ଓଡିଶାର ପ୍ରାୟ ସବୁ ଅଞ୍ଚଳରେ ଭେଣ୍ଡି ଚାଷ ହୋଇଥାଏ । ବର୍ଷା ଦିନରେ ଏବଂ ଖରାରେ ଭେଣ୍ଡିଚାଷ ଅଧିକ ମାତ୍ରାରେ ହୋଇଥାଏ। ଥଣ୍ଡା ଦିନରେ ଏହି ଚାଷ ଭଲ ହୁଏ ନାହିଁ । ଖରାଟିଆ ପାଗ ଭେଣ୍ଡି ଚାଷ ପାଇଁ ଖୁବ୍ ଅନୁକୂଳ ଅଟେ । ଆମ ରାଜ୍ୟରେ ଜାନୁୟାରୀ ୨୦ ତାରିଖ, ଶୀତର ପ୍ରକୋପ କମିଯାଏ । ତେଣୁ ଜାନୁୟାରୀ ୨୦ ପରେ ଭେଣ୍ଡି ଲଗାଯାଇପାରିବ ।
ଏମ୍ୟୁ-୧, ଆର୍କ ଅନାମିକା, ଆର୍କ ଅଭୟ, ଉତ୍କଳ ଗୌରବ, ଭେଣ୍ଡି ହାଇବ୍ରିଡ଼ା ସି.ଓ.୪ ଇତ୍ୟାଦି ଉନ୍ନତ କିସମ । ଭେଣ୍ଡି ସାଧାରଣତଃ ପ୍ରାୟ ସବୁ ମାଟିରେ ଭଲ ହୋଇଥାଏ, କିନ୍ତୁ ବାଲିଆ ଦୋରସା ଏବଂ ପଟୁ ଦୋରସା ସର୍ବୋତ୍ତମ । ଟାଣ ମାଟି ଓ କାଦୁଆ ମାଟିରେ ଏହା ଭଲ ହୁଏ ନାହିଁ । ଭେଣ୍ଡିକୁ ସାଧାରଣତଃ ଧାଡ଼ିରେ ଲଗାଯାଇଥାଏ । ଧାଡ଼ିକୁ ଧାଡ଼ି ୨ ଫୁଟ ଏବଂ ଗଛକୁ ଗଛ ୧ ଫୁଟ ରଖାଯାଏ । ଗୋଟିଏ ହେକ୍ଟର ପାଇଁ ପାଖାପାଖି ୧୨ ରୁ ୧୫ କିଗ୍ରା ମଞ୍ଜି ଦରକାର ହୋଇଥାଏ ।
ଏକ ହେକ୍ଟର ଜମି ପାଇଁ ପାଖାପାଖି ୧୦ଟନ୍ ସଢ଼ା ଗୋବର ଖତ ଦେବା ଆବଶ୍ୟକ । ଏହାଛଡ଼ା ୧୦୦ କି.ଗ୍ରା ଯବକ୍ଷାରଜାନ ୫୦ ଫସଫରସ୍ ଓ ୫୦ କି.ଗ୍ରା ପଟାସ ସାର ଦେଲେ ଭଲ ଅମଳ ମିଳିଥାଏ । ଅନୁମୋଦିତ ସମସ୍ତ ଫସଫରସ୍ ଏବଂ ୫୦ ଭାଗ ପଟାସ ସାରକୁ ମଞ୍ଜି ଲଗାଇବା ସମୟରେ ପ୍ରୟୋଗ କରିବା ଉଚିତ । ଗଛ ୨୫ରୁ ୩୦ ଦିନ ଜୋହଳା ପରେ ୫୦ ଭାଗ ଯବକ୍ଷାରଜାନ ସାର ଏବଂ ୧୫ ଭାଗ ପଟାସ ସାର ଦେଇ ମାଟିକୁ ହୁଡ଼ା ଟେକିଦେବା ଦରକାର । ଗଛ ୪୫ ରୁ ୫୦ ଦିନ ହେଲା ପରେ ବାକିଥିବା ୫୦ ଭାଗ ଯବକ୍ଷାରଜାନ ଏବଂ ୨୫ ଭାଗ ପଟାସ ସାର ଦେଇ ଆଉ ଥରେ ମାଟିରେ ହୁଡ଼ା ଟେକି ଦେବା ଆବଶ୍ୟକ ।
ଭେଣ୍ଡି ଫସଲରେ ଧଳାମାଛି ଏକ ମୁଖ୍ୟ ପୋକ ଏବଂ ଏହା ସାହେବୀ ରୋଗର ବାହକ ମଧ୍ୟ । ତେଣୁ ସମନ୍ୱିତ ରୋଗ ପୋକ ପରିଚାଳନା କରି ଧଳାମାଛିକୁ ନିୟନ୍ତ୍ରଣ କରିବା ଉଚିତ । ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ ହେକ୍ଟର ପ୍ରତି ୧୨୦ ରୁ ୧୫୦ କ୍ଲିଣ୍ଟାଲ ଅମଳ ମିଳିଥାଏ ଏବଂ ପ୍ରତି ହେକ୍ଟରରୁ ପ୍ରାୟ ୨୦ ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ ।
ଆଧାର - ବୈଜ୍ଞାନିକ ସନତ କୁମାର ମେହେର ଉଦ୍ୟାନ ବିଭାଗ, କୃଷିବିଜ୍ଞାନକେନ୍ଦ୍ର ବରଗଡ
Last Modified : 1/26/2020