ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ବିନା କୀଟନାଶକରେ ଧାନ ଫସଲରେ ପୋକ ଦମନ
ସେଆର କରନ୍ତୁ

ବିନା କୀଟନାଶକରେ ଧାନ ଫସଲରେ ପୋକ ଦମନ

ବିନା କୀଟନାଶକରେ ଧାନ ଫସଲରେ ପୋକ ଦମନ କିପରି କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଆକର୍ଷକ ନାମକ ଏକ ରାସାୟନିକ ପଦାର୍ଥ ଦ୍ଵାରା ପୋକ ଦମନ

ଧାନ ରୋଇବାର ୨୫-୩୦ ଦିନ ପରେ ଆକର୍ଷକ ଯନ୍ତା (ଫେରୋମନ୍ ଟ୍ରାୟ) ଏକ ଏକର ଧାନ ଜମି ପ୍ରତି ୧୦ଟି ନେଇ ବାଉଁଶ ବାଡି ଦ୍ଵାରା କିଆରିର ବିଭିନ୍ନ ସ୍ଥାନରେ ପରସ୍ପର ପ୍ରତି ୨୦ ମିଟର ବ୍ୟବଧାନରେ ଟାଙ୍ଗନ୍ତୁ। ଏହି ଆକର୍ଷକ ଯନ୍ତାରେ ଯୌନ ଆକର୍ଷକ ନାମକ ଏକ ରାସାୟନିକ ପଦାର୍ଥ ରଖାଯାଏ। ଉକ୍ତ ପଦାର୍ଥଟି ବୈଜ୍ଞାନିକଙ୍କ ଦ୍ଵାରା ପିତ କାଣ୍ଡବିନ୍ଧା ପୋକର ଶରୀରରୁ ସଂଗ୍ରହ କରାଯାଇ ରାସାୟନିକ ପ୍ରକ୍ରିୟାରେ ଡେଉଁରିଆ ସଦୃଶ ଏକ ଖୋଳରେ ରଖାଯାଇଥାଏ ।

କାଣ୍ଡବିନ୍ଧା ପୋକ ଦମନ

ଧାନ  ତଳି ରୋଇବା ସମୟରେ ତଳି ବିଡାର ଅଗ୍ରଭାଗକୁ ୧ ସେମ କାଟ ଦେବା ଦ୍ଵାରା ସ୍ତ୍ରୀ କାଣ୍ଡବିନ୍ଧା ପୋକ ସହଜରେ ଧାନ ଗଛର ଅଗ୍ରଭାଗରେ ଅଣ୍ଡା ଦେଇପାରେ ନାହିଁ। ଧାନ ରୋଇବା ସମୟରେ ଧାଡିକୁ ଧାଡି ୨୦ ସେମି ଏବଂ ଗଛକୁ ଗଛ ୧୫ ସେମି ବ୍ୟବଧାନରେ ରୋଇବା ଆବଶ୍ୟକ । କିଆରିରେ ଅଧିକ ପରିମାଣରେ ପାଣି ରଖିବା ଅନୁଚିତ୍। ମଝିରେ ମଝିରେ ଜମିକୁ ଶୁଖିଲା ରଖିଲେ। କାଣ୍ଡବିନ୍ଧା, କାହାଳିଆ, ଧଳାପିଠିଆ ଓ ମାଟିଆ ଗୁଣ୍ଡି ପୋକ ସଂଖ୍ୟା ଓ ସେମାନଙ୍କ ଦ୍ଵାରା ହେଉଥିବା କ୍ଷତିର ପରିମାଣ ଅକ୍ଳେଶରେ ହ୍ରାସ ପାଏ । ଧାନଜମିରେ ଅବା ଦୁବ, ମୁଥା, ସୁଆଁ, ଗ୍ରେଗୋଡ଼ା, କୋଦୁଅ ଏବଂ ବଣ ମାଣ୍ଡିଆ ରଖିବା ଆବଶ୍ୟକ ନୁହେଁ । ଏଗୁଡିକୁ ସମ୍ପୂର୍ଣ୍ଣ ଭାବେ ବିନାଶ କରନ୍ତୁ । ଏଗୁଡିକୁ ଜମିର କୌଣସି ସ୍ଥାନରେ ଗଦା ନ କରି ପୋତି ଦିଅନ୍ତୁ। ଗଦା କରିବା ଯୋଗୁ ଝିଣ୍ଟିକା ଓ ଅନ୍ୟାନ୍ୟ ପୋକମାନେ ଏଥିରେ ଆଶ୍ରୟ ନେଇଥାନ୍ତି । ରୁଆ ଧାନଜମିରେ କାକୁ ବାଦାମ ଡାଳ ବିଭିନ୍ନ ସ୍ଥାନରେ ପୋତିବା ଯୋଗୁ କାଣ୍ଡ ବିନ୍ଧା ପୋକର ସଂଖ୍ୟା ହ୍ରାସ ପାଏ । ଏତଦ୍‌ବ୍ୟତୀତ କିଆଗଛର ଡାଳ ଧାନଜମିର ବିଭିନ୍ନ ସ୍ଥାନରେ ପୋତି ଦିଅନ୍ତୁ । କିଆଡାଳର ପତ୍ରଗୁଡିକରେ ବୁଢ଼ୀ ଆଣି, କଙ୍କି ଓ ବିରୁତି ବସା ବାନ୍ଧି ରହନ୍ତି ଏବଂ ବହୁ ଅନିଷ୍ଟକାରୀ ପୋକଙ୍କୁ ଖାଆନ୍ତି । ଧାନରୋଇବା ସମୟରେ କିଆରିର ହିତରେ ବଢ଼ି ରହିଥିବା ଘାସକୁ ହିତକତିକରି କାଟନ୍ତୁ । ଏହା ଫଳରେ ହିତ ତଳେ ରହିଥିବା ଝିଣ୍ଟିକା ପୋକର ଅଣ୍ଡା ନଳୀଗୁଡିକ ଧ୍ଵଂସ ପାଆନ୍ତି । ତେଣୁ ଧାନ ଫସଲ ଝିଣ୍ଟିକା ପୋକର ଆକ୍ରମଣରୁ ରକ୍ଷା ପାଏ ।

ଧାନଜମିରେ ଅତ୍ୟଧିକ ପରିମାଣର ଯବକ୍ଷାରଜାନ ସାର ନ ଦେଇ ଅନୁମୋଦିତ ପରିମାଣର ସୁଷମ ସାର ଯଥା-ଯବକ୍ଷାରଜାନ ୬୦ କିଗ୍ରା, ସୁପର ୩୦କି.ଗ୍ରା, ପଟାସ ୩୦ କିଗ୍ରା ଅଢ଼େଇ ଏକର ଧାନ ଜମିରେ ପ୍ରୟୋଗ କରିବା ବାଞ୍ଚନୀୟ । ଏହାଦ୍ଵାରା ଧାନପତ୍ର ଟାଣ ରହେ । ଯାହାଫଳରେ କାଣ୍ଡବିନ୍ଧା ପୋକ ଧାନ ଗଛକୁ ଆକ୍ରମଣ କରିପାରେ ନାହିଁ।

ଧାନ ଜମିରେ ପତ୍ରମୋଡା ପୋକର ଆବିର୍ଭାବ ପ୍ରଥମେ ଦେଖିଲେ ସଙ୍ଗେସଙ୍ଗେ କଣ୍ଟାଯୁକ୍ତ ବରକୋଳି ଡାଳ ନେଇ ପତ୍ରମୋଡାପୋକର ଶୁକଥିବା ଧାନପତ୍ରକୁ ଝାଡିଦେଲେ ବରକୋଳି ଡାଳର କଣ୍ଟାଦ୍ଵାରା ପତ୍ରମୋଡା ପୋକର ଶୁକ ଦମନ ହୋଇଥାଏ ।

ନଳି ପୋକ ଓ ପିତକାଣ୍ଡବିନ୍ଧା ପୋକ ଦମନ

ଧାନର ନଳି ପୋକକୁ ଦମନ କରିବା ଲାଗି ୩-୪ଟି କୋଳଥିଆ ଗଛକୁ ବିଡା ବାନ୍ଧି ଧାନ ଜମିରେ ପାଦଦ୍ଵାରା ଦାବି ପୋତି ଦିଅନ୍ତୁ। କୋଳଥିଆ ମାଟିରେ ଶଢ଼ିଯିବା ପରେ ସେଥିରୁ ବାହାରୁ ଅବା ଗନ୍ଧ ଦ୍ଵାରା ନଳି ପୋକ ଧାନ ଜମିରେ ପଶିପାରେ ନାହିଁ। ଧାନ ରୋଇବାର ୨୫-୩୦ଦିନ ପରେ ଆକର୍ଷକ ଯନ୍ତା (ଫେରୋମନ୍ ଟ୍ରାପ୍) ଏକ ଏକର ଧାନ ଜମି ପ୍ରତି ୧୦ଟି ନେଇ ବାଉଁଶ ବାତି ଦ୍ଵାରା କିଆରିର ବିଭିନ୍ନ ସ୍ଥାନରେ ପରସ୍ପର ପ୍ରତି ୨୦ମିଟର ବ୍ୟବଧାନରେ ଟାଙ୍ଗନ୍ତୁ। ଏହି ଆକର୍ଷକ ଯନ୍ତାରେ ଯୌନ ଆକର୍ଷକ ନାମକ ଏକ ରାସାୟନିକ ପଦାର୍ଥ ରଖାଯାଏ । ଉକ୍ତ ପଦାର୍ଥଟି ବୈଜ୍ଞାନିକଙ୍କ ଦ୍ଵାରା ପିତ କାଣ୍ଡବିନ୍ଧା ପୋକର ଶରୀରରୁ ସଂଗ୍ରହ କରାଯାଇ ରାସାୟନିକ ପ୍ରକ୍ରିୟାରେ ଡେଉଁରିଆ ସଦୃଶ ଏକ ଖୋଳରେ ରଖାଯାଇଥାଏ । ଏହା ଟଙ୍ଗାଯିବା ପରେ ଏଥିରୁ ଏକ ପ୍ରକାର ବାଷ୍ପ ବାହାରି ଧାନ କିଆରିର ଚତୁର୍ଦିଗକୁ ବ୍ୟାପିଯାଏ । ଏହି ବାଷ୍ପ ଦ୍ଵାରା କାଣ୍ଡବିନ୍ଧା ପୁରୁଷ ପୋକମାନେ ଆକର୍ଷିତ ହୋଇ ଯନ୍ତା ମଧ୍ୟରେ ପଡନ୍ତି ଓ ଯନ୍ତାରୁ ବାହାରକୁ ଆସିପାରନ୍ତି ନାହିଁ। ଏହି ଯନ୍ତା ଟଙ୍ଗାଯିବାର ୧୫ଦିନ ପର୍ଯ୍ୟନ୍ତ ପୁରୁଷ ପୋକମାନେ ଯନ୍ତା ମଧ୍ୟରେ ପଢନ୍ତି, ଯାହା ଫଳରେ ଧାନ କିଆରିରେ ପୁରୁଷ ପୋକଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବା ଯୋଗୁ ସ୍ତ୍ରୀ ପୋକ ବନ୍ଧ୍ୟା ହୁଅନ୍ତି । ସେମାନଙ୍କର ବଂଶବିସ୍ତାର କରିବାର ଶକ୍ତି ନଷ୍ଟ ହେବା ଫଳରେ ପିତ କାଣ୍ଡବିନ୍ଧା ପୋକର କ୍ଷତି ଧାନଜମିରେ ପରିଲକ୍ଷିତ ହୁଏନାହିଁ । ୧୫ଦିନ ପରେ ପୁନଶ୍ଚ ଆକର୍ଷକ ଥୋପକୁ ବଦଳାଇବାକୁ ପଡେ । ଆକର୍ଷକ ଯନ୍ତାକୁ ଧାନ କିଆରିରେ ଧାନର ଗର୍ଭାବସ୍ଥା ସମୟରେ ଟଙ୍ଗାଯାଇ ପିତକାଣ୍ଡବିନ୍ଧା ପୋକକୁ ସଂଗ୍ରହ କରାଯାଇ ଧାନ କେଣ୍ଡାରେ ଅଗାଡି ସୃଷ୍ଟିକୁ ରୋକାଯାଇ ପାରିବ ।

ସଂଗୃହିତ – ଡ. ବିଷ୍ଣୁଚରଣ ଜେନା

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top