ହୋମ / କୃଷି / ପ୍ରାଣୀ ଧନ / ଗୋଖାଦ୍ୟ ପିଣ୍ଡ ଉତ୍ପାଦନ
ସେଆର କରନ୍ତୁ

ଗୋଖାଦ୍ୟ ପିଣ୍ଡ ଉତ୍ପାଦନ

ଜନସଂଖ୍ୟା ବୃଦ୍ଧି ସହିତ ପ୍ରାଣୀଯ ପୃଷ୍ଟିସାରର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି ।

ପ୍ରାଣୀଯ ପୃଷ୍ଟିସାରର ଚାହିଦା

ଜନସଂଖ୍ୟା ବୃଦ୍ଧି ସହିତ ପ୍ରାଣୀଯ ପୃଷ୍ଟିସାରର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ସେଥିପାଇଁ ବିଭିନ୍ନ ପ୍ରକାର ଉନ୍ନତ ଗୋମହିଷାଦି ଓ ଛେଳିମେଣ୍ଢା ପାଳନ ପାଇଁ ଚାଷୀ ଭାଇମାନେ ଆଗେଇ ଆସୁଛନ୍ତି । କାରଣ ଆଜିର ଦିନରେ ଦୁଗ୍ଧଜାତ ଦ୍ରବ୍ୟ ମାଂସ ଇତ୍ୟାଦିର ଚାହିଦା ବଜାରରେ ବେଶ ରହିଛି ।  ଗୋମହିଷାଦୀ ତୃଣଭୋଜି ପ୍ରାଣୀ । ଘାସ ତାଙ୍କର ମୁଖ୍ୟ ଆହାର । ମାତ୍ର ପରିସଙ୍ଖ୍ୟନରୁ ଜଣାଜାଏ ଆମ ରାଜ୍ୟରେ ଶତକଡା ୪୮.୪ ଭାଗ ସବୁଜ ଗୋଖାଦ୍ୟ ଓ ୨୩.୫ ଭାଗ ଶୁଷ୍କ ଗୋଖାଦ୍ୟର ଅଭାବ ରହିଛି । ଆମ ରାଜ୍ୟରେ ବିଭିନ୍ନ ପ୍ରକାର ଫସଲ ଚାଷ ହୋଇଥାଏ । ଫସଲର ଅମଳ ପରେ କେବଳ ନଡା ବ୍ୟତୀତ ଅନ୍ୟ ଫସଲ ଅବଶିଷ୍ଠାଂଶକୁ ପ୍ରାୟ କେହି ବ୍ୟବହାର କରନ୍ତି ନାହିଁ । ଧାନର ନଡା ମଧ୍ୟ ପୂର୍ଣ୍ଣମାତ୍ରାରେ ବ୍ୟବହାର ହୁଏ ନାହିଁ । କେତେକ କ୍ଷେତ୍ରରେ ତାହାକୁ ଧାନ ଅମଳ ପରେ କିଆରିରେ ନିଆଁ ଲଗେଇ ପୋଡି ଦିଆଯାଏ । ଏହାର କାରଣ ଶୁଷ୍କ ନଡାର ଆୟତନ ଅଧିକ ହୋଇଥାଏ । ତେଣୁ ତାକୁ ପରିବହନ କରିନେବା ଓ ଯେ କୌଣସି ସ୍ଥାନରେ ସାଇତି ରଖିବା କଷ୍ଟକର ହୋଇଥାଏ । ଯଦି କୌଣସି ଉପାୟରେ ତାହାର ଆୟତନ ବା ଆକାରକୁ ଘନୀଭୂତ କରି କମେଇ ଦିଆଯାଇପାରେ ତା’ହେଲେ ତାହାର ପରିବହନ ଓ ସାଇତିବା କାର୍ଯ୍ୟ ସହଜ ହୋଇପାରିବ । ଖୁସିର କଥା ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ, ଦିଲ୍ଲୀର ବୈଜ୍ଞାନିକମାନେ ଏପରି ଏକ ଉପାୟ ବାହାର କରିଛନ୍ତି । ଯାହାଫଳରେ ନଡାର ଆୟତନକୁ ୪ରୁ ୫ ଭାଗ କମେଇ ଦିଆଯାଇ ପାରୁଛି ଓ ସେଥିରେ କିଛି ପୃଷ୍ଟିକର ଜିନିଷର ମିଶ୍ରଣ ଫଳରେ ଏହାକୁ ଉତ୍ତମ ଗୋଖାଦ୍ୟ ଭାବରେ ବ୍ୟବହାର କରିହେଉଛି ।

ଗୋଖାଦ୍ୟ ପିଣ୍ଡ

ଫସଲ ଅବଶିଷ୍ଠାଂଶ ବା ନଡାକୁ ଗୋଖାଦ୍ୟ ପିଣ୍ଡରେ ପରିଣତ କରିବା ଲାଗି ଗୋଟିଏ ଯନ୍ତ୍ର ତିଆରି କରାଯାଇଅଛି । ଏହି ଯନ୍ତ୍ର ମଧ୍ୟରେ ଖଣ୍ଡ ଖଣ୍ଡ ହୋଇଥିବା ନଡାକୁ ଶତକଡା ୮୦ଭାଗ,  ଗୁଡ ଶତକଡା ୧୦ ଭାଗ, ଶସ୍ୟଜାତୀୟ ଖାଦ୍ୟ ୭ଭାଗ ଓ ଡାଲିଜାତୀୟ ଖାଦ୍ୟ ୩ଭାଗ ଦେଇ ଚାପ ପ୍ରୟୋଗ କରାଯାଇଥାଏ । ଏହି ଚାପ  ଫଳରେ ନଡାର ଆୟତନ ୪ ରୁ ୫ ଭାଗ କମିଯିବା ସହିତ ଇଟା ଆକୃତିର ପିଣ୍ଡମାନ ତିଆରି ହୋଇଥାଏ । ଏଥିରେ ଗୁଡ ମିଶିଥିବାରୁ ଏହି ପିଣ୍ଡକୁ ବାନ୍ଧି ରଖିବା ପାଇଁ ସହାୟକ ହୋଇଥାଏ ଓ ଶସ୍ୟ ଓ ଡାଲି ଜାତୀୟ ପଦାର୍ଥ ଥିବାରୁ ଏହାର ଖାଦ୍ୟ ଗୁଣରେ ଉନ୍ନତି ମଧ୍ୟ ହୋଇଥାଏ ।

ଆନନ୍ଦର କଥା ଆମ ଓଡିଶାରେ ମଧ୍ୟ ଏଭଳି ଗୋଖାଦ୍ୟ ପିଣ୍ଡ ଉତ୍ପାଦନ ଆରମ୍ଭ ହେଲାଣି । ଗତ ୨୦୧୬ ଜାନୁୟାରୀ ମାସରୁ କଟକ ଜିଲ୍ଲାର ଅଡଶପୁର ଠାରେ ଏହି ଯନ୍ତ୍ରକାର୍ଯ୍ୟକ୍ଷମ କରାଯାଇଛି । ଏଥିପାଇଁ ପ୍ରାଣୀପାଳନ ବିଭାଗ ତରଫରୁ ଜାତୀୟ ପ୍ରାଣୀଧନ ମିଶନର ଆର୍ଥିକ ସହାୟତା ଓ ଓମଫେଡ଼ର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଚାଲିଛି । ସେଠାରେ ଉତ୍ପାଦିତ ଗୋଖାଦ୍ୟ ପିଣ୍ଡ ଦୁଗ୍ଧଚାଷୀମାନଙ୍କୁ ଉତ୍ପାଦିତ ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଆଉ ୩ ଗୋଟି ସ୍ଥାନରେ ସେହି ପ୍ରକାର ଯନ୍ତ୍ରର ସ୍ଥାପନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ଗୋଖାଦ୍ୟ ପିଣ୍ଡ ଉତ୍ପାଦନ କାର୍ଯ୍ୟକ୍ରମ ଆଗାମୀ ଦିନରେ ଗୋଖାଦ୍ୟ ନିଅଣ୍ଟିଆ ପରିସ୍ଥିତିର ସମସ୍ୟାକୁ କିଛିମାତ୍ରାରେ ସମାଧାନ କରିପାରିବ ସେଥିରେ ସନ୍ଦେହ ନାହିଁ ।

ଆଧାର : କେଶବ କୁମାର ମହାପାତ୍ର, ସହକାରୀ ତୃଣ ଉନ୍ନୟନ ଅଧିକାରୀ, ପ୍ରାଣୀପାଳନ ବିଭାଗ, କଟକ

2.66666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top