ହୋମ / କୃଷି / ପ୍ରାଣୀ ଧନ / ମଇଁଷି ମାନଙ୍କ ପାଇଁ ଖାଦ୍ୟ ଓ ଖୁଆଇବା ପ୍ରଣାଳୀ
ସେଆର କରନ୍ତୁ

ମଇଁଷି ମାନଙ୍କ ପାଇଁ ଖାଦ୍ୟ ଓ ଖୁଆଇବା ପ୍ରଣାଳୀ

ମଇଁଷି ଓ ବାଛୁରୀ ମାନଙ୍କ ପାଇଁ ଖାଦ୍ୟ ଏବଂ ଖୁଆଇବା ପ୍ରଣାଳୀର ସୂଚନା ।

ବାଛୁରୀ ମାନଙ୍କୁ ଖୁଆଇବା ପ୍ରଣାଳୀ

ଜନ୍ମ ହେବା ପରେ ପରେ ବାଛୁରୀର ନାକ, ପାଟି ଓ ଦେହରେ ଲାଗିଥିବା ଲାଳ ଓ ରକ୍ତ ଇତ୍ୟାଦି ସଙ୍ଗେ ସଙ୍ଗେ ଏକ ସଫା କନାରେ ପୋଛିଦେବା ଉଚିତ୍ । ଯଦି ତାର ମା ଚାଟି ସଫାକରେ ତେବେ ପୋଛିବା ଦରକାର ପଡ଼ିନଥାଏ । କେତେକ ଚାଷୀ ପୋଛିବା ପରିବର୍ଭେ ବାଛୁରୀର ଦେହ ଉପରେ ଟିକେ ଲୁଣ ବଞ୍ଚି ଦେଇଥାନ୍ତି । ଏହାଦ୍ଵାରା ମାଆ ମଇଁଷି ଦେହରେ ଲାଗିଥିବା ଲାଳକୁ ଆଗ୍ରହ ସହକାରେ ଚାଟି ସଫା କରିଥାଏ । ଜନ୍ମ ହେବା କ୍ଷଣି ବାଛୁରୀର ନିଶ୍ଵାସ ପ୍ରଶ୍ଵାସ ହେଉଛି କି ନା ଦେଖିବା ଉଚିତ୍ । ଯଦି ଦରକାର ପଡ଼େ, ତେବେ କୃତ୍ରିମ ଉପାୟରେ ନିଶ୍ଵାସ ପ୍ରଶ୍ଵାସ କରାଇବା ଉଚିତ୍ । ଜନ୍ମ ହେବାର ଅଧ ଘଣ୍ଟା ଭିତରେ ବାଛୁରୀ ଠିଆ ହୋଇ ନ ପାରିଲେ ତାକୁ ଉଠିବା ପାଇଁ ସାହାଯ୍ୟ କରିବା ଉଚିତ୍ । ଜନ୍ମର ଏକ ଘଣ୍ଟାରୁ ଦୁଇ ଘଣ୍ଟା ମଧ୍ୟରେ ମଇଁଷିର କଷକ୍ଷୀର ଖାଇବା ଦ୍ଵାରା ବାଛୁରୀର ରୋଗ ନିରୋଧକ ଶକ୍ତି ବଢ଼ିଥାଏ ଏବଂ ତା’ର ପ୍ରଥମ କଳାରଙ୍ଗର ଝାଡ଼ା ସହଜରେ ନିର୍ଗତ ହୋଇଥାଏ ।

ଏହି ଝାଡ଼ା ନିର୍ଗତ ହୋଇ ନ ପାରିଲେ ବାଛୁରୀର ଦେହକୁ ଝାଡ଼ାରେ ଥିବା ବିଷ ଚାଲିଯାଏ । ଫଳରେ ବାଛୁରୀଟି ମରିଯାଏ । ଏହା ବ୍ୟତୀତ କଷକ୍ଷୀରରେ ଥିବା ଅଧିକ ପରିମାଣର ପୁଷ୍ଟିସାର, ଭିଟାମିନ୍ ଓ ଧାତବ ଲବଣ ବାଛୁରୀର ଶରୀର ବୃଦ୍ଧିରେ ସାହାଯ୍ୟ କରିଥାଏ । ସାଧାରଣ ଦୃଷ୍ଟିରେ ୪ ଭାଗ ପୁଷ୍ଟିସାର ଥିବାବେଳେ କଷକ୍ଷୀରରେ ୧୭ ଭାଗ ପର୍ଯ୍ୟନ୍ତ ପୁଷ୍ଟିସାର ରହିଥାଏ । ଜନ୍ମର ଦୁଇଘଣ୍ଟା ମଧ୍ୟରେ ବାଛୁରୀର ନାଭି ପଡ଼େ । ଏକ ବିଶୋଧିତ କ୍ଷୁର ବା କଇଁଚି ଦ୍ଵାରା କାଟି ପକାଇବା ଉଚିତ୍ । ନାଭିର ଦେଢ଼ ଇଞ୍ଚ ତଳକୁ ନାଲି ଫିତାରେ ଏକ ଗଣ୍ଠି ପକାଇ, ଗଣ୍ଠିର ତଳେ ନାଭିକୁ କଟାଯାଇ କଟା ଯାଗାରେ ଟିଂଚର ଆୟୋଡ଼ିନ୍ ବୋଳିଦେବା ଉଚିତ୍।

ସାଧାରଣତଃ କଷକ୍ଷୀର ୪-୫ ଦିନ ପର୍ଯ୍ୟନ୍ତ ବାଛୁରୀକୁ ଖାଇବାକୁ ଦିଆଯାଇଥାଏ । ଏହି କଷକ୍ଷୀରକୁ ବାଛୁରୀକୁ ଥରକେ ପେଟପୁରା ନ ଖୁଆଇ ଦିନକୁ ୪ ରୁ ୫ ଥର ଅଧାପେଟ କରି ଖୁଆଇବା ଉଚିତ୍ । ଏହାଦ୍ଵାରା ବାଛୁରୀକୁ ଝାଡ଼ା ହେବନାହିଁ । ପାଞ୍ଚଦିନ ପରେ ବାଛୁରୀକୁ ତା’ର ଶରୀର ଓଜନର ଏକ ଦଶମାଂସ କ୍ଷୀର ୧୦୦ ଫାରେନହାଇଟ୍ ଉତ୍ତାପରେ ଦିନକୁ ୩ ରୁ ୪ ଥର କରି ଖୁଆଇବା ଉଚିତ୍ । ଯଦି ବାଛୁରୀ ନିଜେ ମା ଠାରୁ କ୍ଷୀର ଖାଉଥାଏ, ତେବେ କ୍ଷୀର ଦୁହିଁଲା ବେଳେ କିଛି ପରିମାଣର କ୍ଷୀର ପହ୍ନାରେ ଛାଡ଼ିଦେଲେ ତାହା ବାଛୁରୀ ପାଇଁ ଯଥେଷ୍ଟ ହୋଇଥାଏ । ବାଛୁରୀ, ୨୧ ଦିନର ହୋଇଗଲେ ତାକୁ କଅଁଳ ଘାସ ଓ ଦାନା ଖାଇବା ପାଇଁ ଉପ୍ତାହିତ କରିବା ଉଚିତ୍ । ବାଛୁରୀ ଶୀଘ୍ର ଘାସ ଓ ଦାନା ଖାଇବା ଆରମ୍ଭ କଲେ ବାଛୁରୀର ପାକସ୍ଥଳୀର ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ତାର ହଜମ ପ୍ରକ୍ରିୟାରେ ଉନ୍ନତି ଘଟିଥାଏ । ଏହାଦ୍ଵାରା ପାକସ୍ଥଳୀ ଭିତରେ ଉତ୍ପନ୍ନ ହେଉଥିବା ବ୍ୟାକ୍ଟେରିଆ ଓ ପ୍ରୋଟୋଜୋଆ ଜୀବାଣୁ ଶୀଘ୍ର ସୃଷ୍ଟି ହୋଇ ବାଛୁରୀକୁ ସବୁ ପ୍ରକାର ଖାଦ୍ୟରୁ ଅଧିକ ପରିମାଣର ପୁଷ୍ଟିସାର ଓ ଶକ୍ତି (ଭର୍ଜା) ଯୋଗାଇଥାନ୍ତି । ଏହି ଜୀବାଣୁଗୁଡ଼ିକ ସୃଷ୍ଟି ହେବାପାଇଁ ଅନ୍ତତଃ ପକ୍ଷେ ୩-୪ ମାସ ସମୟ ଲାଗିଥାଏ ।

ବାଛୁରୀ ଦାନାରେ ଶତକଡ଼ା ୨୦ ଭାଗ ପୁଷ୍ଟିସାର ଓ ୭୦-୭୫ ଭାଗ ଶ୍ରେତସାର ରହିବା ଉଚିତ୍ । ଏହି ଦାନାକୁ ତା’ର ଶରୀର ଓଜନର ଶତକଡ଼ା ୧ ଭାଗ ହାରରେ ଦିଆଯାଇଥାଏ । ଏହି ଓଜନ ହୋଇଥିବା ଦାନାକୁ ଭାଗ କରି ଦିନକୁ ୨-୩ ଥର କରି ଖୁଆଇଲେ ଅଧିକ ଫଳପ୍ରଦ ହୋଇଥାଏ । ନିମ୍ନଲିଖିତ ପରିମାଣର ଉପାଦାନମାନ ନେଇ ବାଛୁରୀ ପାଇଁ ଦାନା ତିଆରି କରାଯାଇପାରେ ।

ବାଛୁରୀ ପାଇଁ ଉପଯୁକ୍ତ ଦାନା (୧୦୦ ଦାନା ପାଇଁ)

ବିଭିନ୍ନ ଉପାଦାନ

ପରିମାଣ

ମକା କିମ୍ବା ବାର୍ଲି

୪୭ ଭାଗ

ଚିନାବାଦାମୀ ପିଡ଼ିଆ

୪୦ ଭାଗ

ଗୁଡ଼

୧୦ ଭାଗ

ଧାତବ ଲବଣ

୨ ଭାଗ

ଲୁଣ

୧ ଭାଗ

 

ବାଛୁରୀ କ୍ଷୀର ପିଉଅଛି ଭାବି ଅନେକ ଚାଷୀ ବାଛୁରୀକୁ ପାଣି ପିଇବାକୁ ଦେଇ ନଥାନ୍ତି । ମାତ୍ର ବାଛୁରୀ କ୍ଷୀର ପିଉଥିଲେ ମଧ୍ୟ ତାକୁ ଯଥେଷ୍ଟ ପରିମାଣର ଜଳ ପିଇବାକୁ ଦେବା ଉଚିତ୍ । ଯଥେଷ୍ଟ ଜଳ ଅଭାବରୁ ବାଛୁରୀର ଖାଦ୍ୟ ଠିକ୍ ଭାବରେ ହଜମ ହୋଇପାରେ ନାହିଁ । ପରିଶେଷରେ ବାଛୁରୀ ଭଲ ଭାବରେ ବଢ଼ିପାରେ ନାହିଁ । ବାଛୁରୀର ଖାଦ୍ୟରେ ଯବନିକା କ ଓ ଘ, ଧାତବ ଲବଣ ତଥା ଖାଇବା ଲୁଣ ରହିବା ଉଚିତ୍ । ପ୍ରତି ବାଛୁରୀକୁ ୩୦ ଗ୍ରାମ୍ ହିସାବରେ ଲୁଣ ଖାଇବାକୁ ଦିଆଯାଇଥାଏ । ବାଛୁରୀକୁ ଯଥେଷ୍ଟ ପରିମାଣର କଅଁଳ ଘାସ, ନଡ଼ା ଏବଂ ଖଣି ପକା ଘାସ ଇତ୍ୟାଦି ଖାଇବାକୁ ଦେବା ଉଚିତ୍ । ଏହା ବ୍ୟତୀତ ବାଛୁରୀକୁ ନଡ଼ା ମଧ୍ୟ ଖାଇବାକୁ ଦିଆଯାଇପାରେ ।

ବାଛୁରୀ ୩ ଦିନର ହୋଇଥିବା ବେଳେ ତାକୁ କୃମିନାଶକ ଔଷଧ ଯଥା ପାଇପରାଜିନ୍ ଏଡ଼ିପେଟ୍ ବା ପାଇପରାଜିନ୍ ସାଇଟ୍ରେଟ୍ ଖୁଆଇବା ଉଚିତ୍ । ବାଛୁରୀ ୮ ଦିନର ହୋଇଗଲେ ତାକୁ ୪ ଦିନ ପର୍ଯ୍ୟନ୍ତ ସଲ୍‌ଫା ବୋଲସ୍ ଔଷଧ ଖୁଆଇ କକ୍‌ସିଡ଼ିଓସିସ୍ ରୋଗରୁ ମୁକ୍ତ ରଖିବା ଉଚିତ୍ । ତିନି ମାସ ବୟସରେ ବାଛୁରୀକୁ ଭିମେରାଲ୍ ସିରପ୍ ଔଷଧ ଖୁଆଯାଇଥାଏ । ଏହି ଔଷଧକୁ କ୍ଷୀରରେ ମିଶାଇ ଖାଇବାକୁ ଦିଆଯାଇଥାଏ । ଏହା ବାଛୁରୀର ଅଧିକ ଶରୀର ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବାଛୁରୀକୁ ଝାଡ଼ା ରୋଗ ତଥା ଅନ୍ୟାନ୍ୟ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ । ଉପଯୁକ୍ତ ଯତ୍ନ କରି ପାରିଲେ ଗୋଟିଏ ମାସିକିଆ ମଇଁଷି ବାଛୁରୀର ଦୈନିକ ହାରାହାରି ୪୦୦ ଗ୍ରାମ୍ ପର୍ଯ୍ୟନ୍ତ ଶରୀରରେ ବୃଦ୍ଧି ଘଟିଥାଏ । ଏହି ଶରୀର ବୃଦ୍ଧି ହାର ଗ୍ରୀଷ୍ମଋତୁରେ ଅନ୍ୟ ଋତୁ ଅପେକ୍ଷା ବିଶେଷ ଭାବେ ବାଧାପ୍ରାପ୍ତ ହୋଇଥାଏ । ଏଣୁ ଗ୍ରୀଷ୍ମ ଋତୁରେ ବାଛୁରୀର ଅଧିକ ଯତ୍ନ ନେବା ଉଚିତ୍ ।

ବର୍ଦ୍ଧିଷ୍ଣୁ ବାଛୁରୀମାନଙ୍କୁ ଖୁଆଇବା ପ୍ରଣାଳୀ ଓ ଖାଦ୍ୟ ନିର୍ଘଣ୍ଟ

୬ ମାସ ବୟସ ବେଳକୁ ରୋମନ୍ଥିକା କାର୍ଯ୍ୟକ୍ଷମ ହୋଇଥାଏ ଓ ସେତେବେଳେ ବାଛୁରୀମାନେ ବଡ଼ ଗୋରୁଗାଈଙ୍କ ପରି ସବୁ ଖାଦ୍ୟ ଖାଇପାରିବେ । ଭଲ ଭାବରେ ବଢ଼ିବା ପାଇଁ ବର୍ଦ୍ଧିଷ୍ଣୁ ବାଛୁରୀମାନଙ୍କୁ ଯଥେଷ୍ଟ ପରିମାଣ ଉନ୍ନତ ଧରଣର ମୋଟା ରୋଟା ଖାଦ୍ୟ ଦେବା ଦରକାର । ଭଲ ଖାଇବାକୁ ନ ଦେଲେ ବାଛୁରୀମାନେ ଡେରିରେ ପ୍ରଜନନ କ୍ଷମ ହୋଇଥାନ୍ତି । ବର୍ଷକରୁ ଅଧିକ ବୟସର ବାଛୁରୀମାନଙ୍କୁ ଯଥେଷ୍ଟ ପରିମାଣ ଉନ୍ନତ ଧରଣର ମୋଟାରୋଟା ଖାଦ୍ୟ ଦେଲେ, ସୁଷମ ଦାନା କମ୍ ଦେବାକୁ ପଡ଼େ ଓ ଏ ବାବଦ ଖର୍ଚ୍ଚ କମିଯାଏ ।

ବୟସ (ମାସରେ)

ହାରାହାରି ଶାରୀରିକ ଓଜନ (କିଲୋରେ)

ସୁଷମ ଦାନା (କିଲୋରେ)

ଘାସ  (କିଲୋରେ)

୬ – ୯

୭୦ – ୧୦୦

୧.୨୫ – ୨.୫

୫ – ୮

୯ – ୧୫

୧୦୦ - ୧୫୦

୧.୫ – ୨.୦

୮ – ୧୫

୧୫ – ୨୦

୧୫୦ – ୨୦୦

୨.୦ – ୨.୨୫

୧୫ – ୨୦

୨୦ରୁ ଊର୍ଦ୍ଧ୍ଵ

୨୦୦ – ୩୦୦

୨.୨୫ – ୨.୫

୨୦ – ୨୫

 

ଦାନାଗୁଡ଼ିକ ନାମଜାଦା କମ୍ପାନୀମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇ ସୁଷମ ଦାନା ଭାବରେ ବଜାରରେ ବିକ୍ରୀ କରାଯାଉଛି । ମାତ୍ର ଏଥିରେ ଅଧିକ ଖାଦ୍ୟପ୍ରାଣ ଓ ଧାତବ ମିଶ୍ରଣ ମିଶାଇବାକୁ ପଡ଼ିବ ।

ଦୁଧିଆଳୀ ମଇଁଷିର ଖାଦ୍ୟ

ଅଧିକ ଦୁଗ୍ଧ ପାଇବା ସକାଶେ ଗର୍ଭଧାରଣ ପରଠାରୁ ମଇଁଷିମାନଙ୍କ ପ୍ରତି ବିଶେଷ ଧାନ ଦେବା ଉଚିତ୍ । ଗର୍ଭଧାରଣ ଛଅ ମାସ ପରେ ମଇଁଷିଙ୍କୁ ତାର ଜୀବନ ଧାରଣ ଓ କ୍ଷୀର ପାଇଁ ଦିଆଯାଉଥିବା ଦାନା ସହିତ ଗର୍ଭପାଇଁ ଦାନା ନିମ୍ନଲିଖିତହାରରେ ଖାଇବାକୁ ଦେବା ଆବଶ୍ୟକ ।

ଜୀବନ ଧାରଣ ପାଇଁ ଦାନା ପ୍ରତି ୧୦୦ କିଲୋ ଶରୀର ଓଜନ ପାଇଁ ଅଧା କିଲେ। ହିସାବରେ । ଦୁଗ୍ଧ ପାଇଁ ଦାନା – ପ୍ରତି ୨ କିଲୋ, କ୍ଷୀର ପାଇଁ ୧ କିଲୋ । ଗର୍ଭପାଇଁ ଦାନା – ଜୀବନ ଧାରଣ ଓ କ୍ଷୀର ପାଇଁ ଦିଆଯାଉଥିବା ଦାନା ସହିତ ଗର୍ଭ ପାଇଁ ୧ କିଲୋ ଅଧିକ ।

ଏହି ହାରରେ ଦାନା ଦେବା ସହିତ ଦୈନିକ ୭-୮ କିଲୋ ନଡ଼ା କିମ୍ବା ୩୦-୩୨ କିଲୋ ଘାସ ଖାଇବାକୁ ଦେବା ଉଚିତ୍ । ଦାନାରେ ଜୀବନିକା କ ଓ ଘ, ଧାତବ ଲବଣ ଓ ଲୁଣ ରହିବା ଆବଶ୍ୟକ । ଏହି ଦାନାରେ ଶତକଡ଼ା ୧୨ ରୁ ୧୫ ଭାଗ ପୁଷ୍ଟିସାର ଓ ୬୫ ରୁ ୭୦ ଭାଗ ଶ୍ଵେତସାର ରହିବା ଆବଶ୍ୟକ । ଜନ୍ମ କରିବାର ୧୫ ଦିନ ପୂର୍ବରୁ ମଇଁଷିକୁ ଏକ ସ୍ଵତନ୍ତ୍ର କୋଠରୀକୁ ସ୍ଥାନାନ୍ତରିତ କରିବା ଉଚିତ୍ । ସ୍ଥାନାନ୍ତରିତ କରିବା ପୂର୍ବରୁ ଘରଟିକୁ ଫିନାଇଲ୍ ପାଣିରେ ଧୋଇବା ଦରକାର । ମଇଁଷି ଶୋଇବା ପାଇଁ ଦୈନିକ ସଫା ନଡ଼ା କୋଠରୀରେ ବିଛାଇବା ଦରକାର । ଏହି ସମୟରେ ମଇଁଷିକୁ ଦୈନିକ ହାରାହାରି ୪ କିଲୋ ପର୍ଯ୍ୟନ୍ତ ଅଧିକ ଶର୍କରାଯୁକ୍ତ ଦାନା ଖାଇବାକୁ ଦେବା ଉଚିତ୍ । ଏହି ଦାନା ମଇଁଷିର ଗର୍ଭାଶୟରେ ଥିବା ବାଛୁରୀର ଶରୀର ବୃଦ୍ଧି ଘଟାଇବାରେ ସାହାଯ୍ୟ କରିଥାଏ । ଏହାଦ୍ଵାରା ଏକ ସୁସ୍ଥ, ସବଳ ଓ ନିରୋଗ ବାଛୁରୀ ଜନ୍ମ ହୋଇଥାଏ ଏବଂ ମଇଁଷିଟି ଅଧିକ ଦୁଗ୍ଧ ଦେବା ପାଇଁ ସକ୍ଷମ ହୋଇଥାଏ । ପ୍ରସବ କରିବାର ଅନ୍ତତଃ ୬୦ ଦିନ ଆଗରୁ ମଇଁଷିକୁ ଦୁଧ ଛଡ଼ାଇ ଦେବା ଉଚିତ୍ । ଗର୍ଭଧାରଣ ସମୟରେ ମଇଁଷିର ଦୁର୍ଘଟଣା ଜନିତ ଗର୍ଭପାତ ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ । ଜନ୍ମ କରିବା ସମୟରେ ପାଖରେ ରହି ମଇଁଷି ଏବଂ ତାର ଛୁଆର ବିଶେଷ ଯତ୍ନ ନେବା ଆବଶ୍ୟକ ।

ଅଣ୍ଡିରା ମଇଁଷି ବା ବିକାରର ଖାଦ୍ୟ

ଉନ୍ନତମାନର ଶୁକ୍ର ପାଇବା ନିମିତ୍ତ ବିଜାରକୁ ଅଧିକ ପୃଷ୍ଟିସାରଯୁକ୍ତ ଦାନା ଖୁଆଇବା ଉଚିତ୍ । ପ୍ରଜନନ ସମୟରେ ବିଜାରକୁ ତାର ଜୀବନଧାରଣ ପାଇଁ ଦିଆଯାଉଥାଏ ଦାନା (ତାର ଶରୀର ଓଜନର ଶତକଡ଼ା ୨.୫ ରୁ ୩ କିଲୋହାରରେ ଶୁଷ୍କ ଖାଦ୍ୟ) ବ୍ୟତୀତ ଭଲ ପ୍ରଜନନକ୍ଷମ କରିବା ସକାଶେ ବିଜାର ପ୍ରତି ଦୈନିକ ୨ କିଲେ। ଅଧିକ ଦାନା ଖୁଆଇବା ଉଚିତ୍ । ଦାନା ସହିତ ଘାସ, ନଡ଼ା ଓ ଖଣି ପକା ଘାସ ଇତ୍ୟାଦି ଖୁଆଇବା ଉଚିତ୍ ।

ମଇଁଷିମାନଙ୍କର ପ୍ରଜନନ ପ୍ରକ୍ରିୟା

ମଇଁଷିମାନେ ସେମାନଙ୍କର ଉଷ୍ଣ ଜଳବାୟୁ ସହ୍ୟ କରିବାର କ୍ଷମତା ସହିତ ତନ୍ତୁଜ ବହୁଳ ଉଭିଦ ଜାତୀୟ ଖାଦ୍ୟକୁ ଦୁଗ୍ଧରେ ରୂପାନ୍ତରିତ କରିବାର ଦକ୍ଷତା ପାଇଁ ଭଲ ଭାବରେ ଜଣାଶୁଣା । କିନ୍ତୁ ଏହି ଉତ୍ପାଦନ ଦକ୍ଷତା ସେମାନଙ୍କର ନିମ୍ନମାନର ପ୍ରଜନନ କ୍ଷମତା ଦ୍ଵାରା ପ୍ରତିକୂଳ ଭାବେ ପ୍ରଭାବିତ ହୋଇଥାଏ । ସେମାନଙ୍କର ନିମ୍ନମାନର ପ୍ରଜନନ କ୍ଷମତା ନିମ୍ନ ଲିଖିତତଥ୍ୟ ବଳୀରୁ ଜଣାପଡ଼େ । ସେଗୁଡ଼ିକ ହେଲା –

  1. ସୁନ୍ଥି ଶାରୀରିକ ଅଭିବୃଦ୍ଧି ହାର,
  2. ବିଳମ୍ବିତ ଯୌନ ପରିପକୃତା,
  3. ଅଧିକ ବୟସରେ ପ୍ରଥମ ବାଛୁରୀ ଜନ୍ମ ଦେବା,
  4. ଗରମକୁ ଆସିବାର କ୍ଷୀଣ ଲକ୍ଷଣ,
  5. ସ୍ୱଳ୍ପ ଗର୍ଭଧାରଣ ହାର,
  6. ପ୍ରସବ ପରେ ପୁନଶ୍ଚ ଗରମକୁ ଆସିବାରେ ବିଳମ୍ବ ଓ
  7. ବାଛୁରୀ ଜନ୍ମ ଦେବାରେ ଅଧିକ ସମୟ ବ୍ୟବଧାନ ।

ଗୃହପାଳିତ ମଇଁଷିମାନଙ୍କର ଏହି ପ୍ରକାର ଗୁଣାବଳୀ ବିଶେଷତଃ ଏସୀୟ ଦେଶମାନଙ୍କରେ ପ୍ରଭୃତଃ ଅର୍ଥନୈତିକ କ୍ଷତି ଘଟାଇଥାଏ । କାରଣ ପୃଥିବୀର ସମସ୍ତ ମଇଁଷି ସଂଖ୍ୟାର ହାରାହାରି ୯୫ ପ୍ରତିଶତ। ଏହି ଦେଶମାନଙ୍କରେ ଥାଆନ୍ତି । ପୁନଶ୍ଚ, ଯେହେତୁ ପୃଥିବୀର ଏକ ଷଷ୍ଠାଂଶ ମଇଁଷି ଭାରତରେ ଥାଆନ୍ତି ଏବଂ ଏହି ଦେଶରେ ଅଧାରୁ ଅଧିକ ଉତ୍ପାଦିତ ଦୁଗ୍ଧ ମଇଁଷିମାନଙ୍କ ଠାରୁ ହିଁ ମିଳିଥାଏ । ଭାରତରେ ଏହି କ୍ଷତିର ପରିମାଣ ସହଜରେ ଅନୁମେୟ ।

ଋତୁ ଭିତ୍ତିକ ପ୍ରଜନନ ଚକ୍ର ଏବଂ ବାଛୁରୀ ଜନ୍ମ ଦେବାର ଅଧିକ ବ୍ୟବଧାନ ଭଳି କାରଣମାନ ଅନୁକୂଳ ଋତୁରେ (ଯେଉଁ ସମୟରେ ତ୍ରଣାଦି ପଶୁ ଖାଦ୍ୟ ପ୍ରଚୁର ଭାବରେ ମିଳେ) ବାଛୁରୀ ଜନ୍ମ କରିବାରେ ବିଶେଷ ଅସୁବିଧା ଘଟାଇଥାଏ । ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଯତ୍ନ ଦ୍ଵାରା ଏଭଳି ପରିସ୍ଥିତିକୁ ସୁଧୁରା ଯାଇପାରେ । କିନ୍ତୁ ଦୁଃଖର ବିଷୟ ଯେ ମଇଁଷିମାନଙ୍କର ପ୍ରଜନନ ସମ୍ବନ୍ଧୀୟ ଆଚରଣ ସମ୍ପୁର୍ଣ୍ଣ ରୂପେ ଅନୁଧାନ କରାଯାଇ ନାହିଁ । ଏକ ଅନୁଧ୍ୟାନରୁ ମୋଟାମୋଟି ଭାବରେ ଜଣାଯାଇଛି ଯେ ପାରମ୍ପରିକ ଭିଭିରେ ପାଳିତ ହେଉଥିବା ମଇଁଷିମାନେ ୩-୪ ବର୍ଷ ବ୍ୟବଧାନରେ ବାଛୁରୀ ଜନ୍ମ କରୁଥିବା ବେଳେ କେତେକ ଉନ୍ନତମାନର ମଇଁଷି ପାଳନ କେନ୍ଦ୍ରମାନଙ୍କରେ ଏହି ବ୍ୟବଧାନ ୧୪ ରୁ ୧୬ ମାସ ମଧ୍ୟରେ ସିମୀତ ହୋଇଥାଏ । ଆହୁରି ମଧ୍ୟ ଜଣାଯାଇଛି ଯେ ମଇଁଷିମାନେ ପ୍ରଥମ ବାଛୁରୀ ୩ ବର୍ଷ ଭଳି କମ୍ ବୟସରେ ଦେଇ ପାରୁଥିଲେ ହେଁ ଅଧିକାଂଶ କ୍ଷେତ୍ରରେ ଏହି ବୟସ ୫ ବର୍ଷ ପର୍ଯ୍ୟନ୍ତ ବିଳମ୍ବିତ ହୋଇଥାଏ । ଅଣ୍ଡିରା ମଇଁଷିମାନେ ୩-୪ ବର୍ଷ ବୟସରେ ପ୍ରଜନନକ୍ଷମ ହୋଇଥାନ୍ତି ।

ମଇଁଷିମାନଙ୍କର ପ୍ରଜନନ ସମ୍ବନ୍ଧୀୟ କେତେକ ବିଶେଷ ତଥ୍ୟ ନିମ୍ନରେ ପ୍ରଦର କରାଗଲା I

  1. ଯୌନ ପରିପକ୍ଵତା
  2. ଏହି ଅବସ୍ଥାରେ ପ୍ରଜନନ ଇନ୍ଦ୍ରୀୟ ଗୁଡ଼ିକର ବୃଦ୍ଧି ଓ ବିକାଶ ଘଟିବା ଫଳରେ ମଇଁଷି ପ୍ରଜନନ ଓ ଗର୍ଭଧାରଣକ୍ଷମ ହୋଇଥାଏ । ଯେଉଁ ବୟସରେ ଯୌନ ପରିପକ୍ଵତା ଘଟିଥାଏ। ସେଥିରେ ବହୁତ ତାରତମ୍ୟ ଦେଖାଯାଇଥାଏ । ପୁଷ୍ଟିକର ଖାଦ୍ୟ ଓ ଉନ୍ନତମାନର ରକ୍ଷଣାବେକ୍ଷଣ ଏହି ବୟସକୁ କମାଇବାରେ ସାହାଯ୍ୟ କରିଥାଏ । ମଇଁଷିମାନେ ୨ ରୁ ୪ ବର୍ଷ ବୟସରେ ଯୌନ ପରିପକ୍ଵତା ପ୍ରାପ୍ତି କରିଥାନ୍ତି । ସେହିପରି ପ୍ରଥମ ବାଛୁରୀ ଜନ୍ମ କରିବାର ବୟସରେ ମଧ୍ୟ ବହୁତ ତାରତମ୍ୟ ପରିଲକ୍ଷିତ ହୋଇଥାଏ । ଏହି ବୟସ ୩୫ ରୁ ୬୦ ମାସ ଏବଂ ହାରାହାରି ଭାବେ ୪୦ ମାସ ହୋଇଥାଏ । ଅଣ୍ଡିରା ମଇଁଷିମାନଙ୍କର ଯୌନ ପରିପକ୍ଵତା ୨୬/୨୭ ମାସ ବୟସର ପ୍ରାପ୍ତି ହୋଇଥାଏ । ଯଦିବା ଏହା ଠାରୁ କମ୍ ବୟସରେ ସେମାନଙ୍କର ପରିପକ୍ଵତା ଆସିଥାଏ। ତଥାପି ସେମାନଙ୍କୁ ସଙ୍ଗମ ପାଇଁ ବ୍ୟବହାର କରାଯାଇ ନପାରେ । କାରଣ ଏହାଦ୍ଵାରା ଗର୍ଭଧାରଣ ହାର ହ୍ରାସ ପାଇଥାଏ । ଉନ୍ନତମାନର ପୁଷ୍ଟିସାଧନ ଓ ରକ୍ଷଣାବେକ୍ଷଣ ଦ୍ଵାରା ସେମାନଙ୍କର ଶାରିରୀକ ଅଭିବୃଦ୍ଧି ଘଟିଥାଏ । ଏପରି କ୍ଷେତ୍ରରେ ୨ ବର୍ଷ ବା ତାହାଠାରୁ କମ୍ ବୟସରେ ସେମାନଙ୍କୁ ପ୍ରଜନନରେ ବ୍ୟବହାର କରାଯାଇପାରେ । ମଇଁଷି ଷଣ୍ଢମାନେ ୧୦ ରୁ ୧୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରଜନନକ୍ଷମ ରହିପାରନ୍ତି ।

  3. ଋତୁଚକ୍ର
  4. ଗୋଟିଏ ଗରମ ଠାରୁ ପରବର୍ତ୍ତୀ ଗରମ ପର୍ଯ୍ୟନ୍ତ ସମୟ ବ୍ୟବଧାନକୁ ଋତୁଚକ୍ର କୁହାଯାଏ । ମଇଁଷିମାନଙ୍କର ଋତୁଚକ୍ର, ୨୦ ରୁ ୩୦ ଦିନ ଏବଂ ହାରାହାରି ଭାବେ ୨୧ ଦିନ । ଋତୁଚକ୍ର ଉପରେ ଖାଦ୍ୟ ପୁଷ୍ଟିର ବିଶେଷ ପ୍ରଭାବ ନଥିଲେ ମଧ୍ୟ ଉନ୍ନତମାନର ଖାଦ୍ୟ ଗର୍ଭଧାରଣ ହାର ବଢ଼ାଇଥାଏ । ମଇଁଷିମାନଙ୍କର ଗରମ ସମୟ ୧୨ ଘଣ୍ଟାରୁ ୩୦ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ଦେଖାଯାଇଛି ଯେ ଏହି ଗରମ ଶୀତ ଦିନରେ ସବୁଠାରୁ ବେଶୀ ସମୟ, ବର୍ଷା ଦିନରେ ତା ଠାରୁ କମ୍ ସମୟ ଓ ଖରାଦିନରେ ସବୁଠାରୁ କମ୍ ସମୟ ରୁହେ । ପ୍ରଜନନ ଠିକ୍ ସମୟରେ କରାଗଲେ ଗର୍ଭ ରଖିବାର ସମ୍ଭାବନା ବେଶୀ ଥାଏ । ମଇଁଷିର ଗରମ ରହିବାର ମଧ୍ୟ ବା ଶେଷ ଭାଗରେ ପ୍ରଜନନ କରାଯିବା ଉଚିତ୍ ।

ମଇଁଷିର ଗରମ ହେବା ଲକ୍ଷଣ

ଗାଈ ଭଳି ମଇଁଷିମାନେ ମଧ୍ୟ ଗରମକୁ ଆସିଲେ କେତେକ ଲକ୍ଷଣ ପ୍ରକାଶ କରିଥାନ୍ତି । କିନ୍ତୁ ମଇଁଷିମାନଙ୍କ କ୍ଷେତ୍ରରେ ଏହି ଲକ୍ଷଣ ଗୁଡ଼ିକ ଏତେ ସ୍ପଷ୍ଟ ହୋଇ ନଥାଏ । ଏହାକୁ ଚୋରା ଗରମ କୁହାଯାଏ । ଗ୍ରୀଷ୍ମ ଋତୁରେ ଏହି ଲକ୍ଷଣଗୁଡ଼ିକ ଆହୁରି ଅଧିକ ଅସ୍ପଷ୍ଟ ହୋଇଥାଏ ।

ମଇଁଷିର ଗରମକୁ ଆସିବାର ଲକ୍ଷଣଗୁଡ଼ିକ ହେଲା –

  • ଅସ୍ଥିରତା
  • ହୟାଳି ଛାଡ଼ିବା
  • କ୍ଷୀର କମାଇ ଦେବା
  • କ୍ଷୁଧା ହ୍ରାସ ପାଇବା
  • ଅଣ୍ଡିରା ମଇଁଷିର ଡାକକୁ ଉତ୍ତର ଦେବା
  • ଅନ୍ୟ ମଇଁଷିଙ୍କ ଉପରେ ଚଢ଼ିବା ଓ ନିଜ ଉପରକୁ ଚଢ଼ିବାକୁ ଦେବା
  • ବାରମ୍ବାର ପରିସ୍ରା କରିବା
  • ଯୋନି ଦ୍ଵାର ଫୁଲିଯିବା ଓ ଯୋନି ଦ୍ଵାର ଭିତର ଲାଲ ଦେଖାଯିବା
  • ଜରାୟୁ ଦ୍ଵାର ମେଲା ରହିବା,
  • ଯୋନି ଭିତରୁ ଝିଲ୍ଲା ନିସୃତ ହେବା ଏବଂ
  • ଦୁହିଁ ସାରିବା ପରେ ମଧ୍ୟ ଚିରଗୁଡ଼ିକ ଫୁଲି ରହିବା ଇତ୍ୟାଦି ।

ଦର୍ଶାଯାଇଛି ଯେ ଏହିସବୁ ଲକ୍ଷଣଗୁଡ଼ିକ ମଧ୍ୟରୁ ବାରମ୍ବାର ପରିସ୍ରା କରିବା ହେଉଛି ମଇଁଷି ଗରମକୁ ଆସିବାର ଜାଣିବା ପାଇଁ ସବୁଠାରୁ ସୁବିଧାଜନକ ଓ ବିଶ୍ଵସନୀୟ ଲକ୍ଷଣ । ଏହାର କାରଣ ଗୁଡ଼ିକ ହେଲା –

  • ଏହା ବର୍ଷର ସବୁ ଋତୁରେ ଦେଖାଯାଏ।
  • ଏହି ଲକ୍ଷଣ ଜାଣିବା ଚାଷୀ ପାଖରେ ଅତି ସହଜ,
  • ଅନ୍ୟ କେତେକ ଲକ୍ଷଣ ଭଳି ଏହା ପ୍ରକୃତ ଗରମର ପୂର୍ବାବସ୍ଥାରେ ଦେଖାଯାଏ ନାହିଁ,
  • ଗ୍ରୀଷ୍ମଋତୁରେ ଯେତେବେଳେ କି ଅନ୍ୟସବୁ ଲକ୍ଷଣ ସାଧାରଣତଃ ଦେଖାଯାଏ ନାହିଁ ବା ଅତି କ୍ଷୀଣ ଭାବର ଦେଖାଯାଏ, ସେତେବେଳେ ମଧ୍ୟ ଏହା ଦେଖାଯାଏ,
  • ଅତି ଦୁର୍ବଳ ଗରମରେ ମଧ୍ୟ ଏହା ଦେଖାଯାଏ ଏବଂ
  • ପ୍ରସବ ପରେ ପୁଣି ଗରମକୁ ଆସିଲେ ଜାଣିବାରେ ସହାୟକ ହୋଇଥାଏ ।

ଜରାୟୁ ଦ୍ଵାରରୁ ଯୋନି ମଧ୍ୟ ଦେଇ ନିସୃତ ଝିଲ୍ଲୀର ପ୍ରକାର ଭେଦ, ମଇଁଷିକୁ ଠିକଣା ସମୟରେ ପ୍ରଜନନ କରିବାରେ ସାହାଯ୍ୟ କରିଥାଏ । ମଇଁଷି ଗରମକୁ ଆସିବାର ପ୍ରଥମାବସ୍ଥାରେ ଏହି ଝିଲ୍ଲୀ ନିର୍ମଳ, ମଧ୍ୟମାବସ୍ଥାରେ ଗୋଳିଆ ଓ ବହଳିଆ ଏବଂ ଶେଷାବସ୍ଥାରେ ଅଧିକ ବହଳିଆ ଓ ଅସ୍ଵଚ୍ଛ ଦେଖାଯାଏ । ଝିଲ୍ଲାର ଏହି ପ୍ରଥମ ଓ ମଧ୍ୟମାବସ୍ଥା ସମୟ ମଧ୍ୟରେ କୃତ୍ରିମ ପ୍ରଜନନ କରାଗଲେ ଗର୍ଭ ରଖିବାର ହାର ବୃଦ୍ଧି ପାଇଥାଏ । ଅନ୍ୟ ଏକ ଲକ୍ଷଣ ହେଉଛି ଯେ, ମଇଁଷିର ପ୍ରକୃତ ଗର୍ଭାବସ୍ଥାରେ ଏହି ଝିଲ୍ଲା ସବୁଠାରୁ ଅଧିକ ଇଲାଷ୍ଟିକ୍ ପରି ଟାଣି ହୋଇପାରେ । ତେବେ ମନେ ରଖିବା ଉଚିତ୍ ଯେ ଝିଲ୍ଲାର ଏହି ପ୍ରକାର ଭେଦ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର ନ କରି ମଇଁଷିର ଠିକ୍ ଗରମ ସମୟ ଜାଣିବା ପାଇଁ ଉପରୋକ୍ତ ଅନ୍ୟାନ୍ୟ ଲକ୍ଷଣ  ସହିତ ଏହାକୁ ବିଚାରକୁ ନିଆଯିବା ଉଚିତ୍ । ଯାହାଦ୍ଵାରା କି କୃତ୍ରିମ ପ୍ରଜନନ ଠିକ୍ ସମୟରେ କରାଯାଇପାରିବ । ଦେଖାଯାଇଛି ଯେ ଅଧିକାଂଶ ମଇଁଷ ରାତିଅଧରୁ ପାହାନ୍ତା ମଧ୍ୟରେ ଗରମକୁ ଆସିବାର ଲକ୍ଷଣ ପ୍ରକାଶ କରିଥାନ୍ତି ।

  1. ପ୍ରସବ ପରବର୍ତ୍ତୀକାଳୀନ ଋତୁଚକ୍ର
  2. ଥରେ ପ୍ରସବ କଲାପରେ ପୁଣି ଥରେ ଗରମକୁ ଆସିବା ପାଇଁ ଯେଉଁ ସମୟ ଲାଗେ। ସେଥିରେ ବହୁତ ତାରତମ୍ୟ ଦେଖାଯାଇଥାଏ । ଏହି ସମୟ ସାଧାରଣତଃ ୨ ରୁ ୩ ମାସ ଏବଂ ଅନେକ କ୍ଷେତ୍ରରେ ୪ ମାସ ବା ତଦୁର୍ଦ୍ଧ୍ଵ ହୋଇଥାଏ । ପୁଣି ଗରମକୁ ଆସିବା ପାଇଁ ଅଧିକ ସମୟ ନେବା ହେଉଛି ମଇଁଷିମାନଙ୍କର ଉତ୍ପାଦନ କ୍ଷମତା ହ୍ରାସର ଅନ୍ୟ ଏକ ବଡ଼ କାରଣ । ଗର୍ଭାବସ୍ଥାରେ ଉନ୍ନତ ମାନର ପୁଷ୍ଟିକର ଖାଦ୍ୟ ଏବଂ ଜନ୍ମ କଲାପରେ ଅଳ୍ପ ଦିନ ଭିତରେ ବାଛୁରୀକୁ ପହ୍ନା ଛଡ଼ା କରାଇବା ଭଳି ପଦକ୍ଷେପ ମାନ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ ସହାୟକ ହୋଇଥାଏ ।

    ବାଛୁରୀ ଜନ୍ମ କରିବା ଠାରୁ ପୁଣି ଥରେ ଗର୍ଭ ଧାରଣ କରିବାର ମଧ୍ୟବର୍ତ୍ତୀ ସମୟ ମଇଁଷି ମାନଙ୍କ କ୍ଷେତ୍ରରେ ଅଧିକ ଯାହାକି ୩ ରୁ ୭ ମାସ ପର୍ଯ୍ୟନ୍ତ ହୋଇଥାଏ । ଏହି କାରଣରୁ ମଇଁଷିମାନଙ୍କର ଉତ୍ପାଦନ କ୍ଷମତା ବିଶେଷ ଭାବରେ ହ୍ରାସ ପାଇଥାଏ । ସାଧାରଣତଃ ଶୀତ ଦିନରେ ଗର୍ଭଧାରଣ ହାର ବେଶୀ ଥାଏ । ଗର୍ଭ ଧାରଣ ପାଇଁ ୨ ରୁ ୩ ଥର ସଙ୍ଗମ କରାଇବା ଦରକାର ହୋଇଥାଏ ।

    ମଇଁଷିର ଗର୍ଭଧାରଣ କାଳ ୩୧୦ ରୁ ୩୨୦ ଦିନ ଯାହାକି ଗାଈମାନଙ୍କ ଠାରୁ ଅଧିକ । ପ୍ରସବ କରିବା ପରେ ପୁଣି ଗରମକୁ ଆସିବାରେ ବିଳମ୍ବ ହେତୁ ମଇଁଷି ମାନଙ୍କ କ୍ଷେତ୍ରରେ ଦୁଇଟି ବାଛୁରୀ ଜନ୍ମ କରିବାର ସମୟ ବ୍ୟବଧାନ ମଧ୍ୟ ଅଧିକ, ଯାହାକି ୧୫ ରୁ ୨୦ ମାସ ମଧ୍ୟରେ ହୋଇଥାଏ । ତେବେ ଦେଖାଯାଇଛି ଯେ, ଗୋଟିଏ ମଇଁଷିର ପରବର୍ତ୍ତୀ କାଳୀନ ବାଛୁରୀ ଜନ୍ମ ବେଳେ ଏହି ସମୟ ବ୍ୟବଧାନ କ୍ରମଶ ଓ ହ୍ରାସ ପାଇଥାଏ ।

    କ୍ଷୀର ଦେବା ବନ୍ଦ ହୋଇଯିବା ଓ ପରବର୍ତ୍ତୀ ବାଛୁରୀ ଜନ୍ମ ହେବାର ବ୍ୟବଧାନକୁ ପଡ଼ିଆ ସମୟ କୁହାଯାଏ, ଯାହାକି ୩ ମାସରୁ ୭ ମାସ ପର୍ଯ୍ୟନ୍ତ ହୋଇଥାଏ । ଏହା ମଇଁଷିର ରକ୍ଷଣାବେକ୍ଷଣ ଓ ପରିବେଶ ଦ୍ଵାରା ବିଶେଷ ଭାବେ ପ୍ରଭାବିତ ହୋଇଥାଏ ।

  3. ଜନ୍ମ କରିବା ପ୍ରକ୍ରିୟା
  4. ଜନ୍ମ କରିବାର ଲକ୍ଷଣ ଗୁଡ଼ିକ ହେଲା –

    • ଜନ୍ମ କରିବାର ଏକ ସପ୍ତାହ ପୂର୍ବରୁ ଲାଞ୍ଜ ମୂଳ ଓ କଣ୍ଟା ହାଡ଼ ପାଖର ମାଂସପେଶୀ ତଳକୁ ଖସିଆସେ,
    • ଜନ୍ମ କରିବାର ୨୪ ରୁ ୩୫ ଘଣ୍ଟା ପୂର୍ବରୁ ଯୋନି ଫୁଲିଯାଏ ଓ କୋମଳ ହୋଇଥାଏ ଏବଂ ସେଥିରେ ଥିବା କୁଞ୍ଚଗୁଡ଼ିକ ଉଭେଇଯାଏ ।
    • ଗର୍ଭଧାରଣର ଶେଷ ୨ ମାସରେ ପହ୍ନାର ଆକାରରେ ଦୃତ ବୃଦ୍ଧି ଘଟିଥାଏ ଏବଂ ଶେଷ ୨-୩ ଦିନ ପୂର୍ବରୁ ଏହା ଯଥେଷ୍ଟ ବଡ଼ ହୋଇଥାଏ ।
    • ଜନ୍ମ କରିବାର ୧-୩ ଦିନ ପୂର୍ବରୁ ଏକ ପ୍ରକାର ବହଳିଆ ଧଳା ଝିଲ୍ଲା, ଯୋନିରୁ ନିସୃତ ହୋଇ ଲାଞ୍ଜ ଓ ପଛ ଗୋଡ଼କୁ ଅପରିଷ୍କୃତ କରାଏ ।

ଏହାଛଡ଼ା ଅସ୍ଥିରତା, ଲାଞ୍ଜକୁ ଉପରକୁ ଟେକିବା, ଭୁମିକୁ ଖୁରାରେ ବାଡ଼େଇବା ଓ ଖାଦ୍ୟପେୟ ଛାଡ଼ିଦେବା ଭଳି ଲକ୍ଷଣମାନ ମଧ୍ୟ ପରିଲକ୍ଷିତ ହୁଏ ।

ଜନ୍ମ କରିବା ପ୍ରକ୍ରିୟା ତିନୋଟି ପର୍ଯ୍ୟାୟରେ ସମ୍ପାଦିତ ହୋଇଥାଏ । ପ୍ରଥମ ପର୍ଯ୍ୟାୟରେ ପ୍ରସୃତି ବେଦନାର ତିବ୍ରତା ଅନୁସାରେ, ଜରାୟୁ ଦ୍ଵାରା ମେଲା ହୋଇଯାଏ । ଏହି ଅବସ୍ଥାର ସମୟକାଳ ଅଧଘଣ୍ଟାରୁ ଦୁଇଘଣ୍ଟା । ଏହି ସମୟ କାଳରେ ଯୋନି ଫୁଲି ବଡ଼ ଦେଖାଯାଏ ଓ ଜରାୟୁର ମାଂସପେଶୀ ଗୁଡ଼ିକରେ ତୀବ୍ର ସଂକୋଚନ ପରିଲକ୍ଷିତ ହୁଏ । ଏହି ସମୟରେ ପାଣିଥଳୀଟି ବାହାରି ଆସେ ଓ ଫାଟିଯାଏ । ଅଧିକାଂଶ କ୍ଷେତ୍ରରେ ଏହା ବାହାରି ଆସି ଯୋନି ବାହାରେ ଝୁଲି ରହେ ।

ଦ୍ଵିତୀୟ ପର୍ଯ୍ୟାୟରେ ବାଛୁରୀ ବାହାରକୁ ବାହାରି ଆସେ । ପ୍ରଥମେ ଆଗ ଦୁଇଗୋଡ଼, ମୁଣ୍ଡ ଓ ବେକ ଏକ ସମୟରେ ବାହାରି ଯୋନି ଦ୍ଵାର ପାଖରେ ଦେଖାଯାଏ । ଏହି ସମୟ ଠାରୁ ବାଛୁରୀଟି ସମ୍ପୂର୍ଣ୍ଣ ଭାବେ ବାହାରକୁ ଆସିବାକୁ ୨୦ ରୁ ୩୦ ମିନିଟ୍ ସମୟ ଲାଗେ । ପ୍ରଥମ ଥର ଜନ୍ମ କରୁଥିବା ମଇଁଷି ପାଇଁ ଅଧିକ ସମୟ ଲାଗିଥାଏ ।

ତୃତୀୟ ପର୍ଯ୍ୟାୟରେ ଫୁଲ ବାହାରେ ଏବଂ ଏଥିପାଇଁ ୪ ରୁ ୬ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିଥାଏ । ପ୍ରଥମ ଥର ଜନ୍ମ କରୁଥିବା ମଇଁଷି ପାଇଁ ସାମାନ୍ୟ ଅଧିକ ସମୟ ଲାଗିଥାଏ । ଏହିପରି ଜନ୍ମ କରିବା ପାଇଁ ତିନୋଟି ପର୍ଯ୍ୟାୟରେ ମୋଟ ଉପରେ ୫ ରୁ ୭ ଘଣ୍ଟା ସମୟ ଲାଗିଥାଏ ।

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ  -

ମୂଳ ବିଷୟବସ୍ତୁ

  • ଡଃ ଅନ୍ତଃର୍ଯ୍ୟାମୀ ମହାନ୍ତି

ସଂଶୋଧିତ ବିଷୟବସ୍ତୁ

  • ଡଃ ଭାଗିରଥି ପ୍ରାଣିଗ୍ରାହୀ, ପ୍ରାଧ୍ୟାପକ, ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା ବିଭାଗ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ, ଭୁବନେଶ୍ଵର – ୭୫୧୦୦୩
3.09090909091
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top