ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ମୁଗ ଫସଲର ରୋଗ ନିୟନ୍ତ୍ରଣ
ସେଆର କରନ୍ତୁ

ମୁଗ ଫସଲର ରୋଗ ନିୟନ୍ତ୍ରଣ

ମୁଗ ଫସଲର ଠିକ ରୋଗ, ପୋକ ନିୟନ୍ତ୍ରଣ କରିପାରିଲେ ମୁଗ ଫସଲର ଉତ୍ପାଦନ ବୃଦ୍ଧିହେବା ସହିତ ଆୟ ମଧ୍ୟ ବଢିପାରିବ ।

ମୁଗ ହେଉଛି ଆମ ରାଜ୍ୟର ପ୍ରମୁଖ ରବି ଫସଲ । ତେବେ ରୋଗ, ପୋକ ଆକ୍ରମଣ ଯୋଗୁ ମୁଗ, ଫସଲର ଉତ୍ପାଦନ ହ୍ରାସ ପାଇଥାଏ । ସାଧାରଣତଃ ଖରିଫ ଧାନ ଫସଲ କଟା ସରିବା ପରେ ଜମିର ବତରକୁ ଦେଖି ସେହି ଜମିରେ ମୁଗ, ବୁଣାଯାଇଥାଏ । ଆମ ରାଜ୍ୟରେ ଜଳସେଚନର ସୁବିଧା ଦେଖି ଖରାଟିଆ ମୁଗ ମଧ୍ୟ କରାଯାଏ । ସାମ୍ପ୍ରତିକ ପରିସ୍ଥିତିରେ ମୁଗ ଫସଲକୁ ମଧ୍ୟ ଅର୍ଥକରୀ ଫସଲ ଭାବେ ବିବେଚନା କରାଯାଏ । ତେଣୁ ଆମ ରାଜ୍ୟର ଚାଷୀକୁଳ ଟିକେ ଯତ୍ନବାନ ହୋଇ ମୁଗ, ଫସଲର ଠିକ ରୋଗ, ପୋକ ନିୟନ୍ତ୍ରଣ କରିପାରିଲେ ମୁଗ, ଫସଲର ଉତ୍ପାଦନ ବୃଦ୍ଧିହେବା ସହିତ ଆୟ ମଧ୍ୟ ବଢି ପାରିବ । ଚାଷୀଙ୍କ ଅବଗତି ନିମନ୍ତେ ମୁଗ ଫସଲର ରୋଗ ଏବଂ ଏହାର ନିୟନ୍ତ୍ରଣ ସମ୍ବନ୍ଧରେ ନିମ୍ନରେ ସୂଚନା ପ୍ରଦାନ କରାଗଲା । ଚାଷୀଙ୍କ ସମୂହ ସ୍ଵାର୍ଥ ଦୃଷ୍ଟିରୁ ମୁଗ, ଫସଲର ପୋକ ଏବଂ ଏହାର ନିୟନ୍ତ୍ରଣ ସମ୍ବନ୍ଧରେ ପରବର୍ତ୍ତୀ ପର୍ଯ୍ୟାୟରେ ଅବତାରଣା କରାଯିବ ।

ମୁଗ, ଫସଲର ରୋଗଗୁଡିକ କେତେକ ଅନିଷ୍ଟକାରୀ ଜୀବାଣୁ ଏବଂ କବକ ଦ୍ଵାରା ସୃଷ୍ଟି। ଏହି ଜୀବାଣୁ ବା କବକଗୁଡିକ ବିହନରେ ରହି ବିହନ ମାଧ୍ୟମରେ ଫସଲରେ ରୋଗ ସୃଷ୍ଟି କରିଥାନ୍ତି । ଏହି ଜୀବାଣୁଗୁଡିକ ଏତେ ସୂକ୍ଷ୍ମ ଯେ ଖାଲି ଆଖିରେ ଏମାନଙ୍କୁ ଦେଖିବା ଆଦୌ ସମ୍ଭବ ନୁହଁ । କେତେକ ଶକ୍ତିଶାଳୀ ଅଣୁବୀକ୍ଷଣ ଯନ୍ତ୍ର ମାଧ୍ୟମରେ କେବଳ ଏମାନଙ୍କୁ ଦେଖାଯାଇପାରେ । ତେବେ ବିହନ ବୁଣି ସାରିବା ପରେ ଫସଲରେ ରୋଗର ବିଭିନ୍ନ ଲକ୍ଷଣ ଦେଖି ଆମେ ରୋଗ ପୋକ ଲାଗିବାର ସୂଚନା ପାଇଥାଉ । କିନ୍ତୁ ସେତେବେଳକୁ ଜୀବାଣୁ ତା’ର କାର୍ଯ୍ୟ ପ୍ରାୟତଃ ବଢାଇଦେଇଥାଏ । ଅବଶ୍ୟ ରୋଗକୁ ଠିକ ଭାବରେ ସର୍ବେକ୍ଷଣ କରି ଅନୁମୋଦିତ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରବର୍ତ୍ତନ କଲେ ରୋଗର ଠିକ ନିୟନ୍ତ୍ରଣ ହୋଇଥାଏ । ତେବେ ରୋଗର ପ୍ରତିକାର ଅପେକ୍ଷା ପ୍ରତିଷେଧକ ବ୍ୟବସ୍ଥା ଶ୍ରେୟସ୍କର । ବିହନ ବୁଣିବା ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ବିହନ ବିଶୋଧନ କଲେ ବିହନରେ ଅଦୃଶ୍ୟ ଭାବରେ ଥିବା ସୂକ୍ଷ୍ମା ରୋଗ ସୃଷ୍ଟିକାରୀ ତଥା ଅନିଷ୍ଟକାରୀ ଜୀବାଣୁ ବା କବକଗୁଡିକ ମରିଯାନ୍ତି ଅଥବା ନିଷ୍କ୍ରିୟ ହୋଇଯାନ୍ତି । ତେଣୁ ଭବିଷ୍ୟତରେ ରୋଗ ସୃଷ୍ଟି ହେବାର ଭୟ ନ ଥାଏ । ବିହନ ବିଶୋଧନ ଦ୍ଵାରା ଶତପ୍ରତିଶତ ରୋଗ ନିୟନ୍ତ୍ରଣ ମଧ୍ୟ ହୋଇଥାଏ । ବିହନ ବିଶୋଧନ ଏକ ଅବ୍ୟର୍ଥ ପ୍ରତିଷେଧକ ବ୍ୟବସ୍ଥା । ଏହାଦ୍ଵାରା ସ୍ୱଳ୍ପ ଖର୍ଚ୍ଚରେ, ସୁବିଧାରେ ଏବଂ ନିରାପଦରେ ମୁଗ, ଫସଲର ପାଉଁଶିଆ ରୋଗ, ମଞ୍ଜଶତା ଓ ତଳି ପଚା ରୋଗ, ଝାଉଁଳା ରୋଗ, କୋଲାର ରଟ୍ ରୋଗ, କଳଙ୍କି ରୋଗ, ପତ୍ରପୋଡା ରୋଗ ଇତ୍ୟାଦି ଶତପ୍ରତିଶତ ନିୟନ୍ତ୍ରଣ ହୋଇଥାଏ ।

ବିହନ ବିଶୋଧନ ବା ପ୍ରତିଷେଧକ ବ୍ୟବସ୍ଥା

ବିଭିନ୍ନ ଉପାୟରେ ବିହନକୁ ବିଶୋଧନ କରାଯାଇଥାଏ । ଯଥା ଜୈବିକପଦ୍ଧତି ଏବଂ ରାସାୟନିକ ପଦ୍ଧତି ।

ଜୈବିକ ପଦ୍ଧତି :

ଟ୍ରାଇକୋଡର୍ମା ଭିରିଡେ ଉପକାରୀ କବକ ଜାତୀୟ କଲଚର ଦ୍ଵାରା ବିହନ ବିଶୋଧନ କଲେ ମୁଗ, ଫସଲର ରାଇଜେକ୍ଟୋନିଆ ଏବଂ ସ୍କିରୋଟିୟମଜନିତ ଚେର ଶଢା ରୋଗ ସହଜରେ ଦମନ ହୋଇଥାଏ । କିନ୍ତୁ ଏହି କଲଚର ଦ୍ଵାରା ବିଶୋଧୂତ ହୋଇଥିବା ବିହନଗୁଡିକୁ ତୁରନ୍ତ  ଜମିରେ ବୁଣି ଦେବା ଦରକାର । ଏକ କେ.ଜି., ବିହନ ପ୍ରତି ଚାରି ଗ୍ରାମ ହିସାବରେ ଟ୍ରାଇକୋଡର୍ମା କଲଚର ଦ୍ଵାରା ଶୁଷ୍କ ବିହନ ବିଶୋଧନ କରାଯାଏ । ଏହି ଟ୍ରାଇକୋଡର୍ମା କଲଚରକୁ ମଧ୍ୟ ଆଜୋସ୍ପିରିଲମ ଏବଂ ରାଇଜୋବିୟମ ଜୀବାଣୁ ସାର ସହିତ ଏକାବେଳେ ମିଶାଇ ଜମିରେ ପ୍ରୟୋଗ କରାଯାଇପାରିବ ।

ରାସାୟନିକ ପଦ୍ଧତି :

ମୁଗ, ଫସଲର ଝାଉଁଳା ଏବଂ ମୂଳଶଢା ଲାଗି ପ୍ରତି ଏକ କେଜି ବିହନ ପିଛା ତିନିଗ୍ରାମ ଭିଟାଭାକୁ ପାଉଡର ଦ୍ଵାରା ଶୁଷ୍କ ବିହନ ବିଶୋଧନ କରନ୍ତୁ । ବିହନ ବିଶୋଧନ ପାଇଁ ବଜାରରେ ଉପଲବ୍ଧ ହେଉଥିବା ବିହନ ବିଶୋଧନ ଯନ୍ତ୍ର ସବୁଠାରୁ ଭଲ । ତେବେ ମାଟିପାତ୍ରରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ମାଟିପାତ୍ର ବଦଳରେ ଗାଁ ଗହଳିରେ ବ୍ୟବହାର କରାଯାଉଥିବା ଗୋବର ଲିପା ବାଉଁଶ ବୋଝ ବା ଝୁଡିକୁ ମଧ୍ୟ ବ୍ୟବହାର କରାଯାଇପାରିବ । କିନ୍ତୁ ଏଥିଲାଗି ଆଲୁମିନିୟମ, ରସ, କଂସା, ପିତଳ, ଷ୍ଟିଲ ଇତ୍ୟାଦି ପାତ୍ର ସମ୍ପୂର୍ଣ୍ଣ ନିଷେଧ ।

ପ୍ରତିକାର ବା ଦମନ ବ୍ୟବସ୍ଥା

ପାଉଁଶିଆ ରୋଗ :

ଏହାର ନିୟନ୍ତ୍ରଣ ପାଇଁ ଏକର ପ୍ରତି ଏକ କେଜି ଗନ୍ଧକ ସେଚିତ ଗୁଣ୍ଡ । ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ଏକର ପ୍ରତି । ୨୦୦ ଲିଟର ପାଣିରେ ୫୦୦ ଗ୍ରାମ ବେନେନାମିଲ୍ କିମ୍ବା ୩୦୦ ଗ୍ରାମ କାର୍ବେଣ୍ଡାଜିମ୍ ୫୦% ଡବ୍ଲ୍ୟୁପି କିମ୍ବା ୧୦୦ ମିଲି ଟ୍ରାଇଡେମର୍ଫ ୮୦% ଇସି (କାଲିକ୍ସିନ୍) ପତ୍ର ସିଞ୍ଚନ କରନ୍ତୁ । ଏକର ପ୍ରତି ୧୦ କେଜି ଗନ୍ଧକ ଗୁଣ୍ଡ ବିଞ୍ଚି ମଧ୍ୟ ରୋଗ ନିୟନ୍ତ୍ରଣ କରାଯାଇପାରେ ।

ମଞ୍ଜଶଢା ଓ ତଳିପଚା ରୋଗ :

ଏକର ପ୍ରତି । ୨୦୦ ଲିଟର ପାଣି ସହିତ ୩୦୦ ଗ୍ରାମ କାର୍ବୋଣ୍ଡାଜିମ୍ କିମ୍ବା ୬୦୦ ଗ୍ରାମ ମାନ୍‌କୋଜେଟ୍ କିମ୍ବା ୪୦୦ ମିଲି ପ୍ରୋପିକୋନାଜୋଲ୍ ୨୫% ଇସିକୁ ପତ୍ର ସିଞ୍ଚନ କରି ରୋଗ ନିୟନ୍ତ୍ରଣ କରାଯାଇପାରେ।

ଝାଉଁଳାରୋଗ:

ଏକର ପ୍ରତି ୨୦୦ ଲିଟର ପାଣି ସହିତ ୪୦୦ ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା ୩୦୦ ଗ୍ରାମ ମେଟାଲାକ୍‌ସିଲ୍ ଦ୍ରବଣକୁ ମୂଳ ସହିତ ମାଟିକୁ ଭଲ ଭାବରେ ଭିଜାଇଲେ ରୋଗ ନିୟନ୍ତ୍ରଣ ହୋଇଥାଏ ।

କୋଲାର ରଟ୍ :

ଏକର ପ୍ରତି ୨୦୦ ଲିଟର ପାଣି ସହିତ ୪୦୦ ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା ୬୦୦ ଗ୍ରାମ ମାନ୍‌କୋଜେବ୍ କିମ୍ବା ୩୦୦ ଗ୍ରାମ ଥାଓଫିନେଟ୍ ମିଥାଇଲ ଦ୍ରବଣକୁ ଗଛ ସହିତ ମୂଳକୁ ଭଲ ଭାବରେ ସିଞ୍ଚନ କରନ୍ତୁ ।

କଳଙ୍କି ରୋଗ:

ଏକର ପ୍ରତି ୨୦୦ ଲିଟର ପାଣି ସହିତ ଏକ କେଜି ଗନ୍ଧକ ସେଚିତ ଗୁଣ୍ଡ କିମ୍ବା ୪୦୦ ମିଲି ଟ୍ରାଇଡେମର୍ଫ ୮୦% ଇସି (କାଲିକ୍ସିନ) କିମ୍ବା ଅକ୍‌ସି କାର୍ବୋକ୍ସିନ୍ ୨୦% ଇସି ପ୍ଲାଣ୍ଟଭାକ୍ସ ୪୦୦ ମିଲି ପତ୍ର ସିଞ୍ଚନ କରନ୍ତୁ।

ପତ୍ରପୋଡା ରୋଗ:

ଏହି ରୋଗ ନିୟନ୍ତ୍ରଣ ପାଇଁ ଏକର ପିଛା ୨୦୦ ଲିଟର ପାଣି ସହିତ ୬୦୦ ଗ୍ରାମ ମାନ୍କୋଜେବ୍ ଡବ୍ଲ୍ୟୁଡିପି ୭୫% କିମ୍ବା ୪୦୦ ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା ୬୦୦ ଗ୍ରାମ କପର ଅକ୍ସିକ୍ଲୋରାଇଡ ଡବ୍ଲ୍ୟୁଡିପି ୫୦% ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

ସାହେବୀ ରୋଗ ବା ହଳଦିଆ ଚିତ୍ରା ରୋଗ:

ଏହା ଏକ ସାଙ୍ଘାତିକ ଭୂତାଣୁ ଜନିତ (ଭାଇରାଲ) ରୋଗ । ଧଳାମାଛି ଦ୍ଵାରା ଏହି ରୋଗଟି ସଂଚାରିତ ହୋଇଥାଏ । ତେଣୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଧଳା ମାଛିକୁ ନିୟନ୍ତ୍ରଣ କରି ଏହି ରୋଗକୁ ସୁବିଧାରେ ନିୟନ୍ତ୍ରଣ କରାଯାଏ । ଧଳାମାଛି ନିୟନ୍ତ୍ରଣ ଲାଗି ଏକର ପ୍ରତି । ୨୦୦ ଲିଟର ପାଣିରେ ୪୦୦ ମିଲି ଡାଇମିସ୍ଟେଥୋଏଟ୍ କିମ୍ବା ୪୦୦ ମିଲି ମିଥାଇଲ, ଅକ୍ସିଡିମେଟନ୍ ୨୫% ଇସି କିମ୍ବା  ୫୦ ମିଲି ଇମିଡାକ୍ଲୋପ୍ରିଡ୍ ୧୭.୮% ଏସ୍ଏଲ୍ ପତ୍ର ସିଞ୍ଚନ କରନ୍ତୁ । ସବିଶେଷ ବିବରଣୀ ପାଇଁ ନିକଟସ୍ଥ  କୃଷି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ ।

ସଂଗୃହିତ - ଲକ୍ଷ୍ମୀନାରାୟଣ ଦାଶ,  ଜିଲା କୃଷି ଅଧିକାରୀ, ଦଶପଲ୍ଲା,ନୟାଗଡ

3.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top