୍ରସ୍ତୁତ କରିବା ଓ ଆଧୁନିକ କୃଷିକୌଶଳ (ମୃତ୍ତିକା ପରୀକ୍ଷା, ବିହନ ବିଶୋଧନ, ଗଜା ଶକ୍ତି ପରୀକ୍ଷା, ଧାଡି ରୁଆ ଇତ୍ୟାଦି ) ଅବଲମ୍ବନ ଦ୍ଵାରା କୃଷିର ବିକାଶ ।
  • ପାଣିକୁ ଠିକ ସମୟରେ ପାଇବା ଓ ସଠିକ ବଣ୍ଟନ ତଥା ପରିଚାଳନା ଦ୍ଵାରା ବିଭିନ୍ନ ଅର୍ଥକାରୀ ଫସଲ କରି ନିଜର ଆର୍ଥିକ ଓ କୃଷିର ବିକାଶ ଯେ ସମ୍ଭବ, ମନରେ ଏହି ଦୃଢ ଧାରଣା ସୃଷ୍ଟି ।
  • ପାଣି ପଞ୍ଚାୟତ ଲାଇସେନ୍ସ ଦ୍ଵାରା ବିହନ ଓ ସାର ନିଜ ଅଞ୍ଚଳରେ ସୁବିଧାରେ ପ୍ରାପ୍ତି ।

ପ୍ରତି ଫସଲ ଋତୁ ଶେଷରେ ପଣି ପଞ୍ଚାୟତ ଦ୍ଵାରା ଜଳସେଚନ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ଓ କ୍ଷେତ୍ରାଞ୍ଚଳ ମଧ୍ୟରେ ଥିବା ସବ – ମାଇନର , କରନାଳୀ ଓ କ୍ଷେତ୍ର ନାଳୀ ଗୁଡିକର ରକ୍ଷଣାବେକ୍ଷଣ (ପଟୁ ନିଷ୍କାସନ, ବାଳୁଙ୍ଗା ସଫେଇ, ସଟର୍ ମରାମତି ଓ ରଙ୍ଗ, ଘାଇ ବନ୍ଦ କରିବା ଇତ୍ୟାଦି ) କାର୍ଯ୍ୟ ସମ୍ପାଦନ ।

ପାଣି ପଞ୍ଚାୟତର ବିବିଧ କାର୍ଯ୍ୟାବଳୀ

  • ତଳମୁଣ୍ଡରେ ସେଚଜଳକୁ ସୁନିଶ୍ଚିତ କରି ସେଚପ୍ରଣାଳୀର ସୁପରିଚାଳନା ଓ ରକ୍ଷଣାବେକ୍ଷଣ ତଥା ସେଚଜଳର ସଦ୍ବ୍ୟବହାର ପ୍ରତି ସଚେତନତା ବୃଦ୍ଧି କରିବା ।
  • ଚାଷୀମାନଙ୍କ ମଧ୍ୟରେ ଥିବା ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରି ସେଚଜଳର ଅସାଧୁ ବ୍ୟବହାରକୁ ରୋକିବା ।
  • ସରକାରୀ ପଦକ୍ଷେପକୁ ଅପେକ୍ଷା ନ କରି ଜଳସେଚନ ବ୍ୟବସ୍ଥାର ସାଧାରଣ ମରାମତି ପାଣି ପଞ୍ଚାୟତ ଜରିଆରେ ଅଳ୍ପ ସମୟ ମଧ୍ୟରେ କରି ଚାଷିକୁ ଜଳ ଉପଲବ୍ଧ କରାଇବା ।
  • ହସ୍ତାନ୍ତରିତ ଜଳସେଚନ ପ୍ରଣାଳୀର ସମସ୍ତ ବିଶେଷ ମରାମତି କାର୍ଯ୍ୟ ପାଣି ପଞ୍ଚାୟତର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରିବା ।
  • ସରକାରଙ୍କ ଠାରୁ ପ୍ରାପ୍ତ ସହାୟକ ରାଶି (Grant-in-Aid) ର ଉଚିତ୍ ବିନିଯୋଗ କରି ନିଜ ନିଜ କେନାଲର ରକ୍ଷଣାବେକ୍ଷଣ କରିବା ।
  • ପାଣି ପଞ୍ଚାୟତ ମାଧ୍ୟମରେ କୃଷକମାନଙ୍କର କୃଷିଭିତ୍ତିକ ସମସ୍ୟାର ଉପସ୍ଥାପନ ଓ ସମାଧାନ କରିବା ।
  • ସେଚଜଳର ପରିମାଣ , ଜମିର କିସମ ଓ ସ୍ଥାନୀୟ ପାଣିପାଗକୁ ଦୃଷ୍ଟିରେ ରଖି ଚାଷୀମାନେ ସୁଚିନ୍ତିତ ଫସଲ ଖସଡା ପ୍ରସ୍ତୁତ କରି ଅଧିକ ଲାଭଜନକ ଫସଲ ଚାଷ କରିବା ।
  • ପାଣି ପଞ୍ଚାୟତ କୃଷି ପାଇଁ ଆବଶ୍ୟକୀୟ ଦ୍ରବ୍ୟ (ବିହନ, ସାର, କୀଟନାଶକ, କୃଷିଋଣ ଓ ଆନୁଷଙ୍ଗିକ ସରଞ୍ଜାମ) ଏବଂ ଉତ୍ପାଦିତ ଦ୍ରବ୍ୟଗୁଡିକୁ ସହଜ, ସୁବିଧା, ସୁଲଭ ଦର ଓ କମ ସମୟରେ ଉପଲବ୍ଧ କରାଇବାରେ ସାହାଯ୍ୟ ଓ ସହଯୋଗ କରିବା ।
  • ପାଣି ପଞ୍ଚାୟତ ଅନ୍ତର୍ଗତ ସମୂହ ସରକାରୀ ସମ୍ପତ୍ତି , ଜଳାଶୟ / ଗୋଚର ପ୍ରଭୃତିକୁ ବିନିଯୋଗ କରି  ପାଣ୍ଠି ସଂଗ୍ରହ କରିବା ।
  • ଭାରତ ସରକାରଙ୍କ ଯୋଜନା ଅନୁଯାୟୀ ସେଚାଞ୍ଚଳ ଉନ୍ନୟନ ସଂସ୍ଥାର ତତ୍ତ୍ଵାବଧାନରେ ପାଣି ପଞ୍ଚାୟତମାନେ କ୍ଷେତ୍ରନାଳୀ ଏବଂ ନିଷ୍କାସନ ନାଳୀର ନିର୍ମାଣ କରିବା ।
  • ପାଣି ପଞ୍ଚାୟତଗୁଡିକ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଜଳସେଚନ ପ୍ରଣାଳୀ ଗୁଡିକର ବିଶେଷ ମରାମତି କାର୍ଯ୍ୟ କରିବା।
  • ପାଣି ପଞ୍ଚାୟତଗୁଡିକ ୨୦୦୮ର ସଂଶୋଧିତ ଅଧିନିୟମ ଓ ନିୟମାବଳୀ ଅନୁଯାୟୀ ପାଣି ପଞ୍ଚାୟତର ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରିବା ଆବଶ୍ୟକ ।

ପାଣି ପଞ୍ଚାୟତ ଗଠନ ପ୍ରଣାଳୀ

କୌଣସି ଏକ କେନାଲ ଓ ଏହାର ଶାଖା କେନାଲ ଦ୍ଵାରା ଜଳସେଚିତ ହେଉଥିବା ୩୦୦ – ୬୦୦ ହେକ୍ଟର କ୍ଷେତ୍ରଞ୍ଚାଳକୁ ନେଇ ଏକ ପାଣି ପଞ୍ଚାୟତ ଗଠିତ ହୋଇଥାଏ । ଏହା ଏକ ତିନି ସ୍ତରୀୟ (ସ୍ଥଳ ବିଶେଷରେ ଚର୍ତୁସ୍ତରୀୟ/ପଞ୍ଚସ୍ତରୀୟ) ସଂଗଠନ ଅଟେ ।  ପ୍ରଥମ ସ୍ତରରେ ଚକ କମିଟି, ଦ୍ଵିତୀୟ ସ୍ତରରେ କାର୍ଯ୍ୟନିର୍ବାହୀ କମିଟି ଓ ତୃତୀୟ ସ୍ତରରେ ଶୀର୍ଷ କମିଟି ଗଠନ କରାଯାଏ । ଏହି କ୍ଷେତ୍ରାଞ୍ଚଳ ମଧ୍ୟରେ ଥିବା ସମସ୍ତ ଭୂ-ଧାରକ ବା ତାଙ୍କର ଉତ୍ତରାଧିକାରୀ ପାଣି ପଞ୍ଚାୟତର ସଭ୍ୟ ଅଟନ୍ତି ।

  • ଚକ କମିଟି – କେନାଲ ଯଥା ମାଇନର ବା ସବ-ମାଇନର ର କୌଣସି ଏକ ନିର୍ଦ୍ଦିଷ୍ଟ ଶୋଠରୁ ପାଣି ପାଉଥିବା ସମସ୍ତ କ୍ଷେତ୍ରାଞ୍ଚଳକୁ ଏକ ଚକ କୁହାଯାଏ । ଏହି କ୍ଷେତ୍ରାଞ୍ଚଳ ବା ଚକର ସମସ୍ତ ଜଳ ଉପଭୋକ୍ତା /ହିତାଧିକାରୀଙ୍କ ମଧ୍ୟରୁ ଉପରଭାଗ କ୍ଷେତ୍ର ପାଇଁ ଜଣଙ୍କୁ, ମଧ୍ୟଭାଗ ପାଇଁ ଜଣଙ୍କୁ ଓ ଶେଷଭାଗ ପାଇଁ ଜଣଙ୍କୁ ନିର୍ବାଚିତ କରାଯାଏ । ଏହି କମିଟିରେ ମହିଳା, ଆଦିବାସୀ ତଥା ପଛୁଆ ବର୍ଗର ଲୋକମାନଙ୍କର ପ୍ରତିନିଧିତ୍ଵ କରିବାର ସମାନ ଅଧିକାର ଅଛି ।
  • ପୁନର୍ବାର ଏହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ଚକ ନେତା ବା ଶୋଠ ମୂଖ୍ୟ ଭାବେ ନିର୍ବାଚିତ କରାଯାଏ । ଏକାଧିକ  ଚକ କମିଟିର ସଭ୍ୟ ହେବାପାଇଁ ଯୋଗ୍ୟତା ଥିବା ବ୍ୟକ୍ତି ସବୁଥିରେ ସଭ୍ୟ ହୋଇପାରିବେ କିନ୍ତୁ ନିଜ ଇଚ୍ଛା ମୁତାବକ କେବଳ ଗୋଟିଏ  କାର୍ଯ୍ୟନିର୍ବାହୀ କମିଟିର ସଭ୍ୟ ହୋଇପାରିବେ ।
  • ଚକ ଅବଧି ଓ ସଂରକ୍ଷଣ – ନୂତନ ପାଣି ପଞ୍ଚାୟତ ନିୟମ ଅନୁସାରେ ଗୋଟିଏ ପାଣି ପଞ୍ଚାୟତରେ ଥିବା ଚକ ସଂଖ୍ୟାର ୫୦% ଚକ ତିନି ବର୍ଷିଆ ଓ ୫୦% ଚକ ଛଅ ବର୍ଷିଆ ରହିବା ଆବଶ୍ୟକ ଓ ସମୁଦାୟ ଚକର ଏକ ତୃତୀୟାଂଶ ଚକ ମହିଳାଙ୍କ ପାଇଁ ସଂରକ୍ଷିତ ।
  • କାର୍ଯ୍ୟନିର୍ବାହୀ କମିଟି – ପ୍ରତ୍ୟେକ ଚକରୁ ନିର୍ବାଚିତ ହୋଇଥିବା ଶୋଠ ମୁଖ୍ୟ / ଚକ ନେତାଙ୍କୁ ନେଇ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଥାଏ ଓ ଏହି ନିର୍ବାଚିତ ସଦସ୍ୟମାନେ ପାଣି ପଞ୍ଚାୟତର ପରିଚାଳନା ପାଇଁ ସେମାନଙ୍କ ମଧ୍ୟରୁ ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷ ନିର୍ବାଚିତ କରାଇଥାନ୍ତି । ଚକର ଅବଧି ଅନୁସାରେ କାର୍ଯ୍ୟନିର୍ବାହୀ ସଭ୍ୟମାନଙ୍କର କାର୍ଯ୍ୟକାଳ ସ୍ଥିର ହୋଇଥାଏ ।  ଉଠା ଜଳସେଚନ ପ୍ରକଳ୍ପରେ ସର୍ବନିମ୍ନ ୪ ଜଣ ଓ ସର୍ବାଧିକ ୧୦ ଜଣ ସଭ୍ୟ ରହିପାରିବେ ।
  • କାର୍ଯ୍ୟନିର୍ବାହୀ କମିଟିର ସଭାପତିଙ୍କ ନିର୍ବାଚନ ସେଠାକାର ଅଧିକ୍ଷଣ ଯନ୍ତ୍ରୀ କରାଇଥାନ୍ତି । ଏହି ନିର୍ବାଚନ ପ୍ରକ୍ରିୟା ନିର୍ଧାରିତ ପ୍ରଣାଳୀ ଅନୁଯାୟୀ ଗୁପ୍ତ ମତଦାନ ପଦ୍ଧତି ଅନୁସାରେ ହୋଇଥାଏ ।  ଉଠା ଜଳସେଚନ ପାଣି ପଞ୍ଚାୟତରେ ଏହି ପ୍ରକ୍ରିୟା ନିର୍ବାହୀ ଯନ୍ତ୍ରୀଙ୍କ ଦ୍ଵାରା ସମ୍ପାଦନ କରାଯାଇଥାଏ ।

    ଚକର ସଭାପତି, କୌଣସି କାରଣରୁ recalled ହୋଇନଥାନ୍ତି, ତେବେ କମିଟିର ପ୍ରଥମ ସଭାଦିନ ଠାରୁ ୩ ବର୍ଷ କାର୍ଯ୍ୟ କରିବେ । କାର୍ଯ୍ୟନିର୍ବାହୀ କମିଟି ଜଣେସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ନିର୍ବାଚିତ କରନ୍ତି । ସେମାନେ ବହୁମତ ଦ୍ଵାରା ନିର୍ବାଚିତ ହୋଇଥାନ୍ତି । ସରକାର ଚାହିଁଲେ ଜଳ ସମ୍ପଦ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ; ଯାହାଙ୍କର ମତଦାନ ଅଧିକାର ନଥିବ, ପାଣି ପଞ୍ଚାୟତର ସଭାରେ ନିୟମିତ ଯୋଗ  ଦେଇ ପାରିବେ ।

  • ଏମାନଙ୍କ ମଧ୍ୟରୁ ଜଣଙ୍କୁ ସଭାପତି, ଜଣଙ୍କୁ ସମ୍ପାଦକ ଓ ଜଣଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଏ ।
  • ସାଧାରଣ ପରିଷଦ – ପାଣି ପଞ୍ଚାୟତ କ୍ଷେତ୍ର ଅନ୍ତର୍ଭୁକ୍ତ ସମସ୍ତ ଭୂ-ଧାରକ ଏହି ପରିଷଦର ସଭ୍ୟ ହୋଇପାରିବେ ଏବଂ ସେମାନଙ୍କର ଭୋଟ ଦେବାର ଅଧିକାର ରହିବ । ଓଡିଶା ସରକାରଙ୍କ ଜଳ ସମ୍ପଦ, କୃଷି ଓ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ମନୋନୀତ ୩ ଜଣ  ଅଧିକାରୀ ଉପଦେଷ୍ଟା ଭାବେ ଏହି ପରିଷଦରେ କାର୍ଯ୍ୟ କରିଥାନ୍ତି  କିନ୍ତୁ  ଏମାନଙ୍କର ଭୋଟ ଦେବାର ଅଧିକାର ନାହିଁ  ।
  • ଉପରୋକ୍ତ ସମସ୍ତ କମିଟିକୁ ନିର୍ବାଚିତ ବ୍ୟକ୍ତି / କର୍ମକର୍ତ୍ତାଙ୍କ ଠାରେ ନିମ୍ନଲିଖିତ ଗୁଣ ରହିବା ଆବଶ୍ୟକ:

    • ସେ କର୍ତ୍ତବ୍ୟପରାୟଣ, ସାହସୀ, ଦୁରଦୃଷ୍ଟି ସମ୍ପନ୍ନ, ସଚ୍ଚୋଟ ଚିନ୍ତାଧାରା ସମ୍ପନ୍ନ, ବିଶ୍ଵାସୀ ଓ ବିନୟୀ ହେବା ଆବଶ୍ୟକ ।
    • ତାଙ୍କ ପାଖରେ ଉତ୍ସର୍ଗୀକୃତ ସେବା ମନୋଭାବ, ବଳିଷ୍ଠ ବ୍ୟକ୍ତିତ୍ଵ ଓ ସମୟାନୁବର୍ତୀତା ରହିବା ଆବଶ୍ୟକ ।

    ପାଣି ପଞ୍ଚାୟତ ସଶକ୍ତିକରଣ ପାଇଁ ସରକାରଙ୍କ ପଦକ୍ଷେପ :

    • ସେଚାଞ୍ଚଳ ଉନ୍ନୟନ ତଥା ସହଭାଗୀ ଜଳସେଚନ ପରିଚାଳନା ପାଇଁ ସ୍ଵତନ୍ତ୍ର ନିର୍ଦ୍ଦେଶାଳୟ ସ୍ଥାପନ ।
    • ପାଣି ପଞ୍ଚାୟତ କର୍ମକର୍ତ୍ତା ତଥା ଅଗ୍ରଣୀ ଚାଷିମାନଙ୍କୁ ରାଜ୍ୟ ବାହାରକୁ ପରିଭ୍ରମଣ ତାଲିମ କାର୍ଯ୍ୟକ୍ରମରେ ପଠାଯିବାର ବ୍ୟବସ୍ଥା ।
    • ଦକ୍ଷତା ଭିତ୍ତିରେ ଯୋଗ୍ୟବିବେଚିତ ପାଣି ପଞ୍ଚାୟତମାନଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ କରିବା ।
    • କୃଷକ ତଥା ସାଧାରଣ ଜନତାଙ୍କୁ ପାଣି ପଞ୍ଚାୟତ ବିଷୟରେ ସଚେତନ କରାଇବା ପାଇଁ ପ୍ରତ୍ୟେକ ବର୍ଷ ପାଣି ପଞ୍ଚାୟତ ପକ୍ଷ ପାଳନ କରିବାର ନିଷ୍ପତ୍ତି ।

    ମୁଖ୍ୟଯନ୍ତ୍ରୀ କୌଣସି ପ୍ରକଳ୍ପର ସମୁଦାୟ ସିଂଚନ କ୍ଷେତ୍ରକୁ କେତୋଟି ଶାଖା କ୍ଷେତ୍ରରେ ଭାଗ କରିପାରନ୍ତି । ଏହି କ୍ଷେତ୍ର ପାଇଁ ଶାଖା କମିଟି ଗଠିତ ହୋଇଥାଏ ।

    ଏହି କମିଟିଗୁଡିକୁ ସ୍ଥାନୀୟ ଅଞ୍ଚଳର ନାମ ଅନୁସାରେ ନାମିତ କରାଯାଇଥାଏ । ଏହି କମିଟିରେ ସେହି ଶାଖା ଅଞ୍ଚରେ ଥିବା ସମସ୍ତ ପାଣି ପଞ୍ଚାୟତର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ମାନେ ସଭ୍ୟ ହୋଇଥାନ୍ତି ।

  • ସବ୍ କମିଟି – ପାଣି ପଞ୍ଚାୟତର କାର୍ଯ୍ୟ ଦକ୍ଷତାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅନ୍ତତଃ ପକ୍ଷେ ୩ ଟି  ବା ଆବଶ୍ୟକସ୍ଥଳେ ତାଠାରୁ ଅଧିକ ସବ କମିଟି ଗଠନ କରାଯାଇପାରେ ଯଥା ଅଡିଟ, ନିର୍ମାଣ ଓ ଜଳ ପରିଚାଳନା ସବ କମିଟି ଇତ୍ୟାଦି । ପ୍ରତ୍ୟେକ କମିଟିରେ ଅନ୍ୟୁନ ୪ ଜଣ ସଭ୍ୟ ରହିଥାନ୍ତି ।
  • ଶୀର୍ଷ କମିଟି – କାର୍ଯ୍ୟନିର୍ବାହୀ କମିଟିର ସାଧାରଣ ପରିଷଦ ସଭ୍ୟଙ୍କ ମଧ୍ୟରୁ ୯ ଜଣଙ୍କୁ ଶୀର୍ଷ କମିଟି ସଦସ୍ୟ ଭାବେ ନିର୍ବାଚିତ କରାଯାଇଥାଏ ।

ଆଧାର - ଲାଇଫ ଏକାଡେମି ଅଫ ଭୋକେସନାଲ ଷ୍ଟଡିଜ (ଲାଭ୍ସ)

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate