ହୋମ / କୃଷି / ପ୍ରାଣୀ ଧନ / ବନ୍ୟା ଅଞ୍ଚଳରେ ଗୋ-ସମ୍ପଦର ପରିଚାଳନା
ସେଆର କରନ୍ତୁ

ବନ୍ୟା ଅଞ୍ଚଳରେ ଗୋ-ସମ୍ପଦର ପରିଚାଳନା

ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବନ୍ୟା ପୂର୍ବରୁ, ପରେ ତଥା ବନ୍ୟା ସମୟରେ ଆବଶ୍ୟକ ପଦକ୍ଷେପମାନ ନେଇପାରିଲେ ଚାଷୀମାନଙ୍କର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ ।

ପ୍ରାଣୀ ଚିକିତ୍ସା ଶିବିରର ଲାଭ ନିଅନ୍ତୁ । ବନ୍ୟା ସମୟରେ କିଛି ରୋଗ ପ୍ରାଣୀଙ୍କ ଠାରୁ ମଣିଷଙ୍କୁ ବ୍ୟାପି ମହାମାରିର ରୂପ ନେଇଥାଏ। ତେଣୁ ଏ ସବୁ ବିଷୟରେ ସଚେତନା ହେବା ନିହାତି ଦରକାର ।

ଓଡିଶାର ଅବସ୍ଥିତି, ପରିବେଶର ଅବକ୍ଷୟ ତଥା ଜଳବାୟୁ ପରିବର୍ତ୍ତନ ଆଦି ଆଜିର ପ୍ରାକୃତିକ ଦୁର୍ବିପାକର ମୁଖ୍ୟ କାରଣ । ଓଡିଶାରେ ମୁଖ୍ୟତଃ ବନ୍ୟା ଓ ବାତ୍ୟା ପ୍ରତିବର୍ଷ ଚାଷୀ ଦୁଃଖର କାରଣ ହେବା ସହିତ ସବୁଦିନ ପାଇଁ ତା'ର ଆର୍ଥକ ମେରୁଦଣ୍ଡ ଦୋହଲାଇ ଦେଇଥାଏ । ସାଧାରଣତଃ ଆମ ରାଜ୍ୟରେ ବର୍ଷା ଆରମ୍ଭ ହେବା ମାତ୍ରେ ବନ୍ୟା ଅଧୁଷିତ ଅଞ୍ଚଳରେ ବନ୍ୟା ହେବାର ଆଶଂକା ଉପୁଜିଥାଏ । ବନ୍ୟାରେ ରାସ୍ତାଘାଟରେ ପାଣି ଜମି ରହୁଥିବାରୁ ଯାତାୟାତରେ ଅସୁବିଧା ହେବା ସହିତ ବିଭିନ୍ନ ସେବା ପ୍ରଦାନ କରିବାରେ ବିଳମ୍ବ ଘଟିଥାଏ । ବନ୍ୟା ସମୟରେ ମଣିଷଙ୍କ ଜୀବନଧାରଣରେ ବିଭିନ୍ନ ସମସ୍ୟାମାନଥିବାରୁ ସେମାନେ ଗୃହପାଳିତ ପ୍ରାଣୀଙ୍କର ସୁରକ୍ଷା ତଥା ଯତ୍ନ କଥା ପ୍ରାୟତଃ ଭୁଲିଯାଇଥାନ୍ତି । କିନ୍ତୁ ବନ୍ୟା ସମୟରେ ଏହି ପ୍ରାଣୀଙ୍କର ଠିକ୍ ପରିଚାଳନା କରାଯାଇପାରିଲେ, ବନ୍ୟା ପରେ ଏହି ପ୍ରାଣୀ ସମ୍ପଦ ଜୀବନ ଜୀବିକାର ଆଧାର ହୋଇପାରିବ । ତେଣୁ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବନ୍ୟା ପୂର୍ବରୁ, ପରେ ତଥା ବନ୍ୟା ସମୟରେ ଆବଶ୍ୟକ ପଦକ୍ଷେପମାନ ନେଇପାରିଲେ ଚାଷୀମାନଙ୍କର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ ।

ବନ୍ୟା ପୂର୍ବର ପ୍ରସ୍ତୁତି

ଗୁହାଳ ନିର୍ମାଣ ସମୟରେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଦରକାର । ଗୁହାଳଟିର ଚଟାଣ ଯଥେଷ୍ଟ ଉଚ୍ଚ । ଜାଗାରେ ହେବା ଆବଶ୍ୟକ ଯେପରିକି ବନ୍ୟା ପାଣି ପ୍ରବେଶ କରିପାରୁ ନ ଥବ । ଯଦି ଏହା  ସମ୍ଭବ ନ ହୁଏ ତେବେ ବନ୍ୟା ପୂର୍ବରୁ କିଛି ଆଶ୍ରୟସ୍ଥଳୀ ଚୟନ କରିନେବା ଦରକାର । ଆଶ୍ରୟସ୍ଥଳୀକୁ ପ୍ରାଣୀ ସ୍ଥାନାନ୍ତରଣ କରାଯିବାର ପରିକଳ୍ପନା ପ୍ରସ୍ତୁତ କରିନେବା ପ୍ରୟୋଜନ । ଗୁହାଳର ଚାଳ ବା ଛାତ କାନ୍ଥ ଠାରୁ ୨ରୁ ୩ ଫୁଟ୍ ଅଧିକା ଓ ନୁଆଣିଆ ହେଲେ ବର୍ଷା ପାଣି ଗୁହାଳ ଭିତରେ ପ୍ରବେଶ କରିପାରି ନ ଥାଏ । ଗୁହାଳ ଠାରୁ ଖତଗଦା ଓ ନଡା ଗଦା ଦୂରରେ ରହିବା ନିହାତି ଦରକାର। ଗୁହାଳର ଚାରି ପାଖରେ କୌଣସି ନୀଚା ବା ପାଣି ଜମି ରହୁଥିବା ଯାଗା ନ ରହିବା ବିଧେୟ । ଚାଳ ଛପର ଘର ହୋଇଥିଲେ ବର୍ଷାଦିନ ପୂର୍ବରୁ ଛିଆଣି କାମ ସାରିଦେବା ଆବଶ୍ୟକ । ମାଟି ଗୁହାଳ ହେଇଥିଲେ ବନ୍ୟା ପୂର୍ବରୁ ମୋଟା ପଲିଥିନଟିଏ କିଣି ରଖିଥିବା ଜରୁରୀ । ବନ୍ୟା ସମୟରେ ସାଧାରଣତଃ ପାଣି ଜମି ରହୁଥିବାରୁ ଗୋରୁଙ୍କର ଖାଦ୍ୟ ଅଭାବ ଦେଖାଯାଇଥାଏ । ତେଣୁ ବନ୍ୟା ପୂର୍ବରୁ କିଛି ଘାସ ଜାତୀୟ ଖାଦ୍ୟ ଓ ପାଳ ବା ନଡା ସାଇତି ରଖିନେବା ଦରକାର । ବନ୍ୟା ସମୟରେ ପ୍ରାଣୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯିବାଫଳରେ ବହୁ ମାରାତ୍ମକ ତଥା ସଂକ୍ରମଣ ଜନିତ ରୋଗମାନ ବ୍ୟାପିଥାଏ । ତେଣୁ ବନ୍ୟାର ଯଥେଷ୍ଟ ପୂର୍ବରୁ ପ୍ରାଣୀ  ଚିକିତ୍ସକଙ୍କ ସହ ପରାମର୍ଶ କରି ଗୋରୁଗାଈମାନଙ୍କର ସାହାଣ, ବଜବଜିଆ ଓ ଫାଟୁଆ ରୋଗ ପାଇଁ ଟିକାକରଣ କରାଇଦିଅନ୍ତୁ । ନିକଟସ୍ଥ ପ୍ରାଣୀ ଚକିତ୍ସା କେନ୍ଦ୍ରରେ ଗୋବର ପରୀକ୍ଷାକରି  କୃମି ଚିହ୍ନଟ କରି ଔଷଧ ଖାଇବାକୁ ଦେବା ଦରକାର । ମୃତ୍ୟୁଜନିତ କ୍ଷତିରୁ ମୁକ୍ତି ପାଇବା ପାଇଁ ପ୍ରାଣୀବୀମାର ସହଯୋଗ ନିଅନ୍ତୁ । ପ୍ରାଣୀବୀମା କରିବା ପାଇଁ ପ୍ରାଣୀ ଚକିତ୍ସା କେନ୍ଦ୍ର ସହ ଯୋଗାଯୋଗ କରିବା ଦରକାର ।

ବନ୍ୟା ସମୟର ଯତ୍ନ

ବନ୍ୟା ଘେରରେ ଥିବା ପ୍ରାଣୀଙ୍କୁ ତୁରନ୍ତା ସ୍ଥାନାନ୍ତରଣ କରାଇବା ଦରକାର । ଗୋରୁଙ୍କୁ ବାହରକୁ ନ ଛାଡି ଗୁହାଳରେ ବାନ୍ଧିରଖିବା ଆବଶ୍ୟକ । ଗୁହାଳରୁ ପାଣି ସଫା କରି ବିଶୋଧତ ଦ୍ରବ୍ୟ ଯଥା ବ୍ରିଟି ପାଉଡର, ଚୂନ ପାଉଡର, ଫିନାଇଲ, ପୋଟାସିୟମ୍ ପରମାଂଗାନେଟ୍ ଦ୍ରବଣ ଆଦିରେ ଭଲଭାବରେ ଧୋଇବା ବିଧେୟ । ଧୋଇସାରିବା ପରେ ଯଦି ଚଟାଣ ଓଦା ଥାଏ ତେବେ ପାଉଁଶ, ବାଲି, କରତ ଗୁଣ୍ଡ ବା ଶୁଖିଲା। ଅଖା ପକାଇଦେବା ଦରକାର । ବର୍ଷାରେ ଗୋରୁଙ୍କୁ ଓଦା କରନ୍ତୁ ନାହିଁ । ବର୍ଷା ପାଣି ଛିଟାରୁ ପ୍ରାଣୀମାନଙ୍କୁ ଦୂରେଇ ରଖିବା ପାଇଁ ଗୁହାଳ ଘରଟିର ଖାଲିଥିବା ଜାଗା ଗୁଡିକୁ ଶୁଖିଲା। ଅଖା, ବା ମୋଟା ପଲିଥିନରେ ଘୋଡେଇ ରଖିବା ପ୍ରୟୋଜନ । ପାଣି ଜମି ରହିଥିବାରୁ ମଶା, ମାଛି, ଡାଆଶ ତଥା ଅଣୁଜୀବମାନଙ୍କ ବଂଶ ବୃଦ୍ଧି ଘଟିଥାଏ । ଏହି ଅଣୁଜୀବମାନେ ଯଥା ଜୀବାଣୁ, ଭୂତାଣୁ, କବକ ଓ ଅନ୍ୟାନ୍ୟ ପରଜୀବୀମାନେ ଗୋସମ୍ପଦରେ ରୋଗର କାରକ ଓ ବାହକ ହିସାବରେ କାମ କରିଥାନ୍ତି ।

ପାଣି ଓ ଖାଦ୍ୟର ସୁପରିଚାଳନା

ବନ୍ୟା ସମୟରେ ମୁଖ୍ୟତଃ ପିଇବା ପାଣି ଓ ଖାଦ୍ୟର ସୁପରିଚାଳନା କରାଯିବା ନିହାତି ଜରୁରୀ । କାରଣ ଏହି ଦୁଇଟି ମାଧ୍ୟମରେ ରୋଗ ବ୍ୟାପିବାର ଅଧିକ ଆଶଙ୍କା ଥାଏ । ପାଣି ପିଇବାକୁ ଦେବା ପୂର୍ବରୁ ଉଭୟ ପାଣି ଓ ପାଣି ଯାତ୍ରକୁ ବିଶୋଧିତ କରାଇନେବା ବିଧେୟ । ପାଣି ପାତ୍ରକୁ ପାଉଁଶରେ ମାଢି ସଫା କରାଯାଇପାରିବ ଓ ପାଣି ବିଶୋଧନ ପାଇଁ ବିଭିନ୍ନ ରାସାୟନିକ ପଦାର୍ଥ ଯଥା ବିଚି' ପାଉଡର, ଚୂନ ପାଉଡର, ଫଟିକିରି ପାଉଡର , ଗ୍ଲୋରିନ୍ ବଟିକା, ହାଲୋଜିନ୍ ବଟିକା ଆଦି ବ୍ୟବହାର କରାଯାଇଥାଏ । ଏହାର ମାତ୍ରା ବ୍ୟବହାର ହେବାକୁଥିବା ଜଳର ଗୁଣାମ୍ବକ ମୂଲ୍ୟ, ରାସାୟନିକ ଉପାଦାନର ମାତ୍ରା ଓ ପ୍ରକ୍ରିୟାକରଣ ବିଧା ଉପରେ ନିର୍ଭର କରିଥାଏ । ଅନୁମାନ ହିସାବରେ ଗୋଟିଏ ବାଲଟି ପାଣିରେ ୫ରୁ ୭ଟି କ୍ଲୋରିନ୍ ବା ହାଲୋଜେନ୍ ବଟିକା ବା ୪୫ ରୁ ୬୦ ଗ୍ରାମ୍ ଚୂନ ପାଉଡର ବା ୧୦୦ ଗ୍ରାମ୍ ଫି ଟିକିରି ପାଉଡର ବା ୫ ରୁ ୧୦ ଗ୍ରାମ୍ ବ୍ଲିଚିଂ ପାଉଡର ପକାଇ ବିଶୋଧିତ କରାଇନେବା ଆବଶ୍ୟକ । ପାଣିକୁ ଫୁଟାଇବା ପରେ ଛାଣି ପିଇବାକୁ ଦିଆଯାଇପାରିବ । ଗଭୀର ନଳକୂପର ପରିଷ୍କାର ପାଣି ମଧ୍ୟ ପାନୀୟ ଜଳ ହିସାବରେ ବ୍ୟବହାର କରାଯାଇପାରିବ ।

ସାଧାରଣତଃ ବନ୍ୟା ପୂର୍ବରୁ ରଖିଥିବା ଶୁଖିଲା। ଖାଦ୍ୟ, ଘାସ, ନଡା, ପରିବା ଚୋପା ଆଦି ବନ୍ୟା ସମୟରେ ଖାଇବାକୁ ଦିଆଯାଇଥାଏ । ବର୍ଷା ପାଣି ଯୋଗୁଁ ସାଇତି ରଖିଥିବା ଖାଦ୍ୟ ପଦାର୍ଥରେ ଫିମ୍ପି ଲାଗିଯାଇଥିଲେ ତାହା ଖାଇବାକୁ ଦେବା ଅନୁଚିତ୍ । ଏହାକୁ ଖାଇବା ଫଳରେ ତରଳ ଝାଡ଼ା ହୋଇଥାଏ । ଘାସକୁ କାଟି ଛୋଟ ଛୋଟ କରି ଖାଇବାକୁ ଦିଅନ୍ତୁ । ଘାସ ଖାଇବାକୁ ଦେବାବେଳେ ସେଥିରୁ ଅନାବନା ଓ ଖାଦ୍ୟ ଅନୁପଯୋଗୀ ଘାସ ବାଛି ଦିଅନ୍ତୁ । ଓଦା ବା ଫିମ୍ପି ହୋଇଯାଇଥିବା ତଥା ବାସି ବା ରନ୍ଧା ଖାଦ୍ୟ ଖାଇବାକୁ ନ ଦେବା ଭଲ । ଚିଲିଫ୍ରେ ମିଳୁଥିବା ଦାନାକୁ ସାଇତି ରଖି ଅଳ୍ପ ଅଳ୍ପ କରି ଖାଇବାକୁ ଦେବା ଦିଅନ୍ତୁ ।

ବନ୍ୟା ସମୟରେ ପ୍ରାଣୀଙ୍କର ବିଭିନ୍ନ ରୋଗ ପ୍ରତି ସଚେତନତା

ବନ୍ୟା ସମୟରେ ପ୍ରାଣୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯିବା ଫଳରେ ବିଭିନ୍ନ ରୋଗ ଯଥା ସାହାଣା, ବଜବଜିଆ, ଅଢେଇଦିନିଆ  ଜୁର, ଫାଟୁଆ, ଗୋମଡକ, ଥନହରା, କାଶ, ସଦି, ଗଳାଫୁଲା ଆଦି ଦେଖାଯାଇଥାଏ । ତା ଛଡା କୃମି ଓ ଚିଙ୍କ ଜନିତ ସଂକ୍ରାମକ ରୋଗ ମୁଖ୍ୟତଃ ଗୋପାଳକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ପରିସ୍ଥିତି ସୃଷ୍ଟି କରିଥାଏ । ପାଣି ଜମି ରହିବା ଫଳରେ କୃମିମାନଙ୍କ ବଂଶ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ବର୍ଷାଦିନରେ ସନ୍ତସନ୍ତିଆ ସ୍ଥାନ କୃମିଙ୍କ ଅଣ୍ଡାରୁ ଲାର୍ଭାରେ ପରିଣତ ହେବା ସହିତ ଘାସ ପତ୍ରରେ ବା ଜଳର ଉପର ସ୍ତରରେ ଲାଗି ରହିଥାନ୍ତି । ପ୍ରାଣୀଟି ସେଇ ଘାସ ଖାଇବା, ମାଟି ଚାଟିବା, ଚାରଣ ଭୂଇଁରେ ଖାଇବା ବା ପାଣି ପିଇବା ଦ୍ଵାରା କୃମି ଶରୀରରେ ପ୍ରବେଶ କରିଥାନ୍ତି । କୃମି ମୁକ୍ତ କରିବା ପାଇଁ କୃମି ନାଶକ ଔଷଧ ଖାଇବାକୁ ଦିଅନ୍ତୁ । ତରଳ ଝାଡା ହେଉଥଲେ ହଠାତ୍ କୃମି ଔଷଧ ଦିଅନ୍ତୁ ନାହିଁ । ବନ୍ୟା ସମୟରେ କୌଣସି ରୋଗର ଲକ୍ଷଣ ଦେଖାଯିବା ମାତ୍ରେ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ଖାଇବାକୁ ଦିଅନ୍ତୁ । ନିମପତ୍ର, ହଳଦୀ ପାଉଡର୍ ଓ ତୁଳସୀ ପତ୍ର ଦିନକୁ ଦୁଇଥର କରି ସାତଦିନ ଯାଏ ଖାଇବାକୁ ଦେବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ କୃମି ନାଶକ ହିସାବରେ ମଧ୍ୟ କାମ କରିଥାଏ । ବନ୍ୟା ପୂର୍ବରୁ ଟିକାକରଣ କରି ନ ଥିଲେ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରି ଶୀଘ୍ର ଟିକା ଦେଇଦିଅନ୍ତୁ । ପ୍ରାଣୀ ଚିକିତ୍ସା ଶିବିରର ଲାଭ ନିଅନ୍ତୁ । ବନ୍ୟା ସମୟରେ କିଛି ରୋଗ ପ୍ରାଣୀଙ୍କ ଠାରୁ ମଣିଷଙ୍କୁ ବ୍ୟାପି ମହାମାରିର ରୂପ ନେଇଥାଏ। ତେଣୁ ଏ ସବୁ ବିଷୟରେ ସଚେତନ ହେବା ନିହାତି ଦରକାର ।

ବନ୍ୟାର ଭୟାବହତା ସମୟ ସମୟରେ ମହାମାରିର ରୂପନେବା ସହିତ ଅପମୃତ୍ୟୁର ମଧ୍ୟ କାରଣ ହୋଇଥାଏ । ପ୍ରାଣୀ ମୃତଦେହଗୁଡିକୁ ଏଣେ ତେଣେ ନ ପକାଇ ଏକ ଗଭୀର ଗାତ କରି ପୋତି ଦେବାର ବ୍ୟବସ୍ଥା କରନ୍ତୁ । ଗାତଟିକୁ ମାଟିଦେଇ ବନ୍ଦ କରିବା ପୂର୍ବରୁ ୨ ଇଞ୍ଚ ବହଳର ମୋଟା ଚୁନ ଧାର ପକାନ୍ତୁ । ଗାତକରୁଥିବା ଜାଗାଟି ଏକ ଉଚ୍ଚା ସ୍ଥାନରେ ହେବା ନିହାତି ଦରକାର ଯେମିତି ଗାତ ଭିତରେ ବନ୍ୟା ପାଣି ପ୍ରବେଶ କରିପାରୁନଥିବ । ପ୍ରାଣୀର ଆକାରକୁ ନେଇ ଗାତର ମାପ ଅନୁମାନ କରନ୍ତୁ । ଗାତର ଗଭୀରତା ୪ରୁ ୫ ଫୁଟ୍ ହେବା ଦରକାର । ଗୋ-ମୃତ୍ର ଓ ମଳକୁ ପରିଷ୍କାର ଭାବରେ ନିଷ୍କାସିତ ହେବାର ବ୍ୟବସ୍ଥା କରନ୍ତୁ ।

ବନ୍ୟା ସମୟରେ ପାଣିର ଉଚ୍ଚତା ବୃଦ୍ଧି ହେତୁ ବିଭିନ୍ନ କୀଟ, ଜନ୍ତୁ ଓ ସରୀସୃପ ଉପରକୁ ଉଠି ଆସିଥାନ୍ତି । ସେମାନେ ଆଶ୍ରା ପାଇଁ ଗୁହାଳ ଭିତରକୁ ପଶି ଆସି ଗୋରୁଙ୍କ ଶରୀରରେ କ୍ଷତ ସୃଷ୍ଟି କରିଥାନ୍ତି । ବେଳେବେଳେ ଏହା ବିଷକ୍ରିୟା ଜନିତ ଆଘାତ ହେବା ଫଳରେ ଜୀବନ ହାନି ଘଟିଥାଏ । ତେଣୁ ଏଥିପ୍ରତି ଯନୁବାନ ରୁହନ୍ତୁ ।

ବନ୍ୟା ପରର ସଚେତନତା

ବନ୍ୟା ପାଣି ଛାଡିଗଲାପରେ ପଚା ଘାସ, ଅପରିଷ୍କାର ମାଟି ଓ ଅନ୍ୟାନ୍ୟ ବର୍ତ୍ତ୍ୟବସ୍ତୁମାନ ଚାରଣ ଭୂମି ଉପରେ ମାଡ ଯାଇଥାଏ। ତେଣୁ ବନ୍ୟାର ଛାଡିବାର ୧୦ରୁ ୧୫ ଦିନ ଯାଏ ଗୋରୁଙ୍କୁ ବାହାରକୁ ଚରିବାକୁ ନ ଛାଡିବା ଭଲ। । ପାଣି ବୁଡି ରହିଥିବା ଘାସ ବୁଦା ଅଞ୍ଚଳରେ ଗେଣ୍ଡାଙ୍କ ସଂଖ୍ୟା ବୃଦ୍ଧି ଘଟି କେତେକ କଲିଜା କୃମିଙ୍କ ବଂଶ ବୃଦ୍ଧିରେ ସହାୟକ ହୋଇଥାନ୍ତି । ପାଣି ଛାଡିଗଲା ପରେ ନୂଆ ଘାସ କିଆଳିଲା ପରେ ଚରିବାକୁ ଗଲେ କିଛି ଅସୁବିଧା ନାହିଁ । ଗୁହାଳର ଭିତର ଚାରି କାନ୍ଥ ଚୁନ ରଙ୍ଗ ଓ ବାହାର କାନ୍ଥ ଡିଡିଟି ସ୍ନେ କରନ୍ତୁ । ମଶା, ମାଛି, ଡାଆଁଶ ନିରାକରଣ ପାଇଁ ଧୂଆଁ ଦିଅନ୍ତୁ । ପିଇବା ପାଣିକୁ ବିଶୋଧିତ କରି ବ୍ୟବହାର କରନ୍ତୁ । ଖାଦ୍ୟସାର, ଏ.ସି.ଡି.ଇ ଆଦି ଥିବା ଭିଟାମିନ୍ ପାଉଡର, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ କୃମି ନାଶକ ଔଷଧ ଖୁଆଇବାର ବ୍ୟବସ୍ଥା କରନ୍ତୁ ।

ସଂଗୃହିତ - ଡା. ସାରଦା ପ୍ରସନ୍ନ ସାହୁ,ପ୍ରଣୀଧନ ଅଧିକାରୀ, ପ୍ରାଣୀ ପାଳନ, ଦୁଗ୍ଧ ଓ ମତ୍ସ୍ୟ ଉତ୍ପାଦନ ବିଭାଗ, କୃଷି ମନ୍ତ୍ରଣାଳୟ

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top