ହୋମ / କୃଷି / ପ୍ରାଣୀ ଧନ / ଗୋରୁ ଗାଈମାନଙ୍କର କେତେକ ପ୍ରଧାନ ରୋଗ ଓ ପ୍ରତିଷେଧ ବ୍ୟବସ୍ଥା
ସେଆର କରନ୍ତୁ

ଗୋରୁ ଗାଈମାନଙ୍କର କେତେକ ପ୍ରଧାନ ରୋଗ ଓ ପ୍ରତିଷେଧ ବ୍ୟବସ୍ଥା

ଗୋରୁ ଗାଈମାନଙ୍କର କେତେକ ପ୍ରଧାନ ରୋଗ ଓ ପ୍ରତିଷେଧ ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ।

ସୁସ୍ଥ ଓ ରୁଗଣ ଗୋରୁଙ୍କ ଲକ୍ଷଣ

ରୁଗୁଣ ଗୋରୁର କେଉଁ ରୋଗ ହୋଇଛି ତାକୁ ଜାଣିବାକୁ ହେଲେ ରୋଗର ଲକ୍ଷଣ ଗୁଡ଼ିକୁ ପ୍ରଥମେ ଅନୁଧ୍ୟାନ କରାଯାଏ । ତାପରେ ଗୋରୁର ଶରୀର ଉତ୍ତାପ, ନାଡ଼ିର ଗତି ଓ ଶ୍ଵାସ ପ୍ରଶ୍ଵାସ ହାର ଏବଂ ଝାଡ଼ା, ପରିସ୍ରା, ରକ୍ତ ଆଦି ପରୀକ୍ଷା କରାଯାଏ । ଏଥିସହିତ ଫୁସ୍‌ଫୁସ୍, ପାକସ୍ଥଳୀ, କଲିଜା ଇତ୍ୟାଦି ଅଙ୍ଗମାନଙ୍କର ଅବସ୍ଥା କିପରି ଅଛି ପରୀକ୍ଷା କରାଯାଏ । ମୃତ ଗୋରୁଙ୍କର ପୋଷ୍ଟମର୍ଟମ କରି ମଧ୍ୟ ରୋଗ ଚିହ୍ନଟ କରାଯାଏ । ଏହିସବୁ ପରୀକ୍ଷା ଅଭିଜ୍ଞ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା କରି କେଉଁ ରୋଗ ହୋଇଛି ତାହା ଜଣାପଡ଼େ ।

ପ୍ରଥମେ ରୁଗଣ ଗୋରୁଙ୍କୁ ଚିହ୍ନଟ କରିବା ପାଇଁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ନିକଟରୁ ଭଲ ଭାବରେ ନିରୀକ୍ଷଣ କରିବା ଦରକାର ଏବଂ ସୁସ୍ଥ ଗୋରୁଙ୍କଠାରୁ ସେମାନଙ୍କୁ ଅଲଗା କରି ଦରକାର ମୁତାବକ ଚିକିସ୍ଥାର ବନ୍ଦୋବସ୍ତ କରିବା ଉଚିତ୍ । ପ୍ରତ୍ୟେକ ଗୋପାଳକ ସୁସ୍ଥ ଗୋରୁଙ୍କ ସାଧାରଣ ଲକ୍ଷଣ ବିଷୟରେ ଅବଗତ ଥୁଲେ ରୁଗଣ ଗୋରୁମାନଙ୍କୁ ଅନାୟାସରେ ଚିହ୍ନଟ କରିପାରିବେ।

ସାଧାରଣ ଲକ୍ଷଣ ହିସାବରେ ପ୍ରତ୍ୟେକ ସୁସ୍ଥ ଗୋରୁ ନିୟମିତ ଭାବରେ ଠିକ୍ ପରିମାଣରେ ଖାଏ, ପାଣି ପିଏ ଏବଂ ପାକୁଳି କରେ । ସେ ସର୍ବଦା ଚଞ୍ଚଳ, କର୍ମଠ ଥାଏ ଓ ବାହାର ପରିବେଶ ପ୍ରତି ସତର୍କ ଥାଏ । ଚାଲିଲାବେଳେ ଗୋଡ଼ ଏପଟ ସେପଟ ହୁଏ ନାହିଁ ଓ ସାଧାରଣ ଚଲାବୁଲା କରେ । ମୁଣ୍ଡ ଉପରକୁ ରଖିଥାଏ । ରୋଗାକ୍ରାନ୍ତ ଗୋରୁ ମୁଣ୍ଡ ତଳକୁ ରଖେ ଓ କାନ ତଳକୁ ଓହଳିପଡ଼େ । କେତେକ ରୋଗରେ ଗୋରୁ ଛୋଟାଏ କିମ୍ବା ଧିରେ ଧିରେ ଚାଲେ ଓ ଗୋଠରୁ ଅଲଗା ହୋଇଯାଏ । ତା’ର କ୍ଷୁଧା ଓ ନିଦ୍ରା ବ୍ୟାହତ ହୁଏ । ପାକୁଳି ବନ୍ଦ କରିଦିଏ । ରୋଗାକ୍ରାନ୍ତ ଗୋରୁ ଖାଇବା ଓ ପିଇବା ଅଳ୍ପ କରେ ବା ଆଦୌ କରେ ନାହିଁ । ପେଟ ଫମ୍ପାଏ ବା ମାନ୍ଦା ହୋଇ ରହିଥାଏ । ଗୋରୁ ମଧ୍ୟ କେତେକ ରୋଗରେ ଉତ୍ତେଜିତ ଅବସ୍ଥାରେ ରହେ ।

ସୁସ୍ଥ ଗୋରୁର ଶରୀରର ଉତ୍ତାପ, ନାଡ଼ିର ଗତି ଓ ଶ୍ଵାସ-ପ୍ରଶ୍ଵାସର ହାର ସର୍ବଦା ସ୍ଵାଭାବିକ ରହେ । ଏମାନଙ୍କ ଶରୀରର ଉତ୍ତାପ ସାଧାରଣତଃ ୧୦୧.୫° ଫାରେନହାଇଟ୍ (୩୮.୬° ସେଲ୍ସିୟସ୍), ନାଡ଼ି ଗତିର ହାର ମିନିଟକୁ ୬୦ ରୁ ୭୦ ଓ ଶ୍ଵାସ ପ୍ରଶ୍ଵାସର ହାର ମିନିଟ ପ୍ରତି ୨୦ ରୁ ୨୫ ଥାଏ । ସଙ୍କର ଜାତୀୟ ଗୋରୁ, ବାଛୁରୀ ଓ ଗର୍ଭବତୀ ଗାଈମାନଙ୍କ କ୍ଷେତ୍ରରେ ଏହା ଅପେକ୍ଷାକୃତ ଅଛ ଅଧିକ ଥାଏ, କିନ୍ତୁ ରୁଗଣ ଗୋରୁମାନଙ୍କ କ୍ଷେତ୍ରରେ ଏହାର ତାରତମ୍ୟ ବହୁତ ଥାଏ । ମୋଟାମୋଟି ଭାବରେ ଗୋରୁର ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିବା ଲକ୍ଷ କରାଯିବ ଓ ଏହାର ଶରୀରର ଉତ୍ତାପ, ନାଡ଼ିର ଗତି ଓ ଶ୍ରାସ ପ୍ରଶ୍ଵାସର ହାରରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ ।

ସୁସ୍ଥ ଗୋରୁଙ୍କ ଚର୍ମ ଚିକ୍କଣ, ତେଲିଆ ଓ ନରମ ଥାଏ । ଅସୁସ୍ଥ ଅବସ୍ଥାରେ ଏହା ଶୁଖିଲା ଓ ଟାଣ ହୋଇଯାଏ । ଲୋମଗୁଡ଼ିକ ଠିଆ ଠିଆ ହୋଇ ଟାଆଁସା ଦେଖାଯାଏ ଏବଂ କେତେକ କୃମି ରୋଗରେ ଗୋରୁଙ୍କ ଲୋମ ମଧ୍ୟ ଝଡ଼ି ଯିବାର ଦେଖାଯାଏ । କେତେକ ରୋଗରେ ଦେହର ସମସ୍ତ ଚମଡ଼ାରେ ବା କାନ୍ଧ ଉପରେ ଯାଦୁ ହେବାର ଦେଖାଯାଏ ।

ଆଉ ଏକ ମୁଖ୍ୟ ଲକ୍ଷଣ ଗୋରୁର ଥୋମଣୀର ଅବସ୍ଥାରୁ ଜଣା ପଡ଼େ । ସୁସ୍ଥ ଗୋରୁଙ୍କ ଥୋମଣୀ ସାଧାରଣତଃ ଓଦାଳିଆ ରହେ ଏବଂ ବିନ୍ଦୁ ବିନ୍ଦୁ ହୋଇ ପାଣି ଲାଗିଥାଏ, କିନ୍ତୁ ରୋଗୀଣା ଗୋରୁର ଥୋମଣିରେ ବୁନ୍ଦା ବୁନ୍ଦା ପାଣି ନଥାଇ ଶୁଖିଲା ଦେଖାଯାଏ । ସମୟ ସମୟରେ ପାଟି, ନାକ ବା ଆଖି ମାନଙ୍କରୁ ନାଳ, ପାଣି ବା ରକ୍ତସ୍ରାବ ହୁଏ । ବେଳେ ବେଳେ ଆଖିରେ ଲେଞ୍ଜେରା ମଧ୍ୟ ଦେଖିବାକୁ ମିଳିଥାଏ । ଆଖିରୁ ପାଣି ଓ ପୂଜ ନିର୍ଗତ ହୋଇ ନାଲି ପଡ଼ି ଶେଷକୁ ଆଖିରେ ଫୁଲା ପଡ଼ିଯାଏ ।

ରୋଗାକ୍ରାନ୍ତ ଗୋରୁର ଝାଡ଼ା ଓ ପରିସ୍ରାର ପରିବର୍ତ୍ତନ ଦେଖାଯାଏ । ଗୋଟିଏ ସୁସ୍ଥ ଗୋରୁର ମୂତ୍ର ସ୍ଵଚ୍ଛ, ଇଷତ୍ ହଳଦିଆ ରଙ୍ଗର ଏବଂ ଏଥିରେ କୌଣସି ଅପ୍ରାକୃତିକ ଗନ୍ଧ ନଥାଏ । କିନ୍ତୁ କେତେକ ରୋଗରେ ମୂତ୍ରର ରଙ୍ଗ ରକ୍ତ ବର୍ଣ୍ଣ ବା କଫି ବର୍ଣ୍ଣର ହୋଇଥାଏ ବା ଗନ୍ଧରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଥାଏ । ଗାଈଗୋରୁଙ୍କ ଗୋବର ସାଧାରଣତଃ ଅର୍ଦ୍ଦ କଠିନ ଓ ଗାଢ଼ ଶାଗୁଆ ରଙ୍ଗର, ଯଦିଓ ଖାଦ୍ୟର ପରିବର୍ତ୍ତନକୁ ନେଇ କିଛିଟା ଅଲଗା ହୋଇପାରେ, କିନ୍ତୁ ଏଥିରେ ରକ୍ତ ବା ଲାଳ ମିଶି ନଥାଏ । ଅସୁସ୍ଥ ଗୋରୁଙ୍କ କ୍ଷେତ୍ରରେ ଝାଡ଼ା କଠିନ କିମ୍ବା ପତଳା ହେବା ସହ ବେଳେବେଳେ ଏଥିରେ ଲାଳ କିମ୍ବା ରକ୍ତସ୍ରାବ ଦେଖାଯାଏ । କେତେକ ରୋଗରେ କୌଣସି ଲକ୍ଷଣ ନ ଦେଖାଇ ଗୋରୁ ମରି ପଡ଼ିଥିବାର ଦେଖାଯାଏ । କେତେକ ରୋଗରେ ଗୋରୁ ମରିଗଲାପରେ ପାଟି, ନାକପୁଡ଼ା ଓ ମଳଦ୍ଵାରରୁ ରକ୍ତ ନିର୍ଗତ ହୋଇଥାଏ ।

ଗାଈ ଗରମ ଅବା ସମୟରେ କିମ୍ବା ପ୍ରସବ ସମୟ ବ୍ୟତୀତ ସେମାନଙ୍କ ମୂତ୍ରଦ୍ଵାର ସର୍ବଦା ଲାଳ ମୁକ୍ତ ଥାଏ । ଗାଈ ଗରମ ଅବା ଅବସ୍ଥାରେ ଯୋନିଦ୍ଵାରରୁ ନିର୍ଗତ ଲାଳ ସ୍ଵଚ୍ଛ ଓ ନିର୍ମଳ ଥାଏ, କିନ୍ତୁ କେତେକ ଜରାୟୁ ପ୍ରଦାହ ଜନିତ ଅବସ୍ଥାରେ ପୂଜ କିମ୍ବା ରକ୍ତମିଶା ଲାଳ ନିର୍ଗତ ହେବା ଦେଖାଯାଏ । ଗୋଟିଏ ସୁସ୍ଥ ଦୁଗ୍ଧଆଳୀ ଗାଈର ଦୈନିକ ଉତ୍ପାଦନ ଦୁଗ୍ଧର ପରିମାଣ ଓ ଗୁଣବତ୍ତାରେ ପ୍ରାୟ କିଛି ପରିବର୍ତ୍ତନ ହୁଏ ନାହିଁ, କିନ୍ତୁ ଅସୁସ୍ଥ ଅବସ୍ଥାରେ ଦୈନିକ ଦୁଗ୍ଧ ଉତ୍ପାଦନ ପରିମାଣ କମିଯାଏ ଓ ଗୁଣବରା ହ୍ରାସ ପାଏ । ଥନହରା ଜାତୀୟ ରୋଗରେ ବେଳେବେଳେ ଦୁଗ୍ଧର ବର୍ଣ୍ଣ ଲାଲ ବା ଗୋଲାପୀ ରଙ୍ଗ ଦେଖାଯାଏ ଏବଂ ଦୁଗ୍ଧ ଛେନା ଛିଡ଼ିଲା ଭଳି ଦେଖାଯାଏ । ଏହିପରି ବିଭିନ୍ନ ପ୍ରକାର ଲକ୍ଷଣ ରୁଗଣ ଗୋରୁମାନଙ୍କଠାରେ ଦେଖାଯାଏ।

ଗୋରୁଗାଈଙ୍କ ବିଭିନ୍ନ ରୋଗ

ବିଭିନ୍ନ କାରଣରୁ ଗାଈଗୋରୁମାନେ ରୋଗଗ୍ରସ୍ତ ହେବାର ଦେଖାଯାଏ । ଏହି ରୋଗମାନେ ଯଥାକ୍ରମେ ଭୂତାଣୁ, ଜୀବାଣୁ, କୃମି, ପ୍ରୋଟୋଜୋଆ ଓ ରକ୍ତକୃମି ଜନିତ କିମ୍ବା ସୁଷମ ଖାଦ୍ୟ, ଖାଦ୍ୟପ୍ରାଣ ଓ ଧାତବ ଲବଣ ଅଭାବ ଏବଂ ବଦ୍ ହଜମୀ ଯୋଗୁଁ ସାଧାରଣ ଭାବରେ ଦେଖାଯାନ୍ତି । ବିଭିନ୍ନ ରୁଗଣ ଗାଈଙ୍କ ସଂସ୍ପର୍ଶରେ ଆସି କିମ୍ବା ଅପରିଷ୍କାର ପରିବେଶରେ ରହି ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମଧ୍ୟ ପଶୁମାନେ ରୋଗାକ୍ରାନ୍ତ ହୋଇଥାନ୍ତି । ଏହିସବୁ କାରଣ ଗୁଡ଼ିକୁ ନେଇ ସେମାନଙ୍କଠାରେ ଦେଖାଯାଉଥିବା ମୁଖ୍ୟ ରୋଗମାନଙ୍କୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଅଛି, ଯଥା : ସଂକ୍ରମିତ ଓ ଅସଂକ୍ରମିତ । ସଂକ୍ରମିତ ରୋଗରେ ରୋଗ ଗୋଟିଏ ଗୋରୁ ଠାରୁ ଅନ୍ୟ ଗୋରୁଙ୍କୁ ସଂକ୍ରମିତ ହୋଇଥାଏ । କିନ୍ତୁ ଅସଂକ୍ରମିତ କାରଣରୁ ରୋଗ ଗୋଟିଏ ଗୋରୁଠାରୁ ଅନ୍ୟ ଗୋରୁଙ୍କୁ ସଂକ୍ରମିତ ହୁଏନାହିଁ ।

ସଂକ୍ରମିତ ରୋଗ

ଏହି ପ୍ରକାର ରୋଗ ଭୂତାଣୁ, ଜୀବାଣୁ, କୃମି ଓ ରକ୍ତ କୃମି ଯୋଗୁ ହୋଇଥାଏ ।

ଭୂତାଣୁ ଜନିତ ରୋଗ

  • ଫାଟୁଆ ରୋଗ
  • ଦୁଇଫାଳ ବିଶିଷ୍ଟ ଖୁରାଥିବା ପଶୁମାନଙ୍କର ଫାଟୁଆ ଏକ ସଂକ୍ରାମକ ରୋଗ । ଏଥିରେ ଆକ୍ରାନ୍ତ ଗୋରୁଙ୍କ ମୃତ୍ୟୁ ସମ୍ଭାବନା କମ୍ କିନ୍ତୁ ଏହାଦ୍ଵାରା ଗାଈଙ୍କ ଉତ୍ପାଦନ, ଗର୍ଭଧାରଣ କ୍ଷମତା ତଥା ବଳଦ ମାନଙ୍କର କାର୍ଯ୍ୟ ଦକ୍ଷତା କମିଯାଏ।

    କାରଣ ଓ ଲକ୍ଷଣ

    ଏ ରୋଗରେ ଭୂତାଣୁମାନେ ଗୋରୁଙ୍କ ଶରୀର ଭିତରକୁ ଖାଦ୍ୟ, ଜଳ ଓ ପବନ ଜରିଆରେ ପ୍ରବେଶ କରି ରୋଗ ସୃଷ୍ଟି କରିଥାନ୍ତି । ଭୂତାଣୁମାନେ ରୋଗୀଣା ଗୋରୁର ରକ୍ତ, ଝାଡ଼ା, ପରିସ୍ରା ଓ ପାଟିରୁ ବାହାରୁ ଅବା ଲାଳରେ ଭର୍ତ୍ତି ହୋଇଥାନ୍ତି । ଗୋଟିଏ ଗୋରୁଠାରୁ ସହଜରେ ଅନ୍ୟ ସମସ୍ତ ଗୋରୁମାନଙ୍କୁ ଏହି ରୋଗ ସଂକ୍ରମିତ ହୋଇପାରିଥାଏ ।

    ଭୂତାଣୁ ଆକ୍ରମଣ କରିବାର ୩ ରୁ ୮ ଦିନ ମଧ୍ୟରେ ଲକ୍ଷଣମାନ ଦେଖାଯାଇଥାଏ । ରୋଗ ଆରମ୍ଭରେ ହଠାତ୍ ଭୀଷଣ ଜ୍ଵରହୁଏ, ଗୋରୁ ଖାଇବା ପିଇବା ବନ୍ଦ କରିଦିଏ ଓ କ୍ଷୀର ଦେବା କମିଯାଏ । ମାଢ଼ି, ଜିଭ ଓ ଖୁରା ସନ୍ଧିରେ ଫୋଟକା ହୋଇ ଫାଟିଯିବା ଦ୍ଵାରା ଘାଆ ହୋଇଯାଏ । ଗୋରୁଙ୍କର ଶୋଇବା ଚାଲିବାରେ କଷ୍ଟ ହୁଏ । ପାଟିରୁ ବହୁତ ଲାଳ ବାହାରିଥାଏ । ମାଛି ଦ୍ଵାରା ଖୁରାରେ ପୋକ ହେବାର ଦେଖାଯାଏ ଏବଂ ଗୋରୁ ସବୁବେଳେ ଗୋଡ଼ ବାଡ଼େଇ ଚାଲେ । ବେଳେବେଳେ ଖୁରା ପଟି ବାହାରି ପଡ଼େ । ଚିର ଓ ଚିରନଳୀ ଭିତରେ ଘାଆ ହୋଇ କ୍ଷୀର ପଦାକୁ ନ ଆସିପାରି ଥନହରା ବେମାରୀ କରାଏ । ଗର୍ଭବତୀ ଗାଈମାନଙ୍କର ଗର୍ଭପାତ ହୋଇଯାଏ । ଛୋଟ ବାଛୁରୀମାନେ ଏହି ରୋଗରେ ଆକ୍ରାନ୍ତ ହେଲେ ମୃତ୍ୟୁ ମୁଖରେ ପଡ଼ିଥାଆନ୍ତି ।

    ପ୍ରତିଷେଧ

    ରୁଗଣ ଗୋରୁମାନେ ଚଳପ୍ରଚଳ ହେଉଥିବା ସ୍ଥାନ, ଗୁହାଳ ଓ ବାହାରେ ବନ୍ଧା ହେବା ସ୍ଥାନ ଆଦିକୁ ୨ % ଫରମାଲିନ୍ ଦ୍ରବଣ ବା ସୋଡାପାଣିରେ ଧୋଇଦେଲେ ଭୂତାଣୁମାନେ ମରିଯାନ୍ତି । ଚାରଣ ଭୂମିକୁ ୧୦ ଦିନ ପର୍ଯ୍ୟନ୍ତ ଗୋରୁଙ୍କୁ ଚରିବାକୁ ନ ଛାଡ଼ିଲେ, ସୂର୍ଯ୍ୟକିରଣରେ ଭୂତାଣୁମାନେ ମରିଯାନ୍ତି ଓ ରୋଗ ବ୍ୟାପି ନଥାଏ । ଏହା ବ୍ୟତୀତ ରୋଗ ଦେଖାଦେବା ମାତ୍ରେ ଗୋରୁର ପାଟିକୁ ୪% ଖାଇବା ସୋଡ଼ା ଦ୍ରବଣରେ ଧୋଇଦେବା ଉଚିତ୍ । ଖୁରା ସନ୍ଧି ଓ ଗୁହାଳକୁ ଫିନାଇଲ ବା ପୋଟାସିୟମ୍ ପରମାଙ୍ଗାନେଟ୍ ଦ୍ରବଣରେ ଭଲଭାବେ ଧୋଇନେବା ଦରକାର । ରୋଗଗ୍ରସ୍ତ ପଶୁମାନଙ୍କୁ ସୁସ୍ଥ ପଶୁଙ୍କଠାରୁ ଅଲଗା ରଖି ଚରିବା ପାଇଁ ବାହାରକୁ ଛାଡ଼ିବା ଅନୁଚିତ୍ । ଏହି ରୋଗ ସଙ୍କର ଜାତୀୟ ଗୋରୁମାନଙ୍କୁ ବିଶେଷ ଭାବରେ ହୋଇଥାଏ । ତେଣୁ ପ୍ରତିବର୍ଷ ଗୋରୁଙ୍କୁ ଏହି ରୋଗର ପ୍ରତିଷେଧକ ଟିକା ଉପଯୁକ୍ତ ମାତ୍ରାରେ ଦିଆଗଲେ ରୋଗର ପ୍ରାଦୁର୍ଭାବ ରହେନାହିଁ ।

  • କଳାତଙ୍କ ରୋଗ
  • ଏହି ମାରାତ୍ମକ ଭୂତାଣୁ ଜନିତ ରୋଗ ପାଗଳା କୁକୁର ବା ବିଲୁଆ ଗୋରୁଙ୍କୁ କାମୁଡ଼ିବା ଦ୍ଵାରା ହୋଇଥାଏ ।

    କାରଣ ଓ ଲକ୍ଷଣ

    ରୋଗାକ୍ରାନ୍ତ ପଶୁର ଲାଳରେ ଏହି ଭୂତାଣୁ ଯଥେଷ୍ଟ ସଂଖ୍ୟାରେ ଥାନ୍ତି । ଏହି ଭୂତାଣୁ, ରୋଗାକ୍ରାନ୍ତ ପଶୁର ଲାଳଦ୍ଵାରା ଶରୀର ଭିତରେ ପ୍ରବେଶ କରି ସ୍ନାୟୁ ଜରିଆରେ ମସ୍ତିଷ୍କରେ ପହଞ୍ଚୁ ରୋଗର ଲକ୍ଷଣ ମାନ ପରିପ୍ରକାଶ କରିଥାନ୍ତି । ଏଣୁ କୁକୁର ବା ବିଲୁଆ କାମୁଡ଼ାର ୨୧ ଦିନରୁ ୬ ମାସ ଭିତରେ ସାଧାରଣତଃ ରୋଗର ଲକ୍ଷଣମାନ ଦେଖାଯାଏ । ଏହି ରୋଗ ହେଲାପରେ ଦୁଇ ପ୍ରକାର ଲକ୍ଷଣ ଦେଖାଯାଇଥାଏ, ଯଥା : ପାଗଳାମି ଅବସ୍ଥା ଓ ପକ୍ଷାଘାତ ଅବସ୍ଥା ।

    ରୋଗ ଆରମ୍ଭରୁ ଗୋରୁ ଖାଇବାକୁ ଅନିଚ୍ଛା ପ୍ରକାଶ କରେ । ଏମାନଙ୍କଠାରେ ଚଞ୍ଚଳ ପ୍ରକୃତିର ଲକ୍ଷଣ ଦେଖାଯାଏ । ପ୍ରାଥମିକ ଅବସ୍ଥାରେ ଏଣେତେଣେ ଦୌଡ଼ା ଦୌଡ଼ି କରେ । ଶରୀରର ମାଂସପେଶୀ ଥରେ, ପାଟିରୁ ଲାଳ ବୋହେ, ପାଣି ପିଇପାରେ ନାହିଁ । ଖାଦ୍ୟ ପାଟିରେ ଧରି ରଖେ କିନ୍ତୁ ଜୋକି ପାରେ ନାହିଁ । ଏପରି ଲକ୍ଷଣମାନ ଦୁଇ ବା ତିନିଦିନ ଦେଖା ଗଲାପରେ ପଶୁପକ୍ଷାଘାତ ରୋଗରେ ଆକ୍ରାନ୍ତ ହୁଏ । ଶରୀରର ସ୍ନାୟୁ ଶକ୍ତି ହ୍ରାସ ପାଇବାରୁ ଦେହରେ କିଛି ବାଜିଲେ ମଧ୍ୟ ଜାଣିପାରେ ନାହିଁ । ପଶୁଟି ପଡ଼ିରହି ୬-୭ ଦିନ ଭିତରେ ମରିଯାଏ ।

    ପ୍ରତିଷେଧ

    ଏହି ରୋଗର ଲକ୍ଷଣ ଗୋରୁମାନଙ୍କଠାରେ ଦେଖିବା ମାତ୍ରେ ତାକୁ ଗୋଟିଏ ଅଲଗା ଘରେ ରଖାଯାଏ ଏବଂ ତାର ସଂସ୍ପର୍ଶରେ କୌଣସି ଲୋକ ବା ପଶୁ ଆସିବା ଅନୁଚିତ୍ । ଏହାର ପାଟିରେ ହାତ ପୁରାଇ କିଛି ଖୁଆଇବା ମଧ୍ୟ ଅନୁଚିତ୍ । ଏ ରୋଗରେ ଚିକିସ୍ଥା ନାହିଁ । କେବଳ ଟୀକା ଦେଇ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ । ରୋଗ ନ ହେବା ପାଇଁ ଜଳାତଙ୍କ ଟୀକା ଗୋରୁମାନଙ୍କୁ ୩ ବର୍ଷରେ ଥରେ ଓ କୁକୁର ମାନଙ୍କୁ ୨ ବର୍ଷରେ ଥରେ ଦେବା ଦରକାର । ବାହାର ଦେଶରୁ ଆସୁଥିବା ଗୋରୁ, କୁକୁର ଓ ଅନ୍ୟାନ୍ୟ ପଶୁମାନଙ୍କୁ ଅଲଗା କରି ୬ ମାସ ରଖିଲା ପରେ ଦେଶ ଭିତରକୁ ପୁରାଯାଏ । ପାଗଳା କୁକୁର ଓ ବିଲୁଆ କାମୁଡ଼ିଥିବା ପଶୁଙ୍କୁ ୭ ରୁ ୧୪ଟି ଜଳାତଙ୍କ ନିରୋଧ ଇଂଜେକ୍‌ସନ୍ ଲଗାତର ଦେବା ଦରକାର।

ଜୀବାଣୁ ଜନିତ ରୋଗ

ଗୋରୁଗାଈଙ୍କ ଜୀବାଣୁ ଜନିତ ରୋଗ ଗୁଡ଼ିକ ମଧ୍ୟରେ ନିମ୍ନଲିଖିତ ରୋଗ ପ୍ରଧାନ ।

  • ସାହାଣା
  • ଏହି ସଂକ୍ରାମକ ରୋଗ ବର୍ଷା ଋତୁର ଆରମ୍ଭରେ ଦେଖାଯାଏ । ଏହା ପାଶ୍ଚୁରେଲା ମଲଟୋସିଡ଼ା ନାମକ ଜୀବାଣୁ ଦ୍ଵାରା ସଂକ୍ରମିତ ହୁଏ । ଓଡ଼ିଶାରେ ଏହି ରୋଗ ଗୋରୁ ଗାଈ ଓ ମଇଁଷିମାନଙ୍କଠାରେ ବିଶେଷ ଭାବରେ ଦେଖାଯାଏ । ଗୋରୁ ଆକ୍ରାନ୍ତ ହେଲେ ଶରୀରର ତାପମାତ୍ରା ବଢ଼ିଯାଏ, ଆଖି ଲାଲ ହୋଇଯାଏ । ପଶୁଲୋମ ଟାଙ୍କୁରି ଠିଆହୁଏ ଓ ଥରିବାକୁ ଲାଗେ । ଖାଇବା ପିଇବା ବନ୍ଦ କରିଦିଏ । ନାକ ଓ ଆଖିରୁ ପାଣି ଝରେ । କେତେକ ପଶୁର ବେକ ତଳଠାରୁ ଆରମ୍ଭ କରି କମଳର ଶେଷଭାଗ ବା ଛାତି ପର୍ଯ୍ୟନ୍ତ ଫୁଲିଯାଇ ଦରଚ୍ଚ ରୁହେ । ଶ୍ଵାସପ୍ରଶ୍ଵାସ ନେବା ଆଣିବାରେ କଷ୍ଟ ହୁଏ । ତଣ୍ଟି ବାଟେ ପ୍ରଶ୍ଵାସ ନେଲାବେଳେ ଘଡ଼ଘଡ଼ ଶବ୍ଦ ହୁଏ । ପାଟିବାଟେ ଲଗାତାର ଲାଳ ବାହାରୁଥାଏ । ଚିକିତ୍ସା ଅଭାବରେ ଦିନେ ଦୁଇଦିନ ମଧ୍ୟରେ ଗାଈ ମୃତ୍ୟୁ ମୁଖରେ ପଡ଼ିଥାଏ ।

    ପ୍ରତିଷେଧ

    ରୋଗ ନ ହେବା ପାଇଁ ଗୋରୁ ଓ ମଇଁଷିମାନଙ୍କୁ ବର୍ଷାଦିନ ଆସିବା ପୂର୍ବରୁ ସାହାଣ ଟୀକା ଦେଇଦେବା ବିଧେୟ । ଏହି ଟୀକା ୨ ପ୍ରକାରର ଓ ଏମାନଙ୍କ ପ୍ରତିଷେଧ କ୍ଷମତା ୬ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହା ବ୍ୟତୀତ ସୁସ୍ଥ ପଶୁମାନଙ୍କୁ ରୋଗାକ୍ରାନ୍ତ ଗୋରୁଙ୍କଠାରୁ ଅଲଗା ରଖିବା ଉଚିତ୍ । ରୋଗରେ ମରିଥିବା ପଶୁଙ୍କୁ ଗଭୀର ଗାତ ଖୋଳି ପୋତିଦେବା କିମ୍ବା ପୋଡ଼ିଦେବା ଦରକାର ।

  • ବଜବଜିଆ
  • ଏହି ରୋଗ ସାଧାରଣତଃ ବର୍ଷାଦିନେ ଆରମ୍ଭ ହେବା ପରେ ଦେଖାଯାଏ । ବଜବଜିଆ ରୋଗ ୩ ମାସ ବୟସରୁ ଉଦ୍ଧି ଓ ୨ ବର୍ଷରୁ କମ୍ ବୟସର ବାଛୁରୀମାନଙ୍କୁ ହୋଇଥାଏ । ଏହା କୃଷ୍ଟିତ୍ରିୟମ୍ ଚୋଭାଏ ନାମକ ଜୀବାଣୁ ଦ୍ଵାରା ସଂକ୍ରମିତ ହୋଇଥାଏ । ଏହି ଜୀବାଣୁମାନେ ମାଟିରେ ଥାନ୍ତି । ଘାସ ବା କୁଟା ଖାଇବା ବେଳେ ଜୀବାଣୁ ପେଟ ଭିତରକୁ ଯାଇ ରୋଗ କରିଥାନ୍ତି । ଏହି ଜୀବାଣୁମାନେ ଖାଦ୍ୟନଳୀରୁ ରକ୍ତ ଜରିଆରେ ଭଲ ବଢ଼ିଥିବା ମାଂସପେଶୀରେ ଯାଇ ଅବସ୍ଥାନ କରନ୍ତି ।

    ଏହି ରୋଗରେ ହଠାତ୍ ଭୀଷଣ ଜ୍ଵର ହୁଏ । ଗୋରୁ କିଛି ଖାଏ ନାହିଁ, ଶତକଡ଼ା ୯୫ ଭାଗ ବାଛୁରୀଙ୍କର ପଛ ଗୋଟିଏ ବା ଦୁଇଟି ଗୋଡ଼ର ଫଡ଼ିଆର ମାଂସପେଶୀରେ ଲକ୍ଷଣ ଦେଖାଯାଏ । ଅବଶିଷ୍ଟ ୫ ଭାଗ ବାଛୁରୀଙ୍କର ଆଗରେଗୋଡ଼ ଚଟୁଆର ମାଂସପେଶୀ ଆକ୍ରାନ୍ତ ହୁଏ । ଗୋଡ଼ର ଜଙ୍ଘଠାରୁ ଆଣୁ ପର୍ଯ୍ୟନ୍ତ ଫୁଲିଯାଏ ଓ ଚୁଇଁଲେ ଗରମ ଲାଗେ ଏବଂ ଚାଲିବାରେ କଷ୍ଟ ହୁଏ । ଫୁଲା ଜାଗାକୁ ଚିପିଲେ ସେଥିରେ ପବନ ଅବାରୁ ବଜ ବଜ ଶବ୍ଦ ହୁଏ । ଏଣୁ ଏହାକୁ ବଜବଜିଆ ରୋଗ କୁହାଯାଏ । ଫୁଲିବା ସ୍ଥାନ ଚମଡ଼ାର ରଙ୍ଗ କଳା ଦେଖାଯାଏ । ଆସ୍ତେ ଆସ୍ତେ ଚମଡ଼ା ଫାଟିବା ଦାଗମାନ ଦେଖାଯାଏ । ବାଛୁରୀ ଗୋଟିଏ ସ୍ଥାନରୁ ଉଠି ଚଳପ୍ରଚଳ ହୋଇପାରେ ନାହିଁ । ଲକ୍ଷଣ ଦେଖାଦିବା ପରେ ତୁରନ୍ତ ଚିକିସ୍ଥା ଆରମ୍ଭ ନ କଲେ ଆକ୍ରାନ୍ତ ପଶୁଟି ୨୪ ରୁ ୪୮ ଘଣ୍ଟା ମଧ୍ୟରେ ମୃତ୍ୟୁ ମୁଖରେ ପଡ଼େ । ବର୍ଷାରତ୍ନ ଆରମ୍ବର ୨ ମାସ ପୂର୍ବରୁ ବାଛୁରୀମାନଙ୍କ ବେକର ଚମଡ଼ା ତଳେ ପ୍ରତିଷେଧକ ଟୀକା ୫ ମି.ଲି. କରି ଇଂଜେକ୍‌ସନ୍ ଦିଆଯାଏ ଓ ୧୦ ଦିନ ପରେ ପୁନଶ୍ଚ ଆଉ ୫ ମି.ଲି. ଟୀକା ବ୍ଲଷ୍ଟର ମାତ୍ରା ଭାବେ ଦେଲେ, ୧ ବର୍ଷ ପର୍ଯ୍ୟନ୍ତ ଏହି ରୋଗ ହୋଇ ନଥାଏ ।

  • ପ୍ଲିହାଜ୍ଵର ବା ଆନ୍ଥ୍ରାକ୍ସ
  • ଏହି ରୋଗ ବାସିଲସ୍ ଆବ୍ରୋସିସ୍ ନାମକ ଜୀବାଣୁ ଦ୍ଵାରା ହୋଇଥାଏ । ଏହି ରୋଗରେ ପ୍ରବଳ ଜ୍ଵର ହୁଏ ଓ ରୋଗ ଧରିବା ସଙ୍ଗେ ସଙ୍ଗେ ଗୋରୁମାନେ ମରିଯାନ୍ତି । ରୋଗ ହେଲେ ଆକ୍ରାନ୍ତ ଗୋରୁମାନଙ୍କର ପାଟି, ନାକ ଓ ମଳଦ୍ଵାର ମୁହଁରୁ କଳାରଙ୍ଗର ରକ୍ତସ୍ରାବ ହୁଏ ଏବଂ ରକ୍ତ ଜମାଟ ବାନ୍ଧେ ନାହିଁ ।

    ଆକ୍ରାନ୍ତ ଗୋରୁ ମଲା ପରେ ଲୋକେ ନଦୀରେ ଭସାଇ ଦିଅନ୍ତି ବା ଶ୍ମଶାସନରେ ଫୋପାଡ଼ି ଦିଅନ୍ତି । ସୁସ୍ଥ ଗୋରୁମାନେ ଚରିଲାବେଳେ ରୋଗ ଜୀବାଣୁ ଆହରଣ କରି ରୋଗଗ୍ରସ୍ତ ହୁଅନ୍ତି । ଏହାଛଡ଼ା ଜୀବାଣୁମାନେ ଶରୀରରୁ ଆସି ବାହାରେ ରେଣୁ ବା ସୋର ରୂପେ ମାଟି ଘାସରେ ବର୍ଷ ବର୍ଷ ଧରି ରହି ରୋଗ କରାଇଥାନ୍ତି । ଏମାନେ ଖରା, ବର୍ଷା ବା ଶୀତରେ ନଷ୍ଟ ହୋଇନଥାନ୍ତି । ତେଣୁ ଏହି ରୋଗାକ୍ରାନ୍ତ ପଶୁଙ୍କ ଶବ ବ୍ୟବଚ୍ଛେଦ କରାନଯାଇ ଶବକୁ ଗଭୀର ଗାତ ଖୋଳି ଚୂନ ଓ ଲୁଣ ମିଶାଇ ପୋତି ଦେବା ଭଲ, ନଚେତ ମୃତ ଗୋରୁକୁ ପୋଡ଼ି ଦିଆଯାଏ । ଏ ରୋଗ ନ ହେବା ପାଇଁ ପ୍ରତିବର୍ଷ ଗୋରୁମାନଙ୍କୁ ଥରେ ଲେଖାଏଁ ପ୍ରତିଷେଧ ଟୀକା ଦେବା ଦରକାର । ଏହି ଟୀକାର ନାମ  ଆନ୍ଥ୍ରାକ୍ସ ସ୍ପୋର ଭାକସିନ୍ । ଏଥିରୁ ୧ ମି.ଲି. ଗୋରୁର ବେକ ଚମଡ଼ା ତଳେ ଇଂଜେକ୍‌ସନ୍ ଦେଲେ ବର୍ଷକ ପାଇଁ ଏହି ରୋଗ ହୋଇନଥାଏ I

  • ଥନହରା ରୋଗ
  • ଆଜିକାଲି ଅଧିକ ଦୁଗ୍ଧ ଉତ୍ପାଦନ ନିମିର ଚାଷୀମାନେ ଅନେକ ପ୍ରଜାତିର ଅଧିକ ଉତ୍ପାଦନକ୍ଷମ ଗାଈ ଓ ମଇଁଷି ପାଳନ କରୁଛନ୍ତି । ଥନହରା ରୋଗ ମୁଖ୍ୟତଃ ଏହି ଦୁଗ୍ଧଆଳୀ ଗାଈଙ୍କ ଠାରେ ଅଧିକ ମାତ୍ରାରେ ଦେଖାଯାଏ । ଏହା ପହ୍ନାର ଏକ ସଂକ୍ରାମକ ରୋଗ । ଜୀବାଣୁ, ଭୂତାଣୁ ଓ ଫିମ୍ପିମାନେ ଗାଈ ଓ ମଇଁଷିମାନଙ୍କର ଚିରବାଟେ ପହ୍ନା ଭିତରକୁ ପ୍ରବେଶ କରି ଏହି ରୋଗ ସୃଷ୍ଟି କରିଥାନ୍ତି । ଏହା ବ୍ୟତୀତ ପତ୍ନାରେ କ୍ଷତ ହେଲେ, ଅପରିଷ୍କାର ହାତରେ ଦୁହିଁଲେ, ବାଛୁରୀ କ୍ଷୀର ପିଉଥିବା ବେଳେ କାମୁଡ଼ିଦେଲେ, ଗାଈମାନଙ୍କୁ ଅପରିଷ୍କାର ଓ ସନ୍ତସନ୍ତିଆ ଜାଗାରେ ବାନ୍ଧିଲେ, ଜୀବାଣୁ ଚିର ଦେଇ ଦୁଗ୍ଧ ଗ୍ରନ୍ଥିରେ ପ୍ରବେଶ କରି ଥନହରା ରୋଗ କରାଏ ।

    ଏହି ରୋଗରେ ପହ୍ନା ଓ ଚିର ଫୁଲିଯାଏ, ଟାଣ ଲାଗେ ଏବଂ ହାତ ମାରିଲେ ଗାଈ ଯନ୍ତ୍ରଣା ଅନୁଭବ କରେ । କ୍ଷୀର ଛିଣ୍ଡି ଛିଣ୍ଡିଆ ହୋଇ ପତ୍ନାରୁ ରକ୍ତ ଓ ପୂଜ ବାହାରେ ଏବଂ ବେଳେବେଳେ କ୍ଷୀର ପାଣି ଭଳି ପତଳା ହୋଇଥାଏ । ତେଣୁ ଏରୋଗ ଜାଣିବାକୁ ମଡ଼ିଫାଏଡ଼୍ କାଲିଫର୍ଣ୍ଣିଆ ମାଷ୍ଟାଇଟିସ୍ ଟେଷ୍ଟ କରି ଥନହରା ବେମାର ଅଛି ନା ନାହିଁ ଜଣାପଡ଼ିଥାଏ । ପ୍ରତି ଚିରରୁ ୩ ମି.ଲି. କ୍ଷୀର ଓ ୩ ମି.ଲି. ଉପରୋକ୍ତ ଟେଷ୍ଟ ରିଏଜେଣ୍ଟ ମିଶାଇଲେ  ୩୦ ସେକେଣ୍ଡ ଭିତରେ ଥଲଥଲିଆ ହୋଇ ଯଦି ବସିଯାଏ ତେବେ ଥନହରା ବେମାରୀ ଥିବାର ଜଣାପଡ଼ିଥାଏ । ଏହି ମିଶ୍ରଣ ଯଦି ପାଣି ଅବସ୍ଥାରେ ରହେ ଥନହରା ହୋଇ ନଥିବା ଜଣାପଡ଼େ । ଗାଈର ଏହି ରୋଗପାଇଁ କୌଣସି ଟୀକା ନାହିଁ । ତେଣୁ ରୋଗ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ଉଚିତ୍ । ନଚେତ୍ ରୋଗର ଜୀବାଣୁ ପାଖ ପଡ଼ିଶା ଗାଈମାନଙ୍କ ଭିତରେ ପ୍ରବେଶ କରି ଥନହରା ବେମାର କରିଥାଏ ।

    ପ୍ରତିଷେଧକ ବ୍ୟବସ୍ଥା ସ୍ଵରୂପ ସଫା ହାତରେ ଦୁହିଁବା, ଗୁହାଳର ଚଟାଣକୁ ସଫା କରିବା, ଆକ୍ରାନ୍ତ ଗାଈକୁ ସବା ଶେଷରେ ଦୁହିବା, ଗାଈଙ୍କ ପହ୍ନାକୁ ସାଭାଲନ୍ ବା ବିଟାଡିନ୍ ଜାତୀୟ ଔଷଧ ଦ୍ରବଣରେ ସଫା କରିବା ଓ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଇବା ଉଚିତ୍ ।

  • ଗର୍ଭପାତ ବା ବୃସେଲୋସିସ୍
  • ଏହା ଏକ ସଂକ୍ରାମକ ରୋଗ । ଏହା ବୁ ସେଲା ଆବୋରଟସ୍ ନାମକ ଜୀବାଣୁ ଦ୍ଵାରା ସଂକ୍ରମିତ ହୁଏ । ଏହି ରୋଗ ଗାଈମାନଙ୍କଠାରେ ଗର୍ଭପାତ କରାଏ ଓ ବାରମ୍ବାର ଗର୍ଭ ଲେଉଟାଇବା ଦେଖାଯାଏ । ଗର୍ଭାବସ୍ଥାର ଶେଷ ତିନିମାସ ବେଳକୁ ଏହି ରୋଗଦ୍ଵାରା ଗାଈମାନଙ୍କର ଗର୍ଭପାତ ହୋଇଥାଏ । ଗର୍ଭପାତ ପରେ ପରେ ଫୁଲ ସହଜରେ ପଡ଼ି ନଥାଏ ଏବଂ ଫୁଲ, ଜରାୟୁରେ ପଟି ଗାଈର ଜରାୟୁ ପ୍ରଦାଦ ହେବା ସହ ମୃତ୍ୟୁ ମଧ୍ୟ ହୋଇଥାଏ । ଏହି ରୋଗର ତୁରନ୍ତ ଚିକିତ୍ସା ନ କଲେ ଗାଈ ସବୁଦିନ ପାଇ ବନ୍ଧ୍ୟା ହୋଇଯାଏ । ଏହି ରୋଗରେ ଆକ୍ରାନ୍ତ ଗାଈମାନଙ୍କ ଦ୍ଵାରା ଗୋଟିଏ ଗୋଠରୁ ଆଉ ଗୋଟିଏ ଗୋଠ, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନ, ଏପରିକି ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ମଧ୍ୟ ରୋଗ ବ୍ୟାପିଥାଏ । ଷଣ୍ଟମାନଙ୍କ ଦେହରେ ଏହି ଜୀବାଣୁ ପ୍ରବେଶ କରି ଶୁକ୍ରାଶୟ ନଷ୍ଟ କରି ବୀର୍ଯ୍ୟ ଜରିଆରେ ଜୀବାଣୁ ଆସି ଗାଈମାନଙ୍କୁ ରୋଗିଣା କରିଥାଏ । ରୋଗାକ୍ରାନ୍ତ ପଶୁଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଲେ ମନୁଷ୍ୟକୁ ମଧ୍ୟ ଏହି ରୋଗ ହେବାର ସମ୍ଭାବନା ଥାଏ । ଏହି ରୋଗରୁ ରକ୍ଷା ପାଇବା ପାଇଁ ୪ ରୁ ୮ ମାସର ମାଈ ବାଛୁରୀଙ୍କୁ ଟୀକା ଦିଆଯିବା ଉଚିତ୍ । ଗର୍ଭପାତ ହୋଇଥିବା ଭୁଣ, ଫୁଲ ଓ ତାର ସଂସ୍ପର୍ଶରେ ଆସିଥିବା ସମସ୍ତ ବସ୍ତୁକୁ ଗଭୀର ଗାତ ଖୋଳି ଚୂନ ଦେଇ ପୋତିଦେବା କିମ୍ବା ନିଆଁ ଲଗାଇ ପୋଡ଼ିଦେବା ବିଧେୟ । ଯେଉଁ ଗାଈମାନେ ବାରମ୍ବାର ଲେଉଟାନ୍ତି ସେମାନଙ୍କ ଜରାୟୁର ଲାଳ ଗାଈ ଗରମ ଅବା ବେଳେ ସଂଗ୍ରହ କରି ଓ ଷଣ୍ଟର ଶୁକ୍ର ବିଶୁଦ୍ଧ କାଚନଳୀରେ ଗବେଷଣାଗାରକୁ ପଠାଇ ରୋଗର କାରଣ ଓ ଚିକିତ୍ସା କରିବାକୁ ପଡ଼ିଥାଏ । ଏହା ବ୍ୟତୀତ ରୋଗଗ୍ରସ୍ତ ପଶୁର ଗୁହାଳକୁ ଉପଯୁକ୍ତ ଜୀବାଣୁ ନାଶକ ଦ୍ରବଣ ଦ୍ଵାରା ଧୋଇ ପରିଷ୍କାର କରିଦେବା ଉଚିତ୍ ।

  • ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍
  • ଗୋରୁମାନଙ୍କର ଯକ୍ଷ୍ମା ରୋଗ ମାଇକୋବାକ୍ରିୟମ୍ ବୋଭିସ୍ ନାମକ ଜୀବାଣୁ ଦ୍ଵାରା ହୋଇଥାଏ । ଜୀବାଣୁମାନେ ରୁଗଣ ଗୋରୁର ନିଃଶ୍ଵାସ ପବନ, କଫ, ସିଂଘାଣି, ଝାଡ଼ା, ପରିସ୍ରା, ଗର୍ଭାଶୟରୁ ନିର୍ଗତ ହେଉଥିବା ପଚାପାଣି ଏବଂ ଫାଟିଥିବା ରୁଗଣ ଲାସିକା ଗ୍ରନ୍ଥିମାନଙ୍କରେ ଯଥେଷ୍ଟ ସଂଖ୍ୟାରେ ଥାଆନ୍ତି । ଜୀବାଣୁମାନେ ପବନ ଜରିଆରେ ଶ୍ଵାସ ଓ ପ୍ରଶ୍ଵାସରେ ଶ୍ଵାସନଳୀ ବାଟେ ଫୁସ୍‌ଫୁସ୍‌ରେ ପହଞ୍ଚି ସେଠାରେ ବଂଶ ବିସ୍ତାର କରି ଯକ୍ଷ୍ମା ରୋଗ କରିଥାନ୍ତି । ଏହି ରୋଗଦ୍ଵାରା ଗୋରୁମାନେ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଦୁର୍ବଳ ହୋଇ ରୁହନ୍ତି । ଶରୀରର ଉତ୍ତାପ କେତେବେଳେ ବଢ଼ିଯାଏ ତ କେତେବେଳେ କମିଯାଏ । ଏମାନଙ୍କର ବିଭିନ୍ନ ଅଙ୍ଗରେ ଛୋଟ ଛୋଟ ଫୋଟକାମାନ ଦେଖାଯାଏ । ଫୁସ୍‌ଫୁସ୍ ସଂକ୍ରମଣ ହେତୁ ଗୋରୁକୁ କାଶ ହୁଏ ଏବଂ ଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହୁଏ । ଗଳା ଭିତର ଲସିକା ଗ୍ରନ୍ଥି ବଡ଼ ଆକାରରେ ଫୁଲି ଶ୍ଵାସନଳୀ ଜାକି ହୋଇ ନିଃଶ୍ଵାସ ପ୍ରଶ୍ଵାସ ବେଳେ ଘଡ଼ଘଡ଼ ଶବ୍ଦ ହୋଇଥାଏ । ଏହି ଜୀବାଣୁମାନେ ପହ୍ନାରେ ପ୍ରବେଶ କରି ଥନହରା ରୋଗ ମଧ୍ୟ କରିଥାନ୍ତି । ପ୍ରତିଷେଧ ବ୍ୟବସ୍ଥା ସ୍ଵରୂପ ରୋଗିଣା ଗୋରୁଙ୍କୁ ଅନ୍ୟ ଗୋରୁମାନଙ୍କଠାରୁ ବହୁତ ଦୂରରେ ଅଲଗା ରଖି ଚିକିତ୍ସା କରାଯାଏ । ଆକ୍ରାନ୍ତ ଗାଈର କ୍ଷୀର ବାଛୁରୀ ଓ ମନୁଷ୍ୟମାନଙ୍କୁ ଖାଇବାକୁ ଦେବା ଉଚିତ୍ ନୁହେଁ । ଗୁହାଳର ପରିଷ୍କାର ପରିଚ୍ଛନତା ପ୍ରତି ବିଶେଷ ଦୃଷ୍ଟି ଦେବା ଦରକାର । ଗୋଠର ପ୍ରତି ଗୋରୁଙ୍କୁ ଟୁବରକୁଲିନ୍ ଇଂଜେକ୍‌ସନ୍ ଦେଇ ରୋଗ ଚିହ୍ନଟ କରାଇନେବା ଉଚିତ୍ । ପ୍ରତିବର୍ଷ ଥରେ ଲେଖାଏଁ ଗୋରୁମାନଙ୍କୁ ବି.ସି.ଜି. ଟୀକା ଦେଲେ ଏହି ରୋଗ ହୋଇ ନଥାଏ ।

  • କଅଁଳ ବାଛୁରୀଙ୍କ ତରଳ ଝାଡ଼ା ରୋଗ
  • ଏହି ରୋଗ ଇଣ୍ଟେରିଚିଆ, କୋଲାଇ ନାମକ ଜୀବାଣୁ ଦ୍ଵାରା ହୋଇଥାଏ । ଏହା ଦିନିକିଆ ବାଛୁରୀଠାରୁ ଆରମ୍ଭ କରି ୩ ସପ୍ତାହ ପର୍ଯ୍ୟନ୍ତ ବାଛୁରୀଙ୍କଠାରେ ଦେଖାଯାଏ । ଶତକଡ଼ା ୭୫ ଭାଗ ପର୍ଯ୍ୟନ୍ତ ବାଛୁରୀ ଏ ରୋଗରେ ଆକ୍ରାନ୍ତ ହୁଅନ୍ତି ଓ ଆକ୍ରାନ୍ତ ହୋଇଥିବା ବାଛୁରୀଙ୍କ ମଧ୍ୟରୁ ୧୦ ରୁ ୫୦ ଭାଗ ପର୍ଯ୍ୟନ୍ତ ମରିଥାନ୍ତି । ଅଧ୍ବକ ସଂଖ୍ୟକ ବାଛୁରୀ ଅନ୍ନ ସ୍ଥାନରେ ରହିବା ଦ୍ଵାରା, ଜନ୍ମପରେ ଯଥେଷ୍ଟ ପରିମାଣର କଷକ୍ଷୀର ନ ପିଇବା ଦ୍ଵାରା, ଅସ୍ଵାସ୍ଥ୍ୟକର କ୍ଷୀର ପିଇବା ଦ୍ଵାରା, ଅପରିଷ୍କାର ଗୁହାଳ ବା ଚଟାଣରେ ରହିବା ଦ୍ଵାରା ବାଛୁରୀଙ୍କୁ ତରଳ ଝାଡ଼ା ରୋଗ ହୋଇଥାଏ ।

    ଜୀବାଣୁମାନେ ଖାଦ୍ୟରେ ଯାଇ ବାଛୁରୀର ଅନ୍ତନଳୀରେ ବିଷ ଉତ୍ପନ୍ନ କରି ବାଛୁରୀ ମୃତ୍ୟୁର କାରଣ ହୋଇଥାନ୍ତି । ଯେଉଁମାନେ ବଞ୍ଚନ୍ତି ଅତି ଦୁର୍ବଳ ଅବସ୍ଥାରେ ରହନ୍ତି । ଆଖିପତା ଓ ପାଟି ଶେତା ଦେଖାଯାଏ । ବାଛୁରୀଙ୍କୁ ତରଳ ଧଳା ଦୁର୍ଗନ୍ଧଯୁକ୍ତ ଝାଡ଼ା ହୁଏ । ମଝିରେ ମଝିରେ ଝାଡ଼ାରେ ରକ୍ତ ପଡ଼େ । ବାଛୁରୀ ଶୀଘ୍ର ନିୟୋଜ ହୋଇପଡ଼େ, ଖାଇବା ବନ୍ଦ କରିଦିଏ ଏବଂ ମୃତ୍ୟୁମୁଖରେ ପଡ଼େ ।

    ପ୍ରତିଷେଧ

    ଛୋଟ ବାଛୁରୀଙ୍କୁ ପରିଷ୍କାର ଗୁହାଳରେ ରଖିବା ଦରକାର । ଗାଈ ଦୁହିଁଲାବେଳେ ପହ୍ନା ପରିଷ୍କାର ରହିବା ଉଚିତ୍ । ଗୋବର ବା ମାଟି ଲାଗିଥିବା ଚିରରୁ ବାଛୁରୀ କ୍ଷୀର ଖାଇଲେ ଏହି ରୋଗ ହୁଏ । ଏଣୁ ଚିରକୁ ପରିଷ୍କାର ରଖିବା ଉଚିତ୍ । ଅଳ୍ପ ସ୍ଥାନରେ ବେଶୀ ସଂଖ୍ୟକ ବାଛୁରୀ ଯେପରି ନ ରହନ୍ତି ସେଥିପ୍ରତି ଧାନ ଦେବା ଆବଶ୍ୟକ । ବାଛୁରୀ ଜନ୍ମପରେ ତା ଦେହରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଯଥେଷ୍ଟ ପରିମାଣର କଷକ୍ଷୀର ଖାଇବାକୁ ଦେବା ଦରକାର ।

କୃମି ଜନିତ ରୋଗ

ଆମ ଦେଶର ଗ୍ରୀଷ୍ମ ଓ ଆର୍ଦ୍ର ଜଳବାୟୁ ତଥା ଅସ୍ଵାସ୍ଥ୍ୟକର ଗୁହାଳ ପିରି ବେଶ ହିଁ ଗାଈଗୋରୁଙ୍କ କୃମିରୋଗ ବିସ୍ତାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଗୋରୁଙ୍କ ମଳରେ ଅବା କୃମିର ଅଣ୍ଡା ପେଟ ଭିତରୁ ଆସି ଉପଯୁକ୍ତ ବାତାବରଣ ମଧ୍ୟରେ କିଛିଦିନ ଭିତରେ ଫୁଟିଯାଇଥାନ୍ତି । ଏଥିରୁ ନିର୍ଗତ ହୋଇଥିବା ଲାଭୀ ଗେଣ୍ଡା, ମାଛି, ମଶା, ଟିଙ୍କ ଆଦି ମଧ୍ୟବର୍ତୀ ରୋଗ ବାହକ ମାନଙ୍କ ଦ୍ଵାରା ପୁନର୍ବାର ସୁସ୍ଥ ଗୋରୁଙ୍କୁ ଆକ୍ରାନ୍ତ କରିଥାନ୍ତି । ବିଭିନ୍ନ କୃମି ଗୋରୁମାନଙ୍କର ଶରୀର ଭିତରେ ବିଭିନ୍ନ ସ୍ଥାନରେ ରହି ରକ୍ତ ତଥା ଶରୀରର ରସ ଶୋଷଣ କରି ବଂଶ ବିସ୍ତାର କରିଥାନ୍ତି । ଏମାନଙ୍କ ଦ୍ଵାରା ଗୋରୁ ରକ୍ତହୀନ ହୋଇ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଏ । ବାଛୁରୀମାନଙ୍କ ଶରୀର ବୃଦ୍ଧି ବାଧାପ୍ରାପ୍ତ ହୁଏ ତଥା ଗାଈମାନଙ୍କ ଦୁଗ୍ଧ ଉତ୍ପାଦନ ଏବଂ ବଳଦ ମାନଙ୍କର ଭାର ବହନ ଶକ୍ତି ମଧ୍ୟ ହ୍ରାସ ପାଏ ।

ଗାଈଗୋରୁଙ୍କ କୃମି ଜନିତ ରୋଗ ସାଧାରଣତଃ ଦୁଇପ୍ରକାରର ।

  • ଆଭ୍ୟନ୍ତରୀଣ ବା ଅନ୍ତଃକୃମି ଜନିତ
  • ବାହ୍ୟ କୃମି ଜନିତ

ଅନ୍ତଃକୃମି

ଆଭ୍ୟନ୍ତରୀଣ କୃମିମାନଙ୍କ ମଧ୍ୟରେ କେଞ୍ଚୁଆ କୃମି, ଯକୃତ କୃମି, ଚାକୁଣ୍ଡା, କୃମି, କକ୍‌ସିଡ଼ିଆ ଓ ସିଷ୍ଟୋସୋମା କୃମି ଆଦି ପ୍ରଧାନ ।

  • କେଞ୍ଚୁଆ, କୃମି :
  • ପ୍ରାୟତଃ ବାଛୁରୀମାନେ ଏହି କୃମି ଦ୍ଵାରା ଆକ୍ରାନ୍ତ ହୁଅନ୍ତି । ଏମାନଙ୍କ ମଧ୍ୟରେ ହେମୋଙ୍କସ୍ ଜାତୀୟ କୃମି ପ୍ରଧାନ । ହେମୋଙ୍କସ୍ କୃମି ପାକସ୍ଥଳୀରୁ ରକ୍ତ ଶୋଷଣ କରେ ଓ ଅନ୍ୟମାନେ ଅନ୍ତଃନଳୀରେ ଥିବା ଖାଦ୍ୟ ଖାଆନ୍ତି । ଏହାଦ୍ଵାରା ବାଛୁରୀଙ୍କ ଓଜନ କମିଯାଏ ଓ ଏମାନେ ପେଟୁଆ, ପତଳା ଓ ଦୁର୍ବଳ ହୋଇଯାନ୍ତି । ଗଳାପାଟି ତଳେ ପାଣି ଜମା ହୋଇ ଚମଡ଼ା ଓହଳି ପଡ଼େ । ଆକ୍ରାନ୍ତ ଗୋରୁଙ୍କୁ ପ୍ରାଣୀ ଚିକିସ୍ଥକଙ୍କ ଦ୍ଵାରା ନିୟମିତ ମଳ ପରୀକ୍ଷା କରାଇ ଉପଯୁକ୍ତ ପରିମାଣର କୃମି ନିବାରକ ଔଷଧ ଖୁଆଇବା ଦରକାର । ଗୁହାଳର ପରିଷ୍କାର ପରିଚ୍ଛନ୍ନତା ତଥା ନିର୍ମଳ ପାନୀୟ ଜଳଯୋଗାଣ ଏହାର ନିରାକରଣରେ ସାହାଯ୍ୟ କରେ ।

  • ଯକୃତ କୃମି:
  • ଏହି ସଂକ୍ରମଣ ସାଧାରଣତଃ ସମୁଦ୍ର ଉପକୂଳବର୍ଭା ଓ ବନ୍ୟା ପ୍ରପୀଡିତ ଅଞ୍ଚଳରେ ତଥା ସନ୍ତସନ୍ତିଆ ସ୍ଥାନମାନଙ୍କରେ ଦେଖାଯାଏ । ଏହି ରୋଗ ବ୍ୟାପିବାରେ ଗେଣ୍ଡାମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଏଥିରେ ଆକ୍ରାନ୍ତ ଗୋରୁ ନିୟୋଜ ହୋଇ ଖାଇବାରେ ଅନିଚ୍ଛା ଦେଖାଏ, ପାକୁଳି ନିୟମିତ କରେ ନାହିଁ, ନିଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ କରେ ଓ ଗଳା ପାଟିତଳେ ପାଣି ଜମି ଚମଡ଼ା ଓହଳିଯାଏ । ଏହି ରୋଗ ନିରାକରଣ ପାଇଁ ଗେଣ୍ଡାମାନଙ୍କୁ ମାରି ସେମାନଙ୍କ ବଂଶବୃଦ୍ଧି ରୋକିବା ଉଚିତ୍ । ଗୋରୁଙ୍କୁ ସନ୍ତସନ୍ତିଆ ସ୍ଥାନରେ ଚରାଇବା ଅନୁଚିତ୍ ।

  • ଚାକୁଣ୍ଡା କୃମି  :
  • ଆସ୍କାରିଆ ନାମକ ଏକ ଅନ୍ତଃକୃମି ଦ୍ଵାରା ଆସ୍କାରିଆସିସ୍ ରୋଗ ହୁଏ ଓ ଛୋଟ ବାଛୁରୀମାନେ ଏଥିରେ ବହୁଳ ଭାବରେ ଆକ୍ରାନ୍ତ ହୁଅନ୍ତି । ଏହାଦ୍ଵାରା ସେମାନେ ଦୁର୍ବଳ ହୋଇଯାନ୍ତି ଓ ଭଲ ବଢ଼ିପାରନ୍ତି ନାହିଁ, ଲୋମ ଟାଆଁସ ହୋଇଯାଏ ଭୋକ କମିଯାଏ ଓ ପତଳା ଝାଡ଼ା ହୁଏ । ପ୍ରତିଷେଧ ବ୍ୟବସ୍ଥା ସ୍ଵରୂପ ବାଛୁରୀମାନଙ୍କ ନିୟମିତ ଝାଡ଼ା ପରୀକ୍ଷା କରାଇ ଔଷଧ ଖୁଆଇବା ଉଚିତ୍ । ସେମାନଙ୍କୁ ସଂକ୍ରମିତ ଘାସ ପଡ଼ିଆକୁ ଚରିବାକୁ ଛାଡ଼ିବା ଉଚିତ୍ ନୁହେଁ । ଗୁହାଳର ଭିତର ଓ ବାହାରକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିବା ଦରକାର ।

  • କକ୍‌ସିଡ଼ିଆ :
  • ଏହା ଏକ ପ୍ରକାର ପ୍ରୋଟୋଜୋଆ ଓ ବାଛୁରୀମାନେ ସାଧାରଣତଃ ଏହାଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗର ଲକ୍ଷଣମାନଙ୍କ ମଧ୍ୟରେ ବାଛୁରୀଙ୍କ ଖାଦ୍ୟ ପ୍ରତି ଅନାଗ୍ରହ ଓ ନାଳ ରକ୍ତ ଝାଡ଼ା ପ୍ରଧାନ । ଗୁହାଳର ପରିଷ୍କାର ପରିଚ୍ଛନ୍ନତା, ପରିଷ୍କାର ପାନୀୟ ଜଳ ଓ ସୁଷମ ଖାଦ୍ୟ ଯୋଗାଣ ତଥା ଉତ୍ତମ ରକ୍ଷଣାବେକ୍ଷଣ ଦ୍ଵାରା ଏହି ରୋଗ ନିରାକରଣ କରାଯାଇପାରିବ ।

  • ସିଷ୍ଟୋସୋମା କୃମି :
  • ସିଷ୍ଟୋସୋମା ବା ସଂସରା ରୋଗ ସିଷ୍ଟୋସୋମା ନାଜାଲିସ୍ ନାମକ କୃମି ଦ୍ଵାରା ବ୍ୟାପେ । ଏହି ଜାତୀୟ କୃମି ଗୋରୁଗାଈଙ୍କ ନାକପୁଡ଼ାର ରକ୍ତନଳୀରେ ରହି ଘାଆ ସୃଷ୍ଟି କରନ୍ତି । ଏହି ଘାଆ କ୍ରମେ ବଢ଼ି ବଢ଼ି ଛୋଟ ଫୁଲକୋବି ଆକାର ଧାରଣ କରିଥାଏ । ଏହାଦ୍ଵାରା ଗୋରୁ ନିଃଶ୍ଵାସ ପ୍ରଶ୍ଵାସ କରିବା ସମୟରେ କଷ୍ଟ ଅନୁଭବ କରେ ଏବଂ ନିଃଶ୍ଵାସ ଛାଡ଼ିବା ବେଳେ ସଣ ସଣ ଶବ୍ଦ କରେ । ସ୍ତ୍ରୀ ଜାତୀୟ କୃମି ନାକ ଭିତରେ ଛୋଟ ଛୋଟ ରକ୍ତ ନଳୀରେ ରହି ଅଣ୍ଡା ଦିଅନ୍ତି । ଏକ ପ୍ରକାର ଗେଣ୍ଡା ଏହି ରୋଗର ବାହାକ ରୂପେ କାମ କରେ । ରୋଗିଣା ଗୋରୁର ନାକ ଭିତରୁ ରକ୍ତ ମିଶ୍ରିତ ସିଂଘାଣି ବା ନାକ ଭିତର ଘାଆକୁ କୋରି ଏହି ନମୁନା ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କଲେ କୃମିର ଅଣ୍ଡା ଦେଖାଯାନ୍ତି । ଆଜିଓମାଲିନ୍ ନାମ ଔଷଧ ଦ୍ଵାରା ଏହି ରୋଗର ସଫଳ ଚିକିତ୍ସା କରାଯାଇ ପାରୁଛି । ଗେଣ୍ଡା ମାରିବା ପାଇଁ ତୁତିଆ ବା କପର ସଲ୍‌ଫେଟ୍ ମଧ୍ୟ ବ୍ୟବହାର କରାଯାଉଛି ।

ବାହ୍ୟ କୃମି

ବାହ୍ୟ କୃମି ମାନଙ୍କ ମଧ୍ୟରେ ଟିଙ୍କ, ଉକୁଣୀ, ମାଇଟ୍, ମଶା ଓ ମାଛି ପ୍ରଧାନ । ଟିଙ୍କ ଓ ଉକୁଣୀ ଗୋରୁମାନଙ୍କ ଦେହରେ ଲାଗି ରହି ସେମାନଙ୍କଠାରୁ ରକ୍ତ ପିଇ ଗୋରୁକୁ ଦୁର୍ବଳ କରିଦିଅନ୍ତି ଏବଂ ରୋଗୀଣା ଗୋରୁଙ୍କଠାରୁ ବିଭିନ୍ନ ରୋଗର ଭୂତାଣୁ, ଜୀବାଣୁ ଆଦି ଆଣି ସୁସ୍ଥ ଗୋରୁଙ୍କ ଦେହରେ ଛାଡ଼ି ରୋଗ ସୃଷ୍ଟି କରିଥାନ୍ତି । ମାଇଟସ୍‌ମାନେ ଗୋରୁର ଚମଡ଼ା ଫୁଟାଇ ଚମଡ଼ାରେ ରହି ଯାଦୁ ରୋଗ କରାନ୍ତି । ଆକ୍ରାନ୍ତ ଗୋରୁ କାନ୍ଥ, ବାଡ଼ ବା ଗଛରେ ଦେହକୁ ବାରମ୍ବାର ଘଷନ୍ତି ଓ ଅସୃପ୍ତି ଅନୁଭବ କରନ୍ତି । ଚମଡ଼ା ମୋଟା ଓ ଧୋକଡ଼ା ହୋଇଯାଏ ଏବଂ ଲୋମ ଶୁଖିଲା ଓ ମୃତପ୍ରାୟ ହୋଇଯାଏ । କାନ୍ଧ, ବେକ, ପେଟ ଓ ଶରୀରର ଉପର ଅଂଶ ଘଷି ହୋଇ ଠାଏ ଠାଏ ଲୋମ ଉପୁଡ଼ିଯାଏ । ଗାଈର ଦୁଗ୍ଧ ଉତ୍ପାଦନ କମିଯାଏ ଏବଂ ବାଛୁରୀମାନଙ୍କର ଶରୀର ବୃଦ୍ଧି ବାଧାପ୍ରାପ୍ତ ହୁଏ । ଏହା ବ୍ୟତୀତ ଗୋରୁମାନଙ୍କର କାନ୍ଧ ବା ଚୂଳ ଯାଦୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଏ । ଏହା ଷ୍ଟେପ୍ଟୋନୋଫାଇଲେରିଆ ଆସାମେନ୍‌ସିସ୍ ନାମକ ଏକ କୃମିଦ୍ଵାରା ହୋଇଥାଏ । ମୁଖ୍ୟତଃ ମଶା ଓ ମାଛିମାନେ, ଏହି ରୋଗ କରୁଥିବା କୃମିକୁ ରୋଗୀଣା ଗୋରୁଙ୍କଠାରୁ ନେଇ ସୁସ୍ଥ ଗୋରୁଙ୍କ ଦେହରୁ ରକ୍ତି ପିଇଲା ବେଳେ ସେଠାରେ ଛାଡ଼ି ଦେଇ ଏ ରୋଗ କରାଇଥାନ୍ତି । କାନ୍ଧ ଉପର ଯାତୁ ବା ଘାଆ ଦଲଦଲିଆ ହୋଇଯିବାରୁ ଗୋରୁ ହଳ ବା ଗାଡ଼ି ଟାଣିପାରେ ନାହିଁ । କାନ୍ଧ ଓ ଚୁଳ ଫୁଲିଯାଏ । ଏହି ଯାଦୁକୁ ଚିକିତ୍ସା ନକଲେ ବର୍ଷ ବର୍ଷ ଧରି ରହିଥାଏ ଓ ଯାଦୁର ଆକାର ବଢ଼ିଯାଏ ।

ପ୍ରତିଷେଧ

ବାହ୍ୟ କୃମିଙ୍କ ଦ୍ଵାରା ଅଧିକାଂଶ ଗୋରୁ ଆକ୍ରାନ୍ତ ହୋଇଥିଲେ ଗୋଟିଏ କୁଣ୍ଡରେ ଔଷଧ ମିଶା ପାଣିରେ ପ୍ରତ୍ୟେକ ଗୋରୁଙ୍କୁ ଏହା ଭିତରେ ଛାଟି ଗାଧୋଇ ଦିଆଯାଏ । ଏହାକୁ ଡିପିଙ୍ଗ୍ କୁହାଯାଏ । ଏହି ଜାତୀୟ ରୋଗରେ ଗୁହାଳର ବିଶୋଧନ ଏବଂ ଆକ୍ରାନ୍ତ ଗୋରୁମାନଙ୍କୁ ସ୍ପ୍ରେ, ଡିପିଙ୍ଗ୍ ବା ବ୍ରସ୍ ଦ୍ଵାରା ଲିଣ୍ଡେନ୍, ମାଲାଥିଅନ୍ ଜାତୀୟ ଔଷଧ ଉପଯୁକ୍ତ ମାତ୍ରାରେ ପ୍ରୟୋଗ କରି ତୁରନ୍ତ ଚିକିତ୍ସା କରିବା ଉଚିତ୍ । ଗୁହାଳରେ ମଶା ଓ ମାଛି ଗୋରୁ ଶରୀରରୁ ରକ୍ତ ଶୋଷଣ କରନ୍ତି । ଏମାନେ ଖତଗଦା, ପଚାସଢ଼ା ନଡ଼ା ଓ ସନ୍ତସନ୍ତିଆ ଜାଗା ଇତ୍ୟାଦିରେ ଅଣ୍ଡା ଦେଇ ବଂଶ ବୃଦ୍ଧି କରନ୍ତି । ପାଖରେ ଅବା ଗଛ ଓ ବୁଦାମାନଙ୍କରେ ଆଶ୍ରୟ ନିଅନ୍ତି । ଏଣୁ ଖତଗଦା, ଗାଡ଼ିଆ ଓ ପାଖରେ ଥିବାବୁଦାମାନଙ୍କରେ ନିୟମିତ ଔଷଧ ସ୍ପ୍ରେ କରାଯାଇ ଏମାନଙ୍କୁ ଦମନ କରାଯାଇ ପାରିବ ।

ଅଧିକ ଜାଣିବା ପାଇଁ  -"ଓୟୁଏଟି"

ସଂଗୃହିତ  -

ମୂଳ ବିଷୟ ବସ୍ତୁ

  • ଡଃ ଅନ୍ତଃର୍ଯ୍ୟାମୀ  ମହାନ୍ତି

ସଂଶୋଧିତ ବିଷୟ ବସ୍ତୁ

  • ଡଃ ଚିତ୍ତ ରଞ୍ଜନ ପ୍ରଧାନ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ପ୍ରାଣୀ ଉତ୍ପାଦନ ଓ ପରିଚାଳନା ବିଭାଗ
2.86363636364
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top