ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ମାଟିଆଗୁଣ୍ଡି (ଚକଡା) ପୋକ ନିୟନ୍ତ୍ରଣ
ସେଆର କରନ୍ତୁ

ମାଟିଆଗୁଣ୍ଡି (ଚକଡା) ପୋକ ନିୟନ୍ତ୍ରଣ

ମାଟିଆଗୁଣ୍ଡି (ଚକଡା) ପୋକ ନିୟନ୍ତ୍ରଣ ର ସୂଚନା

ମାଟିଆଗୁଣ୍ଡି ବା ଚକଡା ପୋକ

ମାଟିଆଗୁଣ୍ଡି ବା ଚକଡା ପୋକ ଆମ ରାଜ୍ୟରେ ଖରିଫ ଏବଂ ରବି ଋତୁରେ ଚାଷ ହେଉଥିବା ଧାନ ଫସଲର ଏକ ମୁଖ୍ୟ ଅନିଷ୍ଟକାରୀ ଶୋଷକ ଜାତୀୟ ପୋକ  । ଏହା ଖରିଫ ଧାନ ଫସଲରେ ସେପ୍ଟେମ୍ବରରୁ ଅକ୍ଟୋବର ଏବଂ ରବିଧାନ ଫସଲରେ ଏପ୍ରିଲରୁ  ମେ ମାସ ମଧ୍ୟରେ ବହୁଳ ଭାବରେ ଦେଖାଯାନ୍ତି  ।

ଚିହ୍ନିବେ କେମିତି

ମାଟିଆଗୁଣ୍ଡି ପୋକ ଦେଖିବାକୁ ଇଷତ୍ ମାଟିଆ ରଙ୍ଗର ଓ ୩-୪ ମି.ମି.  ଲମ୍ବ  । ଏହି ପୋକକୁ ଧୂସର ଗୁଣ୍ଡିପୋକ ଓ କେତେକ ସ୍ଥାନରେ ଚାଷୀମାନେ ଚକଡା ପୋକ ବା ଜଉଆ ପୋକ ମଧ୍ୟ କହିଥାନ୍ତି  । ଫୁଲ ଉଡେଇବା ଆଗରୁ ଛୋଟ ଡେଣାଥିବା ଏବଂ ପରେ ପରେ ଲମ୍ବ ଡେଣାଥିବା ମାଟିଆଗୁଣ୍ଡି ପୋକ ଅଧିକ ଦେଖାଯାନ୍ତି  । ଏମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଉଡିଯାଇପାରନ୍ତି  । ଉଭୟ ବୟସ୍କ ପୋକ ଅର୍ଭକ ଅଧିକ ସଂଖ୍ୟାରେ ଆସି ଫସଲରୁ ରସ ଶୋଷି ଖାଇବା ଯୋଗୁ ଗଛ ପ୍ରଥମେ ହଳଦିଆ ପଡିଯାଏ ଏବଂ ପରେ ଶୁଖିଯାଏ  । ହିଡରୁ ଥାଇ ଦେଖିଲେ କିଆରିରେ ପାଣିଥିଲେ ମଧ୍ୟ ମନ୍ଦା ମନ୍ଦା ହୋଇ ଧାନ ପୋଡି ଯାଇଥିବାର ଦେଖାଯାଏ  । ଏହି ମନ୍ଦାଗୁଡିକ ଧୀରେ ଧୀରେ ପୋଡି ହୋଇ ପୂରା କିଆରିତୀ ଜଳିଗଲା ଭଳି ଦେଖାଯାଏ  । ତେଣୁ ଏହାକୁ ହପର ବର୍ନ ବା ହପର୍ ପୋଡା ବୋଲି କୁହାଯାଏ  । ସାଧାରଣତଃ ଏ ପ୍ରକାର ଲକ୍ଷଣ ଚକଡା ହୋଇ ଧାନ ବିଲରେ ଦେଖାଯାଏ ଓ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କିଆରିକୁ ମାଡିଯାଏ  । ଏହାଦ୍ଵାରା ସମୟ ସମୟରେ ଫସଲ ସମ୍ପୂର୍ଣ୍ଣ ବା ଶତ ପ୍ରତିଶତ ନଷ୍ଟ ହେବାର ଆଶଙ୍କା ଥାଏ  । ସାଧାରଣତଃ ଉଭୟ ପୂର୍ଣ୍ଣାଙ୍ଗ ଓ ଆରଭକ କୀଟଗୁଡିକ ଧାନ ବୁଦା ମୂଳ ଭାଗରେ ମେଞ୍ଚା ମେଞ୍ଚା ହୋଇ ଲାଗିଥାନ୍ତି  । ବର୍ଷାଦିନେ ଅତ୍ୟଧିକ ଆର୍ଦ୍ରତା ସହ ୨୮-୩୦  ଡିଗ୍ରୀ ସେଲସିୟସ ଉତ୍ତାପ, ଠିଆପାଣି, ଅତ୍ୟଧିକ ଯବକ୍ଷାରଜାନ ସାରା ଜମିରେ ପ୍ରୟୋଗ, ଅନ୍ଧାରୁଆ ସ୍ଥାନ, ଅଧିକ ଘଞ୍ଚ ଏବଂ ଗହଳିଆ ଧାନଗଛ ଥିବା ଖେତରେ ଏମାନେ ଶୀଘ୍ର ବଢିଥାନ୍ତି  ।

ପୋକର ଜୀବନ ଚକ୍ର

ମା’ ପୋକ ତା’ ଜୀବନ କାଳରେ ହାରାହାରି ୧୫୮ତୀ ସ୍ଥାନରେ ୬୦୦ ରୁ ୭୦୦ ପର୍ଯ୍ୟନ୍ତ ଅଣ୍ଡା ମେଞ୍ଚା ମେଞ୍ଚା କରି ଦେଇଥାଏ  । ଗୋଟିଏ ଅଣ୍ଡା ମେଞ୍ଚାରେ ହାରାହାରି ୮ରୁ ୧୬ତୀ ଅଣ୍ଡା ଥାଏ  । ମା’ ପୋକଟି ଧାନପାତ୍ରର ମଧ୍ୟଶିରା କିମ୍ବା ପାତ୍ର ଆଚ୍ଛାଦ ମଧ୍ୟରେ ଅଣ୍ଡା ଦେଇ ଥାଏ  । ଅଣ୍ଡାଗୁଡିକ ୭ରୁ ୯ ଦିନ ମଧ୍ୟରେ ଫୁଟି ଛୁଆ (ଅର୍ଭକ) ବାହାରନ୍ତି  । ଅର୍ଭକଗୁଡିକ ୧୩ରୁ ୧୫ଦିନ ମଧ୍ୟରେ ସ୍ଥଳ ବିଶେଷରେ ୨୧ ଦିନ ମଧ୍ୟରେ ପାଞ୍ଚୋଟି ନିର୍ମୋଚନ ପ୍ରକ୍ରିୟା ଦେଇ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୁଅନ୍ତି  । ଉଭୟ ଅର୍ଭକ ଏବଂ ପୂର୍ଣ୍ଣାଙ୍ଗ ପୋକ ଧାନଗଛର ମୂଳ ଅଂଶରୁ ରସ ଶୋଷି ଖାଆନ୍ତି  । ଫଳରେ ଗଛ ହଳଦିଆ ପଡି ଶୁଖିଯାଏ  ଓ ପରେ ମରିଯାଏ  । ଏହା ପୋକ ମେଞ୍ଚା ହୋଇ ଗୋଟିଏ ସ୍ଥାନରେ ରହି ଧାନଗଛକୁ ଆକ୍ରମଣ କରୁଥିବାରୁ ଧାନଗଛ ଅରା ଅରା (ଚକଡା ଚକଡା)ହୋଇ ପୋଡିଗଲା ପରି ଦିଶେ  ।

ପୋକର ପରିଚାଳନା

ଧାନ ଅମଳ ପରେ ନଡା ମୂଳଗୁଡିକ ଚାଷ କରି ନାସା କରିଦିଅନ୍ତୁ  ।

  • କିଆରିରୁ ଅନାବନା ଘାସ / ବିକଳ୍ପ ପୋଷକ ଗଛଗୁଡିକ ମଧ୍ୟ ନଷ୍ଟ କରିଦିଅନ୍ତୁ  ।
  • ସଅଳ କିସମ ଧାନଚାଷ କଲେ ଏହି ପୋକର ପ୍ରାଦୁର୍ଭାବ ଫସଲ ବର୍ତ୍ତିଯାଇଥାଏ  । ଏଣୁ ସୁବିଧା ଥିଲେ ୧୨୦ ଦିନ ମଧ୍ୟରେ ପାଚୁଥିବା ଧାନ କିସମ ବ୍ୟବହାର କରନ୍ତୁ  ।
  • ସୁବିଧା ଥିଲେ ଶ୍ରୀ ପଦ୍ଧତିରେ ଧାନ ଚାଷ କରନ୍ତୁ କିମ୍ବା ଗଛକୁ ଗଛ ଏବଂ ଧାଡିକୁ ଧାଡି ଠିକ୍ ଦୂରତା ସହିତ ଧାଡିବୁଣା କିମ୍ବା ଧାଡିରୁ ଧାଡି ରୁଆ କରନ୍ତୁ  ।
  • ଡିଆଁଧାଡି ବା ସ୍ଲିପ ରୋ ପ୍ରଣାଳୀରେ ଧାନ ରୁଅନ୍ତୁ । ଅର୍ଥାତ୍ ୨୦ ଧାଡି ହୋଇଗଲା ପରେ ଗୋଟିଏ ଧାଡି ଛାଡିଦେଲେ ପ୍ରାୟ ଏକ ଫୁଟ ଓସାରର ପଡିଆ (ଖାଲିସ୍ଥାନ) ମଝିରେ ରହିଯାଏ । ଫଳରେ ମାଟିଆଗୁଣ୍ଡି ପୋକର ପ୍ରାଦୁର୍ଭାବ କମ୍ ହୁଏ  ।
  • ଜଳ ନିୟନ୍ତ୍ରଣର ସୁବିଧା ଥିଲେ ଅଦଳ ବଦଳ ଭାବେ ଜମିକୁ ଶୁଖାଇ ପୁନଶ୍ଚ ପାଣି ଭରିଲେ ପୋକର ପ୍ରାଦୁର୍ଭାବ କମ୍ ହୋଇଥାଏ  ।
  • ଅଧିକ ଯବକ୍ଷାରଜାନ ସାର ନ ପକାଇ ସୁଷମସାର ପ୍ରୟୋଗ ଉପରେ ଗୁରୁତ୍ଵ ଦିଅନ୍ତୁ  । ଲଗାତାର ଭାବେ ଅର୍ଥାତ୍ ମାସ ମାସ ଧରି ରୁଆକାର୍ଯ୍ୟ ଚାଲୁ ରଖନ୍ତୁ ନାହିଁ  ।
  • କାରଣ ଏହାଦ୍ଵାରା ଏହି ପୋକର ବଂଶ ବିସ୍ତାର ପାଇଁ ସବୁବେଳେ ପୋଷକ ଗଛ ମିଳିଥାଏ  ।
  • ମାଟିଆଗୁଣ୍ଡି ପୋକର ସହନଶୀଳ ତଥା ପ୍ରତିରୋଧକ୍ଷମ ବିହନ କିସମ ବ୍ୟବହାର କରନ୍ତୁ  ।
  • ଉପକାରୀ ପରଭୋଜି ଓ ପରଜୀବୀ ପୋକଙ୍କ ସଂଖ୍ୟା କ୍ଷେତରେ ବେଶି ଥିଲେ ରାସାୟନିକ କୀଟନାଶକକୁ ଦେଖିଚାହିଁଆବଶ୍ୟକ ହେଲେ ପ୍ରୟୋଗ କରନତୁ  ।
  • ନିମ୍ନ ଆଧାରିତ କୀଟନାଶକ ପ୍ରୟୋଗ କଲେ ମଧ୍ୟ ମାଟିଆଗୁଣ୍ଡି ପୋକର ସଂଖ୍ୟା ବୃଦ୍ଧି ନ ପାଇଁ ସୀମିତ ହୋଇ ରହେ  ।
  • ଏକର ପ୍ରତି ୧୦ କେଜି ଧାନ ଚୋପା/ ଚଷୁ/ ମୋଟାଦାନା କୁଣ୍ଡାରେ ୨ ଲିଟର କିରୋସିନ ମିଶାଇ ଧାନ ଗଛର ମୂଳକୁ ପ୍ରୟୋଗ କଲେ କିମ୍ବା ଏକର ପ୍ରତି ଏକ କେଜି ରସୁଣ ମଣ୍ଡ ସହିତ ଏକ ଲିଟର କିରୋସିନ ମିଶାଇ ଗୋଟିଏ ରାତି ରଖିବା ପରେ ୨୦୦ ଲିଟର ପାଣିରେ ମିଶାଇ ଭଲ ଭାବରେ ଛାଣି ଧାନ ଗଛର ମୂଳକୁ ଭଲ ଭାବରେ ସିଞ୍ଚନ କଲେ ପ୍ରାରମ୍ଭିକ ଅବସ୍ଥାରେ ମାଟିଆଗୁଣ୍ଡି ପୋକ ନିୟନ୍ତ୍ରଣ ହୋଇଥାଏ  ।

ଆର୍ଥିକ କ୍ଷୟକ୍ଷତି / ଦେହେଳୀ ସୀମା

ପିଲ ଓ ଫୁଲ ଅବସ୍ଥାରେ ଏହି ପୋକର ଆର୍ଥିକ କ୍ଷୟକ୍ଷତି ବା ଦେହେଳୀ ସୀମା ହେଉଛି ବୁଦା ପ୍ରତି ୫-୧୦ ଟି କୀଟ ଧାନ ଖେତରେ ଉପକାରୀ କୀଟଙ୍କ ସଂଖ୍ୟା କମ୍ ଥିଲେ ଏବଂ ମାଟିଆଗୁଣ୍ଡି ପୋକର ସଂଖ୍ୟା ସେମାନଙ୍କର ଆର୍ଥିକ କ୍ଷୟକ୍ଷତି / ଦେହେଳୀ ସୀମା ଅତିକ୍ରମ କଲେ ନିମ୍ନ ଲିଖିତ ରାସାୟନିକ କୀଟନାଶକ ସିଞ୍ଚନ କରନ୍ତୁ  ।

କିପରି କରିବେ – କୀଟନାଶକ ପ୍ରୟୋଗ ପୂର୍ବରୁ ପ୍ରତି ୬ ଫୁଟ ଅନ୍ତରରେ ପୂର୍ବ – ପଶ୍ଚିମ ଦିଗକୁ କନ୍ଦି ବା ପାହି ତିଆରି କରନ୍ତୁ  । ଏହାଦ୍ଵାରା ବୁଦା ମୂଳକୁ ଆଲୋକ ଓ ବାୟୁ ଚଳାଚଳ ସହଜ ହୋଇଥାଏ  ଏବଂ କୀଟନାଶକ ପ୍ରୟୋଗ କରିବା ସୁବିଧା ହୋଇଥାଏ  । ଏକର ପ୍ରତି ୬୦ ଗ୍ରାମ୍ ଫ୍ଲୋନିକାମାଇଡ ୫୦ ଶତକଡା ଡବ୍ଲ୍ୟୁଜି କିମ୍ବା ୮୦ ଗ୍ରାମ୍ ଡାଇନୋଟିଫ୍ୟୁରନ୍ ୨୦ ଶତକଡା ଏସ୍ ଜି କିମ୍ବା ୧୨୦ ଗ୍ରାମ୍ ପାଇମୋଟ୍ରୋଜିନ ୫୦ ଶତକଡା ଡବ୍ଲ୍ୟୁଜି କିମ୍ବା ୩୦୦ ମି.ଲି. ବୁପ୍ରୋଫେଜିନ ୨୦ ଶତକଡା ଏସ୍.ସି  କିମ୍ବା ୪୦୦ ମିଲି ଫିପ୍ରୋନିଲ୍ ୫ ଶତକଡା ଏସ୍.ସି ସିଞ୍ଚନ କରନ୍ତୁ  ।

  • ସାଧାରଣତଃ ହସ୍ତଚାଳିତ ସ୍ପ୍ରେୟର ବ୍ୟବହାର କରୁଥିଲେ ଏକର ପ୍ରତି ୨୦୦ ଲିଟର ପାଣି ଏବଂ ଶକ୍ତି ଚାଳିତ ସ୍ପ୍ରେୟର ବ୍ୟବହାର କରୁଥିଲେ ଏକର ପ୍ରତି ୬୦ – ୭୦ ଲିଟର ପାଣି ଆବଶ୍ୟକ ପଡିଥାଏ  ।
  • ଯେହେତୁ ପୋକଗୁଡିକ ଗଛର ମୂଳରେ ରହୁଛନ୍ତି  । ତେଣୁ ସିଞ୍ଚନ ସମୟରେ ସ୍ପ୍ରେୟରର ନୋଜାଲ୍ କୁ ବୁଦା ମୂଳକୁ ଦେଖାଇ ସିଞ୍ଚନ କରନ୍ତୁ  । ଯେପରି କି ପୋକଗୁଡିକ କୀଟନାଶକ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିବେ  ।
  • ଆବଶ୍ୟକ ପଡିଲେ ପ୍ରତି ୧୦ ଦିନ ଅନ୍ତରରେ ଉପରୋକ୍ତ କୀଟନାଶକକୁ ପରିବର୍ତ୍ତନ / ଅଦଳ ବଦଳ କରି ସିଞ୍ଚନ କରନ୍ତୁ  ।

ତେବେ ଚାଷୀମାନେ କେତୋଟି ନିର୍ଦ୍ଧିଷ୍ଟ ଦିଗପ୍ରତି ଧ୍ୟାନଦେବା ଦରକାର

  • ମାଟିଆଗୁଣ୍ଡି ପୋକ ଲାଗିଥିଲେ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ ନାହିଁ  ।
  • ଗୋଟିଏ କୀଟନାଶକକୁ ବାରମ୍ବାର ପ୍ରୟୋଗ କରନ୍ତୁ  ନାହିଁ   ।
  • ସିନ୍ଥେଟିକ  ପାଇରେଥ୍ରଏଡ ଯଥା – ସାଇପରମେଥ୍ରିନ, ଡେଲ୍ଟାମେଥ୍ରିନ  ଇତ୍ୟାଦି  । କ୍ଳୋରୋପାଇରିଫସ୍, କ୍ୟୁନାଲଫସ୍,  ମିଥାଇଲ, ପାରାଥିଅନ୍, ଫୋରେଟ ଆଦି କୀଟନାଶକ ଆଦୌ ପ୍ରୟୋଗ କରନ୍ତୁ ନାହିଁ  । ଏହା ମାଟିଆଗୁଣ୍ଡି ପୋକର ବଂଶ ପୁନରୁଥାନରେ ସାହାଯ୍ୟ କରେ  ।
  • ଏକାଧିକ କୀଟନାଶକକୁ ମିଶ୍ରଣ କରି ପ୍ରୟୋଗ କରନ୍ତୁ ନାହିଁ   ।
  • ଅନାମଧେୟ କୀଟନାଶକ କୌଣସିମତେ ପ୍ରୟୋଗ କରନ୍ତୁ ନାହିଁ  । ବରଂ ଉପରବର୍ଣ୍ଣିତ ପାଞ୍ଚଗୋଟି କୀଟନାଶକରୁ ଯେକୌଣସି ଗୋଟିଏ କୀଟନାଶକ ଅନୁମୋଦିତ ମାତ୍ରାରେ ପ୍ରୟୋଗ କରନ୍ତୁ  । ତେବେ ଜମିକୁ ନିୟମିତ ଭାବରେ ସର୍ବେକ୍ଷଣ କରନ୍ତୁ  ଏବଂ ଅନୁମୋଦିତ ଫସଲ ସଂରକ୍ଷଣ ବ୍ୟବସ୍ଥା ପ୍ରବର୍ତ୍ତନ କରନ୍ତୁ  । ଆବଶ୍ୟକମତେ ନିକଟସ୍ଥ କୃଷି ବିଭାଗର ଅଧିକାରୀଙ୍କ ସହିତ ପରାମର୍ଶ କରନ୍ତୁ  ।

ସଂଗୃହୀତ – ଲକ୍ଷ୍ମୀନାରାୟଣ ଦାଶ

3.07407407407
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top