ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଧାନ ଫସଲରେ ସାର ପ୍ରୟୋଗ ଓ ରୋଗପୋକ ଦମନରେ ସତର୍କତା
ସେଆର କରନ୍ତୁ

ଧାନ ଫସଲରେ ସାର ପ୍ରୟୋଗ ଓ ରୋଗପୋକ ଦମନରେ ସତର୍କତା

ଧାନ ଫସଲରେ ସାର ପ୍ରୟୋଗ ଓ ରୋଗପୋକ ଦମନରେ ସତର୍କତା ସମ୍ବନ୍ଧରେ ସୂଚନା ।

ସାର ପ୍ରୟୋଗ

ଧାନ ଫସଲରୁ ଅଧିକ ଅମଳ ପାଇବା ପାଇଁ ହେଲେ ସୁଷମ ସାର ବ୍ୟବହାର କରିବା ଦରକାର । ବିଶେଷ କରି ମୁଖ୍ୟ ସାର ହିସାବରେ ଯବକ୍ଷାରଯାନ, ଫସଫରସ, ଓ ପଟାସ ସାର ଉପଯୁକ୍ତ ପରିମାଣରେ ବ୍ୟବହାର କରିବା ଉଚିତ ।

ଯବକ୍ଷାରଯାନର କାର୍ଯ୍ୟ

ଗଛରେ ଅଧିକ ତାଳ ଓ ପିଲ ସୃଷ୍ଟି କରେ । କାଣ୍ଡ ଓ ପତ୍ରକୁ ସବୁଜ କରେ । ଗଛରେ ପୃଷ୍ଟିସାର ଅଂଶ ବୃଦ୍ଧି କରେ । ଫସଲ ଉତ୍ପାଦନ ବୃଦ୍ଧିରେ ସହାୟକ ହୁଏ ।

ଫସଫରସ୍ କାର୍ଯ୍ୟ

ଗଛର ମୂଳକୁ ଶକ୍ତ କରେ । ଅଧିକ ଚେର ଉତ୍ପନ୍ନ କରେ ଓ ଚେରକୁ ଦୀର୍ଘ କରାଯାଏ । ଅଧିକ ପିଲ ଉତ୍ପନ୍ନ କରେ ଗଛ ଶୀଘ୍ର ଫୁଲ ଓ ଫଳ ଧରିଥାଏ । ମଞ୍ଜିର ଦାନକୁ ଓଜନିଆ କରାଏ ।

ପଟାସ୍‌ର କାର୍ଯ୍ୟ

ଗଛର କାଣ୍ଡ ଓ ନଡାକୁ ଶକ୍ତ କରାଏ । ଗଛର ରୋଗ ସହଣି ଶକ୍ତି ବଢାଏ । ଧାନ ଦାନାର ଆକାର ହୃଷ୍ଟପୁଷ୍ଟ ହୁଏ ।

ଅଣୁପୋଷକର ବ୍ୟବହାର

ଧାନ ଫସଲରୁ ଅଧିକ ଅମଳ ପାଇବା ପାଇଁ ଅନେକଗୁଡିଏ ଅଣୁପୋଷାକ ବ୍ୟବହାର କରଯାଏ । ସେଥି ମଧ୍ୟରୁ ଦସ୍ତା ବିଜଙ୍କର ଆବଶ୍ୟକତା ଅଧିକ ଅନୁଭୂତ ହୋଇଥାଏ । ଗଛର ପତ୍ରରେ ଧଳାଛିଟା ହୋଇ ଗଛର ଉଚ୍ଚତା ହୁଏ । ରୋଗର ତୀବ୍ରତା ବଢିଲେ ଫସଲରେ ଖାଇତା ରୋଗ ହୋଇଥାଏ ।

ସାର ପ୍ରୟୋଗର ମାତ୍ରା

ଧାନ ଫସଲରୁ ଅଧିକ ଅମଳ ପାଇବା ପାଇଁ ଧାନ କିସମ ଓ ଅବଧୂ ଅନୁସାରେ ସାରର ମାତ୍ରା ନିରୂପଣ କରାଯାଇଥାଏ । ସାଧାରଣତଃ ଅଧିକ ଅମଳ ଧାନ ଚାଷ କରିଥିଲେ ସଅଳ କିସମ ପାଇଁ ଏକର ପିଛା ୨.୫:୧୨:୧୨ କିଗ୍ରା ହିସାବରେ ଏବଂ ବିଳମ୍ବ କିସମ ପାଇଁ ୩୨:୧୬:୧୬, କିଗ୍ରା ହିସାବରେ ଯବକ୍ଷାରଯାନ, ଫସଫରସ୍ ଓ ପଟାସ୍ ସାର ପ୍ରୟୋଗ କରାଯାଏ ।

ସାର ପ୍ରୟୋଗ ପ୍ରଣାଳୀ

ସାଧାରଣତଃ ସାରକୁ ତିନି ଭାଗ କରି ପ୍ରୟୋଗ କଲେ ଧାନ ଗଛ ସାର ଭଲ ଭାବରେ ପାଇଥାଏ । ମୂଳସାର ହିସାବରେ ସମସ୍ତ ଫସଫରସ୍, ପଟାସ୍ ଏକ ଚତୁର୍ଥାଂଶ ଯବକ୍ଷାର ସାର ପ୍ରୟୋଗ କରାଯାଏ । ପିଲା ସାର ହିସାବରେ ୨/୪ ଅଂଶ ଯବକ୍ଷାରଯାନ ସାର ଧାନ ରୋଇବାର ୨୧ଦିନ ପରେ ପ୍ରୟୋଗ କରାଯାଏ । ବାକି ୧/୪ ଅଂଶ ଯବକ୍ଷାରଯାନ ଧାନ ରୋଇବାର ୬ ସପ୍ତାହ ପରେ କିମ୍ବା ଧାନ ଧୋଡ ଆସିବା ସମୟରେ ପ୍ରୟୋଗ କରିବା ଦରକାର।

ସାର ପ୍ରୟୋଗ ବେଳେ ସତର୍କତା

ପିଲା ସାର ଓ ଧୋଡ ସାର ପ୍ରୟୋଗ କରିବା ପୂର୍ବଦିନ ଜମିରୁ ପାଣି କାଟି ଦେବା ଦରକାର । ସାର ପ୍ରୟୋଗ ପର ଦିନ ଜମିରେ ପାଣି ଦେବା ଆବଶ୍ୟକ ।

ଧାନରେ ଲେଡ଼ା ପୋକ ଦମନ

ବର୍ତ୍ତମାନ ରାଜ୍ୟରେ ଲେଡାପୋକର  ପ୍ରାଦୁର୍ଭାବ ସମ୍ବଲପୁର ଜିଲ୍ଲାର ଧାନ ତଳି କିଆରୀରେ ଏବଂ ମୁଖ୍ୟା କିଆରୀରେ ଅଧିକାଂଶ ଦେଖିବାକୁ ମିଳୁଛି। ଏହି ଜିଲ୍ଲାରେ ଲେଡ ପୋକ ସମ୍ପୁର୍ଣ୍ଣ ଭାବେ କମି ନଥିବା ସ୍ଥଳେ ବର୍ତ୍ତମାନ କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ ଏହି ପୋକ ଦେଖାଯିବାର ଯଥେଷ୍ଟ ସମ୍ଭାବନା ଅଛି । ଜଣାଯାଇଛି ଯେ, କୌଣସି ଅଞ୍ଚଳରେ ବନ୍ୟା ଦେଖାଦେଲେ ଏବଂ ଜଙ୍ଗଲ ଅଞ୍ଚଳର ପାଣି ଚାଷ ଜମିକୁ ମାଡି ଆସିଲେ । ଏହି ପୋକ ଦେଖାଯିବାର ସମ୍ଭାବନା ଅଧିକ ।

ତେଣୁ ବର୍ତ୍ତମାନ ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କୁ ଅଧିକ ସଜାଗ ହେବାକୁ ପଡିବ । ଏହି ପୋକ ଦିନ ବେଳେ ମାଟି ଭିତରେ ରହି ରାତିରେ ଗଛକୁ ଉଠିଆସି ପତ୍ରକୁ କାଟି ଥାନ୍ତି । ଏବଂ ଗୋଟିଏ ରାତିରେ ଏକର ଏକର ଜମିରେ ଥିବା ଧାନ ପତ୍ରକୁ ସମ୍ପୁର୍ଣ୍ଣ ଭାବେ କାଟି ସଫା କରିଦିଅନ୍ତି । ଏନେଇ ଚାଷୀ ଯଥେଷ୍ଟ ସଜାଗ ରହିବା ଜରୁରି ।

ପ୍ରତିକାର

ଧାନ କ୍ଷେତର ହୁତା ସଫା ରଖନ୍ତୁ ଏବଂ ଅନାବନା ଘାସ ଗଛକୁ ନଷ୍ଟ କରନ୍ତୁ । ବିଲରେ ପାଣି ନଥିଲେ ଶୀଘ୍ର ପାଣି ମତାଇ ଦିଅନ୍ତୁ । ଫଳରେ ଜମି ଭିତରେ ଲୁଚି ଅବା ଲେଢା ପୋକଗୁଡିକ ପାଣି । ଉପରକୁ ଉଠି ଆସନ୍ତି ଯାହାକୁ ପକ୍ଷୀମାନେ ଖାଇଯାଆନ୍ତି । ପକ୍ଷୀ ବସିବା ପାଇଁ ବିଲରେ ବାଉଁଶ କେନା ଏକର ପ୍ରତି ୨୦ ଗୋଟି ୭୮ଫୁଟ ଉଚ୍ଚାରେ ପୋତନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଲେଡା ପୋକ ଦମନ ପାଇଁ ବୁଦା ପ୍ରତି ଏକରୁ ଅଧିକ ଶୁକ ଦେଖାଦେଲେ ସମୟରେ ଏକର ପ୍ରତି ଡାଇରେକ୍ନୋରୋଭସ୍ ୨୦୦ ମିଲି  କିମ୍ବା କ୍ଳୋରୋପାଇରିଫସ୍ ୪୦୦ ମି.ଲି କିମ୍ବା କ୍ଳୋରୋପାଇରିଫସ + ସାଇପରମେଥ୍ରିନ୍ ୪୦୦ ମିଲି କିମ୍ବା ଇଣ୍ଡୋକ୍ଵାକାର୍ବ ୧୦୦ମି.ଲି ୨୦୦ ଲିଟର ପାଣିରେ ସିଞ୍ଚନ କରନ୍ତୁ । ଏକର ପ୍ରତି ୧୦ କିଗ୍ରା କ୍ଳୋରୋପାଇରିଫସ୍ ଗୁଣ୍ଡକୁ କିଆରୀର ହୁଡାରେ ସିଞ୍ଚନ କଲେ କିଆରୀ ଭିତରକୁ ପୋକଙ୍କ ପ୍ରବେଶ ପ୍ରତିରୋଧ ହୋଇଥାଏ ।

ଧାନରେ ପୋକ ଓ ରୋଗମରା ଔଷଧ ପ୍ରୟୋଗ ସମୟରେ ସତର୍କତା

ଧାନ ଚାଷୀମାନେ ଅଧିକାଂଶ ସମୟରେ ଅନିଷ୍ଟକାରୀ ପୋକ ଦମନ ପାଇ କୀଟନାଶକ କିମ୍ବା ରୋଗର ଦମନ ପାଇଁ କବକ ନାଶକ ଔଷଧ ବ୍ୟବହାର କରିଥାନ୍ତି। ମାତ୍ର ଅନେକ ସମୟରେ ଅଭିଯୋଗ କରିଥାନ୍ତି ଯେ ପୋକ/ ରୋଗ ଦମନ ହେଲା ନାହିଁ । ସେଥିପାଇଁ ନିମ୍ନଲିଖିତ ଦିଗଗୁଡିକ ଉପରେ ଗୁରୁତ୍ଵ ଦେଲେ ଧାନ ଚାଷରେ ପୋକ ଏବଂ ରୋଗ ଠିକ୍ ସମୟରେ, ଠିକ୍ ଉପାୟରେ ଏବଂ ଠିକ୍ ଖର୍ଚ୍ଚରେ ଦମନ କରାଯାଇପାରିବ ।

  • ପ୍ରଥମେ ଜାଣିବା ଦରକାର ଯେ ପୋକ ନା ରୋଗ ଲାଗିଛି, ଯଦି ଜାଣି ନ ପାରୁଛନ୍ତି ତେବେ ନିକଟସ୍ଥ କୃଷି ସଂପ୍ରସାରଣ କମୀଙ୍କ ସହିତ ପରାମର୍ଶ କରି ପୋକ କିମ୍ବା ରୋଗ ଆକ୍ରାନ୍ତ ଅଂଶ ଦେଖାଇ ଜାଣ ନେବା ଆବଶ୍ୟକ ।
  • ପୁନଶ୍ଚ ପୋକ ନିମନ୍ତେ ସଠିକ୍ ପୋକମରା ଔଷଧ ଏବଂ ରୋଗ ନିମନ୍ତେ ସଠିକ୍ ରୋଗ ଦମନକାରୀ ଔଷଧ ଠିକ୍ ପରିମାଣର ବ୍ୟବହାର କରନ୍ତୁ ।
  • ଔଷଧ କିଣିବା ସମୟରେ ତାର ନଷ୍ଟ ହେବା ସମୟ (ଏକ୍ସରି ତାରିଖ) କୁ ଭଲ ଭାବରେ ଦେଖିନିଅନ୍ତୁ । ପୁରୁଣା ଔଷଧ କଦାପି କିଣନ୍ତୁ ନାହିଁ ।
  • ଔଷଧର ଦ୍ରବଣ ପ୍ରସ୍ତୁତ କରିବା ସମୟରେ ସର୍ବଦା ପରିଷ୍କାର ପାଣି ବ୍ୟବହାର କରିବା ଆବଶ୍ୟକ । ଅଧିକାଂଶ ସମୟରେ ଚାଷୀ ଭାଇମାନେ ବିଲ ପାଖରେ ଥିବା ନାଳ, କେନାଲ ଇତ୍ୟାଦିରୁ ପାଣି ବ୍ୟବହାର କରିଥାନ୍ତି, ଯଦି ତାହା ବ୍ୟବହାର କରୁଥାନ୍ତି ତେବେ ତାକୁ ଭଲଭାବରେ ଛାଣି ବ୍ୟବହାର କରିବା ଆବଶ୍ୟକ।
  • ଆବଶ୍ୟକ ପରିମାଣର ଦ୍ରବଣ ପ୍ରସ୍ତୁତ କରନ୍ତୁ । ଠିକ୍ ପରିମାଣର ପାଣି ସହିତ ସଠିକ୍ ପରିମାଣର ଔଷଧକୁ ବାହାରେ ବାଲିରେ ଭଲଭାବରେ ମିଶାଇ ସିଞ୍ଚନ ଯନ୍ତ୍ରରେ ପୁରାଇ ସଞ୍ଚନ କରନ୍ତୁ । ଅଧିକାଂଶ ସମୟରେ କମ୍ ପରିମାଣର କିମ୍ବା ଅଧିକ ପରିମାଣର ଔଷଧ ଚାଷା ଭାଇମାନେ ବ୍ୟବହାର କରିଥାନ୍ତି । ଆବଶ୍ୟକ ପରିମାଣରୁ କମ୍ ପରିମାଣର ଔଷଧ ବ୍ୟବହାର କରିବା ଫଳରେ ପୋକ କିମ୍ବା ରୋଗ ଅନେକ ସମୟରେ ଦମନ ହୋଇନଥାଏ । ଏହା ଫଳରେ ପୋକ ବା ରୋଗର ସେହି ଔଷଧକୁ ସହନ ଶକ୍ତି ବଢ଼ିଯାଇଥାଏ ଏବଂ ପରବର୍ତ୍ତୀ ସମୟରେ ସେହି ଔଷଧ କାମ କରି ନଥାଏ । ସେହିଭଳି ଅଧିକ ପରିମାଣର ଔଷଧ ବ୍ୟବହାର କରିବା ଫଳରେ ଆମ୍ଭେ ଅଧୁକ୍ ଖଟ୍ଟାନ୍ତ ହେବାକୁ ପଡିଥାଏ ।
  • ଔଷଧ ସିଞ୍ଚନ ସମୟରେ ହାତରେ ସର୍ବଦା ଗ୍ଲୋଭ୍ ଏବଂ ମୁହଁରେ ମୁଖା ଏବଂ ମୁଣ୍ଡରେ ଗାମୁଛା ଗୁଡାଇ ରଖନ୍ତୁ ।
  • ଅଧିକ ପବନ ବୋହୁଥିବା ସମୟରେ କିମ୍ବା ଟାଣ ଖରାଥିବା ସମୟରେ ଔଷଧ ସିଞ୍ଚନ କରନ୍ତୁ ନାହିଁ।
  • ବର୍ଷା ଆସିବା ପୂର୍ବରୁ କିମ୍ବା ଠିକ୍ ବର୍ଷା ଛାଡିଗଲା ପରେ ଔଷଧ ସିଞ୍ଚନ କରନ୍ତୁ ନାହିଁ ।
  • ଧାନ ଫୁଲ ଉଡାଇବା ଅବସ୍ଥାରେ ଥିଲେ। ସକାଳ ସମୟରେ ୧୧ ଘଟିକା ପର୍ଯ୍ୟନ୍ତ ଔଷଧ ପକାଇବା ଉଚିତ୍ ନୁହେଁ । ଏହି ସମୟରେ ଫୁଲଗୁଡିକ ଖୋଲାଥାଏ ।
  • ସବୁ ସମୟରେ ଗୋଟିଏ ଔଷଧ ବ୍ୟବହାର ନ କରି ସେହି ପ୍ରକାରର ଔଷଧ ବଦଳାଇ ବ୍ୟବହାର କରନ୍ତୁ ।
  • ଔଷଧ ପକାଇ ସାରିବାପରେ ସ୍ନେୟର, ବାଲି ଇତ୍ୟାଦିକୁ ଭଲଭାବରେ ସଫା କର ରଖନ୍ତୁ ।

ସଂଗୃହିତ –

  1. ପ୍ରଫେସର ଦାମୋଦର ପରିଡ଼ା
  2. ନୃସିଂହ ଚରଣ ବାରିକ ଶସ୍ୟ ସଂରକ୍ଷଣ ବିଭାଗ କୃଷି ବିଜ୍ଞାନ କେନ୍ଦ୍ର, ବରଗଡ଼,
  3. ଡଃ ନିର୍ମଳ ଚନ୍ଦ୍ର ରଥ, ଡଃ ଶ୍ରୀକାନ୍ତ ଲେଙ୍କା ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ
3.04545454545
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top