ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ପନିପରିବାରେ ଝାଉଁଳା ରୋଗ
ସେଆର କରନ୍ତୁ

ପନିପରିବାରେ ଝାଉଁଳା ରୋଗ

ପରିବାରେ ଝାଉଁଳା ରୋଗ ଦେଖାଯାଉଥିବାରୁ ଚାଷୀକୁ ମଧ୍ୟ କ୍ଷତି ସହିବାକୁ ପଡିଥାଏ । ଝାଉଁଳା ରୋଗରୁ କିପରି ରକ୍ଷା ପାଇବେ ।

ଆମ ରାଜ୍ୟର ଅଧିକାଂଶ ଜମିରେ 'ସୋଲାନାସି' ଜାତୀୟ ପରିବା ବା ବିଲାତି ବାଇଗଣ, ଲଙ୍କା, ଆଳୁ, କ୍ୟାପସିକମ୍ ବହୁ ମାତ୍ରାରେ ଚାଷ କରାଯାଏ ।

ଅଧିକାଂଶ ସମୟରେ ଏହି ପରିବାରେ ଝାଉଁଳା ରୋଗ ଦେଖାଯାଉଥିବାରୁ ଚାଷୀକୁ ମଧ୍ୟ କ୍ଷତି ସହିବାକୁ ପଡିଥାଏ । ଏନେଇ ଝାଉଁଳା ରୋଗ ବିଷୟରେ ଜାଣି ତାର' ଉପଯୁକ୍ତ ପ୍ରତିକାର କରିବା ଆବଶ୍ୟକ ।

ଝାଉଁଳା ରୋଗ ମୁଖ୍ୟତଃ ତିନି ପ୍ରକାରର । ସୂତ୍ରକୃମି ଜନିତ ଝାଉଁଳା, କବକ ଜନିତ ଝାଉଁଳା ଏବଂ ବୀଜାଣୁ ଜନିତ ଝାଉଁଳା ।

ସୂତ୍ରକୃମିଜନିତ

ସୂତ୍ର ଜୀବଗୁଡିକ ସୂତା ଭଳି ଦେଖାଯାଉଥିବା କୃମିଜାତୀୟ ଜୀବ । ଏମାନେ ଖାଲି ଆଖିରେ ଦେଖାଯାଆନ୍ତି ନାହିଁ । ଏମାନେ ସୋଲାନାସି ଜାତୀୟ ପରିବା ଗଛର ଚେରରେ ଗଣ୍ଠି ସୃଷ୍ଟି କରନ୍ତି । ଗଣ୍ଠି ମଧ୍ୟରେ ଗଛର ଜଳୀୟ ଅଂଶ ଓ ଖାଦ୍ୟ ଶୋଷଣ କରନ୍ତି।

ଲକ୍ଷଣ : ଗଛର ଚେରରେ ଗଣ୍ଠି ଦେଖାଯାଏ । ଗଛ ଦିନ ବେଳେ ଝାଉଁଳି ପଡ଼ୁଥିବା ବେଳେ ରାତିରେ ପୁଣି ସତେଜ ହୋଇଯାଏ । ସୂତ୍ର ଜୀବର ବଂଶବୃଦ୍ଧି ହେଲେ ଶେଷ ଭାଗରେ ଗଛ ମରିଯାଏ ।

ପ୍ରତିକାର: ଜମି ପ୍ରସ୍ତୁତି ସମୟରେ ଜମିରେ ଫ୍ୟୁରାଡନ୍ କିମ୍ବା ନିମାଗନ୍ ପ୍ରୟୋଗ କରନ୍ତୁ । ବିଲାତି ବାଇଗଣ, ଲଙ୍କା ଆଦି ଲଗାଇବା ଜମିରେ ମଝିରେ ମଝିରେ ଗେଣ୍ଡୁ ଲଗାନ୍ତୁ । ସୂତ୍ରଜୀବୀ ସହଣୀ କିସମ ଜମିରେ ଲଗାନ୍ତୁ । ନିମାଗନ୍୨ ମିଲି.ଲିଟର ହିସାବରେ ମାଟିକୁ ଓଦା କରନ୍ତୁ ।

କବକ ଜନିତ

ଏହା ମାଟିରେ ଥିବା ଫ୍ୟୁଜାରିୟମ୍ କବକ ଦ୍ଵାରା ହୋଇଥାଏ । କବକ ଗୁଡିକ ଗଛର କୌଣସି ଦୁର୍ବଳ ଅଂଶ ଦେଇ ଗଛରେ ପ୍ରବେଶ କରନ୍ତି ଓ ଗଛରେ ଥିବା ଖାଦ୍ୟ ପରିବହନ ବ୍ୟବସ୍ଥା (ଜାଇଲେମ୍, ଫ୍ଲୋଏମ୍.)କୁ ବନ୍ଦ କରିଦିଅନ୍ତି । ଯାହା ଫଳରେ ଗଛ ଝାଉଁଳିଯାଏ ।

ଲକ୍ଷଣ: ପତ୍ରଗୁଡିକ ହଳଦିଆ ପଢିଯାଏ ଓ ଧୀରେ ଧୀରେ ଝାଉଁଳେ । ସମ୍ପୂର୍ଣ୍ଣ ଗଛ ନଝାଉଁଳି କେବଳ ଗୋଟିଏ ବା ଦୁଇଟି କାଣ୍ଡ ବା ଆଶିକ ଝାଉଁଳା ମଧ୍ୟ ପରିଲକ୍ଷିତ ହୁଏ । ମାଟିରେ ଛୁଇଁଥିବା କାଣ୍ଡକୁ ଭଙ୍ଗି ଦେଖିଲେ ସେଥିରେ କର୍କ ଭଳି ଦେଖାଯାଏ ଓ କାଣ୍ଡ ଶୁଖିଲା ଓ ଟାଣ ଥାଏ ।

ପ୍ରତିକାର: ସାହଣୀ କିସମ ଲଗାନ୍ତୁ, ଜମିରେ ଅମ୍ଳତା ୬-୭ ମଧ୍ୟରେ ରଖନ୍ତୁ । ମାନକୋଜେବ୍ ୨ ଗ୍ରା/ଲି କିମ୍ବା ମେଟାଲାକ୍ସିଲ୍ + ମାନ୍‌କୋଜେବ୍ (ରିଡୋମିଲ) ୧ ଗ୍ରା/ଲି ଗଛରେ ସ୍ପ୍ରେ କରନ୍ତୁ ।

  • ଟିଚୁକୋନାଖୋଲ (ଫଲିକ୍ୟୁର) ୧.୫ ଗ୍ରା/ଲି ହିସାବରେ ପକାଇ ମାଟିକୁ ଓଦା କରନ୍ତୁ ।

ବୀଜାଣୁ ଜନିତ

ମୃତ୍ତିକା ସଂକ୍ରମିତ ବୀଜାଣୁ ଦ୍ଵାରା ଏହା ହୋଇଥାଏ । ବୀଜାଣୁ ଗୁଡିକ ଗଛର ଚେରରେ ପ୍ରବେଶ କରି ଗଛର କୋଷଗୁଡିକୁ ଆକ୍ରମଣ କରିବା ଦ୍ଵାରା ଚେର ପଚିଯାଏ ।

ଲକ୍ଷଣ: ଚେରଗୁଡିକ ସଢିଯାଏ । ଚେରକୁ ଚିପିଲେ। ସେଥିରୁ ପାଣି ବାହାରେ ଓ ଦୁର୍ଗନ୍ଧ ହୁଏ । ଆକ୍ରାନ୍ତ ଗଛକୁ ମୂଳରୁ କାଟି ସଫା କାଚ ଗ୍ଳାସରେ ପାଣିରେ ପକାଇଲେ ସେଥିରୁ ଧଳା ରଙ୍ଗର ପୂଜ ବାହାରିଲା ପରି ଦେଖାଯାଏ । ଗଛଗୁଡିକ ସମ୍ପୁର୍ଣ୍ଣ ମରିଯାଆନ୍ତି ଓ ଏହା ଅକସ୍ମାକ ହୋଇଥାଏ।

ପ୍ରତିକାର: ଫସଲ ପର୍ଯ୍ୟାୟ ଅବଲମ୍ବନ କରନ୍ତୁ । ଜମିରେ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ । ପ୍ଲାଣ୍ଟୋମାଇସିନ୍ ୧ ଗ୍ରାମ/ ଲିଟର କିମ୍ବା ଷ୍ଟେପଟୋସାଇକ୍ଳିନ୍ ୧୦ ଲିଟର ପାଣିରେ  ୧ ଗ୍ରାମ୍ ହିସାବରେ ସ୍ପ୍ରେ କରନ୍ତୁ । ବେଳେ ବେଳେ  ସମସ୍ତ ପ୍ରକାରର ଝାଉଁଳା ମିଶି ଏକା ସାଙ୍ଗରେ ଗଛକୁ  ଆକ୍ରାନ୍ତ କରିଥାଏ । ସେ କ୍ଷେତ୍ରରେ ୨-୩ ପ୍ରକାର  ଔଷଧ ମିଶାଇ ସିଞ୍ଚନ କରିବାକୁ ପଡେ । ସୂତ୍ରଜୀବ  ଆକ୍ରମଣ କରିବା ଫଳରେ ସେହି ଦୁର୍ବଳ ଅଂଶ ଦେଇ  କବକ ଓ ବୀଜାଣୁ ଗଛ ମଧ୍ୟକୁ ପ୍ରବେଶ କରନ୍ତି ଓ ଆକ୍ରମଣ କରନ୍ତି ।

କେତେକ ସାବଧାନତା

ଜମି ପ୍ରସ୍ତୁତି ସମୟରେ ମୃତ୍ତିକା ବିଶୋଧନ ଫର୍ମାଲିନ୍ କିମ୍ବା ସୂର୍ଯ୍ୟକିରଣ ଦ୍ଵାରା କରନ୍ତୁ।

  • ଗୋଟିଏ ଫସଲ ବାରମ୍ବାର ନକରି ଅନ୍ୟ ପରିବାରର ପରିବା ସହ ଫସଲ ପର୍ଯ୍ୟାୟ ଅବଲମ୍ବନ କରନ୍ତୁ ।
  • ଝାଉଁଳା (ମୁଖ୍ୟତଃ ବୀଜାଣୁ ଜନିତ) ଦେଖାଯାଉଥିବା ମାଟିରେ ୨-୩ ବର୍ଷ ପର୍ଯ୍ୟନ୍ତ ସୋଲାନାସି ପରିବା କରନ୍ତୁ ନାହିଁ ।
  • ବୀଜାଣୁ ଜନିତ ଝାଉଁଳା ଦେଖାଯାଉଥିବା ମାଟିରେ ବ୍ଲିଚିଂ ପାଉଡର ପ୍ରୟୋଗ କରନ୍ତୁ । ମାଟିର ଅମ୍ଳତା ସର୍ବଦା (୬.୫-୭) ମଧ୍ୟରେ ରଖନ୍ତୁ । ଆକ୍ରାନ୍ତ ଗଛଗୁଡିକୁ ଦୂର ସ୍ଥାନକୁ ନେଇ ପୋଡି ବା ପୋଡି ଦିଅନ୍ତୁ ।
  • ଝାଉଁଳା ସହଣୀ କିସମ ବ୍ୟବହାର କରନ୍ତୁ ।
  • ଜମିରେ ନିମ୍ବ ପିଡିଆ ପ୍ରୟୋଗ କରନ୍ତୁ (ମୁଖ୍ୟତଃ ସୂତ୍ର ଜୀବ ପାଇଁ)
  • ଖତ ସହ ଟ୍ରାଇକୋଡର୍ମା ମିଶାଇ ଜମିରେ ପ୍ରୟୋଗ କରନ୍ତୁ । ଏହା କବକକୁ ମାରିବା ସହ ଏହା ବଂଶବୃଦ୍ଧି ଯୋଗୁଁ ବୀଜାଣୁ ମାନଙ୍କର ମଧ୍ୟ ବଂଶବୃଦ୍ଧି ହୋଇନଥାଏ ।
  • ଝାଉଁଳା ହେଲେ ତତକ୍ଷଣାତ କୌଣସି ଔଷଧ ପ୍ରୟୋଗ କରନ୍ତୁ ନାହିଁ । ଏଥିରେ ଗୋଟିଏ ଦିନ ପାଣି ଦେଇ ଦେଖନ୍ତୁ । ଏହା ଜଳଭାବ ଜନିତ ଝାଉଁଳା ମଧ୍ୟ ହୋଇପାରେ ।

ସଂଗୃହିତ - ତପନ କୁମାର ଗିରି ଗବେଷଣାରତ ଛାତ୍ର, ଓୟୁଏଟି

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top