ସାଧାରଣତଃ କୁକୁଡ଼ା ପାଳନ ତିନି ପ୍ରକାରର ଦେଖାଯାଏ । ପ୍ରଥମଟି ହେଲା- ଅଣ୍ଡାଦଆ କୁକୁଡ଼ା ବା ଲେୟାର । ଏହି ଜାତୀୟ କୁକୁଡ଼ାଙ୍କ ଶରୀରର ଓଜନ ଅପେକ୍ଷାକୃତ କମ୍ ହୋଇଥିବାରୁ ଏମାନେ କମ୍ ଖାଦ୍ୟ ଖାଇ ବେଶି ସଂଖ୍ୟାରେ ଅଣ୍ଡା ଦେବାକୁ ସମର୍ଥ ହୋଇଥାନ୍ତି । ଦ୍ଵିତୀୟଟି ହେଲା- ମାଂସାଳ କୁକୁଡ଼ା ବା ବ୍ରଏଲର । ଏହି ଜାତୀୟ କୁକୁଡ଼ା ଅଳ୍ପ ସମୟରେ ବେଶି ଓଜନ ହୋଇ ଯାଉଥିବାରୁ ଏମାନଙ୍କଠାରୁ ବେଶି ମାଂସ ମିଳିଥାଏ । ତୃତୀୟଟି ହେଲା ଉଭୟ ମାଂସ ଓ ଅଣ୍ଡା ପାଇଁ ଉଦ୍ଦିଷ୍ଟ କୁକୁଡ଼ା । ଏହି ଜାତୀୟ କୁକୁଡ଼ା ବେଶି ସଂଖ୍ୟାରେ ଅଣ୍ଡା ଦେବା ସହିତ ଅଧିକ ଓଜନ ମଧ୍ୟ ହୋଇଥାନ୍ତି । ସେହିପରି ଆମ ରାଜ୍ୟରେ କୁକୁଡ଼ା ପାଳନ ମୁଖ୍ୟତଃ ତିନି ପ୍ରକାର ଦେଖାଯାଏ ।
ଏମାନେ ବାହାରେ ବୁଲି ପୋକ, ଜୋକ, ଜିଆ, କୀଟ, ଶସ୍ୟ, କଅଁଳ ଶାଗ ଆଦି ଦିନସାରା ଖାଆନ୍ତି ଏବଂ ସନ୍ଧ୍ୟାହେଲେ ରାତ୍ର ଆଶ୍ରୟସ୍ଥଳ ବା କୁକୁଡ଼ା ଭାଡ଼ିରେ ଆସି ରହନ୍ତି । ସେହିପରି କୁକୁଡ଼ା ପାଳନ ନିମନ୍ତେ ତିନି ପ୍ରକାର ପଦ୍ଧତି ବା ପ୍ରଣାଳୀ ଅବଲମ୍ବନ କରାଯାଏ ।
ବର୍ଷାଦିନେ ଜଳବାୟୁର ଆର୍ଦ୍ଧତା ବୃଦ୍ଧି ସହିତ ପରିବେଶ ଦୂଷିତ ଯୋଗୁ ବିଭିନ୍ନ ଅଣୁଜୀବ ଓ ପରଜୀବୀଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥାଏ । ଏଥିସହିତ ଦୂଷିତ ପାଣି ଏବଂ ଖାଦ୍ୟ କୁକୁଡ଼ାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ବର୍ଷାଦିନେ କୁକୁଡ଼ାଙ୍କ ଖାଦ୍ୟ ବେଶିଦିନ ରହିଲେ ବା ଗମୁରିଆ ହୋଇଗଲେ କିମ୍ବା ବର୍ଷାପାଣି ପତି ଫିମ୍ପି ମାରିଲେ ଏହା କୁକୁଡ଼ାଙ୍କ ଦେହରେ କବକ ଜନିତ ସମସ୍ୟା ଯୋଗୁ ମୃତ୍ୟୁମୁଖରେ ପଡନ୍ତି । ବାୟୁମଣ୍ଡଳରେ ଇନ୍ଫ୍ଲୁଏଞ୍ଜା ଭୂତାଣୁ ସକ୍ରୟ ହେବା ଯୋଗୁ ଶ୍ଵାସନଳୀ ଜନତ ରୋଗ ସୃଷ୍ଟି କରିଥାଏ । ସେହିଭଳି ବର୍ଷାଦିନେ କୁକୁଡ଼ା ଘରର ଲିଟର ଓଦା ଓ ସନ୍ତସନ୍ତିଆ ରହିବା ଯୋଗୁ ବିଭିନ୍ନ ଜୀବାଣୁ, କୃମି ଓ କକ୍ସିଡିଓସିସ୍ ବା ରକ୍ତଝାଡ଼ା କୁକୁଡ଼ାଙ୍କଠାରେ ଦେଖା ଦେଇଥାଏ । ବର୍ଷାଦିନେ କୁକୁଡ଼ାଙ୍କଠାରେ ଜୀବାଣୁ ଜନିତ ରୋଗ ବିଶେଷ କରି ଦେଖାଦେଇଥାଏ । କୁକୁଡ଼ାଙ୍କ ଦେହରେ ଟିଙ୍କ, ଉକୁଣି ଆଦି ପରଜୀବୀ ମାଧ୍ୟମରେ ରୋଗାକ୍ରାନ୍ତ କୁକୁଡ଼ାଙ୍କ ଦେହରୁ ସୁସ୍ଥ କୁକୁଡ଼ା ଦେହକୁ ସଂକ୍ରମିତ କରି ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ସାଧାରଣତଃ ବର୍ଷାଦିନେ କୁକୁଡ଼ାଙ୍କଠାରେ ଦେଖାଯାଉଥିବା କେତେକ ମୁଖ୍ୟ ରୋଗ ଓ ତା’ର ପ୍ରତିକାର ସମ୍ପର୍କରେ ସୂଚୀତ କରାଯାଉଛି ।
କୁକୁଡ଼ାହଇଜା
ଏହା ପାଶ୍ଚୁରେଲା ମାଲଟୋସିଡ଼ା ନାମକ ଜୀବାଣୁ ଯୋଗୁ ହୋଇଥାଏ । ଏହି ରୋଗରେ କୁକୁଡ଼ାମାନେ ହଠାତ୍ ମୃତ୍ୟୁବରଣ କରନ୍ତି । ମୃତ୍ୟୁ ପୂର୍ବରୁ କୁକୁଡ଼ାଙ୍କ ଶରୀରର ଉତ୍ତାପ ବୃଦ୍ଧି ପାଇଥାଏ । ପର ଟାଉଁସିଆ ଦେଖାଯାଏ । ମୁହଁରୁ ଓ ନାକରୁ ଲାଳ ବାହାରେ । ଖାଦ୍ୟ ଖାଇବା କମିଯାଏ । ଚୂଳ ନେଳିଆ ପଡ଼େ। ଶାଗୁଆ କିମ୍ବା ହଳଦିଆ ପାଣିଝାଡ଼ା ହୁଏ ଓ ମଳଦ୍ଵାରରେ ଲାଗିଥାଏ । ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ଆଣ୍ଟିବାୟୋଟିକ୍ର ଚିକିତ୍ସା ସହିତ ବୋରି’, ନଳକୂପ କିମ୍ବା ବିଶୋଧୂତ ପାଣି ପିଇବାକୁ ଦେଲେ। ଉକ୍ତ ରୋଗ ଦାଉରୁ କୁକୁଡ଼ାଙ୍କୁ ମୁକ୍ତ ରଖାଯାଇ ପାରିବ ।
ପୁଲୋରମ ବା ବାସିଲାରି ଦ୍ଵାଇଟ୍ ଡାଇରିଆ
ଏହି ରୋଗ ମୁଖ୍ୟତଃ ଛୋଟ କୁକୁଡ଼ାଙ୍କଠାରେ ଦେଖାଯାଏ । ବଡ଼ କୁକୁଡ଼ା ଏହି ରୋଗର ବାହକ ଭାବେ କାର୍ଯ୍ୟ କରନ୍ତି । ଏହି ରୋଗ ସାଲମୋନେଲା ପୁଲୋରମ ନାମକ ଜୀବାଣୁ ଯୋଗୁ ହୋଇଥାଏ । ଆକ୍ରାନ୍ତ ଛୁଆମାନେ ଏକାଠି ହୋଇ ଘୁମାନ୍ତି । ଧଳା ଚୂନ ଭଳି ଝାଡ଼ା ହୋଇ ମଳଦ୍ଵାରରେ ଲାଗିରହେ । ନିଃଶ୍ଵାସ ନେବା ସମୟରେ ଘୁଡ଼ୁ ଘୁଡ଼ୁ ଶବ୍ଦ କରନ୍ତି । ଖାଦ୍ୟ ଖାଇବା କମାଇ ଦିଅନ୍ତି । ସାଧାରଣତଃ ଛୁଆ ଫୁଟିବାର ୫ ରୁ ୧୦ ଦିନ ମଧ୍ୟରେ ମୃତ୍ୟୁହାର ଅଧିକ ହୁଏ । ବଡ଼ କୁକୁଡ଼ା ଆକ୍ରାନ୍ତ ହେଲେ ଶାଗୁଆ ଝାଡ଼ା କରନ୍ତି । ଦୁର୍ବଳ ଦିଶନ୍ତି । ଚୂଳ ଶୁଖିଲା ପରି ଦିଶେ । ଅଣ୍ଡା ଉତ୍ପାଦନ କମିଯାଏ । ଦୂଷିତ ପାଣି ବା ଖାଦ୍ୟ ମାଧ୍ୟମରେ ବଡ଼ କୁକୁଡ଼ା ସଂକ୍ରମିତ ହୋଇ ଏହି ରୋଗର ବାହକ ସାଜନ୍ତି ଏବଂ ଏମାନଙ୍କ ଅଣ୍ଡାରୁ ଛୁଆ ଫୁଟିଲେ ଚୁଆ ଏହି ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି । ତେଣୁ କୁକୁଡ଼ାଙ୍କୁ ଗଭୀର ନଳକୂପ କିମ୍ବା ବୋରିଂ ପାଣି ବା ବିଶୋଧକ କୂଅପାଣି ପିଇବାକୁ ଦିଅନ୍ତୁ । ଡାକ୍ତରଙ୍କ ପରାମର୍ଶ କ୍ରମେ ଫୁରାଜୋଲିଡନ୍ କିମ୍ବା ବିଭିନ୍ନ ଆଣ୍ଟିବାୟୋଟିକ୍ ଦ୍ଵାରା ଚିକିତ୍ସା କରାନ୍ତୁ । କୁକୁଡ଼ା ଘରର ଲିଟରକୁ ଶୁଷ୍କ ଓ ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ ।
କୁକୁଡ଼ା ଟାଇଫଏଡ୍
ଏହା ଏକ ଜୀବାଣୁ ଜନିତ ସାଲ୍ମୋନେଲା ଗାଲିନେରମ୍ ଯୋଗୁ ବଡ଼ କୁକୁଡ଼ାଙ୍କଠାରେ ଦେଖାଦେଇଥାଏ । କୁକୁଡ଼ାଙ୍କ ଶାଗୁଆ ରଙ୍ଗର ପାଣିଝାଡ଼ା ହୁଏ । ଚୂଳ ଶୁଖିଯାଏ । ଡେଣା ତଳକୁ ଝୁଲି ରହେ । କୁକୁଡ଼ା ନିସ୍ତେଜ ହୋଇ ବେକକୁ ଦୁଇଗୋଡ଼ ମଝିରେ ରଖେ । ରୋଗ ଆକ୍ରାନ୍ତ ହେବାର ୨ ରୁ ୩ ଦିନ ମଧ୍ୟରେ ମରିଯାଏ । କୁକୁଡ଼ା ଘରକୁ ଶୁଖିଲା ରଖିବା ସହିତ ଆକ୍ରାନ୍ତ କୁକୁଡ଼ାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ଆଣ୍ଟିବାୟୋଟିକ୍ ଦ୍ଵାରା ଚିକିତ୍ସା କଲେ ସୁଫଳ ମିଳେ ।
ସଂଗୃହିତ - ଡା. ବୀରକିଶୋର ପରିଡା, ଉପନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ,କେନ୍ଦ୍ରପଡା,
Last Modified : 3/2/2020