ହୋମ / କୃଷି / ପ୍ରାଣୀ ଧନ / କୁକୁଡ଼ା ପାଳନ ପଦ୍ଧତି, କୁକୁଡ଼ା ଗୃହ ଓ ଉପକରଣ
ସେଆର କରନ୍ତୁ

କୁକୁଡ଼ା ପାଳନ ପଦ୍ଧତି, କୁକୁଡ଼ା ଗୃହ ଓ ଉପକରଣ

କୁକୁଡ଼ା ପାଳନ ପଦ୍ଧତି, କୁକୁଡ଼ା ଗୃହ ଓ ଉପକରଣ ସମ୍ବନ୍ଧିତ ସୂଚନା ।

କୁକୁଡ଼ା ପାଳନ ବିଭିନ୍ନ ପଦ୍ଧତିରେ କରାଯାଏ । ଯଥା - ମୁକ୍ତ ପ୍ରାଙ୍ଗଣ ପଦ୍ଧତି, ଅର୍ଦ୍ଧ ସଘନ କୁକୁଡ଼ା ପାଳନ ପଦ୍ଧତି । ଆଗ କାଳରେ ଲୋକମାନେ କୁକୁଡ଼ାମାନଙ୍କ ପାଇଁ ବିଧୁବଦ୍ଧ ଗୁହ। ନିର୍ମାଣ କରୁନଥିଲେ । କୁକୁଡ଼ାମାନଙ୍କ ବିସ୍ତୀର୍ଣ୍ଣ ଜାଗାରେ ଛାଡ଼ି ଦେଉଥିଲେ । ଏହି ପ୍ରକାର ପାଳନ ପଦ୍ଧତିକୁ ମୁକ୍ତ ପ୍ରାଙ୍ଗଣ ପଦ୍ଧତି କୁହାଯାଏ । କୁକୁଡ଼ାମାନେ ବାହାରେ ବୁଲି ପୋକ ଜୋକ ଓ ବାହାରେ ଅବା ଶସ୍ୟରୁ ସେମାନଙ୍କର ଖାଦ୍ୟ ସଂଗ୍ରହ କରନ୍ତି । ଏଥିରେ କୁକୁଡ଼ାଙ୍କ ଖାଦ୍ୟ ପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼େନାହିଁ । କୁକୁଡ଼ାମାନେ ବାହାରେ ବୁଲୁଥିବା ଯୋଗୁଁ ଅଧିକାଂଶ ସମୟ ହିଂସ୍ରଜନ୍ତୁମାନଙ୍କ ଆକ୍ରମଣର ଶିକାର ହୁଅନ୍ତି । ସହଜରେ ବିଭିନ୍ନ ରୋଗ ଦ୍ଵାରା ଆକ୍ରାନ୍ତ ହୁଅନ୍ତି । ବାହାରେ ଅଣ୍ଡା ଦେବା ଦ୍ଵାରା ଅଣ୍ଡାଗୁଡ଼ିକୁ କାଉ, ଚିଲ ପ୍ରଭୁତି ପକ୍ଷୀମାନେ ଖାଇଯିବାର ସମ୍ଭାବନା ଥାଏ । ବଣବୁଦା ମୂଳରେ ଅଣ୍ଡା ଦେବା ଦ୍ଵାରା ଅଣ୍ଡା ସଂଗ୍ରହରେ ମଧ୍ୟ ଅସୁବିଧା ଥାଏ । ଏହି ପଦ୍ଧତିରେ କୁକୁଡ଼ା ପାଳନ ବ୍ୟବସାୟିକ ଦୃଷ୍ଟିରୁ ଆଦୌ ଲାଭଜନକ ନୁହେଁ, ଏବେ ମଧ୍ୟ ଗୀ-ଗହଳିରେ ଲୋକମାନେ ଏହିପରି କୁକୁଡ଼ା ପାଳନ କରୁଛନ୍ତି ।

ଏହା ବ୍ୟତୀତ ଯେଉଁଠାରେ ସୀମିତ ପରିମାଣ ମୁକ୍ତ ପ୍ରାଙ୍ଗଣରେ ଥାଏ। ସେଠାରେ ସାଧାରଣତଃ କୁକୁଡ଼ାମାନଙ୍କ ପାଇଁ କିଛିଟା ଗୁହର ବ୍ୟବସ୍ଥା ଥାଏ ଓ ଗୃହ ସମ୍ମୁଖରେ କୁକୁଡ଼ାଙ୍କ ବୁଲିବା ପାଇଁ କୁକୁଡ଼ା ପ୍ରତି ୪୦-୫୦ ବର୍ଗଫୁଟ ହିସାବରେ ଆବଦ୍ଧ ମୁକ୍ତ ଗୃହ ମଧ୍ୟରେ ଦାନା ଆକାରରେ କିଛିଟା ଖାଇବାକୁ ଦିଆଯାଏ ଓ କୁକୁଡ଼ାକୁ ବାହାରୁ କିଛି ଅଂଶ ଖାଦ୍ୟ ସଂଗ୍ରହ କରିବାକୁ ପଡ଼େ । ଏହାଦ୍ଵାରା ଖାଦ୍ୟ ବାବଦ ଖର୍ଚ୍ଚ କିଛି ପରିମାଣ କମିଯାଏ । ଏହାକୁ ଅର୍ଦ୍ଧ ସଘନ ପାଳନ ପଦ୍ଧତି କୁହନ୍ତି । କାଳକ୍ରମେ ଭୂମିର ଅଭାବ ପଡ଼ିବାରୁ ଏହି ପ୍ରଣାଳୀରେ କୁକୁଡ଼ା ପାଳନ ସଙ୍କୁଚିତ ହୋଇଯାଇଛି ଏହା ବ୍ୟବସାୟିକ ଦୃଷ୍ଟିରୁ ଲାଭଜନକ ନୁହେଁ ।

ଗୃହ ମଧ୍ୟରେ ଆବଦ୍ଧ କରି କୁକୁଡ଼ାମାନଙ୍କୁ ଖାଦ୍ୟ, ପାଣି ଯୋଗାଇ ପାଳନ କରିବା ପଦ୍ଧତିକୁ ସଘନ କୁକୁଡ଼ା ପାଳନ ପ୍ରଣାଳୀ କୁହାଯାଏ । ଏହା ଦୁଇ ପ୍ରକାର ଯଥା - ଡିପ୍ଲିଟର ପାଳନ ପଦ୍ଧତି ଓ ପିଞ୍ଜରା ପାଳନ ପଦ୍ଧତି । ଡିପ୍ଲିଟର ପାଳନ ପଦ୍ଧତିରେ କୁକୁଡ଼ାମାନଙ୍କ ପାଇଁ ସ୍ଵତନ୍ତ୍ର ଘର ତିଆରି କରାଯାଏ । ଘରର ଚଟାଣରେ କରତଗୁଣ୍ଡ, ନଡ଼ା ଖଣ୍ଡ, ଚିନାବାଦାମ ଚୋପା, ଅଗାଡ଼ି କିମ୍ବା ଧାନ ଚଷୁ ଆଦି ଦୁଇ ତିନି ଇଞ୍ଚ ବହଳର ବିଛାଯାଇ କୁକୁଡ଼ାମାନେ ମଳତ୍ୟାଗ କରନ୍ତି । ଖାଇବା ପାଇଁ, ପାଣି ପିଛବ। ପାଇଁ, ଅଣ୍ଡା ଦେବା ପାଇଁ ସ୍ଵତନ୍ତ ଉପକରଣମାନ ରଖାଯାଇଥାଏ । ଲିଟର ପାଇଁ ବ୍ୟବହୃତ ପଦାର୍ଥମାନ ସାଧାରଣତଃ ସହଜଲବ୍ଧ, ଅଳ୍ପ ମୂଲ୍ୟ ଓ ଏହାର ଜଳ ଶୋଷଣ ଶକ୍ତି ଅଧିକ ଦେବା ଉଚିତ୍ । ବାଲି, ଇଟାଗୁଣ୍ଡ, ମାଟି ଓ ପାଉଁଶ ଏଥିପାଇଁ ଅନୁପଯୁକ୍ତ ଓ କ୍ଷତିକାରକ ।

କଣ୍ଟ୍ରାକ୍ଟ ଫାର୍ମିଙ୍ଗ ବା ଇଣ୍ଟିଗ୍ରେଟେଡ୍ ଫାର୍ମିଙ୍ଗ

ବର୍ତ୍ତମାନ ଏହି ପ୍ରଣାଳୀରେ କୁକୁଡ଼ା ଚାଷ ପାଇଁ ଚାଷୀମାନଙ୍କୁ ଚିଆଁ, ଦାନା, ଔଷଧ ଏବଂ ପରିଚାଳନା ସମ୍ବନ୍ଧିତ ସମସ୍ତ ତଥ୍ୟ ଚାଷୀମାନଙ୍କୁ କମ୍ପାନୀ ତରଫରୁ ମାଗଣା ଦିଆଯାଉଛି ଏବଂ ଚାଷୀମାନେ କୁକୁଡ଼ାମାନଙ୍କୁ ପାଳନ କରି ବଡ଼ କରି ସାରିବା ପରେ କମ୍ପାନୀମାନେ କୁକୁଡ଼ାକୁ ଚାଷୀଠାରୁ ନେଇ ଯାଉଛନ୍ତି ଏବଂ ପାଳନ ବାବଦରେ ଚାଷୀମାନଙ୍କୁ ପଇସା ମଧ୍ୟ ଦେଉଛନ୍ତି । ଯେଉଁ ଚାଷୀ ଭଲ ଭାବରେ ପାଳନ କରିବ, କମ୍ ମରିବେ, ବେଶୀ ଓଜନ ହେବେ, ସେମାନଙ୍କୁ କମ୍ପାନୀ ତାର ନିର୍ବାରିତ ଦରରେ ଅଧିକ ପଇସା ଦେବେ । ଏହି ପ୍ରକାର ଚାଷ ଆମ ରାଜ୍ୟରେ ଦୁଇଟି କମ୍ପାନୀ ଚଳାଉ ଅଛନ୍ତି । ସେମାନେ ହେଲେ ପଶୁପତି ପୋଲଟ୍ରି ଯାହା କଟକର ଚୌଦ୍ଵାରା ନିକଟବର୍ତ୍ତୀ ଟାଙ୍ଗୀରେ ଅବସ୍ଥିତ ଏବଂ ଅନ୍ୟଟି ହେଲା ସୁଗୁଣା ପୋଲଟ୍ରି । ଏହି ଦୁଇ କମ୍ପାନୀ ମୁଖ୍ୟତଃ ମାଂସ ପାଇଁ କୁକୁଡ଼ା ପାଳନ କରିବା ପାଇଁ ଚାଷୀମାନଙ୍କୁ ଦେଉ ଅଛନ୍ତି ।

ଡିପ୍ଲିଟର ପ୍ରଣାଳୀର ଉପକାରିତା

  1. ଏହି ପ୍ରଣାଳରେ କୁକୁଡ଼ାମାନେ ବାହାରକୁ ନ ଯାଇ ସଦାସର୍ବଦା ଘର ମଧ୍ୟରେ ରହୁଥିବାରୁ ସେମାନଙ୍କୁ ବିଲୁଆ,କଟାସ ପ୍ରଭୃତି ହିଂସ୍ର ଜନ୍ତୁମାନଙ୍କ ଆକ୍ରମଣରୁ ରକ୍ଷା କରାଯାଇପାରେ।
  2. ଅଣ୍ଡା ଉତ୍ପାଦନ ନିରାପଦରେ କରାଯାଇଥାଏ ।
  3. ରୋଗ ଆକ୍ରମଣରୁ ରକ୍ଷା ମିଳିଥାଏ ।
  4. କୁକୁଡ଼ା ଗୃହକୁ ପ୍ରତ୍ୟେକ ଦିନ ସଫା କରିବା ଆବଶ୍ୟକ ହୁଏନାହିଁ ।
  5. କୁକୁଡ଼ାମାନେ ନିରାପଦରେ ରହୁଥିବାରୁ, ନିୟମିତ ଭାବରେ ସୁଷମ ଖାଦ୍ୟ ଯୋଗାଇ ଦିଆଯିବା ଦ୍ଵାରା ବର୍ଷ ସାରା ଅଣ୍ଡା ମିଳିଥାଏ ।
  6. ଡିପ୍ଲିଟରରେ ପଟାସିୟମ, ମାଗ୍ନେସିୟମ୍, କାଲସିୟମ୍ ଆଦି ଜୈବିକ ସାର ଥିବାରୁ ଏହା କୃଷି କାର୍ଯ୍ୟରେ ଏକ ମୂଲ୍ୟବାନ୍ ସାର ଭାବରେ ବ୍ୟବହାର କରାଯାଏ I
  7. ଡିପ୍ଲିଟର ବାତାନୁକୂଳ ଭାବେ କାର୍ଯ୍ୟ କରୁଥିବାରୁ ଖରାଦିନେ ଓ ଶୀତଦିନେ ତାପ ପ୍ରଭାବରୁ କୁକୁଡ଼ାମାନେ ନିଜକୁ ରକ୍ଷା କରିପାରନ୍ତି ।
  8. କୁକୁଡ଼ାମାନେ ଡିପ୍ଲିଟରରୁ ଜୈବିକ ପୁଷ୍ଟିସାର ଭଳି କେତେକ ଖାଦ୍ୟ ଓ ଜୀବନିକା ବି-୧୨ ସଂଗ୍ରହ କରନ୍ତି ।

କୁକୁଡ଼ା ଗୃହ ଓ ଉପକରଣ

ଆଜିକାଲି ଅନେକ କୁକୁଡ଼ା ପାଳନ କୁକୁଡ଼ାମାନଙ୍କୁ ପିଞ୍ଜରା ଆବଦ୍ଧ କରି ପାଳନ କରିବାକୁ ପସନ୍ଦ କରୁଛନ୍ତି । ବିଭିନ୍ନ ପ୍ରକାରର ପିଞ୍ଜରା ଦେଖିବାକୁ ମିଳେ । ଏହି ପ୍ରଣାଳୀରେ ଅଳ୍ପ ସ୍ଥାନରେ ଥାକ ଥାକ କରି ପିଞ୍ଜରା ରଖି ଏଥିରେ ବହୁତ ଗୁଡ଼ିଏ କୁକୁଡ଼ା ପାଳନ କରାଯାଏ । ପ୍ରତ୍ୟେକ କୁକୁଡ଼ା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଏ । ଅଣ୍ଡା ଦେଉନଥିବା ଓ ରୋଗାକ୍ରାନ୍ତ କୁକୁଡ଼ାମାନଙ୍କୁ ସହଜରେ ଚିହ୍ନଟ କରିହୁଏ । ଅଣ୍ଡାଗୁଡ଼ିକ ପରିଷ୍କାର ରହେ । କୃମି ଓ ଅନ୍ୟାନ୍ୟ ରୋଗର ସମସ୍ୟା ବେଶି ନଥାଏ । କୁକୁଡ଼ାମାନଙ୍କ  ମଧ୍ୟରେ ପରସ୍ପର ଖୁମ୍ପାଖୁମ୍ପି ହେବା ବା ମରାମରି ହେବା କିମ୍ବା ଅଣ୍ଡା ଭକ୍ଷଣ କରିବାର ଆଶଙ୍କା ନଥାଏ । ଏହିସବୁ ସୁଫଳ ସହ ପିଞ୍ଜରା ପ୍ରଣାଳୀରେ ଆରମ୍ଭରୁ ପିଞ୍ଜରା ନିର୍ମାଣ ପାଇଁ ଖର୍ଚ୍ଚ ଅଧିକ ଥାଏ । କୁକୁଡ଼ାମାନେ ପିଞ୍ଜରାରେ ଆବଦ୍ଧ ହୋଇ ସଦାସର୍ବଦା ରହୁଥିବାରୁ ସେମାନଙ୍କର ଗୋଡ଼ ଶିଥିଳ ରୋଗ ଦେଖାଯାଏ । କୁକୁଡ଼ାମାନଙ୍କର ମଳ ସିଧାସଳଖ ପିଞ୍ଜରା ତଳେ ଗଦା ହୋଇ ରହୁଥିବାରୁ ଗୃହକୁ ଦୁର୍ଗନ୍ଧ କରିବାର ସମ୍ଭାବନା ବେଶି ଥାଏ ଏବଂ ମାଛି ଅଧ୍ୟକ ହୁଅନ୍ତି । ତେଣୁ ସେଥିପ୍ରତି ଦୃଷ୍ଟି ଦେବା ଦରକାର ପଡ଼ିଥାଏ । ମଝିରେ ମଝିରେ ଏହି ମଳକୁ ବାହାର କରି ଦିଆଯାଏ କିମ୍ବା ମଳ ଉପରେ କୀଟନାଶକ ଔଷଧ ପକାଯାଏ ।

ବିଭିନ୍ନ ପ୍ରକାରର ପିଞ୍ଜରା ମିଳେ । ସାଧାରଣତଃ ପ୍ରତ୍ୟେକ କୁକୁଡ଼ାମାନଙ୍କର ଅଲଗା ଅଲଗା ପିଞ୍ଜରାରେ କିମ୍ବା ଦୁଇ ତିନୋଟି କୁକୁଡ଼ାଙ୍କୁ ଗୋଟିଏ ପିରାରେ ରଖାଯାଇପାରେ । ସେହି ଅନୁସାରେ ପିଞ୍ଜରାର କୋଠରୀ ତିଆରି ହୁଏ । ପ୍ରତି ପିଞ୍ଜରାରେ ଗୋଟିଏ ଲେଖାଏଁ କୁକୁଡ଼ା ରଖିବାକୁ ହେଲେ ୧୪ ଇଞ୍ଚ ଓସାର, ୧୬ ଇଞ୍ଚ ଲମ୍ବ ଓ ୧୭ ଇଞ୍ଚ ଉଚ୍ଚତା ବିଶିଷ୍ଟ କୋଠରୀ ଦରକାର । ଆଜିକାଲି ଗୋଟିଏ ପିଞ୍ଜରା କୋଠରୀରେ ଏକାଧିକ କୁକୁଡ଼ା ରଖାଯାଉଛି ଓ ଦୁଇ ତିନି ମହଲା ବିଶିଷ୍ଟ ପିଞ୍ଜରା ବ୍ୟବହାର କରଯାଉଛି । ପିଞ୍ଜରାଗୁଡ଼ିକ ପାହାଚ ହୋଇ ଏପରି ସଜା ହୋଇ ରଖାଯାଉଛି ଯେ ଗୋଟିଏ ମହଲାର ପିଞ୍ଜରା ମାନଙ୍କରେ ଥିବା କୁକୁଡ଼ାମାନଙ୍କ ମଳ ତଳ ମହଲାରେ ଥିବା କୁକୁଡ଼ାମାନଙ୍କ ଉପରେ ନ ପଡ଼ି ସିଧା ସଳଖ ତଳେ ପଡ଼େ । ସବା ତଳ ଥାକରେ ପିଞ୍ଜରାମାନ ଚଟାଣ ଠାରୁ ଅଢ଼େଇ ଫୁଟ କିମ୍ବା ତିନିଫୁଟ ଉଚ୍ଚରେ ଖଞ୍ଜା ଯାଇଥାଏ । ଏହାକୁ କାଲିଫର୍ଣ୍ଣିଆ ବା ଅଲ୍‌ଟ୍ରା ପିଞ୍ଜରା କୁହାଯାଏ ।

କୁକୁଡ଼ା ଗୃହ

ଅଧିକ ଅଣ୍ଡା ଓ ମାଂସ ଉତ୍ପାଦନ ନିମିର କୁକୁଡ଼ା ମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ସହିତ ଉତ୍ତମ ବାସଗୃହ ନିତାନ୍ତ ଆବଶ୍ୟକ । କୁକୁଡ଼ା ଫାର୍ମ ପ୍ରତିଷ୍ଠାନ କରିବାରେ କେବଳ ଘର ନିର୍ମାଣ ପାଇଁ ଅର୍ଦ୍ଧାଧିକ ପୁଞ୍ଜି ଖର୍ଚ୍ଚ ହୋଇଥାଏ । ଗୋଟିଏ ସ୍ଥାନରେ ଗୃହ ତିଆରି କରିସାରିଲା ପରେ ପୁଣି ଅନ୍ୟତ୍ର ସ୍ଥାନାସ୍ତରିତ କରିବା ବ୍ୟବସାପେକ୍ଷ । ତେଣୁ କୁକୁଡ଼ା ଗୃହ ତିଆରି କରିବା ପୂର୍ବରୁ ଉପଯୁକ୍ତ ସ୍ଥାନ ନିରୂପଣ ପ୍ରତି ଧ୍ୟାନ ଦେବାକୁ ପଡ଼େ । ନିମ୍ନ ଲିଖିତ କେତେକ ବିଷୟକୁ ଦୃଷ୍ଟିରେ ରଖି ସ୍ଥାନ ନିରୂପଣ ଓ ଗୃହ ନିର୍ମାଣ କରିବାକୁ ହୁଏ।

  1. କୁକୁଡ଼ା ଘର ଗୁଡ଼ିକ ଉଚ୍ଚା ଓ ଉତ୍ତମ ଜଳ ନିଷ୍କାସନ ହୋଇପାରୁଥିବା ସ୍ଥାନରେ ନିର୍ମିତ ହେବା ଉଚିତ୍ । ଖାଲ ଓ ସନ୍ତସନ୍ତିଆ ଜାଗା କୁକୁଡ଼ା ଫାର୍ମ ପାଇଁ ଅନୁପଯୁକ୍ତ ।
  2. ଏଠାରେ ଗମନାଗମନର ସୁବିଧା, ବିଜୁଳି ଶକ୍ତି ଓ ପାଣି ସହଜରେ ମିଳୁଥିବା ଆବଶ୍ୟକ I
  3. ଏହାର ସର୍ନିକଟ ସ୍ଥାନରେ କୁକୁଡ଼ା ଖାଦ୍ୟ, ଔଷଧ ସାମଗ୍ରୀ ଓ ଚିକିତ୍ସା ପାଇଁ ସୁବିଧା ଥିବା ଆବଶ୍ୟକ ।
  4. ଅଣ୍ଡା ଓ କୁକୁଡ଼ା ବିକ୍ରୟ ପାଇଁ ନିକଟରେ ବଜାର ଥିବା ଦରକାର ବା ସହର ସହିତ ଗମନାଗମନ ସୁବିଧା ଥିବା ଉଚିତ୍ ।
  5. କୁକୁଡ଼ା ଫାର୍ମ ପାଇଁ ଆବଶ୍ୟକ ଜମି ଶସ୍ତା ଦରର ହେବା ଦରକାର । ଘର ତିହ କିମ୍ବା କଳକାରଖାନା ପାଇଁ ଉର୍ଦ୍ଦିଷ୍ଟ ଦାମିକା ଜମି କୁକୁଡ଼ା ଫାର୍ମ ପାଇଁ ଲାଭଦାୟକ ନୁହେଁ ।
  6. କୁକୁଡ଼ା ଘର ଜନବସତି ଠାରୁ ଦୂରରେ ରହିବା ଉଚିତ୍ ।

ଆମ ରାଜ୍ୟର ଜଳବାୟୁରେ କୁକୁଡ଼ା ଗୃହ ଗୁଡ଼ିକ ପୂର୍ବ ଓ ପଶ୍ଚିମ ହୋଇ ତିଆରି ହେବା ଉଚିତ୍ । ଯାହାଫଳରେ ଗୃହ ଭିତରକୁ ମୁକ୍ତ ବାୟୁ ସଞ୍ଚାଳିତ ହେବ । ଘର ଭିତର ଶୁଖିଲା ରହିବ ଓ ଘର ଭିତରକୁ ସିଧାସଳଖ ସୂର୍ଯ୍ୟାଲୋକ (ଖରା) ପ୍ରବେଶ କରିପାରିବ ନାହିଁ । କୁକୁଡ଼ା ଗୃହର ଆକାର କଅଣ ହେବ, ସେଥିରେ କୋଠରୀ ସଂଖ୍ୟା କେତେ ହେବ, ଘରର ରୂପରେଖ କିପରି ହେବ, ତାହା ବିନିଯୋଗ କରାଯାଇଥିବା ଅର୍ଥ ଏବଂ ବିକ୍ରି କରିବାର ଦକ୍ଷତା ଉପରେ ନିର୍ଭର କରେ ।

ବିଭିନ୍ନ ପ୍ରକାର (ବୟସର) କୁକୁଡ଼ାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗୃହ ତିଆରି କରାଯାଏ । ଯଥା - ଚିଆଁ ପାଳନ ବା ବ୍ରୁଡିଂ ଘର, ବଢ଼ନ୍ତା କୁକୁଡ଼ା ବା ଗ୍ରେୟର ଘର, ଅଣ୍ଡାଦିଆ କୁକୁଡ଼ା ଘର । ବିନିଯୋଗ ପୁଞ୍ଜି ଓ କୁକୁଡ଼ା ଫାର୍ମର ଆକାରକୁ ଦୃଷ୍ଟିରେ ରଖି ଅଲଗା ଅଲଗା ବୟସର କୁକୁଡ଼ାଙ୍କ ପାଇଁ ଉପର ବର୍ଣ୍ଣିତ କୁକୁଡ଼ା ଗୃହମାନ ନିର୍ମାଣ କରିବାକୁ ପଡ଼ିଥାଏ । ଯଦି ଅଳ୍ପ ଅର୍ଥ ବିନିଯୋଗ କରାଯାଏ ଓ ଅଳ୍ପ ସଂଖ୍ୟକ କୁକୁଡ଼ା ରଖାଯାଏ, ତାହାହେଲେ ଚିଆଁ ପାଳନ ପାଇଁ ଅଲଗା ଗୃହ ଏବଂ ବଢ଼ନ୍ତା ଓ ଅଣ୍ଡା ଦିଆ କୁକୁଡ଼ା ପାଇଁ ଅଲଗା ଗୃହ ତିଆରି କରାଯାଏ । କିନ୍ତୁ ବ୍ରଏଲର କୁକୁଡ଼ା ପାଳନ ପାଇଁ ସ୍ଵତନ୍ତ୍ର ଗୃହ ତିଆରି ନ କରି ଏକ ପ୍ରକାର ଗୃହରେ ଚିଆଁ ପାଳନ କରି ବିକ୍ରୟ ପର୍ଯ୍ୟନ୍ତ ରଖାଯାଏ । ଏହି ଘରେ ବ୍ରାଏଲର କୁକୁଡ଼ାମାନଙ୍କ ପାଇଁ ଚୁଡିଂ ର ସୁବିଧା କରିବାକୁ ପଡ଼ିଥାଏ ଏବଂ ବୟସ ବଢ଼ିବା ଅନୁସାରେ କୁକୁଡ଼ାମାନଙ୍କୁ ଅଧିକା ଜାଗା ଦିଆଯାଇଥାଏ ।

କୁକୁଡ଼ାମାନଙ୍କର ବୟସ ଅନୁସାରେ କେତେ ମେଜିଆ ସ୍ଥାନ ଡିପ୍ଲିଟର ଗୃହରେ ଦରକାର ତାହା ନିମ୍ନରେ ଦିଆଗଲା ।

ବୟସ

ଅଣ୍ଡା ଦିଆ କୁକୁଡ଼ା ପାଇଁ

କୁକୁଡ଼ା ମାଂସ ପାଇଁ (ବ୍ରଏଲର)

୦ ରୁ ୮ ସପ୍ତାହ

୭୦୦ ବର୍ଗ ସେ.ମି.

୯୦୦ ବର୍ଗ ସେ.ମି.ରୁ ୧୦୦୦ ବର୍ଗ ସେ.ମି.

୯ ରୁ ୧୯ ସପ୍ତାହ

୧୦୦୦ ବର୍ଗ ସେ.ମି.

----

୨୦ ସପ୍ତାହରୁ ଊର୍ଦ୍ଧ୍ଵ

୨୦୦୦ ରୁ ୨୫୦୦ ବର୍ଗ ସେ.ମି.

----

 

ତେଣୁ ମାଂସ କୁକୁଡ଼ା ପାଳନ ପାଇଁ କୁକୁଡ଼ା ପ୍ରତି ୯୦୦ ରୁ ୧୦୦୦ ବର୍ଗ ସେ.ମି. କିମ୍ବା ୧ ବର୍ଗ ଫୁଟ ମେଜିଆ ଜାଗା ଦରକାର । ଅର୍ଥାତ୍ ୨୦ ଫୁଟ ଲମ୍ବ ଓ ୧୦ ଫୁଟ ଓସାରର ଘରେ ୨୦୦ ଟି ବ୍ରଏଲର ପାଳନ କରାଯାଇପାରିବ । ସେହିପରି ଡିପ୍ଲିଟର ପ୍ରଣାଳୀରେ ଗୋଟିଏ ଅଣ୍ଡା ଦିଆ କୁକୁଡ଼ା ପାଇଁ ୨ ବର୍ଗଫୁଟରୁ ୨.୫ ବର୍ଗଫୁଟ (କିମ୍ବା ୨୦୦୦ ରୁ ୨୫୦୦ ବର୍ଗ ସେ.ମି.) । ମେଜିଆ ଜାଗା ଦରକାର । ତେଣୁ ଉପରବର୍ଣ୍ଣତ ୨୦୦ ବର୍ଗ ଫୁଟ ମେଜିଆ ସ୍ଥାନ ବିଶିଷ୍ଟ ଘରେ ୮୦ ରୁ ୧୦୦ଟି ଅଣ୍ଡା ଦିଆ କୁକୁଡ଼ା ରଖାଯାଇପାରିବ । ଅଧିକ ସଂଖ୍ୟକ ଏକ ପ୍ରକାର ଘର ନିର୍ମାଣ କଲେ, ଘରଠାରୁ ଘରର ବ୍ୟବଧ୍ୟାନ ୪୦ ରୁ ୫୦ ଫୁଟ ହେବା ଦରକାର । କିନ୍ତୁ ବିଭିନ୍ନ ପ୍ରକାରର ଘର ଯଥା – ଚିଆଁ ଗୃହ, ବଢ଼ନ୍ତା କୁକୁଡ଼ା ଗୃହ ଏବଂ ଅଣ୍ଡା ଦିଆ କୁକୁଡ଼ା ଗୃହ ମଧ୍ୟରେ ବ୍ୟବଧ୍ୟାନ ୧୦୦ ଫୁଟ ହେବା ଆବଶ୍ୟକ ।

କୁକୁଡ଼ା ଗୃହର ମୂଳଦୁଆ ଦୃଢ଼ ଓ ଭୂମିଠାରୁ ଉଚ୍ଚା ହେବା ଉଚିତ୍ । ଘରର ଚଟାଣ ମଜବୁତ୍ ହେବା ଉଚିତ୍ । ଚଟାଣ ଏପରି ହେବା ଉଚିତ୍ ଯେପରି ଏହା ସୁବିଧାରେ ସଫା ଓ ବିଶୋଧନ କରିହେଉଥିବ । ମୂଷାମାନଙ୍କ ଉପଦ୍ରବରୁ ରକ୍ଷା ମିଳୁଥିବ । ଚଟାଣରେ ଫାଟ ରହିବା ଅନୁଚିତ୍ । ତେଣୁ ପକ୍କା ବା କଂକ୍ରିଟ ଚଟାଣ ସର୍ବୋତ୍କୃଷ୍ଟ । ସାଧାରଣତଃ ଗାଁ ଗହଳିରେ ଚାଷୀମାନେ ମାଟି ଚଟାଣ ବ୍ୟବହାର କରିଥାନ୍ତି । ଏହା ଶସ୍ତା ଓ ସୁବିଧାରେ ହୋଇଥାଏ । ମାଟି ଚଟାଣ ଯୋଗୁଁ ସଫା ସଫା କରିବାରେ ଓ ଘର ବିଶୋଧନ କରିବାକୁ ବହୁ ଅସୁବିଧା ହୁଏ । ବର୍ଷାଦିନେ ଘର ଭିତର ସନ୍ତସନ୍ତିଆ ରହେ, ଯାହାଦ୍ଵାରା ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ଦେଖାଦିଏ । ମୂଷାମାନେ ଥିବାଧରେ ଘର ଭିତରେ ପ୍ରବେଶ କରି ଚଟାଣ ନଷ୍ଟ କରିଦିଅନ୍ତି । କୁକୁଡ଼ା ଛୁଆ ଓ ଦାନା ଖାଇ ନଷ୍ଟ କରି ଚାଷୀମାନଙ୍କୁ କ୍ଷତିଗ୍ରସ୍ତ କରାଇଥାନ୍ତି ।

ଘରର କାନ୍ଥର ଉଚ୍ଚତା ୧ ଫୁଟରୁ ଦେଢ଼ ଫୁଟ ହେବା ଉଚିତ୍, ଯେପରି ବାହାର ବର୍ଷାପାଣି ଘର ଭିତରକୁ ପ୍ରବେଶ କରିପାରିବ ନାହିଁ । ଇଟା କିମ୍ବା ପଥର କାନ୍ଥ କରି ତା ଉପରେ ମଜବୁତ୍ ତାରଜାଲି ଛାତ ପର୍ଯ୍ୟନ୍ତ ଦିଆଯାଏ । ଘର ଭିତର ବିଭକ୍ତିକରଣ କାନ୍ଥ ସେହିପରି ହେବା ଉଚିତ୍ । ବିଭକ୍ତିକରଣ କାନ୍ଥ ଉପର ଜାଲି ସେତେ ମଜବୁତ ନ ହେଲେ ଚଳିବ ।

କୁକୁଡ଼ା ଘର ଛାତରେ ଆଜବେଷ୍ଟସ୍, ଟିଣ ଚାଦର ବା ଟାଇଲ ବ୍ୟବହାର କରାଯାଏ । କମ୍ ଖର୍ଚ୍ଚରେ ଛାତ ପାଇଁ ନଡ଼ା ଛପର କରାଯାଏ । କିନ୍ତୁ ଏପରି ଛାତରେ ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ ହୋଇଥାଏ । ‘ଘରପୋଡ଼ିର ଭୟ ଥାଏ । ବିରାଡ଼ି, କଟାସ ଓ ମୂଷାମାନଙ୍କର ଉପଦ୍ରବର ଭୟ ଥାଏ । ସମତଳ, କଂକ୍ରିଟ୍ ଛାତ ବ୍ୟୟ ସାପେକ୍ଷ ।

ଆମ ରାଜ୍ୟରେ ବର୍ଷାଦିନେ ଅଧିକା ବର୍ଷା ହେଉଥିବାରୁ ଅଧିକା ଗଡ଼ାଣିଆ ଛାତ ଭଲ । ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଆଜବେଷ୍ଟସ୍ କିମ୍ବା ଟାଇଲ୍ ଛାତ ସର୍ବୋତ୍କୃଷ୍ଟ । ଗ୍ରୀଷ୍ମଦିନେ ଆଜବେଷ୍ଟସ୍ କିମ୍ବା ଟାଇଲ୍ ଛାତକୁ ନଡ଼ା ଛପର କିମ୍ବା ତାଳ ବରଡ଼ା ଛାତ କରିଦେଲେ ଘର ଭିତରେ ଉତ୍ତାପ ୫ ଡିଗ୍ରୀ ସେଣ୍ଟିଗ୍ରେଡ଼୍ ପର୍ଯ୍ୟନ୍ତ କମିଯାଏ । ସୁବିଧା ଥିଲେ ଖରାଦିନ ପୂର୍ବରୁ କୌଣସି ଲଟା ମଧ୍ୟ ମଡ଼ାଇ ଦିଆଯାଏ । କୁକୁଡ଼ା ଘର ମଝି ଉଚ୍ଚତା ୧୪ ଫୁଟରୁ ୧୬ ଫୁଟ ଓ କାନ୍ଥ ପାଖର ଉଚ୍ଚତା ୮ ଫୁଟ ହେବା ଉଚିତ୍ । ଛାତ, କାନ୍ଥର ବାହାରକୁ ୩ ଫୁଟ ଝୁଲିବା ଦରକାର, ଯାହାଫଳରେ ବର୍ଷା ଦିନର ଚିଟାପାଣି ଘର ଭିତରକୁ ପ୍ରବେଶ କରିପାରେ ନାହିଁ । ଘରର ଚଉଡ଼ା ୩୦ ଫୁଟରୁ ଅଧିକ ହେବା ଅନୁଚିତ୍ । ଏହାଠାରୁ ଅଧିକ ହେଲେ ବାୟୁ ଚଳାଚଳ ବ୍ୟାହତ ହୁଏ । ଘରର ଦୈର୍ଘ୍ୟ ଯେତେ ଅଧିକ ହେଲେ ଚଳିବ ।

କୁକୁଡ଼ା ଗୃହ ଉପକରଣ

କୁକୁଡ଼ା ଘରର ଉପକରଣ କହିଲେ, ଦାନାପାତ୍ର, ଜଳପାତ୍ର, ଅଣ୍ଡା ଦିଆ ବସା, ବ୍ରତର, ଚିଆଁ ଘୋର ଓ କୁକୁଡ଼ା ଧରିବା ଆଙ୍କୁଶିକୁ ବୁଝାଏ । ଏଗୁଡ଼ିକ ସହଜଲବ୍ଧ ଓ ଉପଯୁକ୍ତ ଆକାରର ହେବା ଉଚିତ୍ । ଏହା ସହଜ ଉପାୟରେ ସଫା କରିପାରୁଥିବା ଜିନିଷରେ ନିର୍ମିତ ହେବା ଦରକାର । ଏଗୁଡ଼ିକ ଘରେ ନିଜେ ତିଆରି କରିପାରିବେ କିମ୍ବା ବଜାରରୁ କିଣିପାରିବେ । କାଠ, ଟିଣ, ବାଉଁଶ ଓ କିରାସିନି ଟିଣ ଇତ୍ୟାଦି ଜିନିଷରୁ ତିଆରି କଲେ କମ୍ ଖର୍ଚ୍ଚ ପଡ଼େ । ଉନ୍ନତ ଉପକରଣ ବଜାରରୁ କିଣିଲେ ପ୍ରାଥମିକ ଖର୍ଚ୍ଚ ଅଧିକ ହୁଏ । ସଫା ସୁତୁରା କରିବା ସହଜ ହୁଏ ଓ ବେଶୀ ଦିନ ତିଷ୍ଠି ରହେ ।

ଦାନାପାତ୍ର

ବିଭିନ୍ନ ବୟସର କୁକୁଡ଼ାମାନଙ୍କ ପାଇଁ ବିଭିନ୍ନ ଆକାରର ଦାନାପାତ୍ର ଦରକାର । କେଉଁ ବୟସର କୁକୁଡ଼ାମାନଙ୍କ ପାଇଁ କେଉଁ ପ୍ରକାରର କେତେ ସଂଖ୍ୟକ ଦାନା ପାତ୍ର ଦରକାର, ତାହା କୁକୁଡ଼ା ମାନଙ୍କର ସଂଖ୍ୟାନୁଯାୟୀ ନିରୂପଣ କରାଯାଏ ।

ବୟସ

କୁକୁଡ଼ା ପ୍ରତି ଦାନାପାତ୍ର

୦ ରୁ ୨ ସପ୍ତାହ

୨.୫ ସେ.ମି. ବା ୧ ଇଞ୍ଚ

୩ ରୁ ୬ ସପ୍ତାହ

୫ ସେ.ମି. ବା ୨ ଇଞ୍ଚ

୭ ରୁ ୧୨ ସପ୍ତାହ

୭.୫ ସେ.ମି. ବା ୩ ଇଞ୍ଚ

୧୩ ରୁ ୧୯ ସପ୍ତାହ

୧୦ ସେ.ମି. ବା ୪ ଇଞ୍ଚ

୨୦ ସପ୍ତାହରୁ ଊର୍ଦ୍ଧ୍ଵ

୧୨.୫ ସେ.ମି. ବା ୫ ଇଞ୍ଚ

 

ସାଧାରଣତଃ ଦୁଇ ପ୍ରକାରର ଦାନାପାତ୍ର ବ୍ୟବହାର କରାଯାଏ । ୧) ବର୍ତ୍ତୁଳାକାର, ୨) ଡଙ୍ଗୀ ଆକାରର ଦାନାପାତ୍ର । ବର୍ତ୍ତୁଳାକାର ବା ଗୋଲାକାର ଦାନାପାତ୍ର ଛାତରୁ ଝୁଲାଇ ଦିଆଯାଏ । ଡଙ୍ଗୀ ଆକାର ଦାନା ପାତ୍ରକୁ ଚଟାଣ ଉପରେ, ଷ୍ଟାଣ୍ଡ୍ ଉପରେ ରଖାଯାଏ ଓ ଏହାର ଉଚ୍ଚତା ଯେପରି କମ୍ ବେଶି କରାଯାଇ ପାରିବ ଷ୍ଟାଶ୍ଚରେ ସେପରି ବ୍ୟବସ୍ଥା କରାଯାଇଥାଏ । ଦାନାପାତ୍ରର ଉପର ଧାରର ଉଚ୍ଚତା କୁକୁଡ଼ାଙ୍କର ପିଠି ଉଚ୍ଚତାରେ ଝୁଲିବା ଦରକାର ବା ରହିବା ଦରକାର ।

ଡଙ୍ଗୀ ଦାନାପାତ୍ର ବ୍ୟବହୃତ ହେଉଥିଲେ ଦାନାପାତ୍ରର ଉଭୟ ପାର୍ଶ୍ଵର ଦୈର୍ଘ୍ୟ ମପାଯାଇ ବୟସାନୁସାରେ କେତୋଟି ଦାନାପାତ୍ର ଦରକାର ସ୍ଥିର କରାଯାଏ । ଗୋଟିଏ ୩ ଫୁଟ ଲମ୍ବ ଡଙ୍ଗୀ ଦାନାପାତ୍ରର ଉଭୟ ପାର୍ଶ୍ଵରେ ଲମ୍ବ ୩୬ x ୨ = ୭୨ ଇଞ୍ଚ । ଏହା ୦ ରୁ ୨ ସପ୍ତାହ ବୟସର ୭୨ଟି କୁକୁଡ଼ା ଚୁଆ ପାଇଁ କିମ୍ବା ୩ ରୁ ୬ ସପ୍ତାହର ୩୬ ଟି କୁକୁଡ଼ା ଛଆ ପାଇଁ ବ୍ୟବହାର କରାଯାଇପାରିବ । ସେହିପରି ଗୋଲାକାର ଦାନାପାତ୍ରର ପରିଧିକୁ ମାପି ତାହା କେଉଁ ବୟସୟ କୁକୁଡ଼ା ପାଇଁ କେତୋଟି ଦରକାର ତାହା ସ୍ଥିର କରାଯାଏ । ଡଙ୍ଗୀ ଦାନାପାତ୍ର ଉପରେ କୁକୁଡ଼ା ନ ବସିବା ପାଇଁ ଓ ଦାନାପାତ୍ର ଭିତରେ ଗୋଡ଼ ପୁରାଇ ଦାନା ନ ଖେଳାଇବା ପାଇଁ ଦାନାପାତ୍ର ଉପରେ ମୋଟା ତାରର ଗ୍ରୀଲ୍ ଦିଆଯାଇଥାଏ ।

ଜଳପାତ୍ର

କୁକୁଡ଼ାମାନେ ପାଣି ପିଇବା ପାଇଁ ଜଳପାତ୍ର ଦସ୍ତା, ଟିଣ, ମାଟି କିମ୍ବା ପ୍ଲାଷ୍ଟିକ୍‌ରେ ତିଆରି ହୋଇପାରେ । ଘରେ ମିଳିଥିବା ଖାଲିତ ବା ଖୋଲି ମୁହଁଠାରୁ ଅଧଇଞ୍ଚ ଛାଡ଼ି ସାମ୍ରା ସାମ୍ବି ଦୁଇଟି ଛିଦ୍ର କରାଯାଏ । ଦେଢ଼ ଇଞ୍ଚ ଉଚ୍ଚତା ବିଶିଷ୍ଟ ଫନ୍ଦ ଥିବା । ଡବାର ବ୍ୟାସଠାରୁ ଦେଢ଼ ଇଞ୍ଚରୁ ଦୁଇ ଇଞ୍ଚ ଅଧିକ ଥିବା ସିଲ୍‌ଭର ଥାଳିଆ ଥିବା ଦରକାର । ଡବାରେ ପାଣି ଭରି ଥାଳିଆକୁ ଡବା ମୁହଁରେ ଢାଙ୍କି ଦିଆଯାଏ । ଥାଳିଆକୁ ବାମହାତ ପାପୁଲି ଏବଂ ଡବାର ତଳକୁ ଡାହାଣ ହାତର ପାପୁଲିରେ ଧରି ଓଲଟାଇ ଦେଲେ ଥାଳିଆରେ ଡବାର କଣାଥିବା ଉଚ୍ଚତା ପର୍ଯ୍ୟନ୍ତ ପାଣି ରହିବ । କୁକୁଡ଼ା ଥାଳିଆରୁ ଯେତେ ପାଣି ପିଇବେ । ଡବାରୁ ଆସ୍ତେ ଆସ୍ତେ ପାଣି ଝରି ଥାଳିଆରେ ଯେତିକି ଉଚ୍ଚତାରେ ପାଣି ରହିବା କଥା ସେତିକି ପାଣି ଭରି ହୋଇଯିବ । ଏହି ନିୟମକୁ ଭିରି କରି ଦସ୍ତା ତିଆରି ଓ ପ୍ଲାଷ୍ଟିକ୍ ତିଆରି ବିଭିନ୍ନ ଆକାରର ଜଳପାତ୍ର ବଜାରରେ ମିଳୁଅଛି ।

କୁମ୍ଭାର କଞ୍ଚା ମାଠିଆ ତିଆରି କଲାବେଳେ ମାଠିଆର ପେଟ ଭାଗରେ ୩ ଇଞ୍ଚ ବ୍ୟାସ ବିଶିଷ୍ଟ ତିନୋଟି କଣା ସମଦୂରତାରେ ତିଆରି କରି ଯୋଡ଼ିଦିଏ । ଏହାକୁ କୁକୁଡ଼ାଙ୍କ ପାଣି ପିଇବା ପାଇଁ ବ୍ୟବହାର କରାଯାଏ । ସାବଧାନ ସହକାରେ ଉକ୍ତ ମାଠିଆକୁ କୁକୁଡ଼ାଙ୍କ ପାଣି ପିଇବା ପାଇଁ ଖରାଦିନେ ବ୍ୟବହାର କଲେ ପାଣି ଥଣ୍ଡା ରୁହେ ଓ କୁକୁଡ଼ାମାନେ ପାଣି ପିଇବାକୁ ଭଲ ପାଆନ୍ତି । ଦାନାପାତ୍ର ପରି ଜଳପାତ୍ରର ସ୍ଥାନର ପରିମାଣ କୁକୁଡ଼ା ମାନଙ୍କ ବୟସ ବଢ଼ିବା ସଙ୍ଗେ ସଙ୍ଗେ ବଢ଼େ ।

କୁକୁଡ଼ାଙ୍କର ବୟସ

କୁକୁଡା ପ୍ରତି ଜଳପାତ୍ରର ସ୍ଥାନ

୦ ରୁ ୨ ସପ୍ତାହ

ଅଧ ଇଞ୍ଚ ବା ୧.୨୫ ସେ.ମି.

୩ ରୁ ୫ ସପ୍ତାହ

୦.୬ ଇଞ୍ଚ ବା ୧.୫ ସେ.ମି.

୬ ରୁ ୧୨ ସପ୍ତାହ

୦.୭୫ ଇଞ୍ଚ ବା ୨ ସେ.ମି.

୧୩ ରୁ ୧୯ ସପ୍ତାହ

୧ ଇଞ୍ଚ ବା ୨.୫ ସେ.ମି.

୨୦ ସପ୍ତାହରୁ ଊର୍ଦ୍ଧ୍ଵ

ଦେଢ଼ ଇଞ୍ଚ ବା ୪ ସେ.ମି.

ଯେପରି ଦାନାପାତ୍ରର ପରିଧିକୁ ମାପି କୁକୁଡ଼ାଙ୍କର ଦାନାପାତ୍ରର ସଂଖ୍ୟା ନିରୂପଣ କରାଯାଏ, ସେହିପରି ଜଳପାତ୍ରର ପରିଧିକୁ ମାପି କେଉଁ ବୟସର କେତେ କୁକୁଡ଼ାଙ୍କ ପାଇଁ କେତୋଟି ଜଳପାତ୍ର ଦରକାର ତାହା ସ୍ଥିର କରାଯାଏ ।

ବ୍ରୁଡର

କୁକୁଡ଼ା ଛୁଆ ଅଣ୍ଡାରୁ ଫୁଟିବା ପରଠାରୁ ୪ ରୁ ୫ ସପ୍ତାହ ବୟସ ପର୍ଯ୍ୟନ୍ତ ଅଧିକ ଉତ୍ତାପ ଆବଶ୍ୟକ କରନ୍ତି । ଏହି ସମୟରେ ବ୍ରୁଡର ସାହାଯ୍ୟରେ କୁକୁଡ଼ା ଛୁଆଙ୍କୁ ଉତ୍ତାପ ଯୋଗାଇ ଦିଆଯାଏ ।

ବିଭିନ୍ନ ପ୍ରକାରର ବ୍ରୁଡର ବଜାରରେ ମିଳୁଛି । ଗୋଟିଏ କୁକୁଡ଼ା ଛୁଆ ପାଇଁ ୫୦ ରୁ ୬୦ ବର୍ଗ ଇଞ୍ଚ ବ୍ରୁଡର ତଳ ଜାଗା ଦରକାର । ବ୍ରୁଡର ଆକାର ଅନୁଯାୟୀ କେତେ ଚିଆଁ ବ୍ରୁଡିଂ କରିବା ଦରକାର ତାହା ସ୍ଥିର କରାଯାଏ ।

ବିଭିନ୍ନ ପ୍ରକାରର ଓ ବିଭିନ୍ନ ଆକୃତିର ବ୍ରୁଡର ବଜାରରେ ମିଳୁଛି । ଯଥା - ଛତାକୃତି (ହୋଭର) ଚୁଡ଼ର, ବ୍ୟାଟେରୀ ବୁଡର । ଏଗୁଡ଼ିକ ସାଧାରଣତଃ ଦସ୍ତାରେ ତିଆରି । ଆଜିକାଲି ସ୍ଵୟଂ ଚାଳିତ ଚୁଡର ମିଳିଲେଣି, ଯାହା ସ୍ଵୟଂଚାଳିତ ହୋଇ ବ୍ୟବହାର କରାଯାଉଛି । ଏହା ଏକ ସ୍ଵତନ୍ତ୍ର ପ୍ରକାର ବଡ଼ ଇଲେକ୍‌ଟ୍ରିକ୍ ବଲ୍‌ବ ।

ଗାଁ ଗହଳିରେ ବାଉଁଶ ପାତିଆ ଟୋକେଇରେ ଗୋବର ଲେପ ଦେଇ ମଝିରେ ଇଲେକ୍‌ଟ୍ରିକ୍ ବଲ୍‌ବ ଦେଇ ବ୍ରୁଡିଂ କରାଯାଏ । କାଠ ଡାବଲ ତଳେ ମଧ୍ୟ ଇଲେକ୍‌ଟ୍ରିକ୍ ବଲ୍‌ବ ଲଗାଇ ବ୍ରୁଡର ଭାବରେ ବ୍ୟବହାର କରାଯାଏ ।

ଚିଆଁଘର

ବ୍ରୁଡିଂ ବେଳେ ଚିଆଁମାନେ ଯେପରି ଚୁଡ଼ର ପାଖରୁ ବାହାରକୁ ନ ଆସି ପାରିବେ ସେଥିପାଇଁ ଚୁଡ଼ର ଚାରିପାଖରେ ୨ ଫୁଟ ଛାଡ଼ି ଗୋଲ ଭାବରେ ଘୋର ଦିଆଯାଏ । ଏଥିପାଇଁ ୧ ଫୁଟର ଦେଢ଼ ଫୁଟ ଉଚ୍ଚତା ବିଶିଷ୍ଟ ଦସ୍ତା ପ୍ଲେଟ୍ ମାନ ଖଞ୍ଜି ଗୋଲ ଭାବରେ ରଖାଯାଏ । ଗାଁ ଗହଳରେ ବାଉଁଶ ପାତିଆ ପଟି, କାର୍ଡ଼ ବୋର୍ଡ଼, ଢାବଲ ପଟା ଆଦି ଚିଆଁ ଘୋର ଭାବରେ ବ୍ୟବହାର କରାଯାଏ ।

ଅଣ୍ଡାବସା

ଅଣ୍ଡା ଦିଆ କୁକୁଡ଼ାଙ୍କ ଘରେ କୁକୁଡ଼ାମାନେ ଅଣ୍ଡା ଦେବା ପାଇଁ ସ୍ଵତନ୍ତ୍ର ଅଣ୍ଡା ବସା ରଖାଯାଏ । ଏହା ଦସ୍ତାରେ ତିଆରି ହୋଇଥାଏ । ଯଦ୍ଵାରା କୁକୁଡ଼ାମାନେ ଘର ଭିତରେ ଏଣେ ତେଣେ ଅଣ୍ଡା ନ ଦେଇ ବସା ଭିତରେ ଅଣ୍ଡା ଦିଅନ୍ତି । ପ୍ରତ୍ୟେକ ୫-୬ ଟି ପେଣ୍ଡି ପାଇଁ ଗୋଟିଏ ଅଣ୍ଡା ବସା ଦରକାର ହୋଇଥାଏ । ଗାଁ ଗହଳିରେ ବଡ଼ ମାଟି ହାଣ୍ଡି ଅଣ୍ଡା ଦେବା ପାଇଁ ଅଣେଇ କରି ରଖାଯାଇପାରେ । ଯାହା ଭିତରେ କୁକୁଡ଼ା ମାନେ ପଶି ଅଣ୍ଡା ଦେଇପାରିବେ ।

କୁକୁଡ଼ା ଧରିବା ଆଙ୍କୁଡ଼ା

ରୋଗ ପରୀକ୍ଷା କରିବା, ଔଷଧ ଲଗାଇବା, ଟାକା ଦେବା କିମ୍ବା କୁକୁଡ଼ାଙ୍କୁ ବିକ୍ରୟ କରିବା ପାଇଁ ଗୃହ ମଧ୍ୟରେ କୁକୁଡ଼ାଙ୍କୁ ଧରିବାକୁ ପଡ଼ିଥାଏ । ଏଥିପାଇଁ ଏକ ଲୁହା ଛଡ଼ର ଗୋଟିଏ ମୁଣ୍ଡରେ ଛୋଟ ଆଙ୍କୁଡ଼ା କରି ବ୍ୟବହାର କରାଯାଏ । ଏହି ଆଙ୍କୁଡ଼ା କୁକୁଡ଼ା ଗୋଡ଼କୁ ଧରିଥାଏ ।

ଅଧିକ ଜାଣିବା ପାଇଁ -"ଓୟୁଏଟି"

ସଂଗୃହିତ –

ମୂଳ ବିଷୟ ବସ୍ତୁ

  • ଡଃ ଶରତ ଚନ୍ଦ୍ର ମିଶ୍ର
  • ଡଃ ପ୍ରସନ୍ନ କୁମାର ମିଶ୍ର
  • ଡଃ  ପ୍ରବୀଣ କୁମାର ଦେହୁରୀ

ସଂଶୋଧିତ ବିଷୟବସ୍ତୁ

  • ଡଃ ନିରଞ୍ଜନ ପଣ୍ଡା, ପ୍ରାଧ୍ୟାପକ, ପ୍ରାଣୀ ପୁଷ୍ଟି ବିଭାଗ , ଓୟୁଏଟି, ଭୁବନେଶ୍ଵର
2.90243902439
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top