ଓଡ଼ିଶାର ଅଧିକାଂଶ ଚାଷୀ ଭାଇଭଉଣୀମାନେ ପ୍ରାଣୀମାନଙ୍କୁ ଜୀବିକା ରୂପେ ଗ୍ରହଣ କରି ନିଜର ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରିବା ସଙ୍ଗେ ସଙ୍ଗେ ରାଜ୍ୟ ଅର୍ଥନୀତିର ବିକାଶରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ପ୍ରାଣୀ ପାଳନରୁ ଅଧିକ ଲାଭ ପାଇବା ପାଇଁ ସେମାନଙ୍କ ବାସଗୃହ, ସ୍ଵାସ୍ଥ୍ୟ, ଖାଦ୍ୟ ବ୍ୟବସ୍ଥାର ସୁପରିଚାଳନା ଏକାନ୍ତ ଆବଶ୍ୟକ ।
ବର୍ତ୍ତମାନ ପରିପ୍ରେକ୍ଷୀରେ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା ଚାଷୀ ଭାଇମାନଙ୍କ ନିମନ୍ତେ ଏକ ଚିନ୍ତାର ବିଷୟ ପାଲଟିଛି। ରାତ୍ରର ବିଳମ୍ବିତ ନିସ୍ତତ୍ର ସହର ନିକଟସ୍ଥ ଜଙ୍ଗଲରୁ ହିଂସ୍ର ବନ୍ୟଜନ୍ତୁମାନଙ୍କ ଆତଙ୍କିତ ଆକ୍ରମଣ ଅନେକ ପ୍ରାଣୀଧନର ଜୀବନ ହାନି କରୁଛି। ଏହାକୁ ପ୍ରକୃତିର ନିୟମ ବା ଖାଦ୍ୟ ଶୃଙ୍ଖଳର ପ୍ରଭାବ କହି ଏଡ଼ାଇ ଦିଆଯାଇ ନ ପାରେ ।
ବିଲୁଆ, ଶିଆଳ, ହେଟା, ଚିତା, ବଣ କୁକୁର ଆଦି ହିଂସ୍ର ବନ୍ୟ ପ୍ରାଣୀଙ୍କ (କୁକୁର ପ୍ରଜାତିର ବନ୍ୟପ୍ରାଣୀ) କୁ ପ୍ରଭାବ ଗୃହପାଳିତ ପ୍ରାଣୀଙ୍କ ଉପରେ ପଡ଼ିଥାଏ । ଏହାଦ୍ଵାରା ଚାଷୀ ଭାଇମାନେ ଅତିମାତ୍ରାରେ ଆତଙ୍କିତ ହେବା ସହିତ ନିଜର ଜୀବିକା ହରାଇବାକୁ ବସିଲେଣି । ଏବେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ସହିତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଏହାର ପ୍ରାଦୁର୍ଭାବ ଦେଖା ଦେଇଛି।
ପ୍ରକୃତ ପକ୍ଷେ କହିବାକୁ ଗଲେ ବନ୍ୟପ୍ରାଣୀମାନେ ନିଜର କ୍ଷୁଧା ମେଣ୍ଟାଇବା ପାଇଁ ସଦାସର୍ବଦା ଏକ ସୁଯୋଗ ଅପେକ୍ଷାରେ ରହିଥାନ୍ତି, ଯେତେବେଳ ନିରୀହ ପ୍ରାଣୀଟି ସେମାନଙ୍କ ନିକଟବର୍ତ୍ତୀ ହୁଏ ସେମାନେ ତାକୁ ଶିକାର କରିଥାନ୍ତି । ପରବର୍ତ୍ତୀ ସମୟରେ ସେମାନେ ନିୟମିତ ଶିକାର ନିମନ୍ତେ ଜନବସତି ମଧ୍ୟରେ ପ୍ରାଣୀଙ୍କ ବାସସ୍ଥାନ ମଧ୍ୟକୁ ଆକ୍ରମଣ କରିଥାନ୍ତି । ପୁଣି କିଛି ଦୃଷ୍ଟପ୍ରକୃତିର ବ୍ୟକ୍ତିଙ୍କ ମନ୍ଦ ଉଦ୍ଦେଶ୍ୟ ନିମନ୍ତେ ମଧ୍ୟ ପ୍ରାଣୀ ଜୀବନ ପ୍ରଭାବିତ ହୋଇଥାଏ । ତେବେ ଗୃହପାଳିତ ପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ବାସଗୃହର ସୁପରିଚାଳନା କରିବା ଆବଶ୍ୟକ । ଗୁହାଳକୁ ଇଟା ସିମେଣ୍ଟ ତିଆରି କାନ୍ଥ ଏବଂ ତାରଜାଲି ଦ୍ଵାରା ଆବଦ୍ଧ ସହ ରାତ୍ର ସମୟରେ ସ୍ପଷ୍ଟ ଆଲୋକ ବ୍ୟବସ୍ଥା କରିବା ପ୍ରୟୋଜନ । କେତେକାଂଶରେ ହିଂସ୍ରଜନ୍ତୁଙ୍କ ପ୍ରବେଶ ପ୍ରତିରୋଧ ନିମନ୍ତେ ବୈଦୁତିକ ବାଡ଼ ବ୍ୟବହାର କରାଯାଏ । ପୋଷା କୁକୁରକୁ ତାଲିମ୍ ଦେଇ ରାତ୍ର ସମୟରେ ଗୁହାଳ ଜଗିବା କାର୍ଯ୍ୟରେ ନିୟୋଜିତ କରାଯାଇପାରେ । ବିଦେଶରେ ଏହି ବ୍ୟବସ୍ଥା ବହୁଳ ମାତ୍ରାରେ ପ୍ରଚଳିତ । ଏହି ଉଦ୍ଦେଶ୍ୟରେ ରଖାଯାଇଥିବା ପ୍ରାଣୀଙ୍କୁ 'ରକ୍ଷକ ପ୍ରାଣୀ’ ବା 'ଗାଡ଼ିଆନ୍ ଆନିମଲୀ’ କୁହାଯାଇଥାଏ। ସେମାନଙ୍କୁ କୌଣସି ବନ୍ୟଜନ୍ତୁ ଆକ୍ରମଣର ପ୍ରାକ୍ ସୂଚନା ମିଳିଥାଏ । ତେଣୁ ସେମାନେ ସଜାଗ ହୋଇ ହିଂସ୍ର ବନ୍ୟଜନ୍ତୁଙ୍କୁ ଘଉଡ଼ାଇବା ସହ ନିରୀହ ପ୍ରାଣୀଙ୍କୁ ରକ୍ଷା କରିଥାନ୍ତି । ଦିନବେଳେ ପ୍ରାଣୀଙ୍କ ଚାରଣ ସମୟରେ ବିଭିନ୍ନ ପ୍ରଜାତିର ପ୍ରାଣୀମାନଙ୍କୁ ଅଲଗା ଅଲଗା ନ ଛାଡ଼ି ଛୋଟ ବଡ଼ ସମସ୍ତ ପ୍ରାଣୀଙ୍କୁ ଏହା ସାଙ୍ଗରେ ଚରାନୁ ବନ୍ୟଜନ୍ତୁ ଆକ୍ରମଣ ଆଶଙ୍କା ଥିବା ସ୍ଥାନଙ୍ ରେ ସେମାନଙ୍କ ଗତିବିଧି ଲକ୍ଷ୍ୟ କରିବା ତଥା ଚଳପ୍ରଚଳକୁ ନିୟନ୍ତ୍ରଣ କରିବା ପାଇଁ ସିସିଟିଭି କ୍ୟାମେରା ସହିତ ମୁଭମେଣ୍ଟ ସେନସର ମଧ୍ୟ ଲଗାଯାଇପାରେ । ସେମାନଙ୍କୁ ଭୟଭୀତ କରି ଅନ୍ୟତ୍ର ଘଉଡ଼ାଇବା ପାଇଁ ଉଚ୍ଚଶବ୍ଦ ସୃଷ୍ଟିକାରୀ ଯନ୍ତ୍ର ଓ ଅଧିକ ଉଜ୍ଜଳିତ ଆଲୋକ ବ୍ୟବହାର କରିବା ଆବାଶଂଖ୍ୟକ ବନ୍ୟଜନ୍ତୁଙ୍କୁ ଯନ୍ତା ସାହାଯ୍ୟରେ ଧରି ଅନ୍ୟତ୍ର କୌଣସି ଅଭୟାରଣ୍ୟରେ ସ୍ଥାନାନ୍ତରିତ କରାଯାଇପାରେ । କେତେକାଂଶରେ ରବର ନିର୍ମିତ ଗୁଳି ବ୍ୟବହାର କରି ମଧ୍ୟ ସେମାନଙ୍କୁ ଘଉଡ଼ାଯାଇପାରେ । ତେଣୁ କୌଣସି ପଦ୍ଧତିକୁ ଚୟନ କରିବା ପୂର୍ବରୁ ପ୍ରଥମେ ଏଭଳି କାଣ୍ଡ ଭିଆଉଥିବା ବନ୍ୟଜନ୍ତୁରୁ ଚିହ୍ନଟ । ଆକ୍ରମଣର ମାତ୍ରା,ପ୍ରାଣୀଧନ ଉପରେ ପ୍ରଭାବ ତଥା ଅନ୍ୟାନ୍ୟ ପାରିପାର୍ଶ୍ଵିକ ପରିବେଶ ପରିସ୍ଥିତିକୁ ତୃଣମୂଳ ସ୍ତରରେ ଅନୁଧ୍ୟାନ ଜରୁରୀ ।
କୌଣସି ଅଞ୍ଚଳରେ ଏଭଳି ଅଭାବନୀୟ ପରିସ୍ଥିତି ପରିଲକ୍ଷିତ ହେଲେ ବ୍ୟସ୍ତ ବିବ୍ରତ ବା ଭୟଭୀତ ନ ହୋଇ ନିକଟସ୍ଥ ବନାଞ୍ଚଳର ବନଖଣ୍ଡ ଅଧିକାରୀ ଓ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାନ୍ତୁ । ବନ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ସ୍ଥାନୀୟ ପ୍ରଶାସକ ତଥା ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ସହଯୋଗରେ ଏହି ସମସ୍ୟାକୁ ଦୂର କରାଯାଇପାରିବ ।
ସଂଗୃହିତ - ଅଧ୍ୟାପକ, ଡା, ଶ୍ରୀପତି ସେଠୀ ଆଗ୍ରୋପଲିଟେକ୍ନିକ୍ ସେଣ୍ଟର (ଆନିମଲ ସାଇନସ), ଓୟୁଏଟି, ଭୁବନେଶ୍ଵର
Last Modified : 2/19/2020