ହୋମ / କୃଷି / ନୀତି ଓ ଯ଼ୋଜନା / ବିଜୁ କୃଷକ ବିକାଶ ଯୋଜନା (BKVY)
ସେଆର କରନ୍ତୁ

ବିଜୁ କୃଷକ ବିକାଶ ଯୋଜନା (BKVY)

ବିଜୁ କୃଷକ ବିକାଶ ଯୋଜନା (BKVY) ସମ୍ବନ୍ଧିତ ସୂଚନା ।

ଓଡିଶା ସରକାର କୃଷି ଓ କୃଷକର ଉନ୍ନତି ପାଇଁ ୨୦୦୧-୦୨ମସିହା ଠାରୁ ରାଜ୍ୟରେ ବିଜୁ କୃଷକ ବିକାଶ ଯୋଜନା (BKVY) ପ୍ରଣୟନ କରିଛନ୍ତି । ଉକ୍ତ ଯୋଜନା ଅନୁଯାୟୀ, ରାଜ୍ୟରେ ଥିବା ସମସ୍ତ ପ୍ରାକୃତିକ ନଦୀ, ନାଳ ଓ ଝରଣାରୁ ବୋହିଯାଉଥିବା ଜଳ ଓ ଭୂଗର୍ଭରେ ଥିବା ଭୂତଳ ଜଳକୁ ବ୍ୟବହାର କରି ଜଳସେଚନର ସୁବିଧା କରାଯାଉଅଛି । ଉକ୍ତ ଜଳ ଉତ୍ସ ନିକଟରେ ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ମୋଟର ବସାଯାଇ ଚାଷଜମିକୁ ପାଣି ଯୋଗାଇ ଦିଆଯାଉଛି ।

ଯୋଜନା କାର୍ଯ୍ୟକାରୀ ସମ୍ବନ୍ଧରେ

ଉକ୍ତ ଯୋଜନାରେ ଏକାଧିକ ଚାଷୀ ମିଳିତ ହୋଇ ଏକ ପାଣି ପଞ୍ଚାୟତ କମିଟି ଗଠନ କରି ନୂତନ ପ୍ରକଳ୍ପ ପ୍ରତିଷ୍ଠା କିମ୍ବା ଅଚଳ ହୋଇ ପଡିଥିବା ଉଠାଜଳସେଚନ ପ୍ରକଳ୍ପକୁ ସଚଳ କରିବା ପାଇଁ ଏକ ଆବେଦନ ପତ୍ର ଜିଲ୍ଲା ପାଳ ମହୋଦୟଙ୍କ ନିକଟକୁ ପଠାଇଥାନ୍ତି । ଉକ୍ତ ପ୍ରକଳ୍ପ ପାଇଁ ସମସ୍ତ ଚାଷୀମାନଙ୍କର ଚାଷ ଜମି ୧୦ ଏକରରୁ ୧୦୦ ଏକର ମଧ୍ୟରେ ରହିବା ଉଚିତ । ଏହା ସହିତ, ନିକଟରେ ୧୧ କେଭି ବିଦ୍ୟୁତ ତାର ରହିବା ସହ ନଦୀ କିମ୍ବା ନାଳରେ ଯଥେଷ୍ଟ ଜଳ ଥିବା ଉଚିତ । ଚାଷୀମାନେ ସେମାନଙ୍କ ପ୍ରକଳ୍ପ ମୂଲ୍ୟର ୨୦ ଶତାଂଶ ( କିମ୍ବା ୧୦ ଶତାଂଶ KBK / TASP / DPAP ଅଞ୍ଚଳ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ) ଦେବା ନିହାତି ଜରୁରୀ ଅଟେ । ଚାଷୀମାନେ ଉକ୍ତ ୨୦ କିମ୍ବା ୧୦ ଶତାଂଶ ଦେୟ ବାବଦକୁ ପ୍ରକଳ୍ପରେ ବ୍ୟବହାର ହେଉଥିବା କରନାଳୀ କରିପାରିବେ କିମ୍ବା ପ୍ରକଳ୍ପପାଇଁ ଆବଶ୍ୟକ ହେଉଥିବା ଜମି କିମ୍ବା ପ୍ରକଳ୍ପର କାର୍ଯ୍ୟ ସମୟରେ ମଜୁରି ବାବଦ ଦେୟ ଦେଇପାରିବେ କିମ୍ବା ଆବଶ୍ୟକ ପଡିଲେ ସମସ୍ତ ଉପଭୋକ୍ତାମାନେ ମିଶି ନଗଦ ରାଶି ମଧ୍ୟ ଦେଇପାରିବେ ।

ଜମି ତଦନ୍ତ

ଚାଷୀମାନଙ୍କର ଏହି ଆବେଦନ ପତ୍ରଟିକୁ ଜିଲ୍ଲା ପାଳ ମହୋଦୟ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ସରଜମିନ ତଦନ୍ତ ପାଇଁ ପଠାଇଥାନ୍ତି । ନିର୍ବାହୀ ଯନ୍ତ୍ରୀ ତୁରନ୍ତ ଉକ୍ତ ପତ୍ରଟିକୁ ତାଙ୍କ ଅଧୀନରେ ଥିବା ସହକାରୀ ଯନ୍ତ୍ରୀ / କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରକଳ୍ପର ଉପଯୁକ୍ତ ସମ୍ଭାବନା ସମ୍ବନ୍ଧରେ(Feasibility) ଜଣାଇବା ପାଇଁ ନିର୍ଦେଶ ଦେଇଥାନ୍ତି । ଉଠା ଜଳସେଚନର ଅଧିକାରୀମାନେ ଆବେଦନକରିଥିବା ପତ୍ରଟିକୁ ଗ୍ରାମକୁ ନେଇ ସେହି ଚାଷୀମାନଙ୍କୁ ଭେଟି ପ୍ରକଳ୍ପ ହେବାକୁଥିବା ଉଦ୍ଦିଷ୍ଟ ସ୍ଥାନକୁ ଯାଇ ନଦୀ କିମ୍ବା ନାଳରେ ପାଣି, ବିଦ୍ୟୁତ ଶକ୍ତିର ସହଜ ଲଭ୍ୟତା (ପ୍ରାପ୍ୟତା) ସମ୍ବନ୍ଧରେ ଅନୁଧ୍ୟାନ କରିଥାନ୍ତି । ଏହା ସାଫଲ୍ୟ ହେଲେ, ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଘଟେ, ନଚେତ ଏହାକୁ ଅସଫଳ ବୋଲି ଗ୍ରହଣ କରାଯାଇଥାଏ । ଭୂତଳ ଜଳ ସମ୍ବନ୍ଧରେ ଓଡିଶା ଉଠା ଜଳସେଚନ ନିଗମ, ଭୂତଳ ଜଳ ସର୍ଭେ ଓ ଅନୁସନ୍ଧାନ ବିଭାଗର ସାହାଯ୍ୟ ନେଇଥାଏ ।

ସ୍ଵତନ୍ତ୍ର ଯୋଜନା

ବିଜୁ କୃଷକ ବିକାଶ ଯୋଜନା ଅନ୍ତର୍ଗତ ୨ଟି ଅଲଗା ଅଲଗା ସ୍ଵତନ୍ତ୍ର ଯୋଜନା ରହିଅଛି । ଏଗୁଡିକ ହେଲା:-

  • ବିଜୁ କୃଷକ ବିକାଶ ଯୋଜନା (ନାବାର୍ଡ ସହାୟତା)- BKVY (RIDF)
  • ବିଜୁ କୃଷକ ବିକାଶ ଯୋଜନା (କେବିକେ ଜିଲ୍ଲା ଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ସ୍ଵତନ୍ତ୍ର ସହାୟତା) - BKVY (SCA)

ବିଜୁ କୃଷକ ବିକାଶ ଯୋଜନା (ନାବାର୍ଡ ସହାୟତା)BKVY (RIDF)

ଉକ୍ତ ଯୋଜନାଟି ସମ୍ପୁର୍ଣ୍ଣ ଭାବେ ନାବାର୍ଡର ଋଣ ସହାୟତା ଉପରେ ନିର୍ଭର କରେ । ଏହି ଯୋଜନାର କାର୍ଯ୍ୟକାରୀତା ସମ୍ବନ୍ଧରେ ନିମ୍ନରେ ବର୍ଣନା କରାଯାଇଛି । 
ଚାଷୀମାନେ ଜିଲ୍ଲା କଲେକ୍ଟରଙ୍କୁ ଆବେଦନପତ୍ର ଜରିଆରେ ଜଣାଇ ପ୍ରକଳ୍ପ ମୂଲ୍ୟର ୨୦ ଶତାଂଶ (କିମ୍ବା ସ୍ଥଳ ବିଶେଷରେ ୧୦ଶତାଂଶ KBK/TASP/DPAP ଅଞ୍ଚଳ ଚାଷୀ ପାଇଁ ଉଦ୍ଦିଷ୍ଟ)ଦେବାପାଇଁ ସହମତି ପ୍ରକାଶ କରିଥାନ୍ତି । ଉଠାଜଳ ସେଚନ ନିର୍ବାହୀ ଯନ୍ତ୍ରୀ ପ୍ରକଳ୍ପର ସାଫଲ୍ୟତା ସମ୍ବନ୍ଧେ ଅନୁସନ୍ଧାନକରି ସଫଳ ହୋଇଥିବା ପ୍ରକଳ୍ପକୁ ମୂଲ୍ୟାୟନକରି ଏକ ସମ୍ପୁର୍ଣ୍ଣ ପ୍ରକଳ୍ପ ବିବରଣୀ (DPR) ପ୍ରସ୍ତୃତ କରନ୍ତି ଓ ଜିଲ୍ଲା କଲେକ୍ଟରଙ୍କ ନିକଟକୁ ପଠାଈଥାନ୍ତି । ଜିଲ୍ଲା କଲେକ୍ଟର ଏହାକୁ ଶାସନ ସଚିବ, ଜଳ ସମ୍ପଦ ବିଭାଗ, ଭୁବନେଶ୍ଵରଙ୍କ ନିକଟକୁ ରାଜ୍ୟ ସ୍ତରୀୟ ସ୍କ୍ରୀନିଂ କମିଟିର (SLSC- State Level Screening Committee) ଅନୁମୋଦନ ପାଇଁ ପଠାଇଥାନ୍ତି । SLSC ଅନୁମୋଦନ ପରେ ଏହା ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଉଚ୍ଚସ୍ତରୀୟ କମିଟି ମିଟିଂର (HPC- High Power Committee Meeting) ଅନୁମୋଦନ ପାଇଁ ପଠାଇଥାନ୍ତି। HPC ମିଟିଂର ଅନୁମୋଦନ ପରେ ଉକ୍ତ ପ୍ରକଳ୍ପଟିକୁ ରାଜ୍ୟରେ ଥିବା ନାବାର୍ଡ ଅଫିସକୁ ଋଣ ମଞ୍ଜୁରୀ ପାଇଁ ପଠାଇଥାନ୍ତି । ନାବାର୍ଡ ଋଣ ମଞ୍ଜୁରୀ ପରେ ରାଜ୍ୟ ସରକାର ନିଜ ଅଂଶଧନରୁ ପ୍ରଥମେ ପ୍ରକଳ୍ପ ପାଇଁ ପ୍ରକଳ୍ପ ମୂଲ୍ୟର ୮୦ ଶତାଂଶ ( କିମ୍ବା ସ୍ଥଳ ବିଶେଷରେ ୯୦ ଶତାଂଶ KBK/TASP/DPAP ଅଞ୍ଚଳ ଚାଷୀ ପାଇଁ ଉଦ୍ଦିଷ୍ଟ) ଅନୁଦାନ ଦେଇ କାର୍ଯ୍ୟାରମ୍ଭ ନିର୍ଦେଶ ଦେଇଥାନ୍ତି । ପ୍ରକଳ୍ପ କାର୍ଯ୍ୟଟି ସରିବାପରେ, ପ୍ରକଳ୍ପଟିକୁ ଚାଷୀକମିଟିଙ୍କୁ ହସ୍ତାନ୍ତର କରାଯାଇଥାଏ ଓ ଚାଷୀକମିଟି ଏହାର ପରିଚାଳନାଭାର ଗ୍ରହଣ କରି ନିଜସ୍ଵ ସୁତ୍ରରୁ ବିଦ୍ୟୁତ ଦେୟ ଦେବା ସଙ୍ଗେ ସଙ୍ଗେ ଚାଷକାର୍ଯ୍ୟ କରିଥାନ୍ତି ଓ ପ୍ରକଳ୍ପଟି ର ରକ୍ଷଣା ବେକ୍ଷଣା ଓ ମରାମତି କାର୍ଯ୍ୟ କରନ୍ତି ।

ବିଜୁ କୃଷକ ବିକାଶ ଯୋଜନା (କେବିକେ ଜିଲ୍ଲା ଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ସ୍ଵତନ୍ତ୍ର ସହାୟତା) BKVY (SCA)

ଏହି ଯୋଜନାଟି କେବିକେ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ଅଟେ । ଉକ୍ତ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟକୁ ସ୍ଵତନ୍ତ୍ର ଆର୍ଥିକ ଅନୁଦାନ ଦେଇଥାନ୍ତି । ଉକ୍ତ ଯୋଜନାର କାର୍ଯ୍ୟକାରୀ ସମ୍ବନ୍ଧରେ ନିମ୍ନରେ ବର୍ଣ୍ଣନା କରାଯାଇଅଛି । 
କେବିକେ ଜିଲ୍ଲାର ଚାଷୀମାନେ ଜିଲ୍ଲା କଲେକ୍ଟରଙ୍କୁ ଆବେଦନ ପତ୍ର ଜରିଆରେ ଉଠାଜଳସେଚନ ବସାଇବା ସମ୍ବନ୍ଧେ ଜଣାଇ ପ୍ରକଳ୍ପ ମୂଲ୍ୟର ୧୦ ଶତାଂଶ ଦେବାପାଇଁ ସହମତି ପ୍ରକାଶ କରିଥାନ୍ତି । ଉଠା ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ପ୍ରକଳ୍ପର ସାଫଲ୍ୟତା ସମ୍ବନ୍ଧେ ଅନୁସନ୍ଧାନକରି, ସଫଳ ହୋଇଥିବା ପ୍ରକଳ୍ପକୁ ମୂଲ୍ୟାୟନକରି ଏକ ସମ୍ପୁର୍ଣ୍ଣ ପ୍ରକଳ୍ପ ବିବରଣୀ (DPR) ପ୍ରସ୍ତୃତ କରନ୍ତି ଓ ଜିଲ୍ଲା କଲେକ୍ଟରଙ୍କ ନିକଟକୁ ପଠ।ଇଥାନ୍ତି । । ଜିଲ୍ଲା କଲେକ୍ଟର ଏହାକୁ ଶାସନ ସଚିବ, ଜଳ ସମ୍ପଦ ବିଭାଗ, ଭୁବନେଶ୍ଵରଙ୍କ ନିକଟକୁ ରାଜ୍ୟ ସ୍ତରୀୟ ସ୍କ୍ରୀନିଂ କମିଟିର (SLSC- State Level Screening Committee) ଅନୁମୋଦନ ପାଇଁ ପଠାଇଥାନ୍ତି । SLSC ଅନୁମୋଦନ ପରେ ରାଜ୍ୟ ସରକାର ନିଜସ୍ଵ ଅଂଶଧନରୁ ପ୍ରକଳ୍ପଟିର କାର୍ଯ୍ୟାରମ୍ଭ ପାଇଁ ପ୍ରକଳ୍ପ ମୂଲ୍ୟର ୯୦ ଶତାଂଶ ଅନୁଦାନ ଦେଇ କାର୍ଯ୍ୟାରମ୍ଭ ନିର୍ଦେଶ ଦେଇଥାନ୍ତି। ପ୍ରକଳ୍ପ କାର୍ଯ୍ୟଟି ସରିବାପରେ, ପ୍ରକଳ୍ପଟିକୁ ଚାଷିକମିଟିକୁ ହସ୍ତାନ୍ତର କରାଯାଇଥାଏ ଓ ଚାଷୀକମିଟି ଏହାର ପରିଚାଳନାଭାର ନେଇ, ନିଜେ ବିଦ୍ୟୁତ ଦେୟ ଦେବା ସଙ୍ଗେ ସଙ୍ଗେ ଚାଷକାର୍ଯ୍ୟ କରିଥାନ୍ତି ଓ ପ୍ରକଳ୍ପଟିକୁ ଚାଲୁ ରଖନ୍ତି ।

ହୀରାକୁଦ ସଚାଞ୍ଚଳ ଉନ୍ନୟନ ଯୋଜନା (HIRAKUD COMMAND AREA DEVELOPMENT)

ଉକ୍ତ ଯୋଜନାଟି  ରାଜ୍ୟ ସରକାରଙ୍କର ଅନୁଦାନରେ ପରିଚାଳିତ ଅଟେ । ହୀରାକୁଦ ସେଚାଞ୍ଚଳ ଅନ୍ତର୍ଗତ ବରଗଡ ଓ ସମ୍ବଲପୁର ଜିଲ୍ଲାରେ ଥିବା ଅଣଜଳସେଚିତ ଜମି କିମ୍ବା ଢିପ ଜମିରେ ଜଳସେଚନର ସୁବିଧା ନିମନ୍ତେ ରାଜ୍ୟ ସରକାର ନୂତନ ଉଠାଜଳ ସେଚନ ପ୍ରକଳ୍ପମାନ ବସାଇ ଉକ୍ତ ଅଞ୍ଚଳରେ ଥିବା ହୀରାକୁଦ କେନାଲ କିମ୍ବା ନଦୀ, ଝରଣା ବା ନାଳରୁ ଉଚ୍ଚଶକ୍ତି ସମ୍ପନ୍ନ ପମ୍ପ ମାଧ୍ୟମରେ ଚାଷ ଜମିକୁ ପାଣି ଯୋଗାଇବାର ସୁବିଧା କରିଥାନ୍ତି । 
ଚାଷୀମାନେ ଏ ସମ୍ବନ୍ଧରେ ନିକଟସ୍ଥ ଉଠାଜଳ ସେଚନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସରେ ଯୋଗାଯୋଗ କରି ଆବେଦନ ପତ୍ର ଦେଲା ପରେ ପ୍ରକଳ୍ପର ଅନୁସନ୍ଧାନ କାର୍ଯ୍ୟ କରାଯାଇ ଥାଏ । ଏଥିରେ ସଫଳ ହୋଇଥିବା ପ୍ରକଳ୍ପକୁ ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀ ମୂଲ୍ୟାୟନକରି ଏକ ସମ୍ପୁର୍ଣ୍ଣ ପ୍ରକଳ୍ପ ବିବରଣୀ (DPR) ପ୍ରସ୍ତୃତ କରନ୍ତି ଓ ଉଠାଜଳସେଚନ ନିଗମ ଜରିଆରେ ସରକାରଙ୍କ ନିକଟକୁ ପଠ।ଇଥାନ୍ତି । ସରକାର ଏହା ଉପରେ ବିଚାରକରି ପ୍ରକଳ୍ପଟିକୁ ଅନୁମୋଦନ ଦେଇ ଅର୍ଥ ମଞ୍ଜୁରୀ କରିଥାନ୍ତି । ଉକ୍ତ ଯୋଜନାଟି ୨୦୦୮-୦୯ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେଉଅଛି । ପ୍ରକଳ୍ପଟି ସମ୍ପୁର୍ଣ୍ଣ ହେବାପରେ ଏହାର ଚାଳନ ଓ ରକ୍ଷାଣବେକ୍ଷଣ ପାଇଁ ଚାଷୀକମିଟିକୁ ଦାୟିତ୍ଵ ହସ୍ତାନ୍ତର କରାଯାଏ ।

ଆଧାର - "ଓଡିଶା ଲିଫ୍ଟ ଇରିଗେସନ କୋପ୍ରେସନ"

2.8125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top