ହୋମ / କୃଷି / ପ୍ରାଣୀ ଧନ / କୁକୁଡ଼ା ଖାଦ୍ୟ ଓ ଖାଦ୍ୟଦେବା ପଦ୍ଧତି
ସେଆର କରନ୍ତୁ

କୁକୁଡ଼ା ଖାଦ୍ୟ ଓ ଖାଦ୍ୟଦେବା ପଦ୍ଧତି

କୁକୁଡ଼ା ଖାଦ୍ୟ ଓ ଖାଦ୍ୟଦେବା ପଦ୍ଧତି ସମ୍ବନ୍ଧିତ ସୂଚନା ।

କୁକୁଡ଼ା ପାଳନ ପାଇଁ ଯେଉଁ ଖର୍ଚ୍ଚ ହୁଏ, ତାହାର ୬୫ ରୁ ୭୦ ଭାଗ ଖାଇଁ କେବଳ କୁକୁଡ଼ାଙ୍କ ଖାଦ୍ୟରେ ହିଁ ହୋଇଥାଏ । ଶରୀର ବୁଦ୍ଧି, ଅଣ୍ଡା ଓ ମାଂସ ଉତ୍ପାଦନ ପାଇଁ ଉପାଦାନ ଗୁଡ଼ିକ ଖାଦ୍ୟରୁ ହିଁ ମିଳିଥାଏ । ଗୋଟିଏ ଭଲ କୁକୁଡ଼ା ଖାଦ୍ୟରେ କୁକୁଡ଼ାର ଶରୀର ବୁଦ୍ଧି ଓ ଅଣ୍ଡା ଉତ୍ପାଦନ ପାଇଁ ଆବଶ୍ୟକ ହେଉଥୁବା ସମସ୍ତ ଉପାଦାନ ଗୁଡ଼ିକ ଅବା ଦରକାର । ଯେଉଁ ଖାଦ୍ୟରେ ଆବଶ୍ୟକ ମୁତାବକ ସମସ୍ତ ଉପାଦାନ ଥାଏ, ତାହାକୁ ସନ୍ତୁଳିତ ଖାଦ୍ୟ କୁହାଯାଏ । ସନ୍ତୁଳିତ ଖାଦ୍ୟ ନଦେଲେ କୁକୁଡ଼ା ବଞ୍ଚିଯାଇ ପାରେ । କିନ୍ତୁ ଯେତିକି ବଢ଼ିବା କଥା କିମ୍ବା ଯେତିକି ଅଣ୍ଡା ଦେବା କଥା ସେତିକି ଦିଏ ନାହିଁ । ସମୟ ସମୟରେ କୁକୁଡ଼ା ମଧ୍ୟ ଦୁର୍ବଳ ଓ ଚୁଗଣ ହୋଇଯାଏ । ବିଶେଷ କରି ଘରେ ଆବଦ୍ଧ କରି କୁକୁଡ଼ା ପାଳନ ପାଇଁ ସନ୍ତୁଳିତ ଖାଦ୍ୟ ଦେବା ନିହାତି ଦରକାର । ଘର ଅଗଣାରେ କୁକୁଡ଼ା ପାଳନ ପାଇଁ କମ୍ ଖାଦ୍ୟ ଦରକାର ହୋଇଥାଏ ।

କୁକୁଡ଼ା ଦାନାରେ ଦରକାର ହେଉଥିବା ଉପାଦାନ ଗୁଡ଼ିକ ହେଲା – ଶ୍ଵେତସାର, ପ୍ରୋଟିନ୍ ବା ପୁଷ୍ଟିସାର, ଚର୍ବି ବା ତୈଳାକ୍ଷାଂଶ, ନାନା ପ୍ରକାର ଧାତବ ଲବଣ ଏବଂ ଭିଟାମିନ୍ । ଏହିସବୁ ଉପାଦାନ ଗୁଡ଼ିକ ପାଇବା ପାଇଁ କୁକୁଡ଼ା ଦାନାରେ ବିଭିନ୍ନ ପଦାର୍ଥ ମିଶାଯାଇଥାଏ । ଏହି ପଦାର୍ଡ ଗୁଡ଼ିକ ବିଭିନ୍ନ ପଦାର୍ଥ ମିଶାଯାଇ ଥାଏ । ଏହି ପଦାର୍ଥ ଗୁଡ଼ିକ ବିଭିନ୍ନ ଶ୍ରେଣୀଭୁକ୍ତ ହୋଇଥାଆନ୍ତି । ସେଗୁଡ଼ିକ ହେଲା –

  1. ଶସ୍ୟ ବୀଜ,
  2. ପିଡିଆ ଗୁଣ୍ଡ,
  3. ପ୍ରାଣୀଜ ପୁଷ୍ଟିସାର,
  4. କୁଣ୍ଡା ଓ ଚୋକଡ଼,
  5. ଲୁଣ,
  6. ଶାମୁକା ଖୋଳ ଗୁଣ୍ଡ ବା ଗେଙ୍ଗୁଟି ପଥର ଗୁଣ୍ଡ,
  7. ବିଶୋଧିତ ହାଡ଼ଗୁଣ୍ଡ କିମ୍ବା ଡାଇକାଲସିୟମ୍, ଫସଫେଟ୍,
  8. ଖଣିଜ ଲବଣ ମିଶ୍ରଣ,
  9. ଏଣ୍ଟିବାଇଓଟିକ୍ସ,
  10. କକ୍‌ସିଡ଼ିଆ ନିରୋଧି ଔଷଧ,
  11. ଭିଟାମିନ୍ ।

ମକା, ବାଜରା, ଜୁଆର, ମାଣ୍ଡିଆ, ଗହମ, ଚାଉଳ, ଓଟ୍ ଇତ୍ୟାଦି ଶସ୍ୟ କୁକୁଡ଼ା ଦାନାରେ ଶ୍ଵେତସାର ଖାଦ୍ୟ ଭାବରେ ବ୍ୟବହୃତ ହୋଇଥାଏ । ଏହି ଖାଦ୍ୟ ହଜମ ହୋଇ କୁକୁଡ଼ାକୁ ଶକ୍ତି ଯୋଗାଇଥାଏ । କୁକୁଡ଼ାଙ୍କ ପାଇଁ ଶସ୍ୟମାନଙ୍କ ମଧରୁ ମକା ଉତ୍କୃଷ୍ଟ । ଏହା ସହଜରେ ହଜମ ହୋଇ ବେଶି ଶକ୍ତି ଯୋଗାଇଥାଏ । ହଳଦିଆ ମକା ଖାଇବାକୁ ଦେଲେ ଅଣ୍ଡାର ପିତ ହଳଦିଆ ହୋଇଥାଏ । ସାଧାରଣତଃ ଶତକଡ଼ା ୩୦-୬୦ ଭାଗ ପର୍ଯ୍ୟନ୍ତ ମକା ମିଶ୍ରିତ ଦାନାରେ ମିଶାଯାଇଥାଏ । ମାଣ୍ଡିଆକୁ ଖୁଆଇବା ପୂର୍ବରୁ ଗୁଣ୍ଡ କରି ଦେବା ଉଚିତ୍ । ଗୋଟା ମାଣ୍ଡିଆ ଖୁଆଇଲେ। ହଜମ ନ ହୋଇ ମଳରେ ବାହାରିଯାଏ । ଏହାକୁ ଦାନାରେ ଶତକଡ଼ା ୧୦ ଭାଗ ପର୍ଯ୍ୟନ୍ତ ମିଶାଯାଇଥାଏ । ସମସ୍ତ ପ୍ରକାର ଶସ୍ୟ ବୀଜକୁ ଖଣ୍ଡ ଖଣ୍ଡ କରି ଦାନାରେ ମିଶାଇଲେ ଭଲ ହଜମ ହୋଇଥାଏ ।

ସୋୟାବିନ୍, ଚିନାବାଦାମ, ରାଶି, ସୂର୍ଯ୍ୟମୁଖୀ, ଅଳସୀ, କୁସୁମୀ, ପିଡ଼ିଆଗୁଣ୍ଡ ଉଭିଦ ପୃଷ୍ଟିସାର ଖାଦ୍ୟ ଭାବରେ କୁକୁଡ଼ା ଦାନାରେ ବ୍ୟବହୃତ ହୋଇଥାଏ । ପୁଷ୍ଟିସାର ଜାତୀୟ ଖାଦ୍ୟ ଶରୀର ବୃଦ୍ଧି ଓ କ୍ଷୟ ପୂରଣରେ ଦରକାର ହୋଇଥାଏ । ଏହା ସଙ୍ଗେ ସଙ୍ଗେ ଅଣ୍ଡା ଉତ୍ପାଦନ ପାଇ ମଧ୍ୟ ଦରକାର ହୋଇଥାଏ । ଏମାନଙ୍କ ମଧ୍ୟରୁ ସୋୟାବିନ୍, ଚିନାବାଦାମ ଓ ରାଶି ପିଡ଼ିଆ ଗୁଣ୍ଡ ବହୁଳ ପରିମାଣରେ ବ୍ୟବହୃତ ହୋଇଥାଏ । ପିଡ଼ିଆ ଗୁଣ୍ଡ ମଧ୍ୟରୁ ସୋୟାବିନ୍ ସର୍ବୋତ୍କୃଷ୍ଟ । ଏଥିରେ ୪୦-୫୦ ପ୍ରତିଶତ ପୁଷ୍ଟିସାର ଥାଏ । ମିଶ୍ରିତ କୁକୁଡ଼ା ଦାନାରେ ସବୁବେଳେ ୨ ରୁ ଅଧିକ କିସମର ପିଡ଼ିଆ ଗୁଣ୍ଡ ମିଶାଇଲେ ଦାନାଟି ଅଧିକ ସନ୍ତୁଳିତ ହୋଇଥାଏ । ବିଭିନ୍ନ କିସମର ଦାନାରେ ପିଡ଼ିଆ ଗୁଣ୍ଡା ୧୫-୩୦ ପ୍ରତିଶତ ପର୍ଯ୍ୟନ୍ତ ମିଶାଯାଇଥାଏ ।

ମାଛ ଗୁଣ୍ଡ, ମାଂସ ଗୁଣ୍ଡ, ସିଲ୍‌କ ପୋକର ପୁଷ୍ପା ଇତ୍ୟାଦି ପ୍ରାଣୀଜ ପୁଷ୍ଟିସାର ଭାବରେ କୁକୁଡ଼ା ଦାନାରେ ବ୍ୟବହୃତ ହୋଇଥାଏ । ପ୍ରାଣୀଜ ପୁଷ୍ଟିସାର ଭାବରେ ମାଛଗୁଣ୍ଡ ସବୁଠାରୁ ଉତ୍କୃଷ୍ଟ । କାରଣ ଏହା ଏକ ସନ୍ତୁଳିତ ପୁଷ୍ଟିସାର ଅଟେ । ପିଡ଼ିଆ ଗୁଣ୍ଡରେ ପରିଲକ୍ଷିତ ହୋଇଥିବା ଅଭାବଗୁଡ଼ିକ ପ୍ରାଣୀଜ ପୁଷ୍ଟିସାର ଉପାଦାନ ଗୁଡ଼ିକରେ ମିଳିଥାଏ । ପୃଷ୍ଟିସାର ବ୍ୟତୀତ ଭିଟାମିନ୍ ବି-୧୨, କାଲ୍ସିୟମ, ଫସଫରସ୍, ମାଙ୍ଗାନିଜ୍ ଓ ଆୟୋଡିନ୍ ପ୍ରଭୃତି ଖଣିଜ ପଦାର୍ଥ ଥାଏ । ଶୁଖୁଆ ଗୁଣ୍ଡ ଯେଉଁ ଶୁଖୁଆରୁ ତିଆରି ହୁଏ, ତାହା ପଚାସଢ଼ା ହେବା ଉଚିତ୍ ନୁହେଁ । ପଚାସଢ଼ା ହେଲେ ତାହା ବିଷାକ୍ତ ହୋଇଯାଏ । ଶୁଖୁଆ ଗୁଣ୍ଡରେ ୪୫-୬୦ ପ୍ରତିଶତ ପୁଷ୍ଟିସାର ଥାଏ ଏବଂ ଏହାକୁ ୫ - ୧୨ ପ୍ରତିଶତ ପର୍ଯ୍ୟନ୍ତ ଦାନାରେ ମିଶାଯାଇଥାଏ ।

ଧାନରୁ ବାହାରିଥିବା କୁଣ୍ଡା ବା ଚୋକଡ଼ ଦେଲେ ତାହା କୁକୁଡ଼ାଙ୍କୁ ଶକ୍ତି ଦେଇଥାଏ । ଏଥି ସଙ୍ଗେ ସଙ୍ଗେ ଏଥିରୁ ଫସଫରସ୍, ଲୌହ, ମାଙ୍ଗାନିଜ ଇତ୍ୟାଦି ଖଣିଜ ଏବଂ କେତେକ ଭିଟାମିନ୍ ମିଳିଥାଏ । ଏଗୁଡ଼ିକ ମଣିଷର ଖାଦ୍ୟ ନୁହେଁ, ତେଣୁ ଶସ୍ତାରେ ମିଳିଥାଏ । ତେଣୁ କୁକୁଡ଼ା ଦାନାରେ ମିଶାଇଲେ ଦାନାଟି ଶସ୍ତା ହୋଇଥାଏ । କୁକୁଡ଼ା ଦାନାରେ ଏହା ସର୍ବାଧିକ, ୨୦ ପ୍ରତିଶତ ପର୍ଯ୍ୟନ୍ତ ମିଶାଯାଇଥାଏ । ଦେଖିବାକୁ ହେବ ଯେପରି କୁଣ୍ଡାର ଚଷୁ ନ ମିଶେ । କାରଣ ଚଷୁକୁ କୁକୁଡ଼ା ହଜମ କରି ପାରିବ ନାହିଁ । ପାଲିସ୍ କୁଣ୍ଡାରେ ସାଧାରଣତଃ ୧୫ ପ୍ରତିଶତ ତୈଳାଂଶ ଥାଏ । ଫଳରେ ଏହା ଶକ୍ତି ଯୋଗାଇଥାଏ । ଆଜିକାଲି ଏହି ତୈଳାଂଶକୁ କୁଣ୍ଡାରୁ ବାହାର କରାଯାଉଛି, ସେଥିପାଇଁ ତାହା ଅଧିକ ଦିନ ରହିପାରୁଛି ।

କୁକୁଡ଼ା ଦାନାରେ ଲୁଣ କମ୍ ହେଲେ ଭୋକ କମିଯାଏ ପର ଟାଆଁସିଆ ହୋଇଯାଏ, ଶରୀର ବୃଦ୍ଧି ଭଲ ହୁଏ ନାହିଁ, କୁକୁଡ଼ା ମାନେ ଅନ୍ୟର ପର ଖୁମ୍ପନ୍ତି ଏବଂ ପରସ୍ପରକୁ ଖୁମ୍ପି ଖାଇଯାଆନ୍ତି । ଦାନାରେ ଶତକଡ଼ା ୦.୫ ଭାଗ ଲୁଣ ରହିବା ଦରକାର ।

ଶାମୁକା ଖୋଳ ଗୁଣ୍ଡ କିମ୍ବା ଗେଙ୍ଗୁଟି ପଥର ଗୁଣ୍ଡରୁ କାଲ୍ସିୟମ୍ ମିଳିଥାଏ । କୁକୁଡ଼ା ଦାନାରେ ମିଶୁଥିବା ଅନ୍ୟାନ୍ୟ ଉପାଦାନ ଗୁଡ଼ିକରୁ କୁକୁଡ଼ା ଦରକାର ମୁତାବକ କ୍ୟାଲ୍‌ସିୟମ୍ ପାଇପାରେ ନାହିଁ । ଏଣୁ ଏଗୁଡ଼ିକ ମିଶାଇବା ନିହାତି ଦରକାର । ସାଧାରଣତଃ ଚିଆଁ ଦାନାରେ ଦେଢ଼ ପ୍ରତିଶତ ଏବଂ ଅଣ୍ଡା ଦେଉଥିବା କୁକୁଡ଼ାଙ୍କ ଦାନାରେ ୫ ପ୍ରତିଶତ ମିଶାଇବା ଉଚିତ୍ । ଏହାର ଅଭାବରେ ଅଣ୍ଡା ଦିଆ କୁକୁଡ଼ାମାନଙ୍କର ଅଣ୍ଡାର ଖୋଳପା ନରମ ହୋଇଥାଏ ।

ବିଶୋଧିତ ହାଡ଼ଗୁଣ୍ଡ କିମ୍ବା ଡାଇକାଲ୍ସିୟମ୍, ଫସଫେଟ୍, କାଲ୍ସିୟମ୍ ଓ ଫସଫରସ୍ ଉଭୟ ଖଣିଜ ଥାଏ । ଏଗୁଡ଼ିକ ସାଧାରଣତଃ ଫସଫରସ୍ ପାଇଁ ଦାନାରେ ମିଶାଯାଇଥାଏ । ହାଡ଼ଗୁଣ୍ଡ ବ୍ୟବହାର କଲେ ତାକୁ ବିଶୋଧନ କରିବା ଦରକାର । ନଚେତ୍ ସେଥିରେ ନାନା ପ୍ରକାର ରୋଗ ଜୀବାଣୁ ଥାଆନ୍ତି । ଏଗୁଡ଼ିକ ଦାନାରେ ୧ ରୁ ୧.୫ ପ୍ରତିଶତ ପର୍ଯ୍ୟନ୍ତ ମିଶାଯାଇଥାଏ । ଦାନାରେ ଅଛ ପରିମାଣରେ ମିଶିଥିବା ଖଣିଜ ପଦାର୍ଥ ଗୁଡ଼ିକ ହେଲା, ଲୌହ, ମ୍ୟାଗ୍ନେସିୟମ୍, ଦସ୍ତା, ପଟାସିୟମ୍ ଓ ତାମ୍ର ଇତ୍ୟାଦି । ଉପର ଲିଖିତ ମତେ ଖଣିଜ ପଦାର୍ଥ ଗୁଡ଼ିକୁ ଅଲଗା ଅଲଗା କରି ଦାନାରେ ମିଶାଇଲେ ଚଳିବ । ନଚେତ୍ ବଜାରରେ ମିଳୁଥିବା ଖଣିଜ ମିଶ୍ରଣ କିଣି ୨.୫ ରୁ ୩ ପ୍ରତିଶତ ଦାନରେ ମିଶାଇବା ଦରକାର । କିନ୍ତୁ ଅଣ୍ଡା ଦେଉଥିବା କୁକୁଡ଼ାଙ୍କ ଦାନାରେ ଖଣିଜ ମିଶ୍ରଣ ବାଦ ଶାମୁକା ଗୁଣ୍ଡ ଅଥିବା ଗେଙ୍ଗୁଟି ପଥର ଗୁଣ୍ଡ ୫ ପ୍ରତିଶତ ମିଶାଇବାକୁ ପଡ଼ିଥାଏ । କାରଣ ଅଣ୍ଡାର ଖୋଳ ତିଆରି ହେବା ପାଇଁ ଅଧିକ କ୍ୟାଲ୍‌ସିୟମ୍ ଦରକାର ହୋଇଥାଏ । ଖଣିଜ ଲବଣ ଗୁଡ଼ିକ ହାଡ଼ର ଗଠନ ଓ ବିକାଶ, ମାଂସପେଶୀର ଗଠନ, ହଜମ ଶକ୍ତି ବୃଦ୍ଧି ପାଇଁ ଦରକାର ହୋଇଥାଏ ।

କୁକୁଡ଼ା ମାନଙ୍କର ଦରକାର ହେଉଥିବା ଭିଟାମିନ୍ ମାନଙ୍କ ମଧ୍ୟରୁ ଦାନାରେ କିଛିଟା ଭିଟାମିନ୍ ମିଳୁଥିଲେ ମଧ୍ୟ ମିଶାଇବା ଦରକାର ପଡ଼ିଥାଏ । କାରଣ ଏଗୁଡ଼ିକ ଦରକାର ମୁତାବକ ଦାନାରେ ମିଶୁଥିବା ଉପାଦାନ ଗୁଡ଼ିକରୁ ମିଳି ନଥାଏ । ଶରୀରର ବୃଦ୍ଧି ପାଇଁ ଭିଟାମିନ୍ ଗୁଡ଼ିକ ଅଳ୍ପ ମାତ୍ରାରେ ଦରକାର ହୋଇଥାଏ ।

ଆଜିକାଲି ଦାନାରେ ପ୍ରାଣୀଜ ପୁଷ୍ଟିସାରର ବ୍ୟବହାର କମ୍ କରାଯାଉଛି । ସେଥିପାଇଁ ଉଦ୍ଭିଦ ପୁଷ୍ଟିସାର ପାଇଁ ବ୍ୟବହାର ହେଉଥିବା ପିଡ଼ିଆରେ ଅଭାବ ଥିବା ଆମିନୋ ଅମ୍ଳ ଯଥା ଲାଇସିନ୍ ଓ ମିଥୁଓନିନ୍ ଦାନାରେ ମିଶାଯାଉଛି ।

ଏହା ବ୍ୟତୀତ ଦାନାରେ ବହୁତ ପ୍ରକାର ଅନ୍ୟାନ୍ୟ ଦ୍ରବ୍ୟ ମିଶାଯାଉଛି । ଆଣ୍ଟିବାୟୋଟିକ୍ ଖାଦ୍ୟରେ ଆଉ ମିଶାଯାଉ ନାହିଁ । ତା ବଦଳରେ ପ୍ରୋବାୟୋଟିକ୍  ଓ ପ୍ରିବାୟୋଟିକ୍ ମିଶାଯାଉଛି । ଖାଦ୍ୟ ଭଲ ହଜମ ପାଇଁ ଏବଂ ଅଧିକ ଫସଫରସ୍ ଖାଦ୍ୟରୁ ମିଳିବା ପାଇଁ ବିଭିନ୍ନ ପ୍ରକାର ଏନ୍‌ଜାଇମ୍ ମଧ୍ୟ କୁକୁଡ଼ା ଦାନାରେ ମିଶାଯାଉଛି । ଏହିସବୁ ମିଶାଗଲେ ଚିଆଁମାନେ ଶୀଘ୍ର ବଢ଼ନ୍ତି, ରୋଗରେ କମ୍ ଆକ୍ରାନ୍ତ ହୁଅନ୍ତି । ଫଳରେ ଉତ୍ପାଦନ କ୍ଷମତା ବଢ଼ିବା ସହିତ ଖାଦ୍ୟବିନିଯୋଗର ଦକ୍ଷତା ବଢ଼ିଥାଏ ।

ଜୀବନର ପ୍ରଥମ ୮-୧୦ ସପ୍ତାହ ମଧ୍ୟରେ ଚିଆଁମାନେ କକ୍‌ସିଡ଼ିଆ ବା ନାଳରକ୍ତ ଝାଡ଼ାରେ ଆକ୍ରାନ୍ତ ହେବାର ଆଶଙ୍କା ବେଶୀ ଥାଏ । ନାଳ ରକ୍ତ ଝାଡ଼ା କିପରି ନ ହେବ, ସେଥିପାଇଁ ଚିଆଁ ଦାନାରେ ପ୍ରତିଶୋଧକ ଔଷଧ ମିଶାଯାଏ । ବଜାରରେ ମିଳୁଥିବା କେତେକ ଔଷଧର ନାମ ହେଲା – ଏମପ୍ରୋଲ୍ ପ୍ଲସ୍, ଡକ୍ ଡକ୍‌ସିଭ ଇନ୍, କକ୍‌ସିଲିଅନ୍, କକ୍‌ସିଷ୍ଟାକ୍, କକ୍‌ସିନିଲ୍ ଇତ୍ୟାଦି । ଏଗୁଡ଼ିକ ଏକ କ୍ଵିଣ୍ଟାଲ୍ ଦାନାରେ ୫୦ ଗ୍ରାମ୍ ହିସାବରେ ମିଶାଯାଇଥାଏ ।

ପ୍ରଥମରୁ ବର୍ଣ୍ଣିତ ସମସ୍ତ ଉପାଦାନ ବ୍ୟତୀତ କେତେକ ଅଣ ପାରମ୍ପରିକ ଉପାଦାନ ମଧ୍ୟ କୁକୁଡ଼ା ଦାନାରେ ମିଶାଯାଇଥାଏ । ପାରମ୍ପରିକ ଉପାଦାନ ଗୁଡ଼ିକ ବର୍ତ୍ତମାନ ବେଶୀ ପରିମାଣରେ ମିଳୁ ନାହିଁ । କାରଣ କେତେକ ଉପାଦାନ ମଣିଷ ଖାଇବା ପାଇଁ ବ୍ୟବହାର ହେଲାଣି ତ, କେତେକରୁ ସେଥିରେ ଥିବା ଖାଦ୍ୟସାର ଗୁଡ଼ିକ କାଢ଼ି ନିଆଯାଇ ଅଧିକ ଦାମରେ ବିକ୍ରି ହୋଇପାରୁଛି । କେତେକ ଅଣପାରମ୍ପରିକ ଉପାଦାନ ହେଲା ଶାଳ ମଞ୍ଜି ପିଡ଼ିଆ, ଆମ୍ବ, ଟାକୁଆ, କୋଇଲି, ତେନ୍ତୁଳି ମଞ୍ଜି, ବାବୁଲ୍ ମଞ୍ଜି, ଟାପିଓକା, ପୋଲାଙ୍ଗ ପିଡ଼ିଆ, ବେଙ୍ଗ, ଶୁଖୁଆ ଗୁଣ୍ଡ, ଶୁଖିଲା  ରକ୍ତ ଗୁଣ୍ଡ ଇତ୍ୟାଦି । କୁକୁଡ଼ା ଦାନା ତିଆରି କରିବା ପୂର୍ବରୁ କେତେଗୁଡ଼ିଏ ବିଷୟ ପ୍ରତି ଧାନ ଦେବାକୁ ହୋଇଥାଏ । ସେଗୁଡ଼ିକ ହେଲା କେଉଁ ବୟସର କୁକୁଡ଼ା, ମାଂସ ପାଇଁ ନା, ଅଣ୍ଡା ପାଇଁ । ବିଭିନ୍ନ ବୟସ ଏବଂ କିସମ ପାଇଁ କୁକୁଡ଼ା ମାନଙ୍କର ଦରକାର ହେଉଥିବା ଖାଦ୍ୟର ପରିମାଣ ଭିନ୍ନ ଅଟେ । ତେଣୁ ଆବଶ୍ୟକ ହେଉଥିବା ପରିମାଣକୁ ନେଇ ବିଭିନ୍ନ କିସମର ଦାନା ତିଆରି ହୋଇଥାଏ ।

ସାରଣୀ – ୧

କେତୋଟି ଆଦର୍ଶ କୁକୁଡ଼ା ଦାନାର ସୂତ୍ର (ଅଣ୍ଡା ପାଇଁ)

ଉପାଦାନ

ଚିଆଁ

ବଢ଼ନ୍ତା କୁକୁଡ଼ା  ୦ – ୮ ସପ୍ତାହ (%)

ଅଣ୍ଡା ଦିଆ କୁକୁଡ଼ା ୨୧ ସପ୍ତାହ – ଦେଢ ବର୍ଷ (%)

ମକା

୫୫

୫୭

୫୮

ବାଦାମ ପିଡ଼ିଆ

୧୫

୧୦

ରାଶି ପିଡିଆ

୧୦

୧୦

କୁଣ୍ଡା (ତେଲ ବାହାରିଥିବା)

୨୦

ଶୁଖୁଆ ଗୁଣ୍ଡ

୧୦

ଶାମୁକା ଗୁଣ୍ଡ

-

-

-

ଖଣିଜ ଲବଣ (ଲୁଣ ମିଶ୍ରିତ)

ଭିଟାମିନ ଏ, ବି2 , ଡି3 , କେ ( ହାଇବ୍ଲେନଣ୍ଡ )

୧୦ ଗ୍ରାମ୍

୧୦ ଗ୍ରାମ୍

୧୦ ଗ୍ରାମ୍

ଭିଟାମିନ ବି ମିଶ୍ରିତ

୫୦ ଗ୍ରାମ୍

୫୦ ଗ୍ରାମ୍

୫୦ ଗ୍ରାମ୍

 

ଦାନାରେ ବ୍ୟବହୃତ ବିଭିନ୍ନ ଉପାଦାନର ସୁଲଭତା ଓ ମୂଲ୍ୟକୁ ବିଚାରକୁ ନେଇ ଦାନାର ସୂତ୍ର ବଦଳାଯାଇ ପାରେ । ସୂତ୍ର ବଦଳାଇବା ବେଳେ ଉପାଦାନ ଗୁଡ଼ିକରେ ରହୁଥିବା ଖାଦ୍ୟସାର ପରିମାଣକୁ ବିଚାରକୁ ନେଇ ବଦଳାଯାଏ । ଫଳରେ ଦାନରେ ଆବଶ୍ୟକ ହେଉଥିବା ଖାଦ୍ୟସାର ପରିମାଣ ଯେପରି ଠିକ୍ ରହେ ।

କୁକୁଡ଼ାମାନଙ୍କୁ ଖାଦ୍ୟଦେବା ପଦ୍ଧତି ଓ ତା’ର ପରିଚାଳନା

କୁକୁଡ଼ା ପାଳନରେ ଅଧିକ ଲାଭବାନ ହେବା ପାଇଁ କୁକୁଡ଼ାମାନଙ୍କୁ ସୁଷମ ଖାଦ୍ୟ ଦେବା ସଙ୍ଗେ ସଙ୍ଗେ ଖାଦ୍ୟ ଦେବା ପଦ୍ଧତିର ସୁପରିଚାଳନା ମଧ୍ୟ ନିହାତି ଆବଶ୍ୟକ । ଦାନା ଯଦି ଉପଯୁକ୍ତ ପଦ୍ଧତିରେ କୁକୁଡ଼ା ମାନଙ୍କୁ ଯୋଗାଇ ନ ଦିଆଯାଏ, ତେବେ ଦାନା ନଷ୍ଟ ହେବା ସଙ୍ଗେ ସଙ୍ଗେ କୁକୁଡ଼ାମାନଙ୍କର ଆଶାନୁରୂପ ଓଜନ ବୃଦ୍ଧି ପାଇବାରେ ବାଧା ସୃଷ୍ଟି ହୁଏ । ପ୍ରଧାନତଃ ବ୍ରଏଲର ବା ମାଂସ ପାଇଁ କୁକୁଡ଼ା ପାଳନରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କୁକୁଡ଼ାମାନଙ୍କୁ ଦାନା ଦେବା ପାଇଁ ଦାନାଧାନୀ ବ୍ୟବହାର କରାଯାଏ । ଏହାକୁ ଫିତର କହନ୍ତି । ସାଧାରଣତଃ ବଜାରରେ ଦୁଇ ପ୍ରକାରର ଫିତର ମିଳୁଅଛି ।

ଯଥା –

  1. ଟ୍ରଫ୍ ଫିତର ବା ଲମ୍ବା ଖାଦ୍ୟନାଳୀ । ଏହା ଲମ୍ବା ଓ ଅପ୍ରସସ୍ଥ । ଦାନା ନଷ୍ଟ ନ ହେବା ପାଇଁ ଏହା ଉପରେ ଗ୍ରୀଲ୍ ଘୋଡଣୀ ବ୍ୟବହାର କରାଯାଏ । ଏହା ବିଭିନ୍ନ ମାପର ଅଛି, ଯଥା- ଚିଆଁଙ୍କ ପାଇଁ, ବଢ଼ନ୍ତା କୁକୁଡ଼ାଙ୍କ ପାଇଁ ଓ ବଡ଼ କୁକୁଡ଼ାଙ୍କ ପାଇଁ ଏହାର ମାପ ଅଲଗା ।
  2. ଟିଉବ୍ ଫିତର ବା ଗୋଲାକାର ଦାନାଧାରୀ – ଏହା ଗୋଲାକାର ଆକୃତିର । ଏହାର ଉପର ପଟେ ଖାଦ୍ୟ ଦେବା ପାଇଁ ବାଟ ଥାଏ । ଏହାକୁ ଏପରି ଟାଙ୍ଗିବାକୁ ପଡ଼ିଥାଏ ଯେପରି ଖାଦ୍ୟ ଧ୍ବରେ ଧରେ ବା ଭିତରୁ ବାହାରିବ । ସାଧାରଣତଃ ଏହାର ପ୍ରାନ୍ତ କୁକୁଡ଼ାଙ୍କର ପିଠି ଉଚ୍ଚାରେ ରଖୁବା ଉଚିତ୍ । ଏହା ଦୁଇ ପ୍ରକାରର । ଯଥା - ବଢ଼ନ୍ତା କୁକୁଡ଼ାଙ୍କ ପାଇଁ ଓ ବଡ଼ କୁକୁଡ଼ାଙ୍କ ପାଇଁ ।

ପ୍ରତି କୁକୁଡ଼ାଙ୍କ ପାଇଁ ଦାନାଧାନୀରେ ସ୍ଥାନର ପରିମାଣ –

କୁକୁଡ଼ାଙ୍କ ବୟସ

ପ୍ରତି କୁକୁଡ଼ା ପାଇଁ ଦାନାଧାନୀରେ ସ୍ଥାନ

୧. ୧୫ ଦିନ

୧ ଇଞ୍ଚ ଲମ୍ବ ( ୨.୫ ସେ.ମି)

୧୫ ରୁ ୪୨ ଦିନ

୧.୭୫ ଇଞ୍ଚ ଲମ୍ବ ( ୪.୫ ସେ.ମି)

୪୩ ରୁ ୮୪ ଦିନ

୩ ଇଞ୍ଚ ଲମ୍ବ (୭.୫ ସେ.ମି.)

୧୨ ସପ୍ତାହରୁ ଊର୍ଦ୍ଧ୍ଵ

୫ ଇଞ୍ଚ ଲମ୍ବ (୧୨.୫ ସେ.ମି.)

 

ଉପରୋକ୍ତ ଅନୁସାରେ ହିସାବ କରି କୁକୁଡ଼ାଙ୍କ ସଂଖ୍ୟା ଅନୁସାରେ ଦାନାଧାନୀ ଯୋଗାଇ ଦେବା ଉଚିତ୍ । ଦାନାଧାନୀଙ୍କ ସଂଖ୍ୟା କୁକୁଡ଼ାଙ୍କ ସଂଖ୍ୟା ତୁଳନାରେ କମ ହେଲେ ସେମାନଙ୍କ ଭିତରେ ଓଜନର ତାରତମ୍ୟ ହୋଇଥାଏ । କାରଣ ଦୁର୍ବଳ ଶ୍ରେଣୀର କୁକୁଡ଼ାମାନେ ସବଳ ଶ୍ରେଣୀର କୁକୁଡ଼ାମାନଙ୍କ ସହ ପ୍ରତିଯୋଗିତା କରି ଦାନା ଖାଇପାରନ୍ତି ନାହିଁ ଏବଂ ସମସ୍ତ କୁକୁଡ଼ା ଦାନା ଖାଇବାକୁ ସମାନ ସୁଯୋଗ ପାଇପାରନ୍ତି ନାହିଁ ।

କୁକୁଡ଼ା ଛୁଆଙ୍କୁ ଦାନା ଦେବାବେଳେ କେତୋଟି ସାଧାରଣ ନିୟମ

  1. ଟ୍ରଫ୍ଫିଡର ବ୍ୟବହାର କରିବା ସମୟରେ ଦାନାଧାନୀକୁ କଦାପି ଅଧାରୁ ଅଧିକ ଦାନାରେ ଭରି କରିବେ ନାହିଁ । କାରଣ ଗବେଷଣା ମାଧମରେ ଦାନା କ୍ଷତିର ପରିମାଣ ନିମ୍ନଲିଖିତ କ୍ରମେ କାର୍ଯ୍ୟ କରାଯାଉଛି ।
  • ଦାନାଧାନୀ ପୁରା ଭରି କରି ଖାଦ୍ୟ ଦେଲେ ଶତକଡ଼ା ୩୦ ଭାଗ ଦାନା ନଷ୍ଟ ହୋଇଥାଏ ।
  • ଦାନାଧାନୀରେ ଦୁଇ-ତୃତୀୟାଂଶ ଭରି କଲେ ଶତକଡ଼ା ୧୦ ଭାଗ ଦାନା ନଷ୍ଟ ହୁଏ I
  • ଦାନାଧାନୀର ଅଧା ଅଂଶ ଭର୍ତ୍ତି କଲେ ଶତକଡ଼ା ୩ ଭାଗ ଦାନା ନଷ୍ଟ ହୁଏ ।
  • ମାତ୍ର ଦାନାଧାନୀର ଏକ ତୃତୀୟାଂଶ ଭର୍ତ୍ତି କଲେ ଶତକଡ଼ା ଏକ ଭାଗ ଦାନା ନଷ୍ଟ ହୁଏ । ତେଣୁ ଦାନା ଦେବାବେଳେ ଦାନାଧାନୀର ଏକ ତୃତୀୟାଂଶ ଭର୍ତ୍ତି କରି ଦାନା ଦେବା ଉଚିତ୍ ।
  1. କୁକୁଡ଼ା ଛୁଆ ଓ ବ୍ରାଏଲର ମାନଙ୍କୁ ଦିନକୁ ଥରେ ଦାନା ନଦେଇ ପ୍ରତିଦିନ ପ୍ରାୟ ୩-୪ ଥର ଲେଖାଏଁ ଦାନା ଦେବା ଉଚିତ୍ । ଅଣ୍ଡା ପାଇଁ ପାଳୁଥିବା କୁକୁଡ଼ାମାନଙ୍କୁ ୮-୧୦ ସପ୍ତାହ ପରେ ଦିନକୁ ଅନ୍ତତଃ ୨ ରୁ ୩ ଥର ଲେଖାଏଁ ଦାନାଧାନୀରେ ଦାନା ଦେବା ଦରକାର । ଏହାଦ୍ଵାରା କୁକୁଡ଼ାମାନେ ଅଧିକ ଦାନା ଖାଇବାକୁ ଉତ୍ସାହିତ ହୁଅନ୍ତି । ଅଧିକ ପରିଶ୍ରମ ହେଲେ ସୁଦ୍ଧା ଏହା କୁକୁଡ଼ାଙ୍କ ଓଜନ ବୃଦ୍ଧିରେ ସାହାଯ୍ୟ କରିଥାଏ । ପ୍ରଧାନତଃ ବ୍ରଏଲରରେ ଏହାର ଉପାଦେୟତା ଉଲ୍ଲେଖନୀୟ।
  2. କୁକୁଡ଼ା ଘରର ଯେଉଁ ସ୍ଥାନରେ ଅଧିକ ପ୍ରାକୃତିକ ଆଲୋକ ପଡ଼ୁଥିବ ସେହି ସ୍ଥାନମାନଙ୍କରେ ଦାନାଧାନୀକୁ ରଖୁବା ଆବଶ୍ୟକ ।
  3. ପ୍ରତିଥର ଦାନା ଦେବାବେଳେ ଦାନାଧାନୀର ଗୋଟିଏ ପାର୍ଶ୍ୱକୁ ଉଠାଇ ଆଗରୁ ବଳିଥିବା ଅବଶିଷ୍ଟାଂଶ ଦାନାକୁ ଗୋଟିଏ କଡ଼କୁ ନେଇଆସି ନୂଆ ଦାନା ଦେବ ଏବଂ ଏହି ଅବଶିଷ୍ଟାଂଶକୁ ନୂଆ ଦାନା ଉପରେ ଖେଳାଇ ଦେବ ।
  4. ଦାନାଧାନୀକୁ ଓ ଜଳଧାନୀକୁ ଏପରି ରଖିବେ ଯେପରି କୁକୁଡ଼ାମାନଙ୍କୁ ଅଧିକ ଚାଲିବାକୁ ନ ପଡ଼େ । ଆବଶ୍ୟକତା ଠାରୁ ଅଧିକ ବୁଲାବୁଲିରେ ସେମାନେ ଯେତିକି ଖାଦ୍ୟ ଖାଆନ୍ତି, ତାହା ସେମାନଙ୍କ ଓଜନ ବୃଦ୍ଧିରେ ନ ଲାଗି ଅଯଥା ଅପଚୟ ହୋଇଥାଏ । ତେଣୁ ଦାନା ଓ ପାଣିପାଇଁ ଯେପରି କୁକୁଡ଼ା ଛୁଆଙ୍କୁ ୧୦ ଫୁଟରୁ ଅଧିକ ଚାଲିବାକୁ ନ ପଡ଼େ, ସେଥିପ୍ରତି ଦୃଷ୍ଟି ଦେବା ଦରକାର । ପାଖରେ ଓ ସୁବିଧାରେ ଖାଦ୍ୟ ପାଇଲେ କୁକୁଡ଼ା ଚୁଆ ମୁଖ୍ୟତଃ ବ୍ରଏଲର ଛୁଆମାନେ ଅଧିକ ଖାଇଥାନ୍ତି ଓ ସେମାନଙ୍କର ଓଜନ ବୃଦ୍ଧି ଭଲ ହୋଇଥାଏ ।
  5. ପ୍ରତି  ୨-୩ ଦିନରେ ଦାନାଧାନୀର ଓ ଜଳଧାନୀ ସ୍ଥାନ ବଦଳାଇ କିମ୍ବା ତା ତଳେ ଅବା ଲିଟରକୁ ଏପଟ ସେପଟ କରି ଘାଣ୍ଟି ଦେବେ । ଏହାଦ୍ଵାରା ଲିଟର ଖରାପ ହୋଇ ଲିଟର ଜନିତ ରୋଗ ହେବାର ସମ୍ଭାବନା ନଥାଏ ।
  6. ଦାନାଧାନୀରେ ଯେପରି ଲିଟର ନ ମିଶେ ସେଥିପ୍ରତି ଦୃଷ୍ଟି ଦେବେ ।
  7. କୁକୁଡ଼ା ଛୁଆ ଆସ୍ତେ ଆସ୍ତେ ବଢ଼ିବା ସଙ୍ଗେ ସଙ୍ଗେ ଛୋଟ ଛୋଟ ଦାନାଧାନୀ ଓ ଜଳଧାନୀ ପରିବର୍ତ୍ତେ ବଡ଼ ଆକାରର ଦାନାଧାନୀ ଓ ଜଳଧାନୀ ଯୋଗାଇ ଦେବା ଉଚିତ୍ ।
  8. ଯଥେଷ୍ଟ ସଫା ପାଣି ଦିନକୁ ୨ ଥର କୁକୁଡ଼ାଙ୍କୁ ଦେବା ଦରକାର ।

କୁକୁଡ଼ା ଛୁଆଙ୍କୁ ପ୍ରଥମ ୩-୪ ଦିନ ଦାନା ଦେବା ପଦ୍ଧତି

  1. କୁକୁଡ଼ା ଛୁଆମାନେ ଅଣ୍ଡାରୁ ଫୁଟିବା ପରେ ପ୍ରଥମ ୨୪ ଘଣ୍ଟା ଦାନା ନ ଖାଇ ରହିପାରନ୍ତି । ଏହି ସମୟରେ ଦାନା ସେମାନଙ୍କର ଦରକାର ହୋଇ ନଥାଏ । କୁକୁଡ଼ା ଛୁଆଙ୍କୁ ହାଚେରୀରୁ ଆଣି ଫାର୍ମରେ ପହଞ୍ଚିବାକୁ ବେଶି ସମୟ ଲାଗୁଥିଲେ, ପ୍ରଥମେ କୁକୁଡ଼ା ଛୁଆଙ୍କୁ ପାଣି ସହ ଗ୍ଲୁ କୋଜ ଡି ବା ଇଲେକ୍ଟ୍ରୋରାଲ୍ ପାଉଡର ମିଶାଇ ପିଇବାକୁ ଦେବା ଉଚିତ୍ । ଏହା ସେମାନଙ୍କ ଶକ୍ତି ଯୋଗାଇ ଥାଏ ।
  2. କୁକୁଡ଼ା ଛୁଆଙ୍କ ପ୍ରଥମ ୩-୪ ଦିନ ଚୁଡ଼ର ତଳେ ଓ ଲିଟର ଉପରେ କାଗଜ ଚାରିଆଡ଼େ ବଛାଇ ଛଡ଼ାଯାଏ । କୁକୁଡ଼ା ଛୁଆମାନେ ଛୁଆ ଖାଦ୍ୟ ଖାଇ ଶିଖୁଥିବା ସମୟରେ ଯେପରି ଲିଟର ନ ଖାଆନ୍ତି ସେଥିପାଇଁ ଚୁଡ଼ର ତଳେ ବିଛାଯାଇଥିବା କାଗଜ ଉପରେ ଦ୍ଵିତୀୟ ଦିନଠାରୁ (ଚିକ୍ ମାଶ) କୁକୁଡ଼ାଛୁଆଙ୍କ ଦାନାକୁ ବିଞ୍ଚୁ କରି ଯୋଗାଇ ଦେବା ଆବଶ୍ୟକ । ମାତ୍ର ପ୍ରଥମ ଦିନଠାରୁ କୁକୁଡ଼ାଛୁଆ ପାଣି ପିଇବା ଅପରିହାର୍ଯ୍ୟ । ତେଣୁ କୁକୁଡ଼ା ଛୁଆକୁ ପାଣି ପିଇବା ପାଇଁ ଅଭ୍ୟସ୍ତ ମଧ୍ୟ କରାଇବା ଦରକାର ।
  3. ଦ୍ଵିତୀୟ ଦିନଠାରୁ ଉପରୋକ୍ତ ଭାବେ ଦାନା ଦେବା ସଙ୍ଗେ ସଙ୍ଗେ ଦାନାଧାନୀରେ ମଧ୍ୟ ଦାନା ଦେବାକୁ ହୋଇଥାଏ । କୁକୁଡ଼ା ଛୁଆମାନଙ୍କ ପାଇଁ ମିଳୁଥିବା ଦାନାଧାନୀ। (ଚିକ୍‌ଫିତର) ରେ ଦାନା ଦେବା ଉଚିତ୍ ।
  4. ଛୁଆମାନଙ୍କ ପ୍ରଥମେ ୩-୪ ଦିନ ଦାନାଧାନୀରେ ଦାନା ପୁରା ଭର୍ତ୍ତି କରି ଦେବାକୁ ହୋଇଥାଏ । ଫଳରେ ସେମାନେ ଦାନାଧାନୀରୁ ଦାନା ଖାଇବାକୁ ଶିଖିଥାନ୍ତି ।
  5. କୁକୁଡ଼ା ଛୁଆମାନେ ଦାନାଧାନୀରେ ଦାନା ଖାଇବା ଆରମ୍ଭ କଲେ କାଗ ଉପରେ ଆଉ ଦାନା ବିଞ୍ଚିକରି ଦେବା ଦରକାର ନାହିଁ ।
  6. କୁକୁଡ଼ା ଛୁଆମାନଙ୍କୁ ଅତିଗୁଣ୍ଡ ଚିକ୍‌ମାଶ ଦେବା ଉଚିତ୍ ନୁହେଁ । କାରଣ ଏହିପରି ଦାନା ତଣ୍ଟିରେ ଲାଗି କୁକୁଡ଼ାଛୁଆଙ୍କୁ ମୃତ୍ୟୁମୁଖରେ ପକାଇଥାଏ ।
  7. ପ୍ରଥମ କେତେଦିନ ଦାନାଧାନୀ ଓ ଜଳଧାନୀକୁ ବ୍ରତର ତଳ ଧାର ପାଖେ ପାଖେ ରଖିବା ଆବଶ୍ୟକ ଏବଂ ଆସ୍ତେ ଆସ୍ତେ ଦରକାର ମୁତାବକ ଦୂରକୁ ରଖିବା ଦରକାର ।
  8. କୁକୁଡ଼ାଛୁଆଙ୍କୁ ଛୋଟ ଛୋଟ ଜଳଧାନୀରେ ପାଣି ଦେବା ଉଚିତ୍ । ଅଳ୍ପ ସଂଖ୍ୟକ ବଡ଼ ଆକାରର ଜଳଧାନୀ ଅପେକ୍ଷା ବେଶୀ ସଂଖ୍ୟକ ଛୋଟ ଆକାରର ଜଳଧାନୀ। କୁକୁଡ଼ାଛୁଆଙ୍କ ଯୋଗାଇ ଦେବା ପ୍ରୟୋଜନ ।

ଉପରୋକ୍ତ ଧାରାରେ କୁକୁଡ଼ାଛୁଆଙ୍କୁ ଦାନା ଓ ଜଳଦେଲେ କୁକୁଡ଼ାଙ୍କର ଶରୀର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଅଯଥା ଦାନା ନଷ୍ଟ ହୁଏ ନାହିଁ ।

କୁକୁଡ଼ାପାଳନ ପାଇଁ ଜାତୀୟା କୁକୁଡ଼ା ଓ ଭିନ୍ନ ଭିନ୍ନ କୁକୁଡ଼ା ମିଳୁଥିବା ଜାଗାର ନାମ

ପ୍ରଧାନତଃ କୁକୁଡ଼ା ପାଳନ ଦୁଇ ପ୍ରକାର । ଅଣ୍ଡା ପାଇଁ କୁକୁଡ଼ା ପାଳନ ଏବଂ ମାଂସ ପାଇଁ କୁକୁଡ଼ା ପାଳନ । ଏହି ଦୁଇ ପ୍ରକାର ମଧ୍ୟରେ ପାର୍ଥକ୍ୟ କେବଳ ମାଂସ ପାଇଁ କୁକୁଡ଼ା ପାଳନ କଲେ କୁକୁଡ଼ା ଗୁଡ଼ିକ ଦେଢ଼ମାସରୁ ଦୁଇମାସ ମଧ୍ୟରେ ପ୍ରାୟ ଦେଢ଼ କିଲୋରୁ ଦୁଇ କିଲୋ ଓଜନର ହୋଇ ମାଂସ ଉପଯୋଗୀ ହୋଇପାରନ୍ତି । କିନ୍ତୁ ଅଣ୍ଡା ପାଇଁ ମିଳୁଥିବା ସ୍ଵତନ୍ତ୍ର ଜାତିର କୁକୁଡ଼ାକୁ ଅଣ୍ଡା ଉତ୍ପାଦନ ପାଇଁ ପାଳନ କରାଯାଏ । ନିଜର ଗୁଣ ଯୋଗୁଁ କୁକୁଡ଼ାମାନେ ମାଂସ ପାଇଁ ଉର୍ଦ୍ଦିଷ୍ଟ କୁକୁଡ଼ା ଦାନାକୁ ମାଂସରେ ଏବଂ ଅଣ୍ଡା ପାଇଁ ଉର୍ଦ୍ଦିଷ୍ଟ କୁକୁଡ଼ା ଦାନାକୁ ଅଣ୍ଡାରେ ପରିଣତ କରିବାରେ ଅଧିକ ସକ୍ଷମ ହୁଅନ୍ତି । ଫଳରେ ଅଣ୍ଡା ଦିଆ କୁକୁଡ଼ାର ଦେହର ଓଜନ ବର୍ଷସାରା ପ୍ରାୟ ସମାନ ଓ କମ୍ ଥାଏ । କିନ୍ତୁ ମାଂସ ପାଇଁ ଉର୍ଦ୍ଦିଷ୍ଟ କୁକୁଡ଼ାର ଓଜନ ବଢ଼ିଚାଲେ ।

କୁକୁଡ଼ା ପାଳନ କରି ଲାଭବାନ ହେବାକୁ ହେଲେ ଆମ୍ଭମାନଙ୍କୁ ମୁଖ୍ୟତଃ ପାଞ୍ଚୋଟି  ବିଷୟ ପ୍ରତି ସଚେତନ ରହିବାକୁ ପଡ଼ିବ ।

  1. ଅଧିକ ଅଣ୍ଡା କିମ୍ବା ମାଂସ ଉତ୍ପାଦନକ୍ଷମ ଜାତିର କୁକୁଡ଼ା ପାଳନ ।
  2. ଉପଯୁକ୍ତ ପରିମାଣର ସନ୍ତୁଳିତ ଦାନାର ସୁବ୍ୟବସ୍ଥା ।
  3. କୁକୁଡ଼ା ମାନଙ୍କର ସୁପରିଚାଳନା ଓ କୁକୁଡ଼ାମାନଙ୍କର ଉପଯୁକ୍ତ ଯତ୍ନ ।
  4. ନିୟମିତ ରୋଗ ପ୍ରତିଷେଧକ ବ୍ୟବସ୍ଥା ଓ ଚିକିସ୍ଥାର ସୁବ୍ୟବସ୍ଥା ।
  5. ଉପଯୁକ୍ତ ସମୟରେ କୁକୁଡ଼ା ଅଣ୍ଡା କିମ୍ବା ମାଂସ ବିକ୍ରୟର ସୁବ୍ୟବସ୍ଥା ।

ଆମ୍ଭେ ଏଠାରେ ଉପରୋକ୍ତ ପାଞ୍ଚୋଟି ବିଷୟରୁ ପ୍ରଥମ ବିଷୟ ଉପରେ ଆଲୋଚନା କରୁଅଛୁ ।

ଅଧିକ ଅଣ୍ଡା କିମ୍ବା ମାଂସ ଉତ୍ପାଦନକ୍ଷମ କୁକୁଡ଼ା –

ଆମେ ଏଠାରେ କେତେଗୁଡ଼ିଏ ଉନ୍ନତ ଧରଣର ଜାତୀୟା କୁକୁଡ଼ାମାନଙ୍କ ବିଷୟରେ ଆଲୋଚନା କରୁଅଛୁ, ଯେଉଁମାନେ ସେମାନଙ୍କର ସ୍ଵତନ୍ତ୍ର ଗୁଣ ଯୋଗୁଁ ଅଧିକ ଅଣ୍ଡା କିମ୍ବା ମାଂସ ଉତ୍ପାଦନ କରିବାରେ ସକ୍ଷମ ଅଟନ୍ତି ।

  1. ପ୍ଲାଏମାଉଥ୍ ରକ୍ – ଏହି ଜାତିର କୁକୁଡ଼ାମାନଙ୍କୁ ଅଣ୍ଡା ଏବଂ ମାଂସ ଉଭୟ ପାଇଁ ପାଳନ କରାଯାଇଥାଏ । ଗୋଟିଏ ବୟସ୍କ ଗଞ୍ଜାର ଓଜନ ସାଢ଼େ ୪. କେ.ଜି. ଏବଂ ଗୋଟିଏ ମାଈ କୁକୁଡ଼ାର ଓଜନ ସାଧାରଣତଃ ସାଢ଼େ ୩ କେ.ଜି. ହୋଇଥାଏ । କିନ୍ତୁ ଗୋଟିଏ ପେଣ୍ଠିର ଓଜନ ଅଢ଼େଇରୁ ତିନି କେ.ଜି. ହୋଇଥାଏ । ଏହି ଜାତିର କୁକୁଡ଼ା ଧଳା କିମ୍ବା ଚିତିରି ରଙ୍ଗର ହୋଇଥାଆନ୍ତି । ଚିତିରି ପ୍ଲାଏ ମାଉଥ ରକର ଦେହରେ ଧଳା ଏବଂ କଳା ରଙ୍ଗ ପଟା ପଟା ହୋଇ ପଡ଼ିଥାଏ ଓ ନଳୀଗୋଡ଼ରେ କଳା କଳା ବିନ୍ଦୁ ରହିଥାଏ ।
  2. ରୋଡ଼ ଆଇଲାଣ୍ଡ ରେଡ଼୍ – ଏମାନେ ମଧ୍ୟ ଉଭୟ ଉଦ୍ଦେଶ୍ୟ ପାଇଁ ପାଳନ କରାଯାଇ ଥାଆନ୍ତି । ଏମାନେ ସାଧାରଣତଃ ଲାଲ ରଙ୍ଗର ହୋଇଥାଆନ୍ତି ଏବଂ ଇଷତ୍ ଲାଲ ରଙ୍ଗର ଅଣ୍ଡା ଦେଇଥାଆନ୍ତି । ଏମାନଙ୍କର ଆଖି ଏବଂ କାନର ରଙ୍ଗ ଲାଲ ଓ ଗୋଡ଼ର ରଙ୍ଗ ଘନ ହଳଦିଆ ହେବା ସଙ୍ଗେ ସଙ୍ଗେ ଲାଞ୍ଜରେ ଗାଢ଼ ଲାଲ ସହିତ କଳାରଙ୍ଗର ପର ରହିଥାଏ । ଗୋଟିଏ ବଡ଼ ଗଞ୍ଜାର ଓଜନ ଚାରି କେଢି ହେବା ବେଳେ ମାଈର ଓଜନ ତିନି କେଜି ହୋଇଥାଏ ।
  3. ନିୟୁ ହାମ୍ପସାୟାର ଏହି କୁକୁଡ଼ାଟି ଆମେରିକାର ନିଉ ହାମ୍ପସାୟର ଜାଗାରୁ ଉତ୍ପନ୍ନ ହୋଇଛି । ଏମାନଙ୍କ ଭଲ ଗୁଣ ହେଲା  ଏମାନେ ଶୀଘ୍ର ଅଣ୍ଡା ଦିଅନ୍ତି । ଶୀଘ୍ର ଏମାନଙ୍କର ପର ବଢ଼େ । ଏମାନେ ବହୁତ ଅଣ୍ଡା ଦିଅନ୍ତି ଏବଂ ଏମାନେ ମଧ୍ୟ ଭଲ ମାଂସ ଉତ୍ପାଦନ କରିଥାଆନ୍ତି । ଗୋଟିଏ ବଡ଼ ଗଞ୍ଜାର ଓଜନ ୪. କେ.ଜି. ଏବଂ ମାଈର ଓଜନ ୩ କେ.ଜି. ହୋଇଥାଏ ।
  4. ୱାନ୍ ଡୋଟ୍ ଏହି କୁକୁଡ଼ା ମାନଙ୍କର ଗୁଣ ରୋଡ଼ ଆଇଲାଣ୍ଡ ରେଡ୍ କୁକୁଡ଼ା ମାନଙ୍କର ଗୁଣ ସହିତ ସମାନ ।

ଆମ ଦେଶରେ ମିଳୁଥିବା ଉଭୟ ଗୁଣ ସମ୍ପନ୍ନ କୁକୁଡ଼ାମାନେ ହେଲେ ବ୍ରହ୍ମା, କୋଚିନ, ନାଗସାନ୍ ଇତ୍ୟାଦି ।

ଲେଗ୍ ହର୍ଣ୍ଣ –

ଏମାନେ ପ୍ରଥମେ ବିଦେଶରେ ଉତ୍ପନ୍ନ ହୋଇଥିଲେ । ଏହି ଜାତିର କୁକୁଡ଼ାମାନେ ସାଧାରଣତଃ ଅଣ୍ଡା ପାଇଁ ପାଳନ କରାଯାଇ ଥାଆନ୍ତି । ଏମାନେ ବିଭିନ୍ନ ରଙ୍ଗରେ ମିଳୁଥିଲେ ହେଁ ଧଳା ରଙ୍ଗର ଲେଗହର୍ଣ୍ଣ ଅଣ୍ଡା ପାଇଁ ପ୍ରସିଦ୍ଧି ଲାଭ କରିଅଛି । ଏହି ଜାତିର କୁକୁଡ଼ା ମାନଙ୍କର ବିଶେଷ ଗୁଣ ହେଲା ସେମାନେ ଖୁବ୍ ଶୀଘ୍ର ଅଣ୍ଡା ଦେଇ ଥାଆନ୍ତି । ଏମାନଙ୍କର ଚୂଳ ଲମ୍ବା ଓ ଗୋଡ ଲମ୍ବା ନାଲିଆ । ଏମାନେ କୁଡୁକି ବସନ୍ତି ନାହିଁ । ବର୍ଷକୁ ପ୍ରାୟ ୩୦୦ ରୁ ୩୨୦ ପର୍ଯ୍ୟନ୍ତ ଧଳା ଅଣ୍ଡା ଦେଇଥାଆନ୍ତି । ଗୋଟିଏ ବୟସ୍କ ଗଞ୍ଜାର ଓଜନ ଅଢ଼େଇ କେଜି ହୋଇଥିବା ବେଳେ ଗୋଟିଏ ମାଈର ଓଜନ ଦେଢ଼ରୁ ଦୁଇ କେଜି ପର୍ଯ୍ୟନ୍ତ ହୋଇଥାଏ ।

ମିନରକା –

ଏହି କୁକୁଡ଼ାମାନେ ସେନ୍‌ରୁ ଉତ୍ପନ୍ନ ହୋଇଛନ୍ତି । ଏହିମାନଙ୍କୁ ମଧ୍ୟ ଅଣ୍ଡା ପାଇଁ ପାଳନ କରାଯାଇଥାଏ । ଏମାନଙ୍କର ନଳୀଗୋଡ଼, ଥଣ୍ଟର ରଙ୍ଗ କଳା ଏବଂ ଆଙ୍ଗୁଳି ସବୁ କଳା ରଙ୍ଗର ହୋଇଥାଏ । ଗୋଟିଏ ବଡ଼ ଗଞ୍ଜା ସାଢ଼େ, ତିନି କେଜି ଏବଂ ଗୋଟିଏ ବୟସ୍କ। ମାଈ ତିନି କେଜି ଓଜନ ହୋଇଥାଆନ୍ତି । ଅନ୍ୟ ଅଣ୍ଡାଦିଆ କୁକୁଡ଼ାମାନଙ୍କ ମଧ୍ୟରୁ ଆଙ୍କୋନୀ, ହ୍ଵାଇଟ ଫେସ୍ ବ୍ଲାକ୍ ଷ୍ଟେନିସ୍, ବ୍ରୁ ଆଣ୍ଡାଳୁସିଆନ୍ ଅନ୍ୟତମ ଅଟନ୍ତି ।

ଅରପିଙ୍ଗଟନ୍ –

ଏହି ଜାତିର କୁକୁଡ଼ାମାନଙ୍କୁ କେବଳ ମାଂସ ପାଇଁ ପାଳନ କରାଯାଇଥାଏ । ଏମାନଙ୍କ ଠାରୁ ମଧ୍ୟ ବିଭିନ୍ନ ଉପଜାତିର କୁକୁଡ଼ା ଯଥା – ବ୍ଲାକ୍ ଅରପିଙ୍ଗଟନ୍, ବ୍ଲୁ ବଫ ଅରପିଙ୍ଗଟନ୍, ହ୍ଵାଇଟ ଅରପିଙ୍ଗଟନ୍ ଏବଂ ବ୍ଲୁ ଅରପିଙ୍ଗଟନ୍ ଉତ୍ପନ୍ନ କରାଯାଇଅଛି । ଗୋଟିଏ ବଡ଼ ଗଞ୍ଜାର ଓଜନ ୪-୫ କେଜି ହୋଇଥିବା ବେଳେ ଗୋଟିଏ ମାଈର ଓଜନ ୩-୪ କେଜି ହୋଇଥାଏ ।

କରନିସ –

ଏହି ଜାତିର କୁକୁଡ଼ାମାନଙ୍କୁ ମଧ୍ୟ ମାଂସ ପାଇଁ ପାଳନ କରାଯାଇଥାଏ । ସାଧାରର ତନ୍ତ୍ର ଦୁଇ ପ୍ରକାର କରନିସ୍ ଦେଖାଯାଇଥାନ୍ତି । ଯଥା - ଧଳା କରନିସ୍ ଏବଂ ଲାଲ୍ କରନିସ୍ । ଗୋଟିଏ ଗଞ୍ଜାର ଓଜନ ୪-୫ କେଜି ହୋଇଥିବା ବେଳେ ଗୋଟିଏ ମାଈର ଓଜନ ୩-୪ କେଜି ଏବଂ ଗୋଟିଏ ପେଣ୍ଡିର ଓଜନ ୨-୩ କେଜି ହୋଇଥାଏ ।

ଅନ୍ୟ ଜାତିର ମାଂସ ପାଇଁ ମିଳୁଥିବା କୁକୁଡ଼ାମାନେ ହେଲେ ମସେକ୍ସ, ତରକିଙ୍କ୍, ରେଡକ୍ୟାପ୍ ଓ ଅଷ୍ଟ୍ରାଲପ କୁକୁଡ଼ାମାନଙ୍କୁ ମଧ୍ୟ ଅଣ୍ଡା ଉତ୍ପାଦନ ପାଇଁ ରଖାଯାଇଥାଏ ।

ଆମ ଦେଶରେ ଦେଶି କୁକୁଡ଼ା, ଯେଉଁମାନେ ମାଂସ ପାଇଁ ବ୍ୟବହୃତ ହୋଇଥାଆନ୍ତି ସେମାନେ ହେଲେ ଆସିଲ୍, ଚିଟା ଗଞ୍ଜ, କଡକ୍ ନଥ ଏବଂ ବରସା । ବର୍ତ୍ତମାନ ଉପରେ ବର୍ଣ୍ଣନା କରାଯାଇଥିବା ଅଣ୍ଡା ପାଇଁ ଓ ମାଂସ ପାଇଁ କୁକୁଡ଼ାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ବୈଜ୍ଞାନିକ ପ୍ରଣାଳୀରେ ସଙ୍ଗମ କରାଯାଇ ଉନ୍ନତ ଧରଣର ସଙ୍କର ଜାତୀୟ ଅଣ୍ଡା ଦେବା କୁକୁଡ଼ା ଓ ମାଂସ ଉପଯୋଗୀ କୁକୁଡ଼ାମାନ ବାହାର କରାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଅଛି । ମାଂସ ପାଇଁ କୁକୁଡ଼ା ମାନେ ଦେଢ଼ରୁ ଦୁଇମାସ ମଧ୍ୟରେ ଦେଢ଼ରୁ ଦୁଇକେଜି ହେବାବେଳେ ଅଣ୍ଡା ଦିଆ କୁକୁଡ଼ାମାନେ ବର୍ଷକୁ ୩୦୦ ରୁ ୩୨୦ ପର୍ଯ୍ୟନ୍ତ ଅଣ୍ଡା ଦେଉଅଛନ୍ତି । ଅଣ୍ଡା ପାଇଁ ଭିନ୍ନ ଭିନ୍ନ ସଙ୍କର ଜାତୀୟ କୁକୁଡ଼ାମାନଙ୍କର ନାମ ଏବଂ ମିଳୁଥିବା ଜାଗାର ଠିକଣା ତଳେ ଦିଆଗଲା ।

କ୍ରମ.ନଂ

କୁକୁଡାମାନଙ୍କର ନାମ

ମିଳୁଥିବା ଜାଗର ନାମ ଓ ଠିକଣା

୧.

ସେଭର ( ଷ୍ଟାର କ୍ରସ -୨୮୮)

ମେସର୍ସ ଅପସରା ଷ୍ଟାର ଚିକ୍ ବ୍ରିଡର ୨୯-ଏ ବ୍ରଡଷ୍ଟ୍ରିଟ, କଲିକତା-୨୯

୨.

ପୁନା ପରଲସ୍

ମେସର୍ସ ପୁନା ପରଲସ୍ ପୋଲଟ୍ରି ବ୍ରିଡିଂ ଫାର୍ମ ଏଣ୍ଡ ହାଚେରୀ, ୨୫୫/୯-ଏ  ହଡପସାର ପୁନା – ୪୧୧୦୨୮

୩.

ଆରବୋରେ କରସ୍ ଗ୍ରେ ହର୍ଣ୍ଣ -୨୬

ମେସର୍ସ ଆର ବୋରକର ଫାର୍ମ ଇଣ୍ଡିଆ ଲିମିଟେଡ୍ ୧୦, ଅଲିପୁର ରୋଡ୍, ନୂଆଦିଲ୍ଲୀ - ୬

୪.

ମାଇଚିକ୍ସ

ମେମର୍ସ ଷ୍ଟେଟ୍ ପୋଲଟ୍ରି ବ୍ରିଡିଂ ଫାର୍ମ ହିସାବ ଘାଟ, ବାଙ୍ଗାଲୋର

୫.

କି ଷ୍ଟୋନ୍ (ହ୍ଵାଇଟ ଆଣ୍ଡ ଗୋଲଡେନ୍)

ମେସର୍ସ କେରା ଫାର୍ମ, ଏରୋଜ ଆପାର୍ଟମେଣ୍ଟ ୫୬, ନେହେରୁ ପ୍ଲେସ୍, ନୂଆଦିଲ୍ଲୀ

୬.

ହାଇସେକ୍ସ

ମେସର୍ସ ଭି ଏଣ୍ଡ ପି. ଓ. ଜାଣ୍ଡି ଆଲି  ଲୁଧିଆନା, ପଞ୍ଜାବ

୭.

ଡେକାଲ୍ୟାବ୍

ମେସର୍ସ ସୁଦର୍ଶନ ହାଚେରୀ ଚାରମିନାର ରୋଡ଼, ହାଇଦ୍ରାବାଦ

୮.

(କ) ରୋପେଡ଼ା ହ୍ଵାଇଟ

(ଖ) କଳିଙ୍ଗ ବ୍ରାଉନ୍

ସେଣ୍ଟ୍ରାଲ୍  ପୋଲଟ୍ରି ବ୍ରିଡିଂ ଫାର୍ମ, ଭୁବନେଶ୍ଵର

ସେଣ୍ଟ୍ରାଲ୍ ପୋଲଟ୍ରି ବ୍ରିଡିଂ ଫାର୍ମ ଭୁବନେଶ୍ଵର

୯.

ଏଚ୍ . ଏଚ୍ – ୨୬୦

ସେଣ୍ଟ୍ରାଲ୍ ପୋଲଟ୍ରି ବ୍ରିଡିଂ ଫାର୍ମ ହିସାର ଘାଟ, ବାଙ୍ଗାଲୋର

୧୦.

ଆଇ.ଏଲ୍.ଆଇ – ୮୦

ସେଣ୍ଟ୍ରାଲ ଏଭିଆନ୍ ରିସର୍ଚ୍ଚ  ଇନିଷ୍ଟିଚ୍ୟୁଟ୍ ଇଜ୍ଜତ ନଗର, ବରେଲି, ଉତ୍ତର ପ୍ରଦେଶ

୧୧.

ବ୍ୟାଟ୍ କକ୍  ବି – ୩୦୦

ମେସର୍ସ ବ୍ୟାବକକ୍, ଭେଙ୍କଟେଶ୍ଵର ହ୍ୟାଚେରୀ ପ୍ରାଇଭେଟ୍ ଲିମିଟେଡ଼, ଭି. ଇଞ୍ଜାପୁର, ପୋ – ସାରୁର ନଗର, ହାଇଦ୍ରାବାଦ – ୩୫

୧୨.

ସୋନା – ୭୪

ମେସର୍ସ ଇଞ୍ଜନ ପୋଲଟ୍ରି ଫାର୍ମ ୨୫୭, ଇସମାଇଲ ନଗର, ମିରଟ ଉତ୍ତର ପ୍ରଦେଶ

୧୩.

ବିଭି – ୩୦୦

ଇଷ୍ଟର୍ଣ୍ଣ ହ୍ୟାଚେରୀ ପ୍ରାଇଭେଟ ଲିମିଟେଡ଼୍ ଏନ୍-୧/୬୬, ନୟାପଲ୍ଲୀ, ଭୁବନେଶ୍ଵର

 

ମାଂସ ପାଇଁ ମିଳୁଥିବା  ସଙ୍କର ଜାତୀୟ କୁକୁଡ଼ାମାନଙ୍କର ନାମ ଓ ମିଳୁଥିବା ଜାଗାର ଠିକଣା

୧.

ସେଭର ଷ୍ଟାର ବ୍ରୋ

ମେସର୍ସ ଅପସରା, ଷ୍ଟାର ଚିକ୍ ବ୍ରିଡରସ୍ ୨୯-ଏ, ବ୍ରଡଷ୍ଟ୍ରିଟ, କଲିକତା-୨୯

୨.

ବି – ୭୭

୧) ସେଣ୍ଟ୍ରାଲ ଏଭିଆନ୍ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ ଇଜ୍ଜତ ନଗର, ବରେଲି, ଉତ୍ତର ପ୍ରଦେଶ

୨) ଏ.ଭି.ଏମ୍. ହାଚେରୀ, କୋଏମ୍ବାଟୁର

୩.

ପଲବ୍ରୋ  ସମ୍ରାଟ

ମେସର୍ସ ପୁନା ପରଲସ୍ ପୋଲଟ୍ରି ବ୍ରିଡିଂ ଫାର୍ମ ଆଣ୍ଡ ହାଚେରୀ, ପୁନା - ୪୧୧୦୨୮

୪.

ସିନ୍ଥେଟିକ୍ କ୍ରସବ୍ରେଡ୍ ରଙ୍ଗିନ୍ ଚିକ୍ସ

ପ୍ରୋଜେକ୍ଟ ଡାଇରେକ୍ଟୋରେଟ ପୋଲଟ୍ରି ଇଂପ୍ରୁଭମେଣ୍ଟ, ଭେଟେରିନାରୀ କଲେଜ ଭୁବନେଶ୍ଵର

୫.

କଳିଙ୍ଗ କବ୍

କଳିଙ୍ଗ ହାଚେରୀ, ଭୁବନେଶ୍ଵର

୬.

ହାଇବ୍ରୋ

ବିଜୟା ପୋଲଟ୍ରି ଫାର୍ମ, ଚୌଦ୍ଵାର, କଟକ

ରୁଚି ପୋଲଟ୍ରି ଫାର୍ମ, ଚୌଦ୍ଵାର, କଟକ

୭.

ଭେନ୍ କବ୍

ଇଷ୍ଟର୍ଣ୍ଣ ହାଚେରୀ, ଏନ୍-୧, ପ୍ଲଟ ନମ୍ବର-୭୬ ନୟାପଲ୍ଲୀ, ଭୁବନେଶ୍ଵର

୮.

ସେଭର (ଷ୍ଟାର ବ୍ରୋ)

ସିଂହ ପୋଲଟ୍ରି ଫାର୍ମ, ଶହୀଦ ନଗର, ଭୁବନେଶ୍ଵର

୯.

କେରା ବ୍ରୋ

ମେସର୍ସ କେରାଫାର୍ମସ,ଡବ୍ଲୁ – ୧୪୫ ଗ୍ରେଟର କୈଳାସ, ନୂଆଦିଲ୍ଲୀ

୧୦.

ହୁବାର୍ଡ଼

ମେସର୍ସ ହୁବାର୍ଡ଼ ପୋଲଟ୍ରି ଫାର୍ମ ଆଣ୍ଡ ହାଚେରୀ ମେଦିନୀପୁର, କଲିକତା

 

ଅଧିକ ଜାଣିବା ପାଇଁ "ଓୟୁଏଟି"

 

ସଂଗୃହିତ -

ମୂଳ ବିଷୟ ବସ୍ତୁ

  • ଡଃ ଶରତ ଚନ୍ଦ୍ର ମିଶ୍ର
  • ଡଃ ପ୍ରବୀଣ କୁମାର ଦେହୁରୀ
  • ଡଃ  ପ୍ରସନ୍ନ କୁମାର ମିଶ୍ର

ସଂଶୋଧିତ ବିଷୟବସ୍ତୁ

  • ଡଃ ନିରଞ୍ଜନ ପଣ୍ଡା, ପ୍ରାଧ୍ୟାପକ, ପ୍ରାଣୀ ପୁଷ୍ଟି ବିଭାଗ, ଓୟୁଏଟି, ଭୁବନେଶ୍ଵର

 

3.11627906977
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top