ହୋମ / କୃଷି / ପ୍ରାଣୀ ଧନ / ଛେଳି ଓ ମେଣ୍ଢା ପାଳନ
ସେଆର କରନ୍ତୁ

ଛେଳି ଓ ମେଣ୍ଢା ପାଳନ

ଛେଳି ଓ ମେଣ୍ଢା ପାଳନ ସ୍ଵାବଲମ୍ବନଶୀଳ କରାଇବାରେ ସକ୍ଷମ ହୋଇପାରିଛି ।

ଆମ ରାଜ୍ୟର ଗାଁ - ଗହଳରେ ୮୦ ପ୍ରତିଶତ ଲୋକ ବାସ କରନ୍ତି । ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଲୋକ ଗୃହପାଳିତ ପଶୁପକ୍ଷୀ ରଖିଅଛନ୍ତି । କୃଷି କ୍ଷେତ୍ରରେ ଯେପରି ସବୁଜ ବିପ୍ଳବ ଆମ ଦେଶକୁ ଖାଦ୍ୟ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ କରାଇପାରିଛି, ସେହିପରି ଦୁଗ୍ଧ ଉତ୍ପାଦନ ବା ଶ୍ଵେତବିପ୍ଳବ ସମଗ୍ର ବିଶ୍ଵରେ ଆମ ଦେଶକୁ ପ୍ରଥମ ସ୍ଥାନରେ ପହଞ୍ଚାଇବା ସହିତ ସ୍ଵାବଲମ୍ବନଶୀଳ କରାଇବାରେ ସକ୍ଷମ ହୋଇପାରିଛି । ଏଥିପୂର୍ବରୁ ଆମେରିକା ଦୁଗ୍ଧ ଉତ୍ପାଦନରେ ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି । ଆମ ରାଜ୍ୟ ବା ଦେଶର ମାଂସ ଉତ୍ପାଦନ ବଢ଼ାଇବା ପାଇଁ ପିଙ୍ଗଳ ବିପ୍ଳବର ଆବଶ୍ୟକତା ଅନୁଭବ କରାଯାଉଅଛି । କାରଣ ଆମ ଦେଶରେ ୧୪୦.୫ ନିୟୁତ ଛେଳି, ୭୧.୫ ନିୟୁତ ମେଣ୍ଢା ଅଛନ୍ତି । ସେମାନଙ୍କ ଠାରୁ ବାର୍ଷିକ ହାରାହାରି (୮୪୪+୩୭୦= ୧୨:୧୪) ହଜାର ମେଟ୍ରିକ୍ ଟନ୍ ମାଂସ ମିଳିଥାଏ । ଏହାଛଡ଼ା ଆମ ଦେଶର କେତେକ ଲୋକ ଘୁଷୁରି, କୁକୁଡ଼ା ପ୍ରଭୃତି ପଶୁପକ୍ଷୀମାନଙ୍କର ମାଂସ ଖାଇଥାଆନ୍ତି । ବିଶେଷଜ୍ଞମାନଙ୍କ ମତରେ ପ୍ରତ୍ୟେକ ଭାରତୀୟ ବର୍ଷକୁ ୩.୨ କି.ଗ୍ରା. ମାଂସ ଖାଇବା ଦରକାର । କିନ୍ତୁ ପ୍ରତ୍ୟେକ ଭାରତୀୟ ବର୍ଷକୁ ହାରାହାରି ୫.୨ କି.ଗ୍ରା. ମାଂସ ପାଇଥାନ୍ତି । ସେଥୁପାଇଁ ଆମକୁ ଦରକାର ମୁତାବକ ମାଂସ ପାଇବାକୁ ହେଲେ ଆମ ଦେଶର ତଥା ରାଜ୍ୟରେ ଥିବା ଛେଳି ଓ ମେଣ୍ଟମାନଙ୍କର ଗୁଣାତ୍ମକ ଅଭିବୃଦ୍ଧ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଖାଦ୍ୟ ପରିଚାଳନା, ରୋଗ ନିରାକରଣ, ସଂଖ୍ୟା ବୃଦ୍ଧି ଓ ବିକ୍ରି ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ ।

ଉନ୍ନତ ଛେଳି ଓ ମେଣ୍ଢା କିସମ

ଭୌଗୋଳିକ ଅବସ୍ଥିତି ଓ ଜଳବାୟୁର ତାରତମ୍ୟକୁ ନେଇ ଆମ ଦେଶରେ ଏକୋଇଶ କିସମର ଛେଳି ଓ ଚାଳିଶ କିସମର ମେଣ୍ଢା ଦେଖାଯାଆନ୍ତି । ସେମାନଙ୍କ ମଧ୍ୟରୁ କେତେକ ଜାତୀୟ ଛେଳି ଦୁଗ୍ଧ ପାଇଁ, କେତେକ ମାଂସ ପାଇଁ ଓ ଆଉ କେତେକ ଉଭୟ ପାଇଁ ପାଳନ କରାଯାଆନ୍ତି । ସେହିପରି ମେଣ୍ଢାମାନଙ୍କ ମଧ୍ୟରେ କେତେକ ଜାତୀୟ ମେଣ୍ଢା, ପଶମ ପାଇଁ, କେତେକ ମାଂସ ପାଇଁ ଓ ଆଉ କେତେକ ଭଭୟ ପାଇଁ ପାଳନ କରାଯାଆନ୍ତି । ଆମ ରାଜ୍ୟ ଓଡ଼ିଶାରେ ମୁଖ୍ୟତଃ ଦୁଇ କିସମର ଛେଳି ଦେଖାଯାନ୍ତି । ଯଥା – ବ୍ଲାକ୍ ବେଙ୍ଗଲ ଓ ଗଞ୍ଜାମ । ସେହିପରି ଓଡ଼ିଶାରେ ମଧ୍ୟ ଦୁଇ କିସମର ମେଣ୍ଢା ଦେଖାଯାନ୍ତି । ଯଥା – ବଲାଙ୍ଗୀର ଓ ଗଞ୍ଜାମ । ଏମାନେ ମୁଖ୍ୟତଃ ମାଂସ ନିମନ୍ତେ ପ୍ରସିଦ୍ଧ ।

  • ବ୍ଲାକ୍ ବେଙ୍ଗଲ ଛେଳି : ସାଧାରଣତଃ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ଵର ଆଦି ଜିଲ୍ଲାରେ ଦେଖାଯାନ୍ତି । ବ୍ଲାକ୍ ବେଙ୍ଗଲ ଛେଳି ତାହାର ଛୁଆ ଜନ୍ମ କରିବାର କ୍ଷମତା ଓ ସୁସ୍ଵାଦୁ ମାଂସ ପାଇଁ ବିଶ୍ଵ ପ୍ରସିଦ୍ଧ । ଏମାନେ ଆକାରରେ ଛୋଟ । ରଙ୍ଗ ସାଧାରଣତଃ କଳା । କିନ୍ତୁ ଧଳା ଓ କସରା ରଙ୍ଗର ଛେଳି ମଧ୍ୟ ବହୁଳ ଭାବରେ ଉପଲବ୍ଧ । ବୟସ୍କ ଛେଳିର ଦାଢ଼ିଥାଏ । ଶିଙ୍ଗ ଛୋଟ ଓ ଉପରକୁ ଉଠିଥାଏ । କାନ ଗୁଡ଼ିକ ଛୋଟ । ବୟସ୍କ ଛେଳିର ଓଜନ ହାରାହାରି ୧୫ ରୁ ୧୬ କି.ଗ୍ରା. ହୁଏ ଓ ମାଈ, ଛେଳି ଥରକେ ୨ ରୁ ୩ଟି ଛୁଆ ପ୍ରସବ କରିଥାଏ।
  • ଗଞ୍ଜାମ ଛେଳି : ମୁଖ୍ୟତଃ ଓଡ଼ିଶାର ଦକ୍ଷିଣ ଭାଗରେ ଯଥା : ଗଞ୍ଜାମ, ଗଜପତି, ନୟାଗଡ଼ ଓ ଫୁଲବାଣୀ ଆଦି ଜିଲ୍ଲାରେ ଦେଖାଯାଏ । କୋରାପୁଟରେ କେତେକ ସ୍ଥାନରେ ଏହି ଜାତୀୟ ଛେଳି ମଧ୍ୟ ଦେଖାଯାଏ । ଏହି ଜାତୀୟ ଛେଳିର ଶିଙ୍ଗ ଲମ୍ବା ଓ ଉପରକୁ ଉଠିଥାଏ । ମାଈ, ଛେଳି ଥରକେ ଗୋଟିଏ ଛୁଆ ଜନ୍ମ କରେ ଓ ବୟସ୍କ ଛେଳିର ଓଜନ ୧୮ ରୁ ୨୨ କି.ଗ୍ରା. ହୋଇଥାଏ।
  • ବଲାଙ୍ଗୀର ମେଣ୍ଢା : ମୁଖ୍ୟତଃ ଓଡ଼ିଶାର ବଲାଙ୍ଗୀର, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଦେଖାଯାଏ । ଏହି ଜାତୀୟ ମେଣ୍ଢା ଆକାରରେ ମଧ୍ୟମ, ରଙ୍ଗ ସାଧାରଣତଃ ଧଳା । କିନ୍ତୁ କସର ତଥା ମିଶ୍ରିତ ରଙ୍ଗର ମେଣ୍ଢା ମଧ୍ୟ ଉପଲବ୍ଧ । କାନଗୁଡ଼ିକ ଛୋଟ । ଅଣ୍ଡିରା ମେଣ୍ଢାଙ୍କର ଶିଙ୍ଗ ଥାଏ ମାତ୍ର ମାଈ ମେଣ୍ଢାଙ୍କର ଶିଙ୍ଗ ନଥାଏ ।ଗୋଡ଼ ଓ ପେଟରେ ଲୋମ ନଥାଏ । ବୟସ୍କ ଅଣ୍ଡିରା ମେଣ୍ଢାଙ୍କର ଓଜନ ୨୦ ରୁ ୨୩ କି.ଗ୍ରା. ଓ ମାଈ ମେଣ୍ଢାଙ୍କର ଓଜନ ୧୫ ରୁ ୧୮ କି.ଗ୍ରା. ।
  • ଗଞ୍ଜାମ ମେଣ୍ଢା : ମୁଖ୍ୟତଃ ଓଡ଼ିଶାର କୋରାପୁଟ, ଗଞ୍ଜାମ, ଫୁଲବାଣୀ ତଥା ପୁରୀ ଆଜି ଜିଲ୍ଲାରେ ଦେଖାଯାଏ । ଏହି ଜାତୀୟ ମେଣ୍ଢା ଆକାରରେ ମଧ୍ୟମ । ରଙ୍ଗ ସାଧାରଣତଃ କସର । ଅଣ୍ଡିରା ମେଣ୍ଢାଙ୍କର ଶିଙ୍ଗ ଥାଏ। ମାତ୍ର ମାଈ ମେଣ୍ଢାଙ୍କର ଶିଙ୍ଗ ନଥାଏ । ବୟସ୍କ ମେଣ୍ଢାର ଓଜନ ୨୦ ରୁ ୨୪ କି.ଗ୍ରା. ହୋଇଥାଏ ।

ଛେଳି ଓ ମେଣ୍ଢାମାନଙ୍କର ପ୍ରଜନନ

ପ୍ରତି ୧୦ଟି ମାଈ, ଛେଳି ପାଇଁ ଗୋଟିଏ ବୋଦା ଓ ୧୦ ଟି ମେଣ୍ଢା ପାଇଁ ଗୋଟିଏ ଗାରଡ଼ ରଖିବା ଦରକାର । ନଚେତ୍ ଛେଳି ବା ମେଣ୍ଢା, ପଲରେ ଗର୍ଭଣି ସଂଖ୍ୟା ନିଶ୍ଚିତ ଭାବେ କମିଯିବ । ସାଧାରଣତଃ ମାଈ, ଛେଳି ବା ମାଈ ମେଣ୍ଢା ମେ-ଜୁନ୍ ମାସରେ ଗରମ ଆସନ୍ତି । ପୁଣି ନଭେମ୍ବର ଡିସେମ୍ବରରେ ଗରମ ଆସନ୍ତି । ଏଭଳି ୧ ବର୍ଷରେ ଦୁଇଥର ଗରମ ଆସିଥାନ୍ତି । ଗରମ ରହିବା ସମୟ ୨୪ ରୁ ୪୮ ଘଣ୍ଟା । ଯଦି ଗର୍ଭ ନ ରହେ । ତା ହେଲେ ମାଈ, ଛେଳି ୨୧ ଦିନ ପରେ ପୁଣି ଗରମ ହୁଏ ଓ ମେଣ୍ଢା ୧୮ ଦିନ ପରେ ଗରମ ହୁଏ । ଗର୍ଭାବସ୍ଥା ୧୪୫ ଦିନରୁ ୧୫୩ ଦିନ ଅଟେ । ହାରାହାରି ଗୋଟିଏ ମାଈ, ଛେଳି ବା ମେଣ୍ଢା ଯଦି ୧୪ ରୁ ୧୮ କିଲୋ ଓଜନର ହୋଇଯାଏ, ତାର ବୟସ ଯେତେ ହୋଇଥାଉନା କାହିଁକି ସେ ପ୍ରଜନନକ୍ଷମ ହୋଇଥାଏ । ତେଣୁ ମାଈ ଛୁଆକୁ ଠିକ୍ ଭାବେ ଖାଦ୍ୟ ଦେଲେ ତାହା ଜଲ୍‌ଦି ପ୍ରଜନନ କ୍ଷମ ହୋଇଯାଏ । ମାଈଛେଳି ବା ମେଣ୍ଢା ହାରାହାରି ୨ ବର୍ଷରେ ୩ ଥର ଛୁଆ ପ୍ରସବ କରେ । ଅନ୍ୟ ଭାଷାରେ କହିବାକୁ ଗଲେ, ମାଈ, ଛେଳି ବା ମେଣ୍ଢା ୨ ବର୍ଷ ବୟସର ହୋଇଥିବାବେଳେ, ପ୍ରଥମେ ଛୁଆ ଜନ୍ମ କରେ । ଅଣ୍ଡିରା ଛେଳିକୁ ବା ଗାରଡ଼କୁ ୨ ରୁ ୨ ୧/୨ ବର୍ଷ ବୟସ ପରେ ସଙ୍ଗମ କରିବାକୁ ଛାଡ଼ିବା ଉଚିତ୍ । ଗୋଟିଏ ଛୋଳିର ବା ମେଣ୍ଢାର ହାରାହାରି ଜୀବନ ୧୨ ବର୍ଷ । ତେଣୁ ମାଈ, ଛେଳିକୁ ବା ମେଣ୍ଢାକୁ ୭ ବର୍ଷ ବୟସ ଓ ଅଣ୍ଡିରାକୁ ୮-୧୦ ବର୍ଷ ବୟସ ପରେ ବିକ୍ରି କରିଦେବା ଉଚିତ୍ ।

ଗରମ ଆସିବା ଲକ୍ଷଣ :

ଗରମ ହେଲେ ମାଈ, ଛେଳି ବା ମେଣ୍ଢା କିଛି ଖାଏ ନାହିଁ । ଲାଞ୍ଜ ବାରମ୍ବାର ହଲାଏ । କ୍ଷୀର ଦେବା ହଠାତ୍ ବନ୍ଦ କରିଦିଏ । ଗର୍ଭଦ୍ଵାର ଲାଲ ହୋଇଯାଏ ଓ ଫୁଲିଯାଏ । ଅନ୍ୟ ଛେଳି ବା ମେଣ୍ଢାମାନଙ୍କ ଉପରେ ଚଢ଼େ । କୃତ୍ରିମ ଉପାୟରେ ଛେଳି ବା ମେଣ୍ଢାକୁ ଗରମ ଆଣିବା ପାଇଁ ଛେଳି ବା ମେଣ୍ଢା ଗୃହରେ ପ୍ରତି ୪ ବର୍ଗମିଟର ତଳପାଇଁ, ୨ ମାସ ପାଇଁ ଦିନରାତି । ୨୪ ଗଣ୍ଟା ଗୋଟିଏ ୧୨୦ ସେ.ମି. ବିଶିଷ୍ଟ ୪୦ ୱାଟର ବାର୍ଲାଇଟ୍ ଜଳାଇ ରଖନ୍ତୁ । ଏହି ବାର୍ଲାଇଟ୍ଟି ତଳଠାରୁ ୨୫୦ ସେ.ମି. ଉପରେ ଲାଗିବା ଆବଶ୍ୟକ । ଏହି ୨ ମାସ ପରେ ଦିନସାରା ଛେଳି ବା ମେଣ୍ଢାକୁ ଯଦି ସୂର୍ଯ୍ୟକିରଣ ବାଜେ, ତାହା ହେଲେ ଏଭଳି ୩୫ ଦିନ ପରେ ଛେଳି ବା ମେଣ୍ଢା ଆପେ ଆପେ ଗରମ ଆସିଯାଏ । ଏହି ଗରମ ଅବସ୍ଥା ୮-୧୦ ଘଣ୍ଟା ରହେ ।

ଖାସୁ ଛେଳି ବା ମେଣ୍ଢା :

ଅଣ୍ଡିରା ଛେଳିଛୁଆକୁ ବା ମେଣ୍ଢା ଛୁଆକୁ ୧ ରୁ ୨ ମାସ ବୟସରେ ଖାସୁ କରିଦେଲେ ଭଲ । ଏଥିପାଇଁ ବୁର୍ଡିଜୋ କାଷ୍ଟ୍ରାଟାର ନାମରେ ଗୋଟିଏ ଯନ୍ତ୍ର ପଶୁ ଡାକ୍ତରଖାନାରେ ରହିଥାଏ । ପଶୁ ଡାକ୍ତର କିମ୍ବା ତାଲିମ୍ ପ୍ରାପ୍ତ ବ୍ୟକ୍ତିଙ୍କ ସହାୟତାରେ ଖାସୁ କରନ୍ତୁ ।

ଖାସୁ କରିବା ଦ୍ଵାରା -

  1. ଛେଳି ବା ମେଣ୍ଢାଟି ଶାନ୍ତ ସ୍ଵଭାବର ହୁଏ ।
  2. ମାଂସ ଅଧିକ ସୁସ୍ଵାଦୁ ହୋଇଥାଏ ।
  3. ଦେହର ଓଜନ ଅତି ଶୀଘ୍ର ବଢ଼ିଥାଏ ।
  4. ମାଂସ ଓ ଚମଡ଼ାର ଗୁଣାତ୍ମକ ଅଭିବୃଦ୍ଧି ଘଟିଥାଏ ।
  5. ଖାସିର ଦାମ ସାଧାରଣ ଛେଳି ବା ମେଣ୍ଢାଠାରୁ ଢେର ଅଧିକ ।
  6. ପ୍ରଜନନ ପରିଚାଳନାରେ ବିଘ୍ନ ହୁଏ ନାହିଁ । ଅର୍ଥାତ୍ କେବଳ ବାଞ୍ଚିତ ବୋଦାର ବ୍ୟବହାର ହୁଏ ।

ଛେଳି ଓ ମେଣ୍ଢାମାନଙ୍କ ପାଇଁ ବାସଗୃହ

ଛେଳି ଓ ମେଣ୍ଢାମାନେ ସାଧାରଣତଃ ମୁକ୍ତ ବାୟୁରେ ବୁଲିବା ଜନ୍ତୁ । ତା ଛଡ଼ା ସେମାନେ ସାମାନ୍ୟ ଓଦା ହେବାକୁ ଭଲ ପାଆନ୍ତି ନାହିଁ । ସେଥିପାଇଁ ପକ୍କା, ଶୁଖିଲା ଚଟାଣ ଥିବା ଖୋଲା ଘର ଛେଳି ବା ମେଣ୍ଢାମାନଙ୍କ ପାଇଁ ଭଲ । ବଣ୍ୟଜନ୍ତୁ ଓ ଚୋରମାନଙ୍କ ଦାଉରୁ ରକ୍ଷା କରିବା ପାଇଁ ଗୁହାଳ ଚାରିପଟେ ଉଚ୍ଚା ଓ ମଜବୁତ୍ ବାଡ଼ ବା ପାଚେରୀ କରିବା ଦରକାର । ଛାତଟି ଚାଳ ହେଲେ ଅଳ୍ପ ଖର୍ଚ୍ଚ ହେବ । ଗୋଟିଏ ଗୁହାଳରେ ସର୍ବାଧିକ ସମବୟସର ୩୦-୩୫ଟି ଛେଳି ବା ମେଣ୍ଢା ରଖାଯାଇପାରେ । ପ୍ରତ୍ୟେକ ଗୁହାଳରେ ଘାସପତ୍ର ଦେବାପାଇଁ ଗୋଟିଏ କାଠକୁଣ୍ଡ ବା ଡାଳପତ୍ରକୁ ଝୁଲାଇ ଖାଇବାକୁ ଦେବାର ବନ୍ଦୋବସ୍ତ କରିବା ଉଚିତ୍ । ଗୁହାଳର ଗୋଟିଏ କୋଣରେ ପିଇବା ପାଣିକୁଣ୍ଡ ଓ ଅନ୍ୟ କୋଣରେ ଖଣିଜ ଲବଣ ଚୂର୍ଣ୍ଣ ପାଇଁ ଆଉ ଗୋଟିଏ କୁଣ୍ଡ ରଖାଯାଏ । ହଳେ ବୟସ୍କ ଛେଳି ବା ମେଣ୍ଢା ପାଇଁ ୫ ଫୁଟ ଲମ୍ବ ଓ ୨ ୧/୨ ଫୁଟ ଓସାର ଜାଗା ଦରକାର । ଘରର ଉଚ୍ଚତା ୬ ଫୁଟ ହେଲେ ଯଥେଷ୍ଟ । ତେବେ ୧୨ ଫୁଟ ଲମ୍ବ ୧୨ ଫୁଟ ଓସାର ଘରଟିଏ ତିଆରି କରିଦେଲେ ଖୁସିରେ ୧୧ଟି ଛେଳି ବା ମେଣ୍ଢା ରଖିପାରିବା । ଘରର ଚଟାଣଟି ପକ୍କା ଓ ଗଡ଼ାଣିଆ ହେଲେ ଘରଟି ଶୁଖିଲା ରହିବ । ତେବେ ଘର ଭିତରକୁ ପ୍ରଚୁର ପବନ ଓ ଖରା ଯାଉଥିବା ଦରକାର । ନ ହେଲେ ଛେଳି ବା ମେଣ୍ଢାଙ୍କୁ ରୋଗ ଧରିବ । ଆଉ ମଧ୍ୟ ଅଣ୍ଡିରା ଛେଳି ବା ଗାରଡ଼କୁ କ୍ଷୀର ଦେଉଥିବା ମାଈ, ଛେଳି ବା ମେଣ୍ଢା ଠାରୁ ଅଲଗା ରଖିବା ଦରକାର । ଏକାଧୁକ ଅଣ୍ଡିରା ଛେଳି ବା ଗାରଡ଼ ଅଲେ ସମସ୍ତଙ୍କୁ ଏକାସାଙ୍ଗେ ମିଶାଇ ରଖନ୍ତୁ ନାହିଁ । କାରଣ ରାତିରେ ପରସ୍ପର ମଧ୍ୟରେ ଲଢ଼େଇ କରି ଖଣ୍ଡିଆ ଖାବରା ହେବାର ସମ୍ଭାବନା ଅଧିକ । ତେଣୁ ପ୍ରତ୍ୟେକ ଅଣ୍ଡିରା ଛେଳିକୁ ବା ଗାରଡ଼କୁ ଅଲଗା ଅଲଗା ଛୋଟ ଘର କରି ରଖନ୍ତୁ ।

ଗୋଟିଏ ଫଳରେ ଏକାଧିକ ଛୁଆ

ଯଦି ଛେଳି ବା ମେଣ୍ଢାକୁ ପ୍ରଚୁର ପରିମାଣରେ ଭଲ ଗୁଣ ଅବା ଘାସ ବା ତନ୍ତୁଜାତୀୟ ଖାଦ୍ୟ ଖାଇବାକୁ ମିଳେ ତାହେଲେ ଗୋଟିଏ ଫଳରେ ଏକାଧିକ ଛୁଆ ପ୍ରସବ କରିବା ସମ୍ଭାବନା ଅଧିକ ଥାଏ । ପୁଣି ସଙ୍ଗମ ସମୟ ପୂର୍ବରୁ ଯଦି ଭଲ ଗୁଣର ଦାନା ଖାଇବାକୁ ମିଳେ, ତେବେ ମଧ୍ୟ ଏକାଧିକ ଛୁଆ ଜନ୍ମ ହୋଇଥାନ୍ତି । ଗୋଟିଏ ମାଈ, ଛେଳି ବା ମେଣ୍ଢା ୬ ବର୍ଷ ବୟସ ପର୍ଯ୍ୟନ୍ତ ଏକ ଫଳକେ ଏକାଧିକ ଛୁଆ ଦିଏ । ତା ପରେ କେତେ ଭଲଭାବେ ଲାଳନ ପାଳନ କଲେ ମଧ୍ୟ ଆସ୍ତେ ଆସ୍ତେ ତାର ଛୁଆ ଦେବା କ୍ଷମତା କମିଯାଏ ।

ଯେଉଁ ଛୁଆଗୁଡ଼ିକ ଶରତ ଋତୁରେ ଜନ୍ମ ନିଅନ୍ତି ସେମାନେ ବହୁତ ଓଜନିଆ ହୋଇଥାନ୍ତି ଓ ଜଲଦି ବଢ଼ନ୍ତି । ସେମାନଙ୍କ ମୃତ୍ୟୁହାର କମ୍ ଥାଏ । ତେଣୁ ସମସ୍ତ ଛେଳି ବା ମେଣ୍ଢାକୁ ଆମେ ମେ-ଜୁନ୍ ଭିତରେ ସଙ୍ଗମ କରାଇବାକୁ ଚେଷ୍ଟା କରିବା ଉଚିତ୍ ।

ଛେଳି ଓ ମେଣ୍ଢାମାନଙ୍କର ଖାଦ୍ୟ

ଯଦି ଛେଳି ବା ମେଣ୍ଢାକୁ ସବୁଜିମା ପରିପୂର୍ଣ୍ଣ ଖୋଲା ପଡ଼ିଆ କିମ୍ବା ବଣରେ ଦୈନିକ ଚରାଇବାକୁ ନେଉଛନ୍ତି, ତେବେ ତାକୁ ଆଉ ଅଧିକା ଖାଦ୍ୟ ଦେବା ଦରକାର ନାହିଁ । ଯଦି ଛେଳି ବା ମେଣ୍ଢାଟି ଗର୍ଭାବସ୍ଥାରେ ଅଛି କିମ୍ବା କ୍ଷୀର ଦେବା ଅବସ୍ଥାରେ ଅଛି ଦାନାଜାତୀୟ ଖାଦ୍ୟ ଅଧିକା ଦେବା ଆବଶ୍ୟକ । ପୁଣି ଘାସ, ତାଳପତ୍ର ଅଭାବ ସମୟରେ ମଧ୍ୟ ଦାନା ଦେବା ଆବଶ୍ୟକ ।

ଛେଳି ଛୁଆ ବା ମେଣ୍ଢା ଛୁଆ ତା ପ୍ରଥମ ୩ ମାସ ବୟସରେ ସମୁଦାୟ ପ୍ରାୟ ୮-୧୦ କିଲୋ ଦାନା ଖାଇଥାଏ । ମେ-ଜୁନ୍ ମାସର ଏକ ମାସ ପୂର୍ବରୁ ଅର୍ଥାତ୍ ଏପ୍ରିଲ ମାସରେ ଦୈନିକ ୩୦୦ ରୁ ୫୦୦ ଗ୍ରାମ୍ ଦାନା ପ୍ରତି ବୟସ୍କ ଛେଳି ବା ମେଣ୍ଢାକୁ ଦିଅନ୍ତୁ । ଏହା ଗର୍ଭାବସ୍ଥା ଓ ଛୁଆ ଜନ୍ମ ପର୍ଯ୍ୟନ୍ତ ଜାରି ରଖନ୍ତୁ । ଛୁଆ ଜନ୍ମ ପରେ ପ୍ରତି କିଲୋ, କ୍ଷୀର ପାଇଁ ୪୦୦ ଗ୍ରାମ୍ ଦାନା ଦିଅନ୍ତୁ । ଏହି ଦାନା ଜାତୀୟ ଖାଦ୍ୟ ଛଡ଼ା, ତନ୍ତୁ ଜାତୀୟ ଖାଦ୍ୟ ପେଟପୁରା ଖାଇବାକୁ ଦିଅନ୍ତୁ । ମୂଳାପତ୍ର, ଝୁଡ଼ଙ୍ଗପତ୍ର, ଗୁଆର ପତ୍ର, କୋଳଥ ପତ୍ର, ମକା ଗଛ, ଚିନାବାଦାମ ଗଛ, ଘାସ ଓ ଆଖୁ ଗଛର ଉପର ଭାଗ ଇତ୍ୟାଦି ତନ୍ତୁ ଜାତୀୟ ଖାଦ୍ୟ ରୂପେ ବ୍ୟବହାର କରାଯାଇପାରେ । ବର, ସୁବାବୁଲ ବା କେଳିକଦମ୍ବ, ବାବୁଲ, ଅଁଳା, ଗୋଖର, ସୀମାକୟାଁ ବା ବିଲାତ କଯାଁ, ଲିମ୍ବ, ପିପଳ, ଆତ୍ମ, ପଣସ, କଣ୍ଟେଇକୋଳି, ବରକୋଳି ଇତ୍ୟାଦି ଗଛର ପତ୍ରକୁ ତନ୍ତୁଜାତୀୟ ଖାଦ୍ୟ ରୂପେ ବ୍ୟବହାର କରାଯାଇପାରେ ।

ଏକ ସୁଷମ ଛେଳିଦାନା ବା ମେଣ୍ଢା ଦାନା ମିଶ୍ରଣର (୧୦ କିଲୋ) ନମୂନା ତଳେ ଦିଆଗଲା ।

ମକା

୫ କିଲୋ

ଚିନାବାଦାମ ପିଡ଼ିଆ

୨ କିଲୋ

କୁଣ୍ଡା

୨ କିଲୋ

ଗୁଡ

୭୦୦ ଗ୍ରାମ୍

ଖଣିଜ ଲବଣ ମିଶ୍ରଣ

୨୦୦ ଗ୍ରାମ୍

ଲୁଣ

୧୦୦ ଗ୍ରାମ୍

ଛେଳି ଛୁଆ ବା ମେଣ୍ଢା ଛୁଆର ଯତ୍ନ

ମାଈ, ଛେଳି ବା ମେଣ୍ଢା ଗର୍ଭ ହେବାର ୫ ମାସ ପରେ ଛୁଆ ଜନ୍ମ କରିଥାଏ । ଛେଳି ଛୁଆ ବା ମେଣ୍ଢା ଛୁଆଟି ୩ ମାସ ବୟସ ପର୍ଯ୍ୟନ୍ତ ମାଆ ଠାରୁ କ୍ଷୀର ପିଇଥାଏ । ଛୁଆ କ୍ଷୀର ଖାଇବା ବନ୍ଦ କଲେ ମାଆ ପୁଣି ଥରେ ଗରମ ଆସେ । ତେଣୁ ୩ ମାସ ବୟସ ପରେ ଛେଳିଛୁଆ ବା ମେଣ୍ଢାଛୁଆ ଓ ମାଆକୁ ଅଲଗା ରଖିବା ଆବଶ୍ୟକ।

ଛେଳିଛୁଆ ବା ମେଣ୍ଢାଛୁଆ ଜନ୍ମ ପରେ ପରେ ନିଜେ ଠିଆ ହୋଇ ମାଆ କ୍ଷୀର ଖାଇବାକୁ ପ୍ରୟାସ କରିଥାଏ । ଯଦି ଛେଳିଟି ଥରକରେ ଏକାଧିକ ଛୁଆ ପ୍ରସବ କରିଥାଏ, ତେବେ ଦୁର୍ବଳ ଛୁଆଟିକୁ ହାତରେ ଧରି ଚିର ମୁହଁକୁ ନେଇ କ୍ଷୀର ଖୁଆଇବାକୁ ପଡ଼ିଥାଏ । ଛୁଆ ଜନ୍ମ ପରେ ମା ଛେଳି ବା ମେଣ୍ଢା ଠାରୁ ଯେଉଁ କ୍ଷୀର ବାହାରେ ତାକୁ କଷକ୍ଷୀର ବା ପୋଟିକ୍ଷୀର କହିଥାଉ । ଏହି କ୍ଷୀର ଛୁଆକୁ ପିଇବାକୁ ଦିଅନ୍ତୁ । ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଥାଏ । ଯେଉଁ ଛୁଆର ମାଆ ମରିଯାଇଥାଏ। ସେଇ ଛୁଆକୁ ଅନ୍ୟ ଛେଳି ବା ମେଣ୍ଢା ଠାରୁ କ୍ଷୀର ପିଇବାକୁ ଦିଅନ୍ତୁ।

ସାଧାରଣତଃ ଅଣ୍ଡିରା ଛୁଆ ମାଈ ଛୁଆ ଠାରୁ ଅଧିକ ଓଜନିଆ ହୋଇଥାଏ । ଛୁଆଙ୍କ ପାଇଁ ଖୋଲା ପବନ ଓ ସୂର୍ଯ୍ୟକିରଣ ଅତି ଆବଶ୍ୟକ । ତେଣୁ ଖରାଦିନେ ଗଛଛାଇ ତଳେ ଓ ଶୀତଦିନେ ଯେ କୌଣସି ଖୋଲା ସ୍ଥାନରେ ଛୁଆଙ୍କୁ ରଖିବା ଦରକାର । ଚାରିମାସ ବୟସରେ ପ୍ରତି ଛୁଆକୁ ଦୈନିକ ହାରାହାରି ୬୦ ଗ୍ରାମ୍ ଦାନା ଖାଇବାକୁ ଦିଅନ୍ତୁ ।

ସରକାରୀ ଯୋଜନା

ଛେଳି ମାଂସର ବଜାର ଚାହିଦା ଓ ଛେଳିପାଳନରୁ ଯଥେଷ୍ଟ ଲାଭ ହେବାର ସମ୍ଭାବନା ଥିବାରୁ ସମନ୍ୱିତ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମ ଏବଂ ପ୍ରଧ୍ୟାନମନ୍ତ୍ରୀ ରୋଜଗାର ଯୋଜନା ସରକାରଙ୍କ ବିଭିନ୍ନ ଲାଭକାରୀ ଯୋଜନାରେ ଛେଳିମାନଙ୍କୁ ଗୁରୁତ୍ଵ ଦିଆଯାଉଛି । ଛେଳି ପାଳନରୁ ଅଧିକ ଲାଭ ମିଳୁଥିବାରୁ ନାବାର୍ଡ଼ ଏବଂ ଅନ୍ୟ ଜାତୀୟ ସ୍ତରର ବ୍ୟାଙ୍କମାନେ ଛେଳି, ଫାର୍ମ ଆରମ୍ଭ କରିବା ପାଇଁ ପରିଯୋଜନାର ମୂଲ୍ୟାଙ୍କନ କରି ନିୟମାନୁଯାୟୀ ଗଣ ଯୋଗାଇ ଦେଉଛନ୍ତି ।

ବୀମା କମ୍ପାନୀମାନେ ବୀମା ଦ୍ଵାରା ଛେଳିର ମୃତ୍ୟୁ ହେଲେ ଆବଶ୍ୟକୀୟ କ୍ଷତିପୂରଣ ମଧ୍ୟ ଦେଉଛନ୍ତି । ତେଣୁ ନିକଟସ୍ଥ ବ୍ୟାଙ୍କ ଓ ବୀମା କମ୍ପାନୀମାନଙ୍କ ସହିତ ଯୋଗାଯୋଗ କଲେ ଅଧିକ ସୂଚନା ମିଳିପାରିବ।

ଛେଳିପାଳନର ଆର୍ଥିକ ଦିଗ

ଜଣେ ଲୋକ ସାଧାରଣତଃ ୫୦ଟି ଛେଳି ଚରାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବନାହିଁ । ତେଣୁ ଶ୍ରମର ସଦ୍‌ଉପଯୋଗ କରିବାକୁ ହେଲେ ୫୦ଟି ବା ତାର ଗୁଣିତକ ହିସାବରେ ଛେଳି ପାଳନ କରାଯାଇପାରେ । ବେଙ୍ଗଲ ଜାତୀୟ ଛେଳି ପ୍ରତି ୮ ମାସ ଅନ୍ତରରେ ଥରେ ଓ ଥରକୁ ହାରାହାରି ୨ଟି ଲେଖାଏଁ ଛୁଆ ଦେଇଥାନ୍ତି । ସମୟେ ସମୟେ ୩ ରୁ ୪ ଟି ଛୁଆ ଜନ୍ମ ହେବାର ମଧ୍ୟ ଦେଖାଯାଏ । ସେହିପରି ଗଞ୍ଜାମ ଛେଳି ୧୧ ମାସରେ ଥରେ ଓ ଥରକୁ ହାରାହାରି ଗୋଟିଏ ଛୁଆ ଜନ୍ମ କରିଥାନ୍ତି । ତେଣୁ ବେଙ୍ଗଲ ଜାତୀୟ ଛେଳି ୨ ବର୍ଷରେ ୬ଟି ଛୁଆ ଦେଉଥିଲା ବେଳେ ଗଞ୍ଜାମ ଛେଳି ୨ ବର୍ଷରେ ୨ ଟି ଛୁଆ ଦେଇଥାନ୍ତି । କିନ୍ତୁ ଛେଳି ଛୁଆର ବିକ୍ରି ବୟସ ୧୨ ମାସ ଧରାଗଲେ ଏହି ସମୟ ବେଳକୁ ବେଙ୍ଗଲ ଜାତୀୟ ଛେଳିର ଓଜନ ୧୦ ରୁ ୧୨ କି.ଗ୍ରା. ହୋଇଥିଲା ବେଳେ ଗଞ୍ଜାମ ଛେଳିର ଓଜନ ୧୮ ରୁ ୨୦ କି.ଗ୍ରା. ହୋଇଥାଏ । ଛେଳିଛୁଆର ଜନ୍ମ ବେଳର ଓଜନ କମଥିବାରୁ ଏବଂ ମା ଛେଳି ଦୁଗ୍ଧ କମ୍ ହେଉଥିବାରୁ ମୃତ୍ୟୁ ହାର ଟିକେ ଅଧ୍ୟକ ହୁଏ । ଏସବୁ ହିସାବକୁ ନେଲେ ଦେଖାଯାଏ। ଗୋଟିଏ ଛେଳିରୁ ବାର୍ଷିକ ଆୟ ହାରାହାରି ୧୦୦୦ ଟଙ୍କା ହୋଇଥାଏ । ଉତ୍ତମ ଚାରଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଥିଲେ ଗୋଟିଏ  ଛେଳିରୁ ୧୨୦୦ ଟଙ୍କା ଲାଭ ହୋଇଥାଏ କିମ୍ବା ମାସକୁ ଗୋଟିଏ ଛେଳିରୁ ହାରାହାରି ୧୦୦ ଟଙ୍କା ଲାଭ ମିଳିଥାଏ।

ଆମ ରାଜ୍ୟର ଜଳବାୟୁ ପରିବଶ ଓ ଛେଳି ମାଂସର ଚାହିଦାକୁ ବିଶ୍ଳେଷଣ କଲେ ବ୍ୟବସାୟକି ଭିଭିରେ ଛେଳି ପାଳନର ଭିଭିଭୂମି ଅତି ଉନ୍ନତ କହିଲେ ଅତ୍ୟୁକ୍ତି ହେବନାହିଁ । ଆମ ରାଜ୍ୟର ଛେଳ ମାଂସ ସୁସ୍ଵାଦୁ ଏବଂ ଆତ୍ମ ନିଯୁକ୍ତ ପାଇଁ ଗ୍ରାମାଞ୍ଚଳରେ ଛେଳି ଚାଷ ଏକ ନିର୍ଭର ଯୋଗ୍ୟ ପଦକ୍ଷେପ କହିଲେ ଭୁଲ୍ ହେବ ନାହିଁ ।

ଯୋଗାଯୋଗ – ଅଧିକ ସୂଚନା ପାଇଁ ଭୁବନେଶ୍ଵର ସ୍ଥିତ ଓଡ଼ିଶା, ପଶୁପାଳନ ଓ ପଶୁବିଜ୍ଞାନ ମହାବିଦ୍ୟାଳୟରେ ଯୋଗଯୋଗ କରିପାରନ୍ତି ।

୫ଟି ମାଈ, ଛେଳି ଓ ଗୋଟିଏ ବୋଦା ପାଳନରୁ ଲାଭକ୍ଷତିର ହିସାବ

. ଅଣ ପୌନଃପୁନିକ

୧.

ଗୁହାଳ – ୭୦ ବର୍ଗଫୁଟ (୧୦୦ ଟଙ୍କା ପ୍ରତି ବର୍ଗଫୁଟ)

୭୦୦୦.୦୦

୨.

୫ଟି ମାଈ ଛେଳି (ଗୋଟି ୧୫୦୦ ଟଙ୍କା)

୭୫୦୦.୦୦

୩.

୧ଟି ବୋଦା

୪୦୦୦.୦୦

ମୋଟ  - ୧୮୫୦୦.୦୦

. ପୌନଃପୁନିକ

୧.

ଦାନା (୧୦୦ ଦିନ ପାଇଁ) ପ୍ରତି ଛେଳିକୁ ୧୦୦ ଗ୍ରାମ୍ ଓ ବୋଦାକୁ ୨୦୦ ଗ୍ରାମ୍ ଏବଂ ଦାନା କି.ଗ୍ରା. ପ୍ରତି ୧୫ ଟଙ୍କା କରି (୭୦ କି.ଗ୍ରା. x ୧୫ ଟଙ୍କା)

୧୦୫୦.୦୦

୨.

ଚିକିତ୍ସା ଖର୍ଚ୍ଚ (ଗୋଟିକୁ ୧୦୦ ଟଙ୍କା ହାରରେ)

୬୦୦.୦୦

୩.

ବୀମା ଖର୍ଚ୍ଚ (ଛେଳି ଦାମର ୫ ପ୍ରତିଶତ)

୫୭୫.୦୦

ମୋଟ  - ୨୨୨୫.୦୦

ଗ. ମୋଟ ମୂଳଧନ ଖର୍ଚ୍ଚ

୧.

ସ୍ଥାୟୀ  ମୂଳଧନ

୧୮୫୦୦.୦୦

୨.

ପୌନଃପୌନିକ ଖର୍ଚ୍ଚ

୨୨୨୫.୦୦

ମୋଟ  - ୨୦୭୨୫.୦୦

ଘ. ଆଦାୟ

୧.

୭ଟି ଅଣ୍ଡିରା ଛେଳିର ବିକ୍ରି

ଗୋଟିକୁ ୧୫୦୦ ଟଙ୍କା ହାରରେ

କି.ଗ୍ରା, ପ୍ରତି ୧୨୦-୧୪୦ ଟଙ୍କା ହାରରେ

ଛୋଳିର ଓଜନ ୧୨ - ୧୪ କିଲୋଗ୍ରାମ୍

୧୦୫୦୦.୦୦

୨.

୫ଟି ମାଈ ଛେଳିର ବିକ୍ରି (ଗୋଟିକୁ ୧୦୦୦ ଟଙ୍କା)

୫୦୦୦.୦୦

ମୋଟ – ୧୫୫୦୦.୦୦

(ଗୋଠ ବଢ଼ାଇବା ପାଇଁ ଗୋଟିଏ ବା ଦୁଇଟି ମାଇ ଛୁଆକୁ ବିକ୍ରି କରାଯିବ ନାହିଁ)

ଲାଭ

ଆଦାୟ

୧୫୫୦୦.୦୦

(-) ପୌନଃପୌନିକ ଖର୍ଚ୍ଚ

୨୨୨୫.୦୦

(–) ଗୁହାଳର ମୂଲ୍ୟହାନୀ ଖର୍ଚ୍ଚ

(ପ୍ରତିବର୍ଷକୁ ୧୦ ପ୍ରତିଶତ ହାରରେ)

୭୦୦.୦୦

 

ବାର୍ଷିକ ହାରାହାରି ଲାଭ

୧୨୫୭୫.୦୦

ମାସିକ ହାରହାରି ଲାଭ

୧୦୪୮.୦୦

ଲାଭକ୍ଷତିର ହିସାବ ବେଳେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ।

  1. କିଣିବାକୁ ଥିବା ମାଈ, ଛେଳି ଦୁଇ ଦାନ୍ତିଆ ହେବା ଜରୁରୀ ।
  2. ଢେଳି ଗୁହାଳ ପାଇଁ ୧ଟି ଛେଳି ପ୍ରତି ୧୦ ବର୍ଗଫୁଟ ଓ ବୋଦା ପାଇଁ ୨୦ ବର୍ଗଫୁଟର ଚଟାଣ ଆବଶ୍ୟକ । ଏହି ଉପଯୋଜନାରେ ସ୍ଵଚ୍ଛ ମୂଲ୍ୟଯୁକ୍ତ ଗୁହାଳ ତିଆରି ପରାମର୍ଶ ଦିଆଯାଇଛି । ଏଥିରେ ମାଟି ଓ ବାଲି ( ପି.ପି.) ଅନୁପାତରେ ଚଟାଣ ତିଆରି କରାଯିବ ଏବଂ ଛପର ଚାଳ ବା ଖପର ଦେବା ଦରକାର । ଘରର ଚାରିପଟ ମାଟି ପେଚା ଇଟା କାନ୍ଥ ବା ବାଉଁଶ ବତା ହେଲେ ଭଲ । ଜଙ୍ଗଲରେ ମିଳୁଥିବା ଝାଟି ଦ୍ଵାରା ମଧ୍ୟ ଚାରିପଟେ କାନ୍ଥ କରାଯାଇପାରେ ।

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ – ଡା ଭାଗିରଥି ପାଣିଗ୍ରାହୀ, ପ୍ରାଧ୍ୟାପକ ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା ବିଭାଗ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ, ଭୁବନେଶ୍ଵର – ୭୫୧୦୦୩

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top