অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜ୍ୟରେ ପଶୁ ସମ୍ପଦର ବିକାଶ ପାଇଁ ବିଭିନ୍ନ ଯୋଜନା

ରାଜ୍ୟରେ ପଶୁ ସମ୍ପଦର ବିକାଶ ପାଇଁ ବିଭିନ୍ନ ଯୋଜନା

ଆମ ରାଜ୍ୟରେ ଗାଈ,ଗୋରୁ, ଛେଳି,ମେଣ୍ଢା, ଘୁଷୁରୀ, କୁକୁଡା, ବତକ ପାଳନ କରୁଥିବା ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ତରଫରୁ ନିମ୍ନଲିଖିତ ଉନ୍ନତିମୂଳକ ଯୋଜନାମାନ ପ୍ରଚଳନ କରିଛନ୍ତି ।

ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା

ଏ ବ୍ୟବସ୍ଥା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ ବ୍ଲକରେ କାର୍ଯ୍ୟକାରୀ ହେଉଛି । ମାସରେ ୨୦ଦିନ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ ଚାଷୀଙ୍କ ଦ୍ଵାରଦେଶରେ ଯୋଗାଇ ଦିଆଯାଉଛି । ଏହି ଯୋଜନା ମାଧ୍ୟମରେ ପ୍ରାଣୀ ରୋଗଗୁଡିକର ମାଗଣା ଚିକିତ୍ସା ତଥା ରୋଗ ସର୍ବେକ୍ଷଣ ସହ ପ୍ରାଣୀପାଳନ ପାଇଁ ଜନସଚେତନତା ସୃଷ୍ଟି କରାଯାଉଛି ।

ଯୋଗାଯୋଗ : ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ, ଉପନିର୍ଦେଶକ , ରୋଗ ନିୟନ୍ତ୍ରଣ, ନିର୍ଦ୍ଦେଶାଳୟ, କଟକ

ସଙ୍କର ମାଈ ବାଛୁରୀ ପରିପାଳନ ଯୋଜନା

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ଆମ ରାଜ୍ୟରେ ସଙ୍କର ମାଈ ବାଛୁରୀ ପାଳନ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ଦୁଗ୍ଧ ସମବାୟ ସମିତିର ପରିସର ମଧ୍ୟରେ ଚାଷୀମାନଙ୍କ କୃତ୍ରିମ ପ୍ରଜନନ ମାଧ୍ୟମରେ ଜନ୍ନିତ ସଙ୍କର ମାଈ ବାଛୁରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସହାୟତା ମିଳିଥାଏ । ୪-୨୮ ମାସ ପର୍ଯ୍ୟନ୍ତ ୨୪ ମାସ ପାଇଁ ସର୍ବାଧିକ ୧୩୬୦ କିଗ୍ରା ବାଛୁରୀ ଦାନା ୫୦% ଅନୁଦାନରେ ତ୍ରୈମାସିକ କିସ୍ତିରେ ସମିତି ମାଧ୍ୟମରେ ଯୋଗାଇ ଦିଆଯାଏ । ଯୋଜନାଭୁକ୍ତ ବାଛୁରୀମାନଙ୍କର ବୀମା କରାଯାଇଥାଏ ଏବଂ ପ୍ରତିଷେଧକ ଟିକା ଓ କୃମି ନିବାରକ ଔଷଧ ମାଗଣାରେ ଯୋଗାଇ ଦିଆଯାଇଥାଏ।

ଯୋଗାଯୋଗ : ନିକଟସ୍ଥ ଦୁଗ୍ଧ ସମବାୟ ସମିତି କିମ୍ବା ପଶୁ ଚିକିତ୍ସାଳୟ

ଡାଏରୀ ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନା

ଏହି ଯୋଜନା ରାଜ୍ୟ ସରକାରଙ୍କ ଉଦ୍ୟମରେ କାର୍ଯ୍ୟକାରୀ କରାଯାଉଛି, ଯାହାକି ସମସ୍ତ ଆର୍ଥିକ ବର୍ଗର ଚାଷୀଙ୍କ ପାଇଁ ଉର୍ଦ୍ଧିଷ୍ଟ । ଏହି ଯୋଜନାରେ ଜଣେ ସାଧାରଣ ବର୍ଗର ଚାଷୀ ବା ହିତାଧିକାରୀ ଶତକଡା ୨୫ ଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ଶତକଡା ୩୩.୩୩ ଭାଗ ସବସିଡ ବା ଛାଡ ପାଇପାରିବେ । ଏହି ଯୋଜନାରେ ଚାଷୀ ସର୍ବନିମ୍ନ ୨ଟିରୁ ଆରମ୍ଭ କରି ସର୍ବାଧିକ ୧୦ଟି ଗାଈ ପାଇଁ ଋଣ ନେଇପାରିବେ ଏବଂ ଋଣ ଲାଗି ୨ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି ।

ଏହି ଯୋଜନାରେ ଦୁଗ୍ଧ ସମବାୟ ସମିତି ଅଞ୍ଚଳରେ ଓମଫେଡ ର ଉନ୍ନତ ମାର୍କେଟିଂ ନେଟୱାର୍କ ଥିବାରୁ ଦୁଗ୍ଧ ଚାଷୀମାନଙ୍କୁ ବ୍ୟାଙ୍କ ତରଫରୁ ଋଣ ପ୍ରଦାନରେ ଅଗ୍ରାଧିକାର ଦିଆଯାଏ । ରାଜ୍ୟ ସରକାରଙ୍କ ତରଫରୁ ଚଳିତ ଆର୍ଥିକ ବର୍ଷରେ ୧୦ହଜାର ଉଦ୍ୟୋଗୀଙ୍କୁ ଏହି ଯୋଜନାରେ ରାଜ୍ୟର ନିଜସ୍ଵ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦିଆଯାଉଛି ।

ଯୋଗାଯୋଗ : ନିକଟସ୍ଥ ଦୁଗ୍ଧ ସମବାୟ ସମିତି କିମ୍ବା ପଶୁ ଚିକିତ୍ସାଳୟ, ଉପନିର୍ଦେଶକ, ଦୁଗ୍ଧ ବିକାଶ, ନିର୍ଦ୍ଦେଶାଳୟ , କଟକ

ଗୋ-ଉଦ୍ୟୋଗୀଙ୍କ ପାଇଁ ଦୀର୍ଘ ଓ ସ୍ୱଳ୍ପ ମିଆଦି ଋଣରେ ସୁଧ ଛାଡ

ରାଜ୍ୟ ସରକାର ଏହି ଯୋଜନା ଗୋପାଳନ ମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଗାଈ ରଖି ଦୁଗ୍ଧ ଉତ୍ପାଦନ ବଢେଇବା ପାଇଁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ମିଆଦୀ ଋଣ ଉପରେ ୫%ସୁଧ ଉପରେ ଛାଡ ଦିଆଯାଇଛି । ଠିକ ସମୟରେ ଋଣ ପରିଶୋଧ କଲେ ପୁଣି ୩%ସୁଧ ଛାଡ ମିଳେ ।

ସେହିପରି ୧୦ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କରୁ ଦୀର୍ଘମିଆଦି ଋଣ ନେଇ ଗାଈ ଫାର୍ମ କରିଥିବା ଚାଷୀଙ୍କୁ ଋଣର ସୁଧ ଉପରେ ୩%ରିହାତିର ସୁବିଧା ଅଛି। ଠିକ ସମୟରେ (୮୦%) ଋଣ ପରିଶୋଧ କଲେ ପୁଣି ୨% ଋଣ ଉପରେ ସୁଧ ରିହାତି ମିଳିଥାଏ।

ସମନ୍ଵିତ ପ୍ରାଣୀ ସମ୍ପଦ ବିକାଶ ଯୋଜନା(କଲ୍ୟାଣୀ)

ଓଡିଶା ସରକାର ଓ ବାଏଫ ଅନୁସନ୍ଧାନ ଓ ବିକାଶ ଫାଉଣ୍ଡେସନ, ପୁନା ଅନୁଷ୍ଠାନର ମିଳିତ ସହଯୋଗରେ କଲ୍ୟାଣୀ ନାମକ ଏକ ପାଞ୍ଚ ବର୍ଷିଆ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି । ଏ ଯୋଜନାରେ ଗୋ-ମହିଷାଦିର ବିକାଶ , ଛେଳି ଚାଷର ଉନ୍ନତି, ସବୁଜ ଘାସ ଚାଷରେ ଉନ୍ନତି ଏବଂ ବୈଷୟିକ ଜ୍ଞାନକୌଶଳର ସହଭାଗିତା ହେଉଅଛି । ଗୋମହିଷାଦି ବିକାଶ ମାଧ୍ୟମରେ ରାଜ୍ୟର ୧୦ଟି ଜିଲ୍ଲା ଯଥା ଅନୁଗୁଳ, ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ୧୦୦ଟି ଗୋମହିଷାଦି କେନ୍ଦ୍ରମାନ ଖୋଲାଯାଇଛି । ଗୋ-ମହିଷାଦି କେନ୍ଦ୍ର ସ୍ଥାପିତ ହୋଇଥିବା ଅଞ୍ଚଳରେ ପ୍ରଜନନ ସେବା, ସମନ୍ଵିତ ଘାସ ଚାଷ ଓ ଗୋଖାଦ୍ୟ ପ୍ରକ୍ରିୟାକରଣ କରାଯାଇଛି । ଠିକ ସେହିପରି ୫ଟି ଜିଲ୍ଲାରେ ଯଥା-ବଲାଙ୍ଗୀର, ସୁନ୍ଦରଗଡ, କେନ୍ଦୁଝର,ଦେଓଗଡ ତଥା ମୟୂରଭଞ୍ଜ ଜିଲ୍ଲାରେ ଛେଳିଚାଷର ଉନ୍ନତି ପାଇଁ ଗୁରୁତ୍ଵ ଦିଆଯାଉଛି । ଛେଳିମାନଙ୍କ ପ୍ରଜନନ, ପରିପାଳନ, ଖାଦ୍ୟ ତଥା ଛେଳିପାଳନକାରୀମାନଙ୍କ ଦକ୍ଷତା ବୃଦ୍ଧି ଭଳି କାର୍ଯ୍ୟକ୍ରମମାନ ଯୋଜନାରେ ରଖାଯାଇଛି ।

ଯୋଗାଯୋଗ : ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ/ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ପଶୁସମ୍ପଦ ବିକାଶ ସମିତି, ଭୁବନେଶ୍ଵର। ସଂଯୋଜକ, ବେଫ ଫାଉଣ୍ଡେସନ ସମ୍ବଲପୁର

ଗୋପ୍ରଜାତି ଉନ୍ନତିକରଣ ଯୋଜନା

ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ଭାରତ ସରକାରଙ୍କ ସହାୟତାରେ ଯେକେଟ୍ରଷ୍ଟ ମାଧ୍ୟମରେ ରାଜ୍ୟରେ ଆଦିବାସୀ ଅଦ୍ଧୁଷିତ ୧୩ଟି ଜିଲ୍ଲାରେ ୬୨୦ଟି କୃତ୍ରିମ ପ୍ରଜନନ କେନ୍ଦ୍ର କାର୍ଯ୍ୟ କରୁଅଛି । ଗୋମହିଷାଦିଙ୍କର କୃତ୍ରିମ ପ୍ରଜନନ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସେବା ଚାଷୀଙ୍କ ଦ୍ଵାରଦେଶରେ କ୍ଷେତ୍ର କର୍ମଚାରୀଙ୍କ ମାଧ୍ୟମରେ ଯୋଗାଇ ଦିଆଯାଉଛି ।

ପଶୁଧନ ବୀମାକରଣ ଯୋଜନା

ଏହି ଯୋଜନା ଓଡିଶାର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ବୀମା ପ୍ରିମିୟମର ମୂଲ୍ୟକୁ ସରକାର ୫୦% ବହନ କରୁଥିବା ବେଳେ ବଳକା ୫୦% ଚାଷୀମାନେ ବହନ କରିଥାନ୍ତି ।

ଯୋଗାଯୋଗ  : ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ /ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ପଶୁ ସମ୍ପଦ ବିକାଶ ସମିତି, ଭୁବନେଶ୍ଵର/ ସ୍ଥାନୀୟ ପ୍ରାଣୀ ଚିକିତ୍ସକ

ସବୁଜ ଘାସ ଉତ୍ପାଦନ ଓ ଖାଦ୍ୟ ବ୍ୟବସ୍ଥା

ଘାସ ମଞ୍ଜି ଆବଣ୍ଟନ ଯୋଜନା (ମିନିକିଟ ପ୍ରୋଗ୍ରାମ)

କେନ୍ଦ୍ର ସରକାରଙ୍କ ସହାୟତାରେ ନିଜ ଜମିରେ ଗୋଖାଦ୍ୟ ଫସଲ କରିବା ପାଇଁ ରାଜ୍ୟର ଆଗ୍ରହୀ ଗୋପାଳକଙ୍କୁ ଘାସମଞ୍ଜି ପୁଡିଆ ବଣ୍ଟନ କରାଯାଇଥାଏ । ଏଥିପାଇଁ ତୃଣ ଉନ୍ନୟନ ଅଫିସରମାନେ ଚାଷୀଙ୍କ ପାଇଁ ଗୋଖାଦ୍ୟ ଫସଲ ଉତ୍ପାଦନ ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣର ଆୟୋଜନ କରିଥାନ୍ତି । ଏତଦବ୍ୟତୀତ ସରକାରୀ ଘାସ ଫାର୍ମରୁ ଘାସ ମୂଳ, କାଣ୍ଡ ଆଗ୍ରହୀ ଚାଷୀଙ୍କୁ ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦିଆଯାଉଛି ।

ଯୋଗାଯୋଗ: ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର /ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ତୃଣ ଉନ୍ନୟନ ଅଧିକାରୀ/ଉପନିର୍ଦେଶକ ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ ମଙ୍ଗଳାବାଗ, କଟକ

ଗୋ –ବନ୍ଧ୍ୟା ନିରାକରଣ ଶିବିର

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆନୁକୁଲ୍ୟରେ ୧୭୦୦ ଟି ଗୋସମୃଦ୍ଧ ଗ୍ରାମପଞ୍ଚାୟତର ଦୁଧିଆଳୀ ଗାଈମାନଙ୍କ ପ୍ରଜନନ ସମ୍ବନ୍ଧୀୟ ସମସ୍ୟା ଦୂରୀକରଣ ନିମନ୍ତେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ବର୍ଷକୁ ଦୁଇଟି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି । ସେହିପରି ଜାତୀୟ ଗୋ-ପ୍ରଜନନ ଯୋଜନାରେ ପ୍ରତ୍ୟେକ ବ୍ଲକରେ ବର୍ଷରେ ଦୁଇଟି କରି ଗୋବନ୍ଧ୍ୟା ନିରାକରଣ ଶିବିର ଆୟୋଜନ କରାଯାଉଛି । ବିଶେଷଜ୍ଞମାନଙ୍କ ତତ୍ଵାବଧାନରେ ଏପରି ଶିବିର ଅନୁଷ୍ଠିତ ହେଉଥିବାରୁ ଚାଷୀଙ୍କ ଦ୍ଵାରଦେଶରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଉପଲବ୍ଧ ହୋଇପାରୁଛି । କେବଳ ବ୍ୟବହାରିକ ଦେୟ ପ୍ରଦାନ କରି ଚାଷୀମାନେ ବିଭିନ୍ନ ଆବଶ୍ୟକୀୟ ଔଷଧ ପାଇପାରୁଛନ୍ତି ।

ଯୋଗାଯୋଗ : ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ/ଉପନିର୍ଦ୍ଦେଶକ, ରୋଗ ନିୟନ୍ତ୍ରଣ, ନିର୍ଦ୍ଦେଶାଳୟ, କଟକ/ସ୍ଥାନୀୟ ପ୍ରାଣୀ ଚିକିତ୍ସକ

ପଶୁ ରୋଗ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ସହାୟତା

ଏହି ଯୋଜନାରେ କେନ୍ଦ୍ର ସରକାର ୭୫ଭାଗ ଅନୁଦାନ ଦେଉଥିବା ବେଳେ, ଓଡିଶା ସରକାର ୨୫ଭାଗ ବହନ କରିଥାନ୍ତି । ମୁଖ୍ୟତଃ ପଶୁପକ୍ଷୀମାନଙ୍କୁ ଟୀକାଦାନ ମାଧ୍ୟମରେ ଜୀବାଣୁ ଓ ଭୂତାଣୁଜନିତ ସଂକ୍ରାମକ ରୋଗର ନିୟନ୍ତ୍ରଣ ବ୍ୟବସ୍ଥା କରାଯିବା ସଙ୍ଗେ ସଙ୍ଗେ ରୋଗ ନିରୀକ୍ଷକ ଓ ନିରୂପଣ ବ୍ୟବସ୍ଥା କରାଯାଉଛି । ଏହି ଯୋଜନା ମାଧ୍ୟମରେ ଗୃହପାଳିତ ପଶୁମାନଙ୍କର ବିଭିନ୍ନ ସଂକ୍ରାମକ ରୋଗ ଯଥା ସାହାଣ, ବାଜବଜିଆ, ଫାଟୁଆ, ଆନ୍ଥ୍ରାକ, ଛେଳି ବସନ୍ତ, ଆନ୍ତ୍ରିକ ବିସଜ୍ଵର, ଛେଳି ମଡକର ନିୟନ୍ତ୍ରଣ ପାଇଁ ପ୍ରତିଷେଧକ ଟିକା ଯୋଗାଇ ଦିଆଯାଉଛି । ପ୍ରତ୍ୟେକ ବ୍ଲକ ଏବଂ ଜିଲ୍ଲା ସ୍ତରରେ ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରି ପଶୁପକ୍ଷୀମାନଙ୍କର ଚିକିତ୍ସା କରାଯାଉଛି । ଜିଲ୍ଲାସ୍ତରୀୟ ରୋଗ ନିରୂପଣ କେନ୍ଦ୍ର ଏବଂ ରାଜ୍ୟସ୍ତରୀୟ ପ୍ରାଣୀ ରୋଗ ଗବେଷଣା କେନ୍ଦ୍ରରେ ରୋଗ ଚିହ୍ନଟ ପାଇଁ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଛି । ଚାଷୀମାନଙ୍କର ସଚେତନତା ପାଇଁ ରୋଗ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସୁଚାଇ ଦିଆଯାଇଛି ।

ଯୋଗାଯୋଗ : ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ /ଉପନିର୍ଦ୍ଦେଶକ, ରୋଗ ନିୟନ୍ତ୍ରଣ, ନିର୍ଦ୍ଦେଶାଳୟ, କଟକ/ଉପନିର୍ଦ୍ଦେଶକ, ଜୈବିକ ଟିକା ଉତ୍ପାଦନ କେନ୍ଦ୍ର, ଭୁବନେଶ୍ଵର

ଆତ୍ମନିଯୁକ୍ତି ନିମନ୍ତେ ଦକ୍ଷତା ବୃଦ୍ଧି ଓ ସଚେତନ ଶିକ୍ଷା କାର୍ଯ୍ୟକ୍ରମ

ଏହି ଯୋଜନା ମାଧ୍ୟମରେ ପ୍ରଶିକ୍ଷଣ ଦ୍ଵାରା ବିଭିନ୍ନ ପ୍ରାଣିପାଳନ ତଥା ଶିକ୍ଷିତ ବେକାର ଯୁବକ/ଯୁବତୀଙ୍କ ଜ୍ଞାନକୌଶଳ ବୃଦ୍ଧି କରାଯାଇଥାଏ ଫଳରେ ପ୍ରାଣୀ ତଥା କୁକୁଡା ପାଳନ କରି ଆତ୍ମନିଯୁକ୍ତି ପାଇଥାନ୍ତି । ଏ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ଉନ୍ନତ ଗୋପାଳନ , ଛେଳିପାଳନ, କୁକୁଡା ପାଳନ,ଓ ଘୁଷୁରୀ ପାଳନ ସମ୍ବନ୍ଧୀୟ ସିନେମା ଦେଖାଇବା , ବାଛୁରୀ ଶୋଭାଯାତ୍ରା କରିବା, ପ୍ରଦର୍ଶନୀରେ ଭାଗ ନେବା, ଜିଲ୍ଲା ମହୋତ୍ସବମାନଙ୍କରେ ଯୋଗଦାନ କରିବା, ଟିଭି କାର୍ଯ୍ୟକ୍ରମ ତଥା ଗ୍ରାମସ୍ୟାଟ କାର୍ଯ୍ୟକ୍ରମରେ ଯୋଗଦାନ ଇତ୍ୟାଦି କରାଯାଇଥାଏ ।

ଯୋଗାଯୋଗ : ସମ୍ବାଦ ସରବରାହ ଅଧିକାରୀ, ନିର୍ଦ୍ଦେଶାଳୟ, କଟକ/ପ୍ରାଣୀ ବିପଣନ ଅଧିକାରୀ, ନିର୍ଦ୍ଦେଶାଳୟ, କଟକ/ସଂଯୋଜକ, ସ୍ମାଇଲ,ଭୁବନେଶ୍ଵର

ଜାତୀୟ ଗୋକୁଳା ମିଶନ

ଦେଶୀୟ ଗୋ-ପ୍ରଜାତିମାନଙ୍କର ଉନ୍ନତି ନିମନ୍ତେ ଜାତୀୟ ଗୋକୁଳ ମିଶନ ମାଧ୍ୟମରେ କେନ୍ଦ୍ରସରକାର ଏକ ସ୍ଵତନ୍ତ୍ର ଯୋଜନା ଚଳିତ ବର୍ଷରୁ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ପ୍ରାକୃତିକ ପ୍ରଜନନ ପାଇଁ ଦେଶଜ ତଥା ଉନ୍ନତ ପ୍ରଜାତିର ଷଣ୍ଢମାନ ଯୋଗାଇବାର ଲକ୍ଷ୍ୟ ରହିଛି । ଆମ ରାଜ୍ୟରେ ଥିବା କମ ଗୁଣ ମାନର ଗୋରୁଙ୍କର ଅନୁବଂଶୀୟ ଗୁଣର ବିକାଶ କରିବା ହେଲା ଏ ଯୋଜନାର ମୂଳଲକ୍ଷ । ରାଜ୍ୟର ମାନ୍ୟତାପ୍ରାପ୍ତ ଗୋପ୍ରଜାତିଙ୍କର ବସବାସ ଅଞ୍ଚଳରେ ଗୋକୁଳ ଗ୍ରାମ ସ୍ଥାପନ କରି ଏବଂ ଗୋପାଳନ ସଂଘ ସୃଷ୍ଟି କରି ଏହି ପ୍ରଜାତିଙ୍କର ସୁରକ୍ଷା ଓ ଉନ୍ନତି କରାଯିବା ଲକ୍ଷ୍ୟ ରଖାଯାଇଛି । ଚାଷୀମାନଙ୍କୁ ଦେଶୀ ଗୋପ୍ରଜାପତି ପାଳନ କରିବା ପାଇଁ ସରକାରୀ ପ୍ରୋତ୍ସାହନ ବ୍ୟବସ୍ଥା ମଧ୍ୟ ରହିଅଛି ।

ରାଷ୍ଟ୍ରୀୟ ଗୋସମ୍ପଦ ମିଶନ

ଏହି ମିଶନ ମାଧ୍ୟମରେ ରାଜ୍ୟରେ ଗୋ ସମ୍ପଦର ସାମୁହିକ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ଏହି ଯୋଜନାରେ ମୁଖ୍ୟତଃ ସବୁଜ ଗୋଖାଦ୍ୟ ଫସଲ ଉତ୍ପାଦନ ଏବଂ ବିନିଯୋଗ ପାଇଁ ଚାଷୀମାନଙ୍କୁ ଘାସ ବିହନ, ଘାସକଟା ଯନ୍ତ୍ର ଆଦି ଯୋଗାଇବା ବ୍ୟବସ୍ଥା ଅଛି । ଛୋଟ ଧରଣର ବ୍ରଏଲର କୁକୁଡା ପାଳନ ପାଇଁ ମୋଟ ପୁଞ୍ଜିର ୨୫% ରିହାତିରେ ଋଣ ଦିଆଯିବାର ବ୍ୟବସ୍ଥା ଅଛି । ଛେଳି ଓ ମେଣ୍ଢାଙ୍କ ସମୂହ କୃମି ନିବାରଣ ପାଇଁ ସ୍ଵତନ୍ତ୍ର ଚିକିତ୍ସା ଶିବିର ଆୟୋଜନ କରାଯିବ । ଛେଳିଙ୍କ ବୀମାକରଣ ପାଇଁ ମଧ୍ୟ ପ୍ରିମିୟମ ଟଙ୍କାର ୫୦% ସରକାର ବହନ କରିବେ । ଏବଂ ଅବଶିଷ୍ଟ ୫୦% ଚାଷୀଙ୍କୁ ଦେବାକୁ ପଡିବ । ଚାଷୀଙ୍କର ସଚେତନତା ଓ ଦକ୍ଷତା ବୃଦ୍ଧି ସକାଶେ ବିଭିନ୍ନ ପ୍ରକାର ତାଲିମ କାର୍ଯ୍ୟକ୍ରମକୁ ଗୁରୁତ୍ଵ ଦିଆଯିବ ।

ଆଧାର - ଶିକ୍ଷାଓ ସମ୍ପ୍ରସାରଣ ପରିଚାଳନା ସମିତି

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate