ହୋମ / କୃଷି / ପ୍ରାଣୀ ଧନ / ମଇଁଷି ପାଳନ
ସେଆର କରନ୍ତୁ

ମଇଁଷି ପାଳନ

ମଇଁଷି ପାଳନ ଏକ ଲାଭଜନକ ବ୍ୟବସାୟ ।

ମଇଁଷି ପାଳନ କରିବା କାହିଁକି ?

ମଇଁଷି ପାଳନ ଏକ ଲାଭଜନକ ବ୍ୟବସାୟ । ଏହା ଆମ୍ଭ ମାନଙ୍କର ଚାଷ କାର୍ଯ୍ୟରେ ବ୍ୟବହୃତ ହେବା ସଙ୍ଗେ ସଙ୍ଗେ ଆମ୍ଭଙ୍କୁ ଦୁଗ୍ଧ ଓ ମାଂସ ଯୋଗାଇଥାଏ । ମଇଁଷିର ଚମଡ଼ା, ଗୋବର, ହାଡ଼, ରକ୍ତ ଓ ସିଙ୍ଗ ଇତ୍ୟାଦି ଆମର ବିଭିନ୍ନ କାମରେ ଲାଗିଥାଏ । ଭାରତ ବର୍ଷରେ ପାଳନ କରାଯାଉଥାଏ ଦୁଗ୍ଧ ଜାତୀୟ ପ୍ରାଣୀ ଯଥା – ମଇଁଷି, ଗାଈ ଓ ଛେଳି ଇତ୍ୟାଦି ମଧ୍ୟରୁ ମଇଁଷିକୁ ମୁଖ୍ୟ ଦୁଗ୍ଧ ଜାତୀୟ ପ୍ରାଣୀ ରୂପେ ଗଣ୍ୟ କରାଯାଉଅଛି । ୨୦୦୭ ମସିହା ଗଣନା ଅନୁସାରେ ଆମ ଦେଶର ସମୁଦାୟ ଗୋମହିଷାଦି (୩୦୪ ନିୟୁତ) ସଂଖ୍ୟାର ଏକ ତୃତୀୟାଂଶ ମଇଁଷି (୧୦୫ ନିୟୁତ) ଅଟନ୍ତି । ସମୁଦାୟ ଦୁଗ୍ଧ ଉତ୍ପାଦନ (୧୦.୮ ନିୟୁତ ଟନ୍) ମଧ୍ୟରୁ ଶତକଡ଼ା ୫୩ ଭାଗ ଦୁଗ୍ଧ କେବଳ ମଇଁଷିମାନଙ୍କ ଠାରୁ ମିଳୁଥିବା ବେଳେ ଅବଶିଷ୍ଟ ୪୭ ଭାଗ ଦୁଗ୍ଧ ଗାଈ ଓ ଛେଳିଠାରୁ ମିଳିଥାଏ ।

ମଇଁଷିର ଦୁଗ୍ଧ ଗାଈ ଓ ଛେଳି ଦୁଗ୍ଧ ଅପେକ୍ଷା ଅଧିକ ପୃଷ୍ଟିକର ଓ ସୁସ୍ଵାଦୁ । କାରଣ ମଇଁଷି ଦୁଗ୍ଧରେ ସ୍ପ୍ରେହସାର (ସିଆ) ଓ ପୁଷ୍ଟିସାରର ପରିମାଣ ଗାଈ ଓ ଛେଳି ଦୁଗ୍ଧ ଅପେକ୍ଷା ଅଧିକ ଥାଏ । ମଇଁଷି ଦୁଗ୍ଧରେ ହାରାହାରି ଶତକଡ଼ା ୭ ଭାଗ ସ୍ପ୍ରେହସାର (ଘିଅ) ଓ ୪ ଭାଗ ପୁଷ୍ଟିସାର ଥାଏ । ଏଣୁ ଭାରତର ହରିଆନା, ପଞ୍ଜାବ, ଗୁଜୁରାଟ, ଉତ୍ତର ପ୍ରଦେଶ ଓ ବିହାର ଇତ୍ୟାଦି ରାଜ୍ୟରେ ମଇଁଷି ଦୁଗ୍ଧର ଚାହିଦା ଗାଈ ଠାରୁ ଅଧିକ । ତେଣୁ ଏହି ରାଜ୍ୟ ଗୁଡ଼ିକର ଚାଷୀମାନେ ଗୋପାଳନ ଅପେକ୍ଷା ମଇଁଷି ପାଳନ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି । ଦୁଗ୍ଧ ଉତ୍ପାଦକ ସମବାୟ ସଂଘ ମାନଙ୍କରେ ଦୁଗ୍ଧର ଘିଅ ଓ ପୁଷ୍ଟିସାରର ପରିମାଣକୁ ନେଇ ଚାଷୀଙ୍କୁ ଦୁଗ୍ଧର ମୂଲ୍ୟ ଦିଆଯାଇଥିବାରୁ ଚାଷୀ ଗାଈ ଦୁଗ୍ଧ ଅପେକ୍ଷା ମଇଁଷି ଦୁଗ୍ଧରୁ ଅଧିକ ଲାଭ ପାଇଥାଏ ।

ବିଭିନ୍ନ ପ୍ରାଣୀଙ୍କ ଦୁଗ୍ଧରେ ଅବା ଉପାଦାନ (ଶତକଡ଼ା ପ୍ରତି)

ପ୍ରାଣୀ

ଜଳ

ସ୍ପ୍ରେହସାର

ପୁଷ୍ଟିସାର

ଶ୍ଵେତସାର

ଧାତବ ଲବଣ

ମଇଁଷି

୮୨.୨

୭.୬

୪.୩

୪.୮

୦.୯

ଗାଈ

୮୬.୨

୪.୪

୩.୮

୪.୯

୦.୭

ଛେଳି

୮୭.୧

୪.୧

୩.୭

୪.୨

୦.୮

ମେଣ୍ଢା

୮୨.୦

୬.୪

୫.୬

୬.୪

୦.୯

ମଇଁଷିର ମାଂସ ଏକ ସୁସ୍ଵାଦୁ ପୁଷ୍ଟିକର ଖାଦ୍ୟ । ଏଥୁରେ ଶତକଡ଼ା ୭୮.୭ ଭାଗ ଜଳ, ୧୯.୪ ଭାଗ ପୁଷ୍ଟିସାର, ୦.୯ ଭାଗ ଚର୍ବି ଓ ୧୦ ଭାଗ ଲବଣ ଥାଏ । ଏଥିରେ ଚର୍ବି ଭାଗ କମ୍ ଓ ପୁଷ୍ଟିସାର ଅଂଶ ବେଶି ଥିବାରୁ ଦେଶ ତଥା ବିଦେଶରେ ମଇଁଷି ମାଂସର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆମ ଭାରତ ବର୍ଷରେ ଉତ୍ପାଦିତ ହେଉଥିବା ସମସ୍ତ ପ୍ରକାର ମାଂସ (ଛେଳି ମାଂସ, କୁକୁଡ଼ା ମାଂସ, ମଇଁଷି ମାଂସ)ର ପରିମାଣ ମଧ୍ୟରୁ ମଇଁଷି ମାଂସର ପରିମାଶ ଶତକଡ଼ା ୧୪ ଭାଗ ଏବଂ ମାଂସ ଉତ୍ପାଦନ କ୍ଷେତ୍ରରେ ଏହାର ସ୍ଥାନ ତୃତୀୟ (ପ୍ରଥମ- ଛେଳି ମାଂସ ଓ ଦ୍ଵିତୀୟକୁକୁଡ଼ା ମାଂସ) । ଅଣ୍ଡିରା ମଇଁଷି ବାଛୁରୀଙ୍କୁ ଅଧିକ ଯନ୍ତ୍ରରେ ଲାଳନ ପାଳନ କରି ଅଧିକ ମାଂସ ଉତ୍ପାଦନ କରାଯାଇ ପାରିବ । କାର୍ଯ୍ୟଦକ୍ଷତା ହରାଇବା ପରେ ଅଣ୍ଡିରା ମଇଁଷିର ମାଂସ ଖାଦ୍ୟ ପାଇଁ ବ୍ୟବହୃତ ହୋଇଥାଏ ।

ଭାରତ ବର୍ଷରେ ଚାଷ ପାଇଁ ମଇଁଷିକୁ ବହୁଳ ଭାବେ ବ୍ୟବହାର କରାଯାଇଥାଏ । କାଦୁଆ ଜମିରେ ଚାଷ କରିବା ପାଇଁ ବଳଦ ଅପେକ୍ଷା ଅଣ୍ଡିରା ମଇଁଷି (ପଣ୍ଡା)ର ଚାହିଦା ବେଶି । ଗୋଟିଏ ପଣ୍ଡା ଅନ୍ତତଃ ପକ୍ଷେ ୧୫-୧୬ ବର୍ଷ କାର୍ଯ୍ୟ ଦକ୍ଷ ରହି ଚାକ୍ଷୀଙ୍କୁ ଶଗଡ଼ ଟାଣିବା, ହଳ କରିବା ଓ ଧାନ ଅମଳ ଇତ୍ୟାଦି କାମରେ ସାହାଯ୍ୟ କରିଥାଏ ।

ମଇଁଷି ଗାଈ ପରି ଏକ ରୋମାନ୍ଥକ ପ୍ରାଣୀ । ମଇଁଷିର ହଜମ ପ୍ରକ୍ରିୟା ଓ ହଜମ ଶକ୍ତି । ଗାଈଠାରୁ ଯଥେଷ୍ଟ ଉନ୍ନତତର ହୋଇଥିବାରୁ ଏହାର ଓଜନ ତୁଳନାରେ ମଇଁଷି ଅଳ୍ପ ଖାଇ ଅଧିକ ଦୁଗ୍ଧ ଦେଇଥାଏ । ଏପରିକି ଯେଉଁ ଖାଦ୍ୟ ଗାଈ ଖାଇବାକୁ ପସନ୍ଦ କରେ ନାହିଁ, ମଇଁଷି ତାକୁ ଆନନ୍ଦରେ ଖାଇଥାଏ । ଗୋଟିଏ ମଇଁଷି ଗୋଟିଏ ଗାଈ ଅପେକ୍ଷା ଶତକଡ଼ା ୧୪ ଭାଗ ଶୁଷ୍ପ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ଖାଦ୍ୟସାର ଗୁଡ଼ିକୁ ୨ ରୁ ୫ ଭାଗ ପର୍ଯ୍ୟନ୍ତ ଅଧିକ ହଜମ କରିପାରେ । ବିଶେଷ କରି ତନ୍ତୁ ଜାତୀୟ ଖାଦ୍ୟକୁ ଗାଈ ଅପେକ୍ଷା ଅଧିକ ହଜମ କରିଥାଏ ।

ମଇଁଷି ଗାଈ ଅପେକ୍ଷା କମ୍ ଯତ୍ନରେ ଓ ଅଳ୍ପ ଖର୍ଚ୍ଚରେ ଅଧିକ ଦୁଗ୍ଧ ଦେଇ ଚାଷୀଙ୍କୁ ଅଧିକ ଲାଭ ଦେଇଥାଏ । ପୃଥିବୀରେ କେବଳ ଏସିଆ ମହାଦେଶରେ ମଇଁଷି ଦେଖିବାକୁ ମିଳିଥାଏ । ଅନେକ ବୈଜ୍ଞାନିକ ମଇଁଷିର ଜନ୍ମସ୍ଥାନ ଭାରତବର୍ଷ ବୋଲି ମତ ପୋଷଣ କରିଥାନ୍ତି । ମୁରା ମଇଁଷି ଭାରତର ତଥା ପୃଥିବୀର ଅନ୍ୟ ସମସ୍ତ ମଇଁଷି ମାନଙ୍କ ଅପେକ୍ଷା ଉତ୍କୃଷ୍ଟ ଦୁଗ୍ଧଜାତୀୟ ମଇଁଷି ରୂପେ ସୁପରିଚିତ । ଏହି ମୁରା ମଇଁଷିର ଜନ୍ମସ୍ଥାନ ଭାରତ ବର୍ଷର ହରିଆନା ରାଜ୍ୟର ହିସାର, ରୋହତକ, ଜିଦ୍ ଆଦି ଜିଲ୍ଲା ସମୁହ ତଥା-ଦିଲ୍ଲା ଓ ପଞ୍ଜାବ ଇତ୍ୟାଦି ହୋଇଥିବାରୁ ଭାରତର ଜଳବାୟୁ ମଇଁଷି ପାଳନ ପାଇଁ ବିଶେଷ ଉପଯୋଗୀ ବୋଲି ବିବେଚନା କରାଯାଇଥାଏ । ଏଣୁ ଓଡ଼ିଶା ତଥା ଭାରତର ଚାଷୀମାନେ ମଇଁଷି ପାଳନ କରିବାକୁ ଆଗ୍ରହ ପ୍ରକାଶ କରିବା ଉଚିତ୍ ।

ମଇଁଷି ପାଳନରେ ଅସୁବିଧା

ମଇଁଷି ପାଳନରେ କେତେ ଗୁଡ଼ିଏ ଅସୁବିଧା ଦେଖାଯାଏ । ଏହି ଅସୁବିଧା ଗୁଡ଼ିକ ହେଲା –

  1. ବିଳମ୍ବରେ ଋତୁବତୀ ହେବା ।
  2. ବିଳମ୍ବରେ ଛୁଆ ଦେବା ।
  3. ଅଧିକ ଦିନ ଗର୍ଭବତୀ ରହିବା ।
  4. ଅଧିକ ଦିନ ପଡ଼ିଆ ରହିବା ।
  5. ଅଧିକ ବ୍ୟବଧାନରେ ଛୁଆ ପ୍ରସବ କରିବା ।
  6. ଏକ ନିର୍ଦ୍ଦିଷ୍ଟ ଗଡୁରେ ଗରମକୁ ଆସିବା ।
  7. ମଇଁଷିର ଗରମ ହେବା ସହଜରେ ନିର୍ଣ୍ଣୟ କରି ନ ପାରିବା ।

ଏହିସବୁ କାରଣ ଲାଗି ମଇଁଷି ଠାରୁ ଠିକ୍ ପରିମାଣର ଦୁଗ୍ଧ ଉତ୍ପାଦିତ ହୋଇ ନପାରି ଚାଷୀଙ୍କୁ ଅଳ୍ପ ଲାଭ ଏପରିକି ସମୟ ସମୟରେ କ୍ଷତି ସହିବାକୁ ପଡ଼େ । ମାତ୍ର ଏବେ ବିଜ୍ଞାନ ପଦ୍ଧତିରେ ମଇଁଷି ପାଳନ କରିବା ଯୋଗୁଁ ଉପରୋକ୍ତ ଅସୁବିଧା ଗୁଡ଼ିକୁ ସହଜରେ ଦୂର କରାଯାଇ ପାରୁଅଛି । ଦିନକୁ ଦିନ ଅଧ୍ୟକ ସଂଖ୍ୟାକ ଚାଷା ମଇଁଷି ପାଳନ କରିବାକୁ ଆଗ୍ରହ ପ୍ରକାଶ କରୁଅଛନ୍ତି ।

ମଇଁଷି ପ୍ରଜାତି

ମଇଁଷି ସାଧାରଣତଃ ଦୁଇ ପ୍ରକାରର ଯଥା - ନଦୀ ଜାତିର ମଇଁଷି ଓ କାଦୁଅ ଜାତିର ମଇଁଷି । ନଦୀ ଜାତିର ମଇଁଷି ନଦୀ ତଥା ଝରଣାର ପରିଷ୍କାର ସ୍ରୋତ ଜଳରେ ଗାଧୋଇବାକୁ ଭଲ ପାଉଥିବା ବେଳେ କାଦୁଅ ଜାତିର ମଇଁଷି ଅପରିଷ୍କାର ପାଣି ତଥା କାଦୁଅରେ ଗାଧୋଇବାକୁ ଭଲ ପାଇଥାଆନ୍ତି । ନଦୀ ଜାତିର ମଇଁଷି ଅଧିକ ପରିମାଣର ଦୁଗ୍ଧ ଦେଇଥାଏ ଓ ଏହାର ଦୁଗ୍ଧରେ ଚର୍ବି ଅଂଶ ମଧ୍ୟ ଅଧିକ ଥାଏ । ଉତ୍ତର ଭାରତ ଓ ପଶ୍ଚିମ ଭାରତରେ ଏହି ଜାତିର ମଇଁଷି ଦେଖାଯାଉଥାଏ ବେଳେ ପୂର୍ବ ଭାରତ ଓ ଦକ୍ଷିଣ ଭାରତରେ କାଦୁଅ ଜାତିର ମଇଁଷି ଦେଖାଯାଇଥାନ୍ତି । କାଦୁଅ ଜାତିର ମଇଁଷି ଅଧିକ କାର୍ଯ୍ୟ ଦକ୍ଷ ହୋଇଥିବାରୁ ଏହି ଜାତିର ମଇଁଷି ଚାଷ କାର୍ଯ୍ୟରେ ଅଧିକ ବ୍ୟବହୃତ ହୋଇଥାଏ । ଗୋଟିଏ ନଦୀ ଜାତୀୟ ମଇଁଷି ଦୈନିକ ହାରାହାରି ଦୁଇରୁ ପାଞ୍ଚ ଲିଟର ପର୍ଯ୍ୟନ୍ତ ଦୁଗ୍ଧ ଦେଉଥିବା ବେଳେ ଗୋଟିଏ କାଦୁଅ ଜାତୀୟ ମଇଁଷି ଦୈନିକ ଏକ ଲିଟର ଦୁଗ୍ଧ ଦେଇଥାଏ । ନଦୀ ଜାତୀୟ ମଇଁଷି କାତୁଆ ଜାତୀୟ ମଇଁଷି ଅପେକ୍ଷା ଶୀଘ୍ର ଋତୁବତୀ ହୋଇଥାଏ ଏବଂ ଏମାନେ ଅପେକ୍ଷାକୃତ ଧୀର ବା ଶାନ୍ତ ସ୍ଵଭାବର । ଏମାନଙ୍କର ଦୈନିକ ଶରୀର ବୃଦ୍ଧି ହାର କାଦୁଅ ଜାତିର ମଇଁଷି ଅପେକ୍ଷା ଅଧିକ ମାତ୍ର ନଦୀ ଜାତୀୟ ମଇଁଷିର ବାଛୁରୀଙ୍କ ମୃତ୍ୟୁ ହାର କାଦୁଅ ଜାତୀୟ ମଇଁଷିର ବାଛୁରୀଙ୍କ ମୃତ୍ୟୁହାର ଠାରୁ ସର୍ବଦା ଅଧିକ ହୋଇଥାଏ ।

ନଦୀଜାତିର ମଇଁଷି ମାନଙ୍କୁ ଦୁଧିଆଳି ଜାତୀୟ ମଇଁଷି ମଧ୍ୟ କୁହାଯାଏ । ପୃଥିବୀରେ ମିଳୁଥିବା ମଇଁଷିମାନଙ୍କ ମଧ୍ୟରୁ ସର୍ବୋକୃଷ୍ଣ ଦୁଧିଆଳୀ ଜାତୀୟ ମଇଁଷି ଯଥା ମୁରା (ହରିୟା ନା), ସୁରି (ଗୁଜୁରାଟ), ଜାଫରାବାଦି (ଗୁଜୁରାଟ), ନିଲିରଭି (ପଞ୍ଜାବ), ଉଦଣ୍ଡୋରୀ (ଉତ୍ତର ପ୍ରଦେଶ), ମେହଶାନା (ଗୁଜୁରାଟ), ନାଗପୁରୀ (ମହାରାଷ୍ଟ୍ର) ଭାରତ ବର୍ଷରେ ଦେଖାଯାଆନ୍ତି । ଏମାନେ ବର୍ଷକୁ ହାରାହାରି ୨୦୦୦-୨୫୦୦ ଲିଟର ଦୃଷ୍ଣ ଦେଇଥାନ୍ତି । ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ପାରଳାଖେମୁଣ୍ଡି, ସମ୍ବଲପୁର ଜିଲ୍ଲାରେ ସମ୍ବଲପୁରୀ, କଳାହାଣ୍ଡି ଜିଲ୍ଲାରେ କଳହାଣ୍ଡି ତଥା ନୟାଗଡ଼ ଜିଲ୍ଲାରେ ଚିଲିକା ଜାତିର ମଇଁଷି ଦେଖାଯାନ୍ତି । ମାତ୍ର ଓଡ଼ିଶାର ଦୁଗ୍ଧ ଉତ୍ପାଦନ ବୃଦ୍ଧି କରାଇବା ପାଇଁ ମୁରା ଜାତୀୟ ମଇଁଷିର ଷଣ୍ଢମାନଙ୍କୁ ବ୍ୟବହାର କରାଯାଇ ଶଙ୍କରୀକରଣ ମାଧମରେ ଉନ୍ନତଜାତିର ମଇଁଷି ଉତ୍ପାଦନ କରାଯାଉଛି ।

ମଇଁଷି ଗୁହାଳ

ମଇଁଷି ମାନଙ୍କର ଉପଯୁକ୍ତ ଯତ୍ନ ନେବାକୁ ହେଲେ ଭଲ, ଗୁହାଳୀଟିଏ ନିହାତି ଆବଶ୍ୟକ । ଏହା ସେମାନଙ୍କୁ ବନ୍ୟ ଜୀବଜନ୍ତୁଙ୍କ ଆକ୍ରମଣରୁ, ଚୋର ଭୟରୁ, ଖରାପ ପାଗରୁ ଓ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ । ଶୁଖିଲା, ପବନ ଯାତାୟତ କରୁଥିବା, ସଫାସୁତୁରା ଓ ଶୋଇବାକୁ ଏବଂ ଛିଡ଼ା ହେବାକୁ ଅଧିକ ଜାଗା ଅବା ଗୁହାଳରେ ମଇଁଷି ରହିଲେ ସେମାନେ ଆନନ୍ଦରେ ଓ ସ୍ଵାସ୍ଥ୍ୟକର ଭାବରେ ରହିପାରନ୍ତି ।

ଗୁହାଳ

  • ପ୍ରତ୍ୟେକ ମଇଁଷି ଶୋଇବା ଓ ଛିଡ଼ାହେବା ପାଇଁ ଯଥେଷ୍ଟ ସ୍ଥାନ ଅବା ଦରକାର । ଗୋଟିଏ ବଡ଼ ମଇଁଷି ପାଇଁ ୪୦ ବର୍ଗଫୁଟ (୩.୫ ବର୍ଗମିଟର), ବାଛୁରୀ ପାଇଁ ୧୨ ବର୍ଗଫୁଟ (୧) ବର୍ଗମିଟର) ଏବଂ ଗୋଟିଏ ଛଡ଼ା ପାଇଁ ୨୪ ବର୍ଗଫୁଟ (୨ ବର୍ଗମିଟର) ସ୍ଥାନ ଦରକାର ।
  • ଘରର କାନ୍ଥର ଉଚ୍ଚତା ୩.୨୫ ମିଟର ହେବା ଦରକାର ମାତ୍ର ଅଧିକ ବର୍ଷା ହେଉଥିବା ଅଞ୍ଚଳ ମାନଙ୍କରେ ଘରର କାନ୍ଥର ଉଚ୍ଚତା ୨.୭୫ ମିଟର ଓ କାଛଠାରୁ ବାରଣ୍ଡାର ଦୈର୍ଘ୍ୟ ୦.୭୫ ମିଟର ହେବା ଦରକାର । ଘରର ଛାତ ଆଜବେଷ୍ଟସ୍ କିମ୍ବା ନଡ଼ାରେ କରାଯାଇପାରେ ।
  • ଘରର ଚଟାଣ ଆବଡ଼ାଖାବଡ଼ା ହେବା ଅନୁଚିତ୍ । ତଳ ପକ୍‌କା ହେଲେ ଭଲ । ଖାଇବା କୁଣ୍ଡ ଠାରୁ ମୂତ୍ର ନଳା ଆଡ଼କୁ ମଇଁଷିର ଛିଡ଼ାହେବା ସ୍ଥାନଟି ୧ ଇଞ୍ଚ ଗଡ଼ାଣିଆ ହେବା ଦରକାର । ଏହା କରିବା ଦ୍ଵାରା ଘରର ଚଟାଣକୁ ସବୁବେଳେ ସଫାସୁତୁରା ରଖିବାକୁ ସୁବିଧା ହୁଏ ।
  • ଘରର କାଛ ଚାଳ ପର୍ଯ୍ୟନ୍ତ ହେବା ଅନୁଚିତ୍ । ଫାଙ୍କା ରହିଲେ ବାୟୁ ଓ ଆଲୋକ ଭଲ ଭାବରେ ଗୁହାଳରେ ପ୍ରବେଶ କରିଥାଏ ।
  • ମଇଁଷିର ମୁଣ୍ଡ ଆଡ଼କୁ ଗୋଟିଏ ଖାଇବା କୁଣ୍ଡ ରହିବା ଦରକାର । ଏହି କୁଣ୍ଡର ଓସାର ୬୫ ସେ.ମି. ଓ ଗଭୀରତା ୨୦ ସେ.ମି. ହେବା ଉଚିତ୍ ନୁହେଁ । ଏପରି କୁଣ୍ଡ ହେଲେ ମଇଁଷିମାନଙ୍କୁ ଖାଇବାକୁ ସୁବିଧା ହୁଏ ଓ ଅଳ୍ପ ନଷ୍ଟ ହୁଏ ।
  • ଅନ୍ତତଃ ଚାରି ବାଲତି ପାଣି ଧରିବା ଭଳି ଏକ ପାଣିକୁଣ୍ଡ ମଧ୍ୟ ରହିବା ଦରକାର । ଯଦି ଏପରି କୁଣ୍ଡ କରିବା ସମ୍ଭବ ନୁହେଁ, ତେବେ ଖରାଦିନେ ୪ ଥର ଓ ଶୀତଦିନେ ଦୁଇଥର ମଇଁଷିମାନଙ୍କୁ ପାଣି ପିଇବାକୁ ଦେବା ଦରକାର ।
  • ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଉପକରଣରେ ଗୁହାଳ କଲେ ଅଳ୍ପ ଖର୍ଚ୍ଚରେ ହୋଇପାରିବ ।

ନୂଆ ଗୁହାଳ ଘର ତିଆରି

  1. ଯଦି ଚାଷୀ ଗୋଟିଏ ନୂଆ ଗୁହାଳ ଘର ତିଆରି କରୁଥାଏ, ତେବେ ମଇଁଷିଙ୍କ ସଂଖ୍ୟା ଅନୁପାତରେ ତିଆରି କରିବା ଦରକାର ।
  2. ଗୁହାଳଟି ଉଚ୍ଚ, ନିଗିଡ଼ା ଓ ଶୁଷ୍କ ସ୍ଥାନରେ କରାଯିବା ଉଚିତ୍ ।
  3. ଗୁହାଳ ଚାରିପାଖରେ ଗଛ ଥିବା ଦରକାର । ଗଛ ନ ଥିଲେ ଗଛ ଲଗାଇବା ଉଚିତ୍‌, ଯେପରି ଗୁହାଳ ତିଆରି ସରିବା ବେଳକୁ ଗଛଗୁଡ଼ିକ ବଢ଼ିଯାଇଥିବ । ଏହା ଦ୍ଵାରା ଗୁହାଳଟିରେ ଛାଇ ହୁଏ ଓ ମଇଁଷିମାନେ ସୁବିଧାରେ ରହିପାରନ୍ତି ଓ ଖରାଦିନେ ଥଣ୍ଡା ରହେ ।
  4. ଚାଷୀ, ଘରର ଗୋଟିଏ କଡ଼ରେ ଚାଳ ବାହାର କରି ଗୁହାଳ କରିପାରିବେ ।
  5. ପାଖ କାନ୍ଥ ୧.୫ ମିଟର ଓ ବଡ଼ କାଛଟି ୨.୫ ମିଟର ଉଚ୍ଚ ହେବା ଉଚିତ୍ । ଗୁହାଳର ଓସାର ୩ ମିଟରରୁ କମ୍ ହେବା ଉଚିତ୍ ନୁହେଁ । ଏଥରୁ ୦.୭୫ ମିଟରରେ ଖାଦ୍ୟକୁଣ୍ଡ କରାଯିବା ଦରକାର । ଗୋଟିଏ ମଇଁଷି ପାଇଁ ଗୁହାଳର ଲମ୍ବ ୨.୫ ମିଟର ଓ ପ୍ରତି ଅଧିକ ଗୋଟିଏ ମଇଁଷି ପାଇଁ ଏହାର ଲମ୍ବ, ଆହୁରି ଅଧିକ ୧.୫ ମିଟର ହେବା ଉଚିତ୍ (ଉଦାହରଣ ସ୍ଵରୂପ ୩ ଗୋଟି ମଇଁଷି ପାଇଁ ଗୁହାଳର ଲମ୍ବ ୫.୫ ମିଟର ହେବା ଉଚିତ୍) ।

ଗୁହାଳକୁ ସ୍ଵାସ୍ଥ୍ୟକର ରଖିବା ପ୍ରଣାଳୀ

  1. ମୂତ୍ର ଓ ଗୁହାଳ ଧୂଆ ପାଣି, ଗୁହାଳ ବାହାରେ ଥିବା ଖାଲରେ ସଂଗୃହୀତ ହେବା ଉଚିତ୍ ।
  2. ଗୋବର ଓ ଅନ୍ୟାନ୍ୟ ଅଳିଆ, ଦିନରେ ଅନ୍ତତଃ ଦୁଇଥର ପୋଛି ପରିଷ୍କାର କରିଦେବା ଦରକାର।
  3. ସପ୍ତାହରେ ଅନ୍ତତଃ ଥରେ ଫିନାଇଲ୍ ପାଣିରେ (୨ କପ୍ ଫିନାଇଲ୍‌କୁ ୧ ଲିଟର ପାଣିରେ ମିଶାଇ) ଗୁହାଳକୁ ଧୋଇଦେବା ଦରକାର ।
  4. ମାସରେ ଅନ୍ତତଃ ଥରେ କୀଟନାଶକ ଔଷଧ (ଯଦି ମଇଁଷିଙ୍କ ଦେହରେ ଟିଙ୍କ ବା ଉଙ୍କୁଣୀ ଥାଆନ୍ତି, ତେବେ ୧ ଭାଗରେ ୫୦୦ ଭାଗ ପାଣି ମିଶାଇ) ଲଗାଇବାର ୧ ଘଣ୍ଟା ପରେ ମଇଁଷିକୁ ଭଲ ଭାବରେ ଗାଧୋଇଦେବା ଦରକାର ।
  5. ଯଦି ମଇଁଷିମାନେ ବାହାରକୁ ଛଡ଼ା ନ ଯାଇ ଗୁହାଳରେ ସବୁବେଳେ ବନ୍ଧା ହେଉଥିବେ, ତେବେ ସେମାନଙ୍କୁ ଦିନରେ ଅନ୍ତତଃ ୨/୩ ଘଣ୍ଟା ପାଇଁ ବହାରକୁ ଛାଡ଼ିବା ଦରକାର । ତାହେଲେ ଗୁହାଳକୁ ଭଲଭାବରେ ପରିଷ୍କାର କରାଯାଇପାରିବ।

ମଇଁଷିମାନେ ଅଧିକାଂଶ ସମୟ ଗୁହାଳରେ କଟାଇଥାନ୍ତି ଏବଂ ସେହି ଗୁହାଳରେ ହିଁ ଖାଇବାକୁ, ପାଣି ପିଇବାକୁ ଦିଆଯିବା ସଙ୍ଗେ ସଙ୍ଗେ ଦୁଗ୍ଧ ଦୁହାଁ ଯାଇଥାଏ । ତେଣୁ ଗୁହାଳଟି ଯେତେ ପରିଷ୍କାର ପରିଚ୍ଛନ୍ନ ରହିବ, ଏମାନଙ୍କଠାରୁ ସେତିକି ଅଧିକ ଉତ୍ପାଦନ ମିଳିବ ଓ ପରିଷ୍କାର ଦୁଗ୍ଧ ଉତ୍ପାଦିତ ହୋଇପାରିବ । ତେଣୁ ଗୁହାଳକୁ ସବୁବେଳେ ପରିଷ୍କାର ପରିଛନ ରଖିବା ବିଧେୟ।

ଅଧିକ ଜାଣିବା ପାଇଁ - "ଓୟୁଏଟି"

ସଂଗୃହିତ  -

ମୂଳ ବିଷୟବସ୍ତୁ

  • ଡଃ ଅନ୍ତଃର୍ଯ୍ୟାମୀ ମହାନ୍ତି

ସଂଶୋଧିତ ବିଷୟବସ୍ତୁ

  • ଡଃ ଭାଗିରଥି ପ୍ରାଣିଗ୍ରାହୀ, ପ୍ରାଧ୍ୟାପକ, ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା ବିଭାଗ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ, ଭୁବନେଶ୍ଵର – ୭୫୧୦୦୩
3.11111111111
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top