ହୋମ / କୃଷି / ପ୍ରାଣୀ ଧନ / ଛେଳି ଓ ମେଣ୍ଢାଙ୍କ ରୋଗ ଓ ପ୍ରତିକାର
ସେଆର କରନ୍ତୁ

ଛେଳି ଓ ମେଣ୍ଢାଙ୍କ ରୋଗ ଓ ପ୍ରତିକାର

ଛେଳି ଓ ମେଣ୍ଢାଙ୍କ ରୋଗ ଓ ପ୍ରତିକାର ସମ୍ବନ୍ଧରେ ସୂଚନା

ଛେଳି ଓ ମେଣ୍ଢାଙ୍କ ରୋଗ

ଅନ୍ୟାନ୍ୟ ଗୃହପାଳିତ ପଶୁମାନଙ୍କ ପରି ଛେଳି ବା ମେଣ୍ଢାକୁ ମଧ୍ୟ ବିଭିନ୍ନ ପ୍ରକାର ରୋଗ ଧରିଥାଏ । ଉପଯୁକ୍ତ ଯତ୍ନ ନେଲେ, ଛେଳି ବା ମେଣ୍ଢାକୁ କିଛି ରୋଗ ହୁଏ ନାହିଁ । ତଥାପି ଛେଳି ବା ମେଣ୍ଢାକୁ କି କି ରୋଗ ହୁଏ। ଟିକିଏ ଆଲୋଚନା କରିବା ।

ସାହାଣା :

ଏହି ରୋଗରେ ଛେଳି ବା ମେଣ୍ଢାକୁ କାଶ, ଜ୍ଵର ହୁଏ । ବେକ ମୂଳ ଫୁଲିଯାଏ । ପାଟିରୁ ଅନବରତ ଲାଳ ବୋହୁଥାଏ । ନାକପୁଡ଼ାରୁ ମୋଟା ସିଙ୍ଘାଣି ବାହାରେ । ଆକ୍ରାନ୍ତ ଛେଳି ବା ମେଣ୍ଢାଟି ମରିଯାଏ । ଆକ୍ରାନ୍ତ ଛେଳି ବା ମେଣ୍ଢାକୁ ସାଙ୍ଗେ ସାଙ୍ଗେ ପଶୁ ଡାକ୍ତରଙ୍କୁ ଦେଖାଇ ଔଷଧ ବ୍ୟବସ୍ଥା କଲେ ବି ବଞ୍ଚିବା ସମ୍ଭାବନା କମ୍ ଥାଏ । ଏଥିପାଇଁ ଏହି ରୋଗର ପ୍ରତିଷେଧକ ଟୀକା ପଶୁ ଡାକ୍ତର ଖାନାରେ ମିଳେ । ସାରଣୀରୁ ଏହାର ଟୀକା ଦାନ ସମୟରେ ଟୀକା ଦିଅନ୍ତୁ ।

ଏଣ୍ଟରୋଟକ୍ସିମିଆ :

ଏହି ରୋଗଟି ଛେଳି ଛୁଆ ବା ମେଣ୍ଢା ଛୁଆଙ୍କ ଅଧିକ ପରିମାଣରେ ଆକ୍ରାନ୍ତ କରିଥାଏ । ଏଥିରେ କଳା ଓ ବାଦାମୀ ରଙ୍ଗର, ଝାଡ଼ା ହୁଏ । ପେଟ କାଟିବା ଯୋଗୁଁ ଛେଳି ବା ମେଣ୍ଢାଟି ଛଟପଟ ହୁଏ । ନିୟୋଜ ହୋଇ ପଡ଼ି ମରିଯାଏ । ବଡ଼, ଛେଳି ବା ମେଣ୍ଢାକୁ ରୋଗ ହେଲେ ପେଟ କାଟେ, ଛେଳି ବା ମେଣ୍ଢାଟି ଥରେ ଓ ପାଗଳଙ୍କ ପରି ମୁଣ୍ଡିଆ ମାରେ । ବାଦାମୀ ରଙ୍ଗର ପତଳା ଝାଡ଼ା ହୁଏ ଓ ମରିଯାଏ । ଏହି ରୋଗର ପ୍ରତିଷେଧକ ଟୀକା ପଶୁ ଡାକ୍ତର ଖାନାରେ ମିଳେ । ଆକ୍ରାନ୍ତ ଛେଳି ବା ମେଣ୍ଢାକୁ ପଶୁ ଡାକ୍ତରଙ୍କ ସହାୟତା ନେଇ ଚିକିତ୍ସା କରନ୍ତୁ । ସ୍ଵାସ୍ଥ୍ୟବାନ୍ ପଶୁକୁ ଟୀକା ସାରଣୀ ଅନୁସାରେ ଟୀକା ଦିଅନ୍ତୁ ।

ପି.ପି.ଆର୍ :

ଏହି ରୋଗ ସବୁ ବୟସର ଛେଳି ବା ମେଣ୍ଢାଙ୍କୁ ଆକ୍ରାନ୍ତ କରିଥାଏ । ଏହି ରୋଗ ସୃଷ୍ଟିକାରୀ ଭୂତାଣୁ ଛେଳି ବା ମେଣ୍ଢାର ନାକ ଓ ଆଖିରୁ ଝରୁଥିବା ପାଣି, ମଳ ଓ ମୂତ୍ର ଆଦିରେ ପ୍ରଚୁର ମାତ୍ରାରେ ଥାଏ । ନାକ ଓ ଆଖିର ବାହାର ଅଂଶ ଲାଲ ପଡ଼ିଯାଏ । କାଶ ଓ ଜ୍ଵର ହୋଇ ମୁହଁ ଭିତର ଘାଆ ହୁଏ । ପତଳା ଝାଡ଼ା ହୋଇଥାଏ । ରୋଗାକ୍ରାନ୍ତ ହେବାର ଏକ ସପ୍ତାହ ମଧ୍ୟରେ ଛେଳି ବା ମେଣ୍ଢା ମୃତ୍ୟୁବରଣ କରିଥାଏ ।

ଏହି ରୋଗ ନ ହେବା ପାଇଁ ପିପିଆର୍ ପ୍ରତିଷେଧକ ଟୀକା ଛେଳି ବା ମେଣ୍ଢାମାନଙ୍କୁ ୩ ମାସ ବୟସରେ ଦେବା ଉଚିତ୍ । ଥରେ ଟୀକା ଦେଲେ ଏହା ୩ ବର୍ଷ ପର୍ଯ୍ୟନ୍ତ ରୋଗ ପ୍ରତିରୋଧ କରେ ।

ଫାଟୁଆ :

ଏହି ରୋଗ ହେଲେ ପ୍ରଥମେ ଅତ୍ୟଧିକ ଜ୍ଵର ହୁଏ ଓ ଶରୀରର ତାପମାତ୍ରା ୧୦୪° ଓ ୧୦୬° ଫାରେନ୍ ହିଟ୍ ରହେ । ଛେଳି ବା ମେଣ୍ଢା ଖାଏ ନାହିଁ କି ପିଏ ନାହିଁ । ପାଟି ଓ ଖୁରାରେ ଫୋଟକା ହୁଏ । ପାଟିରୁ ସବୁବେଳେ ସୂତା ଲାଳ ତଳକୁ ଲାଗି ବୋହୁଥାଏ । ପାଟିରୁ ଚାପୁ ଚାପୁ ଶବ୍ଦ ହୁଏ ।

ଖୁରା ଫୋଟକା ଫାଟିଲା ପରେ ସେଥିରେ ମାଛି ବସି ପୋକ ହୋଇଯାଏ । ରୋଗୀଣା ଗାଈଗୋରୁ ମଇଁଷି ଇତ୍ୟାଦିଙ୍କ ଠାରୁ କିମ୍ବା ରୋଗୀଣା, ଛେଳି ବା ମେଣ୍ଢାଙ୍କ ଠାରୁ ଏହି ରୋଗ ବ୍ୟାପିଥାଏ । ଘା ସ୍ଥାନକୁ ସୋଡ଼ାଖାର (୨୦ ଗ୍ରାମ ୧ ଲିଟର ପାଣିରେ ମିଶାନ୍ତୁ) ଦ୍ରବଣ ଦ୍ଵାରା ଧୋଇ ଦିଅନ୍ତୁ ।

ଖୁରା ଘାଆରୁ ପୂଜସବୁ ବାହାର କରିସାରିଲା ପରେ ହିମାକୁ ଅଏଣ୍ଟମେଣ୍ଟ କିମ୍ବା ଗନ୍ଧକର୍ପୂର ନଡ଼ିଆତେଲ ଦେଇ ସଫା କନାରେ ବାନ୍ଧି ଦିଅନ୍ତୁ । ଫାଟୁଆର ପ୍ରତିଷେଧକ ହିସାବରେ ୩ ମାସ ବୟସର ଉଦ୍ଧି ଛେଳି ବା ମେଣ୍ଢାଙ୍କୁ ବର୍ଷରେ ୨ ଥର, ପଶୁ ଡାକ୍ତରଙ୍କ ସହାୟତାରେ ଫାଟୁଆ ଟୀକା ଦିଅନ୍ତୁ ।

ପେଟ ଫାମ୍ପିବା :

ଅନେକ ସମୟରେ ଆମେ ଦେଖିଥାଉ ଯେ, ଛେଳି ବା ମେଣ୍ଢା ଚରିବୁଲି ଆସିଲା ପରେ ହଠାତ୍ ପେଟ ଫୁଲାଇ ପଡ଼ିଯାଏ ଓ ମରିଯାଏ । ବେଳେବେଳେ ଏମିତି ବି ହୁଏ, ରାତିରେ ଠିକ୍ ଖିଆ ପିଆ କରିଛି, ଅଥଚ ସକାଳୁ ପେଟ ଫୁଲାଇ ପଶୁଟି ମରି ପଡ଼ିଛି ।

ପାକସ୍ଥଳୀରେ ଖାଦ୍ୟ ଜୀର୍ଣ୍ଣ ହେଲା ପରେ, କେତେଗୁଡିଏ ଗଞ୍ଜେସ୍ ଉତ୍ପନ୍ନ ହୁଏ, ଏହି ଗ୍ୟାସ୍ ବାହାରକୁ ବାହାରିବା ପାଇଁ ଯଦି ରାସ୍ତା ପାଏ ନାହିଁ, ତା ହେଲେ ପେଟ ଫୁଲିଯାଏ ଓ ଫମ୍ପାଏ । ଅଧିକ ପରିମାଣରେ ଶସ୍ୟଦାନା ଖାଇଲେ ପାକସ୍ଥଳୀରେ ଜୀବାଣୁ ସଂଖ୍ୟା ମଧ୍ୟ ବଢ଼ିଥାଏ ଓ ଏହି ଜୀବାଣୁଙ୍କ ଠାରୁ ଏକ ପ୍ରକାର ଲାଳ ନିର୍ଗତ ହୁଏ, ଯାହା ଉତ୍ପନ୍ନ ହୋଇଥିବା ଗଞ୍ଜେସ୍ ସହ ମିଶି ଫେଣ ହୋଇଯାଏ । ଫଳରେ ଗ୍ୟାସ୍ ନିର୍ଗମନରେ ବାଧା ଉପୁଜେ । ଏଥିପାଇଁ ଯଦି ଛେଳି ବା ମେଣ୍ଢାଙ୍କୁ ବୁଲିବାକୁ ଛାଡୁ ନାହାଁନ୍ତି ତେବେ ତାକୁ ଦାନା ସହ ତନ୍ତୁ ଓ କୁଟା ଜାତୀୟ ଖାଦ୍ୟ ଯଥେଷ୍ଟ ପରିମାଣରେ ଦେବା ଦରକାର । ଏଗୁଡ଼ିକ ଫେଣ ତିଆରି କରିବାରେ ବାଧା ସୃଷ୍ଟି କରନ୍ତି ।

ଭୋଜିଭାତର ବଳକା ଖାଦ୍ୟ, ମହୁଲ, ଆତ୍ମ, ଚାଉଳ ଇତ୍ୟାଦି ପେଟ ପୁରାଇ ଖାଇଲେ ପେଟ ଫମ୍ପାଏ । ଆଉ ମଧ୍ୟ ଅତି କଅଁଳ, ଛନଛନିଆ ଘାସ (ସାଧାରଣତଃ ଗ୍ରୀଷ୍ମପରେ ପ୍ରଥମ ବର୍ଷା ହେଲା ପରେ ଦେଖାଦିଏ.) ମଧ୍ୟ ପେଟ ଫମ୍ପା ସୃଷ୍ଟି କରେ ।

ଏହା ବ୍ୟତୀତ ଜରି, ଅଖା, ପଲିଥିନ୍ ଇତ୍ୟାଦି ଖାଇଦେଲେ ଏ ଗୁଡ଼ିକ ଖାଦ୍ୟନଳୀରୁ ନିବୁଜ କରି ରହିଯିବା ଯୋଗୁଁ ଗଞ୍ଜେସ୍ ନିର୍ଗମନରେ ଅସୁବିଧା ସୃଷ୍ଟି ହୁଏ ଓ ପେଟ ଫମ୍ପାଏ ।

ଏହି ରୋଗଟି ହଠାତ୍ ଆରମ୍ଭ ହୁଏ । ବାମପଟେ ପେଟଟି ଫୁଲିଯାଏ । ପଶୁ ନାକ ଦେଇ ନିଃଶ୍ଵାସ ନେଇପାରେ ନାହିଁ । ଛେଳି ବାରମ୍ବାର ଶୁଏ ଓ ଉଠେ । ଜିଭ ପାଟି ଭିତରୁ ବାହାର କରି ରଖେ । ପାଟି ଦେଇ ପ୍ରଶ୍ଵାସ ଗ୍ରହଣ କରେ ଓ ଖର ପ୍ରଶ୍ଵାସ ନିଏ । ୩ ରୁ ୪ ଘଣ୍ଟା ମଧ୍ୟରେ ପଶୁ ମରିଯାଏ । ପେଟରୁ ଗ୍ୟାସ୍ ନିର୍ଗମନ ଏ ରୋଗର ପ୍ରଧାନ ଚିକିତ୍ସା । ୧୪ କିମ୍ବା ୧୬ ନମ୍ବର ଇଞ୍ଜେକ୍‌ସନ୍ ଛୁଞ୍ଚି ଦ୍ଵାରା ବାମ ପେଟ ଫୁଲାଇ ଗଞ୍ଜେସ୍ ବାହାର କରନ୍ତୁ ଓ ୨୫୦ ଗ୍ରାମ ପାଣିରେ ୫୦ ଗ୍ରାମ୍ ଖାଇବା ସୋଡ଼ା ମିଶାଇ ସିରିଞ୍ଜ ଦ୍ଵାରା ସେହି ଫୁଟା ଛୁଞ୍ଚି ଦେଇ ପେଟକୁ ପ୍ରବେଶ କରାନ୍ତୁ । ତା’ ପରେ କିଛି ଖାଇବା ତେଲ (୧୦୦ ଗ୍ରାମ) ପିଆଇ ଦିଅନ୍ତୁ ।

ବଜବଜିଆ :

ଏଥିରେ ପଛ ଗୋଡ଼ ଫାଟିଆ ମାଂସ ପେଶୀ ପଚିଯାଏ ଓ ଫୁଲିଯାଏ । ଜ୍ଵର ହୁଏ । ଫୁଲା ସ୍ଥାନକୁ ପରେ ଚିପିଲେ ବଜବଜ ଶବ୍ଦ ହୁଏ । ଲକ୍ଷଣ ଦେଖାଯିବାର ୧୨ ଘଣ୍ଟା ମଧ୍ୟରେ ପଶୁ ମରିଯାଏ । ଏଥିପାଇଁ ପ୍ରତିଷେଧକ ଟୀକା ପଶୁ ଡାକ୍ତରଙ୍କ ସହାୟତାରେ ଦେଇ ଦିଅନ୍ତୁ ।

କକ୍‌ସିଡ଼ିଆ :

ଏହି ରୋଗ ହେଲେ ଛେଳି ବା ମେଣ୍ଢାର ନାଳରକ୍ତ ଝାଡ଼ା ହୁଏ । ଝାଡ଼ା ସହ ଜ୍ଵର ମଧ୍ୟ ହୋଇପାରେ । ଛେଳି ବା ମେଣ୍ଢାର ମଳ ପରୀକ୍ଷା କଲେ, ଏହି ରୋଗର ଜୀବାଣୁ ଅଣ୍ଡା ଦେଖାଯାଏ । ରୋଗୀଣା, ଛେଳି ବା ମେଣ୍ଢାକୁ ଅଲଗା ରଖନ୍ତୁ । ଗୁହାଳକୁ ପରିଷ୍କାର କରନ୍ତୁ । କମ୍ ଜାଗାରେ ଅଧିକା ଛେଳି ବା ମେଣ୍ଢା ରଖନ୍ତୁ ନାହିଁ । ଛେଳି ବା ମେଣ୍ଢା ଦାନାରେ ଆମ୍ପ୍ରୋଲିଅମ୍ ବା ବାଇଫୁରାନ୍ ଔଷଧ ପଶୁ ଡାକ୍ତରଙ୍କ ସହାୟତାରେ ଖାଇବାକୁ ଦିଅନ୍ତୁ ।

ଥନହରା :

ଏହି ରୋଗରେ ପହ୍ନା ଓ ଚିର ଫୁଲିଯାଏ । ମାଆ ଛୁଆକୁ କ୍ଷୀର ପିଇବାକୁ ଦିଏ ନାହିଁ । ଦୁହିଲା ବେଳେ ଚାରରୁ କ୍ଷୀର ବାହାରେ ନାହିଁ । କ୍ଷୀର ହଳଦିଆ କିମ୍ବା ଲାଲ ଦେଖାଯାଏ । କ୍ଷୀର ଛିଣ୍ଡିଯାଏ ଓ ଛେନା ଭଳିଆ ହୋଇଯାଏ ।

ବେଳେବେଳେ ପହ୍ନାଟି ପଥର ଭଳି ଟାଣ ହୋଇଯାଏ ଓ ଦୁହିଁଲେ ଆଦୌ କ୍ଷୀର ବାହାରେ ନାହିଁ । ଏଭଳି ହେଲେ ଚିରରୁ ଯେତେ ସମ୍ଭବ କ୍ଷୀର ଦୁହିଁ ବାହାର କରିଦିଅନ୍ତୁ । ତାପରେ ଚିର ମୁହଁରେ ବିଟାଡିନ୍ ନାମକ ଔଷଧ (ମଣିଷ ପାଇଁ ବ୍ୟବହୃତ ଔଷଧ) ଲଗାନ୍ତୁ । ଛେଳି ବା ମେଣ୍ଢାର ଗୁହାଳକୁ ପରିଷ୍କାର ରଖନ୍ତୁ । ପହ୍ନା ଓ ଚିର ଦୈନିକ ସଫା କରନ୍ତୁ ।

ଅମ୍ଳରୋଗ :

ଅତ୍ୟଧିକ ଶର୍କରା ପୂର୍ଣ୍ଣଥିବା ଖାଦ୍ୟ ଯଥା : ଚାଉଳ, ଗହମ, ଧାନ, ମକା, ଭୋଜିଭାତ, ମହୁଲ, ଇତ୍ୟାଦି ପାକସ୍ଥଳୀରେ ଜମା ହୋଇ ରହେ ଓ ଏହି ରୋଗ ହୁଏ । ଭୋକିଲା ପଶୁ ସାଧାରଣତଃ ବିକଳରେ ଏଭଳି ଖାଦ୍ୟ ଖାଇଦେଇଥାଏ। ଓ ସେମାନଙ୍କୁ ଏକ ପ୍ରକାର ରୋଗ ହୋଇଥାଏ ।

ପାକସ୍ଥଳୀରେ ଏଭଳି ଖାଦ୍ୟ ଜମା ହୋଇ ରହିଲେ, ଜୀବାଣୁମାନଙ୍କ ଦ୍ଵାରା ସେଥିରୁ ଏକ ପ୍ରକାର ଅମ୍ଳ ନିର୍ଗତ ହୁଏ ଓ ସେଥିଯୋଗୁଁ ଶରୀରର ବିଭିନ୍ନ ଭାଗରୁ ଜଳ ଟାଣି ହୋଇ ପାକସ୍ଥଳୀରେ ଜମା ହୁଏ । ଜଳୀୟ ଅଂଶ ଅଭାବ ଯୋଗୁଁ ରକ୍ତ ମୋଟା ଓ ବହଳା ହୋଇଯାଏ । ଛେଳି ବା ମେଣ୍ଢା ସବୁବେଳେ ଶୋଇରହେ । ପରେ ଶାରୀରିକ ଉତ୍ତାପ କମିଯାଏ । ବାହାରୁ ବାମପଟ ଚିପିଲେ ଚିପି ହୋଇ ଖାଲ ଚିହ୍ନ କିଛି ସମୟ ରହେ । ପରିସ୍ରା ଆଦୌ ହୁଏ ନାହିଁ । ୩ ଦିନ ଭିତରେ ଛେଳି ବା ମେଣ୍ଢା ମରିଯାଏ ।

ଏକ ଲିଟର ପାଣିରେ ୫୦ ଗ୍ରାମ୍ ଖାଇବା ସୋଡ଼ା ମିଶାଇ ପିଆଇ ଦିଅନ୍ତୁ । ନଚେତ୍ଵ, ପଲିକ୍ଲୋଜେଲ୍ ଫର୍ଟ କିମ୍ବା ଡାଇଭଲ୍ କିମ୍ବା ଡାଇଜିନ୍ ତରଳ ଔଷଧ (ମଣିଷ ପାଇଁ) ଶିଶିଟିଏ ପିଆଇ ଦିଅନ୍ତୁ ।

ଯାଦୁ :

ଏକ ପ୍ରକାର ମାଇଟ୍ ଛେଳି ବା ମେଣ୍ଢା ଚମଡ଼ା ଫୁଟାଇ ଚମଡ଼ାର ଯାଦୁରୋଗ କରନ୍ତି । ଏମାନେ ଚମଡ଼ାକୁ ଖାଇଯାନ୍ତି । ଏହାଦ୍ଵାରା ଚମଡ଼ାର ସେହି ସ୍ଥାନରେ ଭୀଷଣ ଗଲୁ ହୁଏ ଓ ପଶୁ କାନ୍ଥ ବା ଗଛରେ ଘଷି ହୁଅନ୍ତି । ସେହି ସ୍ଥାନମାନଙ୍କରୁ ରକ୍ତ ଓ ପାଣି ବାହାରେ ଏବଂ ଘା' ହୋଇଯାଏ । ଚୁମ ଛିଣ୍ଡିଯାଏ । ଚମଡ଼ା ମୋଟା ହୋଇ ଚୋପା ଛାଡ଼େ ଓ ସେଥିରେ ବିଭିନ୍ନ ଜୀବାଣୁମାନେ ପଶି ବଥମାନ ସୃଷ୍ଟି କରନ୍ତି । ବଥା ପାଚି ଫାଟିଯାଏ ଓ ପୁଜରକ୍ତ ବାହାରେ । ଯାଦୁ ଛୋଟରୁ ବଡ଼ ଆକାର ଧାରଣ କରେ । ବାରମ୍ବାର ଗଲୁ ହେବା ଯୋଗୁଁ ଛେଳି ବା ମେଣ୍ଢା ଖାଇବା ପିଇବା ପ୍ରତି ଆଗ୍ରହ ପ୍ରକାଶ କରେ ନାହିଁ ଓ ଦିନକୁ ଦିନ ଦୁର୍ବଳ ହୋଇଯାଏ ।

ପ୍ରଥମେ ପୁରା ଦେହର ଚମଡ଼ାକୁ ଲିମ୍ ପତ୍ର ସିଝା ପାଣିଦ୍ଵାରା ଧୋଇ ଭଲଭାବେ ବ୍ରସ୍ କରନ୍ତୁ ଓ ପୁଣି ଲିମ୍ବପତ୍ର ସିଝା ପାଣି ଦ୍ଵାରା ଧୁଅନ୍ତୁ । ତା ପରେ ବିଟାଡିନ୍ କିମ୍ବା ହିମାକୁ ଭଳି ଅଏଣ୍ଟମେଣ୍ଟ ଘାଆ ସ୍ଥାନରେ ଲଗାନ୍ତୁ । ଏହିଭଳି ଦିନେ ଛାଡ଼ି ଦିନେ କରନ୍ତୁ । ଏହାଛଡ଼ା ଆଇଭରମେକ୍ଲିନ୍ ନାମକ ଇଞ୍ଜେକ୍‌ସନ୍ ପଶୁ ଡାକ୍ତରଙ୍କର ସହାୟତାରେ ଦିଅନ୍ତୁ । ଆଉ ମଧ୍ୟ ଛେଳି ରହୁଥିବା ଘରର ତଳ, କାନ୍ଥ, ବାଡ଼, ଛାତ ଇତ୍ୟାଦିକୁ ବ୍ୟୁଟକ୍ସ ଔଷଧ (୧ ମି.ଲି.କୁ ୧୦୦ ମି.ଲି. ପାଣିରେ ମିଶାଇ) ଦ୍ଵାରା ପ୍ରତି ୭ ଦିନରେ ଥରେ ଭଲ ଭାବେ ସ୍ପ୍ରେ କରନ୍ତୁ ।

କୃମିରୋଗ :

ଆମ ଦେଶରେ ଗୋରୁ ଛେଳି ବା ମେଣ୍ଢା ଇତ୍ୟାଦି ପଶୁ ବାହାରେ ଚରିବା ବେଳେ ଭୂଇଁରେ ମଳ ଓ ମୂତ୍ର ତ୍ୟାଗ କରନ୍ତି । ମଳରେ ଅବା କୃମିର ଅଣ୍ଡା ପେଟ ଭିତରୁ ପଦାକୁ ଆସି କିଛିଦିନ ଭିତରେ ଫୁଟି ଯାଆନ୍ତି । ଅଣ୍ଡା ଫୁଟିବା ପରେ ସେଥିରୁ ବାହାରିଥିବା ଲାର୍ଭା ଅଧିକାଂଶ କ୍ଷେତ୍ରରେ ଗେଣ୍ଡା, ମାଛି, ମଶା, ଡାଆଁଶ, ଟିଙ୍କ, ଉକୁଣୀ ଇତ୍ୟାଦି ମଧ୍ୟବର୍ତୀ ରୋଗବାହକ ମାନଙ୍କ ପେଟ ଭିତରକୁ ଯାଇ ସେମାନଙ୍କର ଶାରୀରିକ ପରିବର୍ଭନ କରନ୍ତି ଓ ରୋଗବାହକ ମାନଙ୍କର ପେଟ ଭିତରୁ ପରେ ବାହାରି ଘାସ, କୁଟା ବା ଖାଲୁଆ ଜମିରେ, ଗଛ ପତ୍ରରେ ଲାଗି ରହନ୍ତି । ପଶୁ ଏହି ଘାସ, କୁଟା ବା ଉଭିଦ ଖାଇଲା ପରେ କୃମି ଦ୍ଵାରା ଆକ୍ରାନ୍ତ ହୁଅନ୍ତି । ବିଭିନ୍ନ କୃମି ପଶୁର ଶରୀର ଭିତରେ ବିଭିନ୍ନ ସ୍ଥାନରେ ରହି ରକ୍ତ ତଥା ଶରୀରର ରସ ଶୋଷଣ କରି ବଂଶ ବିସ୍ତାର କରନ୍ତି।

କଲିଜାକୁମି :

ଏଥିରେ ଆଖିପତା ତଳ ଓ ଜିଭ ହଳଦିଆ ଦେଖାଯାଏ । ଆକ୍ରାନ୍ତ ପଶୁ ଖାଇବାକୁ ଇଚ୍ଛା କରନ୍ତି ନାହିଁ । ପଶୁ ଡାକ୍ତରଙ୍କ ସହାୟତାରେ ଡ଼ିଷ୍ଟୋବିନ୍ କିମ୍ବା ଟଲ୍‌ଜାନ୍ କିମ୍ବା ସେହିଭଳି ଫ୍ଲୁକନାଶୀ ଔଷଧ ଦିଅନ୍ତୁ ।

ଫିତାକୃମି :

ଏହି କୃମି ଦ୍ଵାରା ଆକ୍ରାନ୍ତ ଛେଳି ବା ମେଣ୍ଢାର ଅନ୍ତଃନଳୀରେ ଲମ୍ବା (୬୦ ୦ ସେ.ମି. ଲମ୍ବ ଓ ୧-୨ ସେ.ମି. ଓସାର) କୁମି ରହି ଖାଦ୍ୟ ହଜମରେ ବାଧା ସୃଷ୍ଟି କରନ୍ତି । ଛେଳି ଓ ମେଣ୍ଢା ଭଲ ବଢ଼ନ୍ତି ନାହିଁ । ମଳରେ ବେଳେବେଳେ ଏ କୃମି ପଡ଼ନ୍ତି । ପଶୁ ଡାକ୍ତରଙ୍କ ସହାୟତାରେ ଫିତା କୃମିନାଶୀ ଔଷଧ ଦିଅନ୍ତୁ ।

ରକ୍ତପିଆ କୃମି :

ଏମାନେ ଛେଳି ବା ମେଣ୍ଢା ଦେହରୁ ଯଥେଷ୍ଟ ପରିମାଣରେ ରକ୍ତ ପିଇଥାନ୍ତି । ଏଥିରେ ତରଳ ଝାଡ଼ା ଓ ରକ୍ତ ଶୂନ୍ୟତା (ଆଖିପତା ଓ ଜିଭ ଧଳା ହୁଏ) ଦେଖାଯାଏ । ଛେଳି ବା ମେଣ୍ଢା ଦୁର୍ବଳ ହୋଇଯାଏ । ପେଟ ଓହଳି ପଡ଼େ ଓ ଥୋମଣି ତଳେ ବଲ୍ଲଭଳି ମାଂସ ଓ ପାଣି ପିଣ୍ଡୁଳା ଦେଖାଯାଏ । ଏଥିପାଇଁ ନିଲ୍‌ଭର୍ମ କିମ୍ବା ପାନାକୁର କିମ୍ବା ହେଲା ଟାକ୍ ଔଷଧ ପଶୁ ଡାକ୍ତରଙ୍କ ସହାୟତାରେ ଦିଅନ୍ତୁ । ଟିଙ୍କ, ମାଇଟ୍, ଉକୁଣୀ ଜନିତ ରୋଗ – ଏମାନେ ସାଧାରଣତଃ ଘାସ ପଡ଼ିଆ, ଗଛ ବା ବୁଦା ତଳ ବା ଗୁହାଳ କାନ୍ଥ ଫାଟକ, ଫଟା ସ୍ଥାନମାନଙ୍କରେ ଲୁଚି ରହନ୍ତି । ଏହି ସ୍ଥାନମାନଙ୍କରୁ ଆସି ପଶୁ ଦେହରେ ଲାଗିରହି ରକ୍ତ ପିଅନ୍ତି । କିଛି ସମୟ ପରେ ପୁଣି ପୂର୍ବୋକ୍ତ ସ୍ଥାନକୁ ଚାଲିଯାଆନ୍ତି । ଛେଳି ବା ମେଣ୍ଢା ରକ୍ତ-ଶୂନ୍ୟତା ରୋଗରେ ଆକ୍ରାନ୍ତ ହୁଏ ଓ ଛେଳି ବା ମେଣ୍ଢାର ବିରକ୍ତ ଭାବ ଆସେ, ଖାଇବା ପିଇବା କମିଯାଏ ।

ଏହି କୃମିମାନଙ୍କୁ ନଷ୍ଟ କରିବାକୁ ହେଲେ ପଶୁ ରହିବା ସ୍ଥାନ ପରିବର୍ତ୍ତନ କରନ୍ତୁ । ପୁରୁଣା ସ୍ଥାନରେ ଜମି ରହିଥିବା ମଳମୂତ୍ରକୁ ପରିଷ୍କାର କରନ୍ତୁ ଓ ଘରକୁ ୪-୫ ଦିନପାଇଁ ଶୁଖଲା ରଖନ୍ତୁ । ମାଟି ଚଟାଣ ହୋଇଥୁଲେ, ମାଟିକୁ ହାଣି ତଳ ଉପର କରିଦିଅନ୍ତୁ । ଚଟାଣ ଓ କାନ୍ଥରେ କୀଟନାଶକ ଔଷଧ ସ୍ରୋ କଲାପରେ ଚୂନ ଲିପି ଦିଅନ୍ତୁ । ପଶୁ ଦେହକୁ ମଧ୍ୟ କୀଟନାଶକ ଔଷଧ ଦ୍ରବଣ ସ୍ପ୍ରେ କରନ୍ତୁ । ସ୍ରୋ କଲା ସମୟରେ ମନେ ରଖିବା ଉଚିତ୍ ଯେ ଔଷଧର ଦ୍ରବଣ ଆଖି, ନାକ ଓ ପାଟିରେ ନ ପଡ଼େ । ତା ପରେ ଛାଇରେ ଏକ ଘଣ୍ଟା ପଶୁକୁ ରଖିବା ପରେ ଭଲଭାବେ ବ୍ରସ୍ କରି ଧୁଅନ୍ତୁ । ପଶୁକୁ ଦେହ ଚାଟିବାକୁ ଦିଅନ୍ତୁ ନାହିଁ । ତୁଣ୍ଡି ଲଗାନ୍ତୁ । କୀଟନାଶକ ଦ୍ରବଣ ଅନୁପାତ –

କୀଟନାଶକ ଔଷଧ

(୧ ଲିଟର ପାଣିରେ)

ମନ୍ତବ୍ୟ

ମାଲାଥିଅନ୍

୧୦ ଗ୍ରାମ୍

ପ୍ରତି ୧୫ ଦିନକୁ

ଆସୁଣ୍ଟଲ୍

୩ ଗ୍ରାମ୍

ଥରେ ପ୍ରୟୋଗ କରନ୍ତୁ

ସେଭିନ୍

୮ ଗ୍ରାମ୍

 

ବ୍ୟୁଟକ୍ସ

୧ ମି.ଲି.

 

ଛେଳି ବା ମେଣ୍ଢାଙ୍କ ପାଇଁ  ପ୍ରତିଷେଧକ ବ୍ୟବସ୍ଥା ସାରଣୀ

ମାସର ନାମ

’ଣ କରିବେ

ରୋଗ

ଜାନୁଆରୀ

-         

-         

ଫ୍ରେବୃଆରୀ

ଏଣ୍ଟରୋଟକ୍ସିମିଆ ଟିକା ଦିଅନ୍ତୁ

ଏଣ୍ଟରୋଟକ୍ସିମିଆ ରୋଗପାଇଁ

ମାର୍ଚ୍ଚ

-         

-         

ଏପ୍ରିଲ

କକ୍‌ସିଡ଼ିଆ ନାଶୀ ଔଷଧ ଦିଅନ୍ତୁ

ଜ୍ଵର ଓ ଝାଡ଼ା ପାଇଁ

ମେ

-         

-         

ଜୁନ୍

ଫାଟୁଆ ଟୀକା ଦିଅନ୍ତୁ

ଫାଟୁଆ ରୋଗ

ଜୁଲାଇ

ସାହାଣ ଟୀକା ଦିଅନ୍ତୁ କୃମି ଔଷଧ ଦିଅନ୍ତୁ

ସାହାଣ ରୋଗ ପାଇଁ

ଅଗଷ୍ଟ

କକ୍ସିଡିଆନାଶୀ ଔଷଧ  ଏଣ୍ଟରୋଟକ୍ସିମିଆ ଟୀକା

ଜ୍ଵର ଓ ଝାଡ଼ା ପାଇଁ ଏଣ୍ଟରୋଟକ୍ସିମିଆ ରୋଗପାଇଁ

ସେପ୍ଟେମ୍ବର

-         

-         

ଅକ୍ଟୋବର

କୃମି ଔଷଧ ଦିଅନ୍ତୁ

କୃମି ପାଇଁ

ନଭେମ୍ବର

କୃମି ଔଷଧ ଦିଅନ୍ତୁ

କୃମି ପାଇଁ

ଡିସେମ୍ବର

ଫାଟୁଆ ଟୀକା ଦିଅନ୍ତୁ

ପି.ପି.ଆର୍ ଗୀକା ଦିଅନ୍ତୁ

ଫାଟୁଆ ରୋଗ ପାଇଁ ପି.ପି.ଆର୍ ରୋଗ ପାଇଁ

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ – ଡା ଭାଗିରଥି ପାଣିଗ୍ରାହୀ, ପ୍ରାଧ୍ୟାପକ ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା ବିଭାଗ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ, ଭୁବନେଶ୍ଵର – ୭୫୧୦୦୩

2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top