ହୋମ / କୃଷି / ପ୍ରାଣୀ ଧନ / ଗ୍ରୀଷ୍ମଋତୁରେ ମଇଁଷିଙ୍କ ଅସୁବିଧା
ସେଆର କରନ୍ତୁ

ଗ୍ରୀଷ୍ମଋତୁରେ ମଇଁଷିଙ୍କ ଅସୁବିଧା

ଗ୍ରୀଷ୍ମଋତୁରେ ମଇଁଷିଙ୍କ ଅସୁବିଧା, କିପରି ରକ୍ଷା ପାଇବେ ସେ ସମ୍ବନ୍ଧରେ ସୂଚନା ।

ମଇଁଷିର ଚମଡ଼ା କଳା ଏବଂ ଚମଡ଼ାରେ ଅଳ୍ପ ସଂଖ୍ୟକ ଲୋମ ଓ ଲୋମଗ୍ରନ୍ଥା ଥିବାରୁ ଗ୍ରୀଷ୍ମ କାଳରେ ସୂର୍ଯ୍ୟର ଉତ୍ତାପ ଅଧିକ ଗ୍ରହଣ କରିଥାଏ । ଏହା ବ୍ୟତୀତ ମଇଁଷିର ଝାଳ ନିର୍ଗତ ପ୍ରକ୍ରିୟା ନିମ୍ନମାନର ହେଉଥିବା ଯୋଗୁଁ ଦେହରୁ ଉତ୍ତାପ ବିକିରଣ ଠିକ୍ ଭାବରେ ହୋଇପାରେ ନାହିଁ । ଏଣୁ ମଇଁଷି ସର୍ବଦା ଅସୁସ୍ଥି ଅନୁଭବ କରେ । ମଇଁଷି ଚମଡ଼ାରେ ପ୍ରତି ବର୍ଗ ସେଣ୍ଟିମିଟରରେ ଏକ ଶହରୁ ଦୁଇଶହ ପର୍ଯ୍ୟନ୍ତ ଲୋମ ଓ ପ୍ରତି ଲୋମମୂଳରେ ଗୋଟିଏ କରି ଝାଳ ଗ୍ରନ୍ଥି ଥାଏ । ଏହା ଗାଈର ଲୋମା ଓ ଝାଳ ଗ୍ରନ୍ଥି ସଂଖ୍ୟାର ଏକ ଦଶମାଂସ । ମଇଁଷିର ଝାଳ ଗ୍ରନ୍ଥିର ଆକାର ଗାଈର ଝାଳ ଗ୍ରନ୍ଥି ଠାରୁ ବଡ଼ କିନ୍ତୁ ଏହାର ଝାଳ ନିର୍ଗତ ପ୍ରଣାଳୀ ଗାଈ ଠାରୁ ଅନୁନ୍ନତ । ତେଣୁ ମଇଁଷି ଠାରେ ବାର୍ଷିୟ ଶୀତଳୀକରଣ ପ୍ରକ୍ରିୟା ଗାଈ ଅପେକ୍ଷା କମ୍ ହୋଇଥାଏ । ଏହାଦ୍ଵାରା ଦେହର ଉତ୍ତାପ ବୃଦ୍ଧି ଘଟେ ଓ ମଇଁଷି ଅସହ୍ୟ ଯନ୍ତ୍ରଣା ଅନୁଭବ କରେ । ଉତ୍ତାପ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମଇଁଷିର ପାକୁଳି ବନ୍ଦ ହୋଇଯାଏ । ଖାଇବାକୁ ଇଚ୍ଛା ପ୍ରକାଶ କରେ ନାହିଁ । ଜୋରରେ ନିଶ୍ଵାସ ନିଏ । ପାଟିରୁ ଲାଳ, ଆଖୁ ଓ କାନରୁ ପାଣି ବହେ । ମଇଁଷି ଅଧିକ ପାଣି ପିଏ ମାତ୍ର ଖାଇବା ବନ୍ଦ କରିଦିଏ । ଖାଇବା କମିଯିବା ଦ୍ଵାରା ମଇଁଷିର ଦୁଗ୍ଧ ଉତ୍ପାଦନ କ୍ଷମତା ମଧ୍ୟ କମିଯାଏ । ଗ୍ରୀଷ୍ମର ପ୍ରଭାବ ଯୋଗୁଁ ପୃଷ୍ଟିସାର ଓ ସ୍ପ୍ରେହସାର ହଜମରେ ଅବନତି ଘଟେ । ଗ୍ରୀଷ୍ମ ଦିନେ ଶୀତ ଦିନ ଅପେକ୍ଷା ତିନିଗୁଣ ପରିମାଣର ଜଳ ଦେହରୁ ନିଶ୍ଵାସ ଓ ଝାଳ ଦ୍ଵାରା ବାହାରିଯିବା ଦ୍ଵାରା ମଇଁଷିର ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । ଗାଈର ଉତ୍ତାପ ସହିବା ଶକ୍ତି, ମଇଁଷି ଅପେକ୍ଷା ଅଧିକ ହୋଇଥିବାରୁ ଗାଈମାନଙ୍କୁ ଗ୍ରୀଷ୍ମଋତୁ ସେତେ କ୍ଷତିକାରକ ହୋଇ ନଥାଏ । ମାତ୍ରା ମଇଁଷି ମାନଙ୍କ ପକ୍ଷେ ଗ୍ରୀଷ୍ମଋତୁ ବହୁତ କ୍ଷତିକାରକ ହୋଇଥାଏ ।

ଗ୍ରୀଷ୍ମ ଋତୁରେ ଅଣ୍ଡିରା ମଇଁଷି ମାନଙ୍କର ପ୍ରଜନନ କ୍ଷମତାର ହ୍ରାସ ପାଇଥାଏ । ଫଳରେ ମାଈ ମଇଁଷିଙ୍କର ଗର୍ଭବତୀ ହେବାର ସମ୍ଭାବନା କମ୍ ଥାଏ ବା ଆଦୌ ନଥାଏ । ଅତ୍ୟଧିକ ଉତ୍ତାପ ଯୋଗୁଁ ମାଈ ମଇଁଷି ମାନେ ଗରମକୁ ଆସି ନଥାନ୍ତି । ବାଛୁରୀ ମାନଙ୍କର ଶରୀର ବୃଦ୍ଧି ଠିକ୍ ଭାବରେ ହୋଇପାରେ ନାହିଁ । ମାତ୍ର ଗବେଷଣାରୁ ଜଣାଯାଇଛି ଯେ ବାଛୁରୀ ମାନଙ୍କୁ ଦିନରେ ୨-୩ ଥର ଗାଧୋଇଦେବା ଦ୍ଵାରା ଏମାନଙ୍କର ସୁସ୍ଥ୍ୟ ଭଲ ରହେ ।

ଖରାଦିନେ ମଇଁଷିଙ୍କୁ ରକ୍ଷା କରିବେ କିପରି ?

  1. ଦିନର ଅତ୍ୟଧିକ ଉତ୍ତାପ ସମୟରେ ଅର୍ଥାତ୍‌ ସକାଳ ୧୦/୧୧ଟା ଠାରୁ ୩/୪ଟା ପର୍ଯ୍ୟନ୍ତ ମଇଁଷିକୁ ନଦୀ ବା ପୋଖରୀ ପାଣିରେ ରଖିବା ଉଚିତ୍ । ନତ ବା ଏହି ସମୟରେ ଏମାନଙ୍କୁ ଛାଇ ସ୍ଥାନରେ ବା ଗୁହାଳରେ ରଖିବା ଆବଶ୍ୟକ ।
  2. ଗୁହାଳରେ ଥିବାବେଳେ ଦିନକୁ ୨-୩ ଥର ଭଲ ଭାବେ ପାଣି ଢାଳି ଗାଧୋଇ ଦେବା ଉଚିତ୍ ।
  3. ଗୁହାଳ ଝରକାରେ ଓଦା ଅଖା, ବାନ୍ଧି ଗୁହାଳକୁ ଥଣ୍ଡା ରଖିବା ଉଚିତ୍ ।
  4. ଗୁହାଳରେ ପଖୀ ଲଗାଇ ଗୁହାଳର ପରିବେଶ ଥଣ୍ଡା ରଖାଯାଇପାରେ । ଏହାଦ୍ଵାରା ମଇଁଷି ବହୁତ ଆରାମ ପାଇଥାଏ ।
  5. ପରିଷ୍କାର ଥଣ୍ଡା ପାଣି ଦିନକୁ ୩-୪ ଥର ପିଇବା ପାଇଁ ଦେବା ଉଚିତ୍ ।
  6. ଗୁହାଳର ଚତୁଃପାର୍ଶ୍ୱରେ ଇଉକାଲିପଟାସ୍ ପରି ବଡ଼ ବଡ଼ ସବୁଜ ଗଛ ଲଗାଇବା ଉଚିତ୍ । ଏହା ଗରମ ପବନକୁ ପ୍ରତିରୋଧ କରିବାରେ ସାହାଯ୍ୟ କରେ ଓ ଗୁହାଳ ଘରକୁ ଥଣ୍ଡା ରଖେ ।
  7. ଯଥେଷ୍ଟ ପରିମାଣ ସବୁଜ ଘାସ ଖାଇବାକୁ ଦେବା ଉଚିତ୍ ।
  8. ମଇଁଷିକୁ ରାତିରେ ବା ସନ୍ଧ୍ୟା ସମୟରେ ଘାସ ବା ନଡ଼ା ଇତ୍ୟାଦି ଖାଇବାକୁ ଦେବା ଦରକାର । ଏହାଦ୍ଵାରା ମଇଁଷି ଅଧିକ ଖାଦ୍ୟ ଖାଇ ଅଧିକ ଦୁଗ୍ଧ ଦେଇଥାଏ ।
  9. ଦିନରେ ଅତ୍ୟଧିକ ଉତ୍ତାପ ଯୋଗୁଁ ମଇଁଷିମାନେ ଭଲଭାବେ ଚାରିପାରନ୍ତି ନାହିଁ । ଏଣୁ ସକାଳ ଓ ଉପରବେଳା ଥଣ୍ଡା ସମୟରେ ଚରିବାକୁ ଛାଡ଼ିବା ଉଚିତ୍ ।
  10. ରାତିରେ ମଇଁଷିକୁ ଗୁହାଳରେ ନ ରଖି ବାହାରେ ରଖିବା ଭଲ ।
  11. ମଇଁଷିର ଆବଶ୍ୟକ ହେଉଥାଏ ଦାନାକୁ ଏକାଥରକେ ନ ଖୁଆଇ ଭାଗ ଭାଗ କରି ୨ ବା ୩ ଥରରେ ଖୁଆଇବା ଉଚିତ୍।

ମଇଁଷିଙ୍କ ରୋଗ ଓ ତାର ପ୍ରତିକାର

ମଇଁଷି ମାନଙ୍କର ରୋଗ ହେଲେ ଚାଷୀକୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ । ମଇଁଷି ରୋଗାକ୍ରାନ୍ତ ହେଲେ ତାହାର ଦେହର ଉତ୍ତାପ, ନିଶ୍ଵାସ ପ୍ରଶ୍ଵାସ ହାର ଓ ନାଡ଼ି ଚାଳନା ହାରରେ ପରିବର୍ତ୍ତନ ଘଟିଥାଏ । ଏହି ପରିବର୍ତ୍ତନକୁ ଦେଖି । ଆମେ ମଇଁଷି ରୋଗାକ୍ରାନ୍ତ ବୋଲି କହିଥାଉ ଓ ରୋଗର ଅନ୍ୟସବୁ ଲକ୍ଷଣ ଦେଖା ରୋଗ ନିର୍ଣ୍ଣୟ କରିଥାଉ ।

ସୁସ୍ଥ ମଇଁଷିର ହାରାହାରି ଦେହର ଉତ୍ତାପ, ନିଶ୍ଵାସ ପ୍ରଶ୍ୱାସ ହାର ଓ ନାଡ଼ିଚାଳନା ହାର

ଦେହର ଉତ୍ତାପ ( ସେଣ୍ଟିଗ୍ରେଡ୍ ରେ )

ନିଶ୍ଵାସ ପ୍ରଶ୍ଵାସ ହାର (ମିନିଟ୍ ପ୍ରତି)

ନାଡ଼ି ଚାଳନା ହାର (ମିନିଟ୍ ପ୍ରତି)

୩୬.୮ (ଶୀତଋତୁରେ)

୩୯.୪ (ଗ୍ରୀଷ୍ମଋତୁରେ)

୧୫ – ୨୦

୪୦ – ୫୦

ମଇଁଷିମାନଙ୍କ ଠାରେ ପରିଲକ୍ଷିତ ରୋଗଗୁଡ଼ିକ ହେଲା

ଆନ୍ଥ୍ରାକ୍ସ ବା ସ୍ପୋଟକ

ଏହି ରୋଗ ବ୍ୟାସିଲସ୍ ଆନ୍ଥ୍ରାକ୍ସ ନାମକ ଏକ ପ୍ରକାର ଜୀବାଣୁ ଦ୍ଵାରା ହୋଇଥାଏ । ଏହି ରୋଗ ହେଲେ ଯେଉଁ ଲକ୍ଷଣ ଗୁଡ଼ିକ ଦେଖାଯାଏ, ସେଗୁଡ଼ିକ ହେଲା – ପ୍ରବଳ ଜ୍ଵର ହୁଏ, ରକ୍ତ ଦୂଷିତ ହୁଏ ଏବଂ ସଙ୍ଗେ ସଙ୍ଗେ ମୃତ୍ୟୁ ଘଟେ । ଏହି ରୋଗ ମନୁଷ୍ୟକୁ ସଂକ୍ରମିତ ହୋଇଥାଏ । ଶବର, ଅବୟାଦିରେ କାଠିନ୍ୟତା ଆସେନାହିଁ ଓ ଶରୀରର ପ୍ରାକୃତିକ ଗହ୍ଵର ଯଥା – ନାକ, କାନ, ମୁହଁ ଓ ଗୁହ୍ୟ ଦ୍ଵାରରୁ କଳା ରଙ୍ଗର ରକ୍ତ ବାହାରିବାର ଦେଖାଯାଏ ।

ଏହି ରକ୍ତ ଜମାଟ ବାନ୍ଧେ ନାହିଁ । ଏହି ଜୀବାଣୁ ଶରୀର ବାହାରେ ରେଣୁ ସୃଷ୍ଟି କରେ । ତେଣୁ ଆନ୍ଥ୍ରାକ୍ସ ବା ସ୍ପୋଟକ ବୋଲି ସନ୍ଦେହ କରାଯାଉଥିବା ଶବକୁ ବ୍ୟବଚ୍ଛେଦ କରିବା ଉଚିତ୍ ନୁହେଁ । ଏହାର ରେଣୁ ଗୁଡ଼ିକ ବର୍ଷ ବର୍ଷ ଧରି ମାଟିରେ ରହିଥାନ୍ତି ଓ ସେହି ଅଞ୍ଚଳରେ ସଂକ୍ରାମକ ରୋଗ ସୃଷ୍ଟି କରିଥାନ୍ତି ।

ତେଣୁ ପରିସରକୁ ପୃଥକୀକରଣ ଦ୍ଵାରା ଏବଂ ଶବକୁ ଗଭୀର ଗାତ ଖୋଳି ସେଥିରେ ଚୂନ ଦେଇ ପୋତି ଦେବା ଦ୍ଵାରା ରୋଗ ବ୍ୟାପିବାକୁ ଅନେକାଂଶରେ ନିୟନ୍ତ୍ରିତ କରାଯାଇ ପାରିବ । ବର୍ଷା ଋତୁ ଆରମ୍ଭର ଏକ ମାସ ପୂର୍ବରୁ ପଶୁମାନଙ୍କୁ ପ୍ରତିବର୍ଷ ପ୍ରତିଷେଧକ ଟୀକା ଦେବା ଉଚିତ୍ ।

ସାହାଣା ବା ଗଳାଫୁଲା

ଏହା ମଇଁଷି ମାନଙ୍କର ଏକ ସଂକ୍ରାମକ ରୋଗ । ବର୍ଷାଋତୁର ପ୍ରଥମ ଅସରା ବର୍ଷା ପରେ ପରେ ଏହି ରୋଗର ପ୍ରାଦୁର୍ଭାବ ସାଧାରଣତଃ ଦେଖାଯାଏ । ଏହି ରୋଗ ପାଶ୍ଚୁରେଲା ନାମକ ଜୀବାଣୁ ଦ୍ଵାରା ହୋଇଥାଏ ।

ସାହାଣା ବା ଗଳାଫୁଲାର ଲକ୍ଷଣ ଗୁଡ଼ିକ ହେଲା ଯେ ଦେହରେ ଅତ୍ୟଧିକ ତାତି ରହିବ, ଗଳା, ଛାତି ଓ ଓଳମରେ ଗରମ ଓ କଷ୍ଟଦାୟକ ଫୁଲା ଦେଖାଯିବ, ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେବ, ପାଟିରୁ ଲାଳ ବୋହିବ, ଜିଭ ବାହାରକୁ ବାହାରି ଆସିବ ଏବଂ ଝାଡ଼ା ହେବ । ନିଃଶ୍ଵାସ ବନ୍ଦ ହୋଇ ମୃତ୍ୟୁ ଘଟିବ । ପ୍ରତିବର୍ଷ ବର୍ଷାଋତୁ ପୂର୍ବରୁ ପ୍ରତିଷେଧକ ଟୀକା ଦେବା ଦରକାର ।

ଚଟୁଆ ଫୁଲା ବା ବଜବଜିଆ

ସାଧାରଣତଃ ଦୁଇ ବର୍ଷରୁ କମ୍ ବୟସର ବାଛୁରୀମାନଙ୍କୁ ଏହି ରୋଗ ହୁଏ । ଏହି ରୋଗ ହେଲେ ଦେହରେ ତାତି ରହେ ଓ ଚଟୁଆ ଫୁଲିଯାଏ । ଏହାକୁ ହାତରେ ଚିପିଲେ କଡ଼ମଡ଼ ଶବ୍ଦ ହୋଇଥାଏ । ଚର୍ମର ରଙ୍ଗ ମଳିନ ପଡ଼ିଯାଏ, ଶୁଖିଯାଏ ଓ ଫାଟିଯାଏ । ଏହା ଏକ ପ୍ରକାର ଜୀବାଣୁ (କ୍ଲସଟ୍ରିଡିୟମ୍ ଚୋଉଭି) ଦ୍ଵାରା ହୋଇଥାଏ । ପ୍ରତିବର୍ଷ ବର୍ଷା ଋତୁ ପୂର୍ବରୁ ପ୍ରତିଷେଧକ ଟୀକା ଦେବା ଦରକାର ।

ବ୍ରୁସେଲୋସିସ୍

ଏହା ଏକ ସଂକ୍ରାମକ ରୋଗ । ଏହି ରୋଗର ଜୀବାଣୁ ଆକ୍ରମଣ କଲେ ମଇଁଷିଙ୍କର ଗର୍ଭପାତ ହୋଇଥାଏ । ନିରୁତା କ୍ଷୀର ପିଇଲେ (ଗରମ ନ କରି) କିମ୍ବା  ରୋଗାକ୍ରାନ୍ତ ପଶୁଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଲେ, ମନୁଷ୍ୟକୁ ଏହି ରୋଗ ହେବାର ସମ୍ଭାବନା ଥାଏ । ଆକ୍ରାନ୍ତ ପଶୁଟି ଗର୍ଭାବସ୍ଥାର ଶେଷ ଚତୁର୍ଥାଂଶ ବେଳକୁ ଗର୍ଭପାତ କରିଥାଏ । ଗୋଠର ଇତିହାସ ଓ ପ୍ରଜନନ ସମସ୍ୟା ବିଷୟରେ ଅବଗତ ଅଲେ, ଏହି ରୋଗ ବିଷୟରେ ସଚେତନ ହୋଇପାରିବେ । ସନ୍ଦେହ ହେଉଥିବା ପଶ୍ନଟିର ରକ୍ତ କିମ୍ବା କ୍ଷୀର ପରୀକ୍ଷା କଲେ ଗର୍ଭପାତ ରୋଗର ଜୀବାଣୁ ଚିହ୍ନଟ କରିହେବ । ପ୍ରତିଷେଧକ ବ୍ୟବସ୍ଥା ପାଇଁ ମଇଁଷିମାନଙ୍କୁ ଟୀକା ଦେଇଦେବା ଦରକାର ।

ଫାଟୁଆ

ଏହି ରୋଗ ଏକ ଅତୀବ ସଂକ୍ରମକ ଭୁତାଣୁ ଜନିତ ରୋଗ ଓ ଦ୍ଵିଖୁରା ବିଶିଷ୍ଟ ପ୍ରାଣୀ ଯଥା : ଗୋରୁ, ମଇଁଷି, ଛେଳି, ମେଣ୍ଢା ଓ ଘୁଷୁରୀଙ୍କ ଠାରେ ଦେଖାଯାଏ । ସଂକ୍ରମିତ ପଶୁର ପ୍ରଧାନ ଲକ୍ଷଣ ଗୁଡ଼ିକ ହେଲା ଯେ, ଦାନ୍ତ କଡ଼ମଡ଼ କରିବା, ପାଟିରୁ ଫେଣ ବାହାରିବା, ଗୋଡ଼ କଚାଡ଼ିବା, ଗୋଡ଼ର ଖୁରା ସନ୍ଧି ଓ ପାଟି ଭିତରେ ଘାଆ ହେବା ଓ ରୋଗର ଅନ୍ୟାନ୍ୟ ଉପସର୍ଗ ମାନ ମଧ୍ୟ ଦେଖାଯାଏ । ଏହି ରୋଗ ହେଲେ କ୍ଷୀର ଉତ୍ପାଦନ କମିଯାଏ । ସଙ୍କର ଗାଈ ଓ ସଙ୍କର ବାଛୁରୀ ମାନଙ୍କୁ ଏହି ରୋଗ ଆକ୍ରମଣ କଲେ ସେମାନେ ଅଧିକ ସଂଖ୍ୟାରେ ମୃତ୍ୟୁମୁଖରେ ପଢ଼ନ୍ତି । ରୋଗ ଭଲ ହେବାପରେ ମଧ୍ୟ ଚିରଦିନ ପାଇଁ ଉତ୍ପାଦିକା ଶକ୍ତି ହ୍ରାସ ପାଇଥାଏ । ପଶୁମାନଙ୍କୁ ୫ ରୁ ୬ ମାସ ଅନ୍ତରରେ ଥରେ ଲେଖାଏଁ ପ୍ରତିଷେଧକ ଟୀକା ଦେବା ଦରକାର ।

ପତ୍ରକୃମି ରୋଗ

ଏହି ରୋଗର କୃମି ସାଧାରଣତଃ ପୋଖରୀ, ଗାଡ଼ିଆ, ନଈନାଳ ଥିବା ଅଞ୍ଚଳମାନଙ୍କରେ ଦେଖାଯାଆନ୍ତି । କାରଣ ଗେଣ୍ଡାମାନଙ୍କ ଦ୍ଵାରା ସାଧାରଣତଃ ଏହି ରୋଗ ଗୋଟିଏ ଆକ୍ରାନ୍ତ ପଶୁଠାରୁ ଗୋଟିଏ ସୁସ୍ଥ ପଶୁକୁ ସଂକ୍ରମିତ ହୋଇଥାଏ । ଏହାର ପ୍ରଧାନ ଲକ୍ଷଣ ହେଲା ଯେ ତରଳ ଝାଡ଼ା ଏବଂ ବେକ, ତଳ ଫୁଲିବା । ଝାଡ଼ା ପରୀକ୍ଷା ଦ୍ଵାରା ଏହି ରୋଗକୁ ଚିହ୍ନଟ କରାଯାଇଥାଏ । ଔଷଧ ଦେଲେ ରୋଗ ଭଲ ହୁଏ । ମାତ୍ର ପ୍ରତିଷେଧକ ବ୍ୟବସ୍ଥା ସ୍ଵରୂପ ଗେଣ୍ଡା ବଂଶ ନଷ୍ଟ କରିବା ଓ ପଶୁମାନଙ୍କୁ ନଈକୂଳ, ଗାଡ଼ିଆ ବା ପୋଖରୀ କୂଳକୁ ଚରିବାକୁ ନ ଛାଡ଼ିବା ।

ସଁସରା

ସାଧାରଣତଃ ଏହାକୁ ସଁସରା ରୋଗ ବୋଲି କୁହାଯାଏ ଏବଂ ଏହା ସିଷ୍ଟୋସୋମା ନାଜେଲ ନାମକ ଏକ ପ୍ରକାର କୃମି ଯୋଗୁଁ ହୁଏ । ଗେଣ୍ଡାମାନେ ମଧ୍ୟ ଏହି ରୋଗର ବାହକ । ଏହି ରୋଗର ଲକ୍ଷଣ ହେଲା ଯେ ନାକପୁଡ଼ାରେ ଫୁଲକୋବି ପରି ଘାଆ ଦେଖାଯାଏ । ନିଃଶ୍ଵାସ ପ୍ରଶ୍ଵାସରେ ଅସୁବିଧା ହୁଏ ଏବଂ ସଁ  ସଁ ଶବ୍ଦ ହୁଏ । ଶିଂଘାଣି ପରୀକ୍ଷା ଦ୍ଵାରା ଏହି ରୋଗକୁ ଚିହ୍ନଟ କରାଯାଇପାରିବ । ଗେଣ୍ଡାକୁ ନିୟନ୍ତ୍ରଣ କଲେ ଏହି ରୋଗର ନିରାକରଣ ହୋଇପାରିବ ।

କୃମି

ବାଛୁରୀମାନଙ୍କର ଗୋଲ କୁ ମିଗୁଡ଼ିକ ହେଲା । ଆସ୍କାରିସ୍ ଏବଂ ହିମୋନ୍ କସ୍ । ଏହି ରୋଗଦ୍ଵାରା ଆକ୍ରାନ୍ତ ପଶୁର ଲକ୍ଷଣଗୁଡ଼ିକ ହେଲା ଯେ ତରଳ ଝାଡ଼ା ହେବା ଓ ପଶୁଟି ଦୁର୍ବଳ ଦେଖାଯିବା । ମଝିରେ ମଝିରେ ଝାଡ଼ା ପରୀକ୍ଷା କରାଇ କୃମି ଥିଲେ ଔଷଧ ଦେଇ ଭୁମି ବିନାଶ କରିବା ଉଚିତ୍ । ପ୍ରତି ମାସରେ ଥରେ ଛୋଟ ଛୋଟ ପଶୁମାନଙ୍କୁ ଝାଡ଼ା ପରୀକ୍ଷା କରାଇ ଔଷଧ ଦେଲେ ଭଲ ଭାବରେ ସେମାନଙ୍କ ଶାରୀରିକ ବୃଦ୍ଧି ଘଟିଥାଏ ଓ କୃମିରୋଗ ମଧ୍ୟ ହୁଏ ନାହିଁ । ବାଛୁରୀ ପ୍ରସବ କରିବା ଦିନ ମଇଁଷିକୁ କୃମିନାଶକ ଔଷଧ ଦେଲେ ମଇଁଷି ଅଧିକ ଦୃଷ୍ଣ ଦେଇଥାଏ ।

ଟିଙ୍କ ଓ ଉଙ୍କୁଣୀ

ଶରୀରର ଚର୍ମରେ ଲାଗିଥିବା ପରାଙ୍ଗ ଜୀବୀ ଗୁଡ଼ିକ ହେଲେ – ଟିଙ୍କ, ଉଙ୍କୁଣୀ, ମଶା, ମାଛି, ଡାଆଁସ, କୁକୁର ମାଛି ପ୍ରଭୃତି । ଟିଙ୍କମାନେ ଶରୀରର ରକ୍ତ ଶୋଷି ନିଅନ୍ତି ଏବଂ ରୋଗ ପରିବହନ କରନ୍ତି । କେତେକ ଟିଙ୍କ ପକ୍ଷାଘାତ ରୋଗ ମଧ୍ୟ କରନ୍ତି । ଟିଙ୍କ ଓ ଉଙ୍କୁଣୀ ପଶୁମାନଙ୍କୁ ବିବ୍ରତ କରନ୍ତି, ଯାହାଫଳରେ ସେମାନେ ଅଶ୍ଵସ୍ତି ବୋଧ କରନ୍ତି ଓ ସେମାନଙ୍କଠାରୁ ଉତ୍ପାଦନ କମିଯାଏ । ଓଜନ ମଧ୍ୟ କମିଯାଏ । ଉଙ୍କୁଣୀମାନେ ଚର୍ମରୋଗ ଓ କବକ ରୋଗ କରନ୍ତି । ଡାଆଁସ ଓ ମାଛିମାନେ ରକ୍ତ ଶୋଷନ୍ତି ଏବଂ ରୋଗର ବାହାକ ଭାବରେ କାର୍ଯ୍ୟ କରନ୍ତି । ଏହି ପରାଙ୍ଗଜୀବୀମାନଙ୍କୁ ଗାମାକ୍ସିନ୍, ଡିଡିଟି, ଆସୁନ୍ଟଲ, ମାଲାଥିଅନ୍, ବ୍ୟୁଟେକ୍ସ ପ୍ରଭୃତି ପାଉଡର ସିଞ୍ଚି ନିୟନ୍ତ୍ରଣ କରାଯାଇପାରିବ । ଗୁହାଳରେ ମଧ୍ୟ ଏହାକୁ ସ୍ପ୍ରେ କରାଯାଇ ଏମାନଙ୍କୁ ବିଲୋପ କରାଯାଇପାରିବ।

ପେଟ  ଫମ୍ପା

ପାକସ୍ଥଳୀରେ ବାୟୁ ବା ଗ୍ୟାସ୍ ଜମି ରହିଲେ, ତାହାକୁ ପେଟ ଫମ୍ପା କୁହାଯାଏ (ବାମ ପାଖ ଉପର ପେଟ) । ଅଧିକ ପରିମାଣରେ ରବି ଜାତୀୟ ଘାସ, ଶସ୍ୟ କିମ୍ବା ନଷ୍ଟ ହୋଇଥିବା ଶସ୍ୟ ଖାଇଲେ ଏହି ରୋଗ ହୋଇଥାଏ । ଭାରତୀୟ ପ୍ରଥା ଅନୁସାରେ ଲୋକେ ଗାଈକୁ ରୁଟି ଓ ଭାତ ଖାଇବାକୁ ଦିଅନ୍ତି । ଏହା ଫଳରେ ମଧ୍ୟ ପେଟ ଫମ୍ପା ରୋଗ ହୁଏ । ଲୋକେ ଗାଈଗୋରୁକୁ ପଦାକୁ ଚରିବାକୁ ଛାଡ଼ିଦିଅନ୍ତି । ସେମାନେ ଅଳିଆ ଆବର୍ଜନା ଖାଆନ୍ତି । ଫଳରେ ମଧ୍ୟ ପେଟ ଫମ୍ପା ରୋଗ ହୋଇଥାଏ ଓ ଖାଦ୍ୟ ବିଷାକ୍ତ ରୋଗ ମଧ୍ୟ ହୋଇଥାଏ । କେତେକ କ୍ଷେତ୍ରରେ ଅତ୍ୟଧିକ ଭାବରେ ପେଟ ଫମ୍ପାଇ ଦେଲେ ପଶ୍ନଟି ଅତିମାତ୍ରାରେ ଅଶ୍ଵସ୍ତି ବୋଧ କରେ ଓ ନିଃଶ୍ଵାସ ପ୍ରଶ୍ଵାସ ନେଇ ନପାରି ତା’ର ମୃତ୍ୟୁ ଘଟେ । ଏପରିସ୍ଥଳେ ବାମ ପଟ ପେଟକୁ କଣା କରିଦେଲେ ଗ୍ୟାସ୍ ବା ବାୟୁ ନିର୍ଗତ ହୋଇଯାଏ । ତତ୍ପରେ ୧୦ ରୁ ୧୫ ସେ.ମି. ତାରପିନ୍ ତେଲକୁ ସିରିଞ୍ଜରେ ନେଇ ସିଧାସଳଖ ପାକସ୍ଥଳୀରେ ଛାଡ଼ିଦିଅନ୍ତୁ । କାରଣ ପଶୁଟି ଶୋଇ ରହିଥିବାରୁ ଔଷଧ ଖୋଇବା ସମ୍ଭବ ନୁହେଁ । ଯଦି ପଶୁଟିର ଅବସ୍ଥା ଗୁରୁତର ହୋଇ ନଥିବ, ତେବେ ଯେ କୌଣସି ଖାଇବା ତେଲକୁ ବୋତଲରେ ପିଆଇ ଦିଅନ୍ତୁ ।

ତରଳ ଝାଡ଼ା

ତରଳ ଝାଡ଼ା ହେବାର ବହୁ କାରଣ ଥିବାରୁ, ସଙ୍ଗେ ସଙ୍ଗେ ପଶୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଯଦି କୃମି ନାଶକ ଔଷଧ ମଝିରେ ମଝିରେ ଦିଆଯାଏ ତେବେ ପଶୁଟିର ସବୁବେଳେ ତରଳ ଝାଡ଼ା ହେବ ନାହିଁ ।

କୃମିନାଶକ ଔଷଧ ପ୍ରୟୋଗ ନିର୍ଘଣ୍ଟ  -

ବାଛୁରୀକୁ କୃମିନାଶକ ଔଷଧ ଦେବାର ପ୍ରଥମ ଦଫା ହେଲା ଜନ୍ମର ଏକ ସପ୍ତାହରୁ ୧୦ ଦିନ ମଧ୍ୟରେ । ଯଦି ଝାଡ଼ରେ କୃମି ପଡ଼ିବାର ଦେଖାଯାଏ, ତେବେ ଗୋଟିଏ ସପ୍ତାହ ପରେ ପୁଣିଥରେ ଔଷଧ ଖୁଆନ୍ତୁ ।

ନଚେତ୍ ଦୁଇମାସରେ ଥରେ ଔଷଧ ଖୁଆନ୍ତୁ । ଗର୍ଭବତୀ ପଶୁକୁ  ପ୍ରସବର ସପ୍ତାହେ ପୂର୍ବରୁ କୃମିନାଶକ ଔଷଧ ଦିଆଯାଇପାରିବ । ମାତ୍ର ଏହାକୁ ଦେବା ପୂର୍ବରୁ ପଶୁ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଦରକାର ।

ପ୍ରତିଷେଧକ ଟୀକା ନିୟମାବଳୀ

ରୋଗର ନାମ

ଟୀକା କେଉଁଠାରୁ ମିଳିବ

ଟୀକାର ମାତ୍ରା ଓ କିପରି ଦିଆଯିବ

ପ୍ରଥମ ଟୀକା ଦେବା ବୟସ

ବର୍ଷର କେଉଁ ସମୟରେ ଦିଆଯିବ

ମନ୍ତବ୍ୟ

ଆନ୍ଥ୍ରାକ୍ସ

ପଶୁ ଡାକ୍ତରଖାନା

୧ ମି.ଲି ଚମଡା ତଳେ

୬ ମାସ

ବର୍ଷର ଯେ କୌଣସି ସମୟରେ

ପ୍ରତିବର୍ଷ ଦିଆଯିବ

ଚଟୁଆ ଫୁଲା ବା ବଜବଜିଆ

ପଶୁ ଡାକ୍ତରଖାନା

୫ ମି.ଲି ଚମଡା ତଳେ

୬ ମାସ

ବର୍ଷା ଆରମ୍ଭ ପୂର୍ବରୁ

ପ୍ରତିବର୍ଷ ଦିଆଯିବ

ଗଳାଫୁଲା ବା ସାହାଣା

ପଶୁ ଡାକ୍ତରଖାନା

୫ ମି.ଲି ଚମଡା ତଳେ

୬ ମାସ

ବର୍ଷା ଆରମ୍ଭ ପୂର୍ବରୁ

ପ୍ରତିବର୍ଷ ଦିଆଯିବ

ଫାଟୁଆ

ପଶୁ ଡାକ୍ତରଖାନା କିମ୍ବା ଔଷଧ ଦୋକାନ

୩ ମି.ଲି ଚମଡା ତଳେ

୬ ମାସ

ଫ୍ରେବୃୟାରୀରୁ ସେପ୍ଟେମ୍ବର ମଧ୍ୟରେ

ଛଅ ମାସରେ ଥରେ

ଅନ୍ୟାନ୍ୟ ରୋଗ ଯଥା ବ୍ରୁସେଲୋସିସ୍ (ଗର୍ଭପାତ ରୋଗ) ଓ ଯକ୍ଷ୍ମା ପାଇଁ ପଶୁ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତିଷେଧକ ବ୍ୟବସ୍ଥା କରାଇନେବା ଦରକାର ।

ଅଧିକ ଜାଣିବା ପାଇଁ - "ଓୟୁଏଟି"

ସଂଗୃହିତ  -

ମୂଳ ବିଷୟବସ୍ତୁ

  • ଡଃ ଅନ୍ତଃର୍ଯ୍ୟାମୀ ମହାନ୍ତି

ସଂଶୋଧିତ ବିଷୟବସ୍ତୁ

  • ଡଃ ଭାଗିରଥି ପ୍ରାଣିଗ୍ରାହୀ, ପ୍ରାଧ୍ୟାପକ, ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା ବିଭାଗ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ, ଭୁବନେଶ୍ଵର – ୭୫୧୦୦୩
3.04545454545
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top