ବିଶ୍ଵରେ ପ୍ରାୟ ୧୦୦୦ରୁ ଅଧିକ ପ୍ରଜାତିର କୀଟ ପତଙ୍ଗ, ଫିମ୍ପି, ଜୀବାଣୁ ଓ ସୂତଜୀବ ଏବଂ ଅଷ୍ଟପଦୀ ପୋକ ଧାନ ଫସଲକୁ ବିଭିନ୍ନ ଅବସ୍ଥାରେ ଆକ୍ରମଣ କରନ୍ତି । ସେମାନଙ୍କ ମଧ୍ୟରୁ ମାଟିଆ ଗୁଣ୍ଡି ଓ ଧଳାପିଠିଆ ଅତ୍ୟନ୍ତ ମାରାତ୍ମକ ତଥା ହାନିକାରକ ପୋକ । ଆମ ରାଜ୍ୟର କଟକ ଜିଲା ଆଇତିପୁର ଗ୍ରାମରେ ୧୯୫୭ ମସିହାରେ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ଆବିର୍ଭୂତ ହୋଇଥିଲା । ତା’ପରେ ୧୯୬୬ଠାରୁ ଏହି ପୋକ ଧାନ ଫସଲକୁ ଲଗାତାର କ୍ଷତି କରିଆସୁଛି । ଭାରତର ବିଭିନ୍ନ ରାଜ୍ୟରେ ମାଟିଆ ଗୁଣ୍ଡି ପୋକ ୧୯୫୯ରୁ ୨୦୦୮ ମଧ୍ୟରେ ସମୁଦାୟ ୪୦ ଥର ଆତଙ୍କ ସୃଷ୍ଟି କରିଆସିଛନ୍ତି ।
ମାଣ୍ଡିଆ, ଇଟାଲୀୟ ସୁଆଁ, ଗହମ, ମକା, ବିଭିନ୍ନ ପ୍ରଜାତିର ତୃଣ । କ୍ଷତିର ଲକ୍ଷଣ: ମାଟିଆ ଗୁଣ୍ଡି ପୋକର ଅର୍ଭକ ଏବଂ ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକଗୁଡ଼ିକ ଧାନ ଗଛର ମୂଳ ଅଂଶରୁ ରସ ଶୋଷନ୍ତି । ଏହି ପୋକର ଆକ୍ରମଣ ଯୋଗୁ ଧାନ କିଆରିର ବିଭିନ୍ନ ସ୍ଥାନରେ ପୋଡ଼ା ଚକଡ଼ା ଲକ୍ଷଣ ଦେଖାଯାଏ । ଅର୍ଭକ ଅବସ୍ଥାରେ ଏହି ପୋକ ଚାରିଥର ବିମୋଚନ ପରେ ପଞ୍ଚମ ଅର୍ଭକ ଅବସ୍ଥା ପ୍ରାପ୍ତ ହୁଏ । ପ୍ରଥମ ଅର୍ଭକ ଅବସ୍ଥାରେ ଏମାନେ ପୂର୍ଣ୍ଣାଙ୍ଗପ୍ରାପ୍ତ ଅବସ୍ଥାଠାରୁ ଅଧିକ ମାତ୍ରାରେ ଧାନଗଛରୁ ରସ ଶୋଷନ୍ତି । ସ୍ତ୍ରୀ ପୋକ ପୁରୁଷ ପୋକଙ୍କ ଅପେକ୍ଷା ଅଧିକ ପରିମାଣର ରସ ଶୋଷନ୍ତି । ଧାନଗଛରୁ ରସ ଶୋଷିବା ସମୟରେ ନିଜ ଶରୀରରୁ ମଧୁ କଣିକା ନିର୍ଗତ କରନ୍ତି । ଏହା ଯୋଗୁ ଆକ୍ରମିତ ଗଛର ମୂଳ ଅଂଶରେ କବକ ଜନିତ ରୋଗ ବ୍ୟାପେ । ଏହା ଯୋଗୁ ଧାନଗଛରେ ଖାଦ୍ୟ ପ୍ରସ୍ତୁତୀକରଣ ପ୍ରକ୍ରିୟାରେ ବିଶେଷ ଭାବେ ବାଧା ସୃଷ୍ଟି ହୁଏ । ଧାନଗଛ ଛୋଟ ଥିବାବେଳେ ମାଟିଆ ଗୁଣ୍ଡି ପୋକର ଆକ୍ରମଣ ଯୋଗୁ ଧାନଗଛ ଗୁଡିକ ହଳଦିଆ ପଡେ । ପରବର୍ତ୍ତୀ ଅବସ୍ଥାରେ ଧାନଗଛ ଗୁଡିକ ଶଖିଲା ଜଣାପଡେ । ଗଛଗୁଡିକ ବାଦାମୀ ରଙ୍ଗ ଧାରଣ କରେ । ଆକ୍ରମିତ ଗଛଗୁଡିକ ଧାନ କିଆରିର ବିଭିନ୍ନ ସ୍ଥାନରେ ଗୋଲାକାର ରୂପ ଧାରଣ କରେ । ଏହାକୁ ‘ପୋଡା ଚକଡା’ କୁହାଯାଏ । ବୁଣା ଧାନ ଅପେକ୍ଷା ରୂଆ ଧାନରେ ପୋକ ଆକ୍ରମଣ ଅତ୍ୟଧିକ ଦେଖାଯାଏ । ଧାନଗଛରେ ଫୁଲ ଧରିବା ସମୟରେ ପୋକ ଆକ୍ରମଣ ଦେଖାଦେଲେ ଧାନଗଛରେ ଉତ୍ପନ୍ନ ହେଉଥିବା ଧାନ ପରିବର୍ତ୍ତେ ଅଗାଡି ସୃଷ୍ଟି ହୁଏ । ଧାନ ଫସଲ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୁଏ । ଧାନ ଫସଲରେ ପୋକ ଆତଙ୍କ ଯୋଗୁ ଅର୍ଭକ ଏବଂ ପୂର୍ଣ୍ଣାଙ୍ଗପ୍ରାପ୍ତ ଅବସ୍ଥାର ବିମୋଚନ ଯୋଗୁ ବହିଃ ଆବରଣଗୁଡିକ ଧାନ ଫସଲ ପାଣିରେ ବହୁ ସଂଖ୍ୟାରେ ଭାସମାନ ଅବସ୍ଥାରେ ଦୃଶ୍ୟ ହୁଏ । ମାଟିଆ ଗୁଣ୍ଡି ପୋକ ଧାନ ଫସଲକୁ ଆକ୍ରମଣ ସହିତ ଭୂତାଣୁ ଜନିତ ରୋଗ ଯଥା ଗ୍ରାସି ଷ୍ଟାଣ୍ଟ ଏବଂ ରତ୍ୟାଗଡ୍ ଷ୍ଟଣ୍ଟ (ଧାନ ଗଛଗୁଡିକ ଛୋଟ ହେବା ସଙ୍ଗେସଙ୍ଗେ ହଳଦିଆ ରଙ୍ଗ ଧାରଣ କରି ବାଙ୍ଗେରା ହେବା ସହିତ ବୁଦାଳିଆ ରୂପ ଧାରଣ କରେ) ସୃଷ୍ଟି କରେ ।
୨୦୧୪ରେ ଏହି ପୋକ ଭଦ୍ରକ ଜିଲାରେ ୭୫୦ ହେକ୍ଟର ଧାନଜମିରେ ଆତଙ୍କ ସୃଷ୍ଟି କରିଥିଲା । ମାଟିଆ ଗୁଣ୍ଡି ସହିତ ଧଳାପିଠିଆ ପୋକ ଏବଂ ଧାନକେଣ୍ଡାକୁ ଆକ୍ରମଣ କରୁଥିବା ଅଷ୍ଟପଦୀ କୀଟଙ୍କ ଯୋଗୁ ୨୦୧୪ରେ ବାଲେଶ୍ଵର ଜିଲାରେ ୬୫୦୦ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି । ଧାନଜମିରେ ପାଣି ଲଗାତର ଜମି ରହିବା, ଯବକ୍ଷାରଜାନ ସାରର ବହୁଳ ଉପଯୋଗ, ଧାନଗଛ ଗୁଡିକ ଲଗାଲଗି ହୋଇ ରହିବା, ଧାନଜମିରେ ଅନାବନା ତୃଣଜାତୀୟ ଉଦ୍ଭିଦ ରହିବା, ଧାନଜମିରେ ବିନା ବାଛବିଚାର କରି ପ୍ରଚୁର ପରିମାଣର କୀଟନାଶକ ଯଥା କ୍ଵିନାଲଫସ୍ତ୍ରୀ ପ୍ରୟୋଗ କରିବା, ଜଳବାୟୁର ଆର୍ଦ୍ରତା ଏବଂ ଜଳ ବାୟୁର ଉତ୍ତାପ ୨୦ରୁ ୩୦ ଡିଗ୍ରୀ ସେଲସିୟସ ଉପଲବ୍ଧ ହେବା ମାଟିଆ ଗୁଣ୍ଡି ପୋକର ସଂଖ୍ୟା ବୃଦ୍ଧିର କାରଣ ।
ପୋକର ଜୀବନୀ ବୃତ୍ତାନ୍ତ
ଏହି ପୋକ ଅଣ୍ଡା ଓ ଅର୍ଭକ ପରେ ପୂର୍ଣ୍ଣାଙ୍ଗପ୍ରାପ୍ତ ଅବସ୍ଥାରେ ପହଞ୍ଚେ । ସ୍ତ୍ରୀ ପୋକଟି ଧାନଗଛର ମୂଳ ଅଂଶରେ ଥିବା ପତ୍ରଚ୍ଛଦା କିମ୍ବା ପତ୍ରର ତଳ ଅଂଶରେ ଥିବା ମଧ୍ୟଶିର ଭିତରେ ଅଣ୍ଡା ଦେଇଥାଏ । ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକଟି ପ୍ରାୟ ୦୪.୫-୦୫.୦ ମିଲି ଲିଟରଲମ୍ବ । ଏହାର ଶରୀରର ରଙ୍ଗ ହଳଦିଆ ବାଦାମୀଠାରୁ ଘନବାଦାମୀ ରଙ୍ଗର । ଏହାର ପରଗୁଡ଼ିକ ଈଷତ୍ ରଙ୍ଗର । ଦୁଇ ପ୍ରକାର ଡେଣାଯୁକ୍ତ ପୋକ ରହିଛନ୍ତି । ଗୋଟିଏ ପ୍ରକାରର ପୋକ ଛୋଟ ଡେଣାଯୁକ୍ତ । ଅନ୍ୟ ପ୍ରକାର ଲମ୍ଭ ଡେଣାଯୁକ୍ତଲମ୍ବଡେଣାଯୁକ୍ତ ପୋକଗୁଡ଼ିକ କେବଳ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିପାରନ୍ତି । ଛୋଟ ଡେଣାଯୁକ୍ତ ପୋକଗୁଡ଼ିକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଧାନଜମିରେ ଡେଇଁ ଡେଇଁ ଯାଆନ୍ତି । ଉଭୟ ପ୍ରକାରର ପୋକ ଏକାଠି ମିଶି ଫସଲକୁ ଆକ୍ରମଣ କରନ୍ତି । ଲମ୍ବଡେଣାଯୁକ୍ତ ପୋକଗୁଡ଼ିକ ଅଧିକ ସଂଖ୍ୟାରେ ଧାନ କିଆରିରେ ରହନ୍ତି । ଗୋଟିଏ ଧାନଜମିରୁ ଏମାନେ ଅନ୍ୟ ଜମିକୁ ମଧ୍ୟ ଉଡ଼ିଯାଆନ୍ତି ।
ଅଣ୍ଡା
ଅଣ୍ଡାଗୁଡିକ ଦେଖିବାକୁ ଧଳା ଏବଂ ସ୍ଵଚ୍ଛ । ସ୍ତ୍ରୀ ପୋକ ଦ୍ଵାରା ନିର୍ଗତ ଗମ୍ବୁଜ ଆକାରର ଖୋଳପା ଭିତରେ ଅଣ୍ଡାଗୁଡିକ ସୁରକ୍ଷିତ ରହନ୍ତି । ୦୨ରୁ ୧୨ଟି ଅଣ୍ଡା ସ୍ତ୍ରୀ ପୋକଟି ପତ୍ରରେ ଦେଇଥାଏ । ଲମ୍ବ ଡେଣାଯୁକ୍ତ ସ୍ତ୍ରୀ ପୋକଟି ୩୦୦-୩୫୦ଟି ଅଣ୍ଡା ଦେଇଥାଏ । ଛୋଟ ଡେଣାଯୁକ୍ତ ସ୍ତ୍ରୀ ପୋକଟି ପ୍ରାୟ ୨୪୪ଟି ଅଣ୍ଡା ଦେଇଥାଏ । ଅଣ୍ଡା ଅବସ୍ଥା ୦୬ରୁ ୦୯ ଦିନ ରୁହେ ।
ଅର୍ଭକ
ଏହି ପୋକ ଶରୀରର ଚାରିଥର ବିମୋଚନ ପରେ ପଞ୍ଚମ ଅବସ୍ଥା ପ୍ରାପ୍ତ ହୁଏ । ଅର୍ଭକ ଅବସ୍ଥା ୧୯-୨୩ ଦିନ ରହେ । ପୂର୍ଣ୍ଣାଙ୍ଗପ୍ରାପ୍ତ ଅବସ୍ଥା ଦିନର ସକାଳୁ ଆରମ୍ଭ ହୋଇ ପ୍ରାୟ ୦୪-୦୫ ଘଣ୍ଟା ସମୟ ନିଏ । ଏହା ୧୯ରୁ ୨୩ ଦିନ ଏହି ଅବସ୍ଥାରେ ରହି ପୂର୍ଣ୍ଣାଙ୍ଗପ୍ରାପ୍ତ ହୁଏ ।
ପୂର୍ଣ୍ଣାଙ୍ଗପ୍ରାପ୍ତ ଅବସ୍ଥା
ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକଟି ୧୪ରୁ ୩୦ ଦିନ ପର୍ଯ୍ୟନ୍ତ ବଞ୍ଚିରହେ । ସ୍ତ୍ରୀ ପୋକଟି ଜନ୍ମର ୬ରୁ ୭ଦିନ ପୂର୍ବରୁ ଅଣ୍ଡା ଧାରଣ ଶକ୍ତି ଧାରଣ କରେ । ବାୟୁମଣ୍ଡଳର ଦିନବେଳା ଉତ୍ତାପ (୨୮ରୁ ୩୦ ଡିଗ୍ରୀ ସେଲସିୟସ) ଏବଂ ୮୫ ପ୍ରତିଶତ ଆର୍ଦ୍ରତା ପୋକମାନଙ୍କର ବଂଶ ବୃଦ୍ଧିରେ ଅନୁକୂଳ ବାତାବରଣ ସୃଷ୍ଟି କରନ୍ତି । ବିଷୁବ ମଣ୍ଡଳୀୟ ଅଞ୍ଚଳର ଉଷ୍ମ ଏବଂ ଅର୍ଦ୍ଧ ଜଳବାୟୁରେ ପୋକଗୁଡ଼ିକ ବର୍ଷସାରା ସକ୍ରିୟ ରୁହନ୍ତି । ଆମ ଓଡ଼ିଶାରେ ଏହି ପୋକର ଭୟାବହତା ଏପ୍ରିଲରୁ ମେ’ ମାସ ମଧ୍ୟରେ ଅନୁଭୂତ ହୁଏ । ଯେହେତୁ ଏହି ପୋକ ଗୋଟିଏ ବଂଶ ପୂର୍ଣ୍ଣ କରିବା ପାଇଁ ଅଳ୍ପଦିନ ଆବଶ୍ୟକ କରେ, ତେଣୁ ଜଳସେଚିତ ରବି ବା ଡାଳୁଅ ଧାନ ଫସଲରେ ପୋକଟି ଅନେକ ଥର ବଂଶ ବିସ୍ତାର କରେ ।
ଧଳାପିଠିଆ ପୋକ
ଏହି ପୋକର ଅର୍ଭକ ଏବଂ ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକଗୁଡିକ ମାଟିଆ ଗୁଣ୍ଡି ପୋକ ସହିତ ମିଶି ଧାନ ଫସଲରୁ ରସ ଶୋଷନ୍ତି । ତେଣୁ ଫସଲ କିଆରିରେ ପ୍ରଚୁର ପରିମାଣର କ୍ଷତି ଅନୁଭୂତ ହୁଏ । ସମୟେ ସମୟେ ଉଭୟ ପୋକ ମିଶି ଫସଲରେ ଆତଙ୍କ ସୃଷ୍ଟି କରନ୍ତି । ଉକ୍ତ ପୋକଟି ବିଶ୍ଵର ୨୬ ଦେଶରେ ଧାନ ଫସଲକୁ ଆକ୍ରମଣ କରିବାର ତଥ୍ୟ ଦୃଷ୍ଟିଗୋଚର ହୁଏ । ୧୯୦୩ରେ ଏହି ପୋକ ପ୍ରଥମ କରି ସୁରଟ, ପୁଷା, ପୁନା ଏବଂ ନାଗପୁରରେ ଦେଖାଦେଲା । ପରବର୍ତ୍ତୀ ସମୟରେ ଏହା ଭାରତର ବିଭିନ୍ନ ରାଜ୍ୟରେ ଦେଖାଦେଲା ।
ଅନ୍ୟାନ୍ୟ ପୋଷକ ଫସଲ
ଧାନ ବ୍ୟତୀତ ଉକ୍ତ ପୋକଟି ମାଣ୍ଡିଆ, ସୁଆଁ, ଗହମ ଓ ଜଙ୍ଗଲୀ ଧାନକୁ ମଧ୍ୟ ଆକ୍ରମଣ କରେ ।
ଭାରତରେ ଏହି ପୋକ । ୧୯୧୬ରୁ ୧୯୮୭ ମସିହା ମଧ୍ୟରେ ପ୍ରାୟ ୩୫ଥର ଆତଙ୍କ ସୃଷ୍ଟି କରିଛି । ପଞ୍ଜାବ ଓ ମଧ୍ୟପ୍ରଦେଶରେ ୧୯୧୬ରୁ ୧୯୮୩ ମଧ୍ୟରେ ଯଥାକ୍ରମେ ନଅ ଏବଂ ସାତଥର ବିଭୀଷିକା ସୃଷ୍ଟି କରିଛି । ଧାନ ଫସଲକୁ ଏହି ପୋକ ଏହାର ଛୋଟ ଅବସ୍ଥାରେ ଆକ୍ରମଣ କରି କ୍ରମଶଃ ଧାନଗଛ ବୃଦ୍ଧି ସହିତ ଏହି ପୋକର ସଂଖ୍ୟା ବୃଦ୍ଧି ବଢିଚାଲେ । ମାଟିଆ ଗୁଣ୍ଡି ପୋକସଂଖ୍ୟା ବୃଦ୍ଧି ପାଇଁ ଅନୁକୂଳ ପରିବେଶ ଧଳାପିଠିଆ ପୋକସଂଖ୍ୟା ବୃଦ୍ଧି ପାଇଁ ସହାୟକ ହୁଏ । ଏହି ପୋକର ଆକ୍ରମଣ ଯୋଗୁ ଧାନଜମିରେ ସ୍ଥାନେ ସ୍ଥାନେ ପୋଡା ଚକଡା ସୃଷ୍ଟି ହୁଏ । ଏହି ପୋକର ଆକ୍ରମଣ ଯୋଗୁ ଧାନଗଛ ଗୁଡିକ ବାଙ୍ଗେରା ଦେଖାଯାଏ । ପତ୍ରଗୁଡିକ ହଳଦିଆ ପଡିଯାଏ । ବିଳମ୍ବରେ ଧାନବୁଦାରେ ପିଲ ସୃଷ୍ଟି ହୁଏ । ଧାନକେଣ୍ଡାରେ ମଧ୍ୟ ଅଗାଡି ସୃଷ୍ଟି ହୁଏ । ଏହି ପୋକ ନିଜ ଶରୀରରୁ ମଧୁକଣିକା ନିର୍ଗତ କରେ । ଏହା ଯୋଗୁ ଧାନଗଛରେ ଫିମ୍ପିଜାତୀୟ ରୋଗ ଦେଖାଯାଏ । ଫଳସ୍ଵରୂପ ଧାନ ଗଛରେ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାରେ ବିଶେଷ ପ୍ରତିବନ୍ଧକ ସୃଷ୍ଟି ହୁଏ । ଅତ୍ୟଧିକ ବୃଷ୍ଟିପାତ, କିଛିଦିନ ଶୁଖିଲା ପାଗ, ଅତ୍ୟଧିକ ଉତ୍ତାପ ଓ ଆର୍ଦ୍ରତା ଧାନଜମିରେ ଉପଲବ୍ଧ ହେଲେ ପୋକସଂଖ୍ୟା କ୍ଷିପ୍ତ ବେଗରେ ବୃଦ୍ଧିପାଏ ।
ପୋକର ଜୀବନୀ ବୃତ୍ତାନ୍ତ
ଲମ୍ବ ଡେଙ୍ଗାଯୁକ୍ତ ସ୍ତ୍ରୀ ପୋକଟି ପୁରୁଷ ପୋକ ଅପେକ୍ଷା ଉଚ୍ଚ ଉତ୍ତାପ ସହ୍ୟ କରିପାରେ । ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକଟି ଠ୩.୫-୦୪.୦ ମିଲିମିଟର ଲମ୍ବ ଏହାର ମୁହଁ ସରୁଆ । ଆଖପାଖ ଡେଣାଦ୍ୱୟ ଅନ୍ଧାରିଆ ଶିରା ଧାରଣ କରେ । ଏହା ସହିତ କଳା ଦାଗ ମଧ୍ୟ ଧାରଣ କରେ ।
ଅଣ୍ଡା
ଧାନଗଛ ଛୋଟ ଅବସ୍ଥାରେ ଥିବାବେଳେ ସ୍ତ୍ରୀ ପୋକଟି ପତ୍ରଛଦା ମଧ୍ୟରେ ଦଳ ଦଳ କରି ଅଣ୍ଡା ଦିଏ । କିନ୍ତୁ ଧାନଗଛ ବଡ ହେବା ପରେ ପୋକଟି ଗଛର ଉପରି ଭାଗରେ ଅଣ୍ଡା ଦିଏ । ସ୍ତ୍ରୀ ପୋକଟି ପ୍ରାୟ ୮୫ଟି ଅଣ୍ଡା ଦଳ ଦେଇଥାଏ । ପ୍ରତି ଦଳରେ ୦୬ରୁ ୦୮ଟି ଅଣ୍ଡା ଦେଇଥାଏ । ଛୋଟ ଡେଣାଯୁକ୍ତ ପୋକଟି ସମୁଦାୟ ୩୦୦ରୁ ୩୫୦ ଅଣ୍ଡା ଦେଇଥାଏ । କିନ୍ତୁ ଲମ୍ବଡେଣାଯୁକ୍ତ ପୋକ ୧୬୪ରୁ ୩୦୦ ପର୍ଯ୍ୟନ୍ତ ଅଣ୍ଡା ଦେଇପାରେ । ଅଣ୍ଡାଗୁଡିକ ଦେଖିବାକୁ ନଳାକୃତି । ଅଣ୍ଡା ଅବସ୍ଥା ୦୪ ରୁ ୧୪ ଦିନ ରହେ ।
ଅର୍ଭକ
ଅର୍ଭକ ସମୟ ୦୮ରୁ ୨୮ ଦିନ ରହେ । ଅର୍ଭକ ନିଜ ଶରୀରର ଚାରିଥର ବିମୋଚନ ପରେ ପଞ୍ଚମ ଅବସ୍ଥା ପ୍ରାପ୍ତ ହୁଏ । ଅର୍ଭକ ପ୍ରଥମାବସ୍ଥାରେ ଈଷତ୍ ବାଦାମୀ ରଙ୍ଗ ଧାରଣ କରେ । ପଞ୍ଚମ ଅର୍ଭକ ଅବସ୍ଥା ଦେଖିବାକୁ ଧଳା କିମ୍ବା ଦୁଧ ରଙ୍ଗ ଧାରଣ କରେ। ଅର୍ଭକ ଶରୀରର ଉପର ଅଂଶରେ ଅନେକ ମାଟିଆ ଏବଂ ଧଳା ରଙ୍ଗର ଚିହ୍ନ ଦେଖାଯାଏ । ଆମ ଓଡ଼ିଶାରେ ଏହି ପୋକ ୨୩ ଦିନରେ ନିଜ ବଂଶ ସମ୍ପୂର୍ଣ୍ଣ କରେ ।
ଏହି ଉପାୟଗୁଡିକୁ କୀଟ ତତ୍ତ୍ଵବିତ୍ମାନେ ସାର୍ଥକ ଏବଂ ସମୟୋଚିତ ପଦ୍ଧତି ରୂପେ ଗ୍ରହଣ କରୁଛନ୍ତି । କାରଣ ଏହା ଦ୍ଵାରା ବିଷାକ୍ତ, କୀଟନାଶକ ଦ୍ରବ୍ୟର ବହୁଳ ପ୍ରୟୋଗକୁ ରୋକାଯାଇ ପାରିବା ସହିତ ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ କରାଯାଇପାରୁଛି । ନିମ୍ନରେ ଏହି ପ୍ରଣାଳୀ ଅନ୍ତର୍ଗତ ଉପାୟ ପ୍ରତି ଚାଷୀ ଭାଇମାନଙ୍କୁ ଜଣାଇ ଦିଆଯାଉଛି ।
ସର୍ବେକ୍ଷଣ
ଧାନରୁଆର ୧୫ରୁ ୨୦ ଦିନ ପରେ ୦୨ରୁ ୦୩ ଦିନ ବ୍ୟବଧାନରେ ଫସଲକୁ ଦେଖୁଥିଲେ ଧାନଗଛକୁ ଆକ୍ରମଣ କରୁଥିବା ରୋଗ ପୋକର ଆବିର୍ଭାବ ଏବଂ ସେମାନଙ୍କ ଦ୍ଵାରା କ୍ଷତି ହେବାର ଲକ୍ଷଣ ଚାଷୀମାନେ ଜାଣିପାରିବେ । ଏହି ତଥ୍ୟକୁ ଆଧାର କରି ଫସଲ ସଂରକ୍ଷଣ ପ୍ରତି ସଜାଗ ହେବେ ଏବଂ ପୋକ ଦମନ ନିମନ୍ତେ ବିହିତ ପଦକ୍ଷେପ ନେଇପାରିବେ ।
ଧାନ ରୋଇବା ସମୟ ଓ ଦୂରତା
ଯେଉଁ ଚାଷୀ ଭାଇମାନେ ଗୁଆ କାମ ସାରିଥିବେ ସେମାନଙ୍କ ଫସଲରେ ପୋକ ଦ୍ଵୟର ଆକ୍ରମଣ କମ ରହିବ । କିନ୍ତୁ ଯେଉଁମାନେ ବିଳମ୍ବରେ ଧାନ ରୂଆ କରୁଥିବେ, ସେମାନେ ଧାଡିକୁ ଧାଡି ୨୦ ସେଣ୍ଟିମିଟର ଓ ବୁଦାକୁ ବୁଦା ୧୫ ସେଣ୍ଟିମିଟର ବ୍ୟବଧାନରେ ରୋଇବା ଆବଶ୍ୟକ । ଏହାଦ୍ଵାରା ଧାନ ଗଛମୂଳକୁ ପବନ ଓ ସୂର୍ଯ୍ୟୋତାପ ସହଜରେ ମିଳିପାରିବ । ପବନ ଓ ସୂର୍ଯ୍ୟୋତାପ ପୋକଦ୍ଵୟର ଚିର ଶତ୍ରୁ । ୨୦ ଧାଡି ଧାନ ରୋଇବା ପରେ ୩୦ ସେଣ୍ଟିମିଟର ଛାଡିଦେଲେ ପୋକସଂଖ୍ୟା ବୃଦ୍ଧି ସହଜରେ ହୋଇପାରିବ ନାହିଁ । ଧାଡିଗୁଡିକ ଉତ୍ତର ଓ ଦକ୍ଷିଣ ଦିଗକୁ ରହିବା ଜରୁରୀ । ଏହାଦ୍ଵାରା ସୂର୍ଯ୍ୟକିରଣ ଧାନବୁଦା ମୂଳକୁ ସହଜରେ ସ୍ପର୍ଶ କରିପାରେ ।
ସାର ପ୍ରୟୋଗ
ବହୁଦିନର ଗବେଷଣାଲବ୍ଧ ଜ୍ଞାନରୁ ପ୍ରତୀୟମାନ ହୁଏ ଯେ, ଅଢ଼େଇ ଏକର ଜମି ପ୍ରତି ୬୦ କିଲୋଗ୍ରାମ ଯବକ୍ଷାରଜାନ, ୩୦ କିଲୋ ସୁପର ଓ ୩୦ କିଲୋ ପଟାସ ସାର ବ୍ୟବହାର ହେବା ଯୋଗୁ ଧାନ ଫସଲରେ ଅମଳ ବୃଦ୍ଧି ହେବା ସହିତ ପୋକ ଦ୍ଵୟର କ୍ଷତି ପରିମାଣ ହ୍ରାସ ହୁଏ ।
ଜଳ ନିୟନ୍ତ୍ରଣ
ଅନେକ ଦିନ ଧରି ଧାନ ଫସଲରେ ପାଣି ଜମି ରହିଲେ ଉଭୟ ପୋକଙ୍କ ମିଶ୍ରିତ ସଂଖ୍ୟା ବୃଦ୍ଧିପାଏ । ତେଣୁ ଧାନ ଫସଲକୁ ଆବଶ୍ୟକ ହେଲେ ପାଣିଦେବା ଓ ୨ରୁ ୩ ଦିନ ପର୍ଯ୍ୟନ୍ତ ଜମିକୁ ଶୁଖାଇ ରଖିବା ଦ୍ଵାରା ଫସଲକୁ ପୋକଗୁଡ଼ିକ ଆକ୍ରମଣରୁ ରକ୍ଷା କରିହୁଏ ।
ଜୈବିକ ପଦ୍ଧତିରେ ପୋକ ଦମନ
ଫସଲରେ କ୍ଷତି କରୁଥିବା ପୋକଙ୍କର ବିନାଶ ନିମନ୍ତେ ପ୍ରକୃତିରେ ଉପଲବ୍ଧ ଅନେକ ପରାଶ୍ରୟୀ ଏବଂ ପରଙ୍ଗଭେଜୀ ପୋକଗୁଡ଼ିକ ମଧ୍ୟରେ ପାଣି ଭଅଁର, ମିରିଡ୍ ବଗ୍ ଓ ବୁଢ଼ିଆଣୀ ମୁଖ୍ୟତଃ ମାଟିଆ ଗୁଣ୍ଡି ଓ ଧଳାପିଠିଆ ପୋକର ଅଣ୍ଡା, ଅର୍ଭକ ଏବଂ ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକଙ୍କୁ ଖାଇଦିଅନ୍ତି । ଗୋଟିଏ ପାଣି ଭଅଁର ୫ରୁ ୧୦ଟି ପୋକ ଏକ ଦିନରେ ଖାଇଥାଏ । ବୁଢିଆଣୀ କିନ୍ତୁ ଦିନକୁ ୫ ରୁ ୧୫ ପୋକ ଖାଇଥାଏ । ଏହି ପୋକଙ୍କର ସଂରକ୍ଷଣ ଧାନଜମିରେ ନିହାତି ଜରୁରୀ । ତେଣୁ ଧାନ ଜମିର ବିଭିନ୍ନ ସ୍ଥାନରେ କିଆଡାଳ ପୋତନ୍ତୁ । ଏହାଦ୍ଵାରା ଭଅଁର ଓ ବୁଢିଆଣୀ କିଆଡାଳରେ ବସା ବାନ୍ଧନ୍ତି ଏବଂ କ୍ଷତିକାରକ ପୋକଗୁଡ଼ିକୁ ଖାଆନ୍ତି ।
ଆଲୋକ ଯନ୍ତାର ବ୍ୟବହାର
ନିଆଁ ପ୍ରତି ମାଟିଆ ଗୁଣ୍ଡି ଓ ଧଳାପିଠିଆ ପୋକ ସହିତ କାଣ୍ଡବିନ୍ଧା, ପତ୍ର ଖୁଆ ଓ ହଳଦୀଗୁଣ୍ଡି ପୋକ ଆକର୍ଷିତ ହୁଅନ୍ତି । ତେଣୁ ଏହି ପୋକଙ୍କୁ ଆଲୋକ ଯନ୍ତା ମଧ୍ୟକୁ ଆକର୍ଷଣ କରି ପରଦିନ ସକାଳେ ସେମାନଙ୍କୁ ବିନାଶ କରାଯାଏ । ଏହା ବ୍ୟତୀତ ଧାନଜମିର ହିଡ଼ରେ ସାଇକେଲ ଟାୟାର ଓ ଟିୟୁବ୍ ଜାଳି ମଧ୍ୟ ପୋକଙ୍କୁ ବିନାଶ କରାଯାଏ । ପେଟ୍ରୋମାକ୍ସ ଲାଇଟ୍ ମଧ୍ୟ ଏହି କାମ ପାଇଁ ପ୍ରୟୋଗ କରାଯାଏ । ସନ୍ଧ୍ୟାବେଳେ ମଧ୍ୟ ଧାନଜମିର ହିଡ଼ରେ ବିଭିନ୍ନ ପ୍ରକାର ଶୁଖଲା ତୃଣ ଓ ଅନ୍ୟାନ୍ୟ ଅନାବନା ଗଛର ପତ୍ର ଓ ଡାଳ ପୋଡ଼ିବା ଯୋଗୁ ଏହି ପୋକମାନେ ସେଥିରେ ପଡ଼ି ମୃତ୍ୟୁବରଣ କରନ୍ତି ।
ଘାସ ଦମନ
ଧାନଜମିରେ ଥିବା ଦୂବ, ମୁଥା, ସୁଆଁ, ଗ୍ରେଗୋଡ଼ା, ବଣମାଣ୍ଡିଆ ଓ ଅନ୍ୟାନ୍ୟ ଦ୍ୱିବୀଜ ପତ୍ରୀ ଉଦ୍ଭିଦଙ୍କୁ ସଂଗ୍ରହ କରି ଧାନଜମିର ହିଡ଼ରେ ଜାଳି ଦିଅନ୍ତୁ ।
ଉପରବର୍ଣ୍ଣିତ ସମସ୍ତ ଫସଲ ସଂରକ୍ଷଣ ପଦ୍ଧତିକୁ ଠିକ୍ ଭାବେ ଓ ଠିକ୍ ସମୟରେ ପ୍ରୟୋଗ କରିପାରିଲେ ଉଭୟ ପୋକଙ୍କ କ୍ଷତିକୁ ପ୍ରତିହତ କରାଯାଇ ପାରିବ । କୌଣସି ପଦ୍ଧତିର ପ୍ରୟୋଗକୁ ଅଣଦେଖା କଲେ ପୋକ ଦ୍ଵୟର ସଂଖ୍ୟା କିଛି ମାତ୍ରାରେ ଫସଲ କିଆରିରେ ଦେଖାଯାଏ । ଏହି ପରିସ୍ଥିତିରେ ଫସଲରେ ପୋକ ଦ୍ଵୟର ଦେହଳୀ ସୀମାକୁ ବିଚାରକୁ ନିଆଯାଇ ଆବଶ୍ୟକ ହେଲେ କିଛି ନିର୍ଦ୍ଦିଷ୍ଟ କୀଟନାଶକ ପ୍ରୟୋଗ କରାଯାଏ ।
ଫସଲରେ ପୋକ ଦ୍ଵୟର ଦେହଳୀ ସୀମା ଓ କୀଟନାଶକର ପ୍ରୟୋଗ
ଧାନବୁଦା ପ୍ରତି ଉଭୟ ପୋକଙ୍କର ସଂଖ୍ୟା ୫ରୁ ୧୦ ଅନୁଭୂତ ହେଲେ ୧୦ ଲିଟର ପାଣିରେ ୫୦ ମିଲି ଲିଟର ନିମ୍ନତାତ ତରଳ କୀଟନାଶକ ମିଶାଇ ଧାନମୂଳରେ ସିଞ୍ଚନ କରନ୍ତୁ । ଏହାର ସାତ ଦିନରେ ପୁନର୍ବାର ଏହି କୀଟନାଶକକୁ ପ୍ରୟୋଗ କରାଯାଇପାରେ ଆଶାନୁରୂପ ସଫଳତା ହାସଲ ନ ହେଲେ ୧ ଲିଟର ପାଣିରେ ୧.୫ ଗ୍ରାମ୍ ବୁପ୍ରୋଫେଜିନ୍ ମିଶାଇ ଏହି ଅନୁପାତରେ ଧାନମୂଳରେ ସିଞ୍ଚନ କରନ୍ତୁ ।
ଆଧାର - ଡ. ବିଷ୍ଣୁ ଚରଣ ଜେନା ଅବସରପ୍ରାପ୍ତ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, କୀଟତତ୍ତ୍ଵ ବିଭାଗ, କୃଷି ମହାବିଦ୍ୟାଳୟ,ଓୟୁଏଟି
Last Modified : 6/23/2020