ହୋମ / କୃଷି / ପ୍ରାଣୀ ଧନ / ବତକ ପାଳନ
ସେଆର କରନ୍ତୁ

ବତକ ପାଳନ

କୁକୁଡ଼ା ପାଳନ ଅପେକ୍ଷା ବତକ ପାଳନରେ ଅନେକ ସୁବିଧା ରହିଅଛି । ବତକ ପାଳନ କିପରି କରିବେ ସେ ସମ୍ବନ୍ଧରେ ସୂଚନା ।

ବତକ ପାଳନ ସାଧାରଣତଃ ଦୁଇଟି ଉଦ୍ଦେଶ୍ୟ ନେଇ କରାଯାଇଥାଏ । ଗୋଟିଏ  ହେଲା ଅଣ୍ଡା ପାଇଁ ଏବଂ ଅନ୍ୟଟି ହେଲା ମାଂସ ପାଇଁ । ଓଡ଼ିଶାରେ ଏପର୍ଯ୍ୟନ୍ତ ବତକ ପାଳନର ପ୍ରସାର ହୋଇପାରି ନାହିଁ । ତେଣୁ ବତକ ପାଳନ ପ୍ରତି ଲୋକେ ଆଗ୍ରହ ପ୍ରକାଶ କଲେ, ଅଣ୍ଡା ଓ ମାଂସ ଉତ୍ପାଦନ ବଢ଼ିପାରିବ । କୁକୁଡ଼ା ପାଳନ ଅପେକ୍ଷା ବତକ ପାଳନରେ ଅନେକ ସୁବିଧା ରହିଅଛି, ସେଗୁଡ଼ିକ ହେଲା –

  1. ଗୋଟିଏ ବର୍ଷରେ ବତକ, କୁକୁଡ଼ା ଅପେକ୍ଷା ୪୦ ରୁ ୫୦ ଅଧିକ ଅଣ୍ଡା ଦେଇଥାଏ  ।
  2. ବତକ, ଅଣ୍ଡାର ଓଜନ କୁକୁଡ଼ା ଅଣ୍ଡା ଅପେକ୍ଷା ୧୫ ରୁ ୨୦ ଗ୍ରାମ୍ ଅଧିକ ।
  3. ବତକ ପାଳନରେ କୁକୁଡ଼ା ପାଳନ ଅପେକ୍ଷା କମ୍ ଯତ୍ନ ନେବାକୁ ପଡ଼ିଥାଏ ।
  4. ବତକମାନେ ଦାନା ଖାଇବା ସଙ୍ଗେ ସଙ୍ଗେ ସବୁଜ ପତ୍ର, ପୋକ, ଗେଣ୍ଡା, ଜିଆ ଏବଂ ଅନେକ ପ୍ରକାରର ଜଳଜ ପଦାର୍ଥ ଖାଇଥାନ୍ତି ।
  5. କୁକୁଡ଼ା, ଟର୍କୀ ଅବା ଅନ୍ୟ ପକ୍ଷୀମାନଙ୍କ ପାଇଁ ବ୍ୟବହୃତ ହେଉ ନଥିବା ଖାଦ୍ୟ ବତକମାନଙ୍କର ଖାଦ୍ୟ ଉପଯୋଗୀ ହୋଇଥାଏ ।
  6. ବତକମାନେ ସାଧାରଣ ପରିବେଶରୁ ଅଧିକ ଖାଦ୍ୟ ସଂଗ୍ରହ କରିଥାନ୍ତି ।
  7. କୁକୁଡ଼ା ଠାରୁ ବତକର ଉତ୍ପାଦନ ଜନିତ କ୍ଷମତାର ସମୟ ଅଧିକ ।
  8. ବତକ ଦ୍ଵିତୀୟ ଏବଂ ତୃତୀୟ ବର୍ଷରେ ଭଲ ଅଣ୍ଡା ଦେଇଥାଏ ।
  9. ବତକ ପାଳନ ପାଇଁ ଘର ତିଆରି ଖର୍ଚ୍ଚ କମ୍ ପଡ଼ିଥାଏ ।
  10. ବତକଠାରେ ରୋଗ ପ୍ରତିରୋଧକ ଶକ୍ତି ଥିବାରୁ ଖୁବ୍ କମ୍ ରୋଗ ଧରେ ।
  11. କୁକୁଡ଼ା ପରି ଭୟଙ୍କର ରାଣୀକ୍ଷେତ ଏବଂ ଏଭିଆନ୍ ଇନ୍‌ଫ୍ଲୁଏନ୍‌ଜା ବତକଠାରେ ଦେଖାଯାଏ ନାହିଁ ।
  12. ସନ୍ତସନ୍ତିଆ ବା ପାଣି ଜମି ରହୁଥିବା ଯାଗାରେ ବତକ ପାଳନ କରାଯାଇପାରେ ।
  13. ବତକମାନେ ଶତକଡ଼ା ୯୫ ରୁ ୯୮ ଭାଗ ଅଣ୍ଡା ସକାଳ ୯ଟା ପୂର୍ବରୁ ଦେଇ ଦିଅନ୍ତି । ଫଳରେ ଅଣ୍ଡା ସଂଗ୍ରହ କରିବାକୁ ସୁବିଧା ହୁଏ ।
  14. ବତକମାନଙ୍କୁ ସକାଳେ ପୋଖରୀକୁ ଯିବା ଏବଂ ସନ୍ଧ୍ୟାରେ ଘରକୁ ଫେରିବା ଅଭ୍ୟାସ କରାଇବାକୁ ବେଶି କଷ୍ଟ ପଡ଼େ ନାହିଁ ।

ବତକମାନଙ୍କର ଜାତି

ବ୍ୟବହାର ଦୃଷ୍ଟିରୁ ବତକମାନଙ୍କୁ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ ।

  • ଅଣ୍ଡା ପାଇଁ ଉପଯୁକ୍ତ ବତକ ।
  • ମାଂସ ପାଇଁ ଉପଯୁକ୍ତ ବତକ ।

ଅଣ୍ଡା ପାଇଁ ଉପଯୁକ୍ତ ବତକ ଓ ମାଂସ ପାଇଁ ଉପଯୁକ୍ତ ବତକ ପରସ୍ପର ଠାରୁ ଗୁଣରେ ଭିନ୍ନ । ଅଣ୍ଡା ପାଇଁ ଉପଯୁକ୍ତ ବତକମାନେ ସାଧାରଣତଃ ଆକାରରେ ସାନ ଓ ହାଲୁକା । କିନ୍ତୁ ମାଂସ ପାଇଁ ଉପଯୁକ୍ତ ବତକମାନେ ଆକାରରେ ବଡ଼ ଓ ଓଜନିଆ ।

ଅଣ୍ଡା ପାଇଁ ଉପଯୋଗୀ ବତକ

ଏ ପ୍ରକାର ବତକମାନଙ୍କ ମଧ୍ୟରେ ଖାକି କନ୍ୟାମ୍ପବେଲ୍, ଇଣ୍ଡିଆନ୍ ରନର ଓ ବସ୍ଅରପିଙ୍ଗ୍ଟନ୍ ଆଦି ପ୍ରଜାତିର ବତକମାନେ ମୁଖ୍ୟ ।

  • ଖାକି କନ୍ୟାମ୍ପବେଲ୍ –
  • ଏହାର ଶରୀର ଓସାରିଆ, ଗଭୀର ଏବଂ କମ୍ ଲମ୍ବା । ଅଗ୍ରଭାଗ ଚଉଡ଼ା ଓ ସୁଗୋଲ । ପୁଚ୍ଛ ସରୁ, ଛୋଟ ଏବଂ ଟିକିଏ ଉପରକୁ ଉଠିଥାଏ । ଏହି ପ୍ରଜାତିର ବତକ ଗଞ୍ଜାର ମୁଣ୍ଡ, ବେକ ଓ ଡେଣା ସାମାନ୍ୟ କଳା ଓ ଆ°ଶିକ ଗାଢ଼ ରଙ୍ଗର ।

    ଏହି ଜାତିର ପେଣ୍ଠୀମାନେ ହାରାହାରି ବର୍ଷକୁ ପ୍ରାୟ ୩୦୦ ଅଣ୍ଡା ଦିଅନ୍ତି । କେତେକ କ୍ଷେତ୍ରରେ ସେମାନେ ଆହୁରି ବେଶି ଅଣ୍ଡା ମଧ୍ୟ ଦିଅନ୍ତି ଏବଂ ବର୍ଷସାରା ସବୁଦିନ ପ୍ରାୟ ଅଣ୍ଡା ଦିଅନ୍ତି । ତିନି ପ୍ରକାର ଖାକି କ୍ୟାମ୍ପବେଲ୍ ଦେଖାଯାଆନ୍ତି, ଯଥା - ଖାକି, ଧଳା ଓ କଳା ମିଶା ଖାକି । ବୟସ୍କ ଗଞ୍ଜାର ଓଜନ ୨.୨ ରୁ ୨.୪ କେ.ଜି. ଓ ପେଣ୍ଡୀର ଓଜନ ୨ ରୁ ୨.୨ କେ.ଜି.।

  • ଇଣ୍ଡିଆନ୍ ରନର –
  • ଏହି ପ୍ରଜାତିର ବତକମାନଙ୍କର ବାସସ୍ଥଳୀ ପୂର୍ବଭାରତୀୟ ଅଞ୍ଚଳ । ଏହି ଶ୍ରେଣୀର ବତକମାନେ ଖାକ କନ୍ୟାମ୍ପବେଲ୍ ବତକମାନଙ୍କ ଅପେକ୍ଷା ସାମାନ୍ୟ କମ୍ ଅଣ୍ଡା ଦଅନ୍ତି । ଏମାନେ ଖାକି କ୍ୟାମ୍ପବେଲ୍ ବତକମାନଙ୍କ ଅପେକ୍ଷା ଆକାରରେ ଛୋଟ ।

    ହାରାହାରି ପ୍ରାୟ ୨୫୦ ରୁ ୩୦୦ ପର୍ଯ୍ୟନ୍ତ ଅଣ୍ଡା ଦିଅନ୍ତି । ଏମାନଙ୍କର ମୁଖ୍ୟ ଗୁଣ ହେଲା, ଏମାନେ ଉପରକୁ ସିଧା ହୋଇ ବସନ୍ତି । ଏମାନେ ପ୍ରାୟ ତିନି କିସମର, ଯଥାଧଳା, ଚିତ୍ରିତ ଓ ଧଳା ଧୂସର । ଏହି ପ୍ରଜାତିର ବତକ, ଗଞ୍ଜାର ଓଜନ ୧.୪ ରୁ ୧.୬ କଲେ ଓ ପେଣ୍ଡୀ ମାନଙ୍କର ଓଜନ ପ୍ରାୟ ୧.୪-୨.୦ କିଲୋଗ୍ରାମ୍ ।

  • ବଫ୍ଅରପିଙ୍ଗ୍ଟନ୍ -
  • ଏହି ପ୍ରକାର ବତକମାନଙ୍କର ପରର ରଙ୍ଗ ବଙ୍ଘ ରଙ୍ଗର । ଏମାନେ ତିନୋଟି ଉଦ୍ଦେଶ୍ୟରେ ପାଳିତ ହୁଅନ୍ତି । ଯଥା – ଅଣ୍ଡା ପାଇଁ, ମାଂସ ପାଇଁ ଓ ସୌଖୁନ୍ ପୋଷା ପକ୍ଷୀ ହିସାବରେ ପୋଷିବା ପାଇଁ । ଏମାନେ ଖାକି କ୍ୟାମ୍ପବେଲ୍ ବତକ ପରି ବସନ୍ତି ଓ ଚାଲନ୍ତି କିନ୍ତୁ ଅଣ୍ଡା ଦେବା ସମୟରେ ଏମାନଙ୍କର ପେଟ ଅଂଶ ଭୂମିକୁ ହୁଏ । ଗଞ୍ଜାଗୁଡ଼କ ୨.୨ ରୁ ୩.୩ କ.ଗ୍ରା. ଓ ପେଣ୍ଡୀ ଗୁଡ଼କ ୨.୨ ରୁ ୩.୧ କ.ଗ୍ରା. ଓଜନ ହୋଇଥାନ୍ତି । ଏମାନେ ବାର୍ଷିକ ପ୍ରାୟ ୨୦୦ ପର୍ଯ୍ୟନ୍ତ ଅଣ୍ଡା ଦିଅନ୍ତି ।

ମାଂସ ପାଇଁ ବତକ

ମାଂସ ପ୍ରଜାତିର ବତକମାନେ ଆକାରରେ ବଡ଼ ଓ ଓଜନିଆ । ଏମାନଙ୍କ ମଧ୍ୟରୁ ଧଳା ପେକିନ୍, ମସ୍କୋଭି, ମିନିକସ୍. ଏଲିସ୍ ବରୀ, ରୋଏନ୍ ଓ ପେନିନ୍ ଆଦି ପ୍ରଧାନ ।

  • ଧଳା ପେକିନ୍–
  • ଏହି ପ୍ରଜାତିର ବତକମାନଙ୍କର ପ୍ରଥମ ବାସସ୍ଥଳୀ ଚୀନ୍ ଦେଶ । ଏମାନେ ମାଂସ ଉତ୍ପାଦନ ପାଇଁ ପୃଥ୍ବୀ ପ୍ରସିଦ୍ଧ । ଏମାନଙ୍କର ପର ଧଳା ଏବଂ ଶରୀର ଲମ୍ବା, ଓସାରିଆ, ଗଭୀର ଓ ଛାତି ଓସାରିଆ । ଏମାନଙ୍କର ଚର୍ମ ହଳଦିଆ, ପାଦ ଆଙ୍ଗୁଠି ଲାଲ୍, କମଳା ରଙ୍ଗର, ଚଞ୍ଚୁ ହଳଦିଆ କମଳା ରଙ୍ଗର । ଏମାନେ ଖୁବ୍ ଶୀଘ୍ର ବଢ଼ନ୍ତି । ବାର୍ଷିକ ପ୍ରାୟ ୧୫୦ ଟି ଅଣ୍ଡା ଦିଅନ୍ତି । ଗଞ୍ଜାମାନଙ୍କର ଓଜନ ୪ କି.ଗ୍ରା. ଓ ପେଣ୍ଠିମାନଙ୍କର ଓଜନ ପ୍ରାୟ ୩ କି.ଗ୍ରା. ।

  • ମସ୍କୋଭି -
  • ଏହି ପ୍ରଜାତିର ବତକମାନଙ୍କର ପ୍ରଥମ ବାସସ୍ଥଳୀ ଦକ୍ଷିଣ ଆଫ୍ରିକାର ମସ୍କୋଭି ଅଞ୍ଚଳ । ଏହା ଏକ ସ୍ଵତନ୍ତ୍ର ପ୍ରଜାତି ବା ଉପଜାତିର ବତକ । ଏମାନଙ୍କ ସହ ଅନ୍ୟ ବତକମାନଙ୍କର ସଙ୍ଗମ ଫଳରେ ଯେଉଁ ଛୁଆ ଉତ୍ପନ୍ନ ହୁଅନ୍ତି, ସେମାନେ ସମସ୍ତେ ବାଞ୍ଚ ହୁଅନ୍ତି । ତେଣୁ ସେମାନଙ୍କୁ ଖଚର ବତକ କୁହାଯାଏ । ମୁହଁ ପରହୀନ, ଗଞ୍ଜାଙ୍କର ମୁଣ୍ଡରେ ଗୋଟିଏ ଖୁଣ୍ଟା ଥାଏ । ଲିଙ୍ଗ ଅନୁସାରେ କୌଣସି ନିର୍ଦ୍ଦିଷ୍ଟ ସ୍ଵର ନଥାଏ । ଗଞ୍ଜାମାନଙ୍କର ଓଜନ ୫.୫ କିଲୋ ଓ ପେଣ୍ଠୀ ମାନଙ୍କର ଓଜନ ୩ କିଲୋ ଅଟେ । ଗଞ୍ଜାମାନେ ୧୬ ସପ୍ତାହ ବୟସ ମଧ୍ୟରେ ୪ କିଲୋଗ୍ରାମ ଓଜନ ହୁଅନ୍ତି । ଏମାନେ ସାଧାରଣ ବାଡ଼ ମଧ୍ୟ ଉଡ଼ିପାରନ୍ତି । ଏହି ପ୍ରଜାତିର ବତକମାନଙ୍କର ଅଣ୍ଡା ଉଷୁମେଇ ଛୁଆ ଫୁଟିବାକୁ ସାଧାରଣ ବତକଠାରୁ ଅଧିକ ସମୟ ଲାଗେ, ଅର୍ଥାତ୍ ୩୫ ଦିନ ସମୟ ଲାଗେ । ତିନି ପ୍ରକାର ମୟୋଭି ବତକ ଦେଖାଯାଆନ୍ତି, ଯଥା - ଧଳା, କଳା ଓ ନୀଳ ।

  • ମନିକସ –
  • ଏହାର ରଙ୍ଗ ଧଳା, ଆକାରରେ ଛୋଟ, ଦେଢ଼ ମାସରେ ପ୍ରାୟ ଦେଢ଼ କିଲୋ ଓଜନ ହୁଅନ୍ତି । ଏହାକୁ ମାଂସ ପାଇଁ ପାଳନ କରାଯାଏ । ମାଂସ ଏହାର ସୁସ୍ଵାଦୁ । ଆମ ଦେଶରେ ଏହି ପ୍ରକାରର ବତକମାନଙ୍କର ଚାହିଦା ଅଛି ।

  • ଏଲିସ୍ଵରୀ –
  • ଏହି ପ୍ରଜାତିର ବତକମାନଙ୍କର ବାସସ୍ଥଳୀ ଇଂଲଣ୍ଡ । ଏମାନେ ଦେଖିବାକୁ ଧଳା ଓ ଆକାରରେ ବଡ଼ । ଏମାନଙ୍କର ହାଡ଼ଗୁଡ଼ିକ ହାଲୁକା, ଏମାନେ କମ୍ ରୋଗ ସହିପାରନ୍ତି, କାରଣ ଏମାନେ ଟିକେ ଅଧିକ ସୁକୁମାରିଆ । ବତକ, ଗଞ୍ଜାମାନଙ୍କର ଓଜନ ୪.୫ କିଲୋ ଓ ପେଣ୍ଠୀମାନଙ୍କର ଓଜନ ୪ କିଲୋଗ୍ରାମ୍ ।

  • ରୋଏନ —
  • ଏହି ପ୍ରଜାତି ବତକମାନଙ୍କର ବାସସ୍ଥଳୀ ଫ୍ରାନ୍ସ । ଏମାନେ ଇଂଲଣ୍ଡ ଓ ଫ୍ରାନ୍ସରେ ଭାରି ଲୋକପ୍ରିୟ ଓ ଦେଖିବାକୁ ଭାରି ସୁନ୍ଦର । ଏମାନେ ଖୁବ୍ ଡେରିରେ ପ୍ରାପ୍ତ ବୟସ୍କ ହୁଅନ୍ତି, କିନ୍ତୁ ଅଣ୍ଡା କମ୍ ଦିଅନ୍ତି । ଅଣ୍ଡା ଦେଖିବାକୁ ସବୁଜ ରଙ୍ଗର । ଅଣ୍ଡାରେ ନିଷେଚନ ହାର କମ୍ । ଏମାନଙ୍କର ନଳୀ ଗୋତ୍ର ଓ ପାଦ କମଳା ରଙ୍ଗର । ଏମାନଙ୍କର ରଙ୍ଗ ଶାଗୁଆ ।

ବତକମାନଙ୍କର ଗଞ୍ଜା ଓ ପେଣ୍ଠୀକୁ କିପରି ଚିହ୍ନିବେ

  1. ସ୍ଵର - ବତକ ପେଣ୍ଠାମାନେ ସର୍ବଦା କ୍ଵା, କ୍ଵା ଶବ୍ଦ କରନ୍ତି । କିନ୍ତୁ ଗଞ୍ଜାମାନେ ସେମିତି ଶବ୍ଦ କରନ୍ତି ନାହିଁ ।
  2. ଲାଞ୍ଜପର - ବତକ, ଗଞ୍ଜାମାନଙ୍କର କେତେକ ଲାଞ୍ଜପର ଅଗ୍ର ଆଡ଼କୁ ମୋଡ଼ି ହୋଇଥାଏ । କିନ୍ତୁ ପେଣ୍ଠାମାନଙ୍କର ସେମିତି ନଥାଏ  ବରଂ ସିଧା ଥାଏ (ମେକ୍ସୋଭି ଗଞ୍ଜା ଓ ପେଣ୍ଠୀ ଉଭୟଙ୍ଗର ସିଧା ଥାଏ) ।
  3. ପରର ରଙ୍ଗ – ରଙ୍ଗୀନ୍ ପ୍ରଜାତିର ବତକମାନଙ୍କର ଗଞ୍ଜାଗୁଡ଼ିକ ପେଣ୍ଠୀମାନଙ୍କ ଅପେକ୍ଷା ଗାଢ଼ ରଙ୍ଗର, କିନ୍ତୁ ପ୍ରଜନନ ବେଳେ ଗଞ୍ଜାମାନଙ୍କର ରଙ୍ଗ ମଧ୍ୟ ମଳିନ ପଡ଼ିଆ ସେ । ଖାକି କ୍ୟାମ୍ପବେଲ୍ ଗଞ୍ଜାମାନଙ୍କ ବେକରେ ସ୍ଵତନ୍ତ୍ର ଧରଣର ନୀଳ ଅଂଶିକ ଗାର ଥାଏ । କିନ୍ତୁ ପେଣ୍ଠୀମାନଙ୍କ ବେକରେ ଚକୋଲେଟ୍ କିମ୍ବା ବାଦାମୀ ରଙ୍ଗର ପର ଥାଏ ।
  4. ଗୁନ୍ଦ ପରୀକ୍ଷା– ଦିନିକିଆ ବତକ ଛୁଆମାନଙ୍କର ଗୁନ୍ଦ ପରୀକ୍ଷା କରି ସେମାନଙ୍କର ଜନନେନ୍ଦ୍ରିୟ ଦେଖି ମାଈ ଓ ଅଣ୍ଡିରା ଚିହ୍ନଟ କରାଯାଏ । ଏଥିପାଇଁ ସ୍ଵତନ୍ତ୍ର ଧରଣର ପ୍ରଶିକ୍ଷଣ ଆବଶ୍ୟକ ।

ବତକ ଘର

ବତକ ଘର ଯେତେ ଅଳ୍ପ ଖର୍ଚ୍ଚରେ ହୋଇପାରିବ ସେତେ ଭଲ । କାଠ, ବାଉଁଶ, ତାରକାଲି ଇତ୍ୟାଦିରେ କାନ୍ଥ ତିଆରି ହୋଇପାରିବ । ଘରର ଛପର ନଡ଼ା, ଟାଇଲ୍ କିମ୍ବା ଆଜବେଷ୍ଟସ୍ ଦ୍ଵାରା କରାଯାଇପାରିବ । କିନ୍ତୁ ଦେଖି କଥା ଯେ, ଘର ଭିତରେ ଯେମିତି ପବନ ଭଲ ଭାବରେ ଚଳପ୍ରଚଳ ହୋଇପାରୁଥିବ । ଏହା ସହିତ ଘର ଶୁଖିଲା ରହୁଥିବ । ମୂଷା ଆସିପାରୁ ନଥିବେ ଏବଂ ଛାତରୁ ପାଣି ଚଳୁନଥିବ ।

ଅଧା ଖୋଲା ଓ ଅଧା ଆବଦ୍ଧ ପ୍ରଣାଳରେ ବତକ ପାଳନ କଲେ ଘରଟି ଉଚ୍ଚା ଜାଗାରେ ଓ ଖୋଲା ଆବଦ୍ଧ ଜାଗାଟି ଘରଠାରୁ ଆସ୍ତେ ଆସ୍ତେ ଗଡ଼ାଣିଆ ହେବା ଦରକାର । ଏହାଦ୍ଵାରା ଘରଟି ଶୁଖିଲା ରହିବ । ଖୋଲାଥିବା ଜାଗାରେ ଯଦି କିଛି ପୋଖରୀ କିମ୍ବା ଗଡ଼ିଆ ନଥାଏ, ତା ହେଲେ ବତକ ଘରକୁ ସମାନ୍ତରଳ କରି ବତକ ଘରର ଉଭୟ ପାର୍ଶ୍ଵରେ ଦୁଇଟି ପାଣିକୁଣ୍ଡ (୨୦ ଇଞ୍ଚ ଚଉଡ଼ା ଓ ୬-୮ ଇଞ୍ଚ ଗଭୀରତା) ରହିବା ଦରକାର । ଯଦିଓ ବତକ ପହଁରିବା ଜରୁରୀ ନୁହେଁ, ତେବେ ପାଣି ଭିତରେ ତାଙ୍କର ମୁଣ୍ଡ ବୁଡ଼ାଇବା ଦରକାର । ନଚେତ୍ ଆଖିରେ ଏକ ପ୍ରକାର ଅଠାଳିଆ ମଳି ବସି ଅନ୍ଧ ହୋଇଯିବାର ସମ୍ଭାବନା ଥାଏ । ଆହୁରି ମଧ୍ୟ ବତକ ତାର ଅଣ୍ଟକୁ ମଝିରେ ମଝିରେ ସଫା କରିବାକୁ ଚାହେଁ ଏବଂ ଦାନା ଲାଗିଥିଲେ ତାକୁ ମଧ୍ୟ ସଫା କରେ ।

ବତକ ଖାଦ୍ୟ

ବତକ ପାଳନରେ ଯେତିକି ଖର୍ଚ୍ଚ ହୋଇଥାଏ, ତାର ୭୦-୭୫% ଖର୍ଚ୍ଚ ସେମାନଙ୍କର ଖାଦ୍ୟ ଭାବରେ ହିଁ ହୋଇଥାଏ । ତେଣୁ ଖାଦ୍ୟ ଯେପରି ସୁଷମ ଓ ଶସ୍ତା ହୁଏ, ଆମକୁ ତାହା ଚେଷ୍ଟା କରିବାକୁ ହେବ । କୁକୁଡ଼ା ଦାନାପରି ବତକ ଦାନାରେ ମଧ୍ୟ ସାଧାରଣତଃ ମକା, ଜୁଆର, ବାଜରା, ମାଣ୍ଡିଆ, ବାଦାମ ପିଡ଼ିଆ, ସୋୟାବିନ୍ ପିଡ଼ିଆ, ଗହମ ଚୋକଡ଼, କାଣ୍ଡିଆ ଚାଉଳ କୁଣ୍ଡା, ଶୁଖିଆ ଗୁଣ୍ଡ, ଲୁଣ, ଖଣିଜ ଲବଣ ଓ ଭିଟାମିନ୍ ଆଦି ମିଶିଥାଏ । ଅଣ୍ଡା ପାଇଁ ବତକ ଦାନା ଓ ମାଂସ ପାଇଁ ବତକ ଦାନାରେ ବିଭିନ୍ନ ଖାଦ୍ୟସାରର ପରିମାଣ ଭିନ୍ନ ଅଟେ । ବତକମାନଙ୍କର ମଧ୍ୟ ବୟସକୁ ନେଇ ଖାଦ୍ୟସାରର ପରିମାଣ ଭିନ୍ନ ହୋଇଥାଏ । ସାଧାରଣତଃ ଆମେ ଖାଦ୍ୟରେ ପ୍ରୋଟିନ୍ ଏବଂ କ୍ୟାଲୋରୀ ପରିମାଣକୁ ଆଖି ଆଗରେ ରଖା ଦାନା ତିଆରି କରିଥାଉ । ବିଭିନ୍ନ ବୟସର ବତକମାନଙ୍କ ପାଇଁ ଦାନାରେ ଦରକାର ହେଉଥିବା ପ୍ରୋଟିନ୍ ଓ ଶକ୍ତିର ପରିମାଣ ଏବଂ ପ୍ରତ୍ୟେକ କିସମର ଦାନାର ନମୂନା ଦିଆଯାଇଅଛି ।

ଦାନାରେ ରହୁଥିବା ଖାଦ୍ୟସାର

ମାଂସ ପାଇଁ

ଅଣ୍ଡା  ପାଇଁ

୦ – ୨ ସପ୍ତାହ

୩-୮ ସପ୍ତାହ

୦ – ୮ ସପ୍ତାହ

୮ – ୨୦ ସପ୍ତାହ

୨୦ ସପ୍ତାହ

ପ୍ରୋଟିନ ( %)

୨୦

୨୦

୨୦

୧୬

୧୮

ଉର୍ଜ୍ଜା ( ଶକ୍ତି) ( କିଲୋ କ୍ୟାଲୋରୀ / କେ.ଜି )

୨୭୦୦ – ୩୦୦୦

୨୭୦୦ – ୩୦୦୦

୨୭୦୦ – ୩୦୦୦

୨୫୦୦ – ୨୮୦୦

୨୬୦୦ – ୨୯୦୦

ବତକମାନେ ସାଧାରଣତଃ ବହୁତ ଖାଦ୍ୟ ଖାଇଖାଆନ୍ତି । ସେମାନେ ମିଶ୍ରିତ ଦାନା ଖାଇବା ସଙ୍ଗେ ସଙ୍ଗେ ଯଦି ସେମାନଙ୍କୁ ପୋଖରୀକୁ ଛଡ଼ାଯାଏ, ତା ହେଲେ ଗେଣ୍ଡା, ଛୋଟ ମାଛ, କିଆ ଓ ଅନ୍ୟାନ୍ୟ ପୋକ ଏବଂ ସବୁଜ ପତ୍ର ଖାଇଥାଆନ୍ତି । ଦିନବେଳା ବାହାରକୁ ଛାଡ଼ି ଓ ରାତିରେ ଘର ଭିତରେ ରଖି ବତକ ପାଳନ କରିବା ପ୍ରଣାଳୀରେ ପ୍ରଥମେ ବତକ ଛୁଆମାନଙ୍କୁ ୬-୮ ସପ୍ତାହ ପର୍ଯ୍ୟନ୍ତ ଘରେ ରଖିବାକୁ ହୋଇଥାଏ । ସେହି ସମୟରେ ସେମାନଙ୍କୁ ଖୁଦ ଚାଉଳ, ପାଲିସ୍ କୁଣ୍ଡା, ଗହମ, ଚୋକଡ଼ ଏବଂ ରାଶି ପିଡ଼ିଆ ଇତ୍ୟାଦି ଖାଇବାକୁ ଦିଆଯାଏ । ୬-୮ ସପ୍ତାହ ପରେ ସେମାନଙ୍କୁ ଧାନ ବିଲରେ, ପଡ଼ିଆରେ ଓ ପୋଖରୀରେ ବୁଲି ଖାଦ୍ୟ ଖୋଜିବା ପାଇଁ ଛାଡ଼ି ଦିଆଯାଏ । ସନ୍ଧ୍ୟାରେ ସେମାନେ ଘରକୁ ଫେରନ୍ତି । ବତକ ଅଣ୍ଡା ଦେବା ଆରମ୍ଭ କଲେ, ସକାକୁ ଅଣ୍ଡା ସଂଗ୍ରହ କରିସାରି ତାକୁ ବାହାରକୁ ଛାଡ଼ି ଦିଆଯାଏ । ଏବଂ ସନ୍ଧ୍ୟାରେ ପୁଣି ଘରକୁ ଫେରନ୍ତି । ଏହି ପ୍ରଣାଳୀରେ ବତକମାନଙ୍କୁ ଭିନ୍ନ ଭିନ୍ନ ଦିନ ନୂଆ ନୂଆ ସ୍ଥାନକୁ ନେବାର ଆବଶ୍ୟକତା ପଡ଼େ । ବାହାରେ ବୁଲି ସେମାନେ ଧାନ ବିଲରୁ ଧାନ ଅମଳ ସମୟରେ ପଡ଼ିଥିବା ଧାନ, ଗେଣ୍ଡା, ଜିଆ ଓ ଅନ୍ୟାନ୍ୟ ପୋକଜୋକ ଏବଂ ସବୁଜ ପତ୍ର ଆଦି ଖାଇଥାଆନ୍ତି । ଏହି ପ୍ରଣାଳୀରେ ବତକର ଆବଶ୍ୟକତା ଅନୁସାରେ ସମସ୍ତ ଖାଦ୍ୟସାର ପାଉଛି ନା ନାହିଁ ଜାଣିବା କଷ୍ଟକର ।

ଘର ଭିତରେ ଆବଦ୍ଧ କରି ରଖିବା ପ୍ରଣାଳୀରେ ସେମାନଙ୍କୁ ୩ ପ୍ରକାର ଖାଦ୍ୟ ଦିଆଯାଇପାରିବ ।

  • ମିଶ୍ରିତ ଶୁଷ ଗୁଣ୍ଡଦାନା,
  • ମିଶ୍ରିତ ଓଦା ଗୁଣ୍ଡଦାନା,
  • ମିଶ୍ରିତ ଗୋଲ ଆକାରରେ ଦାନା ।

ମିଶ୍ରିତ ଶୁଷ ଗୁଣ୍ଡଦାନା ଦେବା ଉଚିତ୍ ନୁହେଁ, କାରଣ ଶୁଷ ଦାନା ଗିଳିବାରେ ବତକମାନେ ଅସୁବିଧା ଅନୁଭବ କରିଥାଆନ୍ତି । କିନ୍ତୁ ଯେତେବେଳେ ଶୁଖି ଦାନା ଖାଇବାକୁ ଦିଆଯାଏ, ସେମାନେ ତରତରରେ ପାଟିପୁରା ଦାନା ନିଅନ୍ତି । କିନ୍ତୁ ସବୁଗୁଡ଼ିକ ଗିଳି ନପାରି ଅଧିକାଂଶ ନିକଟସ୍ଥ ପାଣିକୁଣ୍ଡରେ ବାହାର କରି ଦିଅନ୍ତି । ଫଳରେ ବହୁତ ଦାନା ନଷ୍ଟ ହୋଇଥାଏ । ଶୁଖିଲା ଦାନାରେ ଅଳ୍ପ ପାଣି ମିଶାଇ ଖାଇବାକୁ ଦେଲେ ଖାଦ୍ୟ ନଷ୍ଟକୁ ଏଡ଼ାଇ ଦିଆଯାଇପାରେ । ଖାଦ୍ୟକୁ ଓଦା କରିଦେଲେ ପ୍ରଥମ ୨ ସପ୍ତାହ ପର୍ଯ୍ୟନ୍ତ ଦିନକୁ ୪-୫ ଥର ଦାନା ଦେବାକୁ ହୋଇଥାଏ । ତୃତୀୟ ସପ୍ତାହ ଠାରୁ ଦିନକୁ ୩-୪ ଥର ଦାନା ଦିଆଯାଏ । ଫଳରେ ଦାନା ପାତ୍ରରେ ଦାନା ବଳେ ନାହିଁ ଏବଂ ଦାନା ନଷ୍ଟ ହେବାର ଆଶଙ୍କା ନଥାଏ । ଏହି ପ୍ରଣାଳିରେ ଦାନା ଦେଲେ ପ୍ରତ୍ୟେକ ଥର ୧୦-୨୦ ମିନଟ୍ ଖାଇବା ସମୟ ଦିଆଯାଏ । ଦିନର ଶେଷ ଖାଦ୍ୟ ଦେଲାବେଳେ ଏଇ ସମୟକୁ ବଢ଼ାଇ ଦେବା ଦରକାର । ଏହି ପ୍ରଣାଳୀରେ ଦାନା ଦେଲେ ବତକମାନଙ୍କର ଦାନା ଖାଇବା ମଧ୍ୟ ବଢ଼ିଯାଇଥାଏ । କିନ୍ତୁ ଏହି ପ୍ରଣାଳୀରେ ବଡ଼ ଫାର୍ମଗୁଡ଼ିକରେ ଦାନା ଦେବା ସମ୍ଭବ ହୋଇନଥାଏ । ଓଦା ଦାନାପାତ୍ରରେ ବଳିପଡ଼ିଲେ ସେଥିରେ ଛତୁ ଫୁଟି ଆଫ୍ଲାଟସିନ୍ ନାମକ ଏକ ବିଷାକ୍ତ ପଦାର୍ଥ ତିଆରି ହେବାର ସମ୍ଭାବନା ଥାଏ, ଯାହାକି ଅତ୍ୟନ୍ତ ବିଷାକ୍ତ ଅଟେ । ତେଣୁ ଦାନାପାତ୍ର ଭଲ ଭାବରେ ସଫା କରିବା ଦରକାର । ଗୋଲି ଆକାରର ଦାନା ଏବେ ଆମ ଦେଶର ଅଧିକାଂଶ ପ୍ରଦେଶରେ ତିଆରି ହେଉଛି । ତେଣୁ ଏହି ଦାନା ଦେବା ବିଧେୟ । ଗୋଲିର ବ୍ୟାସ ୩-୫ ମି.ମି. ମଧ୍ୟରେ ରହିବା ଆବଶ୍ୟକ । ପ୍ରଥମ ୨ ସପ୍ତାହ ପର୍ଯ୍ୟନ୍ତ ୩ ମି.ମି. ବ୍ୟାସ ବିଶିଷ୍ଟ ଖାଦ୍ୟ ଗୋଲି ଦେବା ଆବଶ୍ୟକ । ଗୋଲି ଆକାରର ଖାଦ୍ୟ ଦେଲେ ଖାଦ୍ୟ ନଷ୍ଟ ହେବାର ସମ୍ଭାବନା ନଥାଏ ଏବଂ ଖାଦ୍ୟ ସୁଷମ ମଧ୍ୟ ହୋଇଥାଏ । ଖାଦ୍ୟର ପୁରା ବିନିଯୋଗ ହୋଇଥାଏ । ଦାନାରେ ଆଫ୍ଲା ଟସିନ୍‌ ପ୍ରସ୍ତୁତ ହେବାର ସମ୍ଭାବନା ମଧ୍ୟ ନଥାଏ । ଗୋଲି ଆକାରର ଦାନା ଦେଲେ ଦିନକୁ ୨ ଥର ଦାନା ଦେବା ଉଚିତ୍ । ଥରକୁ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଖାଇବାକୁ ହେବ । ବତକମାନଙ୍କ ଖାଦ୍ୟର ପରିମାଣ ତାଙ୍କର ପ୍ରଜାତି, ଓଜନ ଓ ଅଣ୍ଡା ଦେବା କ୍ଷମତା ଏବଂ ସବୁଜ ପତ୍ର ଓ ବାହାରୁ ମିଳୁଥିବା ଖାଦ୍ୟ କେତେ ପରିମାଣରେ ମିଳୁଛି, ସେ ସବୁ ଉପରେ ନିର୍ଭର କରେ । ବର୍ଷକୁ ଗୋଟିଏ ଅଣ୍ଡା ଦେଉଥିବା ବତକ ୫୦-୬୦ କେ.ଜି. ପର୍ଯ୍ୟନ୍ତ ଦାନା ଖାଇଥାଏ ଏବଂ ଦିନକୁ ୧୨୦-୧୭୦ ଗ୍ରାମ ପର୍ଯ୍ୟନ୍ତ ଦାନା ଖାଇଥାଏ । ମାଂସ ପାଇଁ ପାଳନ କରାଯାଉଥିବା ବତକ ୧ କିଲୋଗ୍ରାମ୍ ଓଜନ ହେବା ପାଇଁ ୩.୨୨ କିଲୋଗ୍ରାମ୍ ଦାନା ଖାଇଥାଏ ।

ଅଣ୍ଡାଦିଆ ବତକ ପାଇଁ ଖାଦ୍ୟ ଦେବା ପ୍ରଣାଳୀ

ସାତ ସପ୍ତାହ ପରେ ଅଣ୍ଡା ଦିଆ ବତକ ମାନଙ୍କୁ ସୀମିତ ପରିମାଣର ଦାନା ଦେବା ଦରକାର । ସୀମିତ ପରିମାଣର ଦାନ ଶରୀରକୁ ଆଖି ଆଗରେ ରଖି ଦିଆଯାଏ । ଅଣ୍ଡା ଦେବା ବେଳକୁ ଗୋଟିଏ ବତକ ଓଜନ ହାରାହାରି ୧.୪ ରୁ ୧.୮ କିଲୋଗ୍ରାମ୍ ହେବା ଦରକାର ।

ଦାନାର ପରିମାଣ ଏକ ଅଣ୍ଡାଦିଆ ଖାକି କ୍ୟାମ୍ପବେଲ ବତକ ପାଇଁ

ବୟସ (ସପ୍ତାହ)

ପ୍ରତି ବତକ ପାଇଁ ଦିନକୁ ଦାନା (ଗ୍ରାମ୍)

ସମୁଦାୟ ଦାନା (କି.ଗ୍ରା.)

ପ୍ରଥମ

୨୫ - ୨୮

୦.୧୭୫ - ୦.୧୯୬

ଦ୍ଵିତୀୟ

୪୦ -୪୨

୦, ୨୮୦ - ୦.୨୯୪

ତୃତୀୟ

୬୫ - ୬୮

୦.୪୫୫ - ୦.୪୭୬

ଚତୁର୍ଥ

୮୦ - ୮୫

୦.୫୬୦ - ୦.୫୯୫

ପଞ୍ଚମ – ଅଷ୍ଟମ

୧୦୦ – ୧୦୫

୨.୮ – ୨.୯୪

ନବମ – ଦ୍ଵାଦଶ

୧୨୦ – ୧୨୫

୩.୩୬ – ୩.୫

ତ୍ରୟୋଦଶ – ଷୋଡଶ

୧୩୫ – ୧୪୦

୩.୭୮ – ୩ .୯୨

ଅଷ୍ଟାଦଶ  - ବିଂଶ

୧୪୫ – ୧୫୦

୪.୦୬ – ୪.୨୦

ବିଂଶରୁ ଊର୍ଦ୍ଧ୍ଵ

୧୫୦ – ୧୬୦

 

ଅଣ୍ଡାଦିଆ ବତକମାନଙ୍କର ଖାଦ୍ୟର ପରିମାଣ

ବିବରଣୀ

ଦାନା ( କେ.ଜି. )

ପୁଷ୍ଟିସାର ପରିମାଣ

ଊର୍ଜା ( ଶକ୍ତି ) କି. କ୍ୟାଲୋରୀ / କେ.ଜି.

ଷ୍ଟାଟର ଦାନା (ପ୍ରାରମ୍ଭିକ ଦାନା)

୦ - ୪ ସପ୍ତାହ

୧.୩୭ – ୧.୫୬

୨୦%

୨୭୫୦

୫ - ୮ ସପ୍ତାହ

୨.୮-୨.୯୪

୨୦%

୨୭୫୦

ପ୍ରବର୍ଦ୍ଧକ  ଦାନା (ଗ୍ରୋୟର ଦାନା)

୯-୨୦ ସପ୍ତାହ

୧୪.୦୦-୧୪.୫୬

୧୬%

୨୫୦୦

ଅଣ୍ଡାଦିଆ ବାବା (ଲେୟାର ଦାନା)

୨୦ - ୭୨ ସପ୍ତାହ

୫୪.୬୦ - ୫୮.୨୪

୧୮%

୨୬୫୦

ସମୁଦାୟ = ୬୯.୯୭ - ୭୪.o୬  ବା ୭୦-୭୫ କେ.ଜି. / ବତକ

ବୟସ ( ସପ୍ତାହ )

ଓଜନ ( ଗ୍ରାମ୍ )

ସାପ୍ତାହିକ ଦାନା  ଖର୍ଚ୍ଚ  ( କେ.ଜି.)

ଅଣ୍ଡିରା

ମାଇ

ଅଣ୍ଡିରା

ମାଇ

୬୦

୬୦

୦.୦୦

୦.୦୦

୨୭୦

୨୭୦

୦.୨୨

୦.୨୨

୭୮୦

୭୪୦

୦.୭୭

୦.୭୩

୧୩୮୦

୧୨୮୦

୧.୧୨

୧.୧୧

୧୯୬୦

୧୮୨୦

୧.୨୮

୧.୨୮

୨୪୯୦

୨୩୨୦

୧.୪୮

୧.୪୩

୨୯୬୦

୨୭୩୦

୧.୬୩

୧.୫୯

୩୩୪୦

୩୦୬୦

୧.୬୮

୧.୬୩

୩୬୧୦

୩୨୯୦

୧.୬୮

୧.୬୩

ବିଭିନ୍ନ ବୟସର ବତକ ପାଇଁ ଖାଦ୍ୟ ପରିମାଣ ( ଶତକଡା ହିସାବରେ )

ଉପାଦାନ

ମାଂସ ପାଇଁ ଦାନା

ଅଣ୍ଡା ପାଇଁ ଦାନା

ପ୍ରାରମ୍ଭିକ ୦ – ୨ ସପ୍ତାହ

ପ୍ରବର୍ଦ୍ଧକ ୩ ସପ୍ତାହ

ପ୍ରବର୍ଦ୍ଧକ ୯ – ୧୮ ସପ୍ତାହ

ଅଣ୍ଡଦିଆ ୧୮ ସପ୍ତାହ ଠାରୁ

ଚୁରା ମକା

୩୨

୩୧

୨୦

୨୫

ଜୁଆର

୧୧

୧୬

୩୦

୧୭

ଚୁରା ମାଣ୍ଡିଆ

୧୦

ସୋୟାବିନ୍ ପିଡିଆ ଗୁଣ୍ଡ

୧୨

୧୦

୧୦

ରାଶି ପିଡିଆ ଗୁଣ୍ଡ

୧୨

୧୦

୧୦

ଶୁଖୁଆ ଗୁଣ୍ଡ

୧୦

କାଣ୍ଡିଆ ଚାଉଳ କୁଣ୍ଡା

୧୪

୧୫

୧୭

୧୬.୫

ଶାମୁକା ଖୋଳ ଗୁଣ୍ଡ

୧.୫

୧.୫

୧.୫

ବିଶୋଧିତ ହାଡ ଗୁଣ୍ଡ

୧.୫

୧.୫

୧.୫

୧.୫

ଲୁଣ

୦.୫

୦.୫

୦.୫

୦.୫

ଲେଶ ଖଣିଜ ମିଶ୍ରଣ

୦.୨୫

୦.୨୫

୦.୨୫

୦.୨୫

ଭିଟାମିନ୍ କ, ଖ – ୨, ଘ – ୩ ମିଶ୍ରଣ

୦.୨୫

୦.୨୫

୦.୨୫

୦.୨୫

ପ୍ରାକୃତିକ ଉପାୟରେ ବତକ କିମ୍ବା କୁଡୁକି କୁକୁଡ଼ା ତାର ପେଟ ଓ ଡେଣା ତଳେ ୧୦-୧୫ ଗୋଟି ବତକ, ଅଣ୍ଡା, ୨୮ ଦିନ ପର୍ଯ୍ୟନ୍ତ ରଖିଛୁଆ ଫୁଟାଇବାର ଦାୟିତ୍ଵ ନେଇଥାଏ । କିନ୍ତୁ ମସ୍କୋଭି ବତକ, ଅଣ୍ଡା ଫୁଟିବାକୁ ୩୫ ଦିନ ସମୟ ଲାଗେ । କୁକୁଡ଼ା ଅଣ୍ଡା ତୁଳନାରେ ବତକ, ଅଣ୍ଡା ଫୁଟାଇବାକୁ ଅଧିକ ଆର୍ଦ୍ରତା ଦରକାର ହୁଏ । ବତକ, ଅଣ୍ଡା ବଡ଼ ହୋଇଥିବାରୁ ଗୋଟିଏ କୁଡୁକି କୁକୁଡ଼ା ବା ବତକ ଯେତିକି କୁକୁଡ଼ା ଅଣ୍ଡା ଉଷୁମେଇଁ ଥାଏ ତା ଠାରୁ ୨-୩ ଟି କମ୍ ବତକ, ଅଣ୍ଡା ଉଷୁମେଇ ଥାଏ । ବତକ ଛୁଆ ଅଣ୍ଡାରୁ ଫୁଟି ବାହାରି ସାରିଲା ପରେ ଉଷ୍ମତା ଆବଶ୍ୟକ କରେ । ମା ବତକ ବା ବତକ ଛୁଆ ଫୁଟାଇଥିବା କୁକୁଡ଼ାର ଡେଣା ଓ କଡ଼ ତଳେ ରହି ବତକ ଚିଆଁମାନେ ଉଷୁମ ପାଇଥାଆନ୍ତି । ବତକ, ଚିଆଁର ଆବଶ୍ୟକତାକୁ ଉପଲବ୍ଧ କରି ବୈଜ୍ଞାନିକମାନେ ବର୍ତ୍ତମାନ ହଜାର ହଜାର ସଂଖ୍ୟାର ବତକ, କୃତ୍ରିମ ଉପାୟରେ ବଢ଼ାଇ ଲାଳନ ପାଳନ କରି ପାରୁଛନ୍ତି । ଯାହା ଫଳରେ ବତକ ପାଳନ ବର୍ତ୍ତମାନ ଲାଭଜନକ ଧନ୍ଦାରେ ପରିଗଣିତ ହୋଇ ପାରିବା ସଙ୍ଗେ ସଙ୍ଗେ ମନୁଷ୍ୟକୁ ପୁଷ୍ଟିକର ଓ ସୁସ୍ଵାଦୁ ଖାଦ୍ୟ ଯୋଗାଇ ଦେବା ସମ୍ଭବ ହୋଇପାରୁଛି ।

ବତକ, ଚିଆଁ ପାଳନ ପାଇଁ ପାରିବେଶିକ ଅବସ୍ଥା

ଉତ୍ତାପ –

ବତକ ଛୁଆ ଅଣ୍ଡାରୁ ଫୁଟି ବାହାରିବା ପରେ ପ୍ରଥମ ସପ୍ତାହରେ ୯୦ ଡିଗ୍ରୀ ଫାରେନ୍ହାଇଟ୍ ଉତ୍ତାପ ଦରକାର କରେ । ତା ପରେ ପ୍ରତି ସପ୍ତାହରେ ୫ ଡିଗ୍ରୀ ଫାରେନହାଇଟ୍ କମ୍ ଉତ୍ତାପ ହାରରେ ଚତୁର୍ଥ ସପ୍ତାହ ବେଳକୁ ୭୫ ଡିଗ୍ରୀ ଫାରେନହାଇଟ୍ ଉତ୍ତାପ ଆବଶ୍ୟକ କରେ ।

ବତକ ଛୁଆକୁ କୃତ୍ରିମ ଉପାୟରେ ପାଳନ କଲେ, ଛତାକୃତି ବ୍ରୁଡର କିମ୍ବା ଇନ୍‌ଫ୍ରାରେଡ଼୍ ବଲ୍‌ବ ଦରକାର । ଯାହା ବତକ ଛୁଆକୁ ଉତ୍ତାପ ଯୋଗାଇଥାଏ । ବତକ ଛୁଆଙ୍କୁ ଭଲଭାବରେ ନିରୀକ୍ଷଣ କଲେ ସେମାନଙ୍କର ଉତ୍ତାପ ଠିକ୍ ଅଛି କି ନାହିଁ ଜଣାପଡ଼ିବ । ଯଦି ବତକ ଛୁଆମାନେ ତାପର ଭସ୍ଥ ତଳେ ରୁଣ୍ଡ ହୋଇ ଜାକି  ଜୁକି ହୋଇ ବସୁଥାନ୍ତି, ତାହେଲେ ଜାଣିବ  ବ୍ରୁଡରର ଉତ୍ତାପ କମ୍ ଅଛି ଓ ବତକ ଚିଆଁମାନେ ଅଧିକ ଉତ୍ତାପ ଦରକାର କରୁଛନ୍ତି । ଯଦି ବତକ ଛୁଆମାନେ ଉଭାପ ଉସ ତଳକୁ ଆଦୌ ଆସୁନାହାନ୍ତି ଓ ବ୍ରତର ବାହାରେ ରହୁଛନ୍ତି, ତେବେ ଜଣାଯାଏ ଯେ, ଉତ୍ତାପ ଅଧ୍ୟକ ହୋଇଯାଇଛି । ତେଣୁ ଉତ୍ତାପ କମାଇବାକୁ ପଡ଼ିଥାଏ । ଯଦି ବତକ ଛୁଆମାନେ ବ୍ରୁଡରର ଉତ୍ପତଳେ ସବୁଆଡ଼େ ଖେଳାଇ ହୋଇ ବୁଲୁଥାନ୍ତି ତା ହେଲେ ଉତ୍ତାପ ଠିକ୍ ଅଛି ବୋଲି ଜଣାଯାଏ । ଅଧିକ ଉତ୍ତାପ କିମ୍ବା କମ୍ ଉତ୍ତାପ ହେଲେ, ବତକ ଛୁଆମାନଙ୍କର ଶାରୀରିକ ବୁଦ୍ଧି ବାଧାପ୍ରାପ୍ତ ହୁଏ । କମ୍ ଉତ୍ତାପରେ ବତକ, ଚିଆଁମାନେ ବ୍ରୁଡରର ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ବହୁ ସଂଖ୍ୟାରେ ମରିଯାଆନ୍ତି । ରୁଣ୍ଡ ହୋଇ ଜାକିଜୁକି ହେବା ଫଳରେ ଦଳାଚକଟାରେ ବହୁତ ବତକ ଚିଆଁ ଶ୍ଵାସରୁଦ୍ଧ ହୋଇ ମଧ୍ୟ ମରିଯାଆନ୍ତି ।

ବାୟୁ ସଞ୍ଚାଳନ –

ବତକ, ଚିଆଁମାନଙ୍କ ପାଇଁ ବିଶୁଦ୍ଧ ବାୟୁ ନିତାନ୍ତ ଦରକାର, ଯାହା ବତକ ଚିଆଁମାନଙ୍କୁ ଅମ୍ଳଜାନ ଯୋଗାଏ ଓ ଘରକୁ ଶୁଖିଲା ରଖିବାରେ ସାହାଯ୍ୟ କରେ । ନଚେତ୍ ଘରର ଆମୋନିଆ ବାଷ୍ପର ସାନ୍ଧ୍ରତା ବଢ଼ିଯାଇ ଚିଆଁମାନଙ୍କର ପ୍ରଭୁତ କ୍ଷତି ଘଟିଥାଏ ।

ଆର୍ଦ୍ରତା –

ବତକ, ଚିଆଁ ଘରେ ୫୦ ରୁ ୬୦ ପ୍ରତିଶତ ଆର୍ଦ୍ରତା ଦରକାର । ଏହାଠାରୁ କମ୍ କିମ୍ବା ବେଶି ହେଲେ ବତକ, ଚିଆଁଙ୍କର କ୍ଷତି ଘଟାଏ । ଆର୍ଦ୍ରତା ଅଧିକ ହେଲେ ଲିଟର ଶୁଖିପାରେ ନାହିଁ । ଆର୍ଦ୍ରତା କମ୍ ହେଲେ ଲିଟର ଧୂଳିଆ ହୋଇ ବତକ, ଚିଆଁଙ୍କର ଶ୍ୱାସପ୍ରଶ୍ଵାସ ଜନିତ ରୋଗ କରାଏ । ଆର୍ଦ୍ରତା କମିଗଲେ ବତକମାନଙ୍କର ପର ଭଲ ଭାବରେ ବଢ଼େ ନାହିଁ ।

ଆଲୋକ–

ଦିନବେଳେ ଚିଆଁ ଘରକୁ ମୁକ୍ତ ଆଲୋକ ଯିବା ଦରକାର, ସିଧାସଳଖ ସୂର୍ଯ୍ୟାଲୋକ ପଡ଼ିବା ଉଚିତ୍ ନୁହେଁ । ଚିଆଁମାନଙ୍କୁ ବ୍ରୁଡିଂ ସରିବା ପର୍ଯ୍ୟନ୍ତ ଦିନକୁ ୨୩ ଘଣ୍ଟା ଆଲୋକ ଦେବାର ବ୍ୟବସ୍ଥା କରିବାକୁ ପଡ଼ିଥାଏ । ବତକ ବ୍ରୁଡିଂ ଘର ଅନ୍ଧାରୁଆ ହେଲେ ବତକ, ଚିଆଁମାନେ ଭଲ ଭାବରେ ବଢ଼ିପାରନ୍ତି ନାହିଁ, ଯଦି କୌଣସି ଇଲେକ୍‌ଟ୍ରିକ୍ ବଲ୍‌ବ ଭାଙ୍ଗିଗଲା ଅବା ପୋଡ଼ିଗଲା, ତା ହେଲେ ତୁରନ୍ତ ଗୋଟିଏ ବଲ୍ଲବ ଲଗାଇବା ଦରକାର ।

ତଳଜାଗା ବା ମେଜିଆ ଜାଗା –

ବତକ ଛୁଆମାନଙ୍କ ବୟସ ଅନୁସାରେ ଘରର ତଳଜାଗା ଦରକାର ହୁଏ । କେଉଁ ଅନୁସାରେ ବତକ ଛୁଆ ପାଳନ କରାଯାଉଛି, ବୟସ ଅନୁସାରେ ଭିନ୍ନ ଭିନ୍ନ ମେଜିଆ ଜାଗା ଦରକାର । ଆବଶ୍ୟକ ପରିମାଣ ଠାରୁ କମ୍ ତଳଜାଗା ହେଲେ, ବତକମାନେ ଭଲ ବଢ଼ିପାରନ୍ତି ନାହିଁ । ତେଣୁ ମାଂସ ଉତ୍ପାଦନ ଓ ଅଣ୍ଡା ଉତ୍ପାଦନ ବାଧାପ୍ରାପ୍ତ ହୁଏ ।

ବୟସ

ଡିପଲିଟର ତଳ  (ବତକ  ଚିଆଁ ପ୍ରତି)

ତାରଜାଲି ତଳ (ବତକ ଚିଆଁ ପ୍ରତି)

୦-୧ ସପ୍ତାହ

୬ ବର୍ଗ ଇଞ୍ଚ

୩ ବର୍ଗ ଇଞ୍ଚ

୧-୨ ସପ୍ତାହ

୯ ବର୍ଗ ଇଞ୍ଚ

୪ ବର୍ଗ ଇଞ୍ଚ

୨-୩ ସପ୍ତାହ

୧୨ ବର୍ଗ ଇଞ୍ଚ

୫ ବର୍ଗ ଇଞ୍ଚ

୩-୭ ସପ୍ତାହ

୨-୨ ୧/୨ ବର୍ଗ ଫୁଟ

୧ ୧/୨ ବର୍ଗ ଫୁଟ

ବଡ଼ ବତକ

୪-୫ ବର୍ଗ ଫୁଟ

 

ଦାନାପାତ୍ର ଓ ଜଳପାତ୍ର –

ବତକ, ଚିଆଁଙ୍କର ବୟସ ଓ ଆକାର ଅନୁସାରେ ଦାନାପାତ୍ରର ସ୍ଥାନ ଦରକାର ହୁଏ । ସେହି ଅନୁସାରେ କେଉଁ ପ୍ରକାରର କେତୋଟି ଦାନାପାତ୍ର ଦରକାର ତାହା ସ୍ଥିର କରାଯାଏ । ଆବଶ୍ୟକ ଆକାରର ଓ ଆବଶ୍ୟକ ସଂଖ୍ୟକ ଦାନପାତ୍ର ଓ ଜଳପାତ୍ର ନ ରଖିଲେ ବତକ, ଚିଆଁମାନେ ଦରକାର ଅନୁସାରେ ଖାଦ୍ୟ ଖାଇ ପାରନ୍ତି ନାହିଁ କିମ୍ବା ପାଣି ପିଇ ପାରନ୍ତି ନାହିଁ । ଫଳରେ ଶରୀର ବୁଦ୍ଧି ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ପରବର୍ତ୍ତୀ କାଳରେ ଅଣ୍ଡା ଉତ୍ପାଦନ ମଧ୍ୟ କମିଯାଏ । କେଉଁ ବୟସର ବତକମାନଙ୍କୁ କେତେ ଦାନାପାତ୍ର ସ୍ଥାନ ଦରକାର ତାହା ନିମ୍ନରେ ଦିଆଯାଇଅଛି ।

ଦାନାପାତ୍ରର ସ୍ଥାନ –

ବୟସ ସପ୍ତାହରେ

ଦାନାପାତ୍ରର ସ୍ଥାନ ବତକ ପ୍ରତି

୦ – ୨

୧ ୧/୨ ଇଞ୍ଚ

୨ – ୪

୩ – ୪ ଇଞ୍ଚ

୪ – ୭

୬ – ୮ ଇଞ୍ଚ

ଜଳପାତ୍ରର ସ୍ଥାନ  -

୦ – ୨

୧/୨ ଇଞ୍ଚ (ଦୁଇଟି କପ୍ ୧୦୦ ଚିଆଁ ପ୍ରତି)

୨ – ୪

୧ ଇଞ୍ଚ (ଚାରି କପ୍ ୧୦୦ ଚିଆଁ ପ୍ରତି)

ବୟସ ବଢ଼ିବା ସଙ୍ଗେ ସଙ୍ଗେ ଦାନାପାତ୍ର ଓ ଜଳପାତ୍ର ବୃଦ୍ଧି କରିବା ଦରକାର । ଯଦି ବତକ, ଚିଆଁ ଡିପ୍ ଲିଟର ପଦ୍ଧତିରେ ରଖାଯାଇଥାଏ । ତା ହେଲେ ଲିଟର ଓଦା ନ ହେବା ପାଇଁ ଜଳପାତ୍ରଗୁଡ଼ିକ ଘର ଭିତରେ ପାଣି ନାଳ କରି ମୋଟା ଜାଲିର ଘୋଡଣି ଦେଇ ତା ଉପରେ ଜଳପାତ୍ର ରଖିବାକୁ ହୁଏ । ଫଳରେ ବତକମାନେ ପାଣି ପିଇଲା ବେଳେ ମୁହଁ। ଏପଟ ସେପଟ କରି ବହୁତ ପାଣି ଛଟା ଛଟି କରନ୍ତି, ତାହା ଲିଟରରେ ନ ପଡ଼ି ତାର ଜାଲି ଉପରେ ପଡ଼ି ନାଳରେ ଚାଲିଯାଏ । ସେଥିଯୋଗୁଁ ଲିଟର ଓଦା ହୁଏ ନାହିଁ ।

ବତକ, ଚିଆଁ ପାଳନ ପାଇଁ ଆବଶ୍ୟକ ଉପକରଣ

  1. ବ୍ରୁଡରର କିମ୍ବା ଇନ୍‌ଫ୍ରାରେଡ଼୍ ବଲ୍‌ବ,
  2. ଚିଆଁ ଘୋର,
  3. ଦାନାପାତ୍ର,
  4. ଜଳପାତ୍ର ଓ
  5. ଲିଟର

ବ୍ରୁଡର - ବତକ ମାନଙ୍କୁ କୃତ୍ରିମ ଉପାୟରେ ପାଳନ କଲେ ସେମାନଙ୍କୁ କୃତ୍ରିମ ପଦ୍ଧତିରେ ଉତ୍ତାପ ଯୋଗାଇ ଦିଆଯାଏ । ସେଗୁଡ଼ିକ ହେଲା –

  • ଛତାକୃତି ବ୍ରୁଡର,
  • ବ୍ୟାଟେରୀ ବ୍ରୁଡର,
  • ଇନ୍‌ଫ୍ରାରେଡ଼୍ ବ୍ରୁଡର ।

ଛତାକୃତି ବ୍ରୁଡର ଦସ୍ତା, କାଠପଟା କିମ୍ବା ବାଉଁଶ ପାତିଆରେ ତିଆରି କରାଯାଇପାରେ ।ଗବେଷଣା ଫାର୍ମ ମାନଙ୍କରେ ବ୍ୟାଟେରୀ ବ୍ରୁଡରର ବ୍ୟବହାର କରାଯାଏ । ଆଜିକାଲି ବଜାରରେ ଇନ୍‌ଫ୍ରାରେଡ଼୍ ବଲ୍‌ବ ମିଳୁଛି । ତାହା ସାହାଯ୍ୟରେ ବ୍ରୁଡିଂଙ୍ଗ୍ କରାଯାଇପାରେ ।

ବତକ ଚିଆଁ ଘର –

ବତକ ଚିଆଁ ପାଳନରେ ପ୍ରଥମ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚିଆଁମାନେ ଅଧିକ ଉତ୍ତାପ ଦରକାର କରନ୍ତି । ଉତ୍ତାପ ଉସରୁ ବତକ ଛୁଆମାନେ ବେଶୀ ଦୂରରେ ରହିଲେ ସେମାନଙ୍କୁ ଥଣ୍ଡା ହୁଏ । ତେଣୁ ପ୍ରଥମ ଦୁଇ ସପ୍ତାହ ପର୍ଯ୍ୟନ୍ତ ବ୍ରୁଡର ଠାରୁ ୨ ଫୁଟ ଛାଡ଼ି ୯ ଇଞ୍ଚରୁ ୧୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ଚିଆଁ ଘେର ଗୋଲ ଭାବରେ ରଖାଯାଏ । ପ୍ରତିଦିନ ଘରକୁ ୨ ଇଞ୍ଚ ବାହାରକୁ ଅପସାରିତ କରି ୧୦ ଦିନ ପରେ ଘେରକୁ ସମ୍ପୂର୍ଣ୍ଣ କାଢ଼ି ଦିଆଯାଏ । ଏହା ଦସ୍ତାଟିଣ, ବାଉଁଶ ପାତିଆ ତଲେଇ କିମ୍ବା କ୍ୟାନଭାସରେ ତିଆରି କରାଯାଇପାରେ ।

ଦାନାପାତ୍ର ଓ ଜଳପାତ୍ର -

ଚିଆଁଙ୍କର ବୟସ ଓ ଆକାର ଅନୁସାରେ ବିଭିନ୍ନ ପ୍ରକାରର ଦାନାପାତ୍ର ଓ ଜଳପାତ୍ର ରହିବା ଆବଶ୍ୟକ । ଦୟା ଚଦର, କାଠପଟା ଓ ମୋଟା ବାଉଁଶରେ ଦାନାପାତ୍ର ତିଆରି କରାଯାଇପାରେ । ସେହିପରି ଦସ୍ତା ଚଦର ନିର୍ମିତ ଓ ପ୍ଲାଷ୍ଟିକ୍ ଜଳପାତ୍ର ବ୍ୟବହାର କରାଯାଇପାରେ । ବତକ ଚିଆଁ ବୁଡ଼ିଙ୍କ ବେଳେ ସ୍ଵୟଂ ଚାଳିତ ଜଳପାତ୍ର ବ୍ୟବହାର କଲେ ଭଲ । ତେଣୁ ୧୦୦ ଟି ବତକ ଛୁଆ ପାଇଁ ଗୋଟିଏ ପ୍ଲାଷ୍ଟିକ୍ ଚାଳିତ ଜଳପାତ୍ର ରଖାଯାଏ । ଚିଆଁଘେର ଥିଲା ପର୍ଯ୍ୟନ୍ତ ଗୋଟିଏ ପ୍ରକାରର ଦାନାପାତ୍ର ୧୦୦ଟି ବତକ ଛୁଆ ହିସାବରେ ରଖାଯାଇଥାଏ । ଯଥେଷ୍ଟ ସଂଖ୍ୟକ ଦାନାପାତ୍ର ଓ ଜଳପାତ୍ର ବ୍ରଡ଼ରକୁ କେନ୍ଦ୍ର କରି ଚକର ଅର ପରି ସମସଜିତ ହୋଇ ରଖାଯାଏ, ଯେପରି ଚିଆଁମାନେ ଦାନା ଓ ପାଣି ପିଇବା ପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ ।

ବତକ ଛୁଆ ଆଣିବା ପୂର୍ବରୁ ବନ୍ଦୋବସ୍ତ

ବତକ ଛୁଆ ଆଣିବା ପୂର୍ବରୁ ଚିଆଁ ଘରକୁ ଓ ଚିଆଁ ଘରର ଉପକରଣ ଗୁଡ଼ିକୁ ଭଲ ଭାବରେ ସଫା କରି, ଫିନାଇଲ୍ ଆଦି ବିଶୋଧନକ ସାହାଯ୍ୟରେ ବିଶୋଧନ କରାଯାଏ । ଘରର ଚଟାଣ, କାନ୍ଥ ଖରାପ ହୋଇଲେ ମରାମତି କରି ଚୂନ ଦିଆଯାଏ । ଚିଆଁ ଆଣିବାର ୨୪ ଘଣ୍ଟା ପୂର୍ବରୁ ପରିଷ୍କାର ବ୍ଲଡ଼ରକୁ ଘରର ମଝିରେ  ରଖାଯାଏ ଓ ତାପମାନ ଠିକ୍ ଅଛି କି ନାହିଁ ପରୀକ୍ଷା କରି ଦେଖାଯାଏ । ପ୍ରଥମେ ଦେଢ଼ ଇଞ୍ଚ ବହଳର ଲିଟର ଘରର ମଝିରେ ଯେଉଁଠାରେ ବ୍ଲଡ଼ର ରହିବ ସେଠାରେ ଖୋଳାଯାଏ, ତା ପରେ ଚିଆଁଘେର ବୁଡ଼ର ଠାରୁ ୨-୩ ଫୁଟ ଛାଡ଼ି ବ୍ରୁଡର ଚାରିକଡ଼ରେ ଗୋଲାକାର ଭାବରେ ରଖାଯାଏ । ଲିଟର ଉପରେ ଖବର କାଗଜ ବିଛାଯାଏ । ଯେପରି ବତକଛୁଆ ଲିଟର ଖାଇ ନ ପାରନ୍ତି । ବତକ ଛୁଆ ଆସିବାର ୪ ଘଣ୍ଟା ପୂର୍ବରୁ ଜଳପାତ୍ରରେ ଜଳ ସହ ଆବଶ୍ୟକ ଔଷଧ ମିଶାଇ ରଖାଯାଏ ଓ ବ୍ରଡ଼ର ତଳେ ଗୁଣ୍ଡଦାନା ବିଛାଯାଏ ।

ବତକ ଛୁଆ ଆଣିବା ପରେ ଯତ୍ନ

ପ୍ରଥମ ସପ୍ତାହର କାର୍ଯ୍ୟାବଳୀ -

ପ୍ରଥମ ୪୮ ଘଣ୍ଟା ମଧ୍ୟରେ ବତକଛୁଆଙ୍କ ପାଇଁ ଖାଦ୍ୟ ଏତେ ଜରୁରୀ ନୁହେଁ । ଏହି ସମୟରେ ଚିଆଁ ପେଟ ଭିତରେ ଯୁବା କେଶର କୋଷରୁ ଖାଦ୍ୟଯାଏ । ତେଣୁ ବତକ ଚିଆଁକୁ ବ୍ରଡ଼ର ତଳେ ରଖିଲା ବେଳେ ସେମାନଙ୍କୁ ପ୍ରଥମେ ପରିଷ୍କାର ପାଣି ପିଇବାକୁ ଦେବା ଦରକାର । ଯଥେଷ୍ଟ ସଂଖ୍ୟକ ଦାନାପାତ୍ର ଓ ଜଳପାତ୍ର ବ୍ରୁଡରକୁ କେନ୍ଦ୍ର କରି ଚକର ଅର ସମ ସଜିତ ହୋଇ ରଖିବା ଉଚିତ୍ । ପ୍ରଥମ ୭ ଦିନରେ ଚିଆଁଙ୍କର ମୃତ୍ୟୁହାର ଅଧିକ ହୋଇଥିବାରୁ ସେମାନଙ୍କ ଉପରେ ତୀକ୍ଷଣ ଦୃଷ୍ଟି ଦେବା ଦରକାର । ପ୍ରଥମ ୧୦ ଦିନ ଚିଆଁଙ୍କର ପିଇବା ପାଣିରେ ଆଣ୍ଟିବାଇଓଟିକ୍ ମିଶାଇବା ଦରକାର । ପ୍ରଥମ ୫ ଦିନ ଦାନାପାତ୍ରରେ ପୂରା ଭାବରେ ଦାନା ଦେଇ ଢାଙ୍କୁଣୀ କଢ଼ାଯାଇଥାଏ । ବ୍ରୁଡର ତଳେ ଉତ୍ତାପ ୯୦° ଫାରେହାଇଟ୍ ରଖାଯାଏ । ଶୀତଦିନେ ଚିଆଁଘରର ଝରକାକୁ ଅଖାଦ୍ଵାରା ବନ୍ଦ କରି ଦିଆଯାଏ, ଯେପରି ବାୟୁ ଚାଳନାରେ ବାଧା ନ ହୁଏ । ପଞ୍ଚମ କିମ୍ବା ଷଷ୍ଠ ଦିନ ଖବର କାଗଜକୁ କାଢ଼ି ଦିଆଯାଏ । ପୂର୍ବବଣ୍ଡିତ ଅନୁସାରେ ଚିଆଁଘେର ଦୈନିକ ୨ ଇଞ୍ଚ ଲେଖାଏଁ ପ୍ରସାରିତ କରାଯାଏ । କୌଣସି ଚିଆଁ ମରିଗଲେ ତୁରନ୍ତ ସେମାନଙ୍କୁ କାଢ଼ି ପୋଷ୍ଟମଟମ୍ ସୁବିଧା ଥିଲେ କରାଯାଏ ।

ଦ୍ଵିତୀୟ ସପ୍ତାହର କାର୍ଯ୍ୟାବଳୀ -

ବ୍ରୁଡର ତଳର ୫ ଡିଗ୍ରୀ ଫାରେନହିଟ୍ କମାଯାଇଥାଏ । ଯେପରି ଉତ୍ତାପ ୮୫ ଡିଗ୍ରୀ ଫାରେହିରେ ରହେ । ଚିଆଁଗୁଡ଼ିକ ୫ ଦିନରୁ ୧୫ ଦିନ ହେବା ପର୍ଯ୍ୟନ୍ତ ଦାନାପାତ୍ରରେ ଦାନା ପୂରାଭାବରେ ଦେଇ ଢାଙ୍କୁଣୀ ଘୋଡ଼ାଯାଏ । ତା ପରେ ଦାନାପାତ୍ରରେ ୨-୩ ଭାଗ ପର୍ଯ୍ୟନ୍ତ ଦାନା ଦିଆଯାଏ । କାରଣ ଅଧିକ ଦାନା ଦେଲେ ଦାନା ନଷ୍ଟ ହୁଏ । ଦଶମ ଦିନରେ ଚିଆଁ ଘରକୁ କାଢ଼ି ଦିଆଯାଏ । ଦାନାପାତ୍ର ଓ ଜଳପାତ୍ରର ଉଚ୍ଚତା ବଢ଼ାଯାଏ । ଯେପରି ଦାନାପାତ୍ର ଓ ଜଳପାତ୍ରର ଧାର ଚିଆଁଙ୍କର ପିଠି ଉଚ୍ଚତାରେ ରହିବ । ଲିଟରକୁ ୨-୩ ଦିନ ବ୍ୟବଧାନରେ ଓଲଟ ପାଲଟ କରାଯାଏ । ଯେପରି ଲିଟର ମୁଣ୍ଡାଳିଆ ନହୁଏ । ଦୁଇ ତିନି ଦିନ ବ୍ୟବଧାନରେ ଜଳପାତ୍ର ଓ ଦାନାପାତ୍ରର ସ୍ଥାନରେ ସାମାନ୍ୟ ପରିବର୍ତ୍ତନ କରାଯାଏ । ଜଳପାତ୍ରକୁ ପ୍ରତ୍ୟେକ ଦିନ ସଫା କରି ପରିଷ୍କାର ପାଣି, ଆଣ୍ଟିବାଇଓଟିକ୍ ଓ ଭିଟାମିନ୍ ମିଶ୍ରଣ ମିଶାଇ ଦିଆଯାଏ । ଏହି ସପ୍ତାହରେ ବତକ ଛୁଆଙ୍କୁ ପ୍ରାରମ୍ଭିକ ଦାନା ଦୁଇ । କିମ୍ବା ତିନି ଥର ଦିଆଯାଏ ।

ତୃତୀୟ ସପ୍ତାହର କାର୍ଯ୍ୟାବଳୀ -

ବ୍ରୁଡର ତଳର ଉତ୍ତାପ ଆଉ ୫ ଡିଗ୍ରୀ ଫାରେନହିଟ୍ କମାଯାଏ, ଯେପରି ବ୍ରଡର ତଳର ଉତ୍ତାପ ୮୦ ଡିଗ୍ରୀ ଫାରେନହିରେ ରହିବ । ଅଧିକ ଲିଟର ପକାଯାଏ, ଯେପରି ଲିଟର ଉଚ୍ଚତା ୩ ଇଞ୍ଚ ହେବ । ଛୋଟ ଦାନା ପାତ୍ର ଓ ଜଳପାତ୍ର ବଦଳାଇ ମଧ୍ୟମ ଧରଣର ଦାନାପାତ୍ର ଓ ଜଳପାତ୍ର ବ୍ୟବହାର କରାଯାଏ । ଏହି ସମୟ ଠାରୁ ପ୍ରବର୍ଦ୍ଧକ ଦାନା ଦିଆଯାଏ । ଯଦି ଖାଦ୍ୟ ଗୋଲି ଭାବରେ ମିଳୁଥାଏ, ତା ହେଲେ ଖାଦ୍ୟ ଗୋଲି ଦେବା ଉଚିତ୍ । ଦୁଇ ତିନି ଦିନ ବ୍ୟବଧାନରେ ଲିଟର ତଳ-ଉପର କରାଯାଏ ।

ଚତୁର୍ଥ ସପ୍ତାହର କାର୍ଯ୍ୟାବଳୀ -

ବ୍ରୁଡିଂର ତଳ ଉତ୍ତାପ ଆଉ ୫ ଡିଗ୍ରୀ ଫାରେନହିଟ୍ କମାଯାଇ ୭୫ ଡିଗ୍ରୀ ଫାରେହ୍ନାଇଟକୁ ଅଣାଯାଏ । ବତକ ଚିଆଁଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନଙ୍କର ଖାଦ୍ୟ ଓ ପାନୀୟର ପରିମାଣ ବଢ଼େ । ତେଣୁ ଅଧିକ ସଂଖ୍ୟାକ ଦାନାପାତ୍ର ଓ ଜଳପାତ୍ର ରଖାଯାଏ, ଯେପରି ବତକମାନେ ଆରାମରେ ଦାନା। ଖାଇପାରିବେ ଓ ପାଣି ପିଇପାରିବେ । ବାହାରେ ଅତି ବେଶୀ ଥଣ୍ଡା ପଡୁନଥିଲେ ୪ ସପ୍ତାହର ବ୍ରୁଡିଂ ବତକ ଚିଆଁଙ୍କ ପାଇଁ ଯଥେଷ୍ଟ ହୋଇଥାଏ । ନଚେତ୍ ଆଉ ଏକ ସପ୍ତାହ ବ୍ରୁଡିଂ ଦରକାର ପଡ଼ିଥାଏ।

୫ ରୁ ୧୬ ସପ୍ତାହ ପର୍ଯ୍ୟନ୍ତ –

ଚାରି ସପ୍ତାହ ପରେ ବତକ ଛୁଆଙ୍କୁ ନିମ୍ନଲିଖିତ ଯେ କୌଣସି ପ୍ରଣାଳୀରେ ପାଳନ କରାଯାଇପାରେ ।

  1. ସଂପୂର୍ଣ୍ଣ ରୂପେ କୋଠରୀରେ ଆବଦ୍ଧ,
  2. ଅଧା ସମୟ ଆବଦ୍ଧ ଓ ଅଧା ସମୟ କୋଠରୀ ବାହାରେ ଆବଦ୍ଧ ପରିବେଶ ମଧ୍ୟରେ ରଖି,
  3. ସଂପୂର୍ଣ୍ଣ ଖୋଲା ପଡ଼ିଆରେ ରଖି ।

ସଂପୂର୍ଣ୍ଣ ଆବଦ୍ଧ କରି ରଖିଲେ ଗୋଟିଏ ବତକ ଛୁଆ ପାଇଁ ୩ ବର୍ଗଫୁଟ ଜାଗା ଦରକାର ହୁଏ । ଅଧା ଆବଦ୍ଧ ଓ ଅଧା ଖୋଲା ପରିବେଶରେ ରଖିଲେ ଛୁଆ ପ୍ରତି ୨-୩ ବର୍ଗଫୁଟ ଓ ଖୋଲା ପରିବେଶରେ ଛୁଆପ୍ରତି ୧୦ ରୁ ୧୫ ବର୍ଗଫୁଟ । ଜାଗା ଦରକାର ହୁଏ । ଦାନାପାତ୍ରରେ ୩-୫ ଇଞ୍ଚ ଲମ୍ବର ଜାଗା ପ୍ରତ୍ୟେକ ଛୁଆ ପାଇଁ ଦରକାର ହୁଏ । ସେହିପରି ମାସ ପାଇଁ ପାଳନ କରାଯାଉଥିବା ବତକ ଛୁଆମାନଙ୍କୁ ୮ ସପ୍ତାହ ପର୍ଯ୍ୟନ୍ତ ୪ ଇଞ୍ଚ ଜାଗା ଦରକାର ହୁଏ । ପାଣି ପାତ୍ରରେ ପ୍ରତ୍ୟେକ ଛୁଆପାଇଁ ୧.୭୫ ଇଞ୍ଚ ଲମ୍ବର ଜାଗା ଦରକାର ହୁଏ । ସେହିପରି ମାଂସ ପାଇଁ ପାଳନ କରାଯାଉଥିବା ବତକ ଛୁଆମାନଙ୍କ ପାଇଁ ୮ ସପ୍ତାହ ପର୍ଯ୍ୟନ୍ତ ୨ ଇଞ୍ଚ ଲମ୍ବର ଜାଗା ଦରକାର ହୁଏ । ପାଣି ପାତ୍ରର ଗଭୀରତା ୫-୬ ଇଞ୍ଚ । ହେବା ଦରକାର । ଫଳରେ ବତକ ଛୁଆ ପାଣି ଭିତରେ ସଂପୂର୍ଣ୍ଣ ରୂପେ ତାର ମୁଣ୍ଡ ବୁଡ଼ାଇ ପାରିବ । ଖୋଲା ପରିବେଶରେ ପାଚେରୀର ଉଚ୍ଚତା ୨ ଫୁଟ ହେଲେ ଯଥେଷ୍ଟ । ଯଦି ସଂପୂର୍ଣ୍ଣ ରୂପେ ଖୋଲା ପରିବେଶ ମଧ୍ୟରେ ବତକ ପାଳନ କରାଯାଏ, ତା ହେଲେ ଏକ ଏକର ଜାଗାରେ ୨୦୦ ବତକ ଛୁଆ ରହିପାରିବେ ।

ଅଣ୍ଡା ଦେଇଥିବା ବତକ ପାଳନ (୧୬-୭୨ ସପ୍ତାହ ପର୍ଯ୍ୟନ୍ତ) -

ବତକ ସାଧାରଣତଃ ୧୬-୧୮ ସପ୍ତାହର ହେଲେ ଅଣ୍ଡା ଦେବା ଆରମ୍ଭ କରିଦିଏ । ସଂପୂର୍ଣ୍ଣ ଆବଦ୍ଧ କୋଠରୀ ମଧ୍ୟରେ ପ୍ରତ୍ୟେକ ବତକ ପାଇଁ ୪-୫ ବର୍ଗଫୁଟ ଜାଗା ଏବଂ ଅଧା ଆବଦ୍ଧ ଓ ଅଧାଖୋଲା ପ୍ରଣାଳୀରେ ୩ ବର୍ଗଫୁଟ ଜାଗା ଓ ଖୋଲା ଆବଦ୍ଧ ପରିବେଶରେ ବତକ ପିଛା ୧୦-୧୫ ବର୍ଗଫୁଟ ଜାଗା ଦରକାର । ବତକ ଅଣ୍ଡା ଦେବା ପାଇଁ କୋଠରୀ ମଧ୍ୟରେ ଗୋଟିଏ ବସା ଦରକାର । ଅଣ୍ଡାଦେବା ବସାର ଆକାର ୧୨ ଇଞ୍ଚ ୧୪ ଇଞ୍ଚ ୧୫ ଇଞ୍ଚ ହେବା ଉଚିତ୍ । ତିନୋଟି ବତକ ପାଇଁ ଗୋଟିଏ ବସା ଦରକାର ହୁଏ । ପ୍ରତି ୬-୭ ଗୋଟି ମାଈ ବତକ ପାଇଁ ଗୋଟି ଅଣ୍ଡିରା ବତକ ଦରକାର । ସଂପୂର୍ଣ୍ଣ ରୂପେ ଖୋଲା ବତକ ପାଳନ ପ୍ରଣାଳୀରେ ୧ ଏକର ଜାଗାରେ ୧୦୦ଟି ବତକ ପାଳନ କରାଯାଇପାରିବ ।

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ -

ମୂଳ ବିଷୟ ବସ୍ତୁ

  • ଡଃ ଶରତ ଚନ୍ଦ୍ର ମିଶ୍ର
  • ଡଃ ପ୍ରବୀଣ କୁମାର ଦେହୁରୀ
  • ଡଃ ପ୍ରସବ କୁମାର ମିଶ୍ର

ସଂଶୋଧିତ ବିଷୟବସ୍ତୁ -

  • ଡଃ ପ୍ରସନ୍ନ କୁମାର ମିଶ୍ର,  ପ୍ରଫେସର. କୁକ୍କୁଟ ବିଜ୍ଞାନ ବିଭାଗ, ଓୟୁଏଟି, ଭୁବନେଶ୍ଵର
3.09090909091
shambhunathsahu Sep 06, 2018 12:27 PM

ବତକଛୁଆ କିପରୀପାଇବୀ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top