ହୋମ / କୃଷି / ପ୍ରାଣୀ ଧନ / ବର୍ଷାଦିନେ ଗୋ-ସମ୍ପଦର ଯତ୍ନ
ସେଆର କରନ୍ତୁ

ବର୍ଷାଦିନେ ଗୋ-ସମ୍ପଦର ଯତ୍ନ

ବର୍ଷାଦିନେ ଗାଈ, ମହିଷାଦି ପ୍ରାଣୀମାନେ ବିଭିନ୍ନ ରୋଗର ଶିକାର ହେବାର ଯଥେଷ୍ଟ ଆଶଙ୍କା ଥାଏ । ସେଥିପ୍ରତି ସତର୍କତା ।

ଗୋ-ସମ୍ପଦ

ବର୍ଷାଦିନେ ଗାଈ, ମହିଷାଦି ପ୍ରାଣୀମାନେ ବିଭିନ୍ନ ରୋଗର  ଶିକାର ହେବାର ଯଥେଷ୍ଟ ଆଶଙ୍କା ଥାଏ । ଏନେଇ ଗୋପାଳକମାନେ ଯଥା ସମ୍ଭବ ସତର୍କତା ଅବଲମ୍ବନ କରିବା ଜରୁରୀ । ଯଦ୍ଵାରା ବର୍ଷାଦିନେ ଗାଈଗୋରୁଙ୍କୁ ବ୍ୟାପୁଥିବା ରୋଗ ଅନେକାଂଶରେ କମ୍ ହୋଇପାରିବ ।

ଗୁହାଳକୁ ସନ୍ତସନ୍ତିଆ  ନରଖି ଶୁଖିଲା ଓ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ଫିନାଇଲ୍ ମିଶା  ପାଣିରେ  ଅନ୍ୟୁନ ୨ଥର ଗୁହାଳ ଚଟାଣକୁ ଧୋଇ ସଫା ରଖନ୍ତୁ । ପ୍ରତି ମାସରେ ୨ପ୍ରତିଶତ ମାଲଥିଅନ୍ ବା ୨ ପ୍ରତିଶତ ସାଇପରମେଥ୍ରିନ୍ କୀଟନାଶକ ଔଷଧ ଗୁହାଳ ଭିତର କାନ୍ଥ ଓ ଫାଟ ସ୍ଥାନରେ ସିଞ୍ଚନ କଲେ ଟିଙ୍କ, ଉଙ୍କୁଣି ଓ ମାଛିର  ପ୍ରଭାବ କମିଥାଏ । ବର୍ଷା ଦିନେ ଗାଈଗୋରୁଙ୍କ ପାଖରେ କେତୋଟି ପ୍ରମୁଖ ରୋଗ ଦେଖାଦେଇଥାଏ । ଏହାର ନିରାକରଣ ପ୍ରତି ବିଶେଷ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ।

ବର୍ଷାଦିନିଆ ରୋଗ ପ୍ରତିସତର୍କତା

ସାହାଣା (ତଣ୍ଟିଫୁଲା) ରୋଗ

ଏହି ରୋଗ ପାଶ୍ଚୋରେଲା ନାମକ ଜୀବାଣୁ ଦ୍ଵାରା ହୁଏ । ସବୁ ବୟସର ଗାଈଗୋରୁ ଏଥିରେ ଆକ୍ରାନ୍ତ ହୋଇଥାନ୍ତି । ଆକ୍ରାନ୍ତ ପଶୁପାଖରେ ବିଭିନ୍ନ ପ୍ରକାର ଲକ୍ଷଣମାନ ଦେଖାଯାଇଥାଏ ଯେପରିକି ହଠାତ୍  ଜ୍ଵର (୧୦୪ ଡ଼ିଗ୍ରୀରୁ ୧୦୬ ଡ଼ିଗ୍ରୀ) ହେବା ସହ ଖାଇବା ପିଇବା ବନ୍ଦ କରିବା, ଗଳା ମୁହଁ ଓ ବେକ ତଳ ମାଂସପେଶୀ ଫୁଲିଯିବା, ନିମୋନିଆ ସହ କଷ୍ଟପ୍ରଦ ଶ୍ଵାସକ୍ରିୟା ନେବା, ଜିଭ ଫୁଲିଯାଇ ବାହାରକୁ ବାହାରିବା ସହ ପାଟିରୁ ଲାଳ ବାହାରେ । ତରଳ ଝାଡ଼ା ହୁଏ । ୧୨ରୁ ୨୪ ଘଣ୍ଟା ମଧ୍ୟରେ ସେପ୍ଟିସେମିଆରେ ପ୍ରାଣୀର ମୃତ୍ୟୁ ହୁଏ । ଏଥିପାଇଁ ଗୋରୁଙ୍କୁ ଏହି ଋତୁରେ ପ୍ରତିଷେଧକ ଟୀକା ଦେବା ଜରୁରୀ ।

ବଜବଜିଆ ରୋଗ

୩ ମାସରୁ ୫ ବର୍ଷ ବୟସର ପ୍ରାଣୀ ବେଶୀ ଏହି ରୋଗର ଆକ୍ରାନ୍ତ ହୋଇଥାନ୍ତି । ‘କ୍ଲଷ୍ଟ୍ରିଡିଆ’ ଜୀବାଣୁ ଦ୍ଵାରା ଦୂଷିତ ଖାଦ୍ୟ, ପାନୀୟ ଓ ଗୋବର ବା ଦେହର କ୍ଷତ ମାଧ୍ୟମରେ ଜୀବାଣୁ ସୁସ୍ଥ ପ୍ରାଣୀର ଶରୀରକୁ ପ୍ରବେଶ କରି ରୋଗ ସୃଷ୍ଟି କରେ । ଶରୀରର  ତାପମାତ୍ରା ୧୦୪ ଡ଼ିଗ୍ରୀ ରୁ ୧୦୫ ଡ଼ିଗ୍ରୀକୁ     ବୃଦ୍ଧି  ପାଏ, ରୋଗଗ୍ରସ୍ଥ ଗୋରୁ ଖାଇବା ପିଇବା ବନ୍ଦ କରେ । ଆଗ ଓ ପଛ ଗୋଡର ମାଂସପେଶୀରେ  ଖୁବ ଯନ୍ତ୍ରଣା ହୋଇ ଫୁଲିବା ଦ୍ଵାରା ଚାଲିବାରେ କଷ୍ଟ ହୁଏ । ବେକ ଓ ପିଠିରେ ମଧ୍ୟ କେତେକାଂଶରେ ଫୁଲା ଦେଖାଯାଏ । ରୋଗ ବଢିଲା ପରେ ଫୁଲିଥିବା ମାଂସପେଶୀ ଥଣ୍ଡା ଲାଗେ ଓ ଏହା ଭିତରେ ଜୀବାଣୁର ବିଷ ପ୍ରକ୍ରିୟା ଦ୍ଵାରା ପବନ ଓ ବିଷାକ୍ତ ପାଣି  ଭରିଯାଇ ବଜବଜ ଶବ୍ଦ କରେ । ୧୨ ରୁ ୨୪ ଘଣ୍ଟା ମଧ୍ୟରେ ଗୋରୁର ମୃତ୍ୟୁ ହୁଏ । ଅଧିକ ମାଂସପେଶୀ ଥିବା ମୋଟା ବାଛୁରୀ ହାଡୁଆ ବାଛୁରୀ ଠାରୁ ବେଶୀ ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗରେ ଆକ୍ରାନ୍ତ ପଶୁକୁ ଖୁବ୍ ଶୀଘ୍ର ପେନ୍ସିଲିନ ଜାତୀୟ ଆଣ୍ଟିବାଓଟିକ ଦ୍ଵାରା ଚିକିତ୍ସା କରିବା ଉଚିତ ।

ଫାଟୁଆ ରୋଗ

ଭୂତାଣୁ ଦ୍ଵାରା ବ୍ୟାପୁଥିବା ଏହି ସଂକ୍ରାମକ ରୋଗ ଦୂଷିତ ନଡ଼ା, ଦାନା, ପାଣି ଓ ପବନ ମାଧ୍ୟମରେ ହୁଏ । ଶଙ୍କର ଜାତୀୟ ବାଛୁରୀ ହୃଦଘାତରେ ହଠାତ୍ ମରିଯାନ୍ତି । ଏ ରୋଗରେ ମୃତ୍ୟୁହାର କମ ହେଉଥିଲେ ହେଁ ରୋଗ ଉପଶମ ହେବା ପରେ ପରିବେଶ ଉଚ୍ଚ ତାପମାତ୍ରା ସାହି ନପାରିବା, ଗାଈର ଉତ୍ପାଦନ ଓ ବଳଦଙ୍କ କାର୍ଯ୍ୟଦକ୍ଷତା ହ୍ରାସ, ଦୂର୍ବଳ ସ୍ୱାସ୍ଥ୍ୟବସ୍ଥା, ଗର୍ଭଧାରଣ କ୍ଷମତା ଓ ଗରମକୁ ଆସିବାରେ ଅନିୟମିତତା ଦେଖାଯାଏ  । ଆରମ୍ଭରୁ ଭୀଷଣ ଜ୍ଵର ହେବା, ମାଢି, ଜିଭ  ଓ ଖୁରାରେ ଫୋଟକା ହେବା ଓ  ପରେ ଏହା ଫାଟି କ୍ଷତି ହେବା ଦ୍ଵାରା ଗୋରୁ ଖାଇପାରେନି, ଚାଲିବାରେ କଷ୍ଟ ଉପୁଜେ । ପାଟିରୁ ଅନବରତ ସୂତା ପରି ଲମ୍ବା ଲାଳ ବାହାରେ । ପ୍ରାଣୀର ପାଟିରେ ହୋଇଥିବା ଘାକୁ ଖାଇବା ସୋଡାରେ ଧୋଇ ବରୋଗ୍ଲିସେରିନ୍ ଔଷଧ ଲଗାଇବା ଓ ଗୋଡ ଘା’କୁ ପଟାସିୟମ୍ ପରମାଙ୍ଗାନେଟ୍ ମିଶା ପାଣିରେ ସଫା କରି ଘା’ରେ ଉପଶମ ମଲମ ଲଗାଇଲେ ମାଛି ଦାଉରୁ ରକ୍ଷା ମିଳେ ଓ ଘା’ ଶୁଖିଯାଏ ।

କୃମି ରୋଗ

ପରିବେଶର ଆର୍ଦ୍ରତା ବୃଦ୍ଧି ଓ ସନ୍ତସନ୍ତିଆ ହେଉଥିବାରୁ କୃମି ରୋଗରେ ପାଦୁର୍ଭାବ ଦେଖାଯାଏ । ଗୋରୁମାନେ ବିଭିନ୍ନ ଅନ୍ତଃକୃମିରେ ( କେଞ୍ଚୁଆ କୃମି, ଅଙ୍କୁଶ କୃମି ଓ ଯକୃତ  କୃମି) ଆକ୍ରାନ୍ତ ହେବା ଦ୍ଵାରା  ପତଳା ଦୁର୍ଗନ୍ଧ ଝାଡ଼ା, କମ୍ ଖାଇବା, ହଜମ ପ୍ରକ୍ରିୟାରେ ବାଧା, ଉତ୍ପାଦ ହ୍ରାସ, ଶରୀର  ବୃଦ୍ଧିରେ ବାଧା, ଗର୍ଭଧାରଣ ଓ ଗରମ ଆସିବାରେ ଅନିୟମିତତା, ବାରମ୍ବାର ପେଟ ଫୁଲିବା, ମୁହଁତଳେ ପାଣି ଜମି ଫୁଲିବା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ । ବର୍ଷାଋତୁ ପୂର୍ବରୁ ଓ ପରେ ଗୋବର / ମଳ ପରୀକ୍ଷା କରାଇ ଯଥାର୍ଥ କୃମିନାଶକ ଔଷଧ ଦ୍ଵାରା ଚିକିତ୍ସା କରିବା ଉଚିତ୍ । ଟିଙ୍କ, ଉଙ୍କୁଣି ଓ ମାଇଟ ଜାତୀୟ ବାହ୍ୟକୃମି ଦ୍ଵାରା ଆକ୍ରାନ୍ତ ଗୋରୁର ଲୋମ ଉପୁଡ଼ିବା, ଚର୍ମରୋଗ ହେବା, ଦେହ କୁଣ୍ଡାଇ ହୋଇ ଫଳିଯିବା, ରକ୍ତହୀନତା ଆଦି ଦେଖାଯାଏ । ଏକ୍ଟୋମିନ ଜାତୀୟ କୀଟନାଶକ ଔଷଧ ୨ ମିଲି ସହ ୧ ଲିଟର ପାଣି ମିଶାଇ ଦେହରେ ଲଗାଇ ୨୦ ମିନିଟ୍ ପରେ ଗାଧୋଇଦେଲେ ରୋଗ ଉପଶମ ହୁଏ । ଖରା ପାଗରେ ଏହା କରାଇବା ଭଲ ।

ଆଧାର - ଦୈନିକ ପ୍ରମେୟ

5.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top