ହୋମ / କୃଷି / ପ୍ରାଣୀ ଧନ / ଶୀତଦିନେ ପ୍ରାଣୀମାନଙ୍କ ଯତ୍ନ
ସେଆର କରନ୍ତୁ

ଶୀତଦିନେ ପ୍ରାଣୀମାନଙ୍କ ଯତ୍ନ

ଶୀତଦିନେ ପ୍ରାଣୀମାନଙ୍କ ଯତ୍ନ ଓ କିପରି ଚିକିତ୍ସା କରିବେ ସେ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଛି ।

ଉପକ୍ରମ

ଶୀତଦିନେ ଭୂତାଣୁ ଗୁଡିକ ବଞ୍ଚିରହିବା ସହିତ ସକ୍ରିୟ ହୋଇଉଠନ୍ତି ଏବଂ ଧୂଳିକଣା ଓ ବାୟୁ ମାଧ୍ୟମରେ ଯାଇ ପଶୁପକ୍ଷୀଙ୍କଠାରେ ବିଭିନ୍ନ ଶ୍ୱାସ ଜନିତ ରୋଗ ସୃଷ୍ଟି କରନ୍ତି ।

ଶୀତଦିନେ ଜଳବାୟୁର ଉତ୍ତାପ କମିଯିବା ସହିତ ଆର୍ଦ୍ରତା ହ୍ରାସ ଯୋଗୁ ଉଭୟ ମନୁଷ୍ୟ ଓ ପଶୁପକ୍ଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏ ଦିନେ ବାୟୁମଣ୍ଡଳର ଆର୍ଦ୍ରତା କମିଯିବା ଯୋଗୁ ଧୂଳିକଣାଗୁଡିକ ହାଲୁକା ହେବା ସହିତ ଉତ୍ତରଦକ୍ଷିଣା ପବନରେ ସ୍ଥାନାନ୍ତରିତ ସହଜରେ ହୋଇଥାଏ । ଅପରପକ୍ଷରେ ଭୂତାଣୁ ଗୁଡିକ ବଞ୍ଚିରହିବା ସହିତ ସକ୍ରିୟ ହୋଇଉଠନ୍ତି ଏବଂ ଏହି ଧୂଳିକଣା ଓ ବାୟୁ ମାଧ୍ୟମରେ ପଶୁପକ୍ଷୀଙ୍କଠାରେ ବିଭିନ୍ନ ଶ୍ୱାସ ଜନିତ ରୋଗ ସୃଷ୍ଟି କରନ୍ତି । ସେହିଭଳି ଟିଙ୍କ ଓ ଉକୁଣୀଙ୍କ ବଂଶ ବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ଯୋଗୁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ପ୍ରାଣୀଙ୍କୁ କାମୁଡି ରକ୍ତ ଶୋଷିବା ଦ୍ଵାରା ବିଭିନ୍ନ ଜୀବାଣୁ, ଭୂତାଣୁ ଓ ଏକକୋଷା ପ୍ରାଣୀ ଜନିତ ରୋଗ ସୃଷ୍ଟି କରିଥାନ୍ତି । ଏଥିସହିତ ପଶୁପକ୍ଷୀଙ୍କ ଖାଦ୍ୟ ଯଥା- ଦାନା, କୁଣ୍ଡା, ଚୋକଡ଼, ପିଡିଆ, ନଡ଼ା ଆଦିରେ ଆଗରୁ ବର୍ଷାଦିନେ ପାଣି ପଡି ଫିମ୍ପି ମାରିଥାଏ ବା ଗମୁରିଆ ହୋଇଯାଏ । ବେଳେବେଳେ କୁଣ୍ଡା ବା ଦାନା ଗମୁରିଆ ହେବା ଯୋଗୁ ଉକୁଣିଆ ପୋକ ମଧ୍ୟ ହୋଇଥାଏ । ଏହି ଫିମ୍ପି ମାରିଥିବା ଖାଦ୍ୟ ପଶୁପକ୍ଷୀ ଖାଇଲେ କବକ ଜନିତ କାରଣରୁ ଖାଦ୍ୟ ବିଷାକ୍ତ ଯୋଗୁ ଜୀବନ ହାନି ଘଟିଥାଏ । କେବଳ ସେତିକି ନୁହେଁ, ଥଣ୍ଡାର ପ୍ରଭାବ ଯୋଗୁ ପ୍ରାଣୀଙ୍କ ଶରୀରରେ ଉଭୟ ଶାରୀରିକ ଓ ମାନସିକ ଚାପ ସୃଷ୍ଟି କରିଥାଏ । ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଯୋଗୁ ପ୍ରାଣୀମାନେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି । ଶୀତଦିନେ ଅତ୍ୟଧିକ ବୃଦ୍ଧି ଘଟିଥିବା କଅଁଳିଆ ବା ଛନଛନିଆ ଘାସ ଖାଇ ଗୋରୁ ଗାଈ, ଛେଳି ମେଣ୍ଢା ଓ ଅନ୍ୟ ପ୍ରାଣୀମାନେ ଧାତବ ଲବଣ ଅଭାବ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରନ୍ତି । ବାୟୁ ମଣ୍ଡଳର ଆର୍ଦ୍ରତା କମିଯିବା ଯୋଗୁ ଗାଈଙ୍କ ଶରୀରରେ ଜଳଶୁଷ୍ଟତା ସହିତ ଧାତବ ଲବଣ ଓ ଭିଟାମିନ୍ ଅଭାବ ଜନିତ କାରଣ ଯୋଗୁ ବାଛୁରୀ ପ୍ରସବ ପରେ ଫୁଲ ପଡ଼େ ନାହିଁ ବା ଦୁଃଖ ପ୍ରସବ ହୋଇଥାଏ ।

ତେଣୁ ଶୀତଦିନେ ପଶୁପକ୍ଷୀଙ୍କର ବାସଗୃହ, ଖାଦ୍ୟ, ପ୍ରଜନନ, ଲାଳନପାଳନରେ ଯତ୍ନ ଓ ସ୍ଵାସ୍ଥ୍ୟ ପ୍ରତି ଯତ୍ନଶୀଳ ହେଲେ, ସେମାନଙ୍କୁ ଶୀତଦିନେ ସୁରକ୍ଷା ଯୋଗାଇ ଦେବା ସହିତ ସେମାନଙ୍କଠାରୁ ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି କରି ଆମେ । ବିଶେଷ ଲାଭବାନ ହୋଇପାରିବା ।

ପ୍ରାଣୀମାନଙ୍କ ଯତ୍ନ

ବାସଗୃହ

ଗୋରୁ ଗୁହାଳ, ଛେଳି ମେଣ୍ଢାଙ୍କ ଘର, କୁକୁଡ଼ା ଘର ସର୍ବଦା ଶୁଖିଲା ଓ ସଫାସୁତୁରା ରହିବା ଆବଶ୍ୟକ । ଘରର ଲମ୍ବା ପୂର୍ବ-ପଶ୍ଚିମ ହୋଇ ରହିଲେ ଶୀତଦିନେ ଦକ୍ଷିଣା-ଉତ୍ତର ବାୟୁ ଚଳାଚଳ ଯୋଗୁ କୁକୁଡା ଘରର ଲିଟର ଓ ଗୋରୁଙ୍କ ଗୁହାଳ ଶୁଖିଲା ରହିବ । ଶୀତଦିନେ ଅଧିକ, ଶୀତ ହେବା ଫଳରେ ଶ୍ଵାସନଳୀ ଜନିତ ସଂକ୍ରମଣ ଯୋଗୁ ଛେଳି ମେଣ୍ଢାମାନେ ନିମୋନିଆ ରୋଗର ଶିକାର ହୁଅନ୍ତି । ତେଣୁ ଛୋଳିମେଣ୍ଢା ରହୁଥିବା ଘରେ ରାତିରେ ଘରର ଉତ୍ତାପ ବଢାଇବା ପାଇଁ ଗୁମ୍ ହିଟର ବ୍ୟବସ୍ଥା ରହିଲେ ଭଲ । ଛେଳିଙ୍କ ଗୁହାଳର ସମସ୍ତ ଝରକାକୁ ଶୀତ ପଡିଲେ ବନ୍ଦ ରଖବା ଦରକାର । ଶୀତଦିନେ ଛେଳିମେଣ୍ଢାଙ୍କୁ ଭାଡି ଉପରେ କିମ୍ବା ବାଲିଗୁହାଳେ ରଖିଲେ ଭଲ । କାରଣ ସେମାନଙ୍କଠାରୁ ନିର୍ଗତ ମଳ ମୂତ୍ର ଭାଡି ତଳକୁ ପଡିଯିବ ବା ବାଲିରେ ଶୋଷି ହୋଇଯିବ । ଯାହାଫଳରେ ସେମାନେ ସର୍ବଦା ଶୁଖିଲା ଚଟାଣରେ ରହିପାରିବେ । ସେହିପରି ଗୁହାଳର ସମସ୍ତ ଖୋଲା ସ୍ଥାନକୁ ଅଖା ବା ପଲିଥିନ୍ ଟାଙ୍ଗି ଭଲଭାବେ ନିବୁଜ କରିବା ଦରକାର ଏବଂ ଶୀତ କମିଗଲେ। ଦିନବେଳେ ଏହାକୁ ଉପରକୁ ଟେକିଦେବା ଆବଶ୍ୟକ । ଗୋରୁ ଗୁହାଳ ଭିତର ଓ ବାହାର ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ଗୁହାଳ ଘରେ ଅଳିଆ ଆବର୍ଜନା ରଖିଲେ ଟିଙ୍କ ଓ ଉକୁଣି ହେବାର ଆଶଙ୍କା ଅଧିକ ଥାଏ । ଗୁହାଳରେ ଆଲୋକ ଓ ବାୟୁ ଚଳାଚଳ ଠିକ୍ ରହିବା ଦରକାର ଏବଂ ଏହା ଅନ୍ଧାରିଆ ରହିବା ଉଚିତ ନୁହେଁ । ଗୁହାଳରେ ଗାଈଗୋରୁଙ୍କୁ ଗହଳିରେ ନ ରଖ ଆବଶ୍ୟକ ସଂଖ୍ୟକ ରଖନ୍ତୁ ନଚେତ୍ ଏହି ଗହଳି ଯୋଗୁ ଟିଙ୍କ ଉକୁଣିଙ୍କ ସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ବିଭିନ୍ନ ଏକକୋଷୀ ପ୍ରାଣୀ ରୋଗ ଯଥା-ଧୋଇଲେରିଆ, ରକ୍ତ ପରିସ୍ରା, ସରା ଆଦି ରୋଗ ହେବାର ଆଶଙ୍କା ସହିତ ବିଭିନ୍ନ ଜୀବାଣୁ ଜନିତ ରୋଗ ଯଥା- ସାହାଣା ରୋଗ, ଆତ୍ମାକ୍ସ ରୋଗ ଭୁତାଣୁ ଜନିତ ଅଢ଼େଇଆ ରୋଗ ଦେଖା ଦେବାର ଆଶଙ୍କା ରହିଥାଏ । ସେହିପରି ଗୁହାଳର ଚଟାଣ ଯଦି ଓଦା ବା ସନ୍ତସନ୍ତିଆ ସହିତ କଚ୍ଚା ରହେ, ଶୀତଦିନେ ଗାଈର ପହଁ ସଂକ୍ରମଣ ଯୋଗୁ ଶୀତଦିନିଆ ପତ୍ନୀ ପ୍ରଦାହ ରୋଗ ସୃଷ୍ଟି ହୁଏ । ତେଣୁ ଅଧିକ ଉତ୍ପାଦନକ୍ଷମ ସଙ୍କର ଗାଈ ପାଇଁ ଗୁହାଳର ଚଟାଣ ସିମେଣ୍ଟ କଂକ୍ରିଟ ହେବା ସହିତ ଅଳ୍ପ, ଢାଲୁ ଓ ଖଦଖଦଡିଆ ହେବା ଦରକାର । କୁକୁଡା ଘର ଚଟାଣ ମଧ୍ୟ ସିମେଣ୍ଟରେ ନିର୍ମିତ ହେବା ଆବଶ୍ୟକ ।

ଖାଦ୍ୟ

ସାଧାରଣତଃ ଶୀତଦିନେ ବାହ୍ୟ ପରିବେଶର ଉତ୍ତାପ ପ୍ରାଣୀଙ୍କ ଶରୀରର ଉତ୍ତାପଠାରୁ ବହୁତ କମ୍ ରହୁଥିବାରୁ ତାହା ପ୍ରାଣୀଙ୍କ ଶରୀର ଉପରେ ଏକ ଚାପ ସୃଷ୍ଟି କରିବା ସହିତ ମାନସିକ ଉତ୍ତେଜନା ସୃଷ୍ଟି କରେ । ଶୀତ ପ୍ରକୋପର ପ୍ରଭାବ ସହିତ ଆର୍ଦ୍ରତା କମିଯିବା ଯୋଗୁ ପ୍ରାଣୀଙ୍କ ଶରୀର ଏହା ଗ୍ରହଣ କରିବାକୁ ସକ୍ଷମ ହୋଇ ନ ଥାଏ । ପ୍ରାଣୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଉତ୍ପନ୍ନରେ ବାଧାପ୍ରାୟ ହୁଏ ଓ ଏହା ପରିପ୍ରକାଶ ହୁଏନାହିଁ । ଯାହାଫଳରେ ବିଭିନ୍ନ ସଂକ୍ରାମକ ରୋଗ ପ୍ରାଣୀଙ୍କୁ ଶୀତଦିନେ ସହଜରେ ଧରିଥାଏ । ତେଣୁ ଶୀତଦିନେ ନବଜାତ ବାଛୁରୀ, ସ୍ଵଳ୍ପ ବୟସ୍କ ବାଛୁରୀ, ରୋଗାକ୍ରାନ୍ତ, ଦୁଗ୍ଧ ଦେଉଥିବା ଓ ବୟସ୍କ ଗୋରୁଙ୍କ ଯତ୍ନ ପ୍ରତି ଆମେ ବିଶେଷ ଧାନ ଦେବା ଦରକାର । ଶୀତଦିନ ସକାଳେ କୁହୁଡି ସହିତ ଘାସ ପତ୍ରରେ ପଡିଥିବା କାକର ଗୋରୁଙ୍କ ପାଇଁ ବହୁରୋଗର କାରଣ ହୋଇଥାଏ । ସୂର୍ଯ୍ୟୋଦୟ ପୂର୍ବରୁ କୌଣସିମତେ ଗୋରୁଙ୍କୁ ବାହାରକୁ ଚରିବାକୁ ଛାଡନ୍ତୁ ନାହିଁ । ଏଥିସହିତ ଶୀତଦିନେ ଅତ୍ୟଧିକ, ଶୀତ ଯୋଗୁ ଗୋରୁଙ୍କ ଖାଦ୍ୟ ଖାଇବା କମାଇ ଦିଅନ୍ତି । ଯାହା ଫଳରେ ସେମାନଙ୍କଠାରେ ଖାଦ୍ୟଭାବ ଜନିତ ଲକ୍ଷଣ ପ୍ରକାଶ ପାଇଥାଏ ଏବଂ ଏହି ଖାଦ୍ୟଭାବରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଯୋଗୁ ବିଭିନ୍ନ ରୋଗ ଧରିବାର ଆଶଙ୍କା ଥାଏ । ବାହ୍ୟ ଜଳବାୟୁର ଉତ୍ତାପ କମିଯିବାରୁ ପ୍ରାଣୀମାନେ ନିଜ ଶରୀରର ସାଧାରଣ ଉତ୍ତାପ ରକ୍ଷା କରିବା ପାଇଁ ଶରୀରରେ ଖାଦ୍ୟରୁ ଉତ୍ପନ୍ନ ହେଉଥିବା ଉତ୍ତାପ ପ୍ରାଣୀଙ୍କ ଶାରୀରିକ ଉତ୍ତାପର ଭାରସାମ୍ୟ ବଜାୟ ରଖବାକୁ ଚେଷ୍ଟାକରେ । ତେଣୁ ଶୀତଦିନେ ଗୋରୁଙ୍କୁ ଉତ୍ତାପ ଶକ୍ତି ପ୍ରଦାୟକ ତନ୍ତୁ ଜାତୀୟ ଖାଦ୍ୟ ଯଥା- ଘାସ, ନଡ଼ା, ପାଳ, କୁଣ୍ଡା, ଚୋକଡ଼, ଡାଳପତ୍ର, ମକା ଗଛ ପତ୍ର ଓ କାଣ୍ଡ ଇତ୍ୟାଦି ଖାଇବାକୁ ଦେବା ଜରୁରୀ । ବର୍ଷାଦିନରୁ ବର୍ଷାପାଣି ପଡି ଭିଢିଥିବା ଦାନା, କୁଣ୍ଡା, ପିଡିଆ ଇତ୍ୟାଦି ଶୀତଦିନ ପର୍ଯ୍ୟନ୍ତ ଗଚ୍ଛିତ ରହିଥଲେ, ତାହା ପିଠାପରି ଫଡାଫଡା ହୋଇଯାଏ ବା ଫିମ୍ପି ମାରିଯାଏ । ଏଥିରେ ଆସ୍ପର ଜିଲସ୍ ନାମକ କବକ ବା ଫିମ୍ପିରୁ ନିର୍ଗତ ଆଫ୍ଲା ଟକ୍ସିନ୍ ଉକ୍ତ ଖାଦ୍ୟରେ ବିଷ ସୃଷ୍ଟି କରେ । ସେହିପରି ପଚା, ନଡା ବା ଫିମ୍ପିମରା, ନଡା କ୍ଷେତ୍ରରେ ମଧ୍ୟ ସେହିପରି ଘଟେ । ତେଣୁ ଏସବୁ ଦାନା ବା ଖାଦ୍ୟକୁ ଖରାରେ ଭଲଭାବେ ଶୁଖାଇ ଖାଇବାକୁ ଦିଅନ୍ତୁ । କାରଣ ସୂର୍ଯ୍ୟକିରଣ ଏକ ବିଶୋଧକ ବା ବିଶନାଶକ ଭାବେ କାର୍ଯ୍ୟକରେ । ସେହିଭଳି କୁକୁଡାଙ୍କୁ ଫିମ୍ପିମରା ବା ଗମୁ ମାରିଥିବା ପୁରୁଣାଦାନା ନ ଦେଇ ସର୍ବଦା ସଦ୍ୟ ପ୍ରସ୍ତୁତ (୧୫ ଦିନ ମଧ୍ୟରେ ପ୍ରୟୁତ) ଦାନା ଖାଇବାକୁ ଦିଅନ୍ତୁ । ଶୀତଦିନେ ପ୍ରାଣୀଙ୍କ ଶରୀରକୁ ଅତ୍ୟଧିକ, ଶୀତର ଶ୍ରେଷ୍ଟସ୍ ବା ଚାପ ପ୍ରଭାବରୁ ସୁରକ୍ଷା ଦେବା ପାଇଁ ହେଲେ ସେମାନଙ୍କୁ ଆଣ୍ଟିଷ୍ଟ୍ରେସ୍ ମେଡିସିନ୍ ଯଥାଭିଟାମିନ୍ ଏ, ସି. ଇ ସହିତ ମଲ୍ଟିଭିଟାମିନ୍ ମିଶ୍ରିତ ଧାତବ ଲବଣ ଗାଈଗୋରୁ ବା କୁକୁଡାଙ୍କ ଖାଦ୍ୟରେ ଖାଇବାକୁ ଦିଅନ୍ତୁ ।

ପ୍ରାଣୀମାନଙ୍କୁ ରୋଗହେଲେ କିପରି ଚିକିତ୍ସା କରିବେ

ସାଧାରଣତଃ ଶୀତଦିନେ ଗାଈ ହେଉ ବା ଛେଳି ମେଣ୍ଟା, ସେମାନେ ଅଧିକ ସଂଖ୍ୟାରେ ସଂଗମିତ ହୁଅନ୍ତି ଏବଂ ବହୁ ସଂଖ୍ୟକ ଛୁଆ ପ୍ରସବ କରିଥାନ୍ତି । ତେଣୁ ନବଜାତ ବାଛୁରୀ ବା ଛେଳିମେଣ୍ଟା ଛୁଆଙ୍କୁ ଜନ୍ମହେବାର ଅଧଘଣ୍ଟା, ୨ ଘଣ୍ଟା, ୬ଘଣ୍ଟା ବ୍ୟବଧାନରେ କଷକ୍ଷୀର ଖୁଆଇବା ଜରୁରୀ । ଏହି କଷ କ୍ଷୀର ମାର ପହଁରୁ ପ୍ରାୟ ୭ଦିନ ପର୍ଯ୍ୟନ୍ତ ନିର୍ଗତ ହୋଇଥାଏ, ଯେଉଁଥିରେ ରୋଗ ପ୍ରତିରୋଧକାରୀ ଶକ୍ତି, ଉତ୍ତାପ ଶକ୍ତି, ଭିଟାମିନ୍ ଓ ତା’ ସହିତ ପୁଷ୍ଟିସାର ମଧ୍ୟ ଭରପୁର ହୋଇ ରହିଥାଏ । ଏହି କଷ କ୍ଷୀର ଖାଇଲେ ସଦ୍ୟଜାତ କଅଁଳ ବାଛୁରୀ ବା ଛେଳି ମେଣ୍ଟା ଛୁଆ ସୁସ୍ଥ ସବଳ ହୋଇ ବଢନ୍ତି ଏବଂ ବିଭିନ୍ନ ରୋଗ ସେମାନଙ୍କୁ ସହଜରେ ସଂକ୍ରମଣ କରିପାରେ ନାହିଁ । ଶୀତଦିନେ ଗାଈ ବା ମା' ଛୋଳିର ଶାରୀରିକ ଉତ୍ତାପ କମିଗଲେ, ସେମାନଙ୍କ କ୍ଷୁଧା ଶକ୍ତି କମିଯିବା ସହିତ ବାଛୁରୀ ବା ଛୁଆଙ୍କୁ କ୍ଷୀର ଦେବାକୁ ସକ୍ଷମ ହୋଇନଥାନ୍ତି । ସେହିପରି ବାଛୁରୀ ବା ଛେଳିଛୁଆ ଶୀତରେ ଠିକ୍‌ଭାବେ ଠିଆହୋଇ ମା' କ୍ଷୀର ଖାଇବାକୁ ସକ୍ଷମ ହୋଇ ନ ଥାନ୍ତି । ଫଳରେ ଉଭୟ ମା’ ଓ ଛୁଆ ମୃତ୍ୟୁବରଣ କରିଥାନ୍ତି । ତେଣୁ ସେମାନଙ୍କୁ ଉତ୍ତାପ ପ୍ରଦାନ କରିବା ସହ ପ୍ରସୂତିକାଳୀନ ଯନ୍ତ୍ର ନେବା ଆବଶ୍ୟକ । ସେହିପରି ସଦ୍ୟଜାତ ବାଛୁରୀ, ଛେଳିଛୁଆ, ମେଣ୍ଟାଛୁଆ, କୁକୁଡା ଚିଆଁ, ବତକ, ଚିଆଁ ବା ଅନ୍ୟାନ୍ୟ ପଶୁପକ୍ଷୀଙ୍କ ସଦ୍ୟଜାତ ଛୁଆଙ୍କୁ ଶୀତଦିନେ ରାତିର ଥିଣ୍ଡା ସମୟରେ ଉପଯୁକ୍ତ ଉଷ୍ଣତା ପ୍ରଦାନ ପ୍ରତି ଧାନ ଦେଲେ, ସେମାନେ ଆରାମରେ ରହିପାରିବେ ଏବଂ ସେମାନଙ୍କ ଶାରୀରିକ ଉତ୍ତାପ ଠିକ୍ ରହିବା ସହିତ ଖାଦ୍ୟାଭାବ ଜନିତ ସମସ୍ୟା ରହିବ ନାହିଁ । ଶୀତଦିନେ କେତେକ ସ୍ଥାନରେ ମାଟିରେ ବା ଘାସରେ ମ୍ୟାଗନେସିୟମ୍, କ୍ୟାଲସିୟମ୍ ଆଦି ଅଭାବ ଯୋଗୁ କଅଁଳିଆ ଘାସ ଖାଇ ଏକ ସମୟରେ ଅନେକ ଗାଈଗୋରୁ ପୀଡିତ ହେବାର ଆଶଙ୍କା ଥାଏ । ତେଣୁ ଧାତବ ଲବଣ ଅଭାବ ଜନିତ ସମସ୍ୟାକୁ ଉତ୍କଟ ଅବସ୍ଥାରେ ଏଡାଇବାକୁ ହେଲେ କ୍ୟାଲସିୟମ୍, ମ୍ୟାଗନେସିୟମ ଇଞ୍ଚେଞ୍ଜକ୍‌ଶନ୍ ସାଲାଇନ୍ ଆକାରରେ ଦେବାକୁ ହେବ । ଗୋରୁ, ଛେଳି ମେଣ୍ଟାଙ୍କ ଖାଦ୍ୟରେ ଧାତବ ଲବଣ ମିଶ୍ରିତ ଭିଟାମିନ୍ ଖାଇବାକୁ ଦେବା ଆବଶ୍ୟମ । ଶୀତଦିନେ ଗୋରୁଙ୍କ ଦାନାରେ କବକ ଜନିତ ମାଇକୋଟକ୍ସିନ୍ (ଫିମ୍ପି ଯୋଗୁ) ନିର୍ଗତ ହେବା ଯୋଗୁ ଗୋଖାଦ୍ୟ ବା ଦାନା ବିଷାକ୍ତ ହୋଇଥାଏ । ଏପରି ପୁରୁଣା ଫିମ୍ପିଯୁକ୍ତ ଖାଦ୍ୟ ଗୋରୁଙ୍କ ଖାଇବାକୁ ଦେଲେ ମୁହଁର ନାକପୁଡା ଉପରେ ଇଥିମେନା-ଟୁମର ବୃଦ୍ଧି ଘଟିଥାଏ । ଯାହାଫଳରେ ଗୋରୁ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି ଏବଂ ବେଳେବେଳେ ଏଥିଯୋଗୁ ଗୋରୁଙ୍କ ଜୀବନ ହାନି ମଧ୍ୟ ଘଟିଥାଏ । ଏଥିସହିତ ଏଭଳି ଟକ୍ସିନ୍‌ଯୁକ୍ତ ଖାଦ୍ୟ ଗୋରୁ ଖାଇଲେ ଲାଞ୍ଜ ବା ଟେଲ୍ ଗାଙ୍ଗିନ୍ ହେବାର ଆଶଙ୍କା ଥାଏ । ଯାହାଫଳରେ ଗୋରୁଙ୍କ ଲାଞ୍ଜର ଅଗ୍ରଭାଗ କଳାପଡ଼େ, ଲୋମ ଉପୁଡିଯାଏ ଓ ଶୁଖଯାଏ । ବେଳେବେଳେ ଜୀବାଣୁ ସଂକ୍ରମଣ ଯୋଗୁ ଲାଞ୍ଜରୁ ଲସା ବାହାରେ ଓ ପୂର୍ଯ୍ୟପାଣି ହୋଇଥାଏ । ଲାଞ୍ଜ ବା ଟେଲ୍ ଗାଙ୍ଗିନର ଚିକିତ୍ସା ନିମନ୍ତେ ଆଣ୍ଟିଫଙ୍ଗାଲ୍ ମଲମ, ସଲଫର ମଲମ, ଆଣ୍ଟିବାୟୋଟିକ୍ସ ଆଦି ଔଷଧ ବ୍ୟବହାର କରାଯାଇଥାଏ । କିନ୍ତୁ ଏହାର ଔଷଧୀୟ ଚିକିତ୍ସା ସେତେ ଫଳପ୍ରଦ ଭାବେ କାମ କରୁନଥିବାରୁ ଅସ୍ତ୍ରୋପଚାର ଦ୍ଵାରା ଏହା ସଂପୂର୍ଣ୍ଣ ଭଲ ହୋଇଥାଏ ।

ଶୀତଦିନେ ସବୁଜ ଗୋଖାଦ୍ୟର ଚାହିଦା ମେଣ୍ଟାଇବା ପାଇଁ ଆମକୁ ଅନ୍ୟାନ୍ୟ ରବି ଫସଲ ଭଳି ସବୁଜ ଗୋଖାଦ୍ୟ ଫସଲ ଚାଷ କରିବାକୁ ପଡିବ । ସାଧାରଣତଃ ଶୀତଦିନେ ଓଟ୍ ବା ଯବ, ବରସିମ୍, ମକା, ବରଗୁଡି, ଆଲ୍‌ଫାଲଫା ଆଦି ଚାଷ କରି ଗୋଖାଦ୍ୟ ଭାବେ ବ୍ୟବହାର କଲେ ଚାଷୀ କମ୍ ଖର୍ଚ୍ଚରେ ଅଧିକ ଦୁଗ୍ଧ ଉତ୍ପାଦନ କରିବା ସହିତ ବେଶ୍ ଦୁଇ ପଇସା ରୋଜଗାର କରି ଲାଭବାନ ହୋଇପାରିବ । ଶୀତଦିନିଆ ଘାସ ଚାଷ ହିସାବରେ ବରସିମ୍ ଘାସ ଚାଷ ବେଶ୍ ଲୋକପ୍ରିୟ ହୋଇପାରିଛି । କାରଣ ଏହା ଏକ ସୁସ୍ୱାଦୁ, ରସାଳଯୁକ୍ତ ପତ୍ର ବହୁଳ ପୁଷ୍ଟିକର ସବୁଜ ଗୋଖାଦ୍ୟ, ଯାହାକୁ ଖାଇଲେ ଗାଈମାନେ ଅଧ୍ୟକ ଦୁଗ୍ଧ ଦେଇଥାନ୍ତି । ଏହି ବରସିମ୍‌କୁ ମିଶ୍ରିତ ଘାସ ଚାଷ ହିସାବରେ ସବୁଦିନିଆ ସଙ୍କର ହାତିଆ ଘାସ, ଓଟ୍ ଓ ଅନ୍ୟାନ୍ୟ ଘାସ ସହିତ କରାଯାଇପାରିବ । ଛୁଇଁ ଜାତୀୟ ବରଗୁଡି ମଧ୍ୟ ମକା, ବାଜରା, ହାତିଆ ଘାସ ଆଦି ସହିତ ଚାଷ କରାଯାଇ ପାରିବ I ବରସିମ୍ ମଞ୍ଜି ବୁଣିବା ପୂର୍ବରୁ ୧୨ ଘଣ୍ଟା ପାଣିରେ ବୁଡାଇ ଗଜା କରି ତମିର ଠିଆପାଣି ଉପରେ କିମ୍ବା ମାଟି କାଦୁଆ ସହିତ ପଟାଳି କରି ବୁଣିଲେ ଭଲ ଅମଳ ଦିଏ । ଶୀତଦିନେ ସବୁଦିନିଆ ଘାସ ଜଳବାୟୁର ଉତ୍ତାପ କମିଯିବା ସହିତ ଦିନ ଛୋଟ ଯୋଗୁ ସୂର୍ଯ୍ୟକିରଣ କମ୍ ପାଇବାରୁ ଅଳ୍ପ ବୃଦ୍ଧି ହୋଇଥାଏ ଏବଂ ଏଥିରୁ କମ୍ ଅମଳ ମିଳିଥାଏ । ଶୀତଦିନେ ପାହାଡିଆ ଅଞ୍ଚଳରେ ମକା ଓ ବାଜରା ଗଛକୁ ଚାଫ କଟର ବା ଘାସ କାଟିବା ଯନ୍ତ୍ର ସାହାଯ୍ୟରେ ଛୋଟ ଛୋଟ କରି କାଟି ଗାଈଙ୍କୁ ଖାଇବାକୁ ଦେଲେ ଅଧିକ ଦୁଗ୍ଧ ମିଳିଥାଏ । ମକା ବା ବାଜର ଅମଳ କରିନେବା ପରେ ମଧ୍ୟ ବାକି ରହିଥିବା ଗଛ ବା ବର୍ତ୍ତୀ ଅଂଶକୁ ଛୋଟ ଛୋଟ ଖଣ୍ଡ କରି ଗୁଡ ଓ ୟୁରିଆ ସହିତ ଉପଚାର କରି ଗୋରୁଙ୍କୁ ଖାଇବାକୁ ଦେଲେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଘଟିଥାଏ । ଶୀତଦିନେ ଆଣ୍ଡେଲା ଚାଷ କରି ଗୋରୁଗାଈ, ଛେଳିମେଣ୍ଟା, ଘୁଷୁରି ଓ କୁକୁଡାକୁ ଖାଇବାକୁ ଦେଲେ ବେଶ୍ ଉପକାର ମିଳିଥାଏ । ଆଜୋଲା ଏକ ଜଳଦ ଜାତୀୟ ଉଦ୍ଭିଦ ଏବଂ ଏହା ସୂର୍ଯ୍ୟକିରଣ ସିଧାସଳଖ ଭାବେ ପଡ଼ୁନ ଥିବା ଗଛ ଛାଇ ସ୍ଥାନରେ ବେଶ୍ ଭଲ ହୁଏ ।

ଆଧାର - ଡା. ବୀର କିଶୋର ପରିଡ଼ା ଉପନିର୍ଦେଶକ, ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top