অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗାଈ ଓ ବାଛୁରୀଙ୍କ ଯତ୍ନ

ଗୋପାଳନକୁ ଲାଭଜନକ କରିବାକୁ ହେଲେ ଗାଈ ଓ ବାଛୁରୀ ମାନଙ୍କର ଯତ୍ନ ନେବା ଏକାନ୍ତ ଆବଶ୍ୟକ । ମନେ ରଖିବା ଉଚିତ୍ ଯେ, ଗାଈମାନେ ପ୍ରାଣୀ । ତେଣୁ ସେମାନଙ୍କ ପ୍ରତି ସ୍ନେହ ଓ ମମତା ରହିବା ଦରକାର । ଜଣେ ସଫଳ ଗୋପାଳକ ଏହି କାରଣରୁ ଏପରି ଏକ ଯୋଜନା କରିବା ଉଚିତ୍ ଯାହା ଦ୍ଵାରା ସେ ସୁବିଧାରେ ଗାଈ ବାଛୁରୀମାନଙ୍କର ଯତ୍ନ ନେଇ ପାରିବ ।

ଗାଈମାନଙ୍କର ଯତ୍ନ

  1. ସାଧାରଣତଃ ଗୋଟିଏ ଗାଈ ଗର୍ଭଧାରଣ କରିବା ଦିନଠାରୁ ହାରାହାରି ୨୮୦ ଦିନ ପରେ ଜନ୍ମ କରିଥାଏ । ତେବେ କେତେକ ଗାଈ ମଧ୍ୟ ୨୭୦ ଦିନଠାରୁ ୨୯୦ ଦିନ ଭିତରେ ଜନ୍ମ କରିଥାନ୍ତି । ତେଣୁ ପ୍ରତ୍ୟେକ ଗୋପାଳକ ପ୍ରତି ଗର୍ଭବତୀ ଗାଈର ବାଛୁରୀ ଜନ୍ମ ହେବାର ଦିନ ହିସାବ କରି ମନେ ରଖିବା ଉଚିତ୍ । ମଇଁଷି ମାନଙ୍କର ଏହା ୩୧୦ ଦିନ ଅଟେ ।
  2. ଗର୍ଭବତୀ ଗାଈମାନଙ୍କୁ ହୁରୁଡ଼ାଇବା ଉଚିତ୍ ନୁହେଁ । ସୁବିଧା ଥିଲେ ଗର୍ଭବତୀ ଗାଈମାନଙ୍କୁ ଅନ୍ୟ ଗାଈମାନଙ୍କ ଠାରୁ ଅଲଗା ରଖିବା ସବୁଠାରୁ ଭଲ ।
  3. ସାଧାରଣତଃ ଗାଈ ଜନ୍ମ କରିବାର ସମୟ ହେଲେ ପଦ୍ମା ବଡ଼ ହୁଏ ଓ ଜନନେନ୍ଦ୍ରିୟ ଫୁଲିଯାଏ । ଏହି ସମୟରେ ଗାଈକୁ ପୁରାପୁରି ଅଲଗା ରଖିବା ଉଚିତ୍ । ଗାଈ ଜନ୍ମ କରୁଥିବା ଘର ପରିଷ୍କାର ରଖିବା ଦରକାର ଏବଂ ସେଥିରେ ଭଲଭାବେ ପବନ ଚଳାଚଳ ହେବା ଉଚିତ୍ । ଜନ୍ମ କରିବା ସମୟରେ ସେହି ଜାଗାରେ ବହଳିଆ କରି ପାଳ ବା ଶୁଖିଲା, ଘାସ ପକାଇ ଦେବା ଆବଶ୍ୟକ ।

ସାଧାରଣତଃ ଅଧିକାଂଶ ଗୁହପାଳିତ ପଶୁ ଜନ୍ମ ସମୟରେ ପ୍ରାୟ କୌଣସି ସାହାଯ୍ୟ ଦରକାର କରନ୍ତି ନାହିଁ । କିନ୍ତୁ ବେଳେ ବେଳେ କୌଣସି ଅସ୍ଵାଭାବିକ ଅବସ୍ଥା ହେତୁ ପଶୁ ଡାକ୍ତରଙ୍କର ସାହାଯ୍ୟ ଦରକାର ହୋଇଥାଏ । ଜନ୍ମ କରିବା ସମୟରେ ପ୍ରଥମେ ବାଛୁରୀର ଆଗ ଦୁଇଟି ଗୋଡ଼ ଓ ତା ପରେ ନାକ ବାହାରି ଆସେ । ଯଦି ବାଛୁରୀଟି ଗାଈର ପେଟ ଭିତରେ ଅସ୍ଵଭାବିକ ଅବସ୍ଥାରେ ଥାଏ, ତେବେ ସଙ୍ଗେ ସଙ୍ଗେ ପଶୁ ଡାକ୍ତରଙ୍କୁ ଡାକିବା ଉଚିତ୍ । ସାଧାରଣତଃ ଗାଈର ଗର୍ଭବେଦନା ଯଦି ୪ ଘଣ୍ଟାରୁ ଅଧୁକ ହୁଏ, ତେବେ ସଙ୍ଗେ ସଙ୍ଗେ ପଶୁ ଡାକ୍ତରଙ୍କୁ ଡାକିବା ଉଚିତ୍ । ଜନ୍ମ କରିବା ପରେ ପରେ ଗାଈର ଲାଙ୍ଗୁଡ଼ ଓ ଜନନେନ୍ଦ୍ରିୟକୁ ଗରମ ପାଣିରେ ଭଲ ଭାବରେ ଧୋଇ ଦେବା ଦରକାର । ପାଣିରେ ସାମାନ୍ୟ ପୋଟାସିୟମ୍ ପରମାଙ୍ଗାନେଟ୍ ମିଶାଇ ଦେଲେ ତାହା ଜୀବାଣୁ ମୁକ୍ତ କରିବାରେ ସାହାଯ୍ୟ କରେ । ଏହି ସମୟରେ ଗାଈକୁ ଥଣ୍ଡା ହେବାକୁ ଦେବା ଉଚିତ୍ ନୁହେଁ । ଗରମ ପାଣି ପିଇବାକୁ ଦେବା ସବୁଠାରୁ ଭଲ । ବାଛୁରୀ ଜନ୍ମ ପରେ ପରେ ପହ୍ନାକୁ ଦୁଧ ଦୁହିଁ ଦେବା ଉଚିତ୍ । ପହ୍ନାରେ କ୍ଷୀର ରହିଗଲେ ଗାଈକୁ ଦୁଗ୍ଧ ଜ୍ଵର ହେବାର ସମ୍ଭାବନା ରହିଥାଏ ।

ସାଧାରଣତଃ ବାଛୁରୀ ଜନ୍ମର ୨ ରୁ ୪ ଘଣ୍ଟା ମଧ୍ୟରେ ଫୁଲ ପଡ଼ିଯାଏ । ଯଦି ୧୨ ଘଣ୍ଟା ଭିତରେ ଫୁଲ ନ ପଡ଼େ, ତେବେ ନିକଟସ୍ଥ ଡାକ୍ତରଙ୍କ ସହାୟତାରେ ଫୁଲ ପକାଇବାର ବ୍ୟବସ୍ଥା କରିବା ସହ ଆବଶ୍ୟକୀୟ ଆଣ୍ଟିବାୟୋଟିକ୍ ବୋଲସ୍ ଜରାୟୁରେ ସ୍ଥାପନ କରନ୍ତୁ । ଫୁଲ ପଡ଼ିଯିବା ପରେ ତାହାକୁ ଗାତ ଖୋଳି ପୋତିଦେବା ଦରକାର । ଗାଈ ଯଦି ଫୁଲକୁ ଖାଇଦିଏ, ତେବେ ତାହାର ଦୁଗ୍ଧ ପରିମାଣ କମିଯାଏ ।

ଅଧିକ କ୍ଷୀର ଦେଉଥିବା' ଗାଈମାନଙ୍କର ଦୁଗ୍ଧ ଜ୍ଵର ଓ ସ୍ତନ ହରା ହେବାର ସମ୍ଭାବନା ଥାଏ । ଦୁଗ୍ଧ ଜ୍ଵର ନ ହେବା ପାଇଁ ଗାଈ ଜନ୍ମ କରିବାର ଦିନେ ଦୁଇଦିନ ପର୍ଯ୍ୟନ୍ତ ପହ୍ନାରୁ ସବୁତକ କ୍ଷୀର ଦୁହିଁ ଦେବା ଉଚିତ୍ ନୁହେଁ । ଗାଈ ଦୁହିଁବା ପୂର୍ବରୁ ପନ୍ଥାକୁ ଭଲ ଭାବରେ ପାଣିରେ ଧୋଇ ଦେଇ ଓ ଗାଈ ଦୁହାଁଳୀର ହାତ ଧୋଇ ଗାଈ ଦୁହିଁଲେ ସ୍ତନ ହରା ରୋଗ ହୁଏ ନାହିଁ ।

ଜନ୍ମ କରିବା ପରେ ଗାଈକୁ ଗରମ ପାଣିରେ ଚୋକଡ଼ ଗୋଳାଇ ଖାଇବାକୁ ଦେବା ଉଚିତ୍ । କଞ୍ଚା ଘାସ ମଧ୍ୟ ଦିଆଯାଇପାରେ । ଦୁଇ ତିନି ଦିନ ପରେ ସୁଷମ ଦାନା ଦିଆଯାଇପାରେ । ପରେ ଗାଈର ଆବଶ୍ୟକତା ଅନୁସାରେ ତାହାକୁ ନିୟମିତ ଦାନ ଦେବା ଉଚିତ୍ ।

ବାଛୁରୀର ଯତ୍ନ

  1. ବାଛୁରୀ ଜନ୍ମ ହେବା ପରେ ପରେ ତାହାର ପାଟି ଓ ନାକରେ ଲାଗିଥିବା ନାଳ ଭଲ ରୂପେ ସଫା କରି ଦିଅନ୍ତୁ । ଯଦି ବାଛୁରୀ ନିଶ୍ଵାସ ନେଉ ନଥାଏ, ତେବେ କୃତ୍ରିମ ଉପାୟରେ ଶ୍ଵାସକ୍ରିୟା କରାଇବା ଦରକାର । ବାଛୁରୀର ପଛ ଗୋଡ଼କୁ ଉପରକୁ ଟେକି ମୁଣ୍ଡକୁ ତଳକୁ କରିଦେଲେ ନିଶ୍ଵାସ ନେବା ଆରମ୍ଭ ହୋଇଥାଏ । ତେବେ ୩-୪ ଥର ଏହିପରି କରିବାକୁ ହୋଇଥାଏ । ନିଶ୍ଵାସ ନେବାକୁ ଆରମ୍ଭ କରିବା ମାତ୍ରେ ଏହି ପ୍ରକିୟା ବନ୍ଦ କରିଦେବା ଉଚିତ୍ ।
  2. ନାଭିକୁ ଦୁଇ ଇଞ୍ଚ ଦୂରତ୍ଵରେ ସୂତା ଦ୍ଵାରା ବାନ୍ଧି ରଖନ୍ତୁ ଏବଂ ବାକିଅବା ନାଭିକୁ ସଫା କଇଁଚିରେ କାଟି ତହିଁରେ ଟିନଚର ଆୟୋଡିନ୍ ଲଗାନ୍ତୁ । ଯଦ୍ଵାରା କି ନାଭିର କୌଣସି ପ୍ରକାର ସଂକାମକ ରୋଗକୁ ରୋକାଯାଇପାରିବ।
  3. ସାଧାରଣତଃ ଜନ୍ମ ହେବାର ଘଣ୍ଟାକୁ ଭିତରେ ବାଛୁରୀ ନିଜ ଗୋଡ଼ରେ ଠିଆ ହୋଇ ମାଆଠାରୁ କ୍ଷୀର ପିଇବାକୁ ଆରମ୍ଭ କରିଥାଏ । ଅବଶ୍ୟ କେତେକ ବାଛୁରୀଙ୍କୁ ଠିଆ କରାଇ ପହ୍ନାରେ ମୁହଁ ଲଗାଇବା ପାଇଁ ସାହାଯ୍ୟ ଆବଶ୍ୟକ ହୋଇଥାଏ। ତେବେ ବାଛୁରୀ ଚିରରେ ମୁହଁ ଲଗାଇବା ପୂର୍ବରୁ ପହ୍ନା ଓ ଚିରକୁ ଭଲ ଭାବରେ ସଫା କରିଦେବା ଦରକାର।
  4. ଜନ୍ମ ହେବା ଅଧଘଣ୍ଟା ପରଠାରୁ ପ୍ରାୟ ୩ ଦିନ ପର୍ଯ୍ୟନ୍ତ ଗାଈ ଚିରରୁ ବାହାରୁ ଥିବା ଦୁଧକୁ ପିଇବାକୁ ଦେବା ଉଚିତ୍ । ଏହି ଦୁଧକୁ କଷ କ୍ଷୀର ବା କୋଲଷ୍ଟ୍ରମ୍ କୁହାଯାଏ । ଏହାକୁ ପିଇବା ଦ୍ଵାରା ବାଛୁରୀର ଝାଡ଼ା ସଫା ହୁଏ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏଥିରେ ବେଶି ପରିମାଣରେ ଭିଟାମିନ୍ ଥାଏ ଯାହାକି କ୍ଷୀରଠାରୁ ୪-୫ ଗୁଣ ପୁଷ୍ଟିସାର, ୧୦ ଗୁଣ ଭିଟାମିନ୍ ଓ ପ୍ରଚୁର ପରିମାଣର ଖଣିଜ ତତ୍ତ୍ଵ ଭରି ରଖୁଥାଏ । ସାଧାରଣତଃ ବାଛୁରୀ ତାହା ଶରୀର ଓଜନର ୧୦ ଭାଗରୁ ଏକ ଭାଗ ପରିମାଣରେ କଷ କ୍ଷୀର ଆବଶ୍ୟକ କରିଥାଏ । ଯଦି ଅଧିକ ଦୁଧ ପିଇବା ଫଳରେ ଅଜୀର୍ଣ୍ଣ ହୁଏ, ତେବେ ଦୁଧର ପରିମାଣ କମାଇ ଦେବା ଦରକାର ।
  5. ଆଜିକାଲି ବଡ଼ ବଡ଼ ଡାଇରୀ ଫାର୍ମ ମାନଙ୍କରେ ଗାଈ ଜନ୍ମ କରିବା ପରେ ପରେ କିମ୍ବା ଜନ୍ମ କରିବାର ୩ ଦିନ ପରେ ବାଛୁରୀକୁ ମାଆଠାରୁ ଅଲଗା କରି ଦିଆଯାଏ । ଗାଈଠାରୁ ଦୁଧ ଦୁହିଁ ସେ କ୍ଷୀରକୁ ବାଛୁରୀକୁ ପିଆଯାଏ କିନ୍ତୁ ବାଛୁରୀକୁ ଗାଈଠାରୁ ପିଇବାକୁ ଦିଆଯାଏ ନାହିଁ । ଏହା ଫଳରେ ଡାଏରୀ ପରିଚାଳନା କରିବା ସୁବିଧା ଜନକ ହୋଇଥାଏ । ବାଛୁରୀ ମରିଗଲେ ମଧ୍ୟ ଗାଈ କ୍ଷୀର ଦେବାରେ ହଇରାଣ କରେ ନାହିଁ ଏବଂ ଗାଈଠାରୁ କେତେ ପରିମାଣରେ କ୍ଷୀର ମିଳୁଅଛି ତାହା ସଠିକ୍ ଜଣାପଡ଼େ ।
  6. ବାଛୁରୀର ଉପଯୁକ୍ତ ଶାରୀରିକ ବୃଦ୍ଧିପାଇଁ ୪ ଦିନ ବୟସରୁ ୪ ସପ୍ତାହ ପର୍ଯ୍ୟନ୍ତ ଶରୀରର ଓଜନ ୧୦ ଭାଗରୁ ୧ ଭାଗ, ୫ ଓ ୬ ସପ୍ତାହ ବୟସରେ ୧୫ ଭାଗରୁ ୧ ଭାଗ ଏବଂ ୭ ଓ ୮ ସପ୍ତାହ ବୟସରେ ଶରୀର ଓଜନର ୨o ଭାଗରୁ ୧ ଭାଗ କ୍ଷୀର ପିଇବାକୁ ଦିଅନ୍ତୁ । ୮ ସପ୍ତାହ ପରେ କ୍ଷୀରର ଆବଶ୍ୟକତା ନ ଥାଏ । ବାଛୁରୀକୁ ୧୫ ଦିନ ହେଲେ ତାକୁ କଞ୍ଚାଳିଆ ଘାସ, ପାଳ, ନଡ଼ା ଓ ବାଛୁରୀ ଦାନା ଚାଟିବାକୁ ଦିଅନ୍ତୁ । ୧୫-୨୦ ଦିନ ପରେ ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ ।
  7. ବାଛୁରୀମାନଙ୍କୁ ସାଧାରଣତଃ ଅଲଗା ସ୍ଥାନରେ ରଖିବା ଉଚିତ୍ । ୭-୮ ସପ୍ତାହ ପରେ ବାଛୁରୀମାନଙ୍କୁ ଏକାଠି ମଧ୍ୟ ରଖାଯାଇପାରେ ।
  8. ମାଈ ବାଛୁରୀମାନଙ୍କୁ ଛତୁର ୧୦ ଦିନ ଭିତରେ ଡିହାଣ୍ଡି ବା ଶିଙ୍ଘ ନ ଉଠିବା ପାଇଁ ବ୍ୟବସ୍ଥା କରିବା ଉଚିତ୍ । ଏହାଦ୍ଵାରା ଗାଈମାନଙ୍କୁ ଦେଖାରଖା କରିବାରେ ସୁବିଧା ହୋଇଥାଏ ।
  9. ୨୧ ଦିନ ହୋଇଗଲାପରେ କୃମି ନାଶକ ଔଷଧ ଦିଅନ୍ତୁ ଓ ତା ପରେ ୬ ରୁ ୮ ମାସ ପର୍ଯ୍ୟନ୍ତ ପ୍ରତିମାସରେ ଥରେ ଲେଖାଏଁ ଦିଅନ୍ତୁ ।
  10. ବାଛୁରୀକୁ ୩ ମାସ ହେବା ପରେ ଅନ୍ୟାନ୍ୟ ସଂକ୍ରାମକ ରୋଗ ଯଥା - ସଂକ୍ରାମକ ଗର୍ଭପାତ, ଆକ୍ତାକ୍ସ, ଫାଟୁଆ ଏବଂ ବଜବଜିଆ, ସାହାଣ ପାଇଁ ପ୍ରତିଷେଧକ ଇଞ୍ଜେକ୍ସନ ଦେବା ଉଚିତ୍ । ଦୁଇଟି ଟୀକା ମଧ୍ୟରେ ବ୍ୟବଧାନ ୧୫ ଦିନ ହେବା ଉଚିତ୍ ।

ବାଛୁରୀଙ୍କ ପାଇଁ ଗୁହାଳ

ମୁଖ୍ୟ ଗୁହାଳର ଗୋଟିଏ କଣକୁ ୧୫ ଫୁଟ ଲମ୍ବା ଓ ୧୦ ଫୁଟ, ଚଉଡ଼ା ସ୍ଥାନରେ ବାଛୁରୀମାନଙ୍କୁ ରଖିବା ପାଇଁ ବନ୍ଦୋବସ୍ତ କରିବା ଦରକାର । ସାଢ଼େ, ତିନି ଫୁଟ ଠାରୁ ୪ ଫୁଟ ଉଚ୍ଚର କାନ୍ଥ ଦ୍ଵାରା ଏହାକୁ ମୁଖ୍ୟ ଗୁହାଳ ଠାରୁ ଅଲଗା କରାଯାଇପାରିବ । ଏହି ସ୍ଥାନ ସାମନାରେ ୨୦ ଫୁଟ ଲମ୍ବା ଓ ୧୦ ଫୁଟ, ଚଉଡ଼ାର ଜାଗା ରଖି ପାରିଲେ ବାଛୁରୀମାନେ କିମ୍ବା ଜନ୍ମ କରିବାର ୩ ଦିନ ପରେ ତହିଁରେ ଡିଆଁ ଡେଇଁ କରି ପାରିବେ । ବାଛୁରୀ ଗୁହାଳର ଦାନା ଓ ପାଣି ଦେବା ପାଇଁ ସିମେଣ୍ଟ କୁଣ୍ଡ କରିବା ଉଚିତ୍ ।

ବାଛୁରୀକୁ ଖୁଆଇବା ପାଇଁ ଅଭ୍ୟାସ କରାଇବା

ଯେଉଁ ବାଛୁରୀମାନଙ୍କୁ ମାଆଠାରୁ ଅଲଗା କରି ଦିଆଯାଏ ସେମାନଙ୍କୁ ଖୁଆଇବା ପାଇଁ ତାଲିମ୍ ଦେବା ଦରକାର । ଏଥିପାଇଁ ବୈଧିର୍ଯ୍ୟ ଆବଶ୍ୟକ । କାରଣ କଅଁଳା ବାଛୁରୀ ଗୋଟିଏ ପାତ୍ରରୁ ସହଜରେ କ୍ଷୀର ପିଏ ନାହିଁ । ଗୋଟିଏ ପରିଷ୍କାର ଚଟକା ମୁହାଁ ପାତ୍ରରେ କ୍ଷୀର ନେଇ ତାହାକୁ ବାଛୁରୀ ମୁହଁ ପାଖରେ ରଖନ୍ତୁ । ବାଛୁରୀ ପାଟିରେ ଆଙ୍ଗୁଠି ପୁରାଇଲେ ସେ ତାହାକୁ ଚୁଚୁମିବାରେ ଆରମ୍ଭ କରେ । ସେହି ଅବସ୍ଥାରେ ବାଛୁରୀ ମୁହଁକୁ ପାତ୍ର ଭିତରେ ଲଗାଇ ଦେଲେ ବାଛରୀ ଆସ୍ତେ ଆପେ ପାତ୍ରରୁ କ୍ଷୀର ପିଇବାକୁ ଆରମ୍ଭ କରେ । ଏହା କରିବା ପାଇଁ ୪-୫ ଥର ଅଭ୍ୟାସ କରାଇବା ଉଚିତ୍ ।

ବାଛୁରୀ ପ୍ରାୟ ୨ ସପ୍ତାହର ହୋଇଗଲା ପରେ ତାହାକୁ ଆସ୍ତେ ଆସ୍ତେ ଅଳ୍ପ ଅଳ୍ପ ଦାନା ଦେବା ଉଚିତ୍ । ପ୍ରଥମେ ତା ମୁହଁରେ ଦାନାରୁ କିଛି ଘସି ଦେଲେ ସେ ତାହାକୁ ଚାଟିବାକୁ ଆରମ୍ଭ କରେ । ଏହିପରି ଭାବରେ ୨-୪ ଥର କରିବା ପରେ ସେ ଦାନା ଖାଇବାକୁ ଆରମ୍ଭ କରେ । ବାଛୁରୀଟି ୪ ମାସରେ ହୋଇଗଲା ପରେ ତାହାକୁ ପୁରା ଦାନା ଦିଆଯାଇପାରେ ।

ଋତୁମତୀ ଗାଈର ଲକ୍ଷଣ

ଛଡ଼ାଟିଏ ଜନ୍ମ କରିବାକୁ ଉପଯୁକ୍ତ ହେଲେ ତାହାର ଋତୁ ଲକ୍ଷଣ ଦେଖାଯାଏ । ଗାଈମାନଙ୍କର ପ୍ରାୟ ୧୮ ରୁ ୨୩ ଦିନରେ ଋତୁ ହୋଇଥାଏ । ଏହି ସମୟରେ ନିମ୍ନଲିଖିତ ଲକ୍ଷଣ ଦେଖାଯାଏ ।

  1. ଗାଈର ଜନ୍ମ ଦ୍ଵାର ଫୁଲିଯାଏ ଏବଂ ସେଥିରୁ ସ୍ଵଚ୍ଛ ଓ ସାମାନ୍ୟ ବହଳିଆ ଲାଳ ନିର୍ଗତ ହୁଏ ।
  2. ଗାଈ ବାରମ୍ବାର ହୟାରଡ଼ି ପକାଇ ଥାଏ ।
  3. ଋତୁମତୀ ଗାଈ, ଅନ୍ୟ ଗାଈମାନଙ୍କ ଉପରେ ଚଢ଼ିଯାଏ ବା ବୃଷଭ, ବଳଦ ଓ ଅନ୍ୟ ଗାଈମାନେ ମଧ୍ୟ ତା ଉପରେ ଚଢ଼ିଥାନ୍ତି ।
  4. ଗାଈ ଥରକୁଥର ଅଳ୍ପ ପରିମାଣରେ ପରିସ୍ରା କରେ ଓ ଲାଙ୍ଗୁଡ଼କୁ ଟେକି ରଖୁଥାଏ ।
  5. ଏହି ସମୟରେ କେତେକ ଗାଈ ଭଲ ଭାବରେ ଖାଆନ୍ତି ନାହିଁ ଓ କ୍ଷୀର କମାଇ ଦେଇଥାନ୍ତି । ଏହି ଲକ୍ଷଣ ସାଧାରଣତଃ ୨୦ ରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ରହେ । କିନ୍ତୁ କେତେକ ଗାଈ ବା ଛଡ଼ାଙ୍କ ପକ୍ଷେ ଏହା ୩୬ ଘଣ୍ଟା ପର୍ଯ୍ୟନ୍ତ ରହିବାର ଦେଖାଯାଇଥାଏ ।

ଋତୁର ଲକ୍ଷଣ ଦେଖାଦେବାର ୧୨ ଘଣ୍ଟା ଠାରୁ ୧୮ ଘଣ୍ଟା ମଧ୍ୟରେ ଗାଈକୁ ପ୍ରାକୃତିକ ଉପାୟରେ ଷଣ୍ଢ ଦ୍ଵାରା ସଙ୍ଗମ କରାଇବା ଉଚିତ୍ କିମ୍ବା କୃତ୍ରିମ ପ୍ରଜନନ ପ୍ରଣାଳୀ ସାହାଯ୍ୟରେ ଇଞ୍ଜେକ୍ସନ୍ ଦେବା ଦରକାର । ସାଧାରଣତଃ ସକାଳ ବେଳା ଋତୁ ହେଲେ ଉପରବେଳା ଓ ଉପରବେଳା ଋତୁ ହେଲେ ତାର ପରଦିନ ସଙ୍ଗମ କରାଇଲେ ଗାଈ ଗର୍ଭବତୀ ହେବାର ସମ୍ଭାବନା ବହୁତ ଥାଏ ।

ଆଜିକାଲି ବୁତ୍ରିମ ପ୍ରଜନନ ପ୍ରଣାଳୀ ସାହାଯ୍ୟରେ ଉନ୍ନତ ଜାତିଆ ବୃଷଭ ଠାରୁ ଶୁକ୍ର ସଂଗ୍ରହ କରାଯାଇ ଗାଈମାନଙ୍କୁ ଇଞ୍ଜେକ୍ସନ ଦିଆଯାଉଛି । ଏବେ ହୀମିକୃତ ଶୁକ୍ରକୁ ତରଳ ଯବକ୍ଷାରଜାନରେ ଅନେକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରଖାଯାଇ ପାରୁଅଛି । ତେଣୁ ସବୁବେଳେ ନିଜେ ପଶୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ କୃତ୍ରିମ ଉପାୟରେ ଇଞ୍ଜେକ୍‌ସନ୍ ଦେଇ ଗାଈକୁ ଗର୍ଭବତୀ କରାଇବା ଏକ ସଫଳ ବ୍ୟବସ୍ଥା ।

ଗାଈର ବନ୍ଧ୍ୟା ରୋଗ ଓ ତାହାର ପ୍ରତିକାର

ଅନେକ ସମୟରେ ଛଡ଼ା ୪ ରୁ ୫ ବର୍ଷ ହେବା ପର୍ଯ୍ୟନ୍ତ ଗର୍ଭଧାରଣ ପାଇଁ ଉପଯୁକ୍ତ ହୁଅନ୍ତି ନାହିଁ । ସାଧାରଣତଃ ଉନ୍ନତ ଶଙ୍କର କିସମ ଜାତୀୟ ଛଡ଼ା ଦେଢ଼ ବର୍ଷରୁ ୨ ବର୍ଷ ଭିତରେ ଋତୁମତୀ ହେବା ଉଚିତ୍ । ତେବେ ମାଈ ବାଛୁରୀକୁ ଯଦି ଜନ୍ମ ଦିନଠାରୁ ସୁଷମ ଖାଦ୍ୟ ମିଳେ ନାହିଁ, ତେବେ ସେହି ଛଡ଼ା ଖୁବ୍ ବିଳମ୍ବରେ ଋତୁମତୀ ହୁଏ କିମ୍ବା ବାଛୁରୀର ଜନନେନ୍ଦ୍ରୀୟ ଗଠନରେ ଯଦି କୌଣସି ଅସ୍ଵାଭାବିକତା ଥାଏ, ତେବେ ମଧ୍ୟ ସେ ଗର୍ଭଧାରଣ କରିବାକୁ ସକ୍ଷମ ହୁଏନାହିଁ । ଅନେକ ସମୟରେ ଯକ୍ଷ୍ମା, ଫାଟୁଆ, ଗୋବସନ୍ତ ପ୍ରଭୃତି ରୋଗ ଦ୍ଵାରା ଆକ୍ରାନ୍ତ ହେଲେ ବା ଏକ ପ୍ରକାର ହର୍‌ମୋନର ଅଭାବ ହେଲେ ଗାଈମାନେ ସ୍ଵାଭାବିକ ଢଙ୍ଗରେ ଋତୁମତୀ ହୋଇ ନଥାନ୍ତି । ପୁନଶ୍ଚ ଗାଈଟିଏ ଜନ୍ମ କରି ସାରିବାର ୨ ରୁ ୩ ମାସ ଭିତରେ ପୁଣି ଥରେ ଋତୁମତୀ ହେବା ଉଚିତ୍ । କିନ୍ତୁ ଅନେକ ସମୟରେ ଜନ୍ମ କରିବାର ବହୁଦିନ ଧରି ସେମାନେ ଗରମ ହୁଅନ୍ତି ନାହିଁ । ସୁଷମ ଖାଦ୍ୟର ଅଭାବ ହେଲେ ପ୍ରାୟ ଏହି  ଅସୁବିଧା ଦେଖାଯାଇଥାଏ ।

ଏହିସବୁ ଅସୁବିଧା ହେଲେ ଆପଣ ପଶୁ ଚିକିତ୍ସକଙ୍କ ସହିତ ଶୀଘ୍ର ପରାମର୍ଶ କରିବା ଉଚିତ୍ । ଅଧିକ ଦୁଧ ଦେଉଥ୍ବା ଗାଈମାନଙ୍କୁ ସବୁବେଳେ ସୁଷମ ଖାଦ୍ୟ, ଧାତବ ଲବଣ ଓ ପ୍ରଚୁର ପରିମାଣରେ କଞ୍ଚା ଘାସ ଦେବା ଦରକାର । କଞ୍ଚା ଘାସ ଭିଟାମିନ୍ ଏ ଯୋଗାଇଥାଏ, ଯାହାକି ଗର୍ଭାଶୟର ବିକାଶ ଦିଗରେ ସାହାଯ୍ୟ କରେ । କଞ୍ଚା ଘାସ ମିଳୁ ନଥୁଲେ ଭିଟାମିନ୍ ଏ ନିୟମିତ ଦାନାରେ ମିଶାଇ ଦେବା ଉଚିତ୍ ।

ଗାଈ ଗର୍ଭବତୀ ନ ହେବା ବା ଥରକୁ ଥର ଲେଉଟାଇବା

ଗାଈ ଚତୁ ନହେଲେ ବା ଋତୁ ହୋଇ ଗର୍ଭବତୀ ନ ହେଲେ ମାଲିକର ବହୁତ କ୍ଷତି ହୋଇଥାଏ । ଏକ ହିସାବରୁ ଜଣାଯାଇଛି ଯେ, ଶତକଡ଼ା ୪୦ ରୁ ୫୦ ଭାଗ ଗାଈ ପ୍ରଥମ ଥର ସଙ୍ଗମ ବା କୃତ୍ରିମ ପ୍ରଜନନ ଦ୍ଵାରା ଗର୍ଭବତୀ ହୋଇଥାନ୍ତି ଓ ୨୦ ରୁ ୨୫ ଭାଗ ଗାଈ ଦୁଇ ତିନି ଥର ସଙ୍ଗମ ବା ଇଞ୍ଜେକ୍‌ସନ୍ ଦେବା ଦ୍ଵାରା ଗର୍ଭବତୀ ହୁଅନ୍ତି । ଅବଶିଷ୍ଟ ୨୫ ଭାଗ ଗାଈ ୫/୬ ଥର ବା ତାଠାରୁ ଅଧିକ ଥର ଲେଉଟାଇ ଥାଆନ୍ତି ।

ଗାଈ ଲେଉଟାଏ କାହିଁକି ?

ଠିକ୍ ସମୟରେ ସଙ୍ଗମ ନ କରାଇଲେ, ଗାଈର ଜନନେନ୍ଦ୍ରିୟାରେ ଜୀବାଣୁ ବା ଅନ୍ୟାନ୍ୟ କ୍ଷତିକାରକ ଭୁତାଣୁ ଇତ୍ୟାଦି ରହିଥୁଲେ, ଗାଈର ଗର୍ଭକୋଷରେ କୌଣସି ଅସ୍ଵଭାବିକ ଅବସ୍ଥା ଦେଖାଦେଲେ ବା ଜନନେନ୍ଦ୍ରିୟାରେ କୌଣସି ରୋଗ ଥିଲେ ସେମାନେ ବାରମ୍ବାର ଲେଉଟାଇଥାନ୍ତି । ସୁଷମ ଗୋଖାଦ୍ୟର ଅଭାବ ହେଲେ କିମ୍ବା ଦାନାରେ ଧାତବ ଲବଣ ଓ ଖାଦ୍ୟପ୍ରାଣ କ ଓ ଘ ର ଅଭାବ ହେଲେ ଗାଈ ଗରମକୁ ଆସେ ନାହିଁ । ତେଣୁ ଏହିପରି ଅବସ୍ଥା ଦେଖାଦେଲେ ଅଭିଜ୍ଞ ପଶ୍ମ ଚିକିତ୍ସକମାନଙ୍କ ସହିତ ପରାମର୍ଶ କରି ଚିକିତ୍ସା କରାଇବା ଉଚିତ୍ । ସାଧାରଣତଃ ପଶୁ ଚିକିତ୍ସକମାନେ ଗାଈର ଗର୍ଭାଶୟକୁ ପରୀକ୍ଷା କରି ପ୍ରଥମେ ଆଣ୍ଟିବାୟୋଟିକ୍‌ସ୍ ଇଞ୍ଜେକ୍‌ସନ୍ ଦେଇ ପରେ କୃତ୍ରିମ ପ୍ରଜନନ କରାଇଥାନ୍ତି ।

ପ୍ରତିକାର

  1. ଶୈଶବ ଅବସ୍ଥାରୁ ବାଛୁରୀ ବା ଛଡ଼ାର ଯତ୍ନ ନିଅନ୍ତୁ । ତାକୁ ସୁଷମ ଦାନା ଠିକ୍ ପରିମାଣରେ ଯୋଗାଇ ଦିଅନ୍ତୁ ଓ ପ୍ରତି ୪ ମାସରେ ଥରେ ଗୋବର ପରୀକ୍ଷା କରି କୃମିନାଶକ ଔଷଧ ଖୁଆନ୍ତୁ ।
  2. ନିୟମିତ ଭାବରେ ଧାତବ ଲବଣ ମିଶ୍ରିତ ଭିଟାମିନ୍ କ ଓ ଘର ବ୍ୟବହାର କରନ୍ତୁ ।
  3. ଦିନକୁ ଅତ୍ୟନ୍ତ ୨ ଥର ଗାଈ ଗୁହାଳ ପର୍ଯ୍ୟବେକ୍ଷଣ କରିବା ଦରକାର ।
  4. ଅଧିକ ସମୟ ଧରି ଗରମରେ ରହୁଥିବା ଗାଈକୁ ବିଳମ୍ବରେ ପ୍ରଜନନ ବା ହର୍ମୋନ୍‌ର ଚିକିତ୍ସା କରି ପ୍ରଜନନ କରାଇବା ଆବଶ୍ୟକ ।
  5. ସ୍ୱଳ୍ପ, ଅଠାଳିଆ ଲମ୍ବା ଲାଳ ନିର୍ଗତ ସମୟରେ କୃତ୍ରିମ ପ୍ରଜନନ କରାନ୍ତୁ ।
  6. ଠିକ୍ ସମୟରେ କୃତ୍ରିମ ପ୍ରଜନନ – ଗାଈ ଗରମ ହେବାର ୧୨-୧୮ ଘଣ୍ଟା ମଧ୍ୟରେ ବା ସକାଳେ ଗରମ ଆସିଲେ ଉପରଓଳି କିମ୍ବା ଉପରଓଳି ଗରମ ଆସିଲେ ତହିଁ ଆରଦିନ ପ୍ରଜନନ କରାଇବା ଉଚିତ୍।

ଶଙ୍କର ଜାତୀୟ ଗାଈମାନଙ୍କର ଯତ୍ନ

ଆଜିକାଲି ବିଦେଶରୁ ହୋଲଷ୍ଟିନ୍, ବ୍ରାଉନ୍ସ୍ତିସ୍, ଜସି ଓ ରେଡ଼୍ ଡେନ୍ ଜାତୀୟ ଗାଈ, ଅଣାଯାଇ, ଆମ ଦେଶରେ ସେମାନଙ୍କ ଠାରୁ ଶଙ୍କର ଜାତୀୟ ଗାଈ ଉଦ୍ଭବ କରାଯାଉଅଛି । ଏମାନଙ୍କ ମଧ୍ୟରେ ହୋଲଷ୍ଟିନ୍ ଜାତୀୟ ଗାଈ ସବୁଠାରୁ ଅଧିକ କ୍ଷୀର ଦେଇଥାଏ । ଥରେ ଜନ୍ମ କଲେ । ଏହି ଜାତୀୟ ଗାଈ ପ୍ରାୟ ୬୦୦୦ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାଏ । କିନ୍ତୁ ଜସି ଜାତୀୟ ଶଙ୍କର ଗାଈ ଆକାରରେ ଛୋଟ ହୋଇଥିବାରୁ ଗାଁ-ଗଣ୍ଡାରେ ସେମାନଙ୍କୁ ରକ୍ଷଣାବେକ୍ଷଣ କରିବା ସହଜ ହୋଇଥାଏ ।

ବୈଜ୍ଞାନିକମାନଙ୍କ ମତରେ ଶଙ୍କର ଜାତୀୟ ଗାଈ ଉଦ୍ଭବ କରିବା ସମୟରେ ସେମାନଙ୍କ ଠାରେ ଶତକଡ଼ା ୫୦ ଭାଗ ବିଦେଶୀ ରକ୍ତ ରହିବା ଉଚିତ୍ । ଆଜିକାଲି ପ୍ରାୟ ସବୁଆଡ଼େ ଏହି ଗାଈମାନଙ୍କର ଚାହିଦା ବଢୁଥିବାରୁ ସେମାନଙ୍କ ତତ୍ତ୍ଵ ନେବା ଏକାନ୍ତ ଆବଶ୍ୟକ । ଏମାନଙ୍କ ଶରୀର ଉତ୍ତାପ ସବୁବେଳେ ସମାନ ରହୁଥିବାରୁ ଯଦି ସେମାନେ ରହୁଥିବା ସ୍ଥାନରେ ଉଭାପ ବଢ଼େ । ବା କମେ ତେବେ ସେଠାରେ ଗାଈମାନେ ଆସୃପ୍ତି ଅନୁଭବ କରନ୍ତି । ତେଣୁ ଖରାଦିନେ ବା ଖରା ସମୟରେ ଗଛ ଛାଇରେ ଗାଈମାନଙ୍କୁ ରଖିଲେ। ସେମାନେ ଅସୁବିଧା ଭୋଗ କରନ୍ତି ନାହିଁ । ଖରାଦିନେ ଏହିସବୁ ଗାଈମାନଙ୍କୁ ଦିନକୁ ୨-୩ ଥର ଗାଧୋଇ ଦେବା ଆବଶ୍ୟକ । ଶଙ୍କର ଜାତୀୟ ଗାଈମାନେ ଦେଶୀ ଗାଈମାନଙ୍କ ଅପେକ୍ଷା ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । ବିଶେଷ କରି ଏମାନଙ୍କୁ ଅଧିକ ପରିମାଣରେ ଫାଟୁଆ ଧରିଥାଏ । ସେହିପରି ମାଷ୍ଟାଇଟିସ୍ ବା ସ୍ତନ ହରା ରୋଗ ମଧ୍ୟ ଏମାନଙ୍କ ଠାରେ ଦେଖାଯାଏ । ତେଣୁ ଏଥିପାଇଁ ସବୁବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ଶଙ୍କର ଜାତୀୟ ଗାଈମାନଙ୍କ ଠାରୁ ପ୍ରତି ୨-୩ ମାସରେ କୃମି ଇତ୍ୟାଦି ମାରିବା ପାଇଁ ଔଷଧ ଦେବା ଦରକାର । ଶଙ୍କର ଜାତୀୟ ଗାଈମାନେ ଯେହେତୁ ଅଧିକ ଦୁଧ ଦେଇଥାନ୍ତି, ସେଥିପାଇଁ ସେମାନଙ୍କୁ ସବୁବେଳେ ସୁଷମ ଖାଦ୍ୟ ଦେବା ଉଚିତ୍ । ସୁଷମ ଖାଦ୍ୟ ସହିତ ଯଥେଷ୍ଟ ପରିମାଣରେ କଞ୍ଚା ଘାସ ଓ ଧାତବ ଲବଣ ମଧ୍ୟ ଦେବା ଉଚିତ୍ ।

ଦୁଗ୍ଧ ଉତ୍ପାଦନ

ଆମେ ଦୁଧ ପାଇବା ପାଇଁ ହିଁ ଗାଈ ରଖିଥାଉ । ତେଣୁ ଗାଈଠାରୁ ଯେପରି ସହଜରେ ଓ ସୁବିଧାରେ ଦୁଧ ଦୁହାଁଯାଇ ପାରିବ ସେଥିପାଇଁ ଗୋପାଳକ, ଦୃଷ୍ଟି ଦେବା ଉଚିତ୍ । ଆଉ ଗୋଟିଏ କଥା ମନେ ରଖିବା ଉଚିତ୍ ଯେ, ଦୁଧ ଭିତରେ ସହଜରେ ଓ ଶୀଘ୍ର ଜୀବାଣୁ ସଂକ୍ରମିତ ହୋଇଥାଏ । ଗୁହାଳ ଅପରିଷ୍କାର ରହିଲେ ବା ଗାଈର ଶରୀର ଅପରିଷ୍କାର ହେଲେ କିମ୍ବା ଦୁହିଁବା ଲୋକ ବା ଦୁହାଁ ଯାଉଥିବା ପାତ୍ର ଅପରିଷ୍କାର ହେଲେ ଦୁଧରେ ଜୀବାଣୁ ସଂଖ୍ୟା ବଢ଼ିଯାଇଥାନ୍ତି । ତେଣୁ ପ୍ରତ୍ୟେକ ଗୋପାଳକ ଏ ଦିଗରେ ଦୃଷ୍ଟି ଦେଇ ଯେତେ ଦୂର ସମ୍ଭବ ପରିଷ୍କାର ଦୁଗ୍ଧ ଉତ୍ପାଦନ କରିବା ଉଚିତ୍ । ସେଥିପାଇଁ ନିମ୍ନଲିଖିତ କେତେଗୁଡ଼ିଏ କଥା ମନେ ରଖିବା ଉଚିତ୍ ।

  1. ଗାଈମାନଙ୍କୁ ସୁସ୍ଥ ରଖନ୍ତୁ । ରୋଗିଣା ଗାଈର କ୍ଷୀର ସଂକ୍ରମିତ ହେବାର ସମ୍ଭାବନା ଥାଏ । ଏଣୁ ସବୁବେଳେ ଗାଈମାନଙ୍କୁ ସୁସ୍ଥ ରଖିବା ଉଚିତ୍ ।
  2. ଗୁହାଳ ପରିଷ୍କାର ରଖନ୍ତୁ । ଗୁହାଳର ଚଟାଣ ସିମେଣ୍ଟ କରିବା ଏକାନ୍ତ ଆବଶ୍ୟକ । ଏହାଦ୍ଵାରା ଗୁହାଳ କୁ ଭଲ ଭାବେ ଧୋଇ ପରିଷ୍କାର କରାଯାଇପାରିବ । ଗୁହାଳ ଭିତରେ ଆଲୁଅ ଓ ପବନ ଯାତାୟତ ପାଇଁ ବ୍ୟବସ୍ଥା ରଖିବା ଦରକାର । ଗୁହାଳ ଭିତରେ ବାସି ଗୋବର ବା ମୃତ ଜମାଇ ରଖନ୍ତୁ ନାହିଁ । ଏହାଦ୍ଵାରା ଗୋରୁମାନଙ୍କର ସ୍ଵାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ ।
  3. ଗାଈ ଦୁହିଁବା ସ୍ଥାନ – ଏକ ପରିଷ୍କାର ସ୍ଥାନରେ ଗାଈ ଦୁହିଁବା ଉଚିତ୍ । ସେହି ଜାଗାରେ ଦାନା ଦେବା ପାଇଁ ମଧ୍ୟ ସିମେଣ୍ଟ କୁଣ୍ଡ ରଖିବା ଦରକାର । ଗାଈ ଦୁହିଁବା ପୂର୍ବରୁ ପରିଷ୍କାର ପାଣିରେ ପହ୍ନା ଓ ଚିରକୁ ଧୋଇ ମୋଟା କନାରେ ପୋଛିଦେବା ଉଚିତ୍ । ଅବଶ୍ୟ ପାଣିରେ ପଟାସ୍ ପକାଇ କିମ୍ବା କ୍ଳୋରିନ ପାଣିରେ ଧୋଇଲେ ପହ୍ନାରେ ଲାଗିଥିବା ଜୀବାଣୁ ମରିଯାଆନ୍ତି । ଦୁହିଁବା ପୂର୍ବରୁ ଗାଈକୁ ଧୋଇ ତା ଦେହ ବ୍ରସରେ କୁଣ୍ଡାଇ ଦେବା ଦରକାର । ଦୁହିଁବା ଲୋକ ମଧ୍ୟ ହାତକୁ ସାବୁନ୍  ରେ ଧୋଇ ଦୁଧ ଦୁହିଁବା ଉଚିତ୍ ।
  4. ଗାଈ ପହ୍ଲାଇଲା ପରେ ଖୁବ୍ ଶୀଘ୍ର ଶୀଘ୍ର ଦୁହିଁଦେବା ଉଚିତ୍ । ୪-୫ ମିନିଟ୍ ଭିତରେ ଦୁଧ ନ ଦୁହିଁଲେ ଗାଈ କ୍ଷୀର ମାରି ଦେଇପାରେ । ଦୁଧକୁ ପରିଷ୍କାର ବାସନରେ ରଖିବା ଏକାନ୍ତ ଆବଶ୍ୟକ।
  5. ଆଜିକାଲି ମେସିନ୍ ସାହାଯ୍ୟରେ ଗାଈ ଦୁହାଁ ଯାଉଅଛି । କିନ୍ତୁ ଆମ ଦେଶରେ ପ୍ରାୟ ଚାଷୀମାନେ ହାତରେ ଦୁହିଁଥାନ୍ତି । ଦୁଧ ଦୁହାଁ ଏକ କଳା ଓ ଏହା ଅଭ୍ୟାସ ଉପରେ ନିର୍ଭର କରିଥାଏ । ଶୁଖିଲା ହାତରେ ଦୁଧ ଦୁହିଁବା ସବୁଠାରୁ ଭଲ । ଅନେକ ଓଦା ହାତରେ ଗାଈ ଦୁହିଁଥାନ୍ତି । ଏହାଦ୍ଵାରା ଚିର ପାଟି ଖଣ୍ଡିଆ ହେବାର ସମ୍ମାବନା ଥାଏ ।
  6. ଗାଈମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦୁହିଁବା ଉଚିତ୍ । ସାଧାରଣତଃ ସକାଳେ ଓ ସଞ୍ଜବେଳେ ଗାଈଦୁହାଁଯାଏ, କିନ୍ତୁ ଅଧିକ କ୍ଷୀର ଦେଉଥିବା ଗାଈମାନଙ୍କୁ ୩ ଥର ଦୁହିଁବା ଦରକାର । ଏହାଦ୍ଵାରା ଗାଈଠାରୁ ଅଧିକ କ୍ଷୀର ମିଳିଥାଏ ।

ଗୋପାଳନରେ ସଫଳତା ପାଇଁ କେତେକ ଜାଣିବା କଥା

  1. ମନେ ରଖିବା ଉଚିତ୍ଵ ଯେ ଗାଈର ପ୍ରତ୍ୟେକ କାମ ନିୟମିତ କରିବା ଦରକାର । ତାର ଖାଇବା, ଦୁହିଁବା, ବାହାରକୁ ଯିବା ଇତ୍ୟାଦି କାମ ଗୋଟିଏ ସମୟରେ ହେବା ଦରକାର ।
  2. ଗୋପାଳନ କରିବାକୁ ହେଲେ ଗୋପାଳକ ଧୌର୍ଯ୍ୟ ରକ୍ଷା କରିବା ଦରକାର । ଗାଈମାନଙ୍କୁ ବାଡ଼େଇବା ଭଲ। ଗୋପାଳକର କାମ ନୁହେଁ । ତେଣୁ ଗାଈମାନଙ୍କୁ ଆଦରର ସହିତ ରଖିବା ଉଚିତ୍ । କୌଣସି କାରଣରୁ ଯଦି ଗାଈ ହୁରୁଡ଼ି ଥାଏ। ତେବେ ତାକୁ ସେହି ସମୟରେ ବ୍ୟସ୍ତ କରିବା ଉଚିତ୍ ନୁହେଁ ।
  3. ଗାଈମାନଙ୍କୁ ପ୍ରତିଦିନ କିଛି ସମୟ ବାହାରେ ବୁଲିବାକୁ ଦେବା ଦରକାର । ପରୀକ୍ଷା ଦ୍ଵାରା ଜଣାଯାଇଅଛି ଯେ ଗାଈମାନେ ପ୍ରତିଦିନ ପ୍ରାୟ ୯ ରୁ ୧୫ଘଣ୍ଟା ପର୍ଯ୍ୟନ୍ତ ଶୋଇ ରହିଥାନ୍ତି । ଏହି ସମୟରେ ସେମାନେ ପାକୁଳେଇଥାନ୍ତି । ଗାଈ ମାନଙ୍କର ବୁଲିବା ପାଇଁ ଗୁହାଳ ଆଗରେ ଖୋଲା ଜାଗା ରଖିବା ଦରକାର । ପ୍ରତ୍ୟେକ ଦିନ ୨-୩ ଘଣ୍ଟା ବାହାରେ ବୁଲିଲେ ସେମାନଙ୍କ ପାଇଁ ଯଥେଷ୍ଟ ବନ୍ୟାୟାମ ହୋଇଥାଏ ।
  4. ଦୁଧିଆଳୀ ଗାଈମାନଙ୍କୁ ପରିଷ୍କାର ରଖିବା ଦରକାର । ପ୍ରତିଦିନ ଗୋଟିଏ ବ୍ରସରେ ସେମାନଙ୍କ ଦେହକୁ କୁଣ୍ଡାଇଦେଲେ ଚର୍ମ ପରିଷ୍କାର ରହେ ଏବଂ ଚିକ୍କଣ ହୁଏ ।
  5. ଦୁଧିଆଳୀ ଗାଈମାନଙ୍କର ଶିଙ୍ଘ ରଖିବା ଉଚିତ୍ ନୁହେଁ । କାରଣ ଶିଙ୍ଘ" ଥିଲେ ସେମାନଙ୍କୁ ଚଳାଇବା କଷ୍ଟକର ହୋଇଥାଏ । ବାଛୁରୀ ଜନ୍ମ ହେବାର ୭ ଦିନ ଠାରୁ ୧୦ ଦିନ ଭିତରେ ରାସାୟନିକ ପ୍ରକ୍ରିୟା ଦ୍ଵାରା ଶିଙ୍ଘ ଉଠିବା ବନ୍ଦ କରି ଦିଆଯାଇ ପାରେ । ବାଛୁରୀ ଶିଙ୍ଘ ଉଠୁଥିବା ଜାଗାର ଚାରିପଟୁ ଚୁମଗୁଡ଼ିକ କାଟି ଶିଙ୍ଘ ମୂଳର ଚାରିପଟେ ଗ୍ରିଜ୍ ବା ଭେସିଲିନ୍ ଲଗେଇ ଦିଆଯାଏ । ଏକ କଷ୍ଟିକ୍ ପଟାସ୍ ଖଣ୍ଡକୁ କାଗଜରେ ଧରି ଶିଙ୍ଘ ଉଠୁଥିବା ଜାଗାରେ ରକ୍ତ ବାହାରିବା ପର୍ଯ୍ୟନ୍ତ ଆସ୍ତେ ଆସ୍ତେ ଘଷାଯାଏ । ଏହାଦ୍ଵାରା ଭବିଷ୍ୟତରେ ଆଉ ଶିଙ୍ଘ ଉଠେନାହିଁ । ବିଦ୍ୟୁତ ଚାଳିତ ଶିଙ୍ଘକଟା ଯନ୍ତ୍ର ମଧ୍ୟ ବାହାରେ ମିଳୁଛି।
  6. ଖୁରା କାଟିବା – ଗାଈମାନଙ୍କୁ ସବୁବେଳେ ଗୁହାଳେ ବାନ୍ଧି ରଖିଲେ ସେମାନଙ୍କର ଖୁରା ବଢ଼ିଯାଏ । ଏହା ଫଳରେ ସେମାନେ ଭଲ ଭାବରେ ଚାଲି ପାରନ୍ତିନାହିଁ । ତେଣୁ ଖୁରା ବଢ଼ିଥିଲେ। ସେଗୁଡ଼ିକୁ କାଟିଦେବା ଉଚିତ୍ । ପଶୁ ଡାକ୍ତରଙ୍କ ଦ୍ଵାରା ଏହି କାମ କରାଇବା ଦରକାର ।
  7. ପିଇବା ପାଣି –ଦୁଧିଆଳୀ ଗାଈମାନଙ୍କୁ ଯଥେଷ୍ଟ ପିଇବା ପାଇଁ ଦେବା ଉଚିତ୍ । ସାଧାରଣତଃ ଦିନକୁ ୧୦ ଲିଟର କ୍ଷୀର ଦେଉଥିବା ଗାଈମାନଙ୍କ ପାଇଁ ପ୍ରାୟ ୮୦ ରୁ ୧୦୦ ଲିଟର ପାଣି ଦରକାର ହୋଇଥାଏ । ତେଣୁ ତାହା ନିକଟରେ ସବୁବେଳେ ଯଥେଷ୍ଟ ପରିଷ୍କାର ପାଣି ରଖିବା ଦରକାର । ଏହି କାରଣରୁ ବିଦେଶରେ ଗାଈ ବନ୍ଧା ହେବା ସ୍ଥାନରେ ସ୍ଵୟଂଚାଳିତ ପାଣିକୁଣ୍ଡ ସବୁ ରହିଥାଏ ।

ଗାଈମାନଙ୍କର କେତେକ ବଦଭ୍ୟାସ

  1. ନିଜର କ୍ଷୀର ନିଜେ ପିଇବା – କେତେକ ଗାଈ ଆପଣା ଚିରରୁ ଦୁଧ ପିଇଯାଆନ୍ତି । ଏପରିକି ଅନ୍ୟ ଗାଈର ଚିରରୁ ମଧ୍ୟ ଦୁଧ ପିଇଥାନ୍ତି । ଏପରି ହେଲେ ଗାଈଠାରୁ ସବୁ ଦୁଧ ପାଇବା କଷ୍ଟକର ହୋଇଥାଏ । ଏହି ପ୍ରକାର ଗାଈର ଥୋମଣିରେ ଏକ ପ୍ରକାରର ତୁଣ୍ଡି ବାନ୍ଧିଦେଲେ ସେ ଅନ୍ୟ ଗାଈଠାରୁ ପିଇପାରେ ନାହିଁ । ତେବେ ଗାଈକୁ ଛୋଟ କରି ବାନ୍ଧିଲେ ମଧ୍ୟ ସେ ନିଜ ପହ୍ନାକୁ ପିଇପାରେ ନାହିଁ ।
  2. କେତେକ ଗାଈ ଦୁହିଁଲା ବେଳେ ନାତ ମାରିଥାନ୍ତି । ଏ ପ୍ରକାର ଗାଈକୁ ଆଶ୍ବସନା କଲେ ସେମାନେ ସୁଧାର ହୋଇଥାନ୍ତି । ଯଦି ସବୁ ପ୍ରକାର ବ୍ୟବସ୍ଥା ପରେ ଗାଈ ନାତ ମାରେ ତେବେ ତାହାର ବେକକୁ ଉଚ୍ଚ ଜାଗାରେ ବାନ୍ଧିବା ଦରକାର କିମ୍ବା ଦୁହିଁବା ସମୟରେ ପେଟ ତଳୁ ପହ୍ନା ପାଖରୁ ଗୋଟିଏ ଦଉଡ଼ି ଆଣି ପିଠି ଉପରେ ତାହାକୁ ଗଣ୍ଠି ପକାଇ ବାନ୍ଧିଦେଲେ ନାତ ମାରିବା ବନ୍ଦ ହୋଇଥାଏ ।

ଗୋପାଳନ ପାଇଁ ବିଭିନ୍ନ ଖାତା

ଜଣେ ଭଲ, ଗୋପାଳକ ନିଜ ଫାର୍ମର ସୁପରିଚାଳନା ପାଇଁ ହିସାବ କିତାବ ରଖିବା ଉଚିତ୍ । ସରକାରୀ ଫାର୍ମମାନଙ୍କରେ ଅନେକ ପ୍ରକାରର ଖାତା ପତ୍ର ରଖାଯାଇଥାଏ । ତେବେ ଘରୋଇ ଗୋପାଳକ ମାନେ ନିମ୍ନଲିଖିତ କେତୋଟି ଖାତା ରଖିବା ଏକାନ୍ତ ଆବଶ୍ୟକ ।

ଦୁଗ୍ଧ ଉତ୍ପାଦନ ଖାତା ଏହି ଖାତାର ପ୍ରତ୍ୟେକ ଗାଈ ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ଦେଉଥିବାଦୁଗ୍ଧର ପରିମାଣ ଲେଖାଯାଏ । ଫଳରେ ଗୋଟିଏ ଗାଈଠାରୁ ସମୁଦାୟ କେତେ କ୍ଷୀର ମିଳିଥାଏ ସହଜରେ ଜଣାପଡ଼େ ।

ଦାନା ଦେବା ଖାତା ପ୍ରତି ଗାଈକୁ କେତେ ଦାନା ଦିଆ ଯାଉଅଛି ତାହାର ହିସାବ ଏହି ଖାତାରେ ଲେଖାଯାଏ ।

ଗାଈ ଜନ୍ମ କରିବା ହିସାବ ଖାତା ଏଥିରେ ପ୍ରତ୍ୟେକ ଗାଈର ଋତୁ ହେବା ଦିନ, ଗର୍ଭଧାରଣ ଦିନ ଓ ଜନ୍ମ କରିବା ଦିନ ସମ୍ବନ୍ଧୀୟ ବିବରଣୀ ଲେଖା ଯାଇଥାଏ ।

ହିସାବ ଖାତା ଏଥିରେ ଫାର୍ମରେ ଦୈନିକ, ମାସିକ ଓ ବାର୍ଷିକ ଆୟ ବ୍ୟୟ ଇତ୍ୟାଦି ସବୁ ଲେଖାଯାଏ । ଏହାଛଡ଼ା ଅନେକ ଗୋପାଳକ ଗାଈମାନଙ୍କର ବଂଶବଳୀ ରୋଗ ଓ ଚିକିତ୍ସା ସହିତ ପ୍ରତ୍ୟେକ ବାଛୁରୀ ବିଷୟରେ ମଧ୍ୟ ଟିକିନିଖ୍ ବିବରଣୀ ରଖିଥାନ୍ତି । ତେବେ ଏ ବିଷୟରେ ଅଭିଜ୍ଞ ଚାଷୀ ବା ପଶୁପାଳକ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରି ଖାତା ରଖିବା ଉଚିତ୍ ।

ଅଧିକ ଜାଣିବା ପାଇଁ - "ଓୟୁଏଟି"

ସଂଗୃହିତ  -

ମୂଳ ବିଷୟବସ୍ତୁ

  • ଡଃ ବିବେକାନନ୍ଦ ମହାନ୍ତି
  • ଡଃ ରମା ରଞ୍ଜନ ରାଉତ
  • ଡଃ ସୁଧୀର ଚନ୍ଦ୍ର ମହାନ୍ତି

ସଂଶୋଧିତ ବିଷୟବସ୍ତୁ

  • ଡଃ ଲକ୍ଷ୍ମଣ କୁମାର ବାବୁ, ପ୍ରଫେସର,

ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା ବିଭାଗ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ, ଭୁବନେଶ୍ଵର

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate