ହୋମ / କୃଷି / ପ୍ରାଣୀ ଧନ / ପଶୁ ପାଳନର ଅନୁଷ୍ଠାନ
ସେଆର କରନ୍ତୁ

ପଶୁ ପାଳନର ଅନୁଷ୍ଠାନ

ଓଡିଶାରେ ଥିବା ପଶୁପାଳନର ବିଭିନ୍ନ ଅନୁଷ୍ଠାନ ସମ୍ପର୍କରେ ସୂଚନା

ବିଭାଗର ଆଭିମୁଖ୍ୟ

ଉନ୍ନତ ପ୍ରାଣୀ ଚିକିତ୍ସା ସେବା ମାଧ୍ୟମରେ ରାଜ୍ୟର ପ୍ରାଣୀସମ୍ପଦର ସୁରକ୍ଷା ସହିତ ଉତ୍ପାଦନ ଓ ଉତ୍ପାଦିକିତା ଶକ୍ତିର ଅଭିବୃଦ୍ଧି ଘଟାଇବା ।

କ୍ଷୀର,ଅଣ୍ଡା,ମାଂସ ଆଦିର ଉତ୍ପାଦନ ବୃଦ୍ଧି କରି ରାଜ୍ୟକୁ ସ୍ୱାବଲମ୍ବୀ କରିବା ଏବଂ ଖାଦ୍ୟନିରାପତ୍ତାକୁ ସୁଦୃଢ କରିବା ।

ଆଧୁନିକ ପ୍ରଣାଳୀରେ ଗାଈ, ଛେଳି, ମେଣ୍ଢା, କୁକୁଡା ବ୍ୟବସାୟୀକ ଭିତ୍ତିରେ ପାଳନ କରି ଚାଷୀ ମାନଙ୍କ ପାଇଁ ଆତ୍ମନିଯୁକ୍ତି ର ପନ୍ଥା ସୃଷ୍ଟି କରିବା ।

ପ୍ରାଣୀ ସମ୍ପଦର ବିକାଶ ସକାଶେ ରାଜ୍ୟର ପ୍ରାଣୀ ପାଳକ ମାନଙ୍କୁ ବିଭାଗ ତରଫରୁ ବିଭିନ୍ନ ଅଞ୍ଚଳରେ ଥିବା ୫୪୦ଟି ପ୍ରାଣୀ ଚିକିତ୍ସାଲୟ ଓ ୨୯୩୯ଟି ପ୍ରାଣୀ ସହାୟକ କେନ୍ଦ୍ର ମାଧ୍ୟମରେ ପଶୁ ଚିକିତ୍ସା ଓ ପଶୁପାଳନ ସମ୍ବନ୍ଧୀୟ ସେବା ଯୋଗାଇ ଦିଆଯାଉଛି ।

ବିଭାଗୀୟ ମୁଖ୍ୟ ଅନୁଷ୍ଠାନ

ଓଡିଶା ପ୍ରାଣୀସମ୍ପଦ ବିକାଶ ସମିତି , ଭୁବନେଶ୍ଵର ଉନ୍ନତ ପ୍ରଜନନ ସେବା ମାଧ୍ୟମରେ ଉତ୍କୃଷ୍ଟ ଗୋ ସମ୍ପଦ ସୃଷ୍ଟି କରିବା ପାଇଁ ସମିତି ମୁଖ୍ୟ ଭୂମିକା ଗ୍ରହଣ କରି ଆସୁଛି । ଜାତୀୟ ଗୋ-ପ୍ରଜନନ ଏବଂ ଗୋ-ଉନ୍ନୟନ ଯୋଜନା ସହାୟତାରେ ରାଜ୍ୟରେ କୃତିମ ପ୍ରଜନନ କାର୍ଜ୍ୟକ୍ରମକୁ ଶୃଙ୍ଖଳିତ ଓ ତ୍ଵରାନ୍ଵିତ କରାଇ ଉନ୍ନତ ମାନର ଶଙ୍କର ବାଛୁରି ସୃଷ୍ଟି କରାଇ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରାଇବା ମୂଳ ଲକ୍ଷ ଅଟେ । ଗୋପାଳ ମାନଙ୍କ ସହଯୋଗରେ ସେମାନଙ୍କ ପାଖରେ ଥିବା ଉନ୍ନତ ଗାଈ ମାନଙ୍କୁ ବ୍ୟବହାର କରି ନିଜ ଉଚ୍ଚ ଉତ୍ପାଦନ କ୍ଷମତା ସମ୍ପନ୍ନ ଷଣ୍ଢ ଉତ୍ପାଦନ ପାଇଁ ପଦକ୍ଷେପ ନିଆଯାଉଛି । ଏହା ସଙ୍ଗେ ସଙ୍ଗେ ରାଜ୍ୟରେ ଦେଖାଯାଉଥିବା ବିଭିନ୍ନ ଦେଶୀୟ ଗୋ-ମହିଷାଦି ପ୍ରଜାତିର ଉନ୍ନତିକରଣ ପାଇଁ ସ୍ଥାନୀୟ ପ୍ରଜନନ ଗୋଷ୍ଠୀଗୁଡିକୁ ପ୍ରୋତ୍ସାହିତ କରାଯାଉଛି । ଜାତୀୟ ଗୋବିକାଶ ଯୋଜନା ସହାୟତାରେ ରାଜ୍ୟରେ ଥିବା ପ୍ରାଥମିକ ଦୁଗ୍ଧ ସମବାୟ ସମିତିଗୁଡିକୁ ଦୃଢୀକରଣ କରିବା ସହିତ ଅଧିକ ଦୁଗ୍ଧ ସଂଗ୍ରହ ମାନ ନିୟନ୍ତ୍ରଣ, ଶୀତଳିକରଣ ଓ ପ୍ରଶିକ୍ଷଣ କାର୍ଜ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ ।

ହିମୀକୃତ ଶୁକ୍ର ଭଣ୍ଡାର, କଟକ

କୃତ୍ରିମ ପ୍ରଜନନ ସକାଶେ ଆବଶ୍ୟକ ଉନ୍ନତମାନର ହିମୀ କୃତ ଶୁକ୍ର ପ୍ରସ୍ତୁତ କରିବାରେ ରାଜ୍ୟର ଏକମାତ୍ର ଅନୁଷ୍ଠାନ । ଏହା କେନ୍ଦ୍ର ସରକାରଙ୍କ ତଦାରଖ କମିଟି ଦ୍ଵାରା ‘ଏ’ଗ୍ରେଡ ମାନ୍ୟତା ପ୍ରାପ୍ତ ହୋଇଅଛି । ଏଠାରେ ୮୦ଗୋଟି ବିଭିନ୍ନ ପ୍ରଜାତିର ଉନ୍ନତ ମାନର ଷଣ୍ଢକୁ ପରିପାଳନ କରାଯାଉଛି ।

ପଶୁରୋଗ ନିରାକରଣ ସମିତି, ଭୁବନେଶ୍ଵର

ରାଜ୍ୟରେ ପଶୁପକ୍ଷୀ ମାନଙ୍କର ରୋଗର ପ୍ରତିଷେଧକ, ପ୍ରତିକାର, ଅଶୁଚିକିତ୍ସା ଓ ନିରାକରଣ କାର୍ଯ୍ୟକ୍ରମର ସୁପରିଚାଳନା ସମିତିର ମୁଖ୍ୟ କାର୍ଯ୍ୟ। ଆଧୁନିକ ପ୍ରଣାଳୀରେ ଉନ୍ନତମାନର ଟିକା ଉତ୍ପାଦନ ଏବଂ ରୋଗ ନିଦାନ ପାଇଁ ସହାୟତା ଯୋଗାଇଥାଏ ।

ଜୈବିକ ଟିକା ଉତ୍ପାଦନ ପ୍ରତିଷ୍ଠାନ

ଗୃହପାଳିତ ପଶୁପକ୍ଷୀମାନଙ୍କୁ ମାରାତ୍ମକ ସଂକ୍ରାମକ ରୋଗ ପ୍ରତିଷେଧକ ପାଇଁ ରାଜ୍ୟରେ ଭୁବନେଶ୍ଵର ଏବଂ ବ୍ରହ୍ମପୁରଠାରେ ଦୁଇଟି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ଏଠାରେ ପ୍ରାଣିମାନଙ୍କ ରୋଗ ନିରାକରଣ ପାଇଁ ସାତଗୋଟି ବିଭିନ୍ନ ପ୍ରକାର ଟିକା ଚାହିଦା ମୁତାବକ ଉତ୍ପାଦନ କରାଯାଉଛି । ଠିକ ସମୟରେ ଆବଶ୍ୟକ ପରିମାଣର ଟିକା ରାଜ୍ୟର ସମସ୍ତ ଅଞ୍ଚଳକୁ ପଠାଇବା ବ୍ୟବସ୍ଥାର ସୁପରିଚାଳନା ଏହି ଅନୁଷ୍ଠାନ ଦ୍ଵାରା ହୋଇଥାଏ ।

ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ, ଫୁଲନଖରା

ରାଜ୍ୟର ପଶୁରୋଗ ନିରୂପଣ ଓ ନିରାକରଣର ଏହା ଏକ ପ୍ରମୁଖ ଅନୁଷ୍ଠାନ । ଏଠାରେ ବିଭିନ୍ନ ପଶୁ ରୋଗର ତ୍ଵରିତ ନିରୂପଣ ଏବଂ ନିଦାନ କରାଯାଇ ପ୍ରତିକାର ନିମନ୍ତେ ପରାମର୍ଶ ଦିଆଯାଏ । ସଂକ୍ରାମକ ରୋଗ ଚିହ୍ନଟ ନିମନ୍ତେ ନମୁନା ସଂଗ୍ରହ କରି ରୋଗ ନିରୂପଣ କରାଯାଏ ।

ସୂଚନା, ଶିକ୍ଷା ଓ ସଂପ୍ରସାରଣ ପରିଚାଳନା ସମିତି, ଭୁବନେଶ୍ଵର

ବିଭାଗୀୟ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ତଥା ଚାଷୀମାନଙ୍କ ଜ୍ଞାନକୌଶଳର ଉନ୍ନତି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସମିତି ସଂପ୍ରସାରଣ ପାଇଁ ଆବଶ୍ୟକ ବିଭିନ୍ନ ତଥ୍ୟାବଳୀ ଓ ସୂଚନା ପୁସ୍ତିକା ପ୍ରସ୍ତୁତ କରିଥାଏ । ରାଜ୍ୟର ପ୍ରଶିକ୍ଷଣ ଅନୁଷ୍ଠାନଗୁଡିକ ଯଥା ପ୍ରାଣୀ ଚିକିତ୍ସକଙ୍କ ପ୍ରଶିକ୍ଷଣ କେନ୍ଦ୍ର, ପ୍ରାଣୀ ନିରୀକ୍ଷକ ତାଲିମ କେନ୍ଦ୍ର ଓ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଖସଡା ପ୍ରସ୍ତୁତ କରି ଆବଶ୍ୟକ ସହାୟତା ଯୋଗାଇଥାଏ । ବିଭାଗର ସମ୍ବାଦ ସରାବରାହ ସଂସ୍ଥା ଜରିଆରେ ବିଭିନ୍ନ ପ୍ରାଣୀ ବିକାଶ କାର୍ଯ୍ୟକ୍ରମ ବିଷୟରେ ଚାଷୀଙ୍କୁ ସଚେତନ କରାଯାଇଥାଏ । ଦୂରଦର୍ଶନ, ଆକାଶବାଣୀ, ସମ୍ବାଦପତ୍ର, ଗ୍ରାମସାଟ , ପ୍ରଚାର ପାତ୍ର ବଣ୍ଟନ , ପଥପ୍ରାନ୍ତ ନାଟକ, ଚଳଚିତ୍ର ପ୍ରଦର୍ଶନ ଓ ପ୍ରଦର୍ଶନୀ ମାଧ୍ୟମରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସମ୍ବାଦସରାବରାହ ସଂସ୍ଥାର ମୁଖ୍ୟ କାର୍ଯ୍ୟ ।

ଜୀବେ ନିଷ୍ଠୁରତା ନିରୋଧ ସମିତି, କଟକ

ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁରତା ଆଚରଣ ପାଇଁ ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏହି ସମିତିର ମୂଳ ଲକ୍ଷ୍ୟ । ଅକର୍ମଣ୍ୟ , ବୃଦ୍ଧ ଓ ଜରାଗ୍ରସ୍ତ ପ୍ରାଣୀମାନଙ୍କ ପ୍ରତି ଆବାସ ସ୍ଥଳୀ ସ୍ଥାପନ କରି ସେମାନଙ୍କର ପରପୋଷଣ ସକାଶେ ଉଚିତ ପଦକ୍ଷେପ ନେଇଥାଏ ।

ଆଧାର: ସୂଚନା, ଶିକ୍ଷା ଓ ସମ୍ପ୍ରସାରଣ ପରିଚାଳନା ସମିତି

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top