ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଜୈବିକ ଉପାୟରେ ବିହନ ସଂରକ୍ଷଣ
ସେଆର କରନ୍ତୁ

ଜୈବିକ ଉପାୟରେ ବିହନ ସଂରକ୍ଷଣ

କମ୍ ଖର୍ଚ୍ଚରେ ତଥା ଜୈବିକ ଉପାୟରେ ଧାନ ଓ ଡାଲି ବିହନ କିପରି ସଂରକ୍ଷଣ କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଅଧିକ ଅମଳ ପାଇଁ ଉତ୍ତମ ବିହନ ହିଁ ମୂଳ ଆବଶ୍ୟକ ।ଯେତେ ଖତସାର ପ୍ରୟୋଗ କଲେ ଯଦି ଉତ୍ତମମାନର ବିହନ ବ୍ୟବହାର କରିନାହାନ୍ତି ତେବେ ଗଛ ରୁଗଣ ତଥା ଅସୁସ୍ଥ ହେବା ସହ ଅମଳ ମଧ୍ୟ କମ୍ ଦେଇଥାଏ । ଏଣୁ କମ୍ ଖର୍ଚ୍ଚରେ ତଥା ଜୈବିକ ଉପାୟରେ ଧାନ ଓ ଡାଲି ବିହନ କିପରି ସଂରକ୍ଷଣ କରିବେ ସେ ବିଷୟରେ ଜାଣନ୍ତୁ ।

ବିହନ ସଂଗ୍ରହ ପ୍ରଣାଳୀ

ବିହନ ଉପଯୋଗୀ ଫସଲ ଅର୍ଥାତ ଯେ କୌଣସି କିସମର ଫସଲକୁ ବିହନ ରୂପେ ବ୍ୟବହାର କରନ୍ତୁ ନାହିଁ । କେବଳ ଉତ୍ତମମାନର ଫସଲରୁ ବିହନ ସଂଗ୍ରହ କରନ୍ତୁ । ସଂପୂର୍ଣ୍ଣ ପରିପକ୍ଵ ଅବସ୍ଥାରେ ଫସଲ ଅମଳ କରନ୍ତୁ ।

  • ଧ୍ୟାନ ରଖନ୍ତୁ ବିହନ ସୁସ୍ଥ ସବଳ ନିରୋଗ ହୋଇଥିବା ଆବଶ୍ୟକ । ଏଥିରେ କିଛି ଅଳିଆ, ଜୁଟା, କାଠି, ଗୋତି ମାଟି ତଥା ଅନ୍ୟ କିସମ ବା ଅନ୍ୟ ବିହନ ମିଶିନଥିବା ଆବଶ୍ୟକ ତଥା ଘାସ ବା ବାଳୁଙ୍ଗା ବିହନ ନଥିବା ଆବଶ୍ୟକ । ବିହନର ( ସବୁ ମଞ୍ଜିର) ରଙ୍ଗ ସମାନ ଦିଶୁଥିବା ତଥା ସବୁ ବିହନ ଏକା ହୋଇଥିବା ଆବଶ୍ୟକ । ବିହନ କୁ ଅଲଗା ଅମଳ କରନ୍ତୁ ନହେଲେ ଖଳାରେ ଥିବା ଅନ୍ୟାନ୍ୟ ଶସ୍ୟ ମିଶିଯାଇପାରେ ।
  • ସାଇତି ରଖିବା ପୂର୍ବରୁ ଶସ୍ୟକୁ ୩-୪ ଦିନ ଟାଣ ଖରାରେ ଓଲଟପାଲଟ କରି ଭଲଭାବରେ ସାଇତି ରଖିବା ଉଚିତ୍ ଯେପରିକି ଶସ୍ୟାରେ ୧୦ ପ୍ରତିଶତ। ଜଳୀୟ ଅଂଶ ରହିବା ଆବଶ୍ୟକ ।

ବିହନ ସାଇତା ପ୍ରଣାଳୀ

ଭଣ୍ଡାର ଘରକୁ ଅନ୍ୟ ଘର ଠାରୁ ଅଲଗା କରି ଘରରେ   ଥିବା ଫାଟ ବନ୍ଦ କରନ୍ତୁ । ଶସ୍ୟ ରଖିବା ପାତ୍ରଗୁଡିକୁ ପରିଷ୍କାର କରି ଧୋଇ ଖରାରେ ଶୁଖାନ୍ତୁ । ବଡ଼ ଆକାରର  ପାତ୍ରରେ କମ୍  ଶସ୍ୟ ରଖନ୍ତୁ ନାହିଁ । ବ୍ୟାଗ କିମ୍ବା ଅଖାରେ ବିହନ ରଖୁଥିଲେ ପୂର୍ବରୁ ଚିରା ଫଟା ଅଂଶ ସବୁକୁ ସିଲାଇ କରନ୍ତୁ । ବିହନ ବସ୍ତାକୁ ମାଟିରେ କିମ୍ବା କାନ୍ଥରେ ଲଗାଇ ରଖନ୍ତୁ ନାହିଁ । ଭାଡି କରି ରଖନ୍ତୁ । ଦୁଇ ଧାଡି ବସ୍ତା ମଝିରେ ଯଥେଷ୍ଟ ଫାଙ୍କ ରଖନ୍ତୁ । ଯଦି ଭାଡି କରିପାରିବେ ନାହିଁ ତେବେ ଯଥେଷ୍ଟ ପାଳକୁଟା ବା କାଠ ଉପରେ ବିହନ ବସ୍ତା ରଖନ୍ତୁ ଯେପରି ଏହା ଚଟଣା ସଂସ୍ପର୍ଶରେ ଆସିବ ନାହିଁ । ବିହନକୁ ଓଲିଆ ବା ପୁଡ଼ୁଗରେ ସାଇତି ରଖିବା ଭଲ । ମୂଷାମାନଙ୍କ ଦାଉରୁ ରକ୍ଷା ପାଇବାକୁ ଭାଡିରେ ବରକୋଳି କଣ୍ଟା, ବେତ କଣ୍ଟା ରଖନ୍ତୁ । ଭାତି ଖୁଣ୍ଟରେ ଜଡା ତେଲ କିମ୍ବା ପୋଡା ମୋବିଲ ବୋଳି ଦିଅନ୍ତୁ ।

ବିହନରେ ବେଗୁନିଆଁ ବା ନିର୍ଗୁଣ୍ଡି ପତ୍ର, ନିମ୍ବପତ୍ର ପ୍ରଭୃତି ମିଶାଇ ରଖନ୍ତୁ । ଏକ କ୍ଲିଣ୍ଟାଲ ଧାନ ବସ୍ତା ମଧ୍ୟରେ ୨୫ କି.ଗ୍ରା ମୁଗ, ବିରି କିମ୍ବା ହରଡ ବସ୍ତା ରଖିଲେ ମୁଗ ଆଦିରେ ପୋକ ଲାଗି ନଥାନ୍ତି । ଘରେ ବ୍ୟବହୁତ ଡାଲିକୁ ଅମଳ ପରେ ଚୋପା ଛଡାଇ ରଖିଲେ ଶସ୍ୟ ଭୂଙ୍ଗ ପୋକ ଲାଗି ନଥାଏ । ଡାଲିଜାତୀୟ ଶସ୍ୟ ସହିତ ନିମ୍ବା, କରଞ୍ଜ, ନଡିଆ ପାମୋଲିନ୍ କିମ୍ବା ସୋରିଷ ତେଲ( ୩ ମିଲି/କି.ଗ୍ରା. ମଞ୍ଜି) ମିଶାଇଲେ ପୋକ ଲାଗିନଥାନ୍ତି । ମୁଗ, ବିରି ପ୍ରଭୃତି ଡାଲି ଜାତୀୟ ଶାସ୍ୟା ସହିତ କଦଳୀ ଗଛ କିମ୍ବା ଗୋବର ପାଉଁଶ ବେଗୁନିଆଁ ବା ପୋକଶୁଙ୍ଗା କିମ୍ବା ନିମ୍ବ ପତ୍ରକୁ ଭଲଭାବରେ ଶୁଖାଇ ଗୁଣ୍ଡ କରି ( ୧କି.ଗ୍ରା ମଞ୍ଜି ସହିତ ୫୦ ଗ୍ରାମ୍) ମିଶାନ୍ତୁ ।

ପଞ୍ଚଗବ୍ୟ ମଞ୍ଜି/ବିହନ ସଂରକ୍ଷକ

ଅର୍ଥବ ବେଦରେ ଉଲ୍ଲେଖ ଅଛି 'ଧେନୁ ସଦନଂ ରୟୀଣାମ୍' ଅର୍ଥାତ୍ ଗୋମାତା ସମସ୍ତ ସଂପତ୍ତିର ଘର ଅଟେ । ବିହନ ସଂରକ୍ଷଣ ଗବ୍ୟ ପଦାର୍ଥର ବ୍ୟବହାର ଆସନ୍ତୁ ଜାଣିବା ।

ଉପାୟ ୧-ଏଥିପାଇଁ ଆବଶ୍ୟକ ସାମଗ୍ରୀ, ଘସି ପାଉଁଶ ୫ କିଲୋ, ଗୋମୁତ୍ର (ଦେଶୀ ଗାଈର) ତାଜା ୨ ଲିଟର, ନିମପତ୍ର ଗୁଣ୍ଡ ୨୦୦ ଗ୍ରାମ୍ । ଏସବୁକୁ ଏକାଠି ମିଶାଇ ଖରାରେ ଶୁଖାଇ ମଞ୍ଜି/ ବିହନ ସଂରକ୍ଷକ ତିଆରି କରାଯାଏ । ଏହି ଗୁଣ୍ଡରେ ଗୋଳାଇ ରଖିଲେ ବିହନ ଦୀର୍ଘସ୍ଥାୟୀ ନିରୋଗ ହେବା ସହିତ ଏଥିରେ ଅନିଷ୍ଟକାରୀ କୀଟ ଲାଗନ୍ତି ନାହିଁ ।

ଉପାୟ ୨- ଏଥିରେ ନିମ୍ବା, ଅରଖ, ବେଲ, କରଞ୍ଜ, ତୁଳସୀ, ସୀତାଫଳ ପତ୍ରକୁ ୧-୧/୪ ଅନୁପାତରେ ପାଣି ଓ ପତ୍ର ସିଝାଇ ଏହା ୧/୪ ଅଂଶ ରହିଲା ପରେ ଥଣ୍ଡା କରି କ୍ଲାଥ କରାଯାଏ, ଘସି ପାଉଁଶ ଓ ଗୋମୁତ୍ର ସହିତ ଉପରୋକ୍ତ ଭାଗରେ ମିଶାଇ ବନ୍ୟବହାର କରାଯାଏ ।

ଧାନ ବିହନ ପାଇଁ କେତେକ ସତର୍କତା

ଟ୍ରାକ୍ଟର ତଥା କାଠ ରୋଲରେ ମଡାଯାଇଥିବା ଧାନ ବିହନ ପାଇଁ ଉପଯୁକ୍ତ ନୁହେଁ । ଧାନ ଅମଳ ସମୟରେ ବର୍ଷା ହେଲେ ବିହନ ବର୍ଷରେ ଭିଜିଗଲେ ଏହା ବିହନ ପାଇଁ ଉପଯୁକ୍ତ ହେବ ନାହିଁ । ବିହନ ଧାନକୁ ବର୍ଷାରୁ ରକ୍ଷା କରିବା ଜରୁରୀ, ବିହନ ଧାନ ପାଇଁ ଫସଲ ସଂପୂର୍ଣ୍ଣ ପାଚିଲା ପରେ ଅମଳ କରିବା ଦରକାର ।

ଆଧାର - କିଶୋର ଚନ୍ଦ୍ର ପଣ୍ଡା, ଜୈବିକ କୃଷି

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top