ହୋମ / କୃଷି / ପ୍ରାଣୀ ଧନ / କଜଳପାତି
ସେଆର କରନ୍ତୁ

କଜଳପାତି

କଜଳପାତି (ବୈଜ୍ଞାନିକ ନାମ: Dicrurus macrocercus) ଡାଇକ୍ରୁରାଇଡି (Dicruridae) ଜାତି ର ଏକ ଏସୀୟ ପକ୍ଷୀ ।

କଜଳପାତି (ବୈଜ୍ଞାନିକ ନାମ: Dicrurus macrocercus) ଡାଇକ୍ରୁରାଇଡି (Dicruridae) ଜାତି ର ଏକ ଏସୀୟ ପକ୍ଷୀ । ଏହାକୁ ମଧ୍ୟ କିଙ୍ଗ୍-କ୍ରୋ କୁହାଯାଏ । କଜଳପାତି ଏକ ପାସେରିନ୍ (Passerine) ଜାତୀୟ ପକ୍ଷୀ । ପୂର୍ବରୁ ଏମାନେ ଆଫ୍ରିକୀୟ ଦୁଇ କେନିଆ ଲାଞ୍ଜ ବିଶିଷ୍ଟ ଡ୍ରୋଙ୍ଗୋ (African Fork-tailed Drongo ବା Dicrurus adsimilis) ଜାତିର ଡାଇକ୍ରୁରସ୍ ଆଡ୍‌ସିମିଲିସ୍ ମାକ୍ରୋସେର୍‌କସ୍ (Dicrurus adsimilis macrocercus) ନାମକ ଏକ ଉପଜାତି ଭାବେ ପରିଚିତ ଥିଲେ ।[୯] କିନ୍ତୁ ବର୍ତ୍ତମାନ ଏମାନେ ଏକ ସମ୍ପୂର୍ଣ୍ଣ ଜାତି ଭାବରେ ପରିଚିତ ।

ଶ୍ରେଣୀ ବିଭାଜନ

ଜୀବବିଜ୍ଞାନ ଅନୁସାରେ ଦେଖିବାକୁ ଗଲେ ଦୁଇ କେନିଆ ଲାଞ୍ଜ ବିଶିଷ୍ଟ ଡ୍ରୋଙ୍ଗୋ (Fork-tailed Drongo) ଏବଂ କଜଳପାତି (Black Drongo) ଭିତରେ ବିଶେଷ କିଛି ପାର୍ଥକ୍ୟ ନାହିଁ । ଦୁଇ କେନିଆ ଲାଞ୍ଜ ବିଶିଷ୍ଟ ଡ୍ରୋଙ୍ଗୋ ସାଧାରଣତଃ ଆଫ୍ରିକାରେ ଦେଖାଯାନ୍ତି । କିନ୍ତୁ କଜଳପାତି ଏକ ଏସୀୟ ପକ୍ଷୀ । ଏହି ପକ୍ଷୀ ଜାତିର ସାତ ଗୋଟି ଉପଜାତି ଅଛନ୍ତି । ଉତ୍ତର ଭାରତରେ ଦେଖାଯାଉଥିବା ଆଲ୍‌ବିରିକ୍ଟସ୍ (Albirictus) ଜାତୀୟ କଜଳପାତି ଶ୍ରୀଲଙ୍କାରେ ଦେଖାଯାଉଥିବା ମାଇନର୍ (Minor) ଜାତୀୟ କଜଳପାତିଠାରୁ ଆକାରରେ ବଡ଼ ଏବଂ ନୋମିନେଟ୍ (Nominate) ଜାତୀୟ କଜଳପାତିର ଆକାର ମଧ୍ୟମ ଧରଣର ଅଟେ ।[୧୦] କ୍ୟାଥୋଇକସ୍ (Cathoecus) ଜାତୀୟ କଜଳପାତି ଥାଇଲ୍ୟାଣ୍ଡ, ହଙ୍ଗ୍ କଙ୍ଗ୍ ଏବଂ ଚାଇନାରେ ଦେଖାଯାନ୍ତି । ଏମାନ‌ଙ୍କର ପାଟି ଖୁବ୍ ଛୋଟ ଏବଂ ଡେଣା ଦୁଇଟି କଳା ହେବା ସ‌ହ ଏଥିରେ ସାମାନ୍ୟ ସବୁଜ ରଙ୍ଗ ଥାଏ । ଜାଭାନସ୍ (Javanus) ଜାତୀୟ କଜଳପାତି ଜାଭା ଦ୍ୱୀପ ତ‌ଥା ବାଳି ଦ୍ୱୀପରେ ଦେଖାଯାନ୍ତି । ଫର୍‌ମୋସାଠାରେ ଦେଖାଯାଉଥିବା ହାର୍ଟର୍ଟି (Harterti) ଜାତୀୟ କଜଳପାତିମାନଙ୍କର ଲାଞ୍ଜର ଆକାର ଏମାନ‌ଙ୍କ ଡେଣାର ଆକାରଠାରୁ ସାନ ଅଟେ ।

ବର୍ଣ୍ଣନା

ଏହି ପକ୍ଷୀର ଦେହର ରଙ୍ଗ ଚିକ୍କଣ କଳା ଏବଂ ଏମାନଙ୍କର ଲାଞ୍ଜ ଦୁଇ କେନିଆ ଅଟେ । ବୟସ୍କ କଜଳପାତିମାନଙ୍କର ପାଟି ପାଖରେ ଧଳା ରଙ୍ଗର ଏକ ଛୋଟ ଚିହ୍ନ ଥାଏ । ଏମାନଙ୍କର ଆଖିର ସ୍ୱଚ୍ଛଳପଟର ରଙ୍ଗ ଗାଢ଼ ମାଟିଆ ଅଟେ । ଛୁଆ କଜଳପାତିମାନେ ସାଧାରଣତଃ ମାଟିଆ ରଙ୍ଗର ହୋଇଥାନ୍ତି ଏବଂ ଏମାନଙ୍କ ପେଟ ତ‌ଥା ଲାଞ୍ଜ ପାଖ ସାମାନ୍ୟ ଧଳା ରଙ୍ଗର ହୋଇଥାଏ । ଏକ ବର୍ଷ ବୟସ୍କ କଜଳପାତିମାନଙ୍କ ପେଟ ତ‌ଥା ଲାଞ୍ଜ ପାଖ ଧଳା ରଙ୍ଗର ହୋଇଥିବା ବେଳେ ଦୁଇ ବର୍ଷ ବୟସ୍କ କଜଳପାତିମାନଙ୍କ କ୍ଷେତ୍ରରେ ଏହି ଧଳା ରଙ୍ଗ କେବଳ ଲାଞ୍ଜ ପାଖରେ ହିଁ ଥାଏ ।

ଏମାନଙ୍କ ଶରୀରର ଲମ୍ବ ସାଧରଣତଃ ୨୮ ସେଣ୍ଟିମିଟର (୧୧ ଇଞ୍ଚ) ହୋଇଥାଏ । କଜଳପାତି ଏକ ରାଗୀ ତ‌ଥା ନିର୍ଭୀକ ପକ୍ଷୀ । ଏମାନେ ନିଜ ବସା ପାଖକୁ ଆସୁଥିବା ବଡ଼ ବଡ଼ ପକ୍ଷୀ, ଯଥା କାଉ ଓ ଅନ୍ୟାନ୍ୟ ଶିକାରୀ ପକ୍ଷୀମାନଙ୍କୁ ଆକ୍ରମଣ କରିଥାନ୍ତି । ଏମାନଙ୍କର ଏହି ସାହସ ପାଇଁ ଏମାନଙ୍କୁ କିଙ୍ଗ୍-କ୍ରୋ ମଧ୍ୟ କୁହାଯାଏ । ଏମାନେ ଉଡ଼ିବା ସମୟରେ ନିଜ ଡେଣାକୁ ଜୋର୍‌ରେ ବାଡ଼େଇଥାନ୍ତି ଏବଂ ଉଡ଼ୁଥିବା କୀଟ ପତଙ୍ଗଙ୍କୁ ମଧ୍ୟ ଖୁବ୍ ସ‌ହଜରେ ଧରି ପାରନ୍ତି ।

ଏମାନଙ୍କ ଗୋଡ଼ର ଆକାର ଛୋଟ ଅଟେ । ଏମାନେ ସାଧରଣତଃ ପଥୁରିଆ ବୁଦା, ଗଛ ଡାଳ ତ‌ଥା ବିଦ୍ୟୁତ୍ ତାରରେ ବସିବାକୁ ଭଲପାନ୍ତି । ଏମାନେ ମଧ୍ୟ ଚରୁଥିବା ଗାଈ ଗୋରୁ ତ‌ଥା ଅନ୍ୟ ପଶୁମାନଙ୍କ ଉପରେ ବସିଥାନ୍ତି । କଜଳପାତିମାନେ ବିଭିନ୍ନ ପ୍ରକାର ଶବ୍ଦ କରି ବୋବାଇ ପାରନ୍ତି । କିନ୍ତୁ ସାଧାରଣତଃ ଏମାନେ ଦୁଇ ଥର ଟିହି ଶବ୍ଦ କରି ବୋବାଇଥାନ୍ତି ।

ଭୌଗୋଳିକ ବିସ୍ତୃତି

କଜଳପାତିମାନେ ସାଧାରଣତଃ ଭୂମିର ନିକଟତର ହୋଇ ଶିକାର କରିଥାନ୍ତି । ଏମାନେ ସାଧାରଣତଃ ଉଡ଼ି ଉଡ଼ି କୀଟ-ପତଙ୍ଗମାନଙ୍କୁ ଶିକାର କରିଥାନ୍ତି । ଏମାନେ ମଧ୍ୟ ଭୂମି କିମ୍ବା ଗଛ-ପତ୍ର ଉପରେ ବସିଥିବା କୀଟ-ପତଙ୍ଗ ଇତ୍ୟାଦିଙ୍କୁ ଖାଇଥାନ୍ତି । ଏମାନେ ବାଂଲାଦେଶଠାରୁ ଆରମ୍ଭ କରି ଭାରତ ଏବଂ ଶ୍ରୀଲଙ୍କା ପର୍ଯ୍ୟନ୍ତ ବିସ୍ତୃତ ଇଣ୍ଡସ୍ ଉପତ୍ୟକାରେ ବସବାସ କରନ୍ତି । ତେବେ ଗ୍ରୀଷ୍ମ ଋତୁରେ ଏମାନେ ଉତ୍ତର-ପୂର୍ବ ଆଫଗାନିସ୍ତାନ ତ‌ଥା ଉତ୍ତର ପାକିସ୍ତାନ‌କୁ ଯାତ୍ରା କରିଥାନ୍ତି । ଏମାନେ ତୃଣଭୂମି, ଚାଷ ଜମି ତ‌ଥା ସ‌ହରାଞ୍ଚଳରେ ଥିବା କୋଠା ଘରମାନ‌ଙ୍କର କାନ୍ଥ ବାଡ଼ରୁ ନିଜର ଖାଦ୍ୟ ସଂଗ୍ରହ କରିଥାନ୍ତି ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ କୀଟ-ପତଙ୍ଗ‌ଙ୍କୁ ଦମନ କରିବା ପାଇଁ କଜଳପାତିମାନ‌ଙ୍କୁ ବିଶେଷ ଭାବରେ ତାଇୱାନରୁ ରୋଟା ଦ୍ୱୀପକୁ ଅଣାଯାଇଥିଲା । ଏହା ବିଶ୍ୱାସ କରାଯାଏ ଯେ ୧୯୫୦ ଦଶକରେ ଏହି କଜଳପାତିମାନେ ସମୁଦ୍ର ଉପର ଦେଇ ବିକ୍ଷିପ୍ତ ଭାବରେ ଗୁଆମ ଦ୍ୱୀପ ଆଡ଼କୁ ଚାଲିଯାଇଥିଲେ । ୧୯୬୭ ମସିହା ସୁଦ୍ଧା ଗୁଆମ ଦ୍ୱୀପର ରାସ୍ତା କଡ଼ରେ ବ‌ହୁଳ ଭାବରେ ଦେଖାଯାଉଥିବା ପକ୍ଷୀମାନ‌ଙ୍କ ମଧ୍ୟରେ କଜଳପାତିମାନେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ବର୍ତ୍ତମାନ ଗୁଆମ ଦ୍ୱୀପରେ ବ‌ହୁଳ ତ‌ଥା ସାଧାରଣ ଭାବେ ଦେଖାଯାଉଥିବା ପକ୍ଷୀମାନ‌ଙ୍କ ମଧ୍ୟରେ କଜଳପାତି ଅନ୍ୟତମ ।

ଜୀବନ ଶୈଳୀ

ଖାଦ୍ୟାଭ୍ୟାସ

କଜଳପାତିମାନେ ସାଧାରଣତଃ ବିଭିନ୍ନ ପ୍ରକାରର କୀଟ-ପତଙ୍ଗ, ଯଥା ଝିଣ୍ଟିକା, ଉଇ, ବିରୁଡ଼ି, ଗୋବର ପୋକ, ମହୁମାଛି, ପିମ୍ପୁଡ଼ି ଇତ୍ୟାଦିଙ୍କୁ ଖାଇଥାନ୍ତି । ଏମାନେ ବେଳେବେଳେ ଗଛ ଉପରେ ବସିଥିବା କୀଟ-ପତଙ୍ଗଙ୍କୁ ଶିକାର କରିବା ପାଇଁ ଗଛ ଡାଳର ନୀକଟବର୍ତ୍ତୀ ହୋଇ ଉଡ଼ିଥାନ୍ତି । ଏମାନେ ନୂଆ ନୂଆ ହଳ ହୋଇଥିବା ଚାଷ ଜମିରେ ଉପରକୁ ଉଠିଆସିଥବା ଶଁବାଳୁଆ ତ‌ଥା ଗୋବର ପୋକମାନ‌ଙ୍କୁ ମଧ୍ୟ ଖାଇଥାନ୍ତି । ନିଆଁ ଲାଗିଥିବା ତୃଣଭୂମି ତ‌ଥା କ୍ଷୁଦ୍ର ଅରଣ୍ୟଗୁଡ଼ିକରେ କୀଟ-ପତଙ୍ଗମାନେ ଇତସ୍ତ‌ତଃ ହୋଇ ଉଡ଼ୁଥିବା ସମୟରେ କଜଳପାତିମାନେ ସେମାନ‌ଙ୍କୁ ଖାଇଥାନ୍ତି । ଏମାନେ ମାଛି ଖାଇବାକୁ ପସନ୍ଦ କରନ୍ତି ନାହିଁ ।

କଜଳପାତିମାନେ ବଣି ତ‌ଥା ସମାନ ଖାଦ୍ୟାଭ୍ୟାସ ଥିବା ଅନ୍ୟାନ୍ୟ ପକ୍ଷୀମାନ‌ଙ୍କ ସ‌ହ ସମ୍ପର୍କ ଏବଂ ବନ୍ଧୁତା ରଖନ୍ତି । ଏହି ବନ୍ଧୁତାରୁ ସେମାନ‌ଙ୍କୁ ଖାଦ୍ୟ ସଂଗ୍ରହ କ୍ଷେତ୍ରରେ ଖୁବ୍ ଲାଭ ମିଳେ । ଖୁବ୍ କ୍ୱଚିତ୍ ପରିସ୍ଥିତିରେ କଜଳପାତିମାନ‌ଙ୍କୁ ବଣିମାନ‌ଙ୍କ ଠାରୁ କୀଟ-ପତଙ୍ଗ ଛଡ଼ାଇ ଖାଉଥିବାର ଦେଖାଯାଏ । କଜଳପାତିମାନେ ଛୋଟ ଚଢ଼େଇ, ସରୀସୃପ ତ‌ଥା ବାଦୁଡ଼ିମାନ‌ଙ୍କ ଉପରେ ଆକ୍ରମଣ କରିବା ଖୁବ୍ ବିରଳ । ଏମାନେ ବେଳେ ବେଳେ ମୃତ ମାଛ ମଧ୍ୟ ଖାଇଥାନ୍ତି । ଏମାନେ ଏରିଥ୍ରିନା (Erythrina) ଓ ବମ୍ବାକ୍ସ୍ (Bombax) ଫୁଲର ରସ ପିଇଥାନ୍ତି ଏବଂ ବେଳେବେଳେ ଶସ୍ୟ ମଧ୍ୟ ଖାଇଥାନ୍ତି । ଖୁବ୍ କ୍ୱଚିତ୍ କ୍ଷେତ୍ରରେ ଏମାନ‌ଙ୍କୁ ବିଛା ଜାତୀୟ ପ୍ରାଣୀମାନ‌ଙ୍କୁ ଖାଉଥିବାର ଦେଖାଯାଇଥାଏ । ଏମାନେ ସାଧାରଣତଃ ସନ୍ଧ୍ୟା ସମୟରେ ବିଜୁଳି ବତୀ ତଳେ ଉଡ଼ୁଥିବା ପତଙ୍ଗମାନ‌ଙ୍କୁ ଖାଇଥାନ୍ତି ।

ବାସସ୍ଥାନ ଏବଂ ପ୍ରଜନନ

କଜଳପାତିମାନେ ଦକ୍ଷିଣ ଭାରତରେ ମୁଖ୍ୟତଃ ଫେବୃଆରୀ ଓ ମାର୍ଚ୍ଚ ମାସରେ ଅଣ୍ଡା ଦେଇଥାନ୍ତି । ଦେଶର ଅନ୍ୟ ପ୍ରାନ୍ତମାନ‌ଙ୍କରେ ଏମାନେ ଅଗଷ୍ଟ ମାସ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି । ପ୍ରଜନନ ସମୟରେ ଅଣ୍ଡିରା ଏବଂ ମାଈ କଜଳପାତି ଉଭୟ ପ୍ରାତଃ ସମୟରେ ବୋବାଇଥାନ୍ତି । ଉଭୟ ଅଣ୍ଡିରା ଏବଂ ମାଈ କଜଳପାତି ଏକାଠି ବସା ତିଆରି କରିଥାନ୍ତି । ଏମାନ‌ଙ୍କ ବସା କପ୍ ଆକାରର ହୋଇଥାଏ ଓ ଏହା କାଠି-କୁଟାର ଏକ ପତଳା ଆସ୍ତରଣରେ ତିଆରି ହୋଇଥାଏ । ଏମାନେ ଗଛ ଡାଳର ସନ୍ଧିରେ ନିଜ ବସା ତିଆରି କରିଥାନ୍ତି ।

ଏପ୍ରିଲ ମାସର ପ୍ରଥମ ବର୍ଷା ସମୟରେ କଜଳପାତିମାନେ ଅଣ୍ଡା ଦେଇଥାନ୍ତି । ଏମାନେ ଥରକରେ ତିନିରୁ ଚାରିଟି ଅଣ୍ଡା ଦେଇଥାନ୍ତି । ଏମାନେ ଅଣ୍ଡା ଦେବା ପାଇଁ ସାଧାରଣତଃ ଗ‌ହଳିଆ ପତ୍ର ଥିବା ଗଛ, ଯଥା ପଣସ ଗଛକୁ ବାଛିଥାନ୍ତି । ଅଣ୍ଡାଗୁଡ଼ିକ ନାଲି ମିଶା ଫିକା ହଳଦିଆ ରଙ୍ଗର ହୋଇଥାଏ । ଏଗୁଡ଼ିକ ଉପରେ ସାମାନ୍ୟ ଦାଗ ମଧ୍ୟ ଥାଏ । ସାଧାରଣତଃ ଅଣ୍ଡାଗୁଡ଼ିକ ଲମ୍ବାରେ ୨୬ ମିଲିମିଟର (୧.୦୫ ଇଞ୍ଚ) ଓ ମୋଟେଇରେ ୧୯ ମିଲିମିଟର (୦.୭୫ ଇଞ୍ଚ) ହୋଇଥାଏ । ଉଭୟ ଅଣ୍ଡିରା ଓ ମାଈ କଜଳପାତି ଅଣ୍ଡା ଉଷୁମାଇବା କାମ କରିଥାନ୍ତି ଏବଂ ପ୍ରାୟ ୧୪ ରୁ ୧୫ ଦିନ ପରେ ଅଣ୍ଡାଗୁଡ଼ିକ ଫାଟି ସେଥିରୁ ଛୁଆ ବାହାରନ୍ତି । ଅଣ୍ଡାରୁ ଛୁଆ ବାହାରିବାର ପ୍ରାୟ ପାଞ୍ଚ ଦିନ ପରେ ଶାବକଗୁଡ଼ିକ ନିଜ ଶରୀରର ତାପମାତ୍ରାକୁ ସ୍ଥାୟୀ କରିବାରେ ସମର୍ଥ ହୋଇଥାନ୍ତି ।

ବେଳେବେଳେ କଜଳପାତିମାନେ ଟେଲିଫୋନ ଖୁଣ୍ଟିରେ ମଧ୍ୟ ନିଜ ବସା ତିଆରି କରିଥାନ୍ତି । ସମାନ ଅଣ୍ଡିରା ଓ ମାଈ କଜଳପାତିଙ୍କ ଠାରୁ ଜନ୍ମ ହୋଇଥିବା କଜଳପାତିମାନେ ମଧ୍ୟ ନିଜ ପିତାମାତାଙ୍କ ପରବର୍ତ୍ତୀ ଶାବକମାନଙ୍କୁ ଖୁଅଇଥାନ୍ତି । ଏମାନ‌ଙ୍କର ପ୍ରଜନନ ପ୍ରାୟ ୪୪ ପ୍ରତିଶତ ପର୍ଯ୍ୟନ୍ତ ସଫଳ ହୋଇଥାଏ । ବୃଷ୍ଟପାତର ଅଭାବ ହେତୁ କମି କମି ଆସୁଥିବା କୀଟ-ପତଙ୍ଗମାନ‌ଙ୍କ ସଂଖ୍ୟା କଜଳପାତିମାନ‌ଙ୍କ କ୍ଷୀଣ ବଂଶ ବୃଦ୍ଧିର ଏକ ପ୍ରମୁଖ କାରଣ ।

ବୃଦ୍ଧି ଏବଂ ବିକାଶ

କିଶୋରାବସ୍ଥାରେ କଜଳପାତିମାନ‌ଙ୍କ ପାଟି ଲାଲ୍ ମିଶା ହଳଦୀ ରଙ୍ଗର ହୋଇଥାଏ । ଅଣ୍ଡାରୁ ଛୁଆ ବାହାରିବାର ଚାରି ଦିନ ବେଳକୁ ଛୁଆମାନ‌ଙ୍କ ଦେହରେ ପର ସୃଷ୍ଟି ହେବା ଆରମ୍ଭ ହୋଇଥାଏ ଏବଂ ପାଖାପାଖି ଏକ ସପ୍ତାହ ବେଳକୁ ସେମାନ‌ଙ୍କ ଡେଣାରେ ପର ସୃଷ୍ଟି ହୋଇଥାଏ । ୧୨ ଦିନ ମଧ୍ୟରେ ସେମାନ‌ଙ୍କ ଓଜନ ଧିରେ ଧିରେ ବଢ଼ିଥାଏ । ଅଷ୍ଟମ ଦିନରେ କଜଳପାତି ଛୁଆମାନ‌ଙ୍କର ଅଖି ଫିଟିଥାଏ । ଏମାନ‌ଙ୍କର ଆଖି ଡୋଳା ଲାଲ୍ ମିଶା କଳା ରଙ୍ଗର ହୋଇଥାଏ । ୧୬ତମ ତ‌ଥା ୧୭ତମ ଦିନରେ କିଶୋର କଜଳପାତିମାନେ ବସା ଛାଡ଼ିଦେଇଥାନ୍ତି । ତେବେ ତିନି ସପ୍ତାହ ପର୍ଯ୍ୟନ୍ତ ଏମାନ‌ଙ୍କ ଲାଞ୍ଜ ଦୁଇ କେନିଆ ହୋଇ ନ ଥାଏ । ଏକ ମାସ ପର୍ଯ୍ୟନ୍ତ ଅଣ୍ଡିରା ଓ ମାଈ କଜଳପାତି ନିଜ ଛୁଆମାନ‌ଙ୍କୁ ଖୁଆଇଥାନ୍ତି । ଦୁଇ ବର୍ଷର ହେବା ବେଳକୁ ଏହି କଜଳପାତିମାନ‌ଙ୍କ ପାଖରେ ପ୍ରଜନନ କ୍ଷମତା ଆସିଯାଇଥାଏ ।

କିଶୋରାବସ୍ଥାରେ କଜଳପାତିମାନେ ଥଣ୍ଟରେ ପତ୍ରକୁ ଉଉରକୁ ପକାଇ ଭୂମିରେ ପଡ଼ିବା ପୂର୍ବରୁ ପତ୍ରଟିକୁ ପୁଣି ଥଣ୍ଟରେ ଧରି ପକାନ୍ତି । ଏହି ପରି ଭାବରେ ଖେଳ ଖେଳି କିଶୋର କଜଳପାତିମାନେ ଉଡ଼ିବା କୌଶଳ ଶିଖିଥାନ୍ତି ।

ଦକ୍ଷିଣ ଭାରତରେ ଏହି ପକ୍ଷୀମାନେ ଜୁନ ମାସରୁ ଅକ୍ଟୋବର ମାସ ମଧ୍ୟରେ ନିଜର ପର ତ୍ୟାଗ କରିଥାନ୍ତି ଏବଂ ଏହା ବଦଳରେ ଏମାନ‌ଙ୍କ ଦେହରେ ନୂଆ ପର ଉଠିଥାଏ । ଜୁଲାଇ ମାସରେ ଏମାନେ ପ୍ରଥମ ଭାଗ ପର ତ୍ୟାଗ କରିଥାନ୍ତି । ଅଗଷ୍ଟ ମାସରୁ ଏମାନେ ଦ୍ୱିତୀୟ ଭାଗରେ ମଧ୍ୟମ ଧରଣର ପରଗୁଡ଼ିକୁ ତ୍ୟାଗ କରିଥାନ୍ତି । ତୃତୀୟ ଭାଗରେ ଏମାନେ ନିଜର ଲମ୍ବା ପରଗୁଡ଼ିକୁ ତ୍ୟାଗ କରନ୍ତି । ମେଲାନିନ୍ ସଂଶ୍ଲେଷଣ ଯୋଗୁଁ କଜଳପାତିମାନ‌ଙ୍କ ଅଣ୍ଡକୋଷର ଟିସୁରେ ଋତୁ ଅନୁଯାୟୀ ରଙ୍ଗ ପରିବର୍ତ୍ତନ ପରିଲକ୍ଷିତ ହୁଏ । ତେବେ ପ୍ରଜନନ ସମୟରେ ମେଲାନିନ୍ କଣିକାଗୁଡ଼ିକ ଦ୍ୱାରା ସୃଷ୍ଟି ହୋଇଥିବା ଏହି ଦାଗ‌ଗୁଡ଼ିକ ଧିରେ ଧିରେ ଅଦୃଶ୍ୟ ହୋଇଯାଏ ।

ରୋଗ

କଜଳପାତିମାନ‌ଙ୍କ ଦେହରେ ଅନେକ ବାହ୍ୟ ପରଜୀବୀ (Ectoparasite) ଓ ଆଭ୍ୟନ୍ତରୀଣ ପରଜୀବୀ (Endoparasite) ଦେଖାଯାନ୍ତି । ତେବେ ଏମାନ‌ଙ୍କୁ ସେପରି କୌଣସି ବିଶେଷ ତ‌ଥା ମାରାତ୍ମକ ରୋଗ ହୋଇ ନ ଥାଏ ।

ମଣିଷଜାତି ସ‌ହ ସମ୍ପର୍କ

କଜଳପାତିମାନେ ମହୁମାଛିମାନ‌ଙ୍କୁ ଖାଇଥାନ୍ତି । ଏମାନ‌ଙ୍କର ଏହି ଖାଦ୍ୟାଭ୍ୟାସ ଯୋଗୁଁ ମହୁମାଛି ପାଳକମାନେ ବ‌ହୁ ଅସୁବିଧା ଭୋଗିଥାନ୍ତି । କିନ୍ତୁ କୃଷକମାନେ ନିଜ ଚାଷ ଜମିରେ ପକ୍ଷୀମାନ‌ଙ୍କ ପାଇଁ କୃତ୍ରିମ ଆଶ୍ରୟ ସ୍ଥଳ ନିର୍ମାଣ କରି କୀଟ-ପତଙ୍ଗ ଖାଇବା ପାଇଁ କଜଳପାତିମାନ‌ଙ୍କୁ ନିଜ ଚାଷ ଜମି ପ୍ରତି ଆକର୍ଷିତ କରନ୍ତି ।

ଏକ ସ୍ଥାନୀୟ ପକ୍ଷୀ ହୋଇଥିବାରୁ କଜଳପାତିକୁ ଲୋକେ ଅନେକ ନାମରେ ଜାଣନ୍ତି । କଜଳପାତି କୁ ବୁଚଙ୍ଗ ମଧ୍ୟ କୁହାଯାଏ । ଏହି ନାମଟି ଏକ ହିନ୍ଦୀ ଶବ୍ଦ ଭୁଜଙ୍ଗରୁ ଆସିଛି । କଜଳପାତିକୁ ପାକିସ୍ତାନରେ ଥାମ୍ପାଲ, ବେଲୁଚିସ୍ତାନରେ ଗୋହାଲୋଲ୍‌କୋଲାହୋ, ସିନ୍ଧିରେ କାଲ୍‌କାଲାଚି, ହିନ୍ଦୀରେ କୋଟ୍‌ୱାଲ୍ (ଅର୍ଥାତ୍ ପୋଲିସ୍), ବଙ୍ଗଳାରେ ଫିଙ୍ଗା, ଆସାମରେ ଫେଞ୍ଚୁ, ମଣିପୁରରେ ଚେଇରୋଇ, ଗୁଜୁରାଟରେ କୋସିଟାଲ୍ କାଲୋ କୋଶି, ମରାଠୀରେ ଘୋସିଆ, ଓଡ଼ିଆରେ କଜଳପାତି, ତାମିଲରେ ଏରେଟ୍ଟାଇ ବାଲାନ୍, ତେଲୁଗୁରେ ପାସ୍ସାଲା ପୋଲି ଗାଦୁ, ମାଲାୟାଲାମରେ କାକା ଟାମ୍ପୁରାଟ୍ଟି (ଅର୍ଥାତ୍ କାଉମାନ‌ଙ୍କ ରାଣୀ), କନ୍ନଡ଼ରେ କାରି ଭୁଜଙ୍ଗ, ଏବଂ ସିଙ୍ଘଳରେ କାଉଡ଼ା କୁହାଯାଏ ।

ଆଧାର : "ସ୍ଥାନୀୟ ନାମ"

3.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top